Unknown

 

 

 

 

 

 

 

 

 

 

 

ଜୀବନର ସନ୍ଧ୍ୟା

ରାଜକିଶୋର ପଟ୍ଟନାୟକ

 

କଟକର ଡିଷ୍ଟ୍ରିକ୍ଟ ବାର ଆସୋସିଏସନ୍‍ର ଗୋଟିଏ ଛୋଟ କୋଠରୀରେ ମାତ୍ର ଛଅଖଣ୍ଡ ଚଉକି । କିନ୍ତୁ ସେହି ଚଉକିରେ ବସୁଥିବା ପ୍ରତ୍ୟେକ ଆଡ଼ଭୋକେଟ ଜଣେ ଜଣେ ସାହିତ୍ୟିକ । ସେମାନେ ବୟସ ଅନୁସାରେ ହେଲେ—

 

ଶ୍ରୀ ଭୂପେନ୍ଦ୍ର କୁମାର ବସୁ, ଗୋପାଳଜୀଉ ଲେନ୍‌ ।

 

ଶ୍ରୀ ଗୋପାଳ ପ୍ରସାଦ ଘୋଷ, ସାହାବଜାଦା ବଜାର ।

 

ଶ୍ରୀ ଧୃବ ଚରଣ ସାହୁ, ପ୍ରଫେସର ପଡ଼ା ।

 

କୁମାର ଶ୍ରୀ ପ୍ରତାପ ଚନ୍ଦ୍ର ଦେବ, ତାଳଚେର କୋଠି ।

 

ଶ୍ରୀ ଶୈଲେନ ଭଟ୍ଟାଚାର୍ଯ୍ୟ, ବୁଢ଼ୀଠାକୁରାଣୀ ।

 

ଏଇ ପାଞ୍ଚଜଣଙ୍କୁ ମୋର ଜୀବନର ସନ୍ଧ୍ୟାଟି ଯଥାଯୋଗ୍ୟ ଭକ୍ତି ଓ ଶ୍ରଦ୍ଧା ସହିତ ନିବେଦନ କଲି ।

 

ରାଜକିଶୋର ପଟ୍ଟନାୟକ

ତା ୧ । ୧୨ । ୧୯୮୪

☆☆☆

 

ଜୀବନର ସନ୍ଧ୍ୟା ବହିର ବିକ୍ରି ଉପରେ ପ୍ରତ୍ୟେକ ବହିକୁ ଏକଟଙ୍କା କରି ହଜାରେ ଟଙ୍କା ମୋର ବୋହୂ ଅମିତା ଦେବୀଙ୍କର ସ୍ମୃତିରେ ଦାନ ଦିଆଯିବ । ୧୪ । ୮ । ୮୫ ସୁଦ୍ଧା ଏହି ହିସାବ ଛିଣ୍ଡିବ ।

 

ଲେଖକ ଓ ପ୍ରକାଶକ

☆☆☆

 

ବଙ୍ଗଳା ସାହିତ୍ୟର ଗୋଟିଏ ଶ୍ରେଷ୍ଠ ଉପନ୍ୟାସ ‘‘ଶେଷ ପ୍ରଶ୍ନ’’ ବହିରେ ଲେଖାଅଛି ମଣିଷ ବିଷୟରେ । ଲେଖିଛନ୍ତି ଶରତ ଚନ୍ଦ୍ର ଚାଟର୍ଜୀ ।

 

କେହି କାହାର ବନ୍ଧୁ ନୁହେଁ । କେହି କାହାର ଶତ୍ରୁ ନୁହେଁ । ଘଟଣାର ସ୍ରୋତରେ କେହି ପାଖକୁ ଚାଲିଆସେ । କେହି ମଧ୍ୟ ସେମିତି ଦୂରକୁ ଚାଲିଯାଏ ।

 

ଆମେ ସେଇ କଥା କହିଥାଉଯେତେ ଭାଇ ସେତେ ଘର । ଯେତେ କନିଆଁ ସେତେ ବର ।

 

ଯେତେବେଳେ ମଣିଷ ଗାଈଗୋଠ ଅବା ଧାନଜମିକୁ ବର୍ଷା ଖରା ଶୀତକୁ ଜଗି ଚାଷ କରି ଚଳୁଥିଲା ସେତେବେଳେ ମଧ୍ୟ ଯେତେ ଭାଇ ସେତେ ଘର ହେଉଥିଲା । ଗୋଟିଏ ଭାଇ ତାହାର ହିଂସା ନେଇ ଅଲଗା ହାଣ୍ଡି କରୁଥିଲା ।

 

ଏବେ ପଚାଶ ବର୍ଷ ହେଲାଣି ଯେଉଁ ଓଡ଼ିଆ ଇଂରେଜି ପାଠ ପଢ଼ି ଚାକିରି ପାଇଛି ସେତେବେଳେ ତାହାର ଅର୍ଜନକୁ ନିଜର ଅର୍ଜନ କହି ମୌରୁଷୀ ଭିଟାମାଟିକୁ ଦୁଇଟି ଗୋଇଠା ଓ ପାଞ୍ଚପଦ ଗାଳିଦେଇ ଚାଲିଯାଇଛି ସହରକୁସେଠି ତାହାର ଚାକିରି ।

 

ଘରଣୀ ମଧ୍ୟ ଚାଲିଯାଇଛି ସାଙ୍ଗରେ । ପିଲାଏ ସେଇଠି ଜନ୍ମ ହେଇ ମଣିଷ ହେଇଛନ୍ତି-। ପୁରୁଣା ଘରକୁ ସ୍ମୃତି ହିସାବରେ ରଖିଛନ୍ତି ପୁରୁଷେ ଅବା ଦେଢ଼ ପୁରୁଷ ।

 

ଇଏ ବି ସେମିତି ଗୋଟିଏ ଘରର ଛୋଟିଆ କଥାଟିଏ । ବାପା କରିଥିଲା ପାଞ୍ଚବଖରା ଘର, ଦଶଗୁଣ୍ଠ ଜାଗା, ଆଉ ତାକୁ ସଜେଇଲା ପରି ଆଗ ଓ ପଛ ଅଗଣା ଓ ପିଣ୍ଡା ।

 

ପିଲାମାନେ ମଣିଷ ହେଇ ନଥିଲେ ବାପାର ମାଟିଖଣ୍ଡକୁ ସୁନା ଭାବି ଟାଣ କରି ଧରିଥାନ୍ତେ । କିନ୍ତୁ ସେମାନେ ହେଲେ ଯେ ଯାହା ହାତରେ ଚଉଦପାଆ ।

 

ତେଣିକି ସେମାନେ ଅଲଗା ମନ ନେଇ ରହିଲେ । ପାଞ୍ଚଟିରୁ ତିନୋଟି ବୋହୂ ଆଣିଲେ-। ଯୋଡ଼ିଏ ବୋହୂ ଆଣିଲେ ନାହିଁ ।

 

ଘର ଓ ଘରର ମତ ହୋଇଗଲା ଦୁଇଭାଗଭଲ ଓ ଖରାପ । ଭଲଭାଗଟି ହେଲେ ସେଇମାନେ ଯେଉଁମାନଙ୍କର ଅର୍ଜନରେ ଭାଗ ବସିବାକୁ ସଂସାର ନାହିଁ । ସ୍ତ୍ରୀ ପିଲା ନାହାନ୍ତି । ତେଣୁ ସେମାନେ ହେଇଗଲେ ସାଧୁ ସନ୍ଥ ।

 

ଆଉ ଯେଉଁ ତିନୋଟି ଘରକୁ ବୋହୂ ଆଣିଲେ ସେମାନେ ହେଲେ ଖରାପ । ତାଙ୍କର ଅର୍ଜନ ଯେତିକି ବଢ଼େ ତହିଁରୁ ସଂସାର ଚଳାଇବା ଖର୍ଚ୍ଚ ଅଧିକ ହୁଏ । ବାଧ୍ୟରେ ସେମାନେ ହେଇଗଲେ ଗରିବଆକାଶର ଉଜାଲା ପକ୍ଷର ପହିଲି ଅଧକ ପରି । ତାଙ୍କର ଆଲୁଅ ଅଳ୍ପ ଓ ତାହାର ସମୟ ମଧ୍ୟ ଅଳ୍ପ ।

 

ସଂସାରର ମତରେ ଗରିବ ଲୋକ ମନରେ ମଧ୍ୟ ଗରିବ । ଦେବ କମ୍‌ ଓ ନେବ ବେଶି-। ଭଗବାନଙ୍କର ନାମ ନିଏ ଖାଲି ପାଇବାକୁ । ନିରୀହ ଭାବରେ ଅନାଇଥାଏ କିଛି ପାଇଯିବା ଆଶାରେ ।

 

ଫଳରେ ସେଇ ପାଞ୍ଚଭାଇ ଦୁଇ ଦଳ ହେଇଗଲେପାପୀ ଓ ପୁଣ୍ୟାତ୍ମା ।

 

କିନ୍ତୁ ଦଳ ହେଲାବେଳକୁ ଦେଖାଗଲା ଯେ ଗୋଟିଏ ବାହାରିଲା ସାଧୁ । ଦୁଇଟା ବାହାରିଲେ ଅସାଧୁ । ଆଉ ଯୋଡ଼ିଏ ରହିଗଲେ ମିଶାମିଶି ଶ୍ରେଣୀରେ । ସାଧୁ ଯାହାକୁ ଯେତେଦିନ ଭଲ ସାର୍ଟିଫିକେଟ୍ ଦବ ସିଏ ସେତେଦିନ ସାଧୁ ଶ୍ରେଣୀରେ ରହିବ ।

 

ସେଥିପାଇଁ ଦୁଇଟି ଭାଗ ନ ହେଇ ତିନିଭାଗ ହେଲାଦିନ, ରାତି ଓ ଗୋଧୂଳି ଅବା ରାତି, ଦିନ ଓ ପାହାନ୍ତା । କଳା, ଧଳା ଓ କହରା ।

 

ସାଧୁ ଓ ଅସାଧୁ ଏକାଠି ରହିପାରିବେ ନାହିଁ । ତେଣୁ ଅଲଗା ହେବା ଦରକାର ପଡ଼ିଲା-। ଅଲଗା ହେଇଗଲେ । ଦରକାର ଅନୁସାରେ ଭାଗେ ଭାଗେ ଧରି ନେଇ ଭାରି ଖୁସି ହେଲେ ଯେ ଏଥର ବଞ୍ଚିବାର ସ୍ୱାଧୀନତା ମିଳିଗଲା ।

 

ଏକାଠି ରହିବା ହେଉଛି ପରାଧୀନତାକାରଣ ସମସ୍ତେ ସମସ୍ତଙ୍କର ମତାମତକୁ ଚାହିଁବେ । ସ୍ୱାଧୀନ ଅର୍ଥ ଯାହା ଚାହିଁବି ଓ ଯେମିତି ଚାହିଁବି ସେମିତି ହେବି ଓ ସେପରି କରିବି । ମୁଁ ହେବି ଜଣେ ଅଉଲ କିସମର ଲୋକ ।

 

ଏଇ ସଂସାରଟାରେ ଅଧେ ପୁରୁଷ ଓ ଅଧେ ନାରୀ । ତେଣୁ ନାରୀମାନଙ୍କ ମଧ୍ୟରେ ଭଲ ଓ ମନ୍ଦ ଦୁଇଟି ରହିବା ଦରକାର । ଭାଗ ମଧ୍ୟ ହେଲା ସେମିତି ।

 

ପାଞ୍ଚଭାଇଙ୍କର ଚାରି ଭଉଣୀ । ବଡ଼ ଓ ସାନଭଉଣୀଙ୍କ ଭିତରେ କୋଡ଼ିଏ ବର୍ଷ ବୟସର ପ୍ରଭେଦ । ବଡ଼ ଭଉଣୀ ବିଭା ହେଲାବେଳକୁ ସାନକୁ ତିନି ବର୍ଷ । ସେଥିପାଇଁ ଭଲ ଓ ଖରାପ ଭାଗ ପଡ଼ିଲାବେଳକୁ ବଡ଼ଟି ହେଲା ପାପୀ ଓ ଛୋଟ ତିନୋଟି ହେଲେ ସାଧୁ ।

 

ସମୟ କ୍ରମେ ଯୋଡ଼ିଏ ବିଭା ହେଇଗଲେ ଓ ଜଣେ ବିଭାହେଲେ ନାହିଁ । ଯେଉଁ ଜଣକ ଅଭିଆଡ଼ୀ ରହିଲେ ସେ ହେଲେ ସାଧୁ । ତାଙ୍କର ଦୁଇଟି ପାଳିଆ ରହିଲେ ସାନ ଭଉଣୀ ଦୁଇଟି ।

 

ଏମିତିରେ ଘରର ନଅଟି ପିଲାଙ୍କ ମଧ୍ୟରେ ଭାଗ ହେଲା ଯେ ପୂରା ଭଲ ତିନୋଟି । ଦୁଇଭାଇ ଓ ଗୋଟିଏ ଭଉଣୀ ।

 

ଏକଦମ୍‌ ଖରାପ ହେଲେ ଦୁଇଭାଇ ଓ ଗୋଟିଏ ଭଉଣୀ ।

 

ମିଶାମିଶି ଶ୍ରେଣୀରେ ରହିଲେ ଗୋଟିଏ ଭାଇ ଓ ଦିଓଟି ଭଉଣୀ । ଏମାନେ ହେଲେ ସାଧୁସନ୍ଥଙ୍କର ବୋଲକରା ।

 

ସାଧୁମାନଙ୍କ ପାଖରେ ଚଳିଲେ ରାନ୍ଧିବା ଲୋକ, ଗୋଡ଼ ଘଷିବା ଲୋକ ଓ ଭାଙ୍ଗ ବାଟିବା ଲୋକ ବି କେବଳ ସତ୍‌ସଙ୍ଗ କରି କରି କାଳକ୍ରମେ ସାଧୁ ହେଇଯାଏ ।

 

ସେହି କାରଣରୁ ପାଳିଆ ତିନୋଟି ପୂରା ସନ୍ଥ ହେଇ ନ ପାରି ଟ୍ରେନିଂରେ ଥିବା ପରି ଦୀର୍ଘଦିନର ଶିକ୍ଷାନବୀଶ ପରି ପଡ଼ିଥାନ୍ତିନା, ହୁଅନ୍ତି ପୂରା ସାଧୁ ଅବା ପୂରା ଅସାଧୁ ।

 

ଇଏ ହେଲା ନଅଜଣଙ୍କର କଥା । ଆଉ ଗୋଟିଏ ପୁଅ ଜନ୍ମର ଚଉଦ ଦିନରେ ଚାଲି ଯାଇଥିଲା । ସେ ସାଧୁ କି ଅସାଧୁ ବା ବୋକଚାବୁହା କିଛି ହେଇପାରିଲା ନାହିଁ ।

 

ଓଡ଼ିଶାର ଅର୍ଦ୍ଧଶତାଦ୍ଦୀରୁ ଅଧିକ ଚଉଠ ସମୟ ମଧ୍ୟରେ ଏହିପରି ଗୋଟିଏ ଛୋଟ ପରିବାରରେ କାଳକ୍ରମେ ଧର୍ମ ଓ ଅର୍ଥ ତାହାର ପ୍ରଭାବ ବିସ୍ତାର କରିଛି ।

 

ଆଜିର ପେନସନପ୍ରାପ୍ତ ସରକାରୀ କର୍ମଚାରୀଙ୍କର ଶେଷଜୀବନରେ ଦେଖା ଦେଉଥିବା ଧର୍ମଭାବ ପରି ।

 

ଏ ସବୁ ମୁଁ ଭଲ କରି ଦେଖିଛି । କାରଣ କେବେହେଲେ ମୋ’ ଉପରେ ସେପରି ଗୁରୁତର ଦାୟିତ୍ୱ ନଥିଲା ଓ ଏସବୁ ବାଜେ କଥା ଦେଖିବା ଓ ଠଉରେଇବା ପାଇଁ ସମୟର ଅସୁବିଧା ହେଉ ନଥିଲା ।

 

ପ୍ରାୟ ପଚାଶ ବର୍ଷ ହେଲାଣି ମୁଁ ଜଣେ ଛୋଟକାଟିଆ ଓକିଲ ଓ ସେଇ କାଟର ଲେଖକ ଓ ସେଇ ଶ୍ରେଣୀର କଟକା ନାଗରିକ ।

 

ପ୍ରତ୍ୟେକ କାମରେ ପ୍ରାପ୍ତି କମ୍‌, ପରିଶ୍ରମ କମ୍‌ ଓ ବଳିବା ସମୟ ବେଶି । ବାଧ୍ୟରେ ପାଣି ମଡ଼ା ପଥରରେ ଶିଉଳି ବସିଲା ପରି ଅନେକ ସୁବିଧା ଅସୁବିଧା କଥା ଜମାଟ ବାନ୍ଧି ରହିଯାଇଛି ।

 

ଶିଉଳିଘେରା ପଥର ବା ପାହାଚ ଅବା ରାସ୍ତାକୁ ସମସ୍ତେ ଡରନ୍ତି । ତେଣୁ ମୁଁ ସମସ୍ତଙ୍କଠାରୁ ଦୂରରେ ରହି ଆସିଛି । ଏହି ଲକ୍ଷ୍ୟରେ ମୋର କରଣି ଯେତିକି ଅନ୍ୟମାନଙ୍କର ମଧ୍ୟ ସହଯୋଗ ସେତିକି ।

 

ସେଇଟା ତା’ର ଭୁକି ଭୁକି ଆପେ ଆପେ ମରିଯିବ । କାହାରି କଥା ସେ ମାନି ନାହିଁ । କାହାରି କଥା ଶୁଣି ନାହିଁ । କାହାରି ମୁହଁ ରଖି ନାହିଁ ।

 

ସିଏ ଆମର ନୁହେଁ ଓ ଆମ ସମାଜର ନୁହେଁ ।

 

ତେଣୁ ମୁଁ ମୋର କରଣ ସମାଜରୁ ଏକଘରିଆ ହୋଇ ରହି-ଯାଇଛି । ବହୁତ ବର୍ଷ ହେଇଗଲାଣି । ମରି ନାହିଁ ।

 

ସଂସାରର ବଡ଼ ବିପଦ ହେଉଛିଏକଘରିଆ ହେବା । ଗୋଟାଏ ବାଳରେ ମୁଣ୍ଡ ବାନ୍ଧି ହୁଏ ନାହିଁ । ଜଣିକିଆ ହେଲେ ଚଳି ହୁଏ ନାହିଁ ।

 

ଏଇ ଜୀବନର ଅଠଷଠୀ ବର୍ଷ କଟିଗଲା । ଏହା ଭିତରେ ଯେତେ ଅନୁଭୂତି ଆସିଛି ସବୁଗୁଡ଼ିକ ଏକୁଟିଆ ବାଆରା ହେବାପାଇଁ ପ୍ରେରଣା ଦେଉଛି ।

 

ହିନ୍ଦୁଧର୍ମର ସଂସ୍କାରକ ରାଜା ରାମମୋହନ ରାୟ ଓ ଗୀତା ଜ୍ଞାନେଶ୍ୱରୀ ଲେଖକଙ୍କର ପିତା ମଧ୍ୟ ଏକଘରିଆ ହେଇଥିଲେ ।

 

ଯୋଗ୍ୟତା ସାଙ୍ଗରେ ଏହି ଅବସ୍ଥାର କିଛି ସମ୍ବନ୍ଧ ନାହିଁ ।

 

କୌଣସି ବଡ଼ପଦାର୍ଥକୁ ନଷ୍ଟ କରାଯାଇ ପାରିବ ନାହିଁ । ତେବେ ଛୋଟିଆ ପଦାର୍ଥ ବଡ଼ପଦାର୍ଥକୁ ଢାଙ୍କିଦେବା ପାଇଁ ସମର୍ଥ । ଏମିତିରେ ଆକାଶରେ ସୂର୍ଯ୍ୟ ଢାଙ୍କି ହୋଇଯାନ୍ତି । ଚନ୍ଦ୍ର ଓ ତାରା ଲୁଚି ଯାଇପାରନ୍ତି କଳା ବଉଦର ପରଦା ଭିତରେ ।

 

ସଂସାରରେ ସେମିତି ମଣିଷ ଲୁଚିଯାଏ । ପାଟକ ହଟିଯାଏ । ଜାତି ବି ମ୍ଳାନ ହୋଇଯାଏ । ସଭ୍ୟତା ପାଶୋର ଯାଏ । ଠାକୁର ବି ହଜିଯାନ୍ତି । ତାଙ୍କର ଆରାଧନା ମନ୍ତ୍ର ବି ଲୋପ ପାଏ ।

 

ବେଦ ପୂର୍ବରୁ ଆମର ଠାକୁରଥିଲେ ଆକାଶ ଓ ପୃଥିବୀର ଦେବତା । ଶୂନ୍ୟ ଆକାଶର ଦେବତା ହେଲେ ଇନ୍ଦ୍ର । ତତଲା ପୃଥିବୀର କେନ୍ଦ୍ରବିନ୍ଦୁ ଉତ୍ତାପର ଦେବତା ହେଲେ ଅଗ୍ନି । ଆଉ ବିସ୍ତୀର୍ଣ୍ଣ ଜଳଭାଗର ଦେବତା ହେଲେ ବରୁଣ ।

 

ଏଇ ଇନ୍ଦ୍ର, ଅଗ୍ନି ଓ ବରୁଣ କାଳକ୍ରମେ ନିଷ୍ପ୍ରଭ ହୋଇଗଲେ । ବଦଳରେ ଆସିଲେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ।

 

ସେମିତି କିଛି ନା କିଛି କାରଣରୁ ଶ୍ରୀମଦ ଭାଗବତ୍‌ ଗୀତାର ଚାରିବର୍ଣ୍ଣବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୁଦ୍ର ଭିତରେ ସୃଷ୍ଟି ହେଲେ ପାଟକଡାକ୍ତରଖାନାର ସର୍ଜରୀ ଓ ମେଡ଼ିସିନ ବିଭାଗର ଅସଂଖ୍ୟ ବିଶେଷଜ୍ଞଙ୍କ ପରି ।

 

ଏଥି ଭିତରେ କରଣ ପାଟକ ବା କାୟସ୍ଥ ଗୋଷ୍ଠୀ ଗୋଟିଏ । ସାରା ଭାରତରେ କାଶ୍ମୀରରୁ କେପ୍‌ କାମୋରିନ ଯାଏ ଏମାନେ ଅଳ୍ପ ସଂଖ୍ୟାରେ ଅର୍ଥାତ୍‌ ତିନିଶହ ଲୋକରେ ଗୋଟିଏ ବୋଲି ଗଣାହୋଇ ତାଙ୍କର ବଂଶ ବିସ୍ତାର କରି ରହିଛନ୍ତି ।

 

ଓଡ଼ିଶାର କରଣ ସମାଜ ଏଇ ଗୋଷ୍ଠୀର ଲୋକ । ଏମାନଙ୍କର ଗୁଣଦୋଷ ମଧ୍ୟ ସମାନ । ବିଶେଷ ଗୁଣ ହେଲା ଯେ ତାଙ୍କର ସ୍ୱାର୍ଥପାଖରେ ବିବେକ ହାର ମାନିଥାଏ ।

 

ଇଏ ମଧ୍ୟ ଈଶ୍ୱରଙ୍କର ଭିଆଣ । କାହାକୁ ବଳବାନ ବିବେକ ଦେଇଥାନ୍ତି । ସେଥିପାଇଁ ସେ ନିଜର ସ୍ୱାର୍ଥକୁ ବଡ଼ ନଭାବି ନିଜର ମଣିଷ ପଦବୀକୁ ବଡ଼ ବୋଲି ଭାବି ପାରୁଥାଏ । ଆଉ ଯେଉଁମାନଙ୍କର ବିବେକ ଦୁର୍ବଳ ସେହିମାନେ ନିଜର ସ୍ୱାର୍ଥକୁ ନିଜର ମଣିଷପଣିଆକୁ ବଡ଼ ବୋଲି ଭାବନ୍ତି ।

 

କରଣ କହିଲେ ମୁଁ ଏତିକି ବୁଝିଥାଏ । କାରଣ ଭାବଧାରା କହିଲେ ମୋର ମନେହୁଏ ଯେଉଁମାନେ ନିଜର ବଢ଼ତି ପାଇଁ ସବୁ ଧର୍ମ କର୍ମ ଆଚାର ବ୍ୟବହାରକୁ ଆଖିପିଛୁଳାକେ ବିସର୍ଜନ ଦେଇପାରନ୍ତି ସେହିମାନେ ଏହି ଭାବଧାରାର ଉପାସକ ।

 

ତେଣୁ ଧୋକାବାଜି ଏମାନଙ୍କର ପ୍ରଧାନ ହତିଆର । ଇଏ ଦୋଷ ନୁହେଁଗୋଟିଏ ଗୁଣ ବୋଲି ଧରା ଯାଇପାରେ ।

 

ଭାରତର ରାଜଧାନୀ ଦିଲ୍ଲୀ ସହରର ଚାରିପାଖରେ ଶହେ ମାଇଲ ବା ଦେଢ଼ଶହ କିଲୋମିଟରରେ ଗୋଟିଏ ବୃତ୍ତ ଟାଣିଲେ ସେଠି ଏଇ କରଣ ଭାବଧାରାକୁ ପ୍ରକୃତରେ ବୁଝିହେବ ।

 

ଆାକାଶର ଅଗ୍ନିଗୋଲକ ସୂର୍ଯ୍ୟଙ୍କ କଥା ବହିରୁ ପଢ଼ି ବୁଝିବା ଆଉ ନିଦାଘ ଖରାରେ ଗ୍ରୀଷ୍ମବହୁଳ ସ୍ଥାନରେ ଠିଆ ହୋଇ ବୁଝିବା ମଧ୍ୟରେ ବହୁତ ପ୍ରଭେଦ ରହିଛି ।

 

ମନେ ରହିବା ଉଚିତ ଯେ ବଙ୍ଗଳାର ଘୋଷ, ବୋଷ ଅବା ବିହାରର ସିନ୍‌ହା, ସହାୟ ଅବା ଓଡ଼ିଶାର କାନଗୋଇ, ମହାନ୍ତି ପଟ୍ଟନାୟକଙ୍କୁ ବୁଝି ଧୋକାବାଜି କ’ଣ ଭଲ ବୁଝି ହୁଏ ନାହିଁ ।

 

ଏହାକୁ ବୁଝିବାପାଇଁ ଉତ୍ତର ଭାରତର ଶ୍ରୀବାସ୍ତବ, ନିଗମ, ଆସ୍ତାନା ଓ ଦକ୍ଷିଣ ଭାରତର ମେନନ, ପିଲେ, ମନ୍ଦାନା ଆଦିଙ୍କୁ ଭଲ କରି ଠଉରେଇବାକୁ ପଡ଼ିବ । ସେମାନଙ୍କର, ଏଇ ଗୁଣଟି ଏତେ ପ୍ରଖର ଓ ଶୃଙ୍ଖଳିତ ଯେ ଏମାନଙ୍କ ପାଖରେ ଓଡ଼ିଶାର କରଣମାନେ ତାରା ଆଗରେ ଜୁଳୁଜୁଳିଆ ପୋକ ।

 

ଏହିପରି ଗୋଟିଏ କରଣ ସମାଜର କଥା ।

 

ଏଇ କରଣ ସମାଜଟି ସାରା ଭାରତରେ ବୁଦ୍ଧିରେ ଚଳେ । ଏହା ବହି ପଢ଼ା ବୁଦ୍ଧି ନୁହେଁ–ନିଜର ଜାତିଗତ ସଂସ୍କାରର ବୁଦ୍ଧି । ପୁଲିସ୍‍ର ଚୋରଧରା କୁକୁରର ବୁଦ୍ଧି ପରି । ଏଇ ହେଉଛି ଉପସ୍ଥିତ ବୁଦ୍ଧି ।

 

ଓଡ଼ିଶାର ଏଇ ବୁଦ୍ଧିର ଉଜ୍ଜ୍ୱଳ ଆଲୋକ ଦେଖିବାକୁ ଚାହିଁଲେ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ବିନୋଦ କାନୁନଗୋଙ୍କୁ ଦେଖିବାକୁ ପଡ଼ିବ । ସେମିତି ଧୋତି ଚାଦରକୁ ଦେଖି ତାଙ୍କୁ ମନ୍ତ୍ରୀ ନିତ୍ୟାନନ୍ଦ ମହାପାତ୍ରଙ୍କ ସହିତ ତୁଳନା କଲେ ଉପସ୍ଥିତ ବୁଦ୍ଧି ବା ସଂସ୍କାରଗତ ପ୍ରଜ୍ଞାକୁ ଜାଣି ହେବ-

 

ଭାରତର ପ୍ରତିରକ୍ଷା ମନ୍ତ୍ରୀ ମିଷ୍ଟର ମେନନ୍‌ ନ୍ୟୁୟର୍କ ଯାଇଥାନ୍ତି । ପଣ୍ଡିତ ଜବାହାରଲାଲ ଓ ମିଷ୍ଟର ମେନନ୍‌ ଚାଷଆଡ଼କୁ ଢଳୁଥିବାର ଅଭିଯୋଗ ତୁହାଇ ତୁହାଇ ଚାଲିଥାଏ । ଅସ୍ତ୍ର ବଳରେ ନ୍ୟୁନ ଭାରତବର୍ଷ ମଝି ବାଡ଼ ଉପରେ ଏଣ୍ଡୁଅ ପରି ନଛୋଡ଼ବନ୍ଧା ହୋଇ ରହିବା ଉଚିତ ବୋଲି ଅନେକ ବୁଦ୍ଧିଆ କହୁଥାନ୍ତି ।

 

ନ୍ୟୁୟର୍କରେ ମିଷ୍ଟର ମେନନ୍‍ଙ୍କୁ ଟେଲିଭିଜନରେ ସାକ୍ଷାତକାର ମଗାହୋଇଥିଲା ଯେ ଭାରତର ପ୍ରତିରକ୍ଷାମନ୍ତ୍ରୀଙ୍କର ଚାଷର ସପକ୍ଷ ବିପକ୍ଷ ମତ ଆମେରିକାବାସୀ ଜାଣିବେ । ଏଇ ସାକ୍ଷାତକାର ଆମେରିକାର ସମକାଳୀନ ବିଶିଷ୍ଟ ରାଜନୀତିଜ୍ଞ ଜଣେ କରାଉଥାନ୍ତି ।

 

ଟେଲିଭିଜନରେ ସେ ମିଷ୍ଟର ମେନନ୍‍ଙ୍କର ପରିଚୟ ଦେଲେ ଯେ ସେ କେରଳର ଦରିଦ୍ର ଗୁହାଳଘରୁ ଉଠି ୟୁରୋପୀୟ ମହିଳାଙ୍କର ସଦିଚ୍ଛା ଓ ସହଯୋଗରେ ଭାରତର ଶୀର୍ଷରେ ଓ ନିଖିଳ ବିଶ୍ୱର ଜଣେ ଚିନ୍ତାନାୟକଙ୍କର ସ୍ଥାନ ନେଇ ପାରିଛନ୍ତି । ନିଜର ଯୋଗ୍ୟତା ବଳରେ ସେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଗୌଣ କରି ପାରିଛନ୍ତି । ...ଆଚ୍ଛା କହିଲ, ତୁମେ କ’ଣ ଜଣେ କମ୍ୟୁନିଷ୍ଟ ?

 

ଏହାର ଉତ୍ତର ମିଳିବା କଥା ।

 

କିନ୍ତୁ ମିଷ୍ଟର ମେନନ୍‌ ଚୁପ୍‌ ରହିଲେ । ଟିକକ ପରେ କହିଲେ ତୁମର ଏଇ ସଦିଚ୍ଛାର ଉତ୍ତର ମୁଁ ଦେବାକୁ ବାଧ୍ୟ ।

 

ସେଇଠୁ ମିଷ୍ଟର ମେନନ୍‌ ତାଙ୍କର ପରିଚୟଦାତାଙ୍କର ବିଶେଷ ଯୋଗ୍ୟତା ଜଣାଇ ଚାଲିଲେ । ସେ କିପରି ରାସ୍ତାର ଫୁଟପାଥ୍‍ରୁ ଉଠି ଖବରକାଗଜ ବିକି, ବୋଲହାକ କରି ଦେଶର ଶୀର୍ଷସ୍ଥାନକୁ ଯାଇଛନ୍ତି । ଏପରି କି ଯୁକ୍ତରାଷ୍ଟ୍ରର ପ୍ରେସିଡେଣ୍ଟଙ୍କଠାରୁ ଅଧିକ ଟଙ୍କା ପାଉଛନ୍ତି ।

 

ସେତେବେଳକୁ ଉପସ୍ଥିତ ଲୋକେ ବଡ଼ ବ୍ୟସ୍ତ ବିବ୍ରତ ହେଇଗଲେଣି । କଥାଟା କୁଆଡ଼କୁ ଯାଉଛି କେଜାଣି ?

 

ମିଷ୍ଟର ମେନନ୍‌ ତାଙ୍କର ପ୍ରତିପକ୍ଷକୁ ଅପଲକ ଆଖିରେ ଚାହିଁ ପଚାରିଲେଆଚ୍ଛା କୁହନି ତୁମେ କ’ଣ ଗୋଟିଏ ବେଧୁଆବାଷ୍ଟାର୍ଡ଼ ?

 

ସେତିକିରେ ଟେଲିଭିଜନ ସାକ୍ଷାତକାର ଶେଷ ହେଲା । ମିଷ୍ଟର ମେନନ୍‌ ଚିରଦିନ ପାଇଁ ଗୋଟିଏ ପ୍ରବାଦ ଓ ପ୍ରବଚନ ହେଇଗଲେ ।

 

ଏହାକୁ କୁହାଯାଏ ବୁଦ୍ଧିସଂସ୍କାରଗତ ବୁଦ୍ଧି ।

 

ସେହିପରି ଗୋଟିଏ ଘଟଣା ଘଟିଥିଲା କଟକର ରେଭେନ୍‌ସା କଲେଜରେ ।

 

ବିଲାତ ଫେରନ୍ତା ଗଣିତଜ୍ଞ ଅଧ୍ୟାପକ ପି.ଏନ୍‌.ଦେ ବ୍ଳାକବୋର୍ଡ଼ ଉପରେ ଗଣିତ ଲେଖୁଥାନ୍ତି । ଆଧ୍ୟାପକ ଦେ ବ୍ଲାକବୋର୍ଡ଼ରେ ଚକ୍‍ ଖଣ୍ଡେ ଧରି ଅତ୍ୟନ୍ତ କ୍ଷିପ୍ରଗତିରେ ଲେଖି ଚାଲନ୍ତି-। ଲୋକେ କହନ୍ତି ଯେ ସେ କାଲ ହେଇଥିବାରୁ ହାତରେ ଏଇ ଅସାଧାରଣ କ୍ଷିପ୍ରତାର ଅଧିକାରୀ-

 

କ୍ଳାସକୁ ଚାହିଁ ପଚାରିଲେକିଛି ପଚାରିବ ?

 

ଓଡ଼ିଶାର ପରବର୍ତ୍ତୀ ଚିଫ୍‌ ସେକ୍ରେଟେରୀ ଶ୍ରୀ ରତ୍ନାକର ଷଡ଼ଙ୍ଗୀ ଠିଆ ହୋଇ କହିଲେ ଯେ ନାକକୁ ସିଧା ନ ଦେଖାଇ ମୁଣ୍ଡ ପଛଆଡ଼ୁ ହାତ ବୁଲାଇ ଦେଖାଇଲା ପରି ହେଲା ।

 

କ’ଣ ? ତୁମେ ସିଧା ଦେଖାଇ ପାରିବ ?

 

ହଁ ।

 

ତାହାହେଲେ ଖାତାରେ କରି ଦିଅ ।

 

ରତ୍ନାକର ବାବୁଙ୍କର କାମ ଅଳ୍ପ ସମୟରେ ସରିଗଲା । ସେ ଖାତା ବଢ଼ାଇଦେଲେ ଅଧ୍ୟାପକଙ୍କ ହାତକୁ ।

 

ଖାତାକୁ ଓଲଟାଇ ଦେଇ ଅଧ୍ୟାପକ ଦେ ବ୍ଳାକବୋର୍ଡ଼ ଲିଭାଇ ଦେଇ ପୁଣି ସେମିତି ତାଙ୍କର ସ୍ୱାଭାବିକ କ୍ଷିପ୍ରତାରେ ସେଇ ସମାଧାନ ଲେଖି ଚାଲିଲେ ।

 

ଶେଷ ହେବାପରେ ରତ୍ନାକର ବାବୁଙ୍କର ଖାତାକୁ ପରୀକ୍ଷାକରି ଦେଖି କ୍ଳାସକୁ କହିଲେ–ରତ୍ନାକର ଠିକ୍‌ କରିଥିଲେ । ମୁଁ ବୁଲାଣି ବାଟରେ ଯାଇଥିଲି......ବୁଝିବ ଯେ ୟା’କୁ କୁହାଯାଏ ବୁଦ୍ଧିଇଣ୍ଟେଲିଜେନ୍‌ସ ।

 

ଏଇ ବୁଦ୍ଧି କାହାର ଏକଚାଟିଆ ନୁହେଁ । ଅଧ୍ୟାପକ ଦେ ଓ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଉଭୟେ ତୁଳନୀୟ ।

 

ଏମିତି ବୁଦ୍ଧି ଥିଲା ଡାକ୍ତର ବିଧାନଚନ୍ଦ୍ର ରାୟଙ୍କର । ସେ ସବୁବେଳେ ବିଭିନ୍ନ ଆସେମ୍ୱଲିର ମୁଖିଆ ଲୋକଙ୍କର ଦିଲ୍ଲୀ ଦରବାର ଯିବାଟାକୁ ଆପତ୍ତି କରୁଥିଲେ ।

 

ଓହେ, ୟାତ ଦିଲ୍ଲୀ ଯାଅ କେନ ? ଅସୁବିଧେ ହବେ ।

 

ସେଇ ଉପଦେଶ ବଙ୍ଗଳା ଓ ଆସାମ ମାନୁଥିଲେ । ତେଣୁ ନିଜର ଅଞ୍ଚଳରେ ସେମାନେ ତାଙ୍କର ପ୍ରଭାବ ଅତୁଟ ରଖିପାରୁଥିଲେ ।

 

କିନ୍ତୁ ଓଡ଼ିଶା ସେତେବେଳେ ଧୋକାବାଜମାନଙ୍କର ଅକତିଆରକୁ ଆସିଯାଇଥିବାରୁ, ଦିଲ୍ଲୀ ଦରବାର ଆବଶ୍ୟକ ପଡ଼ୁଥିଲା । କାରଣ ଧୋକାବାଜି ଅର୍ଥ ଚୁଗୁଲି ବା ଚରିତ୍ର ସଂହାର । ଏଇ କାମଟି କରିବା ପାଇଁ ଆଉଜଣଙ୍କୁ ଖାଉନ୍ଦ ବନେଇବା ଦରକାର । ସେଥିପାଇଁ ଦିଲ୍ଲୀ ଯାତ୍ରା ଚାଲିଛି । ଆଉ ଅଧିକରୁ ଅଧିକ ଓଡ଼ିଆ କୟସ୍ଥ ଓ କାୟସ୍ଥ-ଧର୍ମୀ ଲୋକ ଦିଲ୍ଲୀକୁ ଯାଉଛନ୍ତି ଓ ସୁବିଧା ଅସୁବିଧା ବେଳରେ ଓଲା ବନୁଛନ୍ତି ।

 

କାୟସ୍ଥମାନଙ୍କର ବିଶେଷ ଯୋଗ୍ୟତା ଓ ଦକ୍ଷତା ଭିତରେ ଗୋଟିଏ ହେଲା ପ୍ରତିପକ୍ଷର ଚରିତ୍ର-ସଂହାର । ଏଇ ଅସ୍ତ୍ରଦ୍ୱାରା ସେମାନେ ନିଜକୁ ଅପରଠାରୁ ବଡ଼ କରି ନିଜେ ଫଳ ଫସଲର ଅଧିକାରୀ ହୋଇଥାନ୍ତି ।

 

ଏଇଟା ହେଲା କାୟସ୍ଥ-ଧର୍ମ । ଚରିତ୍ର-ସଂହାର ଗୁଣ ଅନ୍ୟମାନଙ୍କର ଅଳ୍ପ । କାରଣ ସେମାନଙ୍କର ବିବେକ ଅଧିକ ସ୍ୱାର୍ଥହୀନ । କିନ୍ତୁ ଏଇ ନିସ୍ୱାର୍ଥପରତା ଗୁଣ କରଣ ବା କାୟସ୍ଥମାନଙ୍କର ଅତି କମ୍‌ ।

 

ଈଶ୍ୱର ଦୋଷ ଦେଇଥିଲେ ଗୁଣ ମଧ୍ୟ ଦେଇଥାନ୍ତି । ଧର୍ମଶାସ୍ତ୍ର କହେ ଯେ ଲୁହାଖଣ୍ଡିକରେ ଯେମିତି ଠାକୁରଙ୍କର ପ୍ରତିମା ଗଢ଼ା ଯାଇପାରେ ସେମିତି କଂସେଇ ଛୁରୀ ମଧ୍ୟ ତିଆରି ହୋଇପାରେ ।

 

କରଣମାନଙ୍କର ଏଇ ଚରିତ୍ର ସଂହାର ପ୍ରବୃତ୍ତି ସେମାନଙ୍କର ଲୋଭ, ସ୍ୱାର୍ଥପରତା ଓ ପରଦ୍ରବ୍ୟ ଲୋଭକୁ ବଢ଼ାଇଥାଏ । ନିଜ ପାଇଁ ସେମାନେ ପୁଅ ଓ ମାଇପକୁ ମଧ୍ୟ ମାରିଦେଇ ପାରନ୍ତି ।

 

ଏମିତି ଘଟିଥିଲା ଜଣେ ପ୍ରତିଷ୍ଠିତ କରଣ ପୁଲିସ ଅଧିକାରୀଙ୍କ ଘରେ । ସେତେବେଳେ ବ୍ରିଟିଶ ସରକାରଙ୍କର ମୂଳୋତ୍ପାଟନ ପାଇଁ ଆନ୍ଦୋଳନ ଚାଲିଥାଏ । ସେଥିରେ ବହୁତ ଯୁବକ ଯୋଗ ଦେଇଥାନ୍ତି । ଧରପଗଡ଼ ଚାଲିଥାଏ । ଏହି କ୍ରାନ୍ତିକାରୀ ଦଳରେ ଥିଲେ ଜଣେ କରଣ ଯୁବକ-। ତାଙ୍କର ପିତା ବ୍ରିଟିଶମାନଙ୍କର ଜଣେ ବିଶ୍ୱାସଭାଜନ ଅଧିକାରୀ ଅଫିସର ।

 

ଆନ୍ଦୋଳନ ଉଛୁଳୁ ଥାଏ । କିନ୍ତୁ କେନ୍ଦ୍ରବିନ୍ଦୁ ଧରାପଡ଼ୁ ନଥାଏ ।

 

କରଣ ଅଧିକାରୀ ନିଜକୁ ଶପଥ ଦେଇ ନିଜର ଯୋଗ୍ୟ ଚିରବନ୍ଦନୀୟ ପୁଅଠାରୁ ତଥ୍ୟ ସଂଗ୍ରହ କରି ଯୋଗାଇଦେଲେ । କେତେକ ନେତା ଧରାପଡ଼ିଲେ ।

 

ସେତେବେଳେ ଜଣାପଡ଼ିଲା ଯେ କରଣ ଯୁବକର ବାପା ସେଥିପାଇଁ ଦାୟୀ । ପୁଅ ଆତ୍ମହତ୍ୟା କରିଦେଲେ କଲିକତା ମହାନଗରୀରେ ।

 

ଚାରିଆଡ଼େ ପ୍ରବାଦ ଖେଳିଗଲା ଯେ କରଣମାନେ ଅତିମାତ୍ରାରେ ଧୋକାବାଜ । ନିଜର ଉନ୍ନତି ଓ ପଦପଦବୀ ପାଇଁ ସେମାନେ କୌଣସି ପ୍ରିୟଜନକୁ ବଳି ଦେଇପାରନ୍ତି ।

 

ଯେତେବେଳେ ସେଇ ଆତ୍ମହତ୍ୟା କରି ଛୁଟି ନେଇଥିବା ଯୁବକଙ୍କର ସାନଭାଇ ସେତେବେଳର ସମ୍ୱାଦପତ୍ର ସମାଜ ଅଫିସକୁ ଚାଲି ଆସନ୍ତି ସେତେବେଳେ ଭାରପ୍ରାପ୍ତ ଅଫିସର ଆଜିର ସଂପାଦକ ଡକ୍ଟର ରାଧାନାଥ ରଥ ନିମିଚଉଡ଼ି ଅଫିସରେ ସମସ୍ତ କାଗଜପତ୍ର ଲୁଚାଇବାକୁ ଚେଷ୍ଟା କରନ୍ତି ।

 

ରାଧାନାଥ ବାବୁ ସମସ୍ତଙ୍କୁ ସତର୍କ କରି କହନ୍ତି ଯେ ଏଇ ବାବୁଙ୍କୁ ବିଶେଷ ସାବଧାନ ରହୁଥିବ । କ’ଣ ସେ ଦେଖିଦେବେ ଓ କେତେ ଅଳ୍ପ ଦେଖି କେତେ ବେଶି ବୁଝିନେବେ ଆଉ ସେଥିରୁ ସେ କ’ଣ କେତେ ବଡ଼ ଭିଆଇ ଦେବେ ଭାବି ହୁଏ ନାହିଁ ।

 

ଇଏ ଥିଲା କରଣ ସମାଜର ଦୋଷର ତାଲିକାଏଇ ଓଡ଼ିଶାରେ ଆଜିକୁ ଦୁଇକୋଡ଼ି ବର୍ଷରୁ ଅଧିକ ବର୍ଷ ତଳେ ।

 

ଆଜି ମଧ୍ୟ ସମାଜ କାଗଜ ଅଛି । ରାଧାନାଥ ବାବୁ ସେଇଠି ଅଛନ୍ତି ।

 

ଏହାର କିଛିଦିନ ପୂର୍ବରୁ ତିରିଶି ମସିହା ସ୍ୱାଧୀନତା ଆନ୍ଦୋଳନ ବେଳେ କଟକ ସହରର ପୁଲିସ ସାହେବଙ୍କୁ ଆନ୍ଦୋଳନକୁ ବିପର୍ଯ୍ୟସ୍ତ କରାଇ ଦେବାର ହୁକୁମ ଆସିଲା ।

 

ସେ ମଧ୍ୟ ସେଇ କରଣ ଅଫିସର ।

 

ସେ ଦେଖିଲେ ଯେ କଟକରେ ଦୁଇ ଚାରିଶହ ଚାଳଘରକୁ ଗୋଟାଏ ନାମକା ବାସ୍ତେ କୋଠା । ତେଣୁ ଲୋକଙ୍କର ଭିଟାମାଟି ଉଚ୍ଛନ୍ନ ହୋଇଗଲେ ଆନ୍ଦୋଳନ ଛିନଛତ୍ର ହୋଇଯିବ ।

 

ସେଇଆ ମଧ୍ୟ କାର୍ଯ୍ୟକାରୀ ହେଲା ।

 

କାରଣ ଧନୀ ଲୋକ ଓ ଥିଲାବାଲା ସବୁବେଳେ ସବୁ ଦେଶରେ ଆନ୍ଦୋଳନ କରିଥାଏ-। ଗରିବ ଲୋକ ତାହାର ପେଟ ଚାଖଣ୍ଡକ ପୋଷିବାରେ ସକାଳୁ ସଞ୍ଜଯାଏ ଖଟୁଥାଏ ।

 

ସନ୍ଧ୍ୟା ଆସେ ।

 

ନିଦ ଆସେ ।

 

କାଠ କବାଟ ନାହିଁ ଅନେକ ଘରେ । କୁଡ଼ିଆରେ ଥାଏ ତାଳପତ୍ର ବା ବରଡ଼ା ପତ୍ରର ଯାଉଁଳି ତାଟି କବାଟ ।

 

କାଠ କବାଟ ଡାହାଣ ଓ ବାଁ ଦୁଇଫାଳିଆ ହୋଇ ମୁଣ୍ଡେ ଉଚ୍ଚ । ତାଟି କବାଟ ଉପର ଓ ତଳ ହୋଇ ଅଣ୍ଟାଏ ଉଚ୍ଚ । ଦିନ ହେଲେ ବାଉଁଶ ଢିରା ଦେଇ ଉପର ଅଧିକ ଟେକି ରଖା ହୁଏ । ତଳ ପାଖଟାକୁ ଡେରି ରଖିବାକୁ ହୁଏ ।

 

ଘର ଭିତର ଅନ୍ଧାର । କାରଣ କିରୋସିନିର ବିଶେଷ ପ୍ରଚାର ନ ଥାଏ । ପୋଲାଙ୍ଗ ଓ କରଞ୍ଜ ତେଲର ଦୀପ ଅବା କିରୋସିନି ଡିବିରି ଘରର ଆଲୁଅ । ସିଏ ବା ଦରକାର କ’ଣ ?

 

ରାତି ହେଲେ ତ ଶୋଇବାକୁ ହେବ । ପଢ଼ାପଢ଼ି ଅବା ଅନ୍ୟ ଧନ୍ଦା ନାହିଁ । ଆଲୁଅ ହେଉଛି ଗିରସ୍ତ ଆଖିରେ ଭାରିଯାର ଦେହ ଓ ଭାରିଯା ଆଖିରେ ଗିରସ୍ତର ଦେହ ।

 

ଚାରିଆଡ଼ର ଅନ୍ଧାର ନିଶୂନ ବାତାବରଣ ଭିତରେ ଚାଳଘରେ ନିଆଁ ଲାଗେସିଏ ପୁଣି ଶୀତଦିନରେ । କାରଣ ଆନ୍ଦୋଳନ ଆରମ୍ଭ ହୋଇଥିଲା ମାଘ ମାସରେ ।

 

ଖରାଦିନରେ ଲୋକ ଗ୍ରୀଷ୍ମ ପାଇଁ ପଦାରେ ବୁଲନ୍ତି । ରାତିରେ ମେଲେରିଆ ମଶାଙ୍କର ଉତ୍ପାତ ପାଇଁ ଚିଆଁ ପତଳା ନିଦ ଶୁଅନ୍ତି । ତେଣୁ ଘର ପୋଡ଼ିଯିବା ସଂଗଠନ ହୁଏ ଭାଦ୍ରମାସରୁ ମାର୍ଗଶିର ମାସଯାଏ ।

 

ତିରିଶି ମସିହାର ବର୍ଷକ ଆଗରୁ କଟକରେ ଘରପୋଡ଼ି ଆରମ୍ଭ ହୋଇଗଲା ।

 

ଆମର ଥାଏ କଟକର ମଝି ବା ତଳ ତେଲଙ୍ଗା ବଜାରରେ ରାସ୍ତାକୁ ତିନିବଖରା ଚାଳଘର ଓ ଦୁଇବଖରା ଅନ୍ଦାଜର ବଖୁରିଏ କୋଠା । ବାପା ରହୁଥାନ୍ତି ବିହାରର ଭାଗଲପୁରରେ ।

 

ଆମେ ଏଠି ମାଆ ଓ ପିଲା ଛ’ଜଣ । ମୁଁ ହେଉଛି ବଡ଼ । ମୋର ବୟସ ବାର । ପାଠପଢ଼ା କଲିଜିଏଟ୍‌ ସ୍କୁଲର ଅଷ୍ଟମ ଶ୍ରେଣୀଏବେ ଯେଉଁଟି ସପ୍ତମ ବା ମାଇନର ଶେଷ ବର୍ଷ ।

 

ଆମକୁ ନିରାପତ୍ତା ଦେବାକୁ ହେଲେ ଘର ଟିଣ ହେବା ଦରକାର । ତାହାଛଡ଼ା ଅନ୍ୟ କିଛି ପ୍ରସ୍ତାବ ସୁବିଧାଜନକ ହେଲା ନାହିଁ । ଚାକିରି ଦରମା ଛଡ଼ା ଆମର ଆଉ କିଛି ସଂଗତି ନ ଥାଏ ।

 

ଖାଉ ଡାଲି ଭାତ ଓ ଛୋଟ ଗୋଲ ଆଳୁ ଝୋଳ । କେଉଁଦିନ ତେନ୍ତୁଳି ପାଣି ଦିଆ ଝୋଳ ଓ କେଉଁଦିନ ସାଧାକୁହାଯାଏ ଆଳୁଦମ୍‌ ।

 

ଏମିତି ଖାଇ, ଖଣ୍ଡେ ଖଣ୍ଡେ ହାଫ୍‌ପ୍ୟାଣ୍ଟ ଓ କମିଜ ପିନ୍ଧି ଖାଲି ଗୋଡ଼ରେ ନିଜକୁ ନିଜେ ମୁରବି ସାଜି ଆମେ ଚଳୁଥାଉ । ଗରିବ ଲୋକଏହାଠାରୁ ଅଧିକା ସ୍ଥିତି ନ ଥାଏ ।

 

ଗରିବରେ ବଡ଼ଲୋକ ମଧ୍ୟ ସୁମାରି ହୁଅନ୍ତି । ଆମର ଗୋଟିଏ ଟିଣଘର ଓ ବଖୁରିଏ କୋଠାଘର ଥିବାରୁ ଆମେ ଆମର କଟକ ତଳ ତେଲଙ୍ଗା ବଜାର ସାହିରେ ଜଣେ ଥିଲାବାଲା ।

 

ବାପାଙ୍କର ଥାଏ ଗୋଟିଏ ଦୁଇହଜାର ଟଙ୍କାର ଜୀବନ ବୀମା ଓ ଡାକ ଘରେ ଟଙ୍କା ଶହେ ପାଞ୍ଚପାଆ ।

 

ଏହିପରି ଗରିବ ଘରେ ଚଉତିରିଶି ମସିହାରେ ଗୋଟିଏ ଭଉଣୀ ତେଲଙ୍ଗା ବଜାରର କୋଠା ଘରେ ଜନ୍ମ ହେଲା ।

 

ତାହାର ନାମ ଶ୍ରୀମତୀ ପୂଣ୍ୟପ୍ରଭା ଓ ଡାକ ନାଁ ହେମ । ଶେଷକୁ ସେଇ ହେଲା ଜଣେ ଏମ୍‌.ଏ. ପାସ୍‌ ଶିକ୍ଷିତା ତରୁଣୀ ବାହା ହୋଇ ଶାଶୁଘର ଧନ ଓ ପଦମର୍ଯ୍ୟାଦା ବଳରେ ଜଣେ ଧନଗର୍ବୀ ମହିଳା । ଏହାକୁ କଟକର ମାନ୍ୟବର ଶ୍ରୀଯୁକ୍ତ ଶାରଦା ପ୍ରସାଦ ନନ୍ଦ କହୁଛନ୍ତି ଇଂରାଜୀରେ ସୋଫିଷ୍ଟିକେଟେଡ୍‌ ।

 

ଓଡ଼ିଆ ସମାଜରେ ଓ ଏଇ ବସ୍ତି ଓ ଗଳି ଭରା ପୁରୁଣା ସହର କଟକରେ ଜଣେ ଆଉ ଜଣକୁ ବୁଝିବାକୁ ବା ବୁଝାଇବାକୁ ଏଇ ସବୁ କଷ୍ଟମଷ୍ଟିଆ ଇଂରାଜୀ ଶବ୍ଦ ବ୍ୟବହାର କାହିଁକି କରାହେଉଛି କେହି ବୁଝି ପାରୁନାହାନ୍ତି ।

 

କେନ୍ଦ୍ରାପଡ଼ାର ପୂର୍ବତନ ଆସେମ୍ବଲି ସଭ୍ୟ ଶ୍ରୀ ଧ୍ରୁବ ଚରଣ ସାହୁ ଓ ତିର୍ତୋଲର ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ମହାନ୍ତି ଇଂରାଜୀ ଶବ୍ଦ ବା ତାହାର ଅପଭ୍ରଷ୍ଟ ରୂପକୁ ଧରି ନିଜେ କଥା ବୁଝାନ୍ତି ନାହିଁ । ସେଇପରି ଥିଲେ କବିଚନ୍ଦ୍ର କାଳିଚରଣ ।

 

ଖାଲି କଥା ନୁହେଁ ଯେ କଥାର ଠାଣି ଓ ଚିତ୍ରକଳ୍ପ ସବୁ ସେମାନଙ୍କର ଓଡ଼ିଆ ।

 

କିନ୍ତୁ ଓଡ଼ିଶାର ତୁଙ୍ଗ ଓଡ଼ିଆ ସାମ୍ୱାଦିକ ମଫସଲ ଅଞ୍ଚଳର ଲୋକ ହୋଇ ମଧ୍ୟ ମାନନୀୟ ଶାରଦାବାବୁ ଏପରି ଇଂରାଜୀ ଶବ୍ଦ ପ୍ରୟୋଗ କରୁଛନ୍ତି ।

 

ଏଇ ଇଂରାଜୀ ଶବ୍ଦ ସୋଫିଷ୍ଟିକେଟେଡ୍ ମୋର ଏଇ ଅଠଷଠି ବର୍ଷରେ ମଧ୍ୟ ଅପରିଚିତ ଶବ୍ଦ । ଓଡ଼ିଆ ସାମାଜିକ ଧାରା ଏତେ ଆଗେଇ ଗଲାଣି । ଏଣେ ଏହାର ପ୍ରୟୋଗକାରୀ ମୋ’ଠାରୁ ଛୋଟ ।

 

ଇଂରାଜୀ ଅଭିଧାନ କହୁଛି ଯେ ଏହି ଇଂରାଜୀ ଶବ୍ଦର ଅର୍ଥ ହେଲାଲୋକଟି ସ୍ୱାଭାବିକ ନୁହେଁ ଅବା ସରଳ ନୁହେଁ । ସେ ମିଛକୁ ସତ କରି ତୋଳି ଆଣି କହିପାରେ ଓ କୁହାଇପାରେ ।

 

ତେବେ କ’ଣ ବୁଝିବାକୁ ହେବ କି ଯେ ଏଇ ଚଉରାଅଶି ମସିହାରେ ସାମ୍ବାଦିକତା ବୃତ୍ତି ଧରିଥିବା ବହୁଳ ଭାଗ ବ୍ୟକ୍ତି ଇଂରାଜୀ, ଓଡ଼ିଆ, ସଂସ୍କୃତ ଭାଷାରେ ମଧ୍ୟ ସୋଫିଷ୍ଟିକେଟେଡ୍‍ ।

 

ଅର୍ଥାତ କଟକ ବଜାରର ମୂଲିଆଙ୍କ ପରି ଟେରିଲିନ୍‌ ପିନ୍ଧି, ଘଡ଼ି ବାନ୍ଧି, ଓଲଟାମୋଲଟା ଭାଷା ବ୍ୟବହାର କରି କୋଠାବାଡ଼ି ପିଟିଲେଣି । ସତ ଯେ ନିର୍ଭୀକର ଭାଷାଏତକ ଜାଣି ନାହାନ୍ତି ।

 

ଠିକ୍‌ ସେଇ ସମୟରେ କଟକରେ ଦୈନିକ ସମ୍ବାଦପତ୍ର ସମାଜ କାଗଜରେ ମାତ୍ର ଚଉରାଅଶି ଦଶହରା ଆଗରୁ ସେପ୍‌ଟେମ୍ୱର ତିରିଶି ତାରିଖ କାଗଜର ସାତ ପୃଷ୍ଠାରେ ଚିରବନ୍ଦନୀୟ ସଂପାଦକ ଡକ୍ଟର ରାଧାନାଥ ରଥ ଖଣ୍ଡେ ଚିଠିର ଫଟୋ ଛପାଇଥିଲେ ।

 

ଏଇ ଇନଲାଣ୍ଡ ଚିଠିଟି ଶ୍ରୀ ଶାରଦା ପ୍ରସାଦ ନନ୍ଦ, କରେସ୍‍ପଣ୍ଡେଣ୍ଟ ସମାଜ, ଗୋପବନ୍ଧୁ ଭବନ, କଟକକୁ ଲେଖା ।

 

ଏଥିରେ ମାନନୀୟ ସଂପାଦକ ହେଡ଼ିଂ ଦେଲେ ସମାଜ ସମ୍ପାଦକ ରାଧାନଥ ରଥ ଓ ସାମ୍ୱାଦିକ ଶାରଦା ପ୍ରସାଦ ନନ୍ଦଙ୍କ ଦୁର୍ନୀତି ।

 

‘‘ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଉତ୍ତରାଧିକାରୀଙ୍କଠାରୁ ସମାଜ କାଗଜ ଛଡ଼ାଇ ଆଣି ରାଧାନାଥ ରଥ ତାକୁ ପୈତୃକ ସମ୍ପତ୍ତି କରିଛନ୍ତି । ତାଙ୍କ ଭାଇ ସମାଜ ଅଫିସରେ ମୋଟା ଦରମା ପାଉଅଛନ୍ତି । ତାଙ୍କର ଜୋଇଁ ପଦାରବିନ୍ଦ ମହାପାତ୍ର ଅନ୍ୟ ସିନିଅର ଅଫିସରଙ୍କୁ ଡେଇଁ ଚିଫ୍‌ କନଜରଭେଟର ହୋଇଛନ୍ତି । ରିଲିଫ ଫଣ୍ଡ ନାମରେ ଜନସାଧାରଣଙ୍କଠାରୁ ପଇସା ଆଦାୟ କରି ସେଥିରେ ଦୁର୍ନୀତି କରିଛନ୍ତି । ଉତ୍କଳ ଗୋ-ମଙ୍ଗଳ ସମିତି ନାମରେ ହଜାର ହଜାର ଟଙ୍କା ହରିଲୁଟ କରିଛନ୍ତି । ସେ ଓ ତାଙ୍କର ଚାମୁଚା ସାମ୍ୱାଦିକ ଶାରଦା ପ୍ରସାଦ ନନ୍ଦ ସମାଜକୁ ଖୋଳ କରି ସାରିଲେଣି । ହରିଲୁଟ ଟଙ୍କାରେ କୋଠା ପିଟୁଛନ୍ତି । ଜାତିଆଣ ଭାବ ସୃଷ୍ଟି କରି ନିଜର ସ୍ୱାର୍ଥ ଚରିତାର୍ଥ କରୁଛନ୍ତି । ଶାରଦା ପ୍ରସାଦ ନନ୍ଦ ଘୋଡ଼ା ମଦୁଆ । ସମାଜରୁ କେତେଶହ ଟଙ୍କା ପାଇ ରାଜାଙ୍କ ଭଳିଆ ଚଳୁଛନ୍ତି । ଧମକାଇ ପଇସା ଆଦାୟ କରିବା ହେଲା ତାଙ୍କର କାମ ।

 

ରାଧାନାଥବାବୁ ଏତେବର୍ଷ ସରକାରୀ କାମରେ ରହି କୌଣସି ଭଲକାମ କରି ନାହାନ୍ତି-। କେବଳ ଦୁର୍ନୀତି କରି ନିଜର ସମ୍ପଦ ବଢ଼ାଇ ଚାଲିଛନ୍ତି ଓ ଶାରଦା ପ୍ରସନ୍ନ ନନ୍ଦଙ୍କ ଭଳି କେତେକ ଦୁର୍ନୀତିଗ୍ରସ୍ତ ସାମ୍ୱାଦିକଙ୍କୁ ଧରି ଜୀବନ ଉପଭୋଗ କରୁଛନ୍ତି ।

 

ରାଧାନାଥ ବାବୁ ଓ ସାମ୍ୱାଦିକ ନନ୍ଦେ ପ୍ରତି ରବିବାର ଜଟଣୀ ଯାଇ ମାଇକିନିଆ x x ।

 

ଆପଣମାନେ ଜଟଣୀରେ ଯାହାକୁ ପଚାରି ପାରନ୍ତି ।

 

ନରୋତ୍ତମ ଦାସ

 

ସେଇଦିନ କାଗଜରେ ଆଗ ଚିଠିତଳେ ୩୦ । ୭ । ୮୪ ତାରିଖ ଦିଆ ଆଉ ଖଣ୍ଡେ ପୋଷ୍ଟକାର୍ଡ଼ର ଫଟୋ ଛପା ଯାଇଛି । ଏହି କାର୍ଡ଼ଟି ଶ୍ରୀ ରାଧାନାଥ ରଥ, ସଂପାଦକ ସମାଜ, ଗୋପବନ୍ଧୁଭବନ କଟକକୁ ଲେଖା ।

 

ରାଧାନାଥ ବାବୁ,

 

ଆପଣଙ୍କ ସମାଜ ପଢ଼ି ମୁଁ ନିମ୍ନଲିଖିତ ଚେତାବନୀ ଆପଣଙ୍କୁ ଦେବାକୁ ଉଚିତ ମନେକରୁଛି । ଗତ କିଛିଦିନ ହେଲା ବୁର୍ଲା ଘଟଣାର ଅପପ୍ରଚାର କରି ଆମ ଦଳର ଭାବମୂର୍ତ୍ତିକୁ ନଷ୍ଟ କରୁଛନ୍ତି । ଆସନ୍ତା ନିର୍ବାଚନରେ ଶାସକଦଳକୁ ଗାଦିଚ୍ୟୁତ କରିବାକୁ ଯେଉଁ ଚକ୍ରାନ୍ତ ଆପଣ କରୁଛନ୍ତି ତା’ର ଠିକଣା ଜବାବ ଦିଆଯିବ ଠିକଣା ସମୟରେ । ତେବେ ଯଦି ବୁର୍ଲା ଘଟଣାକୁ ରାଜନୈତିକ ରୂପ ନ ଦିଅନ୍ତି ତେବେ ଆମେ ଆପଣଙ୍କୁ ଛାଡ଼ିଦେବୁ । ବୃଦ୍ଧ ବୟସରେ ଆପଣଙ୍କର ବୁଦ୍ଧି ବାମ ହୋଇଛି । ଭାବନ୍ତୁ ନାହିଁ ‘‘ସମାଜ’’ ଆପଣଙ୍କର । ଏ ପତ୍ର ପାଇବାର ପାଞ୍ଚଦିନ ମଧ୍ୟରେ ଆମ ଦଳ ବିରୁଦ୍ଧରେ ପ୍ରଚାର ବନ୍ଦ ନ କରନ୍ତି ତେବେ ଆପଣଙ୍କର ମର ଶରୀରକୁ ମଧ୍ୟ ଆପଣଙ୍କର ବଂଶଧରମାନେ ଦେଖିବାକୁ ପାଇବେ ନାହିଁ । ଏ ପ୍ରକାର ବ୍ୟବସ୍ଥା କରିବା ଆମ ପକ୍ଷରେ ଖୁବ୍‌ ସହଜ । ଆଶାକରେ ଏ ଚିଠିକୁ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିରେ ଦେଖିବେ । ଆପଣଙ୍କ ପରି ବିଚାରବନ୍ତ ବ୍ୟକ୍ତି ଏ କାର୍ଯ୍ୟରୁ ଓହରିଯିବେ ବୋଲି ଆଶା କରୁଛି । ଇତି ।

 

ଆପଣଙ୍କର ଶୁଭେଚ୍ଛୁ

C.M.V.P.

ଅସ୍ପଷ୍ଟ ଇଂରାଜି ଦସ୍ତଖତ

 

ଏଇ ଚଉରାଅଶି ମସିହାର ଶେଷଭାଗରେ ଡକ୍ଟର ରାଧାନାଥ ରଥ ଓ ସାମ୍ୱାଦିକ ଶାରଦାବାବୁଙ୍କ ପରି ବ୍ୟକ୍ତିବିଶେଷଙ୍କର ଓଡ଼ିଶାର ସମାଜରେ ସ୍ଥାନ ଏଇଆ ।

 

ଏପରି ଅବସ୍ଥାରେ ଯେଉଁମାନେ ବହୁତ ବହୁତ ତଳେ ସେମାନେ ନିଶ୍ଚିତରେ ଅନାଥ । ଆକାଶର ଭୋଦୁଅ କାଡ଼ି ଓ ପବନ ଯେମିତି ବଡ଼ ସାନ, ଧନୀ ଦରିଦ୍ର, ମୂର୍ଖ ପଣ୍ଡିତର ବିଚାର ରଖେ ନାହିଁ ସେମିତି ଚଉରାଅଶିର ଲୋକମତ କେବଳ ସୁବିଧା ପାଇଲେ ଯେ କୌଣସି ଅସମର୍ଥ ଉପରେ ଯାହା ଇଚ୍ଛା ତାହା ଅତ୍ୟାଚାର କରିବ । ଏଇଆ ମଧ୍ୟ ଘଟୁଛି ।

 

ରାଜା ଅନ୍ଧ, ପ୍ରଜା ଅନ୍ଧ

ଯାହା କରିବେ ଅଚ୍ୟୁତାନନ୍ଦ ।

 

ଏଇ ଉକ୍ତି ଏବେ ସାରା ଓଡ଼ିଶାର ଜପାମାଳି । ଏଥିରେ ସର୍ବୋଚ୍ଚ ଲୋକ ଯେମିତି ନୀଚସ୍ଥ ଲୋକ ମଧ୍ୟ ସେମିତି । ବୁଝାମଣା ଲୋପ ପାଇ ଯାଇଛି ।

 

ଏଇ ଚିଠି ଛପା ଗଲାପରେ କେହି ସ୍ୱଚ୍ଛ ମନରେ ପ୍ରକାଶ୍ୟ ବିବୃତି ଦେଇନାହିଁ । ଏଇ ଓଡ଼ିଶାର ଚିନ୍ତାନାୟକ ଓ ଲୋକଙ୍କର ନେତାମାନେ କେହି ପ୍ରକାଶ୍ୟରେ ପ୍ରତିବାଦ ଜଣାଇ ନାହାନ୍ତି । ଅଳ୍ପ କେତେଜଣ ନିଜର ଚାତୁରୀ ଦେଖାଇବାକୁ ଗୋପନରେ ଏଇ ସନ୍ତପ୍ତ ଦୁଇଜଣଙ୍କୁ ଦେଖାକରି କାନକୁହାଳି ପରି ସଂକ୍ଷିପ୍ତ ମନ୍ତବ୍ୟ କରି ଦୋଷକୁ ନିଜ ନିଜର ନିର୍ଦ୍ଦିଷ୍ଟ ଦୁସମନ ନାଁରେ ବୋଳିଛନ୍ତି ।

 

ଏମାନେ ଓ ଚିଠିର ଲେଖକଙ୍କ ମଧ୍ୟରେ ପ୍ରଭେଦ ନାହିଁ । ଏହି ପ୍ରକାରର ଅସତ୍‌ ବିଚାରର ମଧ୍ୟ ସର୍ବ ସାଧାରଣରେ ମୂଲ୍ୟାୟନ ହେଉ ନାହିଁ । ସମସ୍ତଙ୍କ ହୃଦୟରେ ଆନନ୍ଦ ଯେ ସେମାନେ ପଟାଏ ପଟାଏ ପାଉଛନ୍ତି । ଯେମିତି ବହପ ଓ ବଳ ଦେଖାଉଥିଲେ ତାହାର ପୁରସ୍କାର ପାଉଛନ୍ତି । ପାଇବା ମଧ୍ୟ ଦରକାର ।

 

ଏଇ ଚିନ୍ତାଧାରା ହେଉଛି ଦେଶର ଦୁର୍ଦିନ । ଓଡ଼ିଶାର ଦୁଃସମୟ । ଓଡ଼ିଆ ସମାଜର ଦୁଃଖପ୍ରଦ କର୍କଟ ରୋଗ । ଇଏ ହେଲା ସ୍ୱାଧୀନତାର ବ୍ୟବହାରିକ ପ୍ରୟୋଗ ।

 

ଅତୀତ ଲୋପ ପାଉଛି ।

 

ଭବିଷ୍ୟତ ଏବେ ଅନିର୍ଦିଷ୍ଟ

 

କିନ୍ତୁ ଏଇ ଦୁର୍ଦିନରେ ସମାଜ କାଗଜର ସମ୍ପାଦକ ନିଜର ଚରିତ୍ର ସଂହାର ହେଉ ବା ନ ହେଉ ଅସମ୍ଭବକୁ ସମ୍ଭବ କରି ସେଇ ଚିଠି ଦୁଇଖଣ୍ଡିର ଫଟୋ ଛପାଇ ତାଙ୍କର ଲକ୍ଷାଧିକ ଗ୍ରାହକ ଓ ଦଶ ଲକ୍ଷାଧିକ ପାଠକଙ୍କୁ ଜଣାଇ ଦେଇଛନ୍ତି ଯେ ତାଙ୍କ ବିରୁଦ୍ଧରେ ଏଇ ପ୍ରକାରର ଅଭିଯୋଗ ଜଣେ କରୁଛି ।

 

ମୋର ଏଇ ଅର୍ଦ୍ଧଶତାବ୍ଦୀର ଜୀବନକାଳ ମଧ୍ୟରେ କୌଣସି ଇଂରାଜୀ ବା ଭାରତୀୟ ଭାଷାର ସମ୍ୱାଦପତ୍ରରେ ଏହି ପ୍ରକାରର ନିର୍ଭୀକତା ଦେଖିବାକୁ ପାଇ ନାହିଁ ।

 

ଏହାର ଉଦାହରଣ ଥିଲେ ମହାତ୍ମା ଗାନ୍ଧୀ । ସେ ନିଜ ବିଷୟରେ ଓ ନିଜର ପରିବାର ବିଷୟରେ ସ୍ପଷ୍ଟ ଭାଷାରେ ଚ୍ୟୁତି ବିଚ୍ୟୁତିର ସିଧାସଳଖ ସମୀକ୍ଷା କରିଥିଲେ ହରିଜନ କାଗଜରେ ।

 

ରାଜକୋଟ ଅନଶନ କଥା ।

 

ମହାତ୍ମାଜୀ ରାଜକୋଟର ଠାକୁର ସାହେବଙ୍କ ପାଖରେ ପରାସ୍ତ ହୋଇଗଲେ । ତାଙ୍କର ଆନ୍ଦୋଳନ ବିଫଳ ହେଲା ।

 

ସେ ଲେଖିଥିଲେ ରାଜକୋଟ ମୋ ପାଇଁ ପ୍ରାଇସଲେସ ଗବେଷଣା ଗାର (ଲାବରେଟରି) ହୋଇପଡ଼ିଛି ।

 

ମହାତ୍ମାଙ୍କୁ ନିର୍ଭୁଲ ବୋଲି ବୁଝାଇବାକୁ ଅନୁବାଦ କରି ଓଡ଼ିଆରେ ସମାଜ କାଗଜ ଛପାଇ ଥିଲା

 

ରାଜକୋଟ ମୋ ପାଇଁ ମୂଲ୍ୟହୀନ ଗବେଷଣାଗାର ହୋଇପଡ଼ିଛି ।

 

ଏତିକି ସମୟ ମଧ୍ୟରେ ରୁଚିଅଭିରୁଚି ତାହାର ଗତିର ମୋଡ଼ ବଦଳାଇଛି ।

 

ଶାରଦାବାବୁଙ୍କ ଭାଷାରେ ଲୋକେ ଏହିପରି ସୋଫିଷ୍ଟିକେଟେଡ଼ ହୋଇଗଲେଣି । ଏହି ପ୍ରୟୋଗ ସେ କରିଥିଲେ ତାଙ୍କର ରହଣି ସ୍ଥାନ ମଙ୍ଗଳାବାଗରେ ବେପାରି ସାହିର ଦୁଇଶହ ମିଟର ଦୂରରେ ରହୁଥିବା ଗୋଟିଏ ଗୃହିଣୀ ଶ୍ରୀମତୀ ପୂଣ୍ୟପ୍ରଭା ପଟ୍ଟନାୟକଙ୍କ ସମ୍ୱନ୍ଧରେ । ଥରେ ମଧ୍ୟ ସେଠି ସେ ତନଖି କରି ପାରିଲେ ନାହିଁ ।

 

କାରଣ ସମୟର ଅଭାବ । ନିଜର ବୁଦ୍ଧି ଓ କଳ୍ପନାରେ ଜଣେ ବିଶିଷ୍ଟ ସମ୍ବାଦିକ ବିଶିଷ୍ଟ ଓକିଲଙ୍କ ପରି ସବୁ କଥା ଠଉରାଇ ପାରିବ ।

 

ଏପରି ଜଣେ ଥିଲେ ବିଶିଷ୍ଟ ବ୍ରିଟିସ ବାରିଷ୍ଟର ମିଷ୍ଟର ନର୍ଟନ । ସେ ଫୌଜଦାରୀ ମକଦ୍ଦମାରେ ଅତ୍ୟନ୍ତ ଦକ୍ଷ ଥିଲେ । କିନ୍ତୁ ତାଙ୍କ ନାମରେ ଦୁର୍ନାମ ଥିଲା ଯେ ସେ ଟଙ୍କା ନିଅନ୍ତି । ମହକିଲଙ୍କର କାଗଜ ପଢ଼ନ୍ତି ନାହିଁ ।

 

ବାରିଷ୍ଟରମାନେ ସିଧାସଳଖ ମକଦ୍ଦମା ନେଇପାରୁ ନଥିଲେ । ସଲିସିଟରଙ୍କ ଜରିଆରେ ଟଙ୍କା ପାଉଥିଲେ ଓ ମକଦ୍ଦମାର ନଥି ମଧ୍ୟ ପାଉଥିଲେ ।

 

ଥରେ ମିଷ୍ଟର ନର୍ଟନ ଗୋଟିଏ ମକଦ୍ଦମାର ସୁଆଲ ଜବାବ କରି ମହକିଲର ଜିତାପଟ କରାଇଦେଲେ । ଟଙ୍କା ପାଇ ନ ଥିଲେ । ବାରିଷ୍ଟର ଟଙ୍କା ତାଙ୍କର ସଲିସିଟରଠାରୁ ପାଇବ ।

 

ସେତେବେଳେ ମିଷ୍ଟର ନର୍ଟନ ଟଙ୍କା ମଗାଇଲେ ସଲିସିଟର କହିଲେ ଯେ ସେ ଟଙ୍କାକୁ ନଥି ସାଙ୍ଗରେ ଦେଇଛନ୍ତି ।

 

ନଥି ଆସିଲା ।

 

ନଥି ଭିତରେ ମଝିରେ ବାରିଷ୍ଟରଙ୍କର ସୁଆଲ ଜବାବ ଫିସ୍‌ ରଖା ହୋଇଛି । ବାରିଷ୍ଟର ନଥି ଖୋଲିନାହାନ୍ତି । ଟଙ୍କା ଦେଖିବେ କିପରି ?

 

ଏବେ ଓଡ଼ିଶାର ଅଧିକାଂଶ ସାମ୍ବାଦିକ ମନକୁ ମନ ବିଚକ୍ଷଣ ବୋଲାଇ ନିଜର ଅନୁମାନକୁ ବିଶ୍ୱର ସତ ବୋଲି ଧରିନେଇ କାମ ଚଳାଇ ଚାଲିଛନ୍ତି । ଏଣେ ପାଠକ ପ୍ରତିବାଦ ଜଣାଉଛି ଯେ ସତକଥା ପ୍ରକାଶ ପାଉନାହିଁ । କିନ୍ତୁ ଶୁଣିବ କିଏ ? କାହାର ବେଳ ଅଛି ଏଇ ଯୁଦ୍ଧକାଳୀନ କାର୍ଯ୍ୟର ସମୀକ୍ଷା ପାଇଁ ।

 

ଯୁଦ୍ଧ କ୍ଷେତ୍ରରେ ଜୀଅନ୍ତାକୁ ମଲା ସାଠିଫିକେଟ ଦେଇଦେଲେ ଆଇନସିଦ୍ଧ ହୋଇଗଲା-। ସେ ବଞ୍ଚିଥିଲେ ବି ପଚାରେ କିଏ ?

 

ଏମିତି ହୋଇଥିଲା କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ସୈନ୍ୟ ବିଷୟରେ ।

 

ଲାଦାଖ ଯୁଦ୍ଧ କ୍ଷେତ୍ରରେ ଅନ୍ୟ ତିନିଜଣଙ୍କ ମଧ୍ୟରେ ଓଡ଼ିଆ ଯୁବକଟି ଆଘାତ ପାଇ ଅଚେତ୍‌ (ଅଚେତ) ହୋଇଥିଲା । ଆର ଦୁଇଜଣ ଫେରି ଯାଇ ପାରିଲେ । ଓଡ଼ିଆ ଯୁବକ ମୃତ ବୋଲି କେନ୍ଦ୍ରାପଡ଼ାକୁ ସରକାରୀ ଖବର ଗଲା ।

 

ସ୍ତ୍ରୀ ବିଧବା ହେଲା । ଜ୍ଞାତିମାନେ ଶୁଦ୍ଧି ହେଲେ ।

 

ସମସ୍ତେ ଯାଇ ବାୟାବାବାଙ୍କ ପାଖରେ କାନ୍ଦିଲେ ।

 

ବାବା, ଆମର ଘର ଉଜୁଡ଼ି ଗଲା ।

 

ଆରେ ଏମିତି କାହିଁକି ହେଉଛ ? ସେ ବଞ୍ଚିଛି । ଫେରି ଆସିବ ।

 

ସରକାରୀ ଟେଲିଗ୍ରାମ ଖବର ନେଇ ଏସ୍‌.ଡ଼ି.ଓ. ଆସି କହିଗଲେ ବାବା ।

 

ଆରେ, ସିଏ ଆସିବ ।

 

ଲୋକେ କହିଲେ ବାବା ଗୋଟାଏ ମିଛୁଆ । ଲୋକଙ୍କୁ ଧରିନେଉଛି ଏମିତି ମନଗଢ଼ା କଥା କହି । ଭାରି ଜାଲିଆଭାରି ବୁଦ୍ଧିଆଭାରି ବଦମାସ । ସାବଧାନ ଥାଅ ।

 

ବାବା ବି ଏଣେ ବେଦମ୍‌ । ଲୋକ ଅପବାଦ ତେଜି ଉଠୁଥାଏ । ମଲାଲୋକକୁ ବଞ୍ଚିଛି ବୋଲି ବାବା ବୟାନ ଦେଉଛି । ସମସ୍ତେ ଠକସବୁ ବାବା, ଭଣ୍ଡ ।

 

ଏମିତିରେ କିଛି ଦୀର୍ଘ ସମୟ ଗଲାପରେ ସୈନିକ ଫେରିଲେ ଡାକ୍ତରଖାନାରୁ । ପୁଲିସ ମଧ୍ୟ ମଲା ଲୋକକୁ ଜୀଅନ୍ତା କହି ପାରିବ ନାହିଁ । ପୁଲିସ ଉପରେ ପଲଟଣ । ପୁଲିସ ମଶାଟାଏ ହେଲେ ପଲଟଣ ଗୋଟାଏ ବଡ଼ ଡାଆଁଶ ।

 

ଜୀଅନ୍ତା ଲୋକ ଫେରିଲା । କିନ୍ତୁ ମିଲିଟାରୀ ବହିରେ ସେ ଜୀଅନ୍ତା ଥିବାର ରେକର୍ଡ଼ ଦରଜ ହୋଇପାରିଲା ନାହିଁ ।

 

ଏମିତି ଚାଲେ ସଂସାର ।

 

ଦ୍ୱିତୀୟ ବିଶ୍ୱଯୁଦ୍ଧବେଳେ ପୁରୀଘାଟର ପାଇଲଟ୍‌ ଶ୍ରୀ ସୁଭାଷ କେଶରୀ ରାୟ ନିଖୋଜ ହୋଇଗଲେ ।

 

ଶ୍ରୀଯୁକ୍ତ ବୀରକିଶୋର ରାୟ ସେତେବେଳେ ସଂଖ୍ୟାଧିକ ଭବିଷ୍ୟତ ଦ୍ରଷ୍ଟା ଓ ସାଧକଙ୍କ ସହିତ ଯୋଗାଯୋଗ ରଖିଲେ । ଜାତକ କୁଣ୍ଡଳୀ ବହୁତ କୃତବିଦ୍ୟ ଲୋକଙ୍କ ଦ୍ୱାରା ବାରମ୍ୱାର ସମୀକ୍ଷା କରାହେଲା ।

 

ଜଣେ ବି କେହି କହିଲେ ନାହିଁ ଯେ ସୁଭାଷ ବାବୁ ମରି ଯାଇଛନ୍ତି । ବରଂ ସମସ୍ତେ ବିଭିନ୍ନ ପ୍ରକାରର ଦୃଢ଼ତା ସହିତ ଜଣାଇଲେ ଯେ ସୁଭାଷ ବାବୁ ନିଶ୍ଚିତରେ ବଞ୍ଚିଥିବାର ସେମାନେ ଜାଣି ପାରୁଛନ୍ତି । ଏଥିରେ ବୀରକିଶୋର ବାବୁ ବିଶ୍ୱାସ ରଖିଲେ । ସେ ଏହି ସାନ ପୁଅଙ୍କୁ ଖୁବ୍‌ ଭଲ ପାଉଥିଲେ ।

 

ପୁଅ ସୁଭାଷବାବୁଙ୍କର ମଙ୍ଗଳ ପାଇଁ ଅସଂଖ୍ୟ ପ୍ରକାରର ପୂଜା, ହୋମ ଆଦି ହେଲା । ପ୍ରତିଦିନ ବୀରକିଶୋରବାବୁ କିଛି ନା କିଛି ଉପବାସ କରୁଥାନ୍ତି । ସେତେବେଳେ ସେ ଜଣେ ଅତି ଉଚ୍ଚପଦସ୍ଥ ପଦାଧିକାରୀ । ଦେଶୀ ଓ ସାହାବ ହାକିମମାନେ ବୀରବାବୁଙ୍କର ଅଗାଧ ବିଶ୍ୱାସ ଦେଖି ଯିଏ ଯେତେ ଯାହା ପାରିଲେ ସାହାଯ୍ୟ କରିଥିଲେ । ସୁଭାଷବାବୁ ନିଖୋଜ ରହିଗଲେ ଅଦ୍ୟାବଧି–ଜାପାନ ହାରି ପୁଣି ଉଠିଲା । କିନ୍ତୁ ପାଇଲଟ ସୁଭାଷ ମିଳିଲେ ନାହିଁ ।

 

ମୃତ ଶରୀର ସନାକ୍ତ ହୋଇନାହିଁ । ତେଣୁ ମରିଛନ୍ତି ବୋଲି କେଉଁ ଆଇନ କହିବ ? ପ୍ରମାଣ ଆଇନର ଯୁକ୍ତି ଅନୁସାରେ ସାତବର୍ଷ ନିଖୋଜ ରହିଲେ ମୃତ ବୋଲି ଧରାଯିବ । କିନ୍ତୁ ଏଇ ସାତବର୍ଷ ଭିତରେ ଏଣେ ପୃଥିବୀ ବଦଳି ଯାଉଛି । ମୃତଦେହ ମିଳିବା ଓ ମରଣର କାରଣ ଜଣାଯିବା ପରେ ଜୀବନବୀମା ଓ ସରକାରୀ ଇତ୍ୟାଦି ସଂସ୍ଥାରେ ପ୍ରାପ୍ୟ ଦିଆଯିବାର ବ୍ୟବସ୍ଥା ରହିଛି । ଏହି କାରଣରୁ ପୋଷଣାହାରୀର ମରଣ ପରେ ଅନେକ ସ୍ଥାନରେ ଅତି ବଡ଼ ଦୁଃଖ ଦେଖାଦିଏ ।

 

ଏହି କାରଣରୁ ଆମେମାନେ ଅତି ଭାଗ୍ୟବାନ୍‌ । ଜଣେ ଭାଗ୍ୟବାନ ନୁହେଁସମସ୍ତେ ଭାଗ୍ୟବାନ । କାରଣ ଖାଇବା ପାଇଁ ଚାଷ ଜମି ଅଛି । ଘରେ ଚାଷ କରିବାକୁ ଲୋକ ଅଛନ୍ତି । ଆଉ ଦାରିଦ୍ର୍ୟ ପାଇଁ ନିଜର ଖରଚ ମଧ୍ୟ କମ୍‌ ।

 

ସମସ୍ତଙ୍କର ପ୍ରାର୍ଥନା ଧନୀ ହେବା ପାଇଁବଡ଼ ହେବା ପାଇଁ । କିନ୍ତୁ ଈଶ୍ୱରଙ୍କର ଆଶୀର୍ବାଦ ହେଉଛି ଦାରିଦ୍ର୍ୟ, ଶିକ୍ଷାହୀନତା ଓ ନିଜର ଛୋଟ ସ୍ଥିତି ।

 

ଏହାକୁ କୁହାଯାଏ ଯୋଗ । ଆଉ ଯୋଗ ଯେତେବେଳେ ଆମକୁ କ୍ଷତିଗ୍ରସ୍ତ କରେ ସେତେବେଳେ ତା’କୁ କହୁ ଦୁର୍ଯ୍ୟୋଗ । ଆଉ ଯେତେବେଳେ ଡବଲ ଲାଭ ହୁଏତା’କୁ କହୁ ଆମର କାଢ଼ୁଆଗିରି ।

 

ଯୋଗର ଗଣନା ନଥାଏ ଗ୍ରହଚକ୍ରରେ । ଆମର ଗୀତା କହିଛି ଯେ ଘଟଣାମାନ ଘଟି ରହିଛନ୍ତି । ତାହାର ସମୟ ଅନୁସାରେ ଘଟିଥିବା ଘଟଣାମାନ ଘଟୁଥିବା ଘଟଣାର ରୂପ ନେଇ ପହୁଞ୍ଚେ । ତାକୁ ଆମେ କହୁଲାଭ ଓ କ୍ଷତି ବା ଫଳାଫଳ ।

ଏଇ ଫଳାଫଳ ମଣିଷ ହାତରେ ନାହିଁ । ସେ ହେଉଛି ନିମିତ୍ତ । ସେ କର୍ତ୍ତା ନୁହେଁ । କର୍ତ୍ତା ହେଉଛନ୍ତି ଈଶ୍ୱର । ସେ ତାଙ୍କର ବ୍ୟବସ୍ଥାରେ ବିଭିନ୍ନ ବିଷୟର କ୍ରମ ଓ ଧାରା ଇତ୍ୟାଦି ସଜାଡ଼ି ଦେଇଛନ୍ତିପ୍ରାରବ୍‌ଧ ଓ କ୍ରିୟମାଣ କର୍ମ ଜରିଆରେ ।

ସେ କର୍ମ ବନ୍ଧନ ଆମକୁ ବିଭିନ୍ନ ବ୍ୟକ୍ତିଙ୍କର କର୍ମ ସାଙ୍ଗରେ ଗୁନ୍ଥି ଦେଇଛିଆମର ଦେଖିବାର ଟାଇମ ବୋମା ପରି । ନିର୍ଦ୍ଦିଷ୍ଟ ସମୟରେ ଫୁଟିବ । ଏହାକୁ ବିଜ୍ଞାନର ଉପଯୋଗ କ୍ଷେତ୍ରରେ କୁହାଯାଏତିଆରି ପଦାର୍ଥ କଂପାନୀ ଗାରେଣ୍ଟି ।

କିଏ ନ ଜାଣେ ଏ କଥା ? କପା ଲୁଗା ଛଅମାସ ଯିବ । ଧଳା ଖବରକାଗଜ ଏତିକି ଦିନରେ ନାଲି ପଡ଼ି ପାପରା ହୋଇଯିବ । କାସେଟ ଏତିକି ଘଣ୍ଟା ଠିକ୍‌ ବାଜିବ । କାନ୍ଥର ଟିଉବ ଲାଇଟ ଏତିକି ଘଣ୍ଟା ଜଳିଲା ପରେ ଖରାପ ହୋଇ ଆସିବ ।

ସେମିତି ପ୍ରତ୍ୟେକ ମଣିଷର କର୍ମ ଗୋଟାଏ ପ୍ରକାରର ଯନ୍ତ୍ର ପରି । ସେ ମଧ୍ୟ ଅଏଲିଂ ଖୋଜେ । ମଣିଷ ନିଜ ଇଚ୍ଛାରେ କର୍ମ କରିପାରିବ ନାହିଁ । ପଢ଼ିବାକୁ ବସିଲାବେଳେ ଯଦି ବିଜୁଳି ସରବରାହ ବ୍ୟାହତ ହୁଏ ତେବେ ବହି ପଢ଼ା ଯାଇପାରିବ ନାହିଁ । ସେମିତି ଯଦି ବତାସ ବୋହିବା ଆରମ୍ଭ କରେ ତେବେ ମଧ୍ୟ ପଢ଼ା ହେବ ନାହିଁ । ଅତି ଆତ୍ମୀୟ ଲୋକ ଯଦି ପହୁଞ୍ଚେ ତେବେ ପଢ଼ା ହେବ ନାହିଁ ।

ତେଣୁ ଆମେ ସମସ୍ତେ ଜାଣୁ ଯେ ମଣିଷର ଜୀବନ ହେଉଛି ଯୋଗ, ଦୁର୍ଯ୍ୟୋଗ, ସୁଯୋଗ ଇତ୍ୟାଦିରେ ଗୁନ୍ଥା ହେଇଥିବା ମାଳା । ସେଇ ମାଳାକୁ ଆମେ ଗୁନ୍ଥି ନାହୁଁ । ଈଶ୍ୱର ବା ବିଧାତା ତାଙ୍କର ବିଚାରରେ ମାଳାକୁ ଗୁନ୍ଥି ଦେଇ ଆମକୁ ପିନ୍ଧାଇ ଦେଇଛନ୍ତି ।

ମାଳା ଜପିବା ପରି ଗୋଟିକ ପରେ ଗୋଟିଏ ମାଳି ନେଇ ଅନୁଭବ କରି ଚାଲିଲେ ବାଧ୍ୟରେ ଶୈଶବ, ଯୌବନ ଓ ବାର୍ଦ୍ଧକ୍ୟ ଅବା ଗ୍ରୀଷ୍ମ, ବର୍ଷା, ଶିଶିର ସବୁଯାକ ଭୋଗ କରିବାକୁ ପଡ଼ିବ ।

ଏହି ମାଳାର ସମୀକ୍ଷାକୁ ଆମେ ଜ୍ୟୋତିଷ ଶାସ୍ତ୍ରରେ କରୁ । ଭବିଷ୍ୟତ ବା ଆଗତ କଥାର ମାଳାକୁ କହିଥାଉ ମାଳିକା ।

ତଫାତ୍‌ ହେଉଛି ଯେ ଜୀବନର ଘଟଣାର ମାଳାକୁ ଆମେ ଫଳିତ ଜ୍ୟୋତିଷ ବିଜ୍ଞାନ ଅନୁସାରେ ବୁଝୁ ଓ ମାଳିକାର କଥାର ମାଳାକୁ ନିଜର ବିଶ୍ୱାସ ଓ ଦିବ୍ୟଦୃଷ୍ଟିରେ ବୁଝୁ ।

ବୁଝିବା ଓ ଭୋଗିବା ଏକା କଥା ନୁହେଁ । ବୁଝିଲେ ବି ଭାଗ୍ୟକୁ ଡେଇଁ ଚାଲିଯିବା ସମ୍ଭବ ନୁହେଁ ।

ପୁରୀର ସ୍ୱନାମଧନ୍ୟ ଗଣକ ବୀର ହନୁମାନ ଶାସ୍ତ୍ରୀ ମୋର ଭଣଜା ବୋହୂ ଅମିତାର ଭାଗ୍ୟଗଣନା କରି ତାହାର ବିବାହ ଦିନ ସ୍ଥିର କରିଥିଲେ ଏଇ ଚଉରାଶି ମସିହାର ଅପ୍ରେଲ ବାଇଶି ତାରିଖକୁ ।

ପୁଅ ଆପତ୍ତି କରୁଥିଲା ଯେ ଯୋଡ଼ ସଂଖ୍ୟାର ଦିନ ତାକୁ ଶୁଭ ହୁଏ ନାହିଁ । ତେଣୁ ଏକୋଇଶି ବା ତେଇଶି ବା ଅନ୍ୟ ବିଯୋଡ଼ ଦିନରେ ହେଉ ।

 

ଯେତେ ଯିଏ ଯାହା କହିଲେ ବି ସବୁଠାରେ କିଛି ବ୍ୟବହାରିକ ଦିଗ ଥାଏ । ସେଇଟି ହେଲା ଯେ ଯେଉଁଦିନ ବେଶି ବାର ବେଳା ଓ କାଳ ବେଳା ଓ ବିବାହର ଲଗ୍ନ ସମୟ କମ୍‌ ସେହି ଦିନମାନଙ୍କରେ ଅନ୍ୟଜାଗାରୁ ବରକୁ ବରଣ କରି ଆଣିବା, ପଟୁଆର କରି ପାଛୋଟି ନେବା, ଆଉ ବିବାହର ଲଗ୍ନ ସମୟରେ କାମକୁ ଶେଷ କରିବା କଷ୍ଟକର ।

 

ଏହାଛଡ଼ା ଆଉ ଗୋଟିଏ ବ୍ୟବହାରିକ ଦିଗ ହେଲା ଲଗ୍ନର ସମୟ । ସେ ସମୟ ଯଦି ରାତିଅଧ ପରେ ପଡ଼େ ତେବେ ବର କର୍ତ୍ତାଙ୍କର ଓ ଅନ୍ୟମାନଙ୍କର ବୟସ, ସ୍ୱାସ୍ଥ୍ୟ ଆଦି ବିଚାରର ବିଷୟ ।

 

ତେଣୁ ବିଯୋଡ଼ ଦିନ ସୁବିଧା ହୋଇପାରିଲା ନାହିଁ । ବ୍ୟବହାରିକ ଦିଗରୁ ଠିକ୍‌ ହେଲା ଯେ ବାଇଶି ତାରିଖ ଦିନ ରାତି ବାରଟା ପରେ ତେଇଶି ତାରିଖ ପଡ଼ି ଯାଉଛି ଓ ରାତି ଗୋଟାଏବେଳକୁ ମଧ୍ୟ ଲଗ୍ନ ରହିଛି । ପୁଅର ମତ ରହିଲା ଓ ସ୍ଥାନୀୟ ସୁବିଧା ଅସୁବିଧାର ସମାଧାନ ହୋଇଗଲା ।

 

ପୁଣି ଶାସ୍ତ୍ରୀଜୀ ପୁଅ ଓ ଝିଅର ଜାତକ ଦେଖି ସମ୍ମତି ଓ ସମର୍ଥନ ଦେଇଥିଲେ । ଝିଅ ସୁଖୀ ହେବ । ଜୀବନ ସୁଖ ଓ ସମୃଦ୍ଧିର ହେବ । ବ୍ୟବହାରିକ ଦିଗରୁ ପୁଅ ଓ ଝିଅ ମଧ୍ୟ ସମସରିସା ।

 

ଅମିତାର ବାପା ବ୍ରଜବଲ୍ଲଭବାବୁଙ୍କର ବିଚାରକୁ ବିଷୟଟି ଛାଡ଼ି ଦିଆଯାଇଥିଲା । ବ୍ୟବହାରିକ ଦିଗରୁ ଏଇଟା ମଧ୍ୟ ସୁବିଧାଜନକ । କାରଣ ଏହି ସବୁ ଭଲମନ୍ଦର ବିଚାର ଝିଅ ପକ୍ଷ ଉପଯୁକ୍ତ ଭାବରେ କରିବେ ।

 

ସେଇଆ ହେଇଥିଲା । କିନ୍ତୁ ଓଡ଼ିଶା ବନ୍ଦ ଚଉଦ ଅଗଷ୍ଟରେ ବାହାଘରର ଶହେ ପନ୍ଦର ଦିନରେ ଝିଅ ମରିଗଲା ।

 

ଆଶ୍ଚର୍ଯ୍ୟ କଥା । ମରଣ ହେଲା କେମିତି ? ମରଣର ଯୋଗକୁ ଶାସ୍ତ୍ରୀଜୀଙ୍କ ପରି ନିର୍ଭରଯୋଗ୍ୟ ଗଣନାକାର ଧରି ପାରିଲେ ନାହିଁ କେମିତି ? ଅତି ସନ୍ତାନ-ସ୍ନେହୀ ବ୍ରଜବଲ୍ଲଭ ବାବୁ ଭାଗ୍ୟଗଣନାରେ ଅତ୍ୟନ୍ତ ଆସ୍ଥାବାନ୍‌ ହୋଇ ମଧ୍ୟ କୌଣସି ଗଣନାକାରଙ୍କଠାରୁ ନିଜର ଆଦରର କନ୍ୟା ଅମିତାର ଏତେ ସ୍ୱଳ୍ପାୟୁ ଥିବାର ଜାଣିଲେ ନାହିଁ କେମିତି ?

 

ଏଇ ଜାଣି ନ ପାରିବା ହେଉଛି ଯୋଗଜାଣିପାରିବା ମଧ୍ୟ ଯୋଗ । ଜାଣିଲା ପରେ ତାକୁ ବିଶ୍ୱାସ ନ କରିବା ମଧ୍ୟ ଯୋଗ । ଯୋଗକୁ ଭଣ୍ଡୁର କରିବାକୁ ବିଧିବିଧାନ କରାଇ ଯୋଗକୁ ଅତିକ୍ରମ କରିବାର ଇଚ୍ଛା ଓ ମତ ମଧ୍ୟ ହେଉଛି ଯୋଗ ।

 

ସେଇ କଥା ଗୀତା କହିଛି । ମଣିଷର ମନର ରଙ୍ଗ ନାହିଁ, ରୂପ ନାହିଁ । ଇଚ୍ଛା ନାହିଁ । ସେହି ମନ ନିର୍ବିକାର । ମନକୁ ଚଳାଏ ନିଜର କାମନା । ସେଥିପାଇଁ ନିଜର କାମନା ହେଉଛି ଦୁର୍ଘଟଣା ଘଟାଉଥିବା ମଟରଗାଡ଼ି ଓ ଯାନବାହନର ଚାଳକ ପରି ଦୁର୍ଘଟଣା ପାଇଁ ଦାୟୀ ।

 

ଆଉ କାମନା ହେଉଛି ଆମର ପୂର୍ବଜନ୍ମ ଓ ଏଇ ଜନ୍ମର ବିଭିନ୍ନ କାମ ବା କର୍ମର ପରିପ୍ରକାଶ ।

 

ଗଣନାକାର ଶ୍ରୀ ଗୋଲକବିହାରୀ ଦାସଙ୍କର ଭାଣିଜୀ ପ୍ରତିମାଦେବୀ ବିଭାଘରର ଆଠମାସ ମଧ୍ୟରେ କଲିକତା ମହାନଗରୀରେ ମରିଗଲେ ।

 

ମାମୁଁ ଜାତକ ଦେଖି ଜାଣିଥିଲେ ଯେ ଏଇ ଜାତକ ଦୀର୍ଘାୟୁ ନୁହେଁ । ହେଲେ ମଧ୍ୟ କୌଣସି କାରଣରୁ ସେ ସ୍ପଷ୍ଟ ଓ ନିର୍ଦ୍ଦିଷ୍ଟ ପ୍ରକାରର ପରମାୟୁର ହିସାବ କରି ନଥିଲେ ।

 

ଝିଅର ବିଭାଘରେ ପଦସ୍ଥ ଜୋଇଁଙ୍କର ମର୍ଯ୍ୟାଦା ରଖି ପାଖାପାଖି ଲକ୍ଷେ ଟଙ୍କା ଖର୍ଚ୍ଚ କରିଥିଲେ । ଝିଅର ବାପା ଏଇ ସବା ସାନ ଝିଅଟିକୁ ଖୁବ୍‌ ଗେହ୍ଲା କରିଥିଲେ । ସେ ମରିଯାଇଥାନ୍ତି-

 

ଝିଅ ମଧ୍ୟ ଉଚ୍ଚ ଶିକ୍ଷିତା ।

 

କଲିକତାରେ ମଧ୍ୟ ଝିଅ ପ୍ରତିମା ଦେବୀଙ୍କର ମାଆ ରହୁଥାନ୍ତି ଝିଅ ପାଖରେ ।

 

ନୂଆ ନୂଆ ବେଳେ ଘଟକ ଜରିଆର ବିଭାଘରେ ପୁଅ ଓ ବୋହୂଙ୍କର ପରସ୍ପର ମନର ମିଳନ ହେବାକୁ ସମୟ ଲାଗେ । ଖାଲି ହାତଗଣ୍ଠି ପକାଇ ଅଗ୍ନି ପାଖରେ ସାତପାଦ ଚାଲିଲେ ପୁରୁଷ ଓ ସ୍ତ୍ରୀଙ୍କର ମନ ମିଶେ ନାହିଁ । ବିଶେଷରେ ଯେଉଁଠି ପୁରୁଷ ଓ ସ୍ତ୍ରୀ ପ୍ରାପ୍ତବୟସ ପଚିଶି ପାଖାପାଖି ହୋଇଥାନ୍ତି ସେଠି ସଂପର୍କର ତାତ୍କାଳିକ ମୋହ ଓ ନିଜ ନିଜର ବିଚାରର ସମୀକ୍ଷା ମଧ୍ୟ ତାହାର ପ୍ରଭାବ ପକାଏ ।

 

ଘଟକ ମାଧ୍ୟମରେ ହେଉଥିବା ବିବାହରେ ଉଚ୍ଚଶିକ୍ଷିତା ଓ ପଦସ୍ଥ ସ୍ୱାମୀ ସ୍ତ୍ରୀ ଭିତରେ ବନ୍ଧୁତା ଗଢ଼ିଉଠିବା ସାମାନ୍ୟ ସମୟ ଖୋଜେ ।

 

ହାଣ୍ଡିରେ ପରିବା ଚଢ଼େଇ ଦେଇ ନିଆଁ ଜାଳିଲେ ଆମର ଇଚ୍ଛା ଅନୁସାରେ ପରିବାଟା ଖାଇବାଯୋଗ୍ୟ ହୋଇଯିବ ନାହିଁ । ସେଥିପାଇଁ କିଛି ସମୟ ଦରକାର । ସେଥିରେ ମଧ୍ୟ ଦୁଇପକ୍ଷର ମୁରବି ଓ ଶୁଭାକାଂକ୍ଷୀଙ୍କର ସହଯୋଗ ଦରକାର ।

 

ପରିବା ଚୁଲିରେ ବସିଲାବେଳେ ଯଦି ଘରେ ପାଟି ହେବ ଯେ ଚଞ୍ଚଳ ଓହ୍ଲେଇ ରଖିଦେଇ ଚା’ କପେ ବା ଓଭାଲଟିନ ଦୁଧ କପେ ମତେ ଦେଲେ ମୁଁ ବାହାରକୁ ଯିବି । ତେବେ ତରକାରୀ ଯାହା ଯେମିତି ହବ ସବୁ ରାନ୍ଧୁଣିଆ କହି ଦେଇପାରିବେ । ରେଡ଼ିଓ ଗୀତ ବା ଟି.ଭି.ର ଛବି ଆଗରେ ବସି ପଢ଼ା ବହିକୁ ଚାହିଁ ପରୀକ୍ଷା ଦେବାକୁ ଯିବା ପରି ।

 

କିନ୍ତୁ ସମାଜ ଏମିତି ହେଇଛି ଯେ କାହାରିକୁ ତର ସହୁ ନାହିଁ । ସମସ୍ତେ ଯେ କୌଣସି ପ୍ରକାରରେ ବିଭାଘର ସାରିଦେଇ ନିଜ ନିଜର ମତକୁ ନେଇ ପରଘରେ ଚଳିବାକୁ ତିଆର ।

 

ଝିଅଘର ଖୋଜୁଛନ୍ତି ଯେ ବାହାଘର ପରେ ପରେ ଜୋଇଁ ଝିଅକୁ ପାଇ ଆକାଶର ଚାନ୍ଦକୁ ପାଇଲା ପରି ହେବ । ଆଉ ଝିଅର ମାଆ ଝିଅ ଜୋଇଁଙ୍କୁ ନିଜର କାନିରେ ବାନ୍ଧି ଦେଇ ନିଜ ଘରେ ରଖିବ ।

 

ଏଇ ପ୍ରକାରର ଅହେତୁକ ଇଚ୍ଛା ବିରୁଦ୍ଧରେ ଆମର ଓଡ଼ିଆ ସମାଜରେ ନିୟମ ଚଳୁଥିଲା ଯେ ବାହାଘରର ବର୍ଷ ପୂରିବାଯାଏ ଝିଅ ତାହାର ବାପ ଘରକୁ ଯିବ ନାହିଁ । ଏବେ ସମସ୍ତେ ତାଙ୍କର ଅସାମାନ୍ୟ ବିଚାରରେ ଏହି ନିୟମକୁ ଭାଙ୍ଗି ଦେଉଛନ୍ତି ।

 

ପ୍ରତିମା ଦେବୀଙ୍କ ପାଇଁ ମାମୁଁ ଗୋଲକବାବୁ ଦୁଇଟି ଛୋଟ ବ୍ୟବସ୍ଥା ଦେଇଥିଲେଗୋଟିଏ ମହା ମୃତ୍ୟୁଞ୍ଜୟ ମନ୍ତ୍ରକୁ ଜପିବା ପାଇଁ ଓ ଆରଟି ହେଲା ଗୋଟାଏ ମୁକ୍ତା ପିନ୍ଧିବା ପାଇଁ ।

 

କିନ୍ତୁ ଏଇ ଦୁଇଟିଯାକ ଗୋଲକବାବୁଙ୍କର ଭଉଣୀ ଓ ଭାଣିଜୀ ପାଳିଲେ ନାହିଁ । ପାଳିଥିଲେ କ’ଣ ହୋଇଥାନ୍ତା ସେଇ ପ୍ରଶ୍ନର ଉତ୍ତର କେହି ଦେଇପାରିବ ନାହିଁ ।

 

ଏଇ ପ୍ରତିକାରକୁ ଗ୍ରହଣ କରିବା ଓ ନକରିବାର ମାନେ ହେଉଛି ଯୋଗ । ଆଉ ଯୋଗର ଅର୍ଥ ହେଲା ଅବଶ୍ୟ ଘଟିବାକୁ ଥିବା କଥା ।

 

ଆମର ଶାସ୍ତ୍ର ବି ସେଇଆ କହୁଛି ଯେ ସଂସାର ମଧ୍ୟରେ କାଳ ବା ଦୁର୍ଯ୍ୟୋଗ ବା ଧ୍ୱଂସ ବୁଲୁଥିଲେ ବି ପ୍ରାଣୀ ଦେଖି ନ ଦେଖିଲା ପରି ରହେ ।

 

କଟକର ଜଣେ ଜିଲ୍ଲା ଜଜ୍‌ଙ୍କର ପଦସ୍ଥ ଜୋଇଁ । ଝିଅର ଦୁଇଟି ପିଲା । ସଂସାର ଭଲରେ ଚାଲିଛି ।

 

ଘରକୁ ଜଣେ ଭଲ ଜ୍ୟୋତିଷ୍କ ଆସିଥିଲେ । ବାପା ଯେତେବେଳେ ଜଣେ ପ୍ରତିଷ୍ଠିତ ଜଜ୍‌ ସେତେବେଳେ ଉପଯୁକ୍ତ ଲୋକ ଆସିବା କଥା ।

 

ଜଜ୍‌ ସାହେବଙ୍କର ଝିଅଟି ଗଣକଙ୍କୁ ପଚାରିଲାକୁହନ୍ତୁ ମୁଁ ବିଧବା ହେବି କି ?

 

ଗଣନା କରି ଉତ୍ତର ଦେଲେମାଆ । ତୁମର ପରମାୟୁ ଅଧିକ । ଅନେକ ବର୍ଷ ପରେ ତୁମର ବୈଧବ୍ୟ ଯୋଗ ପଡ଼ିପାରେ ।

 

କଥା ଏତିକି । ଝିଅଟି ସେତିକିରେ ମନ ଭିତରେ ବିଚଳିତ ହେବାକୁ ଆରମ୍ଭ କଲା । କ’ଣ ସେ ବିଧବା ହୋଇଯିବ ? ସଧବାରେ ମରିପାରିବ ନାହିଁ ?

 

ଏଇ ଏତକ କଥା ଶୁଣି ସେ ଧନ୍ଦି ହେବାରେ ଲାଗିଲେ । ଦିନେ ସେ ନିଦ ବଟିକା ଖାଇଦେଲେ । ଆତ୍ମହତ୍ୟା ପରେ ସେ ସଧବାରେ ତ ମରିବେ ।

 

ଜଣାପଡ଼ିଲା । ଚିକିତ୍ସାରେ ସେ ଭଲ ହୋଇଗଲେ । ତେଣିକି ତାଙ୍କର ମନରେ ଆସିଲା ଯେ ଗଣକ ଠିକ୍‌ କହିଛନ୍ତିତାଙ୍କର ଅବଶ୍ୟ ବୈଧବ୍ୟ ଯୋଗ ଅଛି ।

 

ସେ ପୁଣି ଥରେ ନିଦ ବଟିକା ଖାଇଲେ । କିନ୍ତୁ କେମିତି କ’ଣ ହେଲାଜଣା ପଡ଼ିଗଲା-। ଅଳ୍ପରେ ସେ ବିପଦରୁ ପାର ହୋଇଗଲେ । କିନ୍ତୁ ସେ ସ୍ଥିର ନିଶ୍ଚିନ୍ତ ହେଇଗଲେ ଯେ ଅବଶ୍ୟ ବିଧବା ହେଇଯିବେ ।

 

ବିଧବା ହେଇ ବଞ୍ଚି ରହିବାରେ ଲାଭ କ’ଣ ? ଯଶ ନାହିଁ । ଅଛି କେବଳ ଅପଯଶ । ଶୁଭକର୍ମରେ ତାଙ୍କର ସ୍ଥାନ ନାହିଁ । ବିଧବାର ଗୌରବ ନାହିଁ ।

 

ତୃତୀୟ ଥର କେମିତି କେମିତି ସେ ଯଥେଷ୍ଟ ପରିମାଣରେ ନିଦ ବଟିକା ଯୋଗାଡ଼ କରି ଖାଇଦେଲେ । ସେଇଥର ସେ ଚିର ବିଦାୟ ନେଲେ ।

 

ଗଣକଙ୍କର ଗଣନା ଭୁଲ୍‌ ହେଲା । ଗଣକ ଆସିଥିବାରୁ ତାଙ୍କ ମନରେ ସଧବା ମୃତ୍ୟୁଯୋଗ ବା ଅହିସୁଲକ୍ଷଣୀ ଯୋଗକୁ ଧରିବା ପାଇଁ ଇଚ୍ଛା ହେଲା । ନିଜର ପିଲା ଦୁଇଟିଙ୍କ କଥା ମଧ୍ୟ ସେ ଭାବି ପାରିଲେ ନାହିଁ । ଗଣନା ଭୁଲ୍‌ ହୋଇଗଲା ।

 

ମୋର ମନରେ ପ୍ରଶ୍ନ ଆସିଥିଲା ଯେ ମୋର ଭଣଜା ବୋହୂ ଅମିତା ମରିଗଲା କାହିଁକି-? ଭଉଣୀ ଘରୁ ଜାତକ ମଗାଇଲି ସମୀକ୍ଷା କରାଇବା ପାଇଁ । ସମୁଧୀ ବ୍ରଜବଲ୍ଲଭ ବାବୁ ଜାଣିପାରିଲେ ନାହିଁ କେମିତି ? ବୀର ହନୁମାନ ଶାସ୍ତ୍ରୀ ବୁଝି ଠଉରେଇ ପାରିଲେ ନାହିଁ କାହିଁକି-?

 

ପ୍ରତିମା ଦେବୀଙ୍କର ମୃତ୍ୟୁରେ ମାମୁଁ ଗୋଲକବାବୁ କହୁଥିଲେ ଯେ ଦୀର୍ଘାୟୁ ନ ହେଲେ ବି ପ୍ରତ୍ୟେକ ନାରୀର କାମନା ଥାଏ ପତ୍ନୀ ହେବାକୁ । ତେଣୁ ପରମାୟୁ ବିଚାର କରି ବିବାହ ବନ୍ଦ କରିବା ଉଚିତ ନୁହେଁ ? ବିଭାଘର ହେଇଯାଉ । କିନ୍ତୁ ଆଠମାସରେ ଝିଅଟି ଚାଲି ଯାଇପାରେଏପରି ସନ୍ଦେହ ଆସିଲା ନାହିଁ ତ ।

 

ଏମିତି କ’ଣ ଶାସ୍ତ୍ର ଯେ ଘଟଣା ଘଟିଲା ପରେ ମଧ୍ୟ ବୁଝା ଯିବ ନାହିଁ । ଅମିତାର ଜାତକ ଅଣାଇଲି । ଜନ୍ମ ସମୟ ନାହିଁ । କୁଣ୍ଡଳୀ ଅଛି । ସମୁଦୀଙ୍କୁ (ସମୁଦିଙ୍କୁ) ଜାତକ ମାଗିଲେ ସେ ବିରକ୍ତ ହେବେ । ତେଣୁ ମିଳିଥିବା ତଥ୍ୟକୁ ନେଇ ବିଶିଷ୍ଟ ଗଣକ ପଣ୍ଡିତ ଚନ୍ଦ୍ରମଣି ତ୍ରିପାଠୀ, ପଣ୍ଡିତ ସତ୍ୟନାରାୟଣ ମିଶ୍ର ଓ ଶ୍ରୀ ଗୋଲକ ବିହାରୀ ଦାସଙ୍କୁ ପରମାୟୁ ସମୀକ୍ଷା ଓ ଚଉରାଅଶି ମସିହାର ବିବାହ ଯୋଗ ଓ ଜୀବନର ରୂପରେଖ ପଚାରିଲି ଆବଶ୍ୟକୀୟ ଶୁଳ୍‌କ ଦେଇ ।

 

ଜନ୍ମ ଫେବୃୟାରୀ ବାଆର ୧୯୬୧

 

ଫାଲ୍‍ଗୁନ କୃଷ୍ଣପକ୍ଷ ତ୍ରୟୋଦଶୀ

 

ଅର୍କବାସରେ ପୁରୀରେ ।

 

ଟିପପ୍‌ଣୀରୁ ମିଳିଲା

 

ରାଶି ନକ୍ଷତ୍ର ୨୦/୯ । ଲଗ୍ନଧନୁ ।

 

ଲଗ୍ନରେ ଶନି ଚନ୍ଦ୍ର, ବୃହସ୍ପତି ।

 

କୁମ୍ଭରେ ରବି, ବୁଧ, କେତୁ ।

 

ମୀନରେ ଶୁକ୍ର । ମିଥୁନରେ ମଙ୍ଗଳ । ସିଂହରେ ରାହୁ । ଛଅଟି ଘରମେଷ, ବୃଷ, କର୍କଟ, କନ୍ୟା, ତୁଳା, ବିଛା, ମକର ରାଶିରେ ଗ୍ରହ ନାହାନ୍ତି ।

 

ଜନ୍ମକୁ ଶୁକ୍ର ମହାଦଶା ବାକିଥିଲା ପାଞ୍ଚମାସ ଅଠର ଦିନ ।

 

ଏହାରି ଉପରେ ପଣ୍ଡିତ ଚନ୍ଦ୍ରମଣି ତ୍ରିପାଠୀ ଓ ଶ୍ରୀ ଗୋଲକ ବିହାରୀ ଦାସ ଗଣନା କରି ଯାହା ସବୁ କହିଲେ ସେଥିରେ ଯେ ଅମିତା ଅଗଷ୍ଟ ଚଉଦ ଚଉରାଅସି ମସିହାରେ ମରିପାରେଏତକ କହିଲେ ନାହିଁ ।

 

ସେଇଠୁ ପଣ୍ଡିତ ସତ୍ୟନାରାୟଣ ମିଶ୍ରଙ୍କୁ ଦେଲି । ସେ ଜାତକ ସଂଶୋଧନ କଲେ । ଶୁକ୍ର ମା ୫/୧୮ ଦିନ ଅବଶିଷ୍ଟ ନୁହେଁ । ଏହା ପଣ୍ଡିତ ମିଶ୍ରଙ୍କ ଗଣନାରେ ହେଲା ଶୁକ୍ର ମହାଦଶା ଅବଶିଷ୍ଟ ବ ୨।୦।୧୫ ଦିନ ଆଉ ଧନୁରେ ଲଗ୍ନ ସାଙ୍ଗରେ କେବଳ ଚନ୍ଦ୍ର । ଶନି ବୃହସ୍ପତି ମକରକୁ ଯିବେ । ଏହାଛଡ଼ା ହରସେଲ, ୟୁରେନସ, ନେପଚ୍ୟୁନ ଆଦି ଯୋଗ କଲେ ।

 

ତାଙ୍କୁ ମଧ୍ୟ କେବଳ ଚଉରାଅଶି ମସିହା କଥା ଓ ବିବାହଯୋଗ ଓ ବିବାହ ଜୀବନ ପଚରା ଯାଇଥିଲା । ସେ ପଞ୍ଚାଅଶି ଯାଏ କିଛି ଗଣନା ମଧ୍ୟ ଦେଲେ । କିନ୍ତୁ ମରଣ କଥା କହିଲେ ନାହିଁ ।

 

ପ୍ରତ୍ୟେକଙ୍କୁ ଫଳ ଶୁଣିବା ପରେ ଜାତକ ମରିଯାଇଥିବାର ଜଣାଇଥିଲି । ପଣ୍ଡିତ ତ୍ରିପାଠୀ କହିଥିଲେ ଯେ ଲଗ୍ନରେ ପ୍ରମାଦ ଅଛି, ଧନୁଲଗ୍ନ ନହୋଇ ବିଛାଲଗ୍ନ ହେବ । ଗୋଲକବାବୁ କହିଲେ ଯେ ଲଗ୍ନ ଧନୁ ନ ହୋଇ ମକର ହେବା ସମ୍ଭବ । ପଣ୍ଡିତ ମିଶ୍ରଙ୍କୁ ସୁବିଧାରେ ତାତ୍ତ୍ୱିକ ସମୀକ୍ଷା କରିବାକୁ ଅନୁରୋଧ କରିଥିଲି ।

 

ମୋର ମନରେ ପ୍ରଶ୍ନ ଆସେ ଯେ ଗୋଟିଏ ଜାତକର ଗଣନାରେ ଏତେ ଅନୁଭବୀ ଓ ସିଦ୍ଧ ଗଣକମାନେ ଓ ମୋର ଅତ୍ୟନ୍ତ ବିଚକ୍ଷଣ ସମୁଧୀ ବ୍ରଜବଲ୍ଲଭ ବାବୁ ପ୍ରମାଦରେ ପଡ଼ିଲେ କେମିତି ? ପଡ଼ିଗଲେ ତ ନିଶ୍ଚିତରେ ।

 

ସମୁଧୀ ଅତ୍ୟନ୍ତ ତଳୁ ଉଠି ଉଠି ପ୍ରଥମଶ୍ରେଣୀ ଅଫିସର ହେଲେଣି । ବିଭାଘର ପାଇଁ ସେ ସରକାରରୁ ଋଣ ନେଇ କିସ୍ତି ଶୁଝୁଛନ୍ତି । ତାଙ୍କ ମନରେ ସାମାନ୍ୟ ସନ୍ଦେହ ଆସିଥିଲେ ସେ ଖୁସିରେ ଓ ପରସ୍ପର ରାଜିରେ ବିବାହକୁ ଅପ୍ରେଲରୁ ଦଶ ଆଠମାସ ଗଡ଼ାଇଦେଇ ପାରିଥାନ୍ତେ ।

 

କିନ୍ତୁ ଯୋଗ ବାଟ କଢ଼ାଇ ନେଇଛି । ଭବିତବ୍ୟ ଘଟିଛି ।

 

ଝିଅର ଶାଶୁ ଶ୍ରୀମତୀ ପୂଣ୍ୟପ୍ରଭା ନିର୍ଭର କରି ରହିଗଲା ସମୁଧୀ ବ୍ରଜବାବୁଙ୍କ ଉପରେ-। ସେ ଝିଅର ମଙ୍ଗଳ ପାଇଁ ଅବଶ୍ୟ ଉପଯୁକ୍ତ ସମୀକ୍ଷା କରାଇବେ ଓ କରାଇବାର କଥା ।

 

ପୁଅର ଯୋଡ଼ ବିଯୋଡ଼ ଦିନର ଆପତ୍ତି ମଧ୍ୟ ଉଭୟେ ମିଶି ଭାଙ୍ଗିଦେଲେ । ପୁଅଟି ତାହାର ସ୍ତ୍ରୀର ଅକାଳ ମରଣରେ ଚିରଦିନକୁ ସନ୍ତପ୍ତ ହୋଇରହିଲା । ତାହାର ମନରୁ ଏହି ଦାଗ କେବେହେଲେ ଲିଭିବ ନାହିଁ ।

 

ଅପ୍ରେଲ ବାଇଶି ଚଉରାଅଶି ମସିହା ।

 

ଓଡ଼ିଶାର ବୋର୍ଡ଼ ଅଫ୍‌ ରେଭିନିଉର ଷ୍ଟାଣ୍ଡିଂ କାଉନସେଲ ଶ୍ରୀ ଧୃବଚରଣ ସାହୁଙ୍କର ବଡ଼ ପୁଅ ଆସାମର କାନପୁର କଲେଜର ଅଧ୍ୟାପକ ଲଲାଟେନ୍ଦୁ ସାହୁଙ୍କର ରାଞ୍ଚିରେ ବାହାଘର । ଆଗଦିନ ବରଯାତ୍ରୀରେ ଯିବା କଥା । କେତେକ ବିଶିଷ୍ଟ ଆଡ଼ଭୋକେଟ ବନ୍ଧୁ ମତେ ନେବା ପାଇଁ ଜିଗର କରୁଥାନ୍ତି ।

 

ମୁଁ ମନା କଲି । ଭଣଜା କହିଯାଇଛି, ମୁଁ ତାହା ବାହାଘରକୁ ନ ଗଲେ ସେ ମନଦୁଃଖ କରିବ ।

 

ସେମାନେ କହିଲେ ଯେ ମୋର ଭଉଣୀ ମତେ ମାମୁଁ ଡାକରା କରି ନ ଥିଲା ବେଳେ ଓ ବାହାଘର ପ୍ରସ୍ତାବରେ ସାମାନ୍ୟ ମତାମତ ଓ ସହଯୋଗ ଲୋଡ଼ି ନ ଥିଲା ବେଳେ ମୋର ଭଣଜା ବିଭାଘରେ ଲଣ୍ଡଭଣ୍ଡ ହେବା ଅପ୍ରାସଙ୍ଗିକ ।

 

ଯାହାହେଉ ଯିଏ ଯେପରି ଭଲ କି ମନ୍ଦ ବ୍ୟବହାର ଦେଖାଇଥାନ୍ତୁ ନିଜର କର୍ତ୍ତବ୍ୟ ସଂପାଦନ ନ କରିବା ଭୁଲ । ସମୁଧୀ ବ୍ରଜବାବୁ ମଧ୍ୟ ମୋ’ ସହିତ ଉପରଠାଉରିଆ ସହଯୋଗ ରଖି ନଥାନ୍ତି । କାରଣ ସେ ବୁଝିଥିଲେ ଯେ ଏଇ ବିଭାଘରେ ମୁଁ ଜଣେ ଅଦରକାରୀ ଓ ଅପ୍ରାସଙ୍ଗିକ ଲୋକ ।

 

ବିଭାଘରର ଜାଇ ଅନୁକୂଳରେ ମୁଁ ନିମନ୍ତ୍ରିତ ନୁହେଁ । ବିଭାଘରର ଆୟୋଜନରେ ମୁଁ ଅପ୍ରାସଙ୍ଗିକ । ବିଭାଘର ନିର୍ବାଚନରେ ମୁଁ ଅଦରକାରୀ ଲୋକ । ମଙ୍ଗନହାଣ୍ଡି ବସାଇବାରେ ମୋର ସ୍ତ୍ରୀ ଶୈଳଦେବୀଙ୍କର ପ୍ରୟୋଜନ ପଡ଼ିଥିଲା ।

 

ମୁଁ ଯେତେବେଳେ ଏତିକି । ମୋର ଲୋକ ତା’ଠାରୁ କମ୍‌ । ଏକା ମୁଁ କାହିଁକି ମୋର ସାନଭାଇ ମଧ୍ୟ ମୋରି ପାହାଚରେ ।

 

ଏଇଟା ତ ଚଉରାଅଶିର ସଂସାର । ପ୍ରତ୍ୟେକ ନିଜ ନିଜର ଆୟ ବ୍ୟୟରେ ସ୍ୱୟଂ-ସଂପୂର୍ଣ୍ଣ । ତେଣୁ ଜ୍ଞାତି ବା ବନ୍ଧୁ ତାତ୍କାଳିକ ନ୍ୟାୟରେ ବିଚାର ହେବାର କଥା ।

 

ଏଇ ନ୍ୟାୟରେ ଆମେମାନେ ଅପ୍ରାସଙ୍ଗିକ । କିନ୍ତୁ ପ୍ରାସଙ୍ଗିକ ହେଉଛନ୍ତି ବୋହୂ ଅମିତାର ପରିବାର । ଅମିତାର ମଉସାମାନେ ହେଲେ ବଡ଼ ।

ସେମାନେ ହେଲେ ପୁରୀର ଏ.ଡ଼ି.ଏମ୍‌. ଶ୍ରୀ ଗୁରୁପ୍ରସାଦ ମହାନ୍ତି ଓ ତାଙ୍କର ସ୍ତ୍ରୀ ଜ୍ୟୋତ୍ସ୍ନାଦେବୀ । ସେ ସାହିତ୍ୟିକ ଅଧ୍ୟାପକ ପଠାଣି ପଟ୍ଟନାୟକଙ୍କର ଦୂର ସଂପର୍କୀୟ । ଗୁରୁବାବୁ ପୁରୀ ବଡ଼ ଦେଉଳର ଚାରିବର୍ଷ ପ୍ରଶାସନରେ ଥିଲେ ।

ଜଣେ ମାମୁଁ ଶ୍ରୀ ଶରତଚନ୍ଦ୍ର କାନୁନ୍‌ଗୋ । ସେ ଭୁବନେଶ୍ୱର ଶିକ୍ଷା କଲେଜର ପ୍ରଥମ ଶ୍ରେଣୀ ଅଫିସର ଓ ଅଧ୍ୟକ୍ଷ ।

ଆଉ ଜଣେ ମଉସା ଶ୍ରୀ ବିଜନ ବିହାରୀ ରାୟ ଓଡ଼ିଶା ହାଇକୋଟ ବାରର ପୂର୍ବତନ ସଂପାଦକ ଓ ଏବେ ଓଡ଼ିଶା ସରକାରଙ୍କର ହାଇକୋଟରେ ଗଭର୍ଣ୍ଣମେଣ୍ଟ ଆଡ଼ଭୋକେଟ ।

ଆଉ ଜଣେ ହେଲେ ପୁରୀର ଏବେ ଥିବା ତହସିଲଦାର ଶ୍ରୀଯୁକ୍ତ କାନୁନ୍‌ଗୋ ।

ଆଉ ଜଣେ ମାମୁଁ ଭୁବନେଶ୍ୱର ଅବକାରୀ ସୁପରିନ୍‌ଟେଣ୍ଡେଣ୍ଟ ଶ୍ରୀ ରାମଚନ୍ଦ୍ର କାନୁନ୍‌ଗୋ । ତାଙ୍କର ସାଧୁତା ଓ ସ୍ପଷ୍ଟବାଦିତା ପାଇଁ ଯଥେଷ୍ଟ ସୁନାମ ଅଛି ।

ଏହାଛଡ଼ା ଏମିତି ଛନ୍ଦାଛନ୍ଦି ହୋଇ ଗୋଟିଏ ଛୋଟକାଟିଆ ଦଳକଟକ ଜିଲ୍ଲାର ତିଗିରିଆ ପରି ।

ଅମିତାକୁ ଯୋଗ କଢ଼ାଇ ନେଇଥିଲା ପୂଣ୍ୟପ୍ରଭାଙ୍କର ଘରକୁ । ପୂଣ୍ୟପ୍ରଭାଙ୍କର ପୁରୀର ଘୋଡ଼ାବଜାରରେ ଖଣ୍ଡେ ଛୋଟ ଘର ଅଛି । ସେଠି ଚାରିବର୍ଷ ଭଡ଼ାରେ ଥିଲେ ଅମିତାର ମଉସା ଗୁରୁପ୍ରସାଦବାବୁ ଓ ମାଉସୀ ଜ୍ୟୋତ୍ସ୍ନାଦେବୀ ।

 

ଜ୍ୟୋତ୍ସ୍ନାଦେବୀ ଏଇ ଅମିତାକୁ ବୋହୂ କରି ପଠାଇଥିଲେ ପୂଣ୍ୟପ୍ରଭା ଦେବୀଙ୍କ ଘରକୁ-। ଗୁରୁବାବୁ ଏଥିରେ ଏକମତ ନ ଥିଲେ । କିନ୍ତୁ କରଣ ସମାଜରେ ସ୍ତ୍ରୀର ମତ ହେଲା ସୁପ୍ରିମକୋଟ ରାୟ । ଏଥିପାଇଁ ଇଂରାଜୀରେ ହେନ୍‌-ପେକଡ଼୍‍ ବା ମାଇପବୋଲା ମାଇଚିଆଙ୍କର ସଂଖ୍ୟା ଓଡ଼ିଆ କରଣ ସମାଜରେ ବହୁତ ବେଶି । ତାଲିକା କରିବାକୁ ଓଡ଼ିଶା ସରକାରଙ୍କର ସିଭିଲ ଲିଷ୍ଟ ସାହାଯ୍ୟ ନେଲେ ବହୁତ ନାମ ମିଳିଯାଏ ।

 

କିନ୍ତୁ ଏମାନେ ସ୍ତ୍ରୈଣ ନୁହନ୍ତି । ସ୍ତ୍ରୈଣ ହେବାପାଇଁ ଅଧିକ ପୁରୁଷକାର ଆବଶ୍ୟକ । ମାତ୍ର ମାଇପବୋଲା ହେବା ପାଇଁ ଅଳ୍ପ ପୁରୁଷକାର ଯଥେଷ୍ଟ । ବଙ୍ଗଳାରେ ମାଇପ ବୋଲା ଶବ୍ଦ ନାହିଁ ।

 

ଏଇ ହେନ୍‌-ପେକଡ଼୍‍ ଚିହ୍ନିବାକୁ ପୁରୀ ଜିଲ୍ଲା ଜାଆଁଳା ସହରର କରଣ ଶ୍ରୀମତୀ ପ୍ରେମଲତା ଦେବୀ ଗୋଟିଏ ସୂତ୍ର ଜାଣନ୍ତି ।

 

ସୂତ୍ର ହେଲାଟିଣା ବା ଟିଙ୍ଗାମାନେ ମୋଟେ ହେନ୍‌-ପେକଡ଼୍‍ ହୁଅନ୍ତି ନାହିଁ । ଯେଉଁମାନେ ଭାରି ଚାଲାଖ ପଡ଼ି ଚାଲାଖିରେ ସଂସାରକୁ ଜିତି ଯିବାକୁ ଉଦ୍ୟମ କରନ୍ତି ସେଇମାନେ ବାଧ୍ୟରେ ହେନ୍‌-ପେକଡ଼୍‍ ହୁଅନ୍ତିଓକିଲ ବା ପୁଲିସର ୟୁନିଫର୍ମ ପରି ।

 

ମୋର ସମୁଧୀ ବ୍ରଜବାବୁ ଥିଲେ ବିଷୟୀ ଓ ବୁଦ୍ଧିମାନ ଶ୍ରେଣୀର କରିତକର୍ମା ଲୋକ । ତେଣୁ ତାଙ୍କର ପରିବାରର କେନ୍ଦ୍ରବିନ୍ଦୁ ଥିଲେ ସ୍ତ୍ରୀମୋର ସମୁଦୁଣୀ ଭାଇବୋହୂ ଶାନ୍ତିଦେବୀ । ସମୁଦି ତାଙ୍କର ବଚସ୍କର । ତେଣୁ ଯୋଗାଯୋଗ ମଧ୍ୟ ଆଦର୍ଶ ।

 

ମଉସା ଗୁରୁବାବୁ ବିରକ୍ତ ହୁଅନ୍ତି ଘରବାଲା ପୂଣ୍ୟପ୍ରଭା ଦେବୀଙ୍କର ବ୍ୟବହାରରେ । ନଡ଼ିଆ ଗଛରୁ ନଡ଼ିଆ ପାରି ନେଲାବେଳେ କହିବେଯାହା ନଡ଼ିଆ ଝଡ଼ିଥିବ ସେତକ ତୁମେ ରଖ-। ମୁଁ ଗଛ ନଡ଼ିଆଯାକ ପାରି ନେଉଛି । ହେଲେ ବି ଶାଶୁର ଏଇ ଛୋଟଲୋକିଆ କଥାକୁ ଧରିଲେ ଅମିତାର ଭବିଷ୍ୟତ୍‌ ଭଲ ହେବ ନାହିଁ ।

 

ଜ୍ୟୋତ୍ସ୍ନାଦେବୀଙ୍କର ପ୍ରଗାଢ଼ ଯତ୍ନ ଓ ଚେଷ୍ଟାରେ ଓ ଭଉଣୀ କୁନି ଦେବୀ ଓ ଭିଣୋଇ ଶ୍ରୀ ବିଜନ୍ ରାୟଙ୍କର ସମର୍ଥନରେ ଅମିତା ଚଳିତ ବୈଶାଖ ମାସରେ ପୂଣ୍ୟପ୍ରଭା ଦେବୀଙ୍କର କଟକ ମଙ୍ଗଳାବାଗ କୋଠାକୁ ତାଙ୍କର ଏକମାତ୍ର ପୁଅ ଶୁଭେନ୍ଦୁ ଓରଫ ଜୀବନ ଓରଫ ବବିର ସ୍ତ୍ରୀ ହୋଇ ଆସିଲା ।

 

ୟା’କୁ କହନ୍ତି ଯୋଗ । ଏଇ ଯୋଗ ଉପରେ ବିଧାତା ଲଗାଇଥାନ୍ତି । ତେଣୁ ବିବାହକୁ ସବୁ ଦେଶରେ କୁହାଯାଏ ମଣିଷର ନିୟତି, ଅଦୃଷ୍ଟ ଓ ଭାଗ୍ୟ । ଏହାର କର୍ତ୍ତା ସ୍ୱୟଂ ଈଶ୍ୱର ।

 

ଫ୍ରାନ୍‌ସର ପ୍ରେସିଡେଣ୍ଟ ଜେନେରାଲ ଡିଗଲଙ୍କୁ ହତ୍ୟା କରିବାପାଇଁ ସେ ତାଙ୍କ ଘରକୁ ଗଲାବେଳେ ସବୁ ନିରାପତ୍ତା ବ୍ୟବସ୍ଥାକୁ ଅଚଳ କରି ପାରିସ ସହରର ଉଡ଼ାଜାହାଜ କଣ୍ଟ୍ରୋଲର ଗୋଟିଏ ନେଳି ସିଟ୍ରନ ମଟରଗାଡ଼ିରୁ ମେସିନ୍‌ଗନ୍‌ରୁ ଗୁଳି ଛାଇ ଦେଇଥିଲେ । ଡିଗଲ ବଞ୍ଚିଯାଇ କହିଲେଦେଖିଲ ତ ସେମାନେ ସିଧା ନିଶାଣ ଲଗାଇ ପାରୁ ନାହାନ୍ତି ।

 

ହତ୍ୟାକାରୀ ଧରା ପଡ଼ିଲେ ତାଙ୍କର ଦରାଜରେ ଚିରା ଟୁକୁରା କାଗଜରେ ଥିବା ଗୋଟିଏ ଟେଲିଫୋନ ନମ୍ବରରୁ । ଏଇ ଅଫିସର ନିଜ ଘରୁ ସେଦିନର ପ୍ରେସିଡେଣ୍ଟ ଡିଗଲଙ୍କର ଯିବା ରାସ୍ତାର ସୂଚନା ଦେଇଥିଲେ ।

 

ପୁଲିସ ଯେତେବେଳେ ସେଇ ବିମାନବାହିନୀର ପଦସ୍ଥ ଅଫିସରଙ୍କୁ ବନ୍ଦୀ କରି ଡିଗଲଙ୍କର ସ୍ତ୍ରୀଙ୍କୁ ଓ ପରିବାରକୁ ଦେଖାଇ ପଚାରିଲେଯେ ଏମାନେ ସ୍ୱାମୀ ଓ ପିତାଙ୍କୁ ହରାଇଲେ ତୁମର ପ୍ରତିକ୍ରିୟା କ’ଣ ହୁଅନ୍ତା ?

 

ବନ୍ଦୀ ଅଫିସର ଉତ୍ତର ଦେଇଥିଲେ ଯେ ସ୍ତ୍ରୀ ତାହାର ସ୍ୱାମୀର ଭାଗ୍ୟଡୋରିରେ ବନ୍ଧା । ସେଥିରୁ ସେ ଲାଭ ଯେମିତି ପାଏ, କ୍ଷତି ମଧ୍ୟ ସେମିତି ପାଇବ ।

 

କିନ୍ତୁ ଅନଗ୍ରସର ରାଜ୍ୟରେ ସ୍ତ୍ରୀର ଭାଗ୍ୟଡୋରିରେ ପୁରୁଷ ବନ୍ଧା । ସେ ସେଇ ସ୍ତ୍ରୀ ପାଇଁ ଯେମିତି ବଢ଼ିପାରେ ସେମିତି ମଧ୍ୟ ଛିଡ଼ିପାରେ ।

 

ଫରାସୀ ସମ୍ରାଟ ନେପୋଲିଅନଙ୍କୁ ହତ୍ୟା କରିବାକୁ ଅଣା ହୋଇଥିବା ଲୋକେ ଧରାପଡ଼ିଲା ପରେ ଫାସି ଦଣ୍ଡ ପାଇଲେ ।

 

ସେମାନେ ଯାଇ ଧରିଲେ ସମ୍ରାଜ୍ଞୀ ଯୋସେଫିନଙ୍କୁ । ସେମାନେ ସର୍ବସ୍ୱାନ୍ତ ହେଇଯିବେ-

 

ସ୍ୱାମୀଙ୍କର ହତ୍ୟାକାରୀଙ୍କ ତରଫରୁ ସ୍ତ୍ରୀ ଯୋସେଫିନ୍‌ କ୍ଷମାପ୍ରସ୍ତାବ ନେଇ ଦେଲାବେଳେ ନେପୋଲିଅନ୍‌ ସ୍ତ୍ରୀ’ଙ୍କୁ ଚାହିଁ କହିଲେତୁମେ ମଧ୍ୟ ମୋର ହତ୍ୟାକାରୀଙ୍କର ଦଳରେ । କିନ୍ତୁ ସେ ଯୋସେଫିନଙ୍କୁ ଏତେ ଶ୍ରଦ୍ଧା କରୁଥିଲେ ଯେ ନିଜର ହତ୍ୟାକାରୀମାନଙ୍କର ଫାସିଦଣ୍ଡକୁ ରଦ୍ଦ କରିଦେଲେ ।

 

ସମ୍ରାଜ୍ଞୀ ଯୋସେଫିନଙ୍କ ପରି ଓଡ଼ିଶାରେ ଅସଂଖ୍ୟ ନାରୀ କରଣ ସମାଜରେ ଭରି ରହିଛନ୍ତି । ସମସ୍ତେ କଟକର ପଛିକୋଟ ବା ପୁରୀର ମାଲୁଦ ପରି ଛୋଟ ଛୋଟ ରାଜ୍ୟ ସ୍ଥାପନ କରି ଶାସନ ଚଳାଇଛନ୍ତି । ଫଳରେ ଓଡ଼ିଶାର ଶାସନ ହେଉଛି ମାହାନ୍ତିଆଣୀମାନଙ୍କର ଶାସନର ଗୋଟିଏ ଫେଡ଼େରେସନ–କୋ–ଅପରେଟିଭର ଆପେକସ୍‌ ସୋସାଇଟି ପରି ।

 

ଏମାନେ କ୍ଷମତା ବିସ୍ତାର କରନ୍ତି ବାହାଘର ଜରିଆରେ । ଜୋଇଁଙ୍କୁ ନିଜ ଘରକୁ ଘୋଷାରି ଆଣିବା ହେଲା ଏମାନଙ୍କର କାମ ।

 

କଟକ ବସ୍ତିରେ ଏମିତି ହୁଏ । ଯଦି କେହି ସାହି ବସ୍ତିର ମେସ୍‌ ଅବା ଘରର ଅନ୍ତେବାସୀ ସାହିର ଝିଅକୁ ଛୁଇଁଦେଲା ତେବେ ହଠାତ୍‌ ଦେଖାଯାଏ ଯେ ସେଇ ଦୋଷୀର ସେ ବୋହୂ ହେଇଗଲାଣି ଚବିଶ ଘଣ୍ଟା ମଧ୍ୟରେ । ତେଣିକି ସେ ସରକାରରୁ ଅସବର୍ଣ୍ଣ ବିବାହ ପାଇଁ ପ୍ରଯୁକ୍ତ ଆଇନରୁ ଅନୁଦାନ ନେଉଥାଉ ।

 

ଏଇ ବାହାଘରଟିରେ ସେହିପରି କ୍ଷମତା ବିସ୍ତାର ପାଇଁ କୌଶଳ ଦୁଇ ସମୁଦୁଣୀ ଅର୍ଥାତ୍‌ ପୂଣ୍ୟପ୍ରଭା ଦେବୀ ଓ ଶାନ୍ତିଦେବୀଙ୍କ ମଧ୍ୟରେ ସୂତ୍ରପାତ ହେଲା । ଆଦ୍ୟ ଅବସ୍ଥା ହେଲା ଶୀତଳ ଯୁଦ୍ଧ ।

 

ପ୍ରତ୍ୟେକ ଶୀତଳ ଯୁଦ୍ଧର କୌଶଳୀ ସେନାପତି ଥାନ୍ତି । ସାମାଜିକ ଶୀତଳ ଯୁଦ୍ଧରେ ସେଇପରି ସେନାପତିତ୍ୱ ଓ ବୁଦ୍ଧିଦାତା ଗଣେଶ ହେଲେ କଚେରିର ଓକିଲ ।

 

କାରଣ ସେମାନେ ଆଇନ ଜାଣନ୍ତି । ଆଇନକୁ ବୁଝିଛନ୍ତି । ଆଇନକୁ ଚଳାଇବାରେ ପାରଙ୍ଗମ ।

 

ଆମେ ଯେମିତି ନନାଙ୍କୁ ଡକାଇ ତାଙ୍କର ଶ୍ଳୋକ ଓ ସ୍ତବଦ୍ୱାରା ତେତିଶି କୋଟି ଦେବତା ଓ ତେତିଶି କୋଟି ବାହନ, ଚାମୁଣ୍ଡା ଓ ଖୁଦୁରିଆ ଦେବତାଙ୍କୁ ପାଞ୍ଚ ତିନି ଟଙ୍କା ଦକ୍ଷିଣା ଦେଇ ଧରିନେଉ ସେମିତି ସାମାଜିକ ଶୀତଳ ଯୁଦ୍ଧରେ ନନା ହେଲେ କଳାକୋଟିଆ ଲୋକ ।

 

ଏଇ ଓକିଲ ପରାମର୍ଶ ନିଆ ହୋଇଥିଲା ଚଳିତ ବୈଶାଖ କୃଷ୍ଣ ସପ୍ତମୀ ତିଥିରେ ବାଇଶି ଅପ୍ରେଲ ଚଉରାଅଶିର ବିଭାଘରରେ ।

 

କାରଣ ହେଲା ଯେ ବରପକ୍ଷ ଅପେକ୍ଷାକୃତ ସ୍ୱଚ୍ଛଳ ଓ ଉତ୍ତରାଧିକାରୀ ଭାଇ ଓ ଭଉଣୀ-। ବର ପିତା ନିଜର ଓ ପୈତୃକ ଉଭୟ ଦିଗରୁ ଭଲରେ ଚଳନ୍ତି । କନ୍ୟାପକ୍ଷର ଅବସ୍ଥା ଅପେକ୍ଷାକୃତ ମନ୍ଦ ଓ ଉତ୍ତରାଧିକାରୀ ନଅ ଜଣଚାରି ପୁଅ ଓ ପାଞ୍ଚ ଝିଅ । ଏପରି ଅବସ୍ଥାରେ ଜୋଇଁ ବା ବରକୁ ଅକତିଆର କରି କବଜରେ ରଖିଲେ କ୍ଷତି ନାହିଁ । ବରଂ ଲାଭ ଅଛି । ତେବେ ଝିଅ ବାହାଘରର ଦୁଇ ତିନି ଦିନ ପରେ ତାହାକୁ ଅଶାନ୍ତି ଲାଗୁଛି ବୋଲି ଲେଖିବା ଆରମ୍ଭ କରୁ । ପ୍ରତିଦିନ ଲେଖି ଚିଠି ପଠାଇବା ସୁବିଧା ନ ହେଲେ ଏକାଠି ବାହାଘରକୁ ଆସି ଦଶ ପଚିଶି ଖଣ୍ଡ ଚିଠି ଲେଖି ଦେଇ ଯାଉ ।

 

ଘଟଣା ଅବିଶ୍ୱାସ ହେଲେ ବି ସତ । ଝିଅ ତାହାର ଶହେଦିନର ବିବାହିତ ଜୀବନରେ ଏକଷଠି ଖଣ୍ଡ ଚିଠି ଲେଖିଲା କେମିତି ? ଆଉ ଏତେ ଚିଠିରେ ତାହାର ବୁକୁଥରା ଅଭିଯୋଗ ପାଇଁ ବାପଘର ପ୍ରତିକାର ନ ଖୋଜିଲେ କାହିଁକି ? ଏହାକୁ ବୁଝିବାକୁ କେତେକ ତାରିଖ ଆବଶ୍ୟକ ।

 

(କ) ୨୨ । ୪ । ୮୪ବିବାହ

 

(ଖ) ୨୪ । ୪ । ୮୪ପୁଅ ବୋହୂ ଓ ବଂଧୁମିଳନ

 

(ଗ) ୨୫ । ୪ । ୮୪ଚତୁର୍ଥୀ

 

(ଘ) ୨୯ । ୪ । ୮୪ଅଷ୍ଟମଙ୍ଗଳା

 

(ଙ) ୭ । ୫ । ୮୪ଷୋଳମଙ୍ଗଳା

 

(ଚ) ୧୮ । ୫ । ୮୪ସତେଇଶି ଦିନ ହେଲା ।

 

(ଛ) ୧୮ । ୫ ରୁ ୨୦ । ୭ । ୮୪ପୁଅ ବୋହୂ ଦିଲ୍ଲୀ ରହଣୀ

 

(ଜ) ୨୦ । ୭ । ୮୪ବିଭାଘରର ନବେ ଦିନରେ କଟକକୁ ଫେରିଲେ ବି.ଏ. ପରୀକ୍ଷା ଦେବା ପାଇଁ ।

 

(ଝ) ୨୦ । ୭ । ୮୪ ରୁ ୨୫ । ୭ । ୮୪ପୁଅ କଟକରେ ଥିଲା ।

 

ତେଣୁ ମୋଟ ଭୋଗ ହେଲା ଚଉରାନବେ ଦିନ । ଏଥିରୁ ପୁଅ ବୋହୂ ଏକତ୍ର କଟକ ଶାଶୁଘରେ ରହିଲେ ପଞ୍ଚାନବେ ଦିନ । ଏହା ମଧ୍ୟରେ ପର୍ବ-ପର୍ବାଣି ରହିଲା ।

 

(ଟ) ସାବିତ୍ରୀ ଅମାବାସ୍ୟା୩୦ । ୫ । ୮୪ ପୁଅ ବୋହୂ ଦିଲ୍ଲୀରେ ।

 

(ଠ) ରଜ ସଂକ୍ରାନ୍ତି୧୩ । ୬ । ୮୪ ରୁ ୧୫ । ୬ । ୮୪ ପୁଅ ବୋହୂ ଦିଲ୍ଲୀରେ ।

 

(ଡ) ଶ୍ରୀଗୁଣ୍ଡିଚା ୩୦ । ୬ । ୮୪ ବାହୁଡ଼ା ୧ । ୭। ୮୪ ।

 

(ଢ) ଝୁଲଣ ପୂର୍ଣ୍ଣିମା ୧୧ । ୮ । ୮୪ ଝିଅ କଟକରେ ଶାଶୁଘରେ । ଏରୂପେ ବାହାଘର ସର୍ବମୋଟ ଶହେ ଏଗାର ଦିନରୁ ପୁଅ ବୋହୂ ଏକତ୍ର ରହିଲେ ପଞ୍ଚାନବେ ଦିନ । ଶାଶୁ ବୋହୂ ଏକାଠି ରହିଲେ ଷୋହଳ ଦିନ ।

 

(ଣ) ୧୪ । ୮ । ୮୪ ବୋହୂର ମୃତ୍ୟୁ । ବାହାଘର ସେତେବେଳକୁ ହୋଇଛି ଶହେ ପନ୍ଦର ଦିନ ଓ ବୋହୂ ଶାଶୁ ସଙ୍ଗରେ ଚଳିଛି ମୋଟେ ପଚିଶି ଦିନ ।

 

ତାହାହେଲେ ଏକଷଠି ଖଣ୍ଡ ଚିଠି ଶାଶୁର ଅତ୍ୟାଚାର ବିଷୟରେ ଲେଖାହେଲା କିପରି ଓ କ’ଣ ପାଇଁ ? ଏଗୁଡ଼ିକ ତେବେ କ’ଣ ଦିନକାଦିନର ଡାଏରୀ ନା ଚିଠି ? ସେଥିରେ ଅବଶ୍ୟ ଫେରନ୍ତା ଉତ୍ତର ଉଲ୍ଲେଖ ରହିବା କଥା ।

 

କିନ୍ତୁ କାହିଁ ? ଓକିଲ ପରାମର୍ଶ ଦେଲେ ଓ କାମ କରାଇଲେ । କଲାବେଳେ ନିଜର ପରାମର୍ଶର ତ୍ରୁଟି ବିଚ୍ୟୁତିକୁ ତଉଲିବାକୁ ଭୁଲିଗଲେ ।

 

ଏହି ପ୍ରକାରର କୌଶଳୀ ବନ୍ଧୁ ପାଇବାକୁ କୁହାଯାଏ ଦୁର୍ଯ୍ୟୋଗ । କାରଣ ବାହୁଡ଼ା ଦଶମୀବେଳକୁ ଝିଅ ଜୋଇଁ ଏକାଦିକ୍ରମେ ଓ ଏକତ୍ର ପ୍ରବାସରେ ଥିଲାବେଳେ ଝିଅ ଘରୁ ପ୍ରଚାର ଆରମ୍ଭ ହେଇଥାଏ ଯେ ନିଷ୍ଠୁର ଶାଶୁର ନିର୍ଯ୍ୟାତନାରେ ଝିଅ ଆଉ ଚଳି ପାରିବନାହିଁ ।

 

ସମାଜର ଲୋକେ ଏହି ପ୍ରକାରର କୌଶଳପୂର୍ଣ୍ଣ ପ୍ରଚାରକୁ ବିଚାରକୁ ନ ନେଲେ ଏଇ ନୂଆ ସାମାଜିକ ରୋଗ ତାହାର ନଖ ଦାନ୍ତ ଦେଖାଇ ମାଡ଼ି ଆସିବ । ଆଉ ବିଭାଘର ପାଇଁ ବାଜା ବଜନ୍ତରୀ ଆଲୁଅ ଆତସବାଜି ଓ ଅନ୍ୟାନ୍ୟ ସାମାଜିକ ଉତ୍ସବ ରଖିବାର କାରଣ ରହିବ ନାହିଁ ।

 

କରଣ ଝିଅମାନେ ବ୍ରାହ୍ମଣ ଓ ବ୍ରାହ୍ମଣ ଇତର ଅନ୍ୟାନ୍ୟ ବଡ଼ ଓ ସାନ ପାଟକରେ କେଉଁଠି ଭାର୍ଯ୍ୟା ଓ କେଉଁଠି ହୃଦୟହାରିଣୀ ହୋଇ ରହିବାର ଦେଖାଗଲାଣି ଓ ଶୁଣାଗଲାଣି ।

 

ପାଟକମାନଙ୍କୁ ଏହିପରି କାର୍ଯ୍ୟର କାରଣ ପଚାରିଲେ କହନ୍ତି ଯେ ମାହାନ୍ତିଆଣୀମାନଙ୍କର ଗୋଟିଏ ବିଶେଷ ସୁଗନ୍ଧ ଅଛି । ତାଙ୍କର ବ୍ୟବହାର ଭାରି ଉଚ୍ଚାଟକାରୀ ଆମୋଦ । ଲେଖକ ରାୟ ବାହାଦୁର ଭିକାରି ଚରଣ ପଟ୍ଟନାୟକ ପଚାଶ ବର୍ଷ ତଳେ ବହି ଲେଖି ଯାଇଥିଲେ ।

 

ମାହାନ୍ତିମାନଙ୍କର ଢମ

ଉଖୁଡ଼ା ହାଣ୍ଡିକ ଛଅଣା ପଇସା

ହାଣ୍ଡିଯାକ କୋଟିକମ ।

 

କଥାଟା ଚଉରାଅଶି ମସିହାରେ ଆସି ଅନେକ ବିଷୟରେ ତାହାର ସତମିଛ ଦେଖାଉଛି-

 

ଏଇ ପଚାଶ ବର୍ଷ ଭିତରେ ଓଡ଼ିଶାର ମାଟି ଉପରେ ଅନେକ କଥା ଘଟିଯାଇଛି ।

 

ତିରିଶି ମସିହାରେ ସ୍ୱାଧୀନତା ଆନ୍ଦୋଳନରେ କଟକର କଲିଜିଏଟ୍‌ ସ୍କୁଲର ଦଶମ ଶ୍ରେଣୀର (ଏବେ ଯେଉଁଟି ନବମ) ଫେବୃଆରୀ ମାସରେ ସ୍କୁଲର କୃତୀଛାତ୍ର ଶ୍ରୀ ବିନୋଦ ଚନ୍ଦ୍ର କାନୁନଗୋ, ଶ୍ରୀ ସୁରେନ୍ଦ୍ର ନାଥ ଦ୍ୱିବେଦୀ ଓ ଶ୍ରୀ ସୁରେନ୍ଦ୍ର ନାଥ ପଟ୍ଟନାୟକ ସ୍କୁଲ ଛାଡ଼ି ଚାଲିଗଲେ-। ସ୍କୁଲର ପଶ୍ଚିମ ତରଫ ଛାତ୍ରାବାସ ଫାଟକରେ ଶ୍ରୀମତୀ ମଙ୍ଗଳା ଦେବୀ ପ୍ରମୁଖ ତିନି ଚାରି ଜଣ ଅଟକ କରୁଥାନ୍ତି ।

 

ଉପରଓଳି ପିଲାମାନେ ଫେରିଲେ ହେଡ଼ମାଷ୍ଟରବିଲାତ ଫେରନ୍ତା ଶ୍ରୀ ସଚ୍ଚି ରାୟଙ୍କ ପାଖକୁ । ହେଡ଼ମାଷ୍ଟର କହିଲେ ଯେ ପିଲାମାନେ ଯାଆନ୍ତୁ ରାଜକୃଷ୍ଣ ବୋଷବାବୁଙ୍କ ପାଖକୁ ଓ ତାଙ୍କର ମୁରବିମାନେ ଆସନ୍ତୁ ତାଙ୍କ ପାଖକୁ ।

 

କେହି କାହାପାଖକୁ ଗଲେ ନାହିଁ । ଯିବା ଲୋକ ଅଣଲେଉଟା ହେଇ ଚାଲିଗଲେ ଓ ଶେଷରେ ଓଡ଼ିଶାର କୃତୀ ଓ କୃତବିଦ୍ୟା ହୋଇ ଇତିହାସରେ ସ୍ଥାନ ପାଇପାରିଲେ ।

 

ଯେଉଁମାନେ ଯାଇ ନପାରିଲେ ତାଙ୍କ ଭିତରେ ଥିଲେ ଶ୍ରୀଯୁକ୍ତ ଦୟାନିଧି ଚଉଧୁରୀ (ବୋଲଗଡ଼ପୁରୀ) ଓ ଶ୍ରୀଯୁକ୍ତ ସୁକାନ୍ତ କିଶୋର ରାୟ (ବଗଲଗଡ଼କଟକ) । ଏଥିରୁ ଜଣେ ହେଲେ ଓଡ଼ିଶାର ପ୍ରଧାନ ବିଚାରପତି ଓ ଆଉ ଜଣେ ହେଲେ ଓଡ଼ିଶାର ବନବିଭାଗର ସର୍ବୋଚ୍ଚ କର୍ତ୍ତା ।

 

କିନ୍ତୁ ଉପରକୁ ଯାଇ ପାରିଲେ ଶ୍ରୀ ବିନୋଦ କାନୁନ୍‌ଗୋ ତାଙ୍କର ଜ୍ଞାନମଣ୍ଡଳକୁ ନେଇ-

 

ତେଣୁ ଯୋଗକୁ ସୁଯୋଗ ବା ଦୁର୍ଯ୍ୟୋଗ କ’ଣ ବୋଲି ଭାବିବାକୁ ହେବ ସ୍ଥିର କରିବାକୁ ଦରକାର ଗୋଟାଏ ମଣିଷ ଜୀବନର ସଂପୂର୍ଣ୍ଣ ଜୀବନକାଳ । ଏହା ହେବା ଉଚିତ୍‌ ଅନ୍ତତ କଳିଷଠା ଷାଠିଏବର୍ଷ ।

 

କିନ୍ତୁ ଛୁଆ ବୋହୂ ଅମିତା ମାତ୍ର ସାଢ଼େ ତେଇଶି ବର୍ଷରେ ଏଇ ହସ କାନ୍ଦର ପୃଥିବୀରୁ ବିଦାୟ ନେଇଗଲା ଅପମୃତ୍ୟୁର ସିଡ଼ିଟିକୁ ଧରି । ତାହାର ଜୀବନ ଦୀପ ଲିଭିଗଲା ଓଡ଼ିଶା ବନ୍ଦ ଦିନଅଗଷ୍ଟ ଚଉଦ ଚଉରାଅଶୀ ମସିହାରେ ।

 

ସେମିତି ଦିନେ ଖିରସ୍ତାନ ପାଦିରି ଓ କଟକର ଟ୍ରେନିଂ କଲେଜର ପ୍ରିନ୍‌ସିପାଲ ଉଇଲିୟମ ଉଇଲିୟାମସନ୍‌ ହେଣ୍ଡରସନ (ଡବଲିଉ ଡବଲିଉ ହେଣ୍ଡରସନ) ତିରିଶି ମସିହାରେ ଆପଣା ଦେହରେ କିରୋସିନି ଢାଳି ନିଆଁ ଲଗାଇ ଚାଲିଯାଇଥିଲେଖରାବେଳଟାରେ ।

 

କଲେଜିଏଟ୍‌ ସ୍କୁଲର ଖେଳଛୁଟି ପରେ ସ୍କୁଲ ଆରମ୍ଭ ହେଉଥାଏ । ଖବର ଆସିଲା ଯେ ପ୍ରିନ୍‌ସିପାଲ ସାହେବ ଆତ୍ମହତ୍ୟା କରିଛନ୍ତି ।

 

ପ୍ରିନ୍‌ସିପାଲ ଆଜିର କଟକ ଆଡିସନାଲ ଜଜ୍‌କୋଟର ଇଜିଲାସରେ ଗୋଟିଏ ଖୁଣ୍ଟକୁ ଧରି ଠିଆ ହୋଇଥାନ୍ତି । ମୁଣ୍ଡ ତଳକୁ ଝୁଙ୍କି ପଡ଼ିଥାଏ ସାମାନ୍ୟ । ସେ କହୁଥାନ୍ତି ପିସ୍‌ (ଶାନ୍ତି) ପିସ୍‌ (ଶାନ୍ତି) ।

କ’ଣ ହେଲା ? କ’ଣ ହେଲା ?

କଟକ ଶାଳଗାଁର ଡାକ୍ତର ରାଘବନନ୍ଦ ଦାସ ସେତେବେଳେ ଦଶମ ଶ୍ରେଣୀର ଛାତ୍ର । ସେ ଯାଇ କାହାଠାରୁ ବୁଝି ଆସିଲେ ଯେ ଏଥିପାଇଁ ସ୍କୁଲର ହେଡ଼ମାଷ୍ଟର ଓ ଭୂଗୋଳ ମାଷ୍ଟ୍ରଙ୍କର କଳିକଜିଆ ଦାୟୀ ।

ଶ୍ରୀ ସଚ୍ଚି ରାୟଙ୍କର ସହପାଠୀ ଥିଲେ ଶ୍ରୀ ପଦ୍ମଚରଣ ପଟ୍ଟନାୟକ । ସଚ୍ଚି ବାବୁ ଇତିହାସ ଓ ପଦ୍ମଚରଣ ବାବୁ ଭୂଗୋଳରେ ପାରଦର୍ଶୀ ଥିଲେ । ସଚ୍ଚି ବାବୁ ବିଲାତ ଗଲେ ଓ ପଦବାବୁ ଓଡ଼ିଶାରେ ରହିଗଲେ । ପୁଣି ଦେଖାହେଲା କଟକର ସର୍ବ ପ୍ରଧାନ (ସର୍ବପ୍ରଧାନ) ସ୍କୁଲ ରେଭନ୍‌ସା କଲିଜିଏଟ୍ ସ୍କୁଲରେ ।

ସେତେବେଳେ ଶିକ୍ଷା ବିଭାଗ ପାଟନାରେ । କିନ୍ତୁ ଓଡ଼ିଶାରେ ସରକାରୀ ମାଷ୍ଟ୍ରମାନଙ୍କର ହେଡ଼ମାଷ୍ଟର ହେବା କଟକ ଟ୍ରେନିଂ କଲେଜ ପ୍ରିନ୍‌ସିପାଲଙ୍କର ବିଚାର ଦ୍ୱାରା ସମ୍ଭବ ହେଉଥିଲା ।

ସଚ୍ଚିବାବୁ ପଦବାବୁଙ୍କର ପ୍ରମୋସନକୁ ଆପତ୍ତି କରୁଥିଲେ । ପଦବାବୁ ହେଣ୍ଡରସନ୍ ସାହେବଙ୍କୁ ବୁଝାଇ ଦେଇଥିଲେ ଯେ ସମବୟସୀ ସ୍କୁଲ ଛାତ୍ରର ମତାମତ ନେଇ ପଦାଧିକାରୀ ଭାବରେ ସଚ୍ଚିବାବୁ କାଳ୍ପନିକ ଯୁକ୍ତିରେ ତାଙ୍କର ସହପାଠୀର ପଦୋନ୍ନତିକୁ ବାଧା ଦେଉଛନ୍ତି ।

 

ସାହେବ ବୁଝିଲେ ଯେ ପଦବାବୁଙ୍କର ଯୁକ୍ତି ବଳବାନ୍ । ସେ ପଦବାବୁଙ୍କର ପଦୋନ୍ନତିକୁ ମଞ୍ଜୁର କଲେ ଓ କଟକ କଲିଜିଏଟ୍ ସ୍କୁଲର ଶିକ୍ଷକ ପଦବୀରୁ ଉଠାଇ ବାଲେଶ୍ୱର ଜିଲ୍ଲା ସ୍କୁଲର ହେଡ଼ମାଷ୍ଟର ଭାବରେ ଉପସ୍ଥାପିତ କଲେ ।

 

ପଦବାବୁ ହଠାତ୍ ଯାଇ ଚାର୍ଜ ଦିଆନିଆ କରି ସଚ୍ଚିବାବୁଙ୍କୁ କହିଲେଦେଖ, ଏବେ ତୁମେ ଜଣେ ଓ ମୁଁ ଜଣେ ହେଡ଼ମାଷ୍ଟର ।

 

ସଚ୍ଚିବାବୁ ସାଙ୍ଗେ ସାଙ୍ଗେ ଯାଇ ହେଣ୍ଡରସନ୍ ସାହେବଙ୍କୁ ଏଇ ଅପ୍ରୀତିକର କଥାଟି ଜଣାଇଲେ ।

 

କଥା ମାତ୍ର ସେତିକି ।

 

ସାହେବ ନିଜେ ଠକି ଯାଇଥିବାରୁ ବିବେକର କଷାଘାତ ସହି ନ ପାରି ତାଙ୍କର ଶୀତ ପୋଷାକରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ । ଲୋକେ ଆସିଲାବେଳକୁ ସେ ଆଉ ଫେରିବା ବାଟରେ ନାହାନ୍ତି ।

 

କଲିଜିଏଟ୍ ସ୍କୁଲ ପାଖରେ ଘଟଣା । ମେଡିକାଲ ସ୍କୁଲ ତିନିମାଇଲ ବାଟ । ସେତେବେଳେ କଟକରେ ଘୋଡ଼ାଗାଡ଼ି କେତୋଟି ଓ ଯାନବାହନ ହେଲା ବଳଦଗାଡ଼ି । ବିଜୁଳି ନାହିଁ । ଟେଲିଫୋନ ନାହିଁ । କିଛି ନାହିଁ ।

 

ସମସ୍ତଙ୍କ ଆଖି ଆଗରେ ସାହେବ ଚାଲିଗଲେ । କାହାରି ଉପରେ ଦୋଷାରୋପ ନାହିଁ-। ଯିଏ ଯାହାର ବାଟରେ ଯାଇଛନ୍ତି । ହେଣ୍ଡରସନ୍ ମୃତ୍ୟୁପଥର ଯାତ୍ରୀ । ସେତେବେଳେ ତାଙ୍କର ବୟସ ପାଖାପାଖି ପଚାଶ ବର୍ଷ ।

 

ସେ ଲେଖିଥିବା ଟ୍ରାନ୍‌ସଲେସନ୍ ଓ ରିଟ୍ରାନ୍‌ସଲେସନ୍ ସଂକ୍ଷିପ୍ତକରଣ ପାଇଁ ସୁନିର୍ବାଚିତ ଇଂରାଜୀ ଗଦ୍ୟାଂଶ ଏଇ ପଚାଶ ବର୍ଷ ଭିତରେ ଖାଲି ଯେ ହଜି ନାହିଁ ଅଦ୍ୟାବଧି ତାହାର ତୁଳନୀୟ ଲେଖା ବାହାରି ନାହିଁ ।

 

ଠିକ୍ ସେହିପରି ଚଉରାଅଶି ମସିହାରେ ଅଗଷ୍ଟ ଚଉଦ ତାରିଖ ଖରାବେଳରେ ମୋର ବୋହୂ ଅମିତା ଜଳିଜଳି ଆସି ମା-ମା ଡାକିଲା ଦୋତାଲା ସିଡ଼ି ଉପରେ ।

 

ସେଦିନ ମଙ୍ଗଳବାର । ବୋହୂ ଅମିତାର ମଙ୍ଗଳ ମହାଦଶା ଚାଲିଥାଏ । ଦଶାଟି ଥିଲା ଅଶୁଭ । ସେଇ ଅଶୁଭ ଲଗ୍ନ ଦିନ ଅଢ଼େଇଟାରେ ଓହ୍ଲେଇ ଆସିଥିଲା ସେ ଛୋଟିଆ ଘରଟିକୁ ।

 

ଅମିତାର ଶାଶୁଘର ଉପରେ ବଖୁରିଏ ପୁଅ ବୋହୂଙ୍କ ପାଇଁ । ଘରକୁ ଲାଗି ପାଇଖାନା ଆଦି ।

 

ତଳେ ଦୁଇ ବଖରା ଓ ଗୋଟିଏ ଖାଇବା ଘର ଓ ରୋଷେଇ ଘର । ବଖରାକୁ ଲାଗି ପାଇଖାନା ଆଦି । ସେଥିରେ ରହନ୍ତି ଶାଶୁ, ଶଶୁର ଓ ନଣନ୍ଦ । ବୋହୂ ଚଳେ ତଳେ ଓ ଉପରେ ଆପଣା ଇଚ୍ଛାରେ ।

 

ବି: ଏ: ପରୀକ୍ଷା ଦେବ ବୋଲି ତଳେ ପଢ଼ାପଢ଼ି କରୁଥାଏ । ଶାଶୁ ପଢ଼ାର ତଦାରଖ କରନ୍ତି । ନଣନ୍ଦ ଏମ୍: ଏ: ପରୀକ୍ଷା ଦେବା ପାଇଁ ପଢ଼ୁଥାଏ ।

 

ପାଖ ଶୋଇବା ଘରେ ଊଣା ବହୁତେ ସମସ୍ତେ ଚଳନ୍ତି । ସର୍ବମୋଟ ଚାରି ଜଣବାପା, ମାଆ, ଝିଅ ଓ ବୋହୂ । କିନ୍ତୁ ଚାଲିଗଲା ବୋହୂଟି । ଆସିଥିଲା । ଚାଲିଗଲା । ତେବେ ସେ ଆସିଥିଲା କାହିଁକି ?

 

ଏ ପ୍ରଶ୍ନର ଜବାବ କେହି କେବେ ଦେଇପାରି ନାହିଁ ।

 

ଅମିତାଙ୍କୁ ମୁଁ ଦେଖିଥିଲି ଦୁଇଥର । ପ୍ରଥମ ଥର ତାହାର ଦିଲ୍ଲୀ ଯିବା ଦିନ ସକାଳେ । ମେ ମାସ ଅଠର ତାରିଖ ଶୁକ୍ରବର । ବାହାଘରର ଅଠେଇଶି ଦିନରେ ।

 

ଭଣଜା ଓ ଭଣଜା ବୋହୂ ଚାଲିଯିବେ । ଯିବା ଯିବା ହୋଇ ଏତେ ଉଛୁର ହୋଇଗଲା ।

 

ଦିଲ୍ଲୀ ଯିବା ପାଇଁ ତାଙ୍କର ଜିନିଷପତ୍ର ସଜଡ଼ା ଚାଲିଥାଏ । ସାଧରଣ ଝିଅଟିଏଅତି ସାଧାରଣ ସବୁ ବିଷୟରେ । ତାଙ୍କ ଘରର ବିଚାର ଉପରେ ଅନ୍ୟର କଥା ନାହିଁ । ଅଳ୍ପ ସମୟ ପରେ ଚାଲି ଆସିଥିଲି ।

 

ପୁଣି ଦେଖା ଅମିତାର ମରିବାର ଦିନକ ଆଗରୁ । ସେଦିନ ମୁଁ ଯାଇଥିଲି ଖବର ଦେବାକୁ ଯେ ମୋର ବଡ଼ ବାପାଙ୍କ ପୁଅ ଭାଇ ପାରାଦୀପର ଶ୍ରୀ ବିନାୟକ ପଟ୍ଟନାୟକଙ୍କ ମୂତ୍ରାଶୟରେ ପଥର ହୋଇ ଅପରେସନ ହୋଇଛି । ସେ ଅଛନ୍ତି ସର୍ଜିକାଲ ଓ୍ୱାର୍ଡ଼୍ ଉତ୍ତର ପାଖ ଦୋମହଲାରେ ।

 

ସେଇ ଦୋମହଲାରେ ଥାନ୍ତି କଟକ ପଟାପୋଲର ଚୌଧୁରୀ ନରେନ୍ଦ୍ର ନାଥ ମିଶ୍ର । ତାଙ୍କର ତେସ୍ତରି ବର୍ଷ ବୟସରେ ହାରନିଆ ଅପରେସନ ହୋଇଛି ।

 

ସେ ଦୁଇଟି ଜାଗାକୁ ଆମର ଯିବା କଥା । ଯାଇଥିଲୁ । ତହିଁଆର ଦିନ ଓଡ଼ିଶା ବନ୍ଦ ପାଇଁ ଯାନବାହନ ବନ୍ଦ । ତେଣୁ ବାଧ୍ୟରେ ମୁଁ ଓ ଶୈଳଦେବୀ ଯାଇଥିଲୁ । ଫେରିଲାବେଳକୁ ଦି’ପହରଖରା ।

 

ଅତି ଅଳ୍ପ ସମୟ ରହି ନିଜର ଭାଇର ଅପରେସନ ଖବର ପୂଣ୍ୟପ୍ରଭା ଦେବୀଙ୍କୁ ଦେଇ ଫେରି ଆସିଥିଲୁ ।

 

ସେତିକିବେଳେ ଅମିତା ମଧ୍ୟ ଆସିଥିଲା । ଦୁଇ ମିନିଟ ବସିଥିଲା । ଏକେ ଉଛୁର । ସେଥିରେ ଖରା ଓ ଗରମ । କିନ୍ତୁ ସେଦିନ ମତେ ଅଶ୍ୱସ୍ତି ଲାଗିଥିଲା ଅମିତାକୁ ଦେଖି । ମନେ ହେଲା ଯେପରି ସେ କ’ଣ କହିବାକୁ ଚାହୁଁଥିଲା । ମୁଁ ସମୟ ଦେଇପାରିଲି ନାହିଁ ।

 

ଫାଟକ ପାଖରେ ଶୈଳଦେବୀଙ୍କୁ କହିଲିମୋର ମନେ ହେଉଛି ଫେରି ଯାଇ ପୂଣ୍ୟପ୍ରଭା ଦେବୀଙ୍କୁ କହିଦେବି ଯେ କ’ଣ କେମିତି ଅସ୍ୱାଭାବିକ ଲାଗୁଛି ।

 

ଶୈଳଦେବୀ ମନା କଲେ । ଆମେ ଆସିଲୁ ଦୁଇ ମିନିଟ୍‌ ପାଇଁ ଡାକ୍ତରଖାନାରୁ । ସେଥିରେ ଯାଇ ବୋହୂ ତଦାରଖ ନେବା ଉଚିତ୍‌ ନୁହେଁ ।

 

ଆଜି ମୋର ମନ ଭିତରେ ଅମିତାର ସେଇ ଶେଷ ଦେଖାର ଛବିଟି ମତେ ବିବ୍ରତ କରୁଛି । ମୋର ମନରେ ଆସୁଛି ଯେ ମୁଁ ଯେତେବେଳେ ଯାହା ଭାବେ କିଛି ବିଚାର ନ କରି ସାଙ୍ଗେ ସାଙ୍ଗେ ପ୍ରକାଶ କରି ଦିଏ । କିନ୍ତୁ ଅମିତା ବିଷୟରେ ଦୁଇଥର ମୁଁ ନିଜ ଆଡ଼ୁ ବନ୍ଦ ହୋଇଯାଇଛି ।

 

ପ୍ରଥମ ଥର ଘଟିଥିଲା ଯେତେବେଳେ ଅପ୍ରେଲ ମାସରେ ବିଭାଘରର ପ୍ରାୟ ପନ୍ଦର କୋଡ଼ିଏ ଦିନ ପୂର୍ବରୁ ମୁଁ ଅମିତା ବୋହୂ ହେବା କଥା ଶୁଣିଲି । ସେଠି ବିଭାଘରକୁ ଭାଙ୍ଗିଦେବା ମୋର କର୍ତ୍ତବ୍ୟ ଥିଲା । କାରଣ ମୋ’ ନିକଟରେ କିଛି ଗୁରୁତର ଆପତ୍ତି ଥିଲା ।

 

ମୋତେ କିନ୍ତୁ ଲାଗିଲା ଯେ ନିଜର ଖିଆଲକୁ ପ୍ରାଧାନ୍ୟ ଦେଇ କାହାରି ବାହାଘର ଭାଙ୍ଗିବା ଉଚିତ ନୁହେଁ । ତେଣୁ ଭବିତବ୍ୟକୁ ସ୍ମରଣ କରି ଚୁପ୍‌ ରହିଥିଲି ।

 

ଅଳ୍ପାୟୁ ଅମିତାର ମରଣକୁ ହୁଏତ ଦୂରେଇ ଦେବା ସମ୍ଭବ ହୋଇ ନ ଥାନ୍ତା । ଯାହା ଯେପରି ଘଟିଲା ସେତକ ବଦଳାଇ ଦେବା ଶକ୍ତି ମୋତେ ବା କିଏ ଦିଅନ୍ତା ? କିନ୍ତୁ କଥା ହେଲା ଯେ ଅମିତା ବିଷୟରେ ଦୁଇ ଦୁଇ ଥର ମୁଁ ନୀରବ ଓ ନିଷ୍କ୍ରିୟ ରହି ନିଜେ ଅମିତାର ମୃତ୍ୟୁ ପାଇଁ ନୈତିକ ଦାୟିତ୍ୱ ନେଇଛି ।

 

ଅମିତା ନାହିଁ କିନ୍ତୁ ମୋର ଅନୁଶୋଚନା ମତେ ଆଘାତ ଦେବାରେ ଲାଗିଛି । ସେ ଚାଲିଯିବାର ଦୁଇମାସ ପୂରା ହେଇଗଲାଣି । କିନ୍ତୁ ମୁଁ ଅଦ୍ୟାବଧି ଅନୁତପ୍ତ ରହୁଛିନିଜର ଅବହେଳା ପାଇଁ ।

 

ଅମିତାକୁ ପୂଣ୍ୟପ୍ରଭା ଦେବୀଙ୍କ ଘରକୁ ପେଲି ପେଲି ପଠାଇ ଥିଲେ ତାହାର ମାଉସୀ ଜ୍ୟୋସ୍ନାଦେବୀ ।

 

ଅମିତାକୁ ମଙ୍ଗଳାବାଗ ଲୋକେ ପସନ୍ଦ କରୁ ନ ଥାନ୍ତି । ଜ୍ୟୋସ୍ନାଦେବୀ ବାରମ୍ବାର ତାହାରି କଥା ଉଠାଉଥାନ୍ତି । ଉପଯୁକ୍ତ ସ୍ଥାନରେ ଅମିତାର ବିଭାଘର ଲାଗିଥାଏ । ବର ଜଣେ ବ୍ୟାଙ୍କ ଅଫିସର ।

 

ସେଠି ବରପକ୍ଷରୁ ବିଭିନ୍ନ ଦଫାରେ ଭିନ୍ନ ଭିନ୍ନ ଯୌତୁକ କଥା ଉଠିବାରୁ ସେ ବାହାଘର ଭାଙ୍ଗିଗଲା । ଆଉ ଏକ ଶୁଭେନ୍ଦୁ ସହିତ ବାହାଘର ଆଗେଇ ଆସିଲା । ଅମିତାର ଭାଙ୍ଗିଯିବା ବାହାଘର ପାଇଁ ଯାହା କିଣାକିଣି ହୋଇଥିଲା ସେତକ ଆସି ଲାଗିଲା ତାହାର କଟକ ମଙ୍ଗଳାବାଗ ବାହାଘରରେ ।

 

ଆଉ ସେଇ ଘର ତାକୁ ସହିଲା ନାହିଁ ଚାରିଟା ମାସ ।

 

ମୋ ସହିତ ଅମିତା ଶାଶୁଘରର ସମ୍ବନ୍ଧ ଏତେ ଉପର ଠାଉରିଆ ହୋଇଯାଇ ଥାଏ ଯେ କୌଣସି ବିଷୟରେ ମତେ ଉପଯୁକ୍ତ ସମୟରେ ସମ୍ବାଦ ଦେବାର କାରଣ ସେମାନେ ପାଉ ନ ଥାନ୍ତି ।

 

ଅମିତା ଅପ୍ରେଲ ବାଇଶିରେ ବିଭା ହେବଏହା ମୁଁ ଜାଣିଲି ସେଇ ମାସରେ । ବାହାଘରର ଅନ୍ୟାନ୍ୟ ପ୍ରାସଙ୍ଗିକ ବିଷୟରେ ମୋର ମତାମତ ଦେବାର ଅବକାଶ ନାହିଁ ।

 

ଇଂରାଜୀ ନିମନ୍ତ୍ରଣ ଚିଠି ଆସି ପହଞ୍ଚିଲା । ଶୁଭେନ୍ଦୁ ଓ ଅମିତାର ବାହାଘରର କାର୍ଯ୍ୟ ନିର୍ଘଣ୍ଟ ।

 

ଭୁବନେଶ୍ୱରର ପାନ୍ଥନିବାସରୁ ସନ୍ଧ୍ୟା ଆଠଟାବେଳେ ବରାନୁଗମନ ଓ ରାତି ବାରଟାରେ ପାଣିଗ୍ରହଣ । ଆଉ କଟକର ବାରବାଟି ଷ୍ଟାଡିଅମ୍‌ର ଟେନିସକୋଟ ସାମନାରେ ମଙ୍ଗଳବାର ଚବିଶ ତାରିଖ ବର କନ୍ୟାଙ୍କର ଅଭ୍ୟର୍ଥନା ।

 

ନିମନ୍ତ୍ରଣ ପାଇ ମୁଁ ପୂଣ୍ୟପ୍ରଭା ଦେବୀଙ୍କୁ କହିଲି ଯେ ବାରବାଟି ଷ୍ଟାଡିଅମ୍‌କୁ କାହାରି ବାହାଘର ପାଇଁ ମୁଁ ଯିବାକୁ ପସନ୍ଦ କରେ ନାହିଁ । ଘରେ ହେଲା ନାହିଁ କାହିଁକି ?

 

ଜାଗା ଛୋଟ । ସୁବିଧା ନାହିଁ ।

 

ଭଲ ତ । ତୁମର ବାହାଘରର ଓ ଅନ୍ୟମାନଙ୍କର ବାହାଘରର ସମସ୍ତ ଉତ୍ସବ ତୁମର ଶଶୁର ଏଇ ଘରେ କରିଥିଲେ । ଲୋକେ ନିଜ ଘର ଛାଡ଼ି ଏବେ ବାରବାଟି ଷ୍ଟାଡିଅମ୍‌କୁ ପସନ୍ଦ କରୁଛନ୍ତି ।

 

ତାଙ୍କର ନିମନ୍ତ୍ରଣ ପତ୍ର ବାଣ୍ଟିବାକୁ ଥିଲା । ସେମାନେ ଏଇ ଅଲଣା ତତ୍ତ୍ଵ ଓ ଜୀବନର ବାଜେ ଦର୍ଶନ ଶୁଣିବାକୁ ଆଗ୍ରହୀ ନ ଥିଲେ । କାରଣ ଏବେ ମଣିଷର ମତ ମଧ୍ୟ ତାହାର ବୈଷୟିକ ଓ ଆର୍ଥିକ ସ୍ଥିତି ଉପରେ ନିର୍ଭର କରୁଛି ।

 

ଯାହା ହେଉ ଆମର ଓଡ଼ିଆ ସମାଜର ଚିନ୍ତାଧାରାର ଫେସନ୍‌ ବଦଳିଛି । ପ୍ରତ୍ୟେକ ନିଜକୁ ସର୍ବାଧିକାରୀ ଦେଖାଇବାକୁ ପାଞ୍ଚଶହ କାର୍ଡ଼ ଛପାଇଲେ ପଚାଶ ଖଣ୍ଡେ ତଥାକଥିତ ମୁରବି ନାଁରେ ଛପାଉଛନ୍ତି । ଆଉ ଦୁଇଶହ କାର୍ଡ଼ ସାମାନ୍ୟ ଶସ୍ତା କାଗଜରେ ଛାପୁଛନ୍ତି ନିଜ ନାଁରେ । ଆଉ ଅଢ଼େଇଶ କାର୍ଡ଼ ହେବ ଦାମିକା କାଗଜରେ ଓ ଇଂରାଜୀରେନିଜର ଓ ସ୍ତ୍ରୀ’ଙ୍କ ନାମରେ । ଏମାନେ ମଧ୍ୟ ଏମିତି ଛପାଇଥିଲେ ।

 

ସମସ୍ତେ ନୁହନ୍ତି । କେତେକ ବ୍ୟତିକ୍ରମ ଅଛନ୍ତି । ଜଣେ ହେଲେ ପୁରୀଘାଟର ବିଶିଷ୍ଟ ଚାଟର୍ଡ଼ ଏକାଉଣ୍ଟାଣ୍ଟ ଶ୍ରୀ ହୃଦୟାନନ୍ଦ ନାୟକ । ଆଉ ଦେଖିଥିଲି ବିଶିଷ୍ଟ ଔପନ୍ୟାସିକ ଶ୍ରୀ କାହ୍ନୁଚରଣ ମହାନ୍ତିଙ୍କ କାର୍ଡ଼ରେ । କିନ୍ତୁ ଆମର ଇମେରିଟସ୍‌ ସାହିତ୍ୟିକ ଜ୍ଞାନପୀଠ ପୁରସ୍କାର ବିଜେତା ଡକ୍ଟର ଗୋପୀନାଥ ମହାନ୍ତି ଏହି ତିନି ପ୍ରକାରର କ’ଣ ସାତ ଆଠ ପ୍ରକାରର କାର୍ଡ଼ର ସ୍ତାବକ ।

 

ଓଡ଼ିଆ ସମାଜ ହେଉଛି ଗରିବଙ୍କର ସମାଜ । କିନ୍ତୁ ବିଦେଶରୁ ପୁଞ୍ଜାଏ ଟଙ୍କା ଆସି ପହଞ୍ଚିଯିବାରୁ ଗରିବମାନେ ଧନୀ ହେବାର ଗୌରବ ଅର୍ଜନ କଲେ । ତାଙ୍କୁ ଲାଜ ମାଡ଼ିଲା ନିଜକୁ ଗରିବ ବୋଲି ଅବସର ବେଳରେ ଭାବିବାକୁ ।

 

ଶ୍ରୀମତୀ ପୂଣ୍ୟପ୍ରଭା ପଟ୍ଟନାୟକ ଏଇ ଗୋପୀନାଥ ମାର୍ଗର ପଥିକ । ଏଇ ବାଟରେ ମୋ ପରି ଲୋକେ ଯାଆନ୍ତି ନାହିଁ । ତେଣୁ ଅପ୍ରେଲ ଚବିଶିର ଅମିତାଶୁଭେନ୍ଦୁ ଅଭ୍ୟର୍ଥନାରେ ମୋର ଉପସ୍ଥାପନ ନ ଥିଲା ।

 

ଏକା ପୂଣ୍ୟପ୍ରଭା ଦେବୀ ନୁହନ୍ତି । ମୋର ସାନ ଭାଇ ଅବସରପ୍ରାପ୍ତ ଚିଫ୍‌ ଇନସପେକ୍ଟର ଅଫ୍‌ ଫାକଟ୍ରିଜ ଓ ବୟଲର୍ସ ମଧ୍ୟ ତାହାର ନିକଟସ୍ଥ ଗୋପୀନାଥ ମାର୍ଗର ବାଟୋଇ-। ଆଉରି ଉପରକୁ ପାହାଚେ । ତାଙ୍କର ପୁଅ ବା ମୋର ପୁତୁରା ବାହାଘର କେଉଁଠି ହେଉଛି ସେତକ ଜାଣିବାର ସୁଯୋଗ ମତେ ମିଳି ନ ଥିଲା ।

 

କଟକ ସହରର ଓ ଜଗତସିଂହପୁରର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ବିଶିଷ୍ଟ କରଣ ଶ୍ରୀ ଭୋଳାନାଥ ମହାନ୍ତିଙ୍କୁ ମୋର ପୁତୁରା ବିଭାଘରର କିଛି ସମ୍ୱାଦ ଦେଇ ନ ପାରିବାରୁ ମୁଁ ସ୍ଥିର କଲି ଯେ ସେଇ ବିଭାଘରର କଟକ ବରାନୁଗମନରେ ଓ ଭୁବନେଶ୍ୱର ଅଭ୍ୟର୍ଥନାରେ ମୁଁ ଉପସ୍ଥାନ ଦେବି ନାହିଁ ।

 

ଦେଇ ନାହିଁ ମଧ୍ୟ । ଇଶ୍ୱରଙ୍କ କରୁଣାରୁ ଦେହ ମଧ୍ୟ ଅସୁସ୍ଥ ହେଲା ।

 

ଏହିପରି କରଣମାନେ ଆଗେ ନିଶରେ ଘିଅ ମାରି ଖାଲି ପେଟରେ ଢମ ଦେଖାଉଥିଲେ । ଏବେ ସରକାରୀ ସାହାଯ୍ୟରେ ବୁଦ୍ଧି ନ ଥିବା ମୁଣ୍ଡରେ ଏଣୁ ତେଣୁ ବାତ ଫୁରୁସି କଥା କହି ଭାରି ଆନନ୍ଦ ହେଉଛନ୍ତି ଯେ ସେମାନେ ହେଇଗଲେ ଫାଷ୍ଟକ୍ଳାସ ନାଗରିକ ।

 

ଠିକ୍ ଏହି କାରଣରୁ ମୁଁ ନିଜକୁ ପାଗଳ ଶ୍ରେଣୀରେ ଓ ଅନୁପଯୁକ୍ତ ଶ୍ରେଣୀରେ ନାମ ଲେଖାଇଛି । ମୋର ପ୍ରଧାନ ସମାଲୋଚକ ଶ୍ରୀମତୀ ଶୈଳବାଳା । କିଛି ତ ହେଲା ନାହିଁ । ଭବିଷ୍ୟତକୁ ଆଉରି ଅଡ଼ୁଆ କିଣେଇବ ସମସ୍ତଙ୍କ ପାଇଁ ।

 

କିଏ କାହା କଥା ଶୁଣିବ ? ନିଜ କଥା ଅନ୍ୟକୁ ଶୁଣାଇବା ପାଇଁ ବ୍ୟାଙ୍କ୍‌ରେ ଟଙ୍କା ଦରକାର । ଟଙ୍କା ନ ଥାଇ କିଛି କିଛି କଥା ସିନା କୁହାଯାଇପାରେ । କିନ୍ତୁ ତାକୁ ଶୁଣିବ କିଏ ?

 

ଗୀତା କହିଛି ଯେ ମଣିଷର ଆଖି ଦେଖେ ନାହିଁ । ମଣିଷର କାନ ଶୁଣେ ନାହିଁ । ଭିତରର ଆତ୍ମା ଅନୁମତି ଦେଲ ବା ଖୋଜିଲେ ଆମର ଅନ୍ଧା ଦେହର ଆଖି କାନ ଦେଖିବେ ଓ ଶୁଣିବେ ।

 

ଚଳନ୍ତି ଯୁଗରେ ମଣିଷର ଆତ୍ମା ମଧ୍ୟ ଟଙ୍କା ସୁନା ଉପରେ ତାହାର ଚେତନା ପାଇଁ ନିର୍ଭର କରୁଛି । ଆମର ଆତ୍ମା ଯେ ପରମାତ୍ମାର ଅଂଶଏକଥା ଭାବିଲେ ମନେ ହେଉଛି ଯେ ବିଶ୍ୱନିୟନ୍ତା ମଧ୍ୟ ଟଙ୍କା ସୁନାକୁ ପ୍ରାଧାନ୍ୟ ଦେଲେଣି ।

 

ତେଣୁ ମୋର ଉପସ୍ଥାପନ ନାହିଁ । ତାକୁ ପୂର୍ଣ୍ଣ କରିବାକୁ ଶ୍ରୀମତୀ ଶୈଳବାଳା ଓ ପୁଅ ଶ୍ରୀ ଅଶୋକ କୁମାର ତାଙ୍କର ରୁଚି ପୂର୍ଣ୍ଣ ପୋଷାକ ପିନ୍ଧି ନିର୍ଦ୍ଧାରିତ ସମୟର ଆଗରୁ ଉପସ୍ଥାନ ଦେଇ କାର୍ଯ୍ୟରେ ସହଯୋଗ ଦେବାକୁ ବ୍ୟଗ୍ର ଓ ବ୍ୟାକୁଳ ।

 

ସେମାନେ ଯାହା କଲେ ବା ନ କଲେ ତାଙ୍କର ସାମାଜିକ ଅପରାଧରେ ଦୋଷୀ କିଏ ? ନିଶ୍ଚିତରେ ସେ ରାଜକିଶୋର ପଟ୍ଟନାୟକ ।

 

ତେଣୁ ଘଟଣାର ଆଉ ଷୋଳ ସପ୍ତାହ ପରେ ଯେତେବେଳେ ବୋହୂ ଅମିତା ପୋଡ଼ି ହୋଇ ଅଗଷ୍ଟ ଚଉଦରେ ଦିନ ଅଢ଼େଇଟା ବେଳେ କଟକ ମେଡିକାଲକୁ ଆମ୍ୱୁଲାନସ୍‌ରେ ଗଲା ଓ ରାତି ସାଢ଼େ ଏଗାରଟାରେ ମରିଗଲା ଓ ତହିଁଆର ଦିନ ସାଢ଼େ ଗୋଟାଏ ବେଳେ ପୋଷ୍ଟମଟମ୍‌ କରାହେଲା, ସେତେବେଳେ ମୁଁ ନିର୍ବିକାର ରହିଛି । କାରଣ ମୋ ପାଖରେ ସେଇ ଦୁସମ୍ୱାଦ ନାହିଁ ।

 

ମତେ ଖବର ଦେବା କାହାରି ପ୍ରୟୋଜନ ମନେ ହେଇନାହିଁ ।

 

ସେଇ ଚଉଦ ତାରିଖରେ ଭଉଣୀ ପୂଣ୍ୟପ୍ରଭା ନିଜେ ବୋହୂ ନିଆଁ ଲିଭାଇବାରେ ନିଜକୁ ଆହତ କରି ଲୁଗା ଓ ମୁଣ୍ଡବାଳ ପୋଡ଼ି କଟକ ଡାକ୍ତରଖାନାରେ ଖଟିଆ ଧରିଛନ୍ତି—ସେ ଖବର ମତେ ଜଣାଇବାର ପ୍ରୟୋଜନ କାହାରି ହୋଇନାହିଁ ।

 

ଭୁବନେଶ୍ୱର ସମୁଧୀ ବ୍ରଜବଲ୍ଲଭବାବୁ ବା କଟକର ସମୁଧୀ ବିଜନ ବିହାରୀବାବୁଙ୍କର ବା ମୋର ପୁରୀଘାଟ ଓ ମଙ୍ଗଳାବାଗରେ ଭାଇ, ଭଉଣୀ ଭିଣୋଇ ଇତ୍ୟାଦିଙ୍କ ପାଇଁ ମୋର ସ୍ଥିତି ନାହିଁ । ଇଏ ହେଉଛି ସମାଜର ଦୃଶ୍ୟ—ଯେ ଯାହା ହାତରେ ଚଉଦପାଆ ।

 

 

ଏହି ଦୃଶ୍ୟର ପରବର୍ତ୍ତୀ ଅବସ୍ଥା ହେଉଛି ବେଧଡ଼କ ଚରିତ୍ର ସଂହାର । ଯେଉଁମାନେ ଏଇ ବୋହୂପୋଡ଼ି ଘଟଣାର ବହୁତ ଅଂଶଗ୍ରହଣ କରିଥିଲେ ସେଇମାନେ ଚାଲିଲେ ନିନ୍ଦା, ଭର୍ତ୍ସନା ଓ ଅପବାଦର ସୁଅ ଛୁଟେଇ ।

 

ଅଗଷ୍ଟ ଚଉଦ ମଙ୍ଗଳବାର—ଓଡ଼ିଶା ବନ୍ଦ ।

 

ବନ୍ଦ ପାଳନ ଦେଖିବା ପାଇଁ ମୁଁ କଚେରୀରେ ବୁଲାବୁଲି କରି ଘରକୁ ଫେରି ଶୋଇଲି । ତହିଁଆର ଦିନ ଅଗଷ୍ଟ ପନ୍ଦର—ସ୍ୱାଧୀନତା ଦିବସ । ତାକୁ ମଧ୍ୟ ଦେଖିବାକୁ ପଡ଼ିବ । ଆଉ ମୋର ଭାଇକୁ ଓ ଚୌଧୁରୀ ନରିବାବୁଙ୍କୁ ସଂଖୋଳିବାକୁ ଡାକ୍ତରଖାନାକୁ ଯିବାକୁ ହେବ ।

 

ଅଗଷ୍ଟ ପନ୍ଦର ସକାଳୁ ଆକାଶ ମେଘୁଆ ଓ ବତାସିଆ ହେବାକୁ ଆରମ୍ଭ କଲା । ଅସରାଏ ଅସରାଏ ବର୍ଷା ହେଉଥାଏ । ସେଥିପାଇଁ ବାହାରିବାର ସୁବିଧା ନ ଥାଏ । ବାଧ୍ୟରେ ମୁଁ ବିଶ୍ରାମ କଲି ।

 

ଜଣେ ସାଧକ କଟକକୁ କେବେ ଆସୁଛନ୍ତି ତାହାର ଖବର ସଂଗ୍ରହ କରିବାକୁ ଶୈଳଦେବୀ ଓ ଅଶୋକବାବୁ ଖାଇ ପିଇ ବାହାରି ଗଲେ ।

 

ଆମର ଘରେ ସର୍ବମୋଟ ପାଞ୍ଚ । ବାପା ମାଆ ଓ ଗୋଟିଏ ପୁଅ । ଶୈଳଦେବୀଙ୍କର ପାଳିକା ମାଆ ଅପି ଦେଈ । ଆଉ ଜଣେ ଷ୍ଟୁଡେଣ୍ଟ ଭାଇ—ବାବୁ ଉଦୟ କୁମାର । ଉଦୟବାବୁ ଅଗଷ୍ଟ ପନ୍ଦର ତଦାରଖରେ ବ୍ୟସ୍ତ ରହିଲେ ।

 

ଦିନ ଅଢ଼େଇଟାବେଳକୁ ଭଙ୍ଗା ଛତାଟିଏ ଧରି ଆଡଭୋକେଟ୍ ଭଣଜା ଶ୍ରୀ ଶୌର୍ଯ୍ୟ ପ୍ରକାଶ ଆସି ପହଁଞ୍ଚିଲେ । —ମାଇଁ କାହାନ୍ତି ? ଅଶୋକ କାହିଁ ?

 

—କାହିଁକି ?

 

—କାଲି ବବିଭାଇ ସ୍ତ୍ରୀ ମରିଗଲେ ରାତିରେ । ସେ ପୂରା ପୋଡ଼ି ଯାଇଥିଲେ । ମାଉସୀ ଔଷଧ ଓ ଇଞ୍ଜେକସନରେ ଅଚେତ ହେଇପଡ଼ିଛି । ପୁରୀଘାଟରେ ସେ । ତୁମେ ଖବର ପାଇ ନାହଁ-?

 

—ନା ।

 

—ଶବ ସତ୍କାର ହେଲାଣି ?

 

—ନା । ପୋଷ୍ଟମଟମ୍‌ ପରେ ହେବ ।

 

ଶୈଳମାଇଁଙ୍କୁ ଖୋଜିବାକୁ ଲୋକ ଧାଇଁଲେ । ଦୈବାତ୍ ମା ପୁଅ ଫେରୁଥିଲେ ଘରକୁ ।

 

ସବୁ ବୁଝି ସେ କହିଲେ ଯେ ତାଙ୍କର ଡାକ୍ତରଖାନାକୁ ଯିବା ଅନୁଚିତ । ବୋହୂର ମାଆ ତାଙ୍କର ତିରିଶି ବର୍ଷର ସାଥୀ । ଶୈଳଦେବୀ ସହିପାରିବେ ନାହିଁ । ତେଣୁ ଯିବେ ନାହିଁ । ସେମାନେ ଗଲେ ତେଲଙ୍ଗା ବଜାରରୁ ପୁରୀଘାଟ ।

 

Unknown

ମୋର ରହିବା ଜାଗା ତେଲଙ୍ଗା ବଜାରରୁ ଦୁଇଶହ ମିଟର ମଧ୍ୟରେ ଟେଲିଫୋନ ଥାଇ ମୋର ଭାଇ ଘର ଓ ବିଶିଷ୍ଟ ଆଡଭୋକେଟ୍ (ଆଡ଼ଭୋକେଟ୍) ବିଜନବାବୁଙ୍କର ଘର । ସେଠି ଅମିତାର ବାପା ଓ ଅନ୍ୟାନ୍ୟ ଜ୍ଞାତିମାନେ ଭରପୁର । ସେଦିନ ଅଗଷ୍ଟ ପନ୍ଦର ଛୁଟି । କିନ୍ତୁ ମୋର ଏହି ନାଟକରେ ସାମାନ୍ୟରେ ମଧ୍ୟ ଅଂଶ ନାହିଁ । ମୋର ପଡ଼ୋଶୀ ରାଜସ୍ଥାନୀ ଓ ବଙ୍ଗାଳୀ ଯାହା, ମୁଁ ମଧ୍ୟ ସେଇଆ ।

 

ଘଣ୍ଟାକରେ ଖବର ଆସିଲା ଯେ ସମୁଧୀ ବ୍ରଜବାବୁ କଟକ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି ସୁଇସାଇଡ଼ ଓ ହୋମିସାଇଡ଼ । ଦାରୋଗା କହିଲେ ଗୋଟିଏ ରଖନ୍ତୁ—ହୁଏ ସୁଇସାଇଡ଼ ଅବା ହୋମିସାଇଡ଼ ।

 

ସମୁଧୀ ରାଗିଗଲେ । ଆପଣ କ’ଣ ହାଇକୋଟ ଗଭର୍ଣ୍ଣମେଣ୍ଟ ଆଡ଼ଭୋକେଟଙ୍କଠାରୁ ଅଧିକ ବୁଝନ୍ତି । ତେଣୁ ଏତଲା ରହିଲା ଆତ୍ମହତ୍ୟା ଅବା ହତ୍ୟା ।

 

ହତ୍ୟା କଲା କିଏ ?

 

—ଜୋଇଁର ମା ଓ ଜୋଇଁର ଭଉଣୀ । ଜୋଇଁଥିଲା ଦିଲ୍ଲୀରେ । ସମୁଧୀ ଥିଲେ ରେଭେନ୍‌ସା କଲେଜରେ । ଘରେ ଚାକର ନାହିଁ । ଅନ୍ୟ ଲୋକ ନାହାନ୍ତି । ତେଣୁ ହତ୍ୟା କରିବେ ଶାଶୁ ଓ ନଣନ୍ଦ ।

 

—କାହିଁକି ହତ୍ୟା କଲେ ?

 

—ଏଇ ଅତ୍ୟାଚାର କରି କରି । ଜୋଇଁଟା କିଛି ନୁହେଁ । ଶଶୁର କିଛି ନୁହନ୍ତି । ଶାଶୁ ଓ ନଣନ୍ଦ ବଡ଼ ବଦମାସ୍‌ । ଦିଲ୍ଲୀ ଇତ୍ୟାଦି ସହରରେ ସେମାନେ କେତେ ବୋହୂଙ୍କୁ ପୋଡ଼ି ନିପାତ କଲେଣି । ଓଡ଼ିଶାରେ ଆରମ୍ଭ ହୋଇଗଲା ।

 

—ଜୋଇଁ କାହିଁ ?

 

—ଟେଲିଗ୍ରାମ ଓ ଟେଲିଫୋନ ଯାଇଛି । ଖବର ଆସିଛି ଯେ ସେ ପ୍ଳେନ୍‌ରେ ଆସୁଛି । ଭୁବନେଶ୍ୱରରେ ଅଢ଼େଇଟା ତିନିଟାବେଳକୁ ପହୁଞ୍ଚିବ। ତାକୁ ଏରୋଡ୍ରମ୍‌ରୁ ଆଣିବାକୁ ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସ ମଟର ନେଇ ଗଲେଣି । ଆଉ ମଧ୍ୟ ପିଇସା ଶ୍ରୀ ହୃଶୀକେଶ ମିଶ୍ର ମଟର ନେଇ ଯାଇଛନ୍ତି ।

 

—ପୂଣ୍ୟପ୍ରଭା ଦେବୀ କେଉଁଠି ?

 

—ସେ ଏବେ ଗଲେ ଡାକ୍ତରଖାନାକୁ । ଚଉଦ ତାରିଖ ରାତିରେ ଅମିତାର ଭାଇମାନେ ଆସି ଏପରି ଧମକ ଚମକ କଲେ ଯେ ବାଧ୍ୟହୋଇ ପୂଣ୍ୟପ୍ରଭାଙ୍କୁ ଡାକ୍ତରଖାନାରୁ ଡକ୍ଟର ଶ୍ରୀମତୀ ବିଜୟଲକ୍ଷ୍ମୀ ଦେବୀ ଓ ଡକ୍ଟର ଶ୍ରୀମତୀ ବସନ୍ତ ଦେବୀ ପଠାଇଦେଲେ । ତାଙ୍କର ମଙ୍ଗଳାବାଗ ଘରେ କେହି ନାହାନ୍ତି । ବାଧ୍ୟରେ ସେମାନେ ପୁରୀଘାଟରେ—ବାପ ଘରେ ।

 

—ଅମିତା ପାଖରେ କିଏ ଅଛି ?

 

—ଏମିତି ଯାଆ ଆସ ଚାଲିଛି । ତାହାର ଲୋକ ଅଛନ୍ତି । ଏପାଖର ଲୋକ କେହି ନାହାନ୍ତି । କିଏ ଅବା ଅଛି ? ହିମାଂଶୁ ବାବୁ ଓ ତାଙ୍କର ଭିଣୋଇ ମୁରଲୀଧର ବାବୁ ଓ ପିଲାମାନେ ଅଛନ୍ତି । ପୂଣ୍ୟପ୍ରଭା ଯାଇ ପାରୁନାହାନ୍ତି ।

 

—କାହିଁକି ?

 

—ସେଠି ଅମିତାର ଭାଇ ଦେବୀପ୍ରସନ୍ନ ବାବୁ ଓ ତାଙ୍କର ଛୋଟ ଭାଇମାନେ ଅଗଷ୍ଟ ଚଉଦ କାକଟପୁର ଗୁଳିକାଣ୍ଡର ଆହତ ନେତାଙ୍କୁ ଦେଖିବାକୁ ଆସିଥିବା ଲୋକଙ୍କୁ ଏକାଠି କରି ଟିହାଉଛନ୍ତି ଯେ ଶାଶୁ ନଣନ୍ଦ ମିଶି ବୋହୂକୁ ପୋଡ଼ି ଦେଇଛନ୍ତି । ସେମାନେ ଆସିଲେ ତାଙ୍କ ଉପରେ ଏସିଡ୍ ଫିଙ୍ଗାଯାଉ ।

 

ଘଟଣାର ସତ ମିଛ ବୁଝୁଛି କିଏ ? ସାରା ମଙ୍ଗଳାବାଗରେ ଯିଏ ଯାହାପାରୁଛି ବୟାନ ଦେଉଛି ପ୍ରତ୍ୟକ୍ଷଦର୍ଶୀ ପରି । କିଏ ନିଆଁ ଦେଖିଛି । କିଏ ଧୂଆଁ ଦେଖିଛି । କିଏ ଚିତ୍କାର ଶୁଣି ଯାଇଛି....ଆତ୍ମହତ୍ୟା କାହିଁକି କରିବ ଚାରିମାସର ବୋହୂଟା...ଅବଶ୍ୟ ମଡ଼ର ।

 

—କାରଣ କ’ଣ ?

 

—ନିଜର ଅଭ୍ୟାସ । ଶାଶୁଟା ଗୋଟାଏ ରାକ୍ଷସୀ । କେମିତି ଦାଣ୍ଡରେ କଥା ନ କହେ । ଆହା ବିଚାରୀ ଡରକୁଳୀ ବୋହୂଟା ସେଇ ରାକ୍ଷସୀକୁ କ’ଣ ଉବୁରି ଯାଇ ପାରିବ ? ....ପ୍ରଧାନ ପ୍ରମ୍ପଟର ବାବୁ କେଦାରନାଥ ଧଳ । ସେ ଶାଶୁଙ୍କର ଶାଶୁଘର ଗାଁର ବଂଧୁବାଂଧବ । ନିଜ ଲୋକ କହୁଛନ୍ତି—ତେଣୁ କଥାଟା ପୂରାପୂରି ସତ ।

 

କଟକ ମେଡିକାଲରେ ବୋହୂ ଅମିତାଙ୍କର ଲୋକମାନେ ଓ କଟକ ମଙ୍ଗଳାବାଗ ଘରର ଗୋଟିଏ ଅଂଶରେ ଆସ୍ଥାନୀ ଧଳବାବୁ ଓ ତାଙ୍କର ପରିବାରମାନେ ଓ ମଙ୍ଗଳାବାଗ ନୂଆପାଟଣାର ଅନେକ ଲୋକ ଏଇ ମଡ଼ର ପ୍ରଚାରରେ ଲାଗିଥାନ୍ତି । ଥାନା ସେଇଠୁ ଶହେ ମିଟର ଦୂର । ମେଡିକାଲ ସେଇଠୁ ଦୁଇଶହ ମିଟର ଦୂର ।

 

ହତ୍ୟାର ବିଭୀଷିକା ସେଇ ଅଞ୍ଚଳରେ କଳା ମେଘପରି ନଇଁ ପଡ଼ିଥାଏ । ଆକାଶରେ ମେଘ ଓ ଦକ୍ଷିଣରୁ ପବନର ଝଟକା ।

 

ମଙ୍ଗଳାବାଗ ଘରେ ଆକ୍ରମଣର ଆଶଙ୍କା ଅଛି ବୋଲି ପ୍ରଚାର ଚାଲିଥାଏ । ପୂଣ୍ୟପ୍ରଭା ଦେବୀଙ୍କର ଘରେ ମାତ୍ର ଚାରିଜଣ—ସେ ଓ ଝିଅ ନନ୍ଦିନୀ ଓ ସ୍ୱାମୀ । ବୋହୂ ତ ମରିଗଲେଣି ।

 

କିଏ କାହା କଥା ବୁଝିବ ? କାହାରି କାହା ସାଙ୍ଗରେ ସାକ୍ଷାତ୍ ନାହିଁ । ମୋତେ ବା ମୋ’ ଘରକୁ ଖବର ଆସିଥିଲେ କେଜାଣି ହୁଏତ ସେଠି ଠିଆ ହୋଇଥାନ୍ତୁ । ସେତକ ବି ନ ଥିଲା ।

 

ପୁଅ ଅଶୋକବାବୁ ପୁରୀଘାଟରୁ ଭୁବନେଶ୍ୱରରୁ ଆସିଥିବା ଭାଇ, ଭାଇବୋହୂ ଲିଲିଦେବୀ, ଭାଣିଜୀ ଅଧ୍ୟାପିକା ରେଖା ଦେବୀ ଓ ଭଣଜା ଆଡଭୋକେଟ୍ ଶୌର୍ଯ୍ୟ ବାବୁଙ୍କୁ ନେଇ କଟକ ଡାକ୍ତରଖାନାକୁ ଗଲେ ।

 

ପୂଣ୍ୟପ୍ରଭା ଦେବୀଙ୍କର ନଣଦେଇ ବାବୁ ମୁରଲିଧର ମିଶ୍ର । ସେ ଟେଲିଫୋନ୍‌ରେ କହିଲେ—ଭାଉଜ, ଶୀଘ୍ର ଆସ । ଯେମିତି ହେଉ ଆସ । ଏଠି ଲୋକେ ଅନେକ ପ୍ରକାରର କଥା କହୁଛନ୍ତି । ସେଇ କଥାକୁ ସମ୍ଭାଳି ସହି ହେଉ ନାହିଁ । ତୁମର ଝିଅ ପୋଡ଼ିଯାଇଥିଲେ ତୁମେ କ’ଣ ଡାକ୍ତରଖାନାକୁ ଆସି ନ ଥାନ୍ତ ?

 

ମୁରଲି ବାବୁଙ୍କର ପୁଅ ସତ୍ୟଜିତ୍ ବାବୁ ଓରଫ୍ ମୁନା ବାବୁ ପୂଣ୍ୟପ୍ରଭା ଦେବୀଙ୍କର ମଟର ନେଇ ଆସିଥାନ୍ତି ।

 

ପୂଣ୍ୟପ୍ରଭା ଦେବୀ ଓ ଝିଅ ନନ୍ଦିନୀ ଦେବୀ ଡାକ୍ତରଖାନାକୁ ଗଲେ । ସେଠି ପୋଷ୍ଟମର୍ଟମ ହଲ ପାଖରେ ଗାଡ଼ିରୁ ଓହ୍ଲାଇ ଶାଶୁ କାନ୍ଦି ହାତଯୋଡ଼ି କହିଲେ—ମୁଁ ନିର୍ଦୋଷ, ବୋହୂ କାହିଁକି ମଲା କହି ପାରିବି ନାହିଁ ।

 

ଅବସ୍ଥା ଅଡ଼ୁଆ ଆଡ଼କୁ ଯିବା ସନ୍ଦେହ ହେବାରୁ ସେମାନେ ସେଇ ମଟରରେ ଫେରିଲେ କଟକ ମଙ୍ଗଳାବାଗ—ମେଡିକାଲ ରୋଡ୍‌ର ମୁରଲି ବାବୁଙ୍କ ଘରକୁ । ବୋହୂ ଅମିତାର ଶବ ପଡ଼ି ରହିଛି କଟକ ମେଡିକାଲର ପୂର୍ବ ତରଫ ପୋଷ୍ଟମଟମ୍‌ ହଲ ପାଖରେ ।

 

ଅମିତା ତରଫରୁ ଥାନ୍ତି ମଉସା ବିଜନବାବୁ, ମାମୁଁ ଶରତବାବୁ, ଭାଇ ଦେବୀବାବୁ ଓ ଅନ୍ୟ ଭାଇମାନେ ।

 

ଡାକ୍ତରଖାନାରେ ଖୁବ୍ କଡ଼ା କଡ଼ା କଥା ଚାଲିଥାଏ—ଏତେ ମାମୁଁ ? ଜଣେ କ’ଣ କିଏ ଆସିଲା ଏଇ ଚବିଶି ଘଣ୍ଟା ଭିତରେ ?

 

ମୁଁ ଜାଣିଲି ପରେ ।

 

କଟକ ତେଲଙ୍ଗା ବଜାର ଘରୁ ଧୋତି କାମିଜ ପିନ୍ଧି ଖଣ୍ଡେ ଭଙ୍ଗାଛତା ନେଇ ବାହାରିଲି ତିନିଟାବେଳେ । ରାସ୍ତାରେ ପାଣି ଓ ଉପରେ ବର୍ଷା ।

 

ରିକ୍‌ସା ନାହିଁ । ଚାଲି ଚାଲି ମଙ୍ଗଳାବାଗ ଯିବାକୁ ପଡ଼ିଲା—ପ୍ରାୟ ତିନି କିଲୋମିଟର । ସେଠି ପୂଣ୍ୟପ୍ରଭା ଦେବୀଙ୍କ ଘର ପାଖରେ ଜଣେ ବାବୁ କହିଲେ—ଏଠି କେହି ନାହାନ୍ତି ।

 

—ଲାସ୍ କେଉଁଠି ?

 

—ବୋଧହୁଏ ମେଡିକଲ୍‌ରେ ।

 

—ଏମାନେ କେଉଁଠି ?

 

—ଜଣା ନାହିଁ ।

 

ସେଠୁ ପୁଣି ଅଧ କିଲୋମିଟର ବାବୁ ମୁରଲୀଧର ମିଶ୍ରଙ୍କ ଘରକୁ । କିନ୍ତୁ ଦୁଇ ବର୍ଷ ତଳେ ଥରେ ସେଇ ଘରକୁ ଯେଉଁ ଦୁଆର ବାଟେ ଯାଇଥିଲି ସେଇ ଦୁଆରେ ତାଲା । ପାଖରେ ମଧ୍ୟ କାହାରି ଘର ଆଗରେ ଲୋକ ନାହାନ୍ତି ବର୍ଷା ପାଇଁ ।

 

ପୁଣି ଯିବାକୁ ପଡ଼ିଲା ଆଉ ଅଧ କିଲୋମିଟର ଶ୍ରୀ ହୃଷୀକେଶ ମିଶ୍ରଙ୍କ ଘରକୁ । ସେଠି ତାଙ୍କ ପୁଅ ଆଡ଼ଭୋକେଟ୍ ଶ୍ରୀ ଅଶୋକ ମିଶ୍ର ଜଣାଇଲେ ଯେ ପୂଣ୍ୟପ୍ରଭା ଦେବୀ ଇତ୍ୟାଦି ବଜ୍ରକବାଟିରେ ଡକ୍ଟର ରାଜକିଶୋର ଦାସଙ୍କ ଘରେ ଥିବା ସମ୍ଭବ ।

 

ପୁଣି ଦେଢ଼ କିଲୋମିଟର ବର୍ଷାରେ ଓଦା ହେବାକୁ ପଡ଼ୁଥାଏ । ରିକ୍‌ସା ନାହିଁ ।

 

ରାଜକିଶୋର ବାବୁଙ୍କ ଘର ପାଖରେ ଜଣାଗଲା ଯେ ବାବୁ ଗୋଟିଏ ଜିପ୍‌ରେ ସେଇ ଆଗେ ଆଗେ କୁଆଡ଼କୁ ଗଲେ । ତାଙ୍କ ଘରୁ ଜଣାଗଲା ଯେ ପୂଣ୍ୟପ୍ରଭା ଦେବୀ ଇତ୍ୟାଦି ମୁରଲି ବାବୁଙ୍କର ଘରେ ।

 

ଟେଲିଫୋନରେ ପୂଣ୍ୟପ୍ରଭା ଦେବୀଙ୍କ ସହିତ କଥାହେବାକୁ ମନା କରି ରିକ୍‌ସା ରହିଛି ବୋଲି ମିଛରେ କହି ଚାଲି ଚାଲି ପୁଣି ଏକ କିଲୋମିଟର ଦୂର ପୋଷ୍ଟମଟମ ହଲ ପାଖକୁ ।

 

ମତେ ଏଇ ଅଂଶଟି ନୂଆ । ଡାକ୍ତରଖାନା ପାଖରେ ଦୋକାନୀମାନଙ୍କୁ ପଚାରି ପଚାରି ମୁହଁ ସଞ୍ଜବେଳକୁ ପହୁଞ୍ଚିଲି ।

 

ପ୍ରାୟ ପଚିଶି ତିରିଶି ଲୋକ । ପୂଣ୍ୟପ୍ରଭାଙ୍କ ମଟର ଭିତରେ ସେମାନେ ଅମିତାର ଶବକୁ ରଖୁଛନ୍ତି । ମୋର ସାନ ଭାଇ ବୀରବାବୁ ବିରକ୍ତ ହେଲେ ଯେ ଏତେବେଳଯାଏ ମୁଁ ଆସିପାରିଲି ନାହିଁ ?

 

—ଖବର ପାଇଲି ଦିନ ତିନିଟାବେଳେ । ରିକ୍‌ସା ମିଳିଲା ନାହିଁ । କିଏ କେଉଁଠି ଅଛନ୍ତି ମୁଁ ଜାଣେ ନାହିଁ । ବର୍ଷାରେ ଚାଲି ଚାଲି ଆସୁଛି ।

 

ଏଠି ବହୁତ ଗୋଳମାଳ କେହିନାହିଁ ? —ବବି (ଜୋଇଁ) ଆସିଲା ?

 

—ହଁ, ସେ ଆସିଲାଣି । ସେଇ ମଟରରେ ଗଲା ଶ୍ମଶାନକୁ ।

 

ତା’ ପରେ ପୁଣି ଖାନନଗର ଶ୍ମଶାନ । ସେତେବେଳକୁ ଖଣ୍ଡେ ମଟରରେ ଜାଗା ମିଳିଲା-

 

କଟକ କାଠଯୋଡ଼ି ନଈରୁ ଥଣ୍ଡା ପବନ ଦେହ ଥରାଇ ଦେଉଥାଏ । ବିଜୁଳି ଚୁଲା ଚାଲୁ ହେଲାଣି । ତେଣୁ ଆଉ କାଠ ଇତ୍ୟାଦିର ସମସ୍ୟା ନାହିଁ । କିନ୍ତୁ ଅମିତା ଆଗରୁ ଦୁଇଟି ଶବ ଆସିଛି-। ଗୋଟିଏ ପୋଡ଼ା ହେବାରେ ଅଛି । ତେଣୁ ଆମର ପାଳି ପଡ଼ିବ ଆଉ ଘଣ୍ଟାକ ପରେ-

 

ଅମିତାର ଶବ ଥୁଆ ହୋଇଥାଏ । ଶବରେ ହାତ ଦେଇ ସ୍ୱାମୀ ଶୁଭେନ୍ଦୁ ବସିଥାଏ । ଦିଲ୍ଲୀରୁ ଆସିଲାବେଳେ ଓଡ଼ିଶା ବନ୍ଦ ପାଇଁ ଚଉଦରେ ପ୍ଳେନ୍‌ ନ ଥିଲା । ପନ୍ଦର ତାରିଖ ସ୍ୱାଧୀନତା ଦିବସ ପାଇଁ ଭିଡ଼ ଥିଲା । ତଥାପି ରାତିଯାକ ଜଗି ବସି ସେ ଖଣ୍ଡେ ଟିକଟ ପାଇ ପାରିଥିଲା ।

 

ଏରୋଡ୍ରମ୍‌ରୁ ସେ କେମିତି ଆସିବ ଭାବି ନ ପାରି ନାଲ୍‌କୋ ଅଫିସରଙ୍କ ଗାଡ଼ିରେ ଲିଙ୍କ୍‌ରୋଡ଼ ଛକ ଯାଏ ଆସିବାର ବ୍ୟବସ୍ଥା କରିଥିଲା । ଶେଷରେ ହୃଷୀକେଶ ବାବୁଙ୍କୁ ଦେଖି ତାଙ୍କ ଗାଡ଼ିରେ ଆସିଲା ।

 

ବୋହୂ କେମିତି ଅଛି ପଚାରିଲାରୁ ହୃଷୀକେଶ ବାବୁ କହିଲେ ଯେ ସେ ଡାକ୍ତରଖାନାରେ-

 

ପୋଷ୍ଟମର୍ଟମ ହଲ୍ ତାକୁ ମଧ୍ୟ ଅଚିହ୍ନା । ସେଠି ଅମିତାର ଶବ ଥୁଆ ହେଇଛି ଦେଖି ମଧ୍ୟ ଚିହ୍ନିପାରିଲା ନାହିଁ । ସେଇ ଶବକୁ ପାର ହୋଇଗଲାବେଳେ ଅଶୋକ କହିଲେ—ବବି ଭାଇ, ଏଇଠି ।

 

ବବି କାବା ହେଇ ଠିଆ ହୋଇଗଲା । ସେଇଠୁ ଗୋଟିଏ ଫଟୋ ପ୍ୟାକେଟ୍‌ କାଢ଼ି କହିଲା—ମାମି, ଫଟୋ ଆଣିବାକୁ କହିଥିଲ । ଆଣିଛି । ପ୍ୟାକେଟଟି ଅଶୋକ ହାତକୁ ଦେଇଦେଲା ।

 

ଅଶୋକ ସେଇ ଫଟୋତକ ନେଇ ମାମିର ଛାତି ଉପରେ ସଜାଡ଼ି ଥୋଇଦେଲା ।

 

ମାମିକୁ ସେତେବେଳକୁ ତାହାର ମଝିଆଁ ମାଇଁ ଲିଲି ଦେବୀ ଓ ଭଉଣୀ ରେଖା ଦେବୀ ଗାଧୋଇ ଦେଇ, ଅଳିତା ସିନ୍ଦୂର ଆଦି ବିଧିବିଧାନ କରି ଲୁଗା ପିନ୍ଧାଇ ସାରିଥାନ୍ତି ।

 

ମାଆ ନାହିଁ । ମାଆର ଦୁଇ ହାତ ପାପୁଲି ପୋଡ଼ି ଯାଇଛି । ତାହାର ଆସିବାକୁ ମାମି ଘରର ଲୋକ ବାଧା ଦେଇଛନ୍ତି ।

 

କଟକ ମେଡିକାଲର କାଜୁଆଲଟି ନମ୍ବର ମାମିର ଦଶହଜାର ଆଠ ଶହ ପଚସ୍ତରୀ । ତାରିଖ ଚଉଦ ଅଗଷ୍ଟ । ସମୟ ପ୍ରାୟ ତିନିଟା ଆଗରୁ । ପୋଡ଼ା ନାଇନ୍‌ଟି ପରସେଣ୍ଟ ।

 

ସେଇଠି ଶାଶୁର ନମ୍ବର ଦଶ ହଜାର ଆଠ ଶହ ଅଠସ୍ତରୀ—ଆଉ ତିନୋଟି ନମ୍ବର ଛାଡ଼ି । ପୋଡ଼ା ଫାଇଭ ପରସେଣ୍ଟ ।

 

ଶାଶୁ ପୂଣ୍ୟପ୍ରଭାର ପ୍ରେସକ୍ରିପସନ୍‌ ହେଲା ।

 

(a) Injection T. Toxoid

I. C. C. Intramuscular.

 

(b) Injection pathedrine 100 mg I. M.

 

(c) Clean and dress with Silver Sulphadiazine in E. O. T.

 

(d) Ampicillin 500 mg 20 Capsules Every Six hours.

 

ଆମ୍ୱୁଲାନସରେ ମାମି ସାଙ୍ଗରେ ଗଲେ ନଣନ୍ଦ ସରଦେବୀ ଓ ତାଙ୍କର ସ୍ୱାମୀ ବ୍ରଜବାବୁ ଆଉ ମଙ୍ଗଳାବାଗର ଛବିବାବୁ ଓରଫ ଶ୍ରୀ ମହେନ୍ଦ୍ର କୁମାର ବେହେରା ।

 

ନିଜ ଘରକୁ ବନ୍ଦ କରାଇ ଶାଶୁ ଆସିଲେ ମେଡିସିନ୍‌ ପ୍ରଫେସର ଡାକ୍ତର ରାଜକିଶୋର ଦାସଙ୍କ କାରରେ । ସେଥିପାଇଁ ଯେଉଁ ବିଳମ୍ୱ ହେଇଥିଲା ସେଥିରେ କାଜୁଆଲଟି ସିରିଆଲ ତିନୋଟି ନମ୍ୱର ଘୁଞ୍ଚିଗଲାଣି ।

 

ପୋଷ୍ଟମର୍ଟମ ହଲରେ ଅଶୋକ ଆଦି ପହୁଞ୍ଚିଲାବେଳକୁ ଧିକ୍‌କାର ଆରମ୍ଭ ହେଲା—ହେଇ ଆସିଲେ ଆରିଷ୍ଟୋକ୍ରାଟ ବାବୁମାନେ । ଶବ ପଡ଼ିରହିଥିଲା ନର୍ଦ୍ଦମା ପାଖରେ କେହି ଆସୁ ନ ଥିଲେ ।

 

ଚଳନି ଅନୁସାରେ ଶବକୁ ଛୁଇଁ ବସି ରହିବା କଥା । ଅଶୋକକୁ ଏଇ କାମ ନୂଆ । ସେ ଟାଇଟ୍‌ ପ୍ୟାଣ୍ଟ ପିନ୍ଧି ଯାଇଥିଲା ।

 

କ’ଣ କରିବାକୁ ହେବ—ଏତକ କେହି ନ କହି ଖାଲି ଥଟା ବିଦ୍ରୁପ ।

 

ଅଶୋକ ଟେକି ହୋଇ ବସିଥିଲା ।

 

ପଚାରିଲା—ତଳେ କ’ଣ ବସି ପାରିବ ?

 

—ହଁ । ଆଉ କ’ଣ ଏମିତି ବସି ହବ ? ଜାଣି ନାହିଁ ତ ଆସିଛ କାହିଁକି ?

 

ସେଇଠୁ ଅଶୋକ ମାମିର ଶବ ଉପରେ ହାତ ଦେଇ ତଳେ ଚଟାଣରେ ବସି ରହିଥିଲା-

 

କଥା ଚାଲିଥାଏ । ମାମି ସବୁକଥା କହି ଯାଇଛି । ଟେପ୍‌-ରେକଡରେ ଆମେ ଉଠାଇ ନେଇଛୁ । ଶାଶୁ କେମିତି ସବୁ ଅତ୍ୟାଚାର କରିଥିଲା ସେ ସବୁ କହି ଯାଇଛି । ସମସ୍ତେ ଶୁଣିଛନ୍ତି ।

 

ଶ୍ମଶାନରେ ଅପେକ୍ଷା ଗୃହରେ ସମୁଧୀ ବିଜନବାବୁ, ସମୁଧୀ ଶରତବାବୁ ଓ ଝିଅର ଭାଇମାନେ ଥାନ୍ତି ।

 

ଚୁଲା ବାରଣ୍ଡାରେ ଥାନ୍ତି ଶ୍ରୀ ହୃଷୀକେଶ ମିଶ୍ର ଅବସରପ୍ରାପ୍ତ ହେଲଥ ଡାଇରେକ୍ଟର ଡକ୍ଟର ରାଜକିଶୋର ଦାସ, ଶ୍ରୀ ମୁରଲୀଧର ମିଶ୍ର, ଆଡ଼ଭୋକେଟ୍‌ ଶ୍ରୀ ଅଶୋକ ମିଶ୍ର, ମୁରଲୀବାବୁଙ୍କ ପୁଅ ମୁନାବାବୁ, ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସ, ଶ୍ରୀ ଶୌର୍ଯ୍ୟପ୍ରକାଶ ମହାନ୍ତି ଓ ମୋର ସାନ ଭାଇ ବୀରବାବୁ ଓ ମୁଁ ଓ ମୋର ପୁଅ ଅଶୋକ ।

 

ବବି ବସିଥାଏ ମାମିର ଶବ ଉପରେ ହାତ ଦେଇ ।

 

ଶ୍ମଶାନର ଦୁର୍ବଳ କର୍ମ କରା ହୋଇଥାଏ ।

 

ଶେଷକୁ ମୁଖାଗ୍ନି ଦିଆଗଲା । ଜଳନ୍ତା ସଳିତା ନେଇ ମାମିର ମୁହଁ ଉପରେ ଥୋଇଲା ବେଳେ ବବି ଆଖିରୁ ଦୁଇଧାର ଲୁହ ଗଡ଼ି ପଡ଼ିଥିଲା ।

 

ମୁଁ ନିଜେ ମୋର ବାପାଙ୍କର ଓ ମାଆର ମୁଖାଗ୍ନି ଦେଇଛି ଏଇ ଶ୍ମଶାନରେ । ମୋର ଆଖିରୁ ଲୁହ ଗଡ଼ି ନ ଥିଲା ।

 

ମୋର ବାପାଙ୍କର ମରଣ ପାଇଁ ମୁଁ ପ୍ରଥମ ଥର କାନ୍ଦିଥିଲି ତାଙ୍କର ପ୍ରଥମ ବାର୍ଷିକ ଶ୍ରାଦ୍ଧରେ । ମୋର ମାଆ ପାଇଁ ମୁଁ ଅଦ୍ୟାବଧି ଏଇ ଚଉଦ ବର୍ଷ ମଧ୍ୟରେ କାନ୍ଦି ନାହିଁ ।

 

ସେମାନେ ଥିଲାବେଳେ ଭାବୁଥିଲି ଯେ ସେମାନଙ୍କର ଅବର୍ତ୍ତମାନରେ ସ୍ଥିତି ସମାନ ରହିବ । କିନ୍ତୁ ମୋର ବାପାଙ୍କର ମରଣର ଅଠେଇଶି ବର୍ଷ ପରେ ଓ ମୋର ମାଆ ମରିବାର ଚଉଦ ବର୍ଷ ପରେ ସେମାନଙ୍କର ଅଭାବ ମନରୁ ଘୁଞ୍ଚେଇ ପାରିନାହିଁ । ଏଣେ ସେମାନଙ୍କର ମରିବାର ବୟସରେ ନିଜେ ଆସି ପହୁଞ୍ଚି ଗଲିଣି ।

 

କୌଣସି ସ୍ୱାମୀକୁ ତାହାର ସ୍ତ୍ରୀର ମୁଖାଗ୍ନି ଦେବା କେବେ ଦେଖିନଥିଲି । ମାମିର ମରଣରେ ଦେଖିଲି । ଜଣେ ସ୍ୱାମୀ ତାହାର ସ୍ତ୍ରୀ’ର ମରଣ ପାଇଁ କାନ୍ଦିପାରେ–ଏତକ ମତେ ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ନରସିଂହ ସାହୁ ଉପନ୍ୟାସ ଲେଖି ଓ କହି ବୁଝାଇ ଥିଲେ । କିନ୍ତୁ ପ୍ରତ୍ୟକ୍ଷ ଅନୁଭୂତିକୁ ଆସିଲା ଚଉରାଅଶି ମସିହା ଅଗଷ୍ଟ ପନ୍ଦର ତାରିଖ ରାତି ନଅଟା ବେଳେ ।

 

ବିଜୁଳି ଚୁଲାପାଖକୁ ବବି ଯାଇଥିଲା ଶବ ସାଙ୍ଗରେ । ମୁଁ ମଧ୍ୟ ଯାଇଥିଲି । ମୋର ସରଳ ସୁକୁମାରୀ ବୋହୂଟିକୁ ହାତ ଟେକି ପ୍ରଣାମ ଜଣାଇ ବିଦାୟ ଦେଇ ଆସିଛି ।

 

କିନ୍ତୁ ମୋର ହୃଦୟରେ ଯେଉଁ କ୍ଷତ ସେ କରି ଦେଇଯାଇଛି ସେ କଥା ଭାବିଲେ ମୁଁ ଅନେକ ସମୟରେ ବିକ୍ଷୁବ୍‌ଧ ଓ ବିହ୍ଵଳ ହୋଇପଡ଼େ ।

 

ମଣିଷର ଯେ ଯଥେଷ୍ଟ ହୃଦୟ ଅଦ୍ୟାବଧି ବଳିଛି ସେଇ ଅଗଷ୍ଟ ପନ୍ଦର ରାତିରେ ମୁଁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଉପଲବ୍‌ଧ କରିପାରିଛି ।

 

ବିଜୁଳି ଚୁଲା ଭିତରକୁ ଶବ ଗଲା । ମୁଁ ମଧ୍ୟ ସେଇ ସ୍ଥାନ ଛାଡ଼ିଲି । ଭିଣୋଇ ହିମାଂଶୁବାବୁ ଅବସନ୍ନ ହୋଇ ବସିଥାନ୍ତି ।

 

ମଟରରେ ଫେରିବାକୁ ମନ ଡାକିଲା ନାହିଁ । ବୋହୂ କ’ଣ କହିବ ବୋଲି ମରିବା ଆଗଦିନ ଚାହିଁ ଥିଲା । ନିଜର ଦୁର୍ଯ୍ୟୋଗରୁ ଓ ସମୟ ଉପଯୋଗ କରି ନ ପାରି ମୁଁ ମୋର ଅବଶିଷ୍ଟ ଜୀବନ ପାଇଁ ଗୋଟିଏ ମଣିଷର ଶେଷ କଥା କେଇପଦ ଶୁଣିବାକୁ ଚାହିଁ ମଧ୍ୟ ଶୁଣି ପାରିଲି ନାହିଁ ।

 

ବିଚାରି ତହିଁ ଆରଦିନ ଚାଲିଗଲା । ସେ ଖବର ଟିକକ ମଧ୍ୟ ପାଇ ପାରିଲି ନାହିଁ ।

 

ହୁଏତ ତାର ଶେଷ ଦର୍ଶନ ମଧ୍ୟ କରି ପାରି ନ ଥାନ୍ତି । ଚାହୁଁ ଚାହୁଁ ତାହାର ଅବଶେଷ ମଧ୍ୟ ଚାଲି ଯାଇଥାନ୍ତା ।

 

ଅଦରକାରୀ ପଶୁଙ୍କୁ ବଞ୍ଚାଇ ରଖିବାକୁ ମୋର ସାଧ୍ୟ ବାହାରେ ଚେଷ୍ଟା କରିଛି । ଗୋଟାଏ ମଣିଷକୁ ମୁଁ ବଞ୍ଚାଇବାକୁ ଚେଷ୍ଟା ମଧ୍ୟ କରି ପାରିଲି ନାହିଁ । ଏତେ ଶ୍ରୀଘ୍ର ଏମିତି ସେ ଚାଲି ଯାଇ ପାରେ ଏତକ ମଧ୍ୟ ଭାବି ପାରିଲି ନାହିଁ ।

 

ଏଣେ ମୋର ଅନୁଭୂତିରେ ଅଛି ଯେ ମୁଁ ଅନେକ କଥା ଜାଣି ପାରିଛି ଆଗରୁ । କିନ୍ତୁ ମାମିକୁ ଦେଖି ମଧ୍ୟ ସେଇ ବିପଦ ଓ ସେଇ ଚିର ବିଦାୟର ସାମାନ୍ୟ ସୂଚନା ପାଇ ପାରିଲି ନାହିଁ ।

 

ବାହାଘର କାର୍ଡ଼ ବାଣ୍ଟିଲା ବେଳେ ଭବିଷ୍ୟତ୍‌ ଦ୍ରଷ୍ଟା ଶ୍ରୀମତୀ ନିର୍ମଳା ପଣ୍ଡା କହିଲେ–ଏଇ ବିଭାଘର ଶୁଭ । କାରଣ ବାଇଶି ସଂଖ୍ୟାଟି ଶୁଭ । ଏଇ ବୋହୂ (ଅମିତା) ଘରକୁ ଲକ୍ଷ୍ମୀ ଆଣିବ । ତାଙ୍କ ମତରେ ଏଇପରି ଯୋଡ଼ା ସଂଖ୍ୟା କ୍ୱଚିତ୍‌ ମିଳିଥାଏ ।

 

ନିର୍ମଳା ଦେବୀଙ୍କର ଭବିଷ୍ୟତ କଥା କହିବାର ଶକ୍ତି ଓ କ୍ଷମତା ଦେଖିଛି ଓ ଜାଣିଛି । ତାଙ୍କର ମଧ୍ୟ ଏଇ ପ୍ରମାଦ ହେଲା କେମିତି ? ମାମିର ଟିପ୍‌ପଣା କଣ ସେମାନେ ଭୁଲଭାଲ କରି ଦେଇଥିଲେ ? ଈଶ୍ୱର ଜାଣନ୍ତି କାହାର ବିଚାର ବିମର୍ଷ କିପରି ଥିଲା ।

 

ବବି ଓରଫ୍‌ ଜୀବନ ଓରଫ୍‌ ଶୁଭେନ୍ଦୁ ତାହାର ଭାଇ ଶୌର୍ଯ୍ୟ ଓ ଅଶୋକ ସହିତ ମୁନାବାବୁଙ୍କ ଗାଡ଼ିରେ ଫେରିଲେ ପୁରୀଘାଟ । ସେଇଠି ଶୌର୍ଯ୍ୟ ଓହ୍ଲାଇ ତାହାର ଭଉଣୀ ଭିଣୋଇ, ମାମୁଁ ମାଈଁଙ୍କ ସାଙ୍ଗରେ ଭୁବନେଶ୍ୱର ଯିବ । ପାଗ ଖରାପ ଅଛି ।

ପୁରୀଘାଟର ଘାଟଘର ପାଖରେ ଗାଡ଼ି ରଖି ନଈକୁ ଗଲେ । ଫେରିଲା ବେଳକୁ ସମୁଧୀ ବିଜନ ବାବୁଙ୍କର ଗାଡ଼ି ଆସି ସେଠି ରହିଲା । ବିଜନ ବାବୁ ବବିକୁ ପଚାରିଲେ–

–ବବି, ଡୁବିବାକୁ ଯାଇଥିଲ ?

—ହଁ ।

—ହଉ । ଡୁବ ଡୁବ । କେତେଥର ପୁଣି ଡୁବିବ ।

କହି ଗାଡ଼ି ଚଳାଇ ଚାଲିଗଲେ ଶହେ ମିଟର ଦୂରରେ ତାଙ୍କର ନିଜ ଘରକୁ ।

ଇଏ ହେଲା ବଡ଼ମାନଙ୍କର କଥା । ଓଡ଼ିଶା ସରକାରଙ୍କର ଗଭର୍ଣ୍ଣମେଣ୍ଟ ଆଡ଼ଭୋକେଟ ହାଇକୋଟ ଜଳ ହେବାର କଥା । ଖାଲି ଜାତିଆଣ ବିଚାର ତାଙ୍କର ପଦୋନ୍ନତିକୁ ବାଧା ଦେଉଛି । କିନ୍ତୁ ହଜାରେ ମାଇଲ ଦୂରରୁ ଗୋଟିଏ ଜୋଇଁ ରାତି ଅନିଦ୍ରା ହେଇ ଧାର ଉଧାର କରି ଟଙ୍କା ଯୋଗାଡ଼ କରି ପ୍ଲେନ ଟିକଟ୍‌ ଧରି ନିଜର ଶହେ ପନ୍ଦର ଦିନର ବିବାହ ପରମାୟୁ ଭିତରେ ସ୍ତ୍ରୀର ଶବରେ ମୁଖାଗ୍ନିଦେବାକୁ ଯେ ଆସି ପହୁଞ୍ଚିଥିଲା ତାହାର ପୁରସ୍କାର ଜଣେ ଓଡ଼ିଆ କରଣ ସାମନ୍ତ ଚଉରାଅଶି ମସିହା ଅଗଷ୍ଟ ପନ୍ଦର ତାରିଖ ରାତି ଦଶଟାବେଳେ କାଠଯୋଡ଼ୀ ବନ୍ଧରେ ଦେଇଗଲା-

 

ମଣିଷମାନେ ଏବେ ଏହି ପ୍ରକାରର ଦୟାମାୟା ସ୍ନେହ କରୁଣାର ଅଧିକାରୀ ହୋଇ ସମାଜ ଗଢ଼ୁଛନ୍ତି ଓ ନିଜର ଷୋଳଅଣା ଧର୍ମ୍ମ ଅର୍ଥ କାମ ମୋକ୍ଷ ସଂଗ୍ରହ ପାଇଁ ବ୍ୟାକୁଳ ହେଉଛନ୍ତି–ଏହାର ଜୀବନ୍ତ ରୂପ ମୋର ସମୁଧୀ ବିଜନ ବାବୁ ।

 

ଚାଳିଶି ବର୍ଷ ଆଗର କଥା ।

 

ଆମେ ଖଣ୍ଡିଏ ଧାନ ଜମି କିଣିଥାଉ କଟକ ସହର ତଳି ନିମାଇସାପୁରରେ । ସେ ଜମିଟିକୁ ଆମକୁ ବିକିଲେ ଆମୁକ୍ତାର ଶ୍ରୀ ଇନ୍ଦ୍ରମଣି ମହାନ୍ତି । ତାଙ୍କର ଘର ନିମାଇସାପୁର ।

 

ଜମିଦାର ମିର୍ଜା ସାହେବ ଖବରପାଇ ପହୁଞ୍ଚିଲେ ଶ୍ରୀଯୁକ୍ତ ରାସବିହାରୀ ରାୟ ଆଡ଼ ଭୋକେଟଙ୍କ ଘରେ—କଟକର ଗଣେଶ ଘାଟରେ । ମିର୍ଜାଙ୍କର ଏଜେଣ୍ଟ ଠକି ଦେଇଛି । ଜମି ବିକିବା କ୍ଷମତାପତ୍ର ଅଛି ସତ । କିନ୍ତୁ ବାୟା ଓ ମୁସ୍ତରି ଦୁହିଙ୍କୁ ଥଣ୍ଡା କରିବା ଦରକାର । ରାସବିହାରୀବାବୁ ଫୌଜଦାରୀ ମକଦ୍ଦମା ଦାଏର କରି ମୁଦାଲାଙ୍କୁ ତଲବ କରାଇଦେଲେ ।

 

ମୁଦାଲା ମୋର ମାଆ—ଶ୍ରୀମତୀ ସୁନ୍ଦରମଣି ଦେଈ ଓରଫ୍‌ ମନୋରମା ଦେଈ ।

 

ପୁରୀଘାଟର ବିଶିଷ୍ଟ ଆଡ଼ଭୋକେଟ୍‌ ଶ୍ରୀ ବୀରକିଶୋର ରାୟଙ୍କ ଅଫିସରେ କଟକର ଟରଣୀ ତେଲଙ୍ଗା ବଜାରର ଶ୍ରୀ ଗୋପୀନାଥ ସିଂହ ଖବର ଦେଲେ ଯେ ସେଇ ବଜାରର ଶ୍ରୀବତ୍ସ ପଟ୍ଟନାୟକଙ୍କର ସ୍ତ୍ରୀ ନାମରେ ଆଜି ଫୌଜଦାରୀ ତଲବ ହୋଇଛି ।

 

ବୀରବାବୁଙ୍କର ପରାମର୍ଶରେ କବଲା ହେଇଥିଲା । ଏଣେ ଜଣେ ପରଦାନସିନ୍‌ ସ୍ତ୍ରୀଲୋକ ପାଇ କଚେରୀରେ ବୁଲିବ ।

 

ରାସବିହାରୀ ବାବୁଙ୍କୁ ଅନୁରୋଧ କରାଯାଇଥିଲା ସମାଧାନ କରିବାକୁ । ସେଥିପାଇଁ ସେ ପରେ କରିବା କଥା ବରାଦ ଦେବାରୁ ବୀର କିଶୋରବାବୁଙ୍କ ମଧ୍ୟସ୍ଥତାରେ ସମାଧାନ କରା ହୋଇଥିଲା ।

 

ମୋର ମାମୁଁ ଝିଅ ଭଉଣୀ ରାସବିହାରୀ ବାବୁଙ୍କର ବୋହୂ । ମୁଁ ଜାଣେ । କିନ୍ତୁ ବାବୁମାନଙ୍କର କାରବାର ବୁଝିଥିବାରୁ ମୁଁ ଆଉ ସେଇ ସମ୍ପର୍କର ପୁନରାବୃତ୍ତି କରେ ନାହିଁ । ତାହାର ଅନେକ ବର୍ଷ ପରେ ରାସବିହାରୀ ବାବୁଙ୍କର ଦ୍ୱିତୀୟ ପୁଅ ମୋର ସମୁଧୀ ହେଲେ । ସମୁଧୀ ହେବାର ଚାରିମାସ ପରେ ତାଙ୍କର ବ୍ୟବହାର ମଧ୍ୟ ଦେଖାଗଲା ତାଙ୍କର ଜୋଇଁଙ୍କ ପ୍ରତି ।

 

ଏମାନେ ଏବେ ଓଡ଼ିଆ କରଣ ସମାଜର ପ୍ରତିଷ୍ଠିତ ଲୋକ । ଏମାନଙ୍କର ଦେହରେ ଛୋଟିଆ ଗୁଗୁଚିଆ ଲାଗିଗଲେ ଓଡ଼ିଶାର କରଣ ସମାଜ ଥରହର ହେଇଯାଉଛି ।

 

ମନେପଡ଼ୁଛି ଏଇ ଅପ୍ରେଲ ମାସରେ ବାହାଘର ଖବର ପାଇଲା ପରେ ଥରେ ସକାଳେ ପୂଣ୍ୟପ୍ରଭା ଦେବୀଙ୍କର ଘରକୁ ଯାଇଥିଲି ।

 

ମୋର ଅଭ୍ୟାସ ଯେ ନିଜ ଲୋକ ଓ ପରଲୋକ କାହାରି ଘରକୁ ଗଲେ ଯଥା ସମ୍ଭବ ବାହାର ପିଣ୍ଡାରେ ବସିଥାଏ । ମୁଁ ଯାଇ ବାହାରେ ବସିଲି ।

 

ଭଉଣୀ ଆସିଲେ । ଜଣାଇଲେ ଯେ ମାନ୍ୟବର ଗଭର୍ଣ୍ଣମେଣ୍ଟ ଆଡ଼ଭୋକେଟ୍‌ ବାହାଘର ବିଷୟରେ ଆସିଛନ୍ତି । ମୁଁ ଘର ଭିତରକୁ ଯିବା ଦରକାର ।

 

ଶୁଣି ମୋର ଅସାମର୍ଥ୍ୟ ଜଣାଇ କହିଲି ଯେ ପରେ ଆସିବି । ଏବେ ବ୍ୟସ୍ତ ରହିଛି । ବିଜନବାବୁଙ୍କ ସହିତ ତୁମେମାନେ ବିଚାର ଆଲୋଚନା ଆପେଆପେ କରିପାରିବ ।

 

ଏବେ ସେମାନେ ମଧ୍ୟ ବେଶ୍‌ ବୁଝିପାରୁଥିବେ ଯେ କରଣ ସମାଜରେ ଯଥେଷ୍ଟ ନୃସିଂହ ଅବତାର ଆସିଗଲେଣି । ଆଉ ଦୁଃଖ ନାହିଁ । ନୃସିଂହ ହେଲେ ଅଧା ମଣିଷ ଓ ଅଧା ସିଂହ ।

 

ପୂଣ୍ୟପ୍ରଭା ଦେବୀଙ୍କର ତିନି ନଣନ୍ଦ । ଜଣେ ବିଭା ହୋଇଛନ୍ତି କଟକ ବଜ୍ରକବାଟିରେ ଡାକ୍ତର ରାଜକିଶୋର ଦାସଙ୍କୁ । ଆଉ ଜଣେ ବିଭା ହୋଇଛନ୍ତି ଟ୍ରାନ୍‌ସପୋର୍ଟ ଡାଇରେକ୍ଟର କଟକ ମଙ୍ଗଳାବାଗର ଶ୍ରୀ ମୁରଲୀଧର ମିଶ୍ରଙ୍କୁ । ସାନ ନଣନ୍ଦ ବିଭା ହୋଇଛନ୍ତି ଅଣ ଓଡ଼ିଆ ଶ୍ରୀଯୁକ୍ତ ଚାଉଲ୍ଲାଙ୍କୁ ।

 

ପୂଣ୍ୟପ୍ରଭା ଦେବୀଙ୍କର ବାପା ଶ୍ରୀ ଶୀବତ୍ସ ପଟ୍ଟନାୟକ ବିଭା ହୋଇଥିଲେ କଟକର ଏରସମାରେ । ବିଭାଘର ବେଳକୁ ମୋର ମାଆ ଘର ଅତ୍ୟନ୍ତ ଗରିବ ହୋଇଗଲେଣି । ନିଜର ଚଳିବା ମଧ୍ୟ କଷ୍ଟକର । ମୋର ମା ଅନେକ ଦିନ କଟକ ବଙ୍ଗାଳୀସାହୀର ଶ୍ରୀ ପଦ୍ମନାଭ ମହାନ୍ତିଙ୍କ ପରିବାରରେ ଚଳିଛି । ତାଙ୍କର ପୁଅ କଟକର ଅବସରପ୍ରାପ୍ତ ସିଭିଲ ସପ୍ଲାଇ ଅଫିସର ବୀରେନ୍ଦ୍ର ବାବୁ ।

 

ଶ୍ରୀବତ୍ସବାବୁ ଚାଲି ଆସିଥିଲେ ଗଞ୍ଜାମରୁ—ଘର ସେତେବେଳର ରସେଲକୋଣ୍ଡା ଓରଫ ଭଞ୍ଜନଗର ପାଖ ଆଗକୁ ଦୁଇ ମାଇଲରେ ଥିବା ଗ୍ରାମ ନୂଆଗାଁ ।

 

ଏବେ ସେଇଟା ଜଗନ୍ନାଥ ପ୍ରସାଦ ନିର୍ବାଚନ ମଣ୍ଡଳୀର ସୀମା ।

 

ମୋର ବାପାଙ୍କର ବାପା ହେଲେ ଜଗନ୍ନାଥ ପଟ୍ଟନାୟକ । ଗଞ୍ଜାମରୁ ପ୍ରାୟ ସବୁ ଭାଇ ଚାଲି ଆସିଥିଲେ । କଟକକୁ ଶେଷରେ ଆସିଲେ ଦୁଇ ଭାଇ—ଶ୍ରୀ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ମୋର ବାପା ।

 

ମୋର ମାଆର ବାହାଘର ସ୍ଥିର କରିଥିଲେ ମୋର ବଡ଼ ମାଆ ଶ୍ରୀମତୀ ଆଶାଲତା ଦେବୀ । ସେ ପୂର୍ବବଙ୍ଗର ମହିଳା । କଟକ ତେଲଙ୍ଗା ବଜାର ଟିଣ ଘରେ (ସେତେବେଳେ ଚାଳଘର ଥିଲା) ମୋର ବଡ଼ ମାଆ ମୋର ମାଆକୁ ବାଛିଥିଲେ ବାପାଙ୍କ ପାଇଁ ।

 

ସେମାନେ ରହିଲେ ତୁଳସୀପୁର ବିଜୁପଟ୍ଟନାୟକ ଛକ ପାଖରେ । ଆମେ ରହିଲୁ ତେଲଙ୍ଗା ବଜାରରେ । ବାହାଘର ବେଳେ ସେଠି ଭଡ଼ାରେ ଥିଲୁ । ପରେ ଘରଟି କିଣିଲୁ । ଘରର ମାଲିକ ଥିଲେ ସେତେବେଳର ବିଶିଷ୍ଟ କରଣ ବ୍ୟକ୍ତି ଶ୍ରୀ ଅଦୈତ ପ୍ରସାଦ ଦାସ ।

 

ଏଇ ଅଦୈତ ବାବୁଙ୍କର ସେତେବେଳେ ଧନ ଓ ମାନରେ ନାମ ଥିଲା । ତାଙ୍କର ଏକାଧିକ ପୁଅ ବୋହୂ ଥିଲେ । ଶୁଣାଯାଏ ଯେ ଏବେ ମୁଁ ରହୁଥିବା ଘର ତଳେ ଭାଗବତ ଗାଦି ଥିଲା । ସେଇ ଜମିରେ ଜଖ ଥିଲା । ରାତିରେ ନିଆଁ ହୋଇ ଜଖ ବୁଲେ । ଧରାହେଲେ ସେ ମାଡ଼େ ସୁନା ହୋଇ ମରିଯାଏ । ପୋତା ଧନ ଜୀବନ ପାଏ ବୋଲି ଲୋକମତରେ ବିଶ୍ୱାସ ।

 

ପିଲାଦିନେ ଏମିତିକା ନିଆଁହୁଳା ବୁଲିବା ମୁଁ ଦେଖିଛି—ଗୋଟିଏ ମୁଠୁଣି ଚଉଡ଼ାର ନିଆଁପରି ଦିଶେ ।

 

ଏଇ ଜଖକୁ ଧରିବା ପାଇଁ ଶ୍ରୀମତୀ ଶୈଳବାଳା ଓ ଆମଘରେ ଭଡ଼ା ରହୁଥିବା ରେଭେନିଉ ଅଫିସର ଶ୍ରୀ ଭୀମସେନ ସାହୁ ଏକତ୍ର ଭାଗବାଣ୍ଟି ସୁନା ନେବେ ବୋଲି ଅନେକ ସାଧକଙ୍କର ସାହାଯ୍ୟ ନେଇଛନ୍ତି ।

 

ସୁନା ବାହାରିଲେ ସାହୀ ଲୋକେ ଗଣ୍ଡଗୋଳ କରିବେ । ତାକୁ ଜଗିବେ ଭୀମସେନ ବାବୁ । ଆଉ ସୁନାକୁ ବାଣ୍ଟିକରି ଭୀମବାବୁ ଓ ଶୈଳଦେବୀ ନେବେ ।

 

ପାଞ୍ଚସାତ ବର୍ଷ ଏଇ ଚେଷ୍ଟା ଚାଲିଲା । ଜଖ ଆଉ ଦେଖାଦେଲା ନାହିଁ । ଧରାଯିବ କାହାକୁ ? ବାଧ୍ୟରେ ଏଇ ଯୋଜନା ଛଡ଼ା ହେଲା । ଭୀମବାବୁ ଅନ୍ୟତ୍ର ଗଲେ । ଶୈଳଦେବୀ ନିଜର ପୂଜାପାଠରେ ମନ ଦେଲେ । ଜଖ କଥା ପାଶୋରିଗଲା । କିନ୍ତୁ ଶୈଳଦେବୀଙ୍କର ବିଶ୍ୱାସ ଯେ ଜଖ ଅନ୍ୟ କୌଣସି ଭାଗ୍ୟବାନ ହାତରେ ଧରାପଡ଼ିବ ।

 

ସେଇ ଅଦ୍ଵୈତ ବାବୁଙ୍କର ସୁନା ହୁଏତ ଜଖ ହେଇଛି । ତାଙ୍କ ଘରେ ବହୁତ ସୁନା ଥିଲା-

 

ତାଙ୍କର ଗେହ୍ଲାବୋହୂ ଶାଶୁଙ୍କଠାରୁ ସୁନାର ଖବର ପାଇଥିଲା ।

 

ଲୋଭ ହେବାରୁ ବୋହୂ ଥରେ ନିଜର ବାପଘରକୁ ବହୁତ ମଣ୍ଡାପିଠା କରି ପ୍ରତ୍ୟେକ ମଣ୍ଡାରେ ସୁନାରଖି ଭାର କରି ନିଜର ବାପଘରକୁ ପଠାଉଥିଲା ।

 

ଭାରୁଆର ବାଟରେ ଇଚ୍ଛା ହେଲା ଖାଉନ୍ଦଘର ମଣ୍ଡାଟିଏ ଖାଇବା ପାଇଁ । ଗୋଟିକୁ ଭାଙ୍ଗିଦେଇ ସୁନା ପାଇଗଲା ।

 

ସେଇଠୁ ପୁରା ଭାରକ ମଣ୍ଡା ଭାଙ୍ଗି ସବୁତକ ସୁନା ହାତପଇଠ କରି ଗୋଟିଏ ଗୁଡ଼ିଆକୁ ଉପଯୁକ୍ତ ବରାଦ ଦେଇ ଭାରେ ମଣ୍ଡାପିଠା ନେଇ ବୋହୂ ସାଆନ୍ତାଣୀଙ୍କ ବାପଘରେ ପହୁଞ୍ଚାଇ ଦେଲା ।

 

ଖୋଜା ହେଲା—ସୁନା ନାହିଁ । ତେବେ ଗଲା କୁଆଡ଼େ ? ଯିଏ ଯାହା ଦୁଃଖରେ ରହିଲେ ।

 

ପୁଅମାନଙ୍କ ଭିତରେ ସବୁ ବଣ୍ଟା ହୋଇଗଲା । ସୁନା ମିଳିଲା ନାହିଁ । ଶାଶୁ ଶଶୁର ମରିଗଲେ । ବୋହୂ ଓ ତା’ର ସ୍ୱାମୀ ସେଇ ତେଲେଙ୍ଗାବଜାର ଘରେ ରହିଲେ । ସ୍ୱାମୀ ମରିଗଲେ ।

 

ସେଇ ବିଧବା ବୋହୂ ପାଗଳି ପରି ହୋଇଗଲା । ଗୋଟିଏ ଝିଅ ଅମ୍ୱା ।

 

ମାଆ ଝିଅ ଭିକ ମାଗିଲେ । ମୁଁ ଅନେକ ଥର ତାଙ୍କୁ ଦେଖିଛି ଆମ ଘର ଆଗ ଜଗନ୍ନାଥବାବୁଙ୍କ ପିଣ୍ଡାରେ ବସିବା । ମାଆଝିଅର ମୁଣ୍ଡବାଳକୁ ପୁଅ ବାଳପରି କାଟି ଦେଇଥାଏ । ତଥାପି ଝିଅ ଅତି ସୁନ୍ଦର ଦିଶେ ।

 

ଦେଖିଲେ ସହାନୁଭୂତି ଆସେ । ତେବେ ସେ ସହାନୁଭୂତିଟା ଅପ୍ରକଟ ସହାନୁଭୂତି । କାର୍ଯ୍ୟରେ ଦେଖାଇବାକୁ କିଛି ନ ଥାଏ ।

 

ଏମିତି ଭାଗ୍ୟର ଉଦୟ ଓ ଅସ୍ତ ହୁଏ । ଆଉ ଏଇ ଉଦୟ ଅସ୍ତ ସାଙ୍ଗରେ ଭାଗ୍ୟର କୌମୁଦୀ ତଳେ ବସିଥିବା ମଣିଷର ମଧ୍ୟ ଉଦୟ ଅସ୍ତ ହୁଏ । କ’ଣ ପାଇଁ କ’ଣ ଘଟେ ବୁଝାଯାଏ ନାହିଁ । ବୁଝିଲେ ମଧ୍ୟ କରି ହୁଏ ନାହିଁ ।

 

ମୋର ବଡ଼ବାପା ଶ୍ରୀ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଏମ. ବି. ଇ. (ମେମ୍ୱର ଅଫ୍‌ ବ୍ରିଟିଶ ଏମ୍ପାୟାର) ହୋଇଥିଲେ ଓଡ଼ିଶାର ଓଡ଼ିଆଙ୍କ ମଧ୍ୟରେ ସର୍ବପ୍ରଥମ—ଅଠର ମସିହାରେ ।

 

ସେତେବେଳେ ତାଙ୍କର ଦୁଇ ପୁଅ—ଡାକ୍ତର ଜର୍ଜ ବାବୁ, ବିଜୁବାବୁ ଓ ଝିଅ ଶ୍ରୀମତୀ ସୁକୃତି ଦେବୀ । ତାହାର ଦୁଇବର୍ଷରେ ତାଙ୍କର ସାନପୁଅ ଶ୍ରୀ ଜୟାନନ୍ଦ ଓରଫ ସିଜୁବାବୁ ।

 

ଜର୍ଜବାବୁ ବିଭା ହେଲେ କଲିକତାରେ । ବିଜୁବାବୁ ଗଲେ ପଞ୍ଜାବ । ସିଜୁବାବୁ ସିନ୍ଧ୍‌ । ଝିଅ ରହିଲେ କଟକରେ ମକରବା ସାହିରେ—ଏବେ ସେ ଭୁବନେଶ୍ୱର ତିନିନମ୍ୱର ୟୁନିଟ୍‌ରେ ।

 

ସେଇ ବଡ଼ମାଆ ବା ଜେଠେଇ ମାଆ ହେଲେ ଆମ ଦୁଇଟି ପରିବାରର ମୁରବି । ଜଣେ କଟକର ଏରସମାର ଝିଅ । ଆର ଜଣକ ଚଟଗ୍ରାମ ଅଞ୍ଚଳର—ମଝିରେ ହଜାରେ ମାଇଲ ।

 

ସତୁରୀ ବର୍ଷ ତଳେ ସେଇ ବଡ଼ମାଆ ଝିଅ ବାଛିଥିଲେ ଓଡ଼ିଆ ଅର୍ଦ୍ଧସାକ୍ଷର ମଫସଲି ପରିବାରରୁ । କାରଣ ମୋର ବାପାଙ୍କର କଟକରେ କେହି ନାହିଁ । ଆଉ ବାପାଙ୍କୁ ଝିଅ ଦେଖାଇ ପସନ୍ଦ କରାଇବ କିଏ ? ବା କେମିତି ? କିଛି ନ ଜାଣି ମୋର ବାପା ବି ବାହା ହେବେ କିପରି ?

 

ବାଡ଼ୁଅ ଝିଅ ମଧ୍ୟ ବାହାଘର ସାକ୍ଷାତକାର ପାଇଁ ଆସିବ କେମିତି ? ହେଇପାରିବ ନାହିଁ । ବରଂ ଦଉଡ଼ି ଦେବା କି ଜହର ଖାଇବା ଶ୍ରେୟସ୍କର । ଏଡ଼େ ଲାଜ କଥା ଓଡ଼ିଆ ଘରେ ସତୁରି ବର୍ଷ ତଳେ ସମ୍ଭବ ନୁହେଁ ।

 

ସେଥିପାଇଁ କଥା ହେଲା—ବାଳମୁକୁନ୍ଦ ବାବୁ ଡିପୋଟି ପଠାଇବେ ଜଣେ ସରକାରୀ ସ୍ତ୍ରୀଲୋକକୁ । ସେଇ ମହିଳା ଆସି ସିଲେଇ ଶିଖେଇବେ । ଏଇ ଝିଅ ଶିଖିପାରିବ କି ନାହିଁ—ପରୀକ୍ଷା କରିବେ ।

 

—କିଲୋ ସୁନ୍ଦରମଣି, ହାରିଯିବୁ ? ସିଲେଇ ମାଷ୍ଟରିଆଣୀ ପାଖରେ ?

 

—କାହିଁକି ହାରିବି ? ରୋକଠୋକ୍‌ ତାକୁ ମୁହେଁ ମୁହେଁ ବତାଇବି ।

 

ସେଇ ସିଲେଇ ମାଷ୍ଟରିଆଣୀର ଛଦ୍ମବେଶରେ ଆସିଲେ ମୋର ବଡ଼ ମାଆ ଶ୍ରୀମତୀ ଆଶାଲତା ।

 

—ନାମ ?

 

—ସୁନ୍ଦରମଣି ଦେଈ ।

 

—ପଢ଼ିଛ ?

 

—ଅଳ୍ପ ।

 

—ରାନ୍ଧିଜାଣ ?

 

—ହଁ ।

 

—ସିଲାଇ ଶିଖିବେ ?

 

—ହଁ ।

 

ଏତିକିରେ ବଡ଼ ମା ଉଠିଲେ । ଉଠିବା ଆଗରୁ ସେମିଜି ଭିତରେ ଟିକିଏ ହାତ ପୁରାଇ କ’ଣ ଦେଖିଲେ ।

 

ସେ ଚାଲିଲେ ।

 

ମୋର ମାଆ ଅତି ବ୍ୟସ୍ତ । ସିଲେଇ ବି ଶିଖାଇଲା ନାହିଁ ତ । ......ଭଲ ଓଡ଼ିଆ କହି ପାରୁନାହିଁ । ପୁଣି ସେମିଜି କ’ଣ କଲା ?  —ହଉ ହଉ । ସିଲେଇ ମାଷ୍ଟରିଆଣୀ କଥାକୁ ଧରିବା କ’ଣ ?

 

ପରେ ବୁଝାଗଲା ଯେ ଝିଅ ପସନ୍ଦ ହୋଇଛି । କୋଉ ଅବା ଏତେ ଦରକାର ଶହେ ଝିଅ ଦେଖି ଗୋଟାକୁ ବାଛିବା ?

 

ବାହାଘର ପକ୍‌କା ହୋଇଗଲା । ଦୁଇପକ୍ଷ ଗରିବ । ଜଣକର ଚାକିରି ଅଛି—ଚାକିରି ତାଳଗଛ ଛାଇ । ସିଏ ପୁଣି କଲିକତାରେ । ଦରମା ମୋଟେ ଅଶିଟଙ୍କା । ଜମି ନାହିଁ । ଜମିବାଡ଼ି ଛାଡ଼ି ଭାଇମାନେ ପଳାଇ ଆସିଛନ୍ତି ।

 

କନ୍ୟାଘରେ ଜମି କିଛି ଅଛି—ଜୁଆରମଡ଼ା ବିଲ । ଟଙ୍କା ନାହିଁ । ସୁନା ନାହିଁ । ପିତଳ ଅଛି । ରୁପା ଅଛି । ମୁରବି ନାହାନ୍ତି—ବିଧବା ମାଆ ଅଛି । ଜୋଇଁଟା ବୁଢ଼ା—ବୟସ ଅଣତିରିଶି ।

 

କାନ୍ଦବୋବାଳି ପଡ଼ିଲା । ବାହାଘର ପଛକେ ନ ଜୁଟୁ, ବର ହେବ ବିଶ୍‌ ବାଇଶ ! ନ ହେଲେ ଅଭାଗିନୀ ମୁଣ୍ଡରେ କୁଆ ଉଡ଼ିଲା ।

 

ମୋର ବାପା ବାହା ହବାକୁ ଗଲେ—ଅଧାବାଟ ଘରୋଇ ବସ୍‌ ଓ ଅଧାବାଟ ଗୋରୁଗାଡ଼ି । ମଟର କମ୍ପାନୀ ହେଉଛି ସେଇ ଅଞ୍ଚଳର ଜଗତସିଂହପୁର—ଚାଟରାର ଜମିଦାର ପୁଲିସ ସାହେବ ଦେବାନ ବାହାଦୁର ଶ୍ରୀକୃଷ୍ଣ ମହାପାତ୍ରଙ୍କର ।

 

ସେଠି ମାମୁଁମାନେ ଆସି ଖବର ନେଲେ—ବାପା ହେଲେ ଗଞ୍ଜାମି । ତେଣୁ ମୋଟେ ସୁବିଧା ଲୋକ ହେବ ନାହିଁ । ତଥାପି ବୁଝିବାକୁ ପଡ଼ିବ—ଜୋଇଁ କେତେ ପାଉଛି ?

 

—ଦରମା କେତେ ?

 

—ମାସକୁ ଅଶି ଟଙ୍କା ।

 

—ଆଉ ଉପୁରି ?

 

—ସେଇଟା ନାହିଁ । ତମର କ’ଣ ଉପୁରି ଦରକାର ?

 

ଏତିକିରେ ମୋର ମାଆ ଘରେ ହାଲୋଳ ପଡ଼ିଗଲା—ଏଇ ଝିଅଟା ଆଉ ଜୀବନରେ ରହିବ ନାହିଁ । ତେଲଙ୍ଗା ଜୋଇଁଟା ବଡ଼ ଅବାଗିଆ ବଦମାସ୍‍ ପରି ଦିଶୁଛି ।

 

ମୋର ଏରସମା ମାମୁଁଘରେ କାନ୍ଦବୋବାଳି ପଡ଼ିଗଲା । ମାଆର ଗୋଟିଏ ଭଉଣୀ ଭିଣୋଇ କିଛି ନ ବୁଝି କୁଆଡ଼ୁ ଗୋଟାଏ ଧରିଆଣି ଏଇ ଝିଅଟାକୁ ବିକି ଦେଲେଣି— କଲିକତାରେ

 

ଝିଅ ବିଭା କାନ୍ଦ ସାଙ୍ଗକୁ ଝିଅର ଭବିଷ୍ୟତ ଦୁଃଖ । ସେଦିନ ଏରସମା ଗାଁର ଦିନକର ପଟ୍ଟନାୟକ ଘରର ବଡ଼ଭାଇ ଓ ମାଲିକ ଉପେନ୍ଦ୍ର ପଟ୍ଟନାୟକଙ୍କର ଝିଅ ସୁନ୍ଦର ପୂରା ବରବାଦ ହୋଇଗଲା । ଆଉ ଚାରି ଛଅମାସରେ ସେଇ ଝିଅର ପତ୍ତା ନ ଥିବ ।

 

ଗୋଟିଏ ମାମୁଁ ସାହସ କରି ଆସି ପଚାରିଲେ—କଲିକତା ଠିକଣା କ’ଣ ?

 

—କ’ଣ ପାଇଁ ? ଯିବ କି ?

 

—କେତେବେଳେ ସୁବିଧା ହେଲେ ।

 

—ହଉ, ମୁଁ ତୁମମାନଙ୍କୁ କହୁଛି ଯେ କଲିକତା ବଡ଼ ମହଙ୍ଗା ଜାଗା । ସେଠି ରହିବାକୁ ଘର ଛୋଟ । ଏକଦମ୍‌ ଦରକାର ନ ପଡ଼ିଲେ କଲିକତାକୁ ଆସିବ ନାହିଁ ।

 

ପୁଣି ହେଲା ବିଦ୍ରୋହ ।

 

—ଶୁଣ ମ । ଏଇ ଜୋଇଁ ଟୋକା କହୁଛି ଯେ ଆମକୁ କଲିକତା ବାସନ୍ଦ । ...ଆମେ ଝିଅକୁ ଛାଡ଼ିବା ନାହିଁ ।

 

ଝିଅକୁ ନ ଛାଡ଼ିବା କଥା ହେବାରୁ ପୁଣି ଦଫେ କାନ୍ଦବୋବାଳି ପଡ଼ିଲା ।

 

ଏତେ କଷ୍ଟରେ ବର ଯୋଗାଡ଼ ହେଲା । ହାତଗଣ୍ଠି ପଡ଼ିଲା । ଭଲ କଥା ପଦେ ବି ନାହିଁ-। ଯିଏ ଯାହା ପାରିଲେ ମୋର ମାଆକୁ ଆସି ବୁଝେଇ ଦେଇଗଲେ ଯେ ଈଶ୍ୱର ଆମ ବଉଁଶ ପାଇଁ ବଡ଼ ନିଷ୍ଠୁର ।

 

ଦୁର୍ଯ୍ୟୋଗକୁ ବାହାଦିନ ମୋର ମାଆ ମରିଗଲେ ହଇଜାରେ । ମରିବା କଥା ଜାଣିଲେ ବାହାଘରକୁ ଅଡ଼ୁଆ ହବ ବୋଲି ମୋର ମାଆର ଶବକୁ କବାଟ ବନ୍ଦକରି ରଖିଲେ । ଏଣେ ହାତଗଣ୍ଠି ପକାଇଲେ ।

 

ମୋର ବାପାଙ୍କ କଥା, ମୋର ମାଆର ବିଧବା ମାଆ ମରିବା କଥା ସାଙ୍ଗକୁ ଗଞ୍ଜାମ ଜୋଇଁ । ତାହାର ଓଡ଼ିଆ ଏମାନେ ବୁଝୁ ନ ଥାନ୍ତି । ଚାଲିଚଳଣରେ ଆଉରି ଅଡ଼ୁଆ । ଲାଗିପାଗି ସାଥେସାଥେ ଝିଅ ବିଦା କରିଦେଲେ ।

 

ବାପା ବି ଖୁସି । ସଙ୍ଗରେ ଯେଉଁ ଗୋଟାଏ ଅଧେ ବରଯାତ୍ରୀ ଯାଇଥିଲେ ସେମାନେ ବି ଖୁସି । ଏଇ ଜାଗାରୁ ପଳାଇବା ଭଲ ।

 

ତେଣୁ ଯୌତୁକ, ଦିଆନିଆ, ତାଲିକା, ବେଭାର ଆଦି ସବୁ ବନ୍ଦ । ଦୁଇପକ୍ଷ ଖୁସି ଯେ ଶୀଘ୍ର ୟେ’ ତାଙ୍କୁ ଓ ସିଏ ୟା’ଙ୍କୁ ଛାଡ଼ିବେ ।

 

ଇଏ ହେଲା ଗୋଟିଏ ବାହାଘର—ଆରମ୍ଭ ଯେମିତି ଶେଷ ବି ସେମିତି । ବର ଓ କନ୍ୟା ଚାଲିଗଲେ । ମୁର୍ଦ୍ଦାର ସତ୍କାର ହେଲା । ଈଶ୍ୱର ଇଜ୍ଜତ ବଞ୍ଚାଇ ଦେଲେ ବାହାଘର, ମୃତ୍ତିକା, ସବୁ ଏକାଠି ହୋଇଗଲା । କେହି ଜାଣିଲେ ନାହିଁ ।

 

ତାହାର ଆଖାପାଖି ସତୁରି ବର୍ଷ ପରେ ସେଇ ମାଆର ସାନ ମଝିଆଁ ଝିଅ ଶ୍ରୀମତୀ ପୂଣ୍ୟପ୍ରଭା ନିଜର ପୁଅ ଶୁଭେନ୍ଦୁ ବାବୁଙ୍କ ପାଇଁ କନ୍ୟା ଯୋଗାଡ଼ରେ ରହିଲେ ।

 

ପ୍ରାୟ ଶହେ ଖଣ୍ଡେ ପ୍ରସ୍ତାବ ଧରିଲେ—କିଏ ଚଉଠେ, କିଏ ଅଧେ ଓ କିଏ ଅଧିକ । କିଛି ନା କିଛ କାରଣରୁ ମନକୁ ଯାଏ ନାହିଁ । ସବୁଠାରୁ ବଡ଼ ସମସ୍ୟା ହେଲା ଯେ ଗୋଟିଏ ବୋଲି ପୁଅର ବୋହୂ ମାଲିକ ହେବ ଓ ସବୁରିକୁ ପ୍ରତ୍ୟେକଙ୍କ ପରି କରି ସବୁରି ହେବ ସେଇ ଜଣକ ।

 

ଶେଷରେ ବୁଲି ବୁଲି ଥକା ଲାଗିଲାବେଳେ ମିଳିଲା ଶ୍ରୀମତୀ ଅମିତା ଓରଫ ମାମି । ସରଳ ଓ ଶାନ୍ତ । ସବୁଠାରୁ ବଡ଼ ବିଷୟ ହେଲା ନିଜେ ପୂଣ୍ୟପ୍ରଭା ଦେବୀଙ୍କ ପରି ସେ ବି ତାଙ୍କ ମା’ଙ୍କର ଆଠ ନଅ ପିଲାରେ ଜଣେ ।

 

ପୂଣ୍ୟପ୍ରଭା ଦେବୀଙ୍କର ଶଶୁର ଶ୍ରୀ ହରମୋହନ ପଟ୍ଟନାୟକ ସବୁବେଳେ କହୁଥିଲେ ଯେ ବୋହୂର ଏତେ ଭାଇ ଭଉଣୀ ଅଛନ୍ତି । ତାଙ୍କର ପୁଅର ଭଲମନ୍ଦରେ ସେମାନେ ଠିଆ ହେବେ-। ବୋହୂ ବି ଦେଖିଲେ ସେଇକଥା । ଭାବିନେଲେ ଯେ ତାଙ୍କ ପୁଅ ଶୁଭେନ୍ଦୁବାବୁଙ୍କର ଭଲମନ୍ଦ ଦରକାରରେ ତାଙ୍କୁ ସାହାଯ୍ୟ ମିଳିବ ।

 

ଥାକକୁ ଥାକ ଠିକ୍‌ ମିଶିଲା । ସେଇଠି କଥା ପକ୍‌କା ହୋଇଗଲା ।

 

ଏଣେ ଯେଉଁ ଶହେ ନମ୍ୱର ପାଖାପାଖି ଝିଅଙ୍କ କଥା ସେ ତଥାସ୍ତୁ କରି ନ ଥିଲେ ସେମାନେ ଓ ତାଙ୍କର ଶୁଭେଚ୍ଛୁ ଓ ଭଲଲୋକ ସମସ୍ତେ ଗୋଟିଏ କଥା କହି ବୁଲିଲେ—ଆଚ୍ଛା, ଦେଖିବା ପୂଣ୍ୟପ୍ରଭା କେମିତିକା ବୋହୂ ଆଣିଲା ଓ କେତେ ପାଇଲା ?

 

ବୋହୂ ଆସିଲା ଠିକ୍‌ । କିନ୍ତୁ ପାଇବାର କଥା ନାହିଁ । ଯୌତୁକ ଦରକାର ନାହିଁ । ପୁଅ ଓ ବୋହୂ ରହିବେ ଦିଲ୍ଲୀରେ—ସେଠିକି ଖଟ ବେଞ୍ଚ ଯାଇପାରିବ ନାହିଁ । କଟକରେ ଦରକାର ନାହିଁ-

 

ମୋର ସମୁଧୀ କହିଲେ—ୟା କେମିତି ହବ ? ଫରେଷ୍ଟ କର୍ପୋରେସନରେ ଟଙ୍କା ଦେଇ ଦୁଇଟା ଖଟ, ଗୋଟିଏ ଡ୍ରେସିଙ୍ଗ ଟେବୁଲ ଓ ଗୋଟିଏ ଚାରିଫୁଟିଆ ଆଲମାରି ତିଆରି ସରିଛି । ଆଗରୁ ଭାଙ୍ଗିଯିବା ବାହାଘର ପାଇଁ ହୋଇଥିଲା । ସେତକ ନେବାକୁ ହେବ—ଆଉ କିଛି ନାହିଁ ।

 

—ଖୁବ୍‍ ଭଲ କଥା । ସେତକ ବି ଅସୁବିଧା । ହେଲେ ଦିଅ ।

 

ସମୁଧୀ ବ୍ରଜବାବୁ ଭାରି ସ୍ନେହୀ ଲୋକ । ସେ ଗୋଟିଏ ଛ’ଫୁଟିଆ ଗଡରେଜ ଆଲମାରି ବି ଦେଲେ । ସିଏ କିଣା ହୋଇଥିଲା ବ୍ୟାଙ୍କ୍‌ ଅଫିସରଙ୍କ ଘରକୁ ପଠାହେବା ପାଇଁ । ସେ ବାହାଘର ଭାଙ୍ଗିଗଲା । ବଡ଼ ଜୋଇଁ ଆମେରିକା ଚାଲିଗଲେ । ତେଣୁ ମାମି ଦେବୀ ସେତକ ମଧ୍ୟ ଆଣିବାକୁ ବାଧ୍ୟ ହେଲେ ।

 

ଏବେ ଦିଆଲୀବେଳକୁ ସେଇ ଆଲମାରି କଟକ ମଙ୍ଗଳାବାଗ ଘରର ପିଣ୍ଡାରେ ଥୁଆ ହୋଇଛି । ଅଣଓସାରିଆ ସିଡ଼ିବାଟେ ବୋହୂର ଶୋଇବା ଘରକୁ ଯାଇପାରିଲା ନାହିଁ । ଏଣେ ପୁଲିସି ଆସି ସେଇ ଯୌତୁକ ତାଲିକାଟି ଧରି ନେଇଛନ୍ତି । ପରୀକ୍ଷା କରି ଦେଖିବାକୁ ଏହି ଅଗଷ୍ଟ ଚଉଦ ମୃତ୍ୟୁଟି କ’ଣ ସତରେ ଆତ୍ମହତ୍ୟା ବ ଯୌତୁକ ପାଇଁ ହତ୍ୟା ?

 

ଏଣେ ମରିବାର ପନ୍ଦର ଦିନ ପରେ ପରେ ମୋର ସମୁଧୀ ଆସି କହିଲେଣି—ହିମାଂଶୁ ବାବୁ ଭଲ ଲୋକ । ତାକୁ କହି ଯୌତୁକ ଜିନିଷ ଗୁଡ଼ିକୁ ଫେରାଇ ଦିଅନ୍ତେ ନାହିଁ ।

 

ମାମୀ ଦେବୀ ଗଲେ ଅଗଷ୍ଟ ଚଉଦରେ । ଶାଶୁ ପୂଣ୍ୟପ୍ରଭା ବୋହୂକୁ ମାରିଛନ୍ତି କି ନାହିଁ ସେଥିପାଇଁ ତାଙ୍କର ହାତର ଟିପଚିହ୍ନ ପୁଲିସ ନେଲେ ତହିଁଆର ମାସ ଘାଣ୍ଟ ତରକାରୀ ଦିନ ।

 

—ଆଶ୍ୱିନ ଶୁକ୍ଳ ଦ୍ୱିତୀୟା । ମରଣ ଆସିଥିଲା ଝୁଲଣ ପୂର୍ଣ୍ଣିମାର ତୃତୀୟ ଦିନ । କାରଣ ଶାଶୁଙ୍କର ହାତରେ ପୋଡ଼ା କ୍ଷତ । ଯୌତୁକ ଜିନିଷ ଫେରା ହୋଇ ପାରୁନାହିଁ । କାରଣ ବୋହୂଙ୍କର ବାପଘର ଅଭିଯୋଗ କରୁଛନ୍ତି ଯେ ତାଙ୍କର ଦିଆ ମୂଲ୍ୟବାନ ବ୍ରଞ୍ଜ ଗହଣାଗୁଡ଼ିକ ଏଇ ଶାଶୁ ନଣନ୍ଦ ମାଡ଼ି ବସିଛନ୍ତି । ଝିଅ ପୋଡ଼ିହୋଇ ଡାକ୍ତରଖାନାକୁ ଆସିଲା ଯେ ତାହାର ଦେହରେ ଗହଣା ନଥିଲା—ଥିଲା ହଳେ ପ୍ଳାଷ୍ଟିକ ଚୁଡ଼ି ।

 

ବ୍ରଞ୍ଜ ଗହଣାରେ ସୁନା କଲେଇ କରି ଝିଅକୁ ବିଭାଘରେ ପିନ୍ଧାଇଥିଲେ । ଏମିତି ବିଚକ୍ଷଣ ଭାବରେ ଗହଣା ଗଢ଼ା ହୋଇଥିଲା ଯେ ସୁନା ପରି ମନେ ହେଉଥିଲା ।

 

ଶାଶୁ ପୂଣ୍ୟପ୍ରଭାଙ୍କ ଘରେ ଦେଖାଗଲା ଯେ ମାମି ଦେବୀଙ୍କର ହାତରେ ଆଲେରଜି ହେଉଛି । ବୋହୂ କହିଲେ ମାଟି ଶଙ୍ଖାରେ ଗ୍ୟାସ ଚୁଲିର ଗରମ ବାଜି ହାତକୁ ବିଗାଡ଼ୁଛି ।

 

ବ୍ରଞ୍ଜ କାରବାରୀ ସ୍ତ୍ରୀଲୋକମାନେ କହିଲେ—ନାହିଁ ଗହଣା ବୋଧହୁଏ ବ୍ରଞ୍ଜ । ପରୀକ୍ଷା କର ।

 

କଟକ ନିମିଚଉଡ଼ିର ବଙ୍କିମବାବୁଙ୍କ ଦୋକାନରେ ଜମା ପଡ଼ିଲା ବ୍ରଞ୍ଜ । ସେଇଠୁ ଶାଶୁ ନିଜର ସୁନା ଚୁଡ଼ି ଦେଇ ଚାରିପଟ ଚୁଡ଼ି କରାଇଦେଲେ ।

 

ଗହଣା ଦୋକାନରେ ଏହି ବ୍ରଞ୍ଜକୁ ଶାଶୁ ସୁନା ବୋଲି ଜିଗର ଲଗାଇଥିବାରୁ ଦୋକାନବାବୁ ବୁଝାଇ ଦେଲେ ।

 

ବୋହୂ ବିରକ୍ତ ହୋଇ ମୋର ସମୁଧୀଙ୍କୁ ଫରିଆଦ ହେଲା—ସୁନା ନା ବ୍ରଞ୍ଜ ?

 

—ଝିଅ ଲୋ । ସୁନା ଭରିକ ଦୁଇ ଅଢ଼େଇ ହଜାର ଟଙ୍କା । କୁଆଡ଼ୁ ଏତେ ଆଣନ୍ତି । ଆଉରି ଝିଅ ଅଛନ୍ତି । ଏଗୁଡ଼ିକ ବ୍ରଞ୍ଜ ।

 

—ଶାଶୁ ପୂଣ୍ୟପ୍ରଭା ତାଙ୍କର ସମୁଧୀଙ୍କୁ କହିଲେ—କେହି ତ ସୁନା ମାଗୁ ନଥିଲା । ବ୍ରଞ୍ଜକୁ ବ୍ରଞ୍ଜ କହିଥିଲେ ଆମେ ଯାଇ ଅପଦସ୍ଥ ହେଇ ନଥାନ୍ତୁ । ତାଲିକାରେ ସୁନା ଲେଖିଲ କାହିଁକି-?

 

—କରଣ ଘରେ ଲେଖାଯାଏ ସେମିତି । ବ୍ରଞ୍ଜ ଲେଖିଥିଲେ ତୁମର କ’ଣ ମାନ ରହିଥାନ୍ତା ।

 

କିନ୍ତୁ ମୋର ଅଭିମାନୀ ବୋହୂ ଆତ୍ମହତ୍ୟା କରିବା ଆଗରୁ ଶାଶୁଘରର ସୁନା ଚୁଡ଼ି ଓହ୍ଲେଇ ଦେଇ ଟେବୁଲ ଉପରେ ଥୋଇ ଦେଇଥିଲା । ପିନ୍ଧିଥିଲା ନିଜର ବାପଘରର ଗୋଟିଏ ସରୁଆ ହାର । ପାଦରେ ପାବାଜୁ ଓ ହାତରେ ମୁଦି । ତାହାର କାନ ଗହଣା ମରିବା ଆଗଦିନ ବଙ୍କିମବାବୁଙ୍କ ଦୋକାନରେ ବରାଦ ଦିଆ ହୋଇଥିଲା । ତାହାର କାନ ଖାଲି ।

 

ପୁଲିସ ସେଇ ସୁନାହାର ଛିଣ୍ଡି ପଡ଼ିଥିବାରୁ ଜବତ୍‌ କରିଥିଲେ । ଡାକ୍ତରଖାନାରେ ହାତମୁଦି ଓ ପାବାଜୁ ଇତ୍ୟାଦି ଯାହା ଥିଲା ସେତକ ଦିଆଇଥିଲେ । କିନ୍ତୁ ପୋଡ଼ା ନିଆଁରେ ପ୍ଳାଷ୍ଟିକ ଚୁଡ଼ି ସମ୍ଭଳା ପଡ଼ିବ କେତେକ ? କିନ୍ତୁ ବୋହୂଘର ବାରମ୍ୱାର ଅଭିଯୋଗ କରିଥିଲେ ଯେ ପ୍ଳାଷ୍ଟିକ ଚୁଡ଼ି ପିନ୍ଧାଇ ରାକ୍ଷସୀ ଶାଶୁ ଏଇ ବୋହୂକୁ ଡାକ୍ତରଖାନାକୁ ପଠାଇଥିଲା ।

ଇଏ ହେଲା ବୋହୂର ବାପଘରଙ୍କର ବିଚାରର ଧାରା ।

ବୋହୂ ମାମିର ମରିବାର ଚାରିଦିନରେ ଯେତେବେଳେ ମାମିର ଶାଶୁ ଦିଆ ସୁନା ଚୁଡ଼ି ଜବତହେଲା ସେତେବେଳେ ପୋଲିସ ଅଫିସରମାନେ କଥା ହେଉଥିଲେ ଯେ ଯେତେ ଝିଅଙ୍କର ଆତ୍ମହତ୍ୟା ଦେଖାଯାଇଛି ପ୍ରତ୍ୟେକରେ ସେମାନେ ତାଙ୍କର ଗହଣା ଖୋଲି ଦେଉଛନ୍ତି କାହିଁକି ?

କାନଫୁଲ ଅଣା ହେଲା ଆଠଶହ ଟଙ୍କା ବଦଳରେ ସେପ୍‌ଟମ୍ୱର ସତେଇଶି ଚାରିଖରେ–ଦଶହରା ପୂର୍ବରୁ ।

ଆହା, ବୋହୂ ଅମିତା ଦିନକ ପାଇଁ ବି ଗହଣାକୁ ପିନ୍ଧି ପାରିଲା ନାହିଁ । ଶାଶୁ ଘରର ଚାରି ଭରି ସୁନାର ଚୁଡ଼ିକୁ ମଧ୍ୟ ଲୋଭ କରି ନାହିଁ । ସଂସାର ଛାଡ଼ି ଚାଲିଗଲାବେଳେ ତାହାର ମନରେ ପାତର ଅନ୍ତର ଆସିଛି । ଏଇଥିରୁ ମୁଁ ବୁଝିଛି ଯେ ବୋହୂ ଏଇ ଘର ଉପରେ ଅସନ୍ତୁଷ୍ଟ ଥିଲା ।

ଆଉ ମଧ୍ୟ ବୁଝିଛି ଯେ ବୋହୂ ମାମୀର ମନ ଉଦାର ଥିଲା । କାଳେ କିଏ କହିବ ଯେ ବୋହୂ ମଲା ନାହିଁ ଯେ ଚାରିଭରି ସୁନାକୁ ବି ନଷ୍ଟ କରି ଦେଇଗଲା ।

 

ଆଉ ମଧ୍ୟ ବୁଝିଛି ଯେ ମାମୀ ମନରେ ସ୍ତ୍ରୀ ସୁଲଭ ଗହଣା ପାଇଁ ଆସକ୍ତି ନଥିଲା । ସେ ଲୋଭ କରିନାହିଁ । ପର ଜିନିଷକୁ ଧୂଳିମାଟି ଭାବି ଫେପାଡ଼ି ଦେଇନାହିଁ । ନିଜ ଘରୁ ଯାହା ଆଣିଥିଲା ସେତକ ପିନ୍ଧି ସେ ପୋଡ଼ିହୋଇ ଆତ୍ମହତ୍ୟା କରିଛି । ବ୍ରଞ୍ଜ ଜିନିଷ ସବୁ କାଢ଼ି ରଖି ଦେଇଥିଲା—ତେଣୁ ସେଗୁଡ଼ିକୁ ଆଣି ଆଉ ପିନ୍ଧି ନାହିଁ ।

 

ମଲାବେଳେ ସେ ଅଭିମାନ କରି ମରିଛି । କ୍ରୋଧ କରି ନାହିଁ । ପ୍ରତିହିଂସା କଥା ଭାବି ନାହିଁ । ତା’ ପାଇଁ କାହାର ଅସୁବିଧା ହେଉ ଏତକ ବି ସେ ପାଞ୍ଚି ନାହିଁ ।

 

ମାମି ଓରଫ ଅମିତା ଦେବୀ ସରଳ ଓ ନିଷ୍ପାପ । ତାଙ୍କୁ ତାହାରି ଘର ଲୋକ ଓଲୁ ଓକିଲଙ୍କର ବୁଦ୍ଧିରେ ପଡ଼ି ମରଣ ଦୁଆରକୁ ଟାଣି ନେଲେ । ଏଇ ପାପ ସେମାନେ ଅବଶ୍ୟ ଭୋଗିବେ ।

 

ଯଦି ଭବିଷ୍ୟତବାଣୀ ଚାହାନ୍ତି ତାହାହେଲେ ଦେଖିବେ ଯେ ମାମିର ବୋହୂପଣିଆ ଚାରି ମାସର ଦଶଗୁଣ ସମୟ ଯଥେଷ୍ଟ ହେବ—ସବୁ ଫଳ ବୁଝିବା ପାଇଁ ।

 

ୟା’କୁ କହନ୍ତି ଭାଗ୍ୟ ।

 

ଏଇ କଟକ ମେଡିକଲର ବିଚକ୍ଷଣ ସର୍ଜରୀ ଅଧ୍ୟାପକ ତାଙ୍କର ନର୍ସର ଛୋଟା ଗୋଡ଼କୁ ପ୍ଳାଷ୍ଟିକ ସର୍ଜରୀ କରି ସିଧା କରୁଥିଲେ । ନର୍ସଟିର ମନରେ କି କୃତଜ୍ଞତାର ଆବେଗ—ତାହାର ପାଦର ଖୁଣ ଲିଭିଯିବ ।

 

ଅପରେସନ ବିଫଳ ହେଲା । ଯେତେ ଯାହା କରାଗଲା ମଧ୍ୟ କ୍ଷତ ଶୁଖିଲା ନାହିଁ । ଶେଷରେ ଗୋଡ଼କୁ ଆଣ୍ଠୁ ପାଖରୁ କାଟିଦେବାକୁ ପଡ଼ିଲା । ବଙ୍କାଗୋଡ଼କୁ ସିଧା କରୁ କରୁ ବିଚାରୀ ଗୋଡ଼ଟି ବି ହଜେଇଲା ।

 

ସରକାରୀ ଚାକିରି ଓ ପ୍ରଫେସରଙ୍କର ଅପରେସନ ପାଇଁ ଆଉ ଅଧିକ କ୍ଷତି ହୋଇ ନାହିଁ । କିନ୍ତୁ ସେ ଓ ଅନ୍ୟମାନେ ସବୁଦିନ ପାଇଁ ବୁଝିଗଲେ ଯେ ଖିଆଲରେ ଟନସିଲ ଅପରେସନ, ଦାନ୍ତ ଉପୁଡ଼ା, ଆଖି ଡୋଳାରେ କଣ୍ଟାକଟ୍‌ ଲେନସ୍‌ ଇତ୍ୟାଦି କେତେଦୂର ଶୁଭକର ।

 

ସେମିତି ହୋଇଥିଲା ଜଣେ ବାଣପୁର ନିବାସୀ ବନ୍ଧୁଙ୍କର । ହଜାରେ ଟଙ୍କା ଚୁକ୍ତିକରି ଜଣେ ସର୍ଜରୀ ଅଧ୍ୟାପକଙ୍କର ଘରୋଇ କ୍ଲିନିକ୍‌ରେ ଅର୍ଶ ଅପରେସନ କରାଇଥିଲେ । ସକାଳୁ ଘରକୁ ବିଦାୟ ନେବା କଥା ।

 

ଯିବା ଆଗରୁ ଅଧ୍ୟାପକ ଆସି ଶେଷ ଡ୍ରେସିଙ୍ଗ କଲେ । ହତିଆର ବାଜିଗଲା । ରକ୍ତ ବୋହି ଚାଲିଲା—ଦେଢ଼ ଦିନ ।

 

ସର୍ଜନ ଯେତେ ଯାହା କଲେ କିଛି ସମ୍ଭାଳିଲା ନାହିଁ । ଭାବିଲେ ଯେ ସେଇଟା ଅର୍ଶର କ୍ଷତ ନୁହେଁ—ଅନ୍ୟ କିଛି ।

 

ଗୋଡ଼ ହାତ ପାଣି ହେବାକୁ ଆରମ୍ଭ କଲା । ସର୍ଜନ ସରକାରୀ ଚାକିରିଆ—ଘରୋଇ କାମ ମନା । ଏଣେ ରୋଗୀ ମରିଗଲେ ନିଶ୍ଚିତରେ ବିପଦ ।

 

ନିଜର ମଟରରେ ନେଇ କଟକ ଡାକ୍ତରଖାନାରେ ଖଟିଆ ଦିଆଇଲେ । କିଛିଟା ଉପଶମ ହେଲା । କିନ୍ତୁ ସାର୍‌ଙ୍କର ରୋଗୀକୁ କେହି ଛୁଇଁଲେ ନାହିଁ—କିଏ ଜାଣେ ପୁଲିସ କେସ୍‌ ହୋଇଯିବ ରୋଗୀ ମରିଗଲେ ।

 

ରୋଗୀ ଦଶ ପନ୍ଦର ଦିନରେ ଫେରିଲେ । ମଲେ ନାହିଁ ସତ । କିନ୍ତୁ ଅସୀମ ଉଦ୍‌ବେଗ ଓ ଯନ୍ତ୍ରଣାରେ ରହିଲେ । ଅଧିକ ପାଞ୍ଚଶହ ଟଙ୍କା ଖର୍ଚ୍ଚ କଲେ ।

 

କ’ଣ ଅବା ଏଇ ଅପରେସନ—ଏଇ ସର୍ଜନଙ୍କ ପାଇଁ ? କିନ୍ତୁ ରୋଗୀର ତ ଗୋଟାଏ ଭାଗ୍ୟ ଅଛି । ସେ ଭୋଗିବ ଓ ଭୋଗାଇବ ।

 

କଟକର ଜଣେ ବିଶିଷ୍ଟ ଓକିଲଙ୍କର କନିଆଁ ଭାର୍ଯ୍ୟାକୁ ନିର୍ଜଂଜାଳ କରିବାକୁ ନିଜର ଝିଅମାନଙ୍କୁ ବିଭା ଦେଲେ । ଗୋଟିଏ ସେଥିରୁ ଓକିଲ ଜୋଇଁ ।

 

ସୋହାଗ ଦେଖାଇ ଅପାକୁ ବୁଝାଇଲେ ଯେ ଭିଣୋଇ ଯାଇ କନିଆଁ ଶାଶୁ ସାଙ୍ଗରେ ମିଶୁଛି ।

 

ଝିଅ ବୟସ ଅଳ୍ପ । ବୁଝିଲା ଯେ କଥାଟା ପକ୍‌କା । ବାପା ଅଫିସକୁ ନଗଲେ କାମ ଶିଖିବା କେମିତି ? ତେବେ ମୁହଁ ସଞ୍ଜ ପରେ ପରେ ଆସିବ ।

 

ଏଇ ଟାଇମ ଟେବୁଲ ପାଇଁ ଅପା ଓ ଅପାର ବର କଳି ଲାଗନ୍ତି । ସୁଆଗିଆ ମାଇଚିଆ ଭାଇ ବୁଝାଏ ଯେ ଅପା ତାହାର ବରକୁ ଆକଟ କରି ରଖୁ ।

 

ଆକଟ ସମ୍ଭବ ହେଲା ନାହିଁ । ଫେରିବା ରାତି ଦଶଟା ଆଗରୁ ହୋଇପାରିଲା ନାହିଁ । ଏଣେ ଭାଇ ତେଜଉଛି—ଯୁବତୀ ନାରୀର ସ୍ୱାମୀ ବାଟବଣା ହେଇଯାଉଛି ।

 

ହଠାତ୍‌ ରାତି ଦଶଟା ବେଳେ ବର ଫେରି ନଥିବାରୁ ଝିଅ ବିଷ ଖାଇଦେଲା । ଏକେ ରାତି—ତହିଁରେ ପୁଣି ଲୋକ କମ୍‌ । ସେତେବେଳେ କଟକ ବଜାରରେ ଗହଳି କମ ।

 

ଜୋଇଁ ଆସିଲାବେଳକୁ ଝିଅ ଯିବା ଯିବା ଉପରେ । ଚାଲିଗଲା ମଧ୍ୟ ।

 

କିନ୍ତୁ ଭାଇ କ’ଣ ଛାଡ଼ିବ ? ପ୍ରଚାରରେ ଲାଗିଗଲା ଯେ କନିଆଁ ମା ମୋ’ ଅପାକୁ ଖାଇଦେଲା । ଆଉ ସେ ଏହାର ପ୍ରତିଶୋଧ ନେବ ।

 

ଏହି ପ୍ରକାରର ମାଙ୍କଡ଼ମାନେ ଅନେକ ପ୍ରକାରର କାମ କରିଥାନ୍ତି । ରାଜା ତାଙ୍କର ପ୍ରିୟ ମାଙ୍କଡ଼କୁ ମାଛି ହୁରୁଡ଼େଇବା କାମରେ ଲଗାଇଥିଲେ । ଯେତେ ପଙ୍ଖା କଲେ ବି ମାଛି ଏଠୁ ଯାଇ ସେଠି ବସୁଥାଏ । ମାଙ୍କଡ଼ ରାଗି ଯାଇ ରାଜାଙ୍କ ପାଖରେ ଥୁଆ ହୋଇଥିବା ତରବାରିରେ ମାଛି ସହିତ ରାଜାଙ୍କୁ ଦୁଇଖଣ୍ଡ କରି ଦେଲା—କିନ୍ତୁ ମାଛି ପାର ।

 

ଶାଶୁ ନଣନ୍ଦ ମିଶି ମାମୀକୁ ମାରି ଦେଇଛନ୍ତି ।

 

—ମାରିଲେ କାହିଁକି ?

 

—କିଏ ଜାଣେ ? ଗୋଟାଏ ଧଳା ମଟରରେ କିଏ ଆସିଥିଲା । ଅନେକ ବେଳ ରହିଥିଲା ।

 

—କିଏ କହିଲା ?

 

—ତାଙ୍କର ବନ୍ଧୁବାନ୍ଧବ—ବାବୁ କେଦାର ନାଥ ଧଳ ।

 

—ସେ ଲୋକ କ’ଣ କରୁଥିଲା ?

 

—ଚରିତ୍ରହୀନା ଶାଶୁ ପାଖକୁ ସେ ଆସିଥିଲା । ବୋହୂ ଦେଖିଦେବାରୁ ତାକୁ ପୋଡ଼ି ମାରି ଦିଆଗଲା ।

 

କିନ୍ତୁ ଧଳା ମଟରରେ ବହୁତ ଅସୁବିଧା ଦେଖା ଦେଲା । ମାମୀର ମଉସା ବିଜନବାବୁଙ୍କର ମଟର ଧଳା । ମାମୀ ଘର ଆଗରେ ସୁଜାତା ଆଇସକ୍ରିମ ଦୋକାନକୁ ଅନେକ ଧଳା ମଟର ଆସେ । ସେଗୁଡ଼ିକ ରାସ୍ତା ଗହଳିକୁ ଦେଖି ମାମୀ ଘର ପାଖରେ ଅଟକି ରହନ୍ତି । କାରଣ ମାମୀର ରାସ୍ତା ପାଖ ଘରଟି ଦରଜଗମ ଥିବାରୁ ରାସ୍ତା ପାଖ ଘର ଗୁଡ଼ିକ ଖାଲି । ଦୁଆର ବନ୍ଦ ।

 

ବିଶିଷ୍ଟ ବ୍ୟବସାୟୀ ବେହେରାବାବୁ ସାମନା ଘରର ଗୋଟିଏ ଅଂଶ ପ୍ରାୟ ପନ୍ଦର ବର୍ଷ ହେଲାଣି ଭଡ଼ାରେ ରଖି ନିୟମିତ ଭଡ଼ା ଦେଉଛନ୍ତି । କଟକ ମଙ୍ଗଳାବାଗରେ ତାଙ୍କର ପ୍ରସ୍ତାବିତ ବ୍ୟବସାୟ ଖୋଲି ପାରି ନାହାନ୍ତି । କିନ୍ତୁ ପରେ ମଙ୍ଗଳାବାଗରେ ଘର ମିଳିବାର ସମ୍ଭାବନା ନ ଥିବାରୁ ସେ ଘରର ପୂରାମୂଲ୍ୟର ପାଖାପାଖି ଭଡ଼ା ଦେଇ ସାରିଲେଣି ।

 

ତେଣୁ ସାମନା ବନ୍ଦ । ପୂଣ୍ୟପ୍ରଭା ଦେବୀଙ୍କର ଘରର ଗାରେଜ ଓ ଅଗଣାକୁ ଗୋଟିଏ ଅଣଓସାରିଆ ମଟର ଗଳି ଭିତର ଦେଇ ଯାଇପାରିବ । ରାସ୍ତାରୁ ଘରକୁ ଯାଇଥିବା ମୁନିସିପାଲିଟି ଗଳିଟି ଅଣଓସାରିଆ । କଷ୍ଟେମଷ୍ଟେ ତାଙ୍କର ଛୋଟିଆ ମଟରଟି ପଶେ ଓ ବାହାରେ । ଚଉଡ଼ା ମଟର କି ଧଳା ମଟର ଭିତରକୁ ଯାଇପାରେ ନାହିଁ ।

 

ପୂଣ୍ୟପ୍ରଭା ଦେବୀଙ୍କର ଶଶୁର ଘର ବାଙ୍କିଗଡ଼ର ବନ୍ଧୁବାବୁ କେଦାରନାଥ ଧଳ ଅମିତାଙ୍କର ଘର ଲୋକଙ୍କୁ ଜଣାଇଲେ ଯେ ଧଳା ମଟର ଲୋକ ଆସି ସ୍ୱାମୀ ନଥିଲାବେଳେ ସ୍ତ୍ରୀ ସାଙ୍ଗରେ ମିଶିବା ବୋହୂ ଅମିତା ଦେଖିଦେବାରୁ ମଡ଼ର ହୋଇଥାଇପାରେ ।

 

ଓକିଲ ପାଇଗଲେ ପଏଣ୍ଟ । କିନ୍ତୁ ମଟରଟା ହେଉଛି ଓଡ଼ିଶାର ଆଡ଼ଭୋକେଟ୍‌ ଜେନେରାଲ ବୀରେନ୍ଦ୍ର ମୋହନ ପଟ୍ଟନାୟକଙ୍କର ।

 

ଠିକ୍‌ ହେଲା । ବୀରେନ ବାବୁଙ୍କର ସ୍ତ୍ରୀ କଲ୍ୟାଣୀ ଦେବୀ ପୂଣ୍ୟପ୍ରଭା ଦେବୀଙ୍କର ଶାଶୁ ରତ୍ନମାଳୀ ଦେବୀଙ୍କର ଓଳସିଂହରୁ ଝିଆରୀ । ଖବରକାଗଜରେ ବୋହୂପୋଡ଼ିର ବିବରଣୀ ପଢ଼ି ସାନ୍ତ୍ୱନା ଦେବାକୁ ବୋହୂ ମରିବାର ପାଞ୍ଚ ଦିନରେ ଆସିଥିଲେ । ଆସିବା ତାରିଖ ଠିକ୍‌ ରଖିଲେ କଥାଟା ସାଧାରଣ । କିନ୍ତୁ ତାରିଖ ପଛକୁ ଘୁଞ୍ଚାଇ ଦେଲେ ମଡ଼ର୍‍ର ମୋଟିଭ ବା ଉଦ୍ଦେଶ୍ୟ ବା କାରଣ ପାଇଁ ଯଥେଷ୍ଟ ସାମଗ୍ରୀ ।

 

କଚେରୀରେ ଏମିତି ହୁଏ ।

 

ରଣପୁରରେ ମେଜର ବେଜଲଗେଟ୍‌ ଖୁଣ୍‌ ହେଲେ । ମକଦମା ଚଳାଉଥିଲେ କଟକର ଶ୍ରୀ ସଚ୍ଚିଦାନନ୍ଦ ଚାଟାର୍ଜୀ ଆଲାମଚାନ୍ଦ ବଜାର ଓ ବଙ୍ଗାଳି ସାହିର ଶ୍ରୀ ଦୀନବନ୍ଧୁ ସାହୁ । ଡକ୍ଟର ହରେକୃଷ୍ଣ ମହତାବଙ୍କୁ ଗୁନ୍ଥିବାକୁ ଅପଚେଷ୍ଟା ଚାଲିଥାଏ ।

 

ଆର୍ଗୁମେଣ୍ଟ ବା ସୁଆଲ ଜବାବ ଆରମ୍ଭରେ ସଚ୍ଚିବାକୁ କହିଲେ—ଏଇ ମକଦମାରେ ବେଜଲଗେଟ ନିଖୋଜ ହୋଇଥିବାର ସତେଇଶିଟି ଥିଓରି ଅଛି ।

 

ସାହେବ ଚିଡ଼ିଯାଇ ପଚାରିଲେ—ତେବେ କହୁଛନ୍ତି ଯେ ବେଜଲଗେଟ ମରି ନ ଥାଇପାରନ୍ତି । ମର୍ଡ଼ର ହେଇନାହିଁ ।

 

—ହଁ । ଏକଜାକଟଲି ।

 

—ନନ୍‌ସେନ୍‌ସ ।

 

ସଚ୍ଚିବାବୁ ଚିଡ଼ିଗଲେ । ସାହେବ ରାଗିଗଲେ । ...ସେଇଠୁ ସଚ୍ଚିବାବୁ କହିଲେ—ଦୀନବନ୍ଧୁ । ତୁମି ଚାଲାଓ । ଏଇ ନେଡ଼େ ଆମର ଉପର ଚଟେଗେଛେ ।

 

ଯିଏ ଆଗେ ପୁଲିସକୁ ଏଇ ଧଳା ମଟର କଥା କହିବ ତାହାର ସୁବିଧା ନ ହୋଇ ଅସୁବିଧା ହୋଇପାରେ । ତେଣୁ ଚାଲିଲା ଖବରକାଗଜରେ ପ୍ରଚାର—ପୁଲିସ ମଡ଼ର ଥିଓରିକୁ ଧରୁ ନାହିଁ । ମଡ଼ର ସତ । ଇତାଲାରେ ମଡ଼ର କଥା ଅଛି ।

 

ଓଡ଼ିଶା ହାଇକୋଟର ଅବସରପ୍ରାପ୍ତ ଜଜମାନେ ଡାକ୍ତରଙ୍କର ମନା ଘରୋଇ ପ୍ରାକ୍‌ଟିସ ପରି ଜଜମାନଙ୍କୁ ମନା ଘରୋଇ ପ୍ରାକ୍‌ଟିସ କରୁନାହାନ୍ତି । କିନ୍ତୁ ପ୍ରାଇଭେଟ ମତାମତ ଦେଇପାରିବେ ତ । ସେମାନେ ମତ ଦେଲେ ଯେ ଯାହା ବା ହେଉ କି ନ ହେଉ ଶାଶୁ ପୂଣ୍ୟପ୍ରଭା ଗିରଫ ନ ହେଲେ ଆଉ ବୋହୂମାନେ ଶାଶୁଘରକୁ ଆସିପାରିବେ ନାହିଁ ।

 

ଜଣାଶୁଣା ଶାଶୁମାନେ ଗିରଫ ହେଲେ ଓଡ଼ିଆ କରଣ ସମାଜର ପରମ୍ପରା ବଦଳିବ । ଝିଅ ବାହାହେଇ ଶାଶୁ ଘରେ ଆଠ ମଙ୍ଗଳା ସାରି ଦେଇ ଜୋଇଁକୁ କାନିରେ ବାନ୍ଧି ଆସି ବାପ ଘରେ ପହଞ୍ଚିଯିବ । ମାଆ ତାର ଠାକୁରାଣୀ ମାଜଣା କରିବ । ଭାଇମାନେ ପେଡ଼ା ବାଣ୍ଟିବେ । ଆଉ ଖବରକାଗଜରେ ସରକାରଙ୍କର ବିଶେଷ ସୁଖ୍ୟାତି ହେବ ।

 

ଏଇ ଭାରତରେ ମଧ୍ୟ ଏଇ ପ୍ରଥା ଚଳୁଥିଲା । ଏବେ ମଧ୍ୟ ଦକ୍ଷିଣ ଭାରତର କେରଳ ରାଜ୍ୟରେ କିଛି କିଛି ଏଇ ମାତୃ ଅଧିକାରର ପ୍ରଥା ଅଛି । ଝିଅ ସବୁ—ପୁଅ କିଛି ନୁହେଁ । ଏପରି ବି ହେଇଥିଲା ଯେ ପୁଅ ଆସି ଝିଅର ପିଲା ହେଲା ପରେ ଆଉ ପୁଅ ଘରକୁ ଆସିବ ନାହିଁ । ବାହାଘରର ପରମାୟୁ ଥିଲା କେଉଁଠି ଆଠ ପନ୍ଦର ଦିନ ତ କେଉଁଠି ଆଉ ଟିକିଏ ଲମ୍ୱା ।

 

ଜୋଇଁର କାମ ହେଲା ଦେବ ପ୍ରତିମ ସନ୍ତାନଟିଏ ଦେଇ ବିଦାୟ ନେଇଯିବା । ସନ୍ତାନ ପାକଳ ହେବାକୁ ନଅ ମାସ ଲାଗିବ । ଜୋଇଁ କ’ଣ କରିବ ଏଠି ? ଯାଉ ଚାଲି ।

 

ଓଡ଼ିଆ ଲୋକେ ବୁଦ୍ଧିଆ ନୁହନ୍ତି । ତେଣୁ ଝିଅକୁ ନେଇ ଜୋଇଁ ଘରେ ସାନ୍ଦୁଛନ୍ତି । ଏଇ କାମରେ ଝିଅବାଲାଏ ଏକଜୁଟ ହେଇ ଲାଗିଛନ୍ତି । —ବିଶେଷରେ ଏଇ କରଣ ସମାଜରେ । ଅନ୍ୟ ପାଟକମାନେ ଶାସ୍ତ୍ରକୁ ଧରି ଚଳୁଛନ୍ତି । କିନ୍ତୁ କରଣମାନେ ନୂଆ ଶାସ୍ତ୍ର ଗଢ଼ିବାରେ ତତ୍ପର ।

 

ମୋର ସମୁଧୀ ଏଇ ମଡ଼ର ବିଷୟରେ ନିସନ୍ଦେହ ହେଇଗଲେ ଅବସରପ୍ରାପ୍ତ ଜଜଙ୍କର ଫୌଜଦାରୀ ଆଇନର ବିଚକ୍ଷଣତା ଦେଖି । ନିଜେ ସଢ଼ୁଙ୍କ ସାଙ୍ଗରେ ଯାଇଁ ଆଲୋଚନା ସାରି ଆମ୍ଭମାନଙ୍କୁ ଜଣାଇଦେଲେ ଯେ ସୁପ୍ରିମକୋଟ ଜଜଙ୍କର ମତ ହେଉଛି ଯେ ଅମିତା ଆତ୍ମହତ୍ୟା କରି ନାହିଁ । ତାକୁ ହତ୍ୟା କରି ଦିଆ ହୋଇଛି ।

 

କାଳେ ଫାଶରୁ ଶାଶୁ ଖସିଯିବ ସେଥିପାଇଁ ବିକଳ୍ପ ଥିଓରି ରଖିବା ଦରକାର । ସେଇଟି ହେଲା ଯେ ନଣନ୍ଦ ନନ୍ଦିନୀ ଲଭ୍‌ମାରେଜ୍‌ କରିବ ବୋଲି ଗୋଟାଏ ଲୋକ ସାଙ୍ଗରେ ହସି କୌତୁକ ହେଲାବେଳେ ଆମର ମାମୀ ଦେଖିନେଲାରୁ ତାକୁ ଦିହେଁ ମିଶି ନିଆଁରେ ପୋଡ଼ି ଦେଲେ ।

 

ବାଃ । ଡବଲ ଥିଓରି ମିଳିଲା । ସାକ୍ଷୀ ଅମିତା ଯାଇ ମରଣର ପରପାରରେ । କିନ୍ତୁ ସେ ଦେଖିନେଇଛି ଦୁଇଟା ଦୋଷ—ଗୋଟିଏ ଶାଶୁଙ୍କର ଓ ଆରଟି ନଣନ୍ଦଙ୍କର । ଦୋଷକୁ ସେ ସହିପାରେ ନାହିଁ ।

 

ସେଥିପାଇଁ ଏଇ ମାଆ ଝିଅ ବାବୁ ନଥିଲାବେଳେ ଖରାବେଳେ ବୋହୂକୁ ଦେଲେ ଖତମ କରି । ଘରୁ ପୋଡ଼ାକାମ ସରିଥିବ । ମଶାଣିରେ ପୋଡ଼ା ହେଲେ ହଉ ନ ହେଲେ ନ ହେଉ-

 

ଓକିଲ ନେଳି ପତକା ଦେଖାଇ ଗାଡ଼ି ଛାଡ଼ିଦେଲେ । ଗାଡ଼ି ଚାଲିଲା ଭୁବନେଶ୍ୱର ଚିଫ୍‌ ମିନିଷ୍ଟର ମାନ୍ୟବର ଜାନକୀବାବୁଙ୍କ ଅଫିସକୁ । ଦେଖାଯାଉ ଆମର ସି. ଏମ୍‌ ତାଙ୍କର ଏ. ଏଫ୍‌. ଏ କଥାକୁ କେମିତି ଫୋପାଡ଼ିବେ ।

 

କିନ୍ତୁ ସେଇଠୁ ଧକ୍‌କାଟିଏ ପାଇଲେ ଆମର ସମୁଧୀ ବ୍ରଜବାବୁ । ମାନ୍ୟବର ସି. ଏମ. କହିଲେ—ମୁଁ ମଡ଼ର କଥା ବିଶ୍ୱାସ କରିବି ନାହିଁ । ସେମାନଙ୍କୁ ମୁଁ ଜାଣେ । ସେମାନେ ଖରାପ ଲୋକ ହେଇପାରନ୍ତି କିନ୍ତୁ ମଡ଼ର କରିବା ଟାଇପ ନୁହନ୍ତି ।

 

ସମୁଧୀ ଭୋ ଭୋ କାନ୍ଦିଉଠିଲେ । ମୁଖ୍ୟମନ୍ତ୍ରୀ କାବା ହେଇ ଚାହିଁଲେ ।

 

—ସାର୍‌, ଭାରୀ ମାୟାବୀ ସେମାନେ । ଭାରି ଯୋଗାଡ଼ି । ଭାରି ସିଆଣିଆ । ଏଇ ଦି ଚାରିଟା ମାସରେ ମୋର ନୟନପିତୁଳା ମାମୀକୁ ଭସ୍ମ କରିଦେଲେ ।

 

—ହଉ । ପୁଲିସ ଦେଖୁଥିବେ ତ ।

 

—ହଜୁର କ’ଣ ଜାଣନ୍ତି ନାହିଁ ସେମାନଙ୍କ କଥା । ସେମାନେ କ’ଣ ସତକଥାକୁ କେବେ ପାଇବେ ?

 

—ଅପେକ୍ଷା କରି ଦେଖନ୍ତୁ । ପୁଲିସର ଉପରକୁ ଉପରକୁ ଅନେକ ଭଲ ଲୋକ ଅଛନ୍ତି-। ଆଗ ସେମାନେ ବୁଝାବୁଝି କରନ୍ତୁ ।

 

ସମୁଧୀ ଫେରିଲେ କଥା ହେଇ ହେଇ । ଅକାରଣରେ ମଣିଷ ଆସିଲା ଏଇ ଦୁଆରକୁ-। ରାଧାନାଥବାବୁ ଯାହା ଜାନକୀବାବୁ ସେଇଆ । ଏକାପରି ବେ— । ସିଏ ଛାପିଲା ନାହିଁ । ଇଏ ମଧ୍ୟ ନ୍ୟାୟ ଦେଲା ନାହିଁ-। ଘୋର କଳିରେ ନ୍ୟାୟ ମିଳିବ ନାହିଁ ବୋଲି ଅଚ୍ୟୁତାନନ୍ଦ ମାଳିକା ଡାକିଛି ।

 

ଏମିତି ପ୍ରତ୍ୟେକ କଥାରେ ନିଜର ମତ ଜାହିର କରିବାକୁ ମାହାନ୍ତି ବାପୁଡ଼ା ବ୍ରାହ୍ମଣ—କରଣ, ରାଧାନାଥ ବାବୁ—ଜାନକୀବାବୁ, ଝିଅ ଘର—ପୁଅ ଘର, ଓଡ଼ିଆ—ଅଣଓଡ଼ିଆ ଶେଷରେ ଜଗନ୍ନାଥ—ଲୋକନାଥ, ପୁରୀ—କଟକ, ବ୍ରାହ୍ମଣ ସମିତି—ସାମନ୍ତ ହଷ୍ଟେଲ, ଆଦି ଅନେକ କଥା କରିଦେଇ ଘରେ ଯାଇ ନିର୍ବିକାର ହୋଇ ଘୁଙ୍ଗୁଡ଼ି ମାରେ ।

 

ବିରକ୍ତ ହେବାର କଥା ଏଥିରେ ନାହିଁ । କାୟସ୍ଥ ଓ କରଣମାନେ ବୁଦ୍ଧିରେ ଅନେକ ଉଦାହରଣ ସୃଷ୍ଟି କରିଛନ୍ତି ।

 

କଲିକତାରେ ଜଣେ ବଡ଼ ସାହେବଙ୍କର ମେମ୍‌ ଭାରତକୁ ଆସିଲେ ଅସୁସ୍ଥ ହୋଇପଡ଼ୁଥିଲେ । କଲିକତା ଛାଡ଼ି ଲଣ୍ଡନରେ ପହୁଞ୍ଚିଲେ ଭଲ ହେଉଥିଲେ । ଭଲ ହୋଇ କଲିକତାରେ ଆଠ ପନ୍ଦର ଦିନ ରହିଲେ ସେମିତି ଅସୁସ୍ଥ ।

 

କଲିକତାରେ ବହୁତ ନାଁ ଥାଏ ଡକ୍ଟର ବିଧାନ ଚନ୍ଦ୍ର ରାୟଙ୍କର । କିନ୍ତୁ କଲିକତାର ଅସଂଖ୍ୟ—ତହୁଁ ବଡ଼ା ତହୁଁ ବଡ଼ା—ସାହାବ ଡାକ୍ତର ରୋଗକୁ ଧରି ପାରୁନଥାନ୍ତି ।

 

ବିଧାନ ବାବୁ ଆସିଲେ । ସବୁଆଡ଼ୁ ବୁଲି ଦେଖିଲେ । ମେମ୍‌ ସାହେବ ଜଣେ ଦକ୍ଷ ରାନ୍ଧିଲାବାଲୀ ବୋଲି ଜାଣିଲେ । ମେମ୍‍ ସାହେବଙ୍କଠାରୁ ରୋଗର ସମସ୍ତ ବିଷୟ ବୁଝି ଚାଲିଗଲେ-

 

ପ୍ରେସକ୍ରିପସନ୍‍ କାହିଁ ? ଲୋକ ଗଲା ।

ବିଧାନବାବୁ କହିଲେ—ଭାବିଚିନ୍ତି ପ୍ରେସକ୍ରିପସନ୍‌ ଦେବି । ଆଉ ଭଲ ମଧ୍ୟ କରିଦେବି ।

ସେଇଠୁ ବିଧାନବାବୁ କହିଲେ ଯେ ତାଙ୍କର ଦରକାର ସେଇ କୋଠିର ତିଆରି ନକ୍‌ସା, ପାଣି ପାଇପ, ଗ୍ୟାସ ପାଇପ, ପାଇଖାନା ଆଦିର ଚିହ୍ନଟ ନକ୍‌ସା ।

ସାହାବ ରାଗିଗଲେ—ଫୁଲ, ଇଡିଅଟ୍‌ । ସ୍ତ୍ରୀର ପ୍ରେସକ୍ରିପସନ ନାହିଁ । ଏଣେ ମୋର ପେଡ଼ିଗ୍ରି ଖୋଜୁଛି । ନେଟିଭ । ଆଉ ଜଣେ ଡାକ୍ତରକୁ ଡାକ ।

ଯେଉଁ ସାହାବ ଭଲଲୋକି କରିବାକୁ ଯାଇଥିଲା ସେଇ ବିପଦରେ ପଡ଼ିଲା । ନେଟିଭ ଡାକ୍ତର ଗଲା—ପାଞ୍ଚ ହଜାର ଟଙ୍କା କହିଥିଲା । ନିଜର ଚାକିରି ପଦବୀ ଚାଲିଯିବ ।

ସେ ଧାଇଁଲା । କିନ୍ତୁ ବିଧାନବାବୁ ହସି ହସି କହିଲେ—ତୁମର ପି ଡବ୍ଲୁଡ଼ିରେ ସବୁ ଖବର ଅଛି । ସେଇଠୁ ମତେ ଆଣି ଦିଅ ।

ବାଧ୍ୟରେ ଏଇ ମିଡଲମାନ ସବୁ ଆଣି ବିଧାନବାବୁକୁ ଦେଲେ । ସେ ନକସାକୁ ଦେଖି ତାହାର ତିଆରି ଇତ୍ୟାଦି ବୁଝି କହିଲେ—ନିଅ ପ୍ରେସକ୍ରିପ୍‌ସନ ।

—ଗ୍ୟାସ ପାଇପକୁ ବଦଳାଇ ନୂଆ କରିଦିଅ ।

ଏଇ ପ୍ରେସକ୍ରିପସନ ପାଇ ମିଡଲମାନେ ମଧ୍ୟ ରାଗିଗଲେ । ବିଧାନବାବୁ କହିଲେ—କରି ଦେଖନ୍ତୁ । ତା’ପରେ କହିବେ ।

ସାହାବ ଖବର ପାଇ ଆଉରି ରାଗିଲେ । ନେଟିଭମାନେ ଫୁଲ ଡୋଜ୍‌ ଗାଳି ଖାଇଲେ-। ବଙ୍ଗାଳୀମାନେ ସରକାରରେ ଭରପୂର ।

ଏଇ ଅମିତାର ହତ୍ୟା କାହାଣୀ ପରି କଲିକତାର ସରକାରୀ ଚାକିରିଆ ବଙ୍ଗାଳୀ ସମାଜ । ଆଉ ସେମାନଙ୍କର ଅନୁସରଣିଆ ଜମିଦାର ସମାଜ ଏବଂ ସମସ୍ତଙ୍କର ଗୋଡ଼ାଣିଆ ବଙ୍ଗାଳୁଣୀ ସମାଜ ଏକାବେଳକେ ଗୁଞ୍ଜରି ଉଠିଲା ।

କାଏଥ ଡାକ୍ତାର କଥା ବଲ୍‌ଛେ ସାହେବ କେ । ପାଞ୍ଚ ହଜାର ଟାକା ନେବେ ଆର କୋଠିର ନକ୍‌ସା ଦେଖ୍‌ବେ । ହାତୁଡ଼େ—

ମିଡଲମାନ ଭାବିଲା—ଯାହାହେଉ ପୁରୁଣା ପାଣି ପାଇପ, ପୁରୁଣା ଗ୍ୟାସ ପାଇପକୁ ସୁଧାରି ଦେଲେ କ୍ଷତି ନାହିଁ ଘରର ।

ସେଇଆ ହେଲା ।

ଆଠ ଦିନରେ ମେମ୍‌ ଟିକିଏ ଅଧିକ ସୁସ୍ଥ ହେବାପରି ଜଣାଗଲେ । ସେ ମନେକଲେ ତାଙ୍କର ବିଲାତ ଚିକିତ୍ସା କାମ ଦେଖାଉଛି ।

ପୂରା ଭଲ ହୋଇଗଲେ । ତେଣୁ ଔଷଧ ଓ ଚିକିତ୍ସା ବନ୍ଦ । ଦିନକୁଦିନ ଭଲ ଲାଗିଲା ।

ବଡ଼ କୌତୂହଳର କଥା—ଦେହ ଭଲ ହେଲା କେମିତି ? ବିଲାତରେ ଭଲ ରହୁଥିଲା ଓ ଭାରତରେ ବିଗଡ଼ୁ ଥିଲା ।

 

ସାହାବଙ୍କୁ ରାଜି କରାଇ ସବୁ ବିଷୟ ବୁଝିବାକୁ ମେମ୍‍ଗଲେ ବିଧାନବାବୁଙ୍କ ପାଖକୁ ।

 

ବିଧାନବାବୁ ବୁଝାଇଦେଲେ ଯେ ନକ୍‌ସାରୁ ଜାଣିଲେ ଗ୍ୟାସ ପାଇପରେ ଲିକ୍‌ ହେଉଥିବାରୁ କାର୍ବନ ମନୋକସାଇଡ ବିଷ ଧରୁଛି । ସେଥିପାଇଁ ବିଲାତରେ ଦେହ ଭଲ ଓ ଏଠି ଖରାପ ।

 

ଏଇ ବିଧାନବାବୁଙ୍କ ନାମରେ କଲିକତା ରାସ୍ତାରେ ବିଧାନ ସରଣୀ ଲେଖାଅଛି । କଟକରେ ସେଇଟା ହେଲା—ବାଳକୃଷ୍ଣ ରୋଡ, ଲକ୍ଷ୍ମୀନାରାୟଣ ସରଣୀ, ମୁରାରୀମୋହନ ଜେନା ମାର୍ଗ ଇତ୍ୟାଦି ।

 

ଓଡ଼ିଆ କରଣମାନଙ୍କର ଚିନ୍ତାଧାରା ଜିଲ୍ଲା ଓ ଅଞ୍ଚଳ ନେଇ ଅଲଗା । ଏଇ ବୁଦ୍ଧି ବିଦ୍ୟାର ପ୍ରଭେଦ ନେଇ ତାଙ୍କ ଭିତରେ ବହୁତ ଦଳ ।

 

କରଣମାନଙ୍କର ମତ ଯେ, ଓଡ଼ିଶାର ଶାବକ କରଣ ହେଉଛନ୍ତି ଦାସ ଓ ମହାନ୍ତି । କାନଗୋଇ, ଚଉଧୁରୀ, ପଟ୍ଟନାୟକ ଆଦି ହେଉଛି ରାଜାଙ୍କର ଲଢ଼େଇ କରିବା ଲୋକଙ୍କୁ ଦିଆ ପଦବୀ ।

 

ସେଇଠୁ ହେଲା ବୋମାଲି କରଣ, ଶିଷ୍ଟ କରଣ ଆଦି । ଜଣେ ଆରଜଣକ ଘରେ ବନ୍ଧୁ ବାନ୍ଧିବ ନାହିଁ ।

 

ଗଞ୍ଜାମରେ କଟକର ଏମ. ପି ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକଙ୍କ ଘରେ ଆମ ଘରୁ ଝିଅ ନେବେ ନାହିଁ । ତାଙ୍କ ଘରର ମତରେ ଆମେମାନେ ତଳୁଆ ।

 

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜାନକୀବାବୁଙ୍କର ଦେଶ ଖୋର୍ଦ୍ଧା ମୁଲକର ମତ ଯେ ପ୍ରକୃତରେ କରଣ ମାତ୍ର ଅଢ଼େଇ ଘର । ସେଥିରୁ ଦୁଇଘର ଖୋର୍ଦ୍ଧାରେ ଓ ଆଉ ଅଧଘର ଏଠିସେଠି ।

 

କରଣିଆ ବୁଦ୍ଧିରେ ଏହି ଅଢ଼େଇ ଘର ଭିତରୁ ଯେଉଁ ଅଧଘର ଛାଡ଼ିଦେଲେ ତାକୁ ନିଜର ବୋଲି ଦାବି କରିବାକୁ ଋଷିକୁଲ୍ୟାନଦୀଠାରୁ ସୁବର୍ଣ୍ଣରେଖା ଯାଏ ଓ ଏହାର ଉତ୍ତରକୁ ମେଦିନୀପୁରର ମାଇତିମାନେ ମଧ୍ୟ ଆଖି ରଖିଛନ୍ତି ।

 

ଏତେ କରଣ ଏଇ ଅଢ଼େଇ ଘରୁ ବାହାରିଲେ କେମିତି ବୋଲି ପ୍ରଶ୍ନ ଉଠିବାରୁ ସେମାନେ ବୁଝାଇ ଦେଲେ ଯେ କରଣ ସାନ୍ତେ ଘରର ଅନ୍ତର ପିଲାଙ୍କର ବଂଶ ବଢ଼ି ବଢ଼ି ଏତେ ହେଲାଣି । ସେଇ ଅଢ଼େଇ ଘର ହେଲେ ନାଗରାଜ ଓ ଅନ୍ୟମାନେ ହେଲେ ତାଙ୍କର ବୋଲକରା ଢମଣା, କାଉଚିଆ, ଧଣ୍ଡ ଆଦି ଅସଂଖ୍ୟ ଥାର୍ଡ଼ ଓ ଫୋର୍ଥ ଡିଭିଜନ କରଣ ।

 

କଥାଟା ଅନେକଙ୍କୁ ସତ ପରି ଲାଗେ ।

 

ସମାଜ ସମ୍ପାଦକ ରାଧାନାଥ ରଥଙ୍କ ଚରିତ୍ରରେ ନାରୀ ସମ୍ପର୍କ ଅଭିଯୋଗ ଚାଲେ । ମୁଖ୍ୟମନ୍ତ୍ରୀ ଜାନକୀ ବାବୁଙ୍କର ବିଷୟରେ ସେଇ ଅଭିଯୋଗ କରାହୁଏ । କିନ୍ତୁ ଲୋକମତ ହୁଏ ଯେ ରାଧାନାଥବାବୁଙ୍କର ଦୋଷ ଅଛି । ଜାନକୀବାବୁଙ୍କର ନାମରେ ଦୋଷର ଅଭିଯୋଗ ରହିଛି ।

 

ଏଇଟା ହେଉଛି ବିଜିନେସ୍‌ ମାନେଜମେଣ୍ଟ—ଦୋଷର ମାନେଜମେଣ୍ଟ ବା ଦୋଷୀର ମାନେଜମେଣ୍ଟ ।

 

ଏଇ ମାନେଜମେଣ୍ଟ ହେଲା ଜୀବନପଥର ଗୋଟାଏ ବିଭାଗ । ଏହାରି ଉପରେ ସାରା-କରଣ ସମାଜ ଠିଆ ହୋଇଛି । ପ୍ରତ୍ୟେକ ପ୍ରତ୍ୟେକଙ୍କୁ କହନ୍ତି—ଓଲା, ଚରିତ୍ରହୀନ ଓ ବେଧୁଆ । କିନ୍ତୁ ସମସ୍ତେ ରହନ୍ତି ।

 

ଇଏ କ’ଣ ହୋଇପାରେ ଗୋଟାଏ ବାଷ୍ଟାର୍ଡ଼ ସଂପ୍ରଦାୟ ?

 

କିନ୍ତୁ ବାଷ୍ଟାର୍ଡ଼ ନୁହନ୍ତି ବୋଲି ଓଡ଼ିଶାର ଆଉ ଗୋଟାଏ ବୁଦ୍ଧିଆ ପାଟକ କହେ—ସେମାନେ ହେଲେ ସ୍ୱର୍ଣ୍ଣକାର ।

 

ରାଜାଙ୍କ ପାଖରେ ଉଭୟ ମିଳନ୍ତି—କରଣ ଓ ସୁନାରୀ ଉଭୟେ । ଦୁହେଁ ଦୁହିଁଙ୍କୁ ଚୋର ଧରନ୍ତି । ରାଜାଙ୍କୁ ବୁଝାନ୍ତି । କିନ୍ତୁ ଦିହେଁ ଏତେ ବୁଦ୍ଧିମାନ ଯେ କେହି କାହାରିକୁ ପୂରାପୂରି ହରାଇ ପାରନ୍ତିନାହିଁ ।

 

କରଣଙ୍କର ଅଢ଼େଇ ଘର ପରି ସୁନାରୀଙ୍କର ମଧ୍ୟ-ଘର ଅଛି—ଏଇ କଟକରେ—ନଅସାହି, ସାତସାହି, ପାଞ୍ଚସାହି ଓ ତିନିସାହି । ପ୍ରତ୍ୟେକ ସାହିରେ ଗୋଟାଏ କିସମର ବୁଦ୍ଧିଆ ଥାନ୍ତି ଓ ସାହିର ସମସ୍ତେ ଚାଲନ୍ତି ମୁଖିଆ କଥାରେ ।

 

କିନ୍ତୁ କରଣଙ୍କର ମୁଖିଆ ନାହାନ୍ତି । ପ୍ରତ୍ୟେକ କରଣ ଜଣେ ଜଣେ ଦଳପତି । ଏକାଏକ ଦଳପତି । ବାପା କଥାରେ ପୁଅ ନଥାଏ । ପୁଅ କଥାରେ ବୋହୂ ନଥାଏ । ତଥାପି ଏକାଠି ରହିଥାନ୍ତି ।

 

ରାଜାମାନଙ୍କୁ ସୁନାରୀମାନେ ଅନେକ ସତର୍କବାଣୀ ଶୁଣାଇଛନ୍ତି । ଫଳ କିଛି ହେଇ ନାହିଁ । ମ୍ୟାନେଜମେଣ୍ଟ ଦକ୍ଷତା ପାଇଁ କରଣମାନେ ପୁରୀ ବଡ଼ ଦେଉଳରୁ ଆରମ୍ଭ କରି କଟକର ଜମ୍ଭୁ ବତୀଘର ଯାଏ ସର୍ବତ୍ର ବିଦ୍ୟମାନ ।

 

ସୁନାରୀ ଗୋଟିଏ ରାଜାଙ୍କୁ ବୁଝାଇ କହିଲେ ଯେ,

କିଆ, କରଣ, କଣ୍ଟି

ୟାଙ୍କୁ ବରଷକେ ଥରେ

ଦେଉଥିବ ଛାଣ୍ଟି

ଯେବେ ନଦେବ ଛାଣ୍ଟି

ଯେ’ ତୁମକୁ ଖାଇବ ବାଣ୍ଟିକୁଣ୍ଟି ।

 

ରାଜା ବହୁତ ଭାବିଲେ । କିଛି ସ୍ଥିର କରିପାରିଲେ ନାହିଁ । ତାଙ୍କର ଆଖିରେ ଅସହାୟତା ଦେଖି କରଣ ହାତଯୋଡ଼ି ପଚାରିଲା—ହଜୁର, ଏଇ ସେବାକାରୀକୁ ବ୍ୟସ୍ତ ଲାଗୁଛି ମଣିମାଙ୍କ ଶ୍ରୀମୁଖ ଦେଖି ।

 

—ହଁ ! ଆରେ ପାଞ୍ଜିଆ, ଏଇ ସୁନାରୀଗୁଡ଼ାକ କିମିତିକା ଲୋକ ?

 

—ମଣିମା, ଭାରି ବିଷମ ଲୋକ ।

 

—କେମିତି ?

 

—ସେଇ ସୁନାରୀ ଯିଏ ଆସିଥିଲା, ସିଏ ସବୁଠାରୁ ବିଷମ ।

 

—କେମିତି ?

 

ସେ କହେ—ଚାହିଁଲେ ରତିଏ । ଛୁଇଁଲେ ମସାଏ । ଷଣ୍ଡୁଆସି ଧଇଲେ ତାମସା ଦେଖାଏ ।

 

ରାଜାଙ୍କ ମନକୁ କଥାଟା ପାଇଗଲା—ହଁ, ହବ ତ ଠକଟାଏ ।

 

ସୁନାରୀ ଡକା ହେଲା । ରାଜା ପଚାରିଲେ—ଏକଥା କ’ଣ ଠିକ୍‌ ?

 

ଚାହିଁଲେ ରତିଏ, ଛୁଇଁଲେ ମସାଏ । ଷଣ୍ଡୁଆସି ଧଇଲେ ତାମସା ଦେଖାଏ ।

 

ସୁନାରୀ ଚାହିଁଲା ପାଞ୍ଜିଆ ଆଡ଼େ । ସେତେବେଳକୁ ସେ ତାହାର ଡିଉଟିରେ ଲାଗିଗଲାଣି । ବୋମା ଖଞ୍ଜି ଦେଇଛି । ରାଜା ପାଖରେ ଭଲେଇ ହେଉଥିଲା ପହରେ । ନିଶ୍ଚୟ କାହା ବିରୁଦ୍ଧରେ କହୁଥିଲା । ବିରୁଦ୍ଧରେ କହିଥିଲେ ନିଶ୍ଚୟ କହିଥିବ ପାଞ୍ଜିଆ ବିରୁଦ୍ଧରେ । କୁକୁର ବିଲେଇଙ୍କ ଭିତରେ ପଡ଼ିବ କେମିତି ?

 

ଉପାୟ ନ ପାଇ ସୁନାରୀ କହିଲା—ମଣିମା ସତ । ତେବେ ଗରିବ ଲୋକ ଚଳନ୍ତି ସେମିତି । ଓକିଲ, ମୋହରିର, ମାମଲତକାର, ମିଛ ସାକ୍ଷୀ, ଆପଣା ପେଟ ପୋଷିବେ କେମିତି ? ହଟଚମଟ ନ କଲେ ଭୋକରେ ମରିବେ ।

 

—ଠିକ୍‌ କହୁଛୁ । ମରିବା କଷ୍ଟ । ଭୋକ ବି ଭାରି କଷ୍ଟ । ଭୋକର ମରିବା ପୋଡ଼ିହୋଇ ମଲା ଭଳିଆ । ପାଣିରେ ଡୁବି ମରିବା ସହଜ । ବିଷ ଖାଇ ମରିବା ତା’ଠୁ ସହଜ । ଦଉଡ଼ି ଦେଇ ମରିବା ତା’ଠୁ ସହଜ । ...ଛାଡ଼ମ । ମୁଁ ସବୁ ଜାଣେ । ତୁ ଚଳୁ କ’ଣ ସେମିତି ?

 

—ହଜୁର !

 

—କେମିତି ? ଆଉଥରେ କହ । ଚାହିଁଲେ ରତିଏ, ଛୁଇଁଲେ ମସାଏ, ଷଣ୍ଡୁଆସି ଧଇଲେ ତାମସା ଦେଖାଏ ।

 

—ପ୍ରମାଣ ଦେଇପାରିବୁ ? କାମରେ ଦେଖାଇ ନପାରିଲେ ମୁଣ୍ଡକାଟ ।

 

ପାଞ୍ଜିଆ ତାହାର ଲେଖାପଢ଼ାରେ ଲାଗିଥାଏ—ସୁନାରୀ କେମିତି ମରଣ ଆଡ଼କୁ ଚାଲିଛି ।

 

ରାଜା ପାଞ୍ଜିଆକୁ ହୁକୁମ ଦେଲେ ଯେ ତାଙ୍କର ଗୋଟାଏ ବିଷ୍ଣୁମୂର୍ତ୍ତି ଦରକାର—ସୁନାରେ ତିଆରି ହେବ ।

 

ସୁନାରୀ କହିଲା—ମଣିମା । ଭାରି ଭଲ କଥା । ସୁନା ତିଆରି ବିଷ୍ଣୁମୂର୍ତ୍ତି ନଅରରେ ପୂଜା ହେବେ । ତେବେ ମୂର୍ତ୍ତି ଦଶଆଙ୍ଗୁଳି ଉଚ୍ଚା ହେବେ । ଅନେକ ସୁନା ଲାଗିବ ।

 

—ଲାଗୁ ! ......ପାଞ୍ଜିଆକୁ ହୁକୁମ ହେଲା ଯେ ସେ ସୁନା ଯୋଗାଇବ ଆଉ ଜଗିବ ।

 

ପାଞ୍ଜିଆ ହାତଯୋଡ଼ି କହିଲା—ମଣିମା ଦୁଇଟା ବରକନ୍ଦାଜ ନ ରହିଲେ ମୋର ସାହସ ପାଇବ ନାହିଁ ।

 

ସେଇଆ ହେଲା । ପାଞ୍ଜିଆର ଖୋଦ୍‌ ଜଗାରଖାରେ ଓ ବରକନ୍ଦାଜ ଜଗୁଆଳିରେ ସୁନା ଆସି ମୂର୍ତ୍ତି ତିଆରି ଆରମ୍ଭ ହେଲା ।

 

ସୁନାରୀ ରଜାଘରେ ମୂର୍ତ୍ତି ଗଢ଼େ । ଏଥିପାଇଁ ହବିଷ କରିବା ଦରକାର । ବକତେ ଖାଇ ମୂର୍ତ୍ତି ଗଢ଼େ । ଆଉ ଘରକୁ ଯାଇ ପିତଳରେ ସେଇ ମାପର ମୂର୍ତ୍ତି ଗଢ଼ୁଥାଏ । ନଅରରେ ଯେତିକି କାମ କରିଥାଏ ସୁନାରେ—ଘରେ ସେତିକି କରେ ପିତଳରେ ।

 

ଭାର୍ଯ୍ୟା ପଚାରିଲେ କହେ—ରାଜଘର ହୁକୁମ । କେହି ଜାଣିବେ ନାହିଁ ଏ କଥା ।

 

ମୂର୍ତ୍ତି ତିଆରି ସରିଲା । ଦୁଇଆଡ଼େ ମୂର୍ତ୍ତି ପୂରା ହେଲା ।

 

ରାଜା କହିଲେ—ଅଣାଅ ଦରବାରକୁ ଦେଖିବା । ....ସୁନାରୀ କହିଲା ଭଲ ଯୋଗରେ ଭୋର ଭୋର ଦହିରେ ଗାଧୋଇ ମୂର୍ତ୍ତି ପ୍ରତିଷ୍ଠା ହେଲେ ଦରବାରକୁ ଆସିବ ।

 

ଏଣେ ଘରେ ବରାଦ ଦେଲା ଯେ ସୁନାରୀ ସ୍ତ୍ରୀ ଗଉଡ଼ୁଣୀ ବେଶରେ ନଅର ଆଗରେ ଦହି ନେଇ ଯାଉଥିବ । ସୁନାରୀ ଡାକିଲେ ଦହି ହାଣ୍ଡି ଦେବ । ଏକଥା ଜଣାପଡ଼ିଲେ ହାତରୁ ଚୁଡ଼ି ଭାଙ୍ଗିବାକୁ ପଡ଼ିବ ।

 

ସବୁ ଠିକ୍‌ ଚାଲିଲା । ପାଞ୍ଜିଆ, ବରକନ୍ଦାଜଙ୍କର ଧୈର୍ଯ୍ୟ ତୁଟିଲାଣି । ଧ୍ୱଂସ ଦେଖିବାକୁ ତିଆର । କଥା ହେଲାଣି ଯେ ସୁନାରୀ ଶୁଳି ପାଇବ—ଫାଶୀ । ମରିବ ।

 

ରାଜାଙ୍କର ବି ଧୈର୍ଯ୍ୟ ତୁଟିଲାଣି । ସେ ବି ଫାସିଦେବାକୁ ତିଆର । ଡେରି ହେଲାଣି ।

 

ସୁନାରୀ ମାଣ୍ଟଉଥାଏ । ....ଆଜି ବେଳ ଭଲ ନୁହେଁ । କାଲି କାଳ ଭଲ ନୁହେଁ । ଆଜି ନିଶ୍ୱାସ ଚାଲୁଛି ଡାହାଣରେ ଅବା ବାଁ ଆଖି ଫଡ଼କୁଛି । ଏଣେ ଦହିବାଲି ଯାଉଥାଏ । ସୁନାରୀ ଡାକୁ ନଥାଏ ।

 

ଦିନେ ସେ ଭାରିଯାକୁ ଜଣାଇ ଦହି ହାଣ୍ଡିରେ ପିତଳ ମୂର୍ତ୍ତିଟି ଥୋଇ କହିଲା କାଲି ମୁଁ ଡାକିବି । ଦହି ହାଣ୍ଡିରେ ଆଉ ଗୋଟିଏ ମୂର୍ତ୍ତିକୁ ଗାଧୋଇ ଦେଇ ଫେରାଇ ଦେବି । ଘରକୁ ଆସିଲେ ମୂର୍ତ୍ତି ନେଇ ରାଜାଙ୍କୁ ଦେବି । ...ସାବଧାନ ନ ରହିଲେ ମୁଁ ମରିବି ଆଉ ତୁ ରାଣ୍ଡ ହେବୁ ।

 

ତହିଁଆର ଦିନ ସୁନାରୀ ହଠାତ୍‌ ଆରମ୍ଭ କଲା ଯେ ଦିନ ଭଲ । ବେଳ ଭଲ । କାଳ ଭଲ । ଆଜି ମୂର୍ତ୍ତି ଗାଧୋଇବେ ।

 

ଦହିବାଲିକୁ ଜଗି ବରକନ୍ଦାଜ ଡାକି ଆଣିଲେ । ମୂର୍ତ୍ତି ବଦଳ ହେଇଗଲା । ଦହିବାଲି ହାଣ୍ଡି ନେଇ ଘରକୁ ଫେରିଲା ।

 

ପିତଳ ମୂର୍ତ୍ତିକୁ ପାଟ ଲୁଗାରେ ଢାଙ୍କି ଦେଇ ସୁନାରୀ ଘରକୁ ଫେରିଲା ।

 

ଘରେ ସୁନା ମୂର୍ତ୍ତିକୁ ହାଣ୍ଡିରୁ କାଢ଼ି ପାଟ ଲୁଗା ଢାଙ୍କି ସାଙ୍ଗରେ ନେଇ ଦରବାରକୁ ଆସିଲା ।

 

ଦରବାର ଆରମ୍ଭ ହେଲା—ରାଜା ପଚାରିଲେ ସୁନାରୀକୁ ସେ ଚଳେ କେମିତି ? ସୁନାରୀ ସେଇ ଏକା ଉତ୍ତର ଦେଲା ।

 

—ଆଚ୍ଛା, ନଅରରେ ଜଗୁଆଳି ଭିତରେ ଆମର ସୁନାରେ ମୂର୍ତ୍ତି ଗଢ଼ା ହେଇ ପ୍ରତିଷ୍ଠା ହେଲା । ଏଠି ତ ସେମିତି ହେଇଥିବ ।

 

ଡରି ଡରି ସୁନାରୀ କହିଲା—ମଣିମା ସେଇଆ ହବା କଥା ।

 

ରାଜା ରାଗିଯାଇ କହିଲେ—ଯଦି ନ ହେଇଥିବ ତେବେ ଫାଶୀ । ବୁଝିଛୁ ?

 

—ହଜୁର ମଣିମା ।

 

—ଦେଖା କେମିତି ?

 

ରଜାଘର ମୂର୍ତ୍ତିକୁ ପାଞ୍ଜିଆ କାଢ଼ି ପାଟ କନା ଉପରେ ଥୋଇଲା ।

 

ତେବେ—

 

—ହଜୁର ମଣିମା ସେଇଟା ପିତଳ । ସବୁଯାକ ସୁନା ଚାଲିଯାଇଛି ।

 

ଦରବାରରେ ଚହଳ ପଡ଼ିଗଲା । ରାଜା ରାଜାଘରର ଲୋକଙ୍କ ଆଗରେ, ବରକନ୍ଦାଜ ଆଖି ଆଗରେ ସୁନା ଚୋରି ହେଇଗଲା । ପୁଣି ପୂରାପୂରି ।

 

ପରୀକ୍ଷାରେ ଜଣାଗଲା ଯେ ମୂର୍ତ୍ତିଟା ପିତଳ ।

 

ସୁନାରୀ ସେତେବେଳେ ଭାରି ଡରି ଡରି ନିଜର ପାଖରୁ ସୁନା ମୂର୍ତ୍ତି କାଢ଼ି ଥୋଇଦେଲା-

 

ପୂରା ନେଇ ଚାଲିଯାଇଛି ସୁନାରୀ । କାରଣ ପାଞ୍ଜିଆ ସେତେବେଳକୁ ଇଷ୍ଟଦେବତା ସ୍ମରଣରେ ଲାଗିଗଲାଣି—ନିଜେ ହୁଏତ ମରିବ ଏଥର । ନିଜ ତିଆରି ଖାତାରେ ପଡ଼ିଯାଇଛି । ମନେମନେ ଠାକୁର—ତହୁଁ ବଡ଼ା ତହୁଁ ବଡ଼ା—ଉଚ୍ଚା, ତେଜୀ, ପ୍ରତ୍ୟକ୍ଷ, ଶୁନନେୱାଲା, ଦେନେୱାଲା, ହିନ୍ଦୁସ୍ଥାନୀ, ମରହଟ୍ଟୀ, ନେପାଳୀ, କଲକତି ସବୁ ପ୍ରକାରର ଠାକୁରଙ୍କୁ ଡାକୁଥାଏ ଆଉ ସହସ୍ର ନାମ ପଢ଼ୁଥାଏ ।

 

ଦରବାରରେ ବିଚାର ଆଲୋଚନାରୁ ବୁଝା ପଡ଼ିଲା ଯେ ଦହିବାଲି ଯୋଗୁ ଏଇ କାମ ।

 

ରାଜା ବୁଝିଲେ ଯେ ଏଇ ପାଞ୍ଜିଆ ଆଉ ବରକନ୍ଦାଜ ଯେମିତି ମାଇକିନିଆଁ ଦେଖିଲେ ସେଇଠୁ ତାଙ୍କର କାମରେ ଖିଲାପ ଆରମ୍ଭ କଲେ । ସେମାନଙ୍କୁ କଡ଼ା ଶାସନରେ ନ ରଖିଲେ ପୂରା ମୁଲକ ଉଜୁଡ଼ି ଯିବ—ସିଏ ଦହିବାଲି ହେଉ ଅବା ପାନବାଲି ହେଉ । ଫଳ ସମାନ ।

 

ସ୍ତ୍ରୀମାନଙ୍କର କଥା ପଡ଼ିବାରୁ ତେଜି ଉଠୁଥିବା ରାଗ ଶାନ୍ତ ପଡ଼ି ଆସିଲା । ସମସ୍ତେ ଚାହୁଁଥାନ୍ତି ଦହିବାଲି ସାଙ୍ଗରେ ତଦାତ୍ମିୟତା କରିବାକୁ । କିନ୍ତୁ ତାହାର ପରିଚୟର ଚାବି ସୁନାରୀ ପାଖରେ । ସେ କହୁଥାଏ ଯେ ବରକନ୍ଦାଜ ଆଣିଥିଲା ଦହିବାଲିକୁ ।

 

ଫଳରେ ବରକନ୍ଦାଜ କିଛି ଶାସ୍ତି ପାଇଲା । ପାଞ୍ଜିଆ ଉପରୁ ତିନିପାଆ ଦୋଷ କଟିଗଲା ସତ । କିନ୍ତୁ ତାକୁ ସୁନାରୀ ପାନେ ଦେଲା ।

 

ସୁନା ମିଳିଯିବାରୁ ସମସ୍ତେ ଖୁସି ହେଇଗଲେ କିନ୍ତୁ ସୁନାରୀମାନେ ଜଳକା କରି ନେଇ ଯାଇ ପାରିବେ, ଏତକ ହେଇଗଲା ଧୃବ ସତ୍ୟ ।

 

ଏମିତି ଧୃବ ସତ୍ୟର ଧାରା ଓଡ଼ିଶାରେ ବିଛେଇ ରହିଛି ମାହାନ୍ତିମାନଙ୍କ ବିଷୟରେ । ମାହାନ୍ତି, ମହାନଦୀ ସାଙ୍ଗରେ ସମାନ । ମହାନଦୀ ଓ ମାହାନ୍ତି ମହାପ୍ରସାଦ ସାଙ୍ଗରେ ସମାନ—ଅବଶ୍ୟ ଗୋଟିଏ ପ୍ରକାରର ବିଷୟରେ ।

 

କିନ୍ତୁ ମାହାନ୍ତି ମଲା ନାହିଁ । ଓଲଟି ନିଜ ଚଉପାଢ଼ୀକୁ ଛାଡ଼ି ଅନ୍ୟାନ୍ୟ ପାଟକ ଭିତରେ ପଶିବାରେ ଲାଗିଲାଣି । ଏବେ ଓଡ଼ିଶାଯାକ ମାହାନ୍ତିଆ ରୋଗରେ ଆକ୍ରାନ୍ତ ।

 

ବିଚରା ମାହାନ୍ତି ଢେଉ ଗଣି ପଇସା କରିଥିଲା । ଏବେ ଢେଉକୁ ନ ଗଣି ଅର୍ଥାତ୍‌ ଡିଉଟି ନକରି; ବୁଦ୍ଧିକୁ ଲଗାଇବାରେ ଖିଲାପ କରି ଅଣ-ମହାନ୍ତିମାନେ ଢେଉ ଗଣା ପଇସା କରିବାରେ ଚାରିଆଡ଼େ ଲାଗି ଗଲେଣି । ଖୁବ୍‌ ପାଟି ହଉଛି । ବହୁତ ଧରା ପଡ଼ୁଛନ୍ତି । କିନ୍ତୁ ତାହାର ସୂତ୍ର ବା କୌଶଳ ବା ଟେକନିକ୍‌ ପାଇ ପାରୁନାହାନ୍ତି ।

 

ଶେଷରେ ଧରିଛନ୍ତି ଚରିତ୍ର ସଂହାରକୁ ନିଜର ହତିଆର ଭାବରେ । ଚରିତ୍ରସଂହାର ତରବାରୀର ଖୋଳ ହେଲା ପତ୍ରପତ୍ରିକା ଓ ଖବର କାଗଜ ।

 

କଟକର ଆଠଗଡ଼ ନିର୍ବାଚନମଣ୍ଡଳୀକୁ ମୂଳ କରି ସମାଜ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଶାସନର ଗଫଲତି ଦେଖାଇ ପୂରା ଚାରିବର୍ଷ ଲାଗିଲାଣି । କିଛି ଫଳ ହେଉନାହିଁ ।

 

ଏହାର କାରଣ ହେଲା କରଣମାନଙ୍କ ମଧ୍ୟରେ ଏଇ କରଣବିରୋଧୀ କାର୍ଯ୍ୟ ପାଇଁ କରଣ ଦରକାର । ରାଧାନାଥବାବୁ କରଣ ପୋଷି ନାହାନ୍ତି । କାର୍ଯ୍ୟୋଦ୍ଧାର କରିବେ କେମିତି ?

 

ପହଲିମାନକୁ ପଟକଣ ଦେଲେ ସିନା ସେ ଚିତ୍‌ପଟାଙ୍ଗ ହବ । ତାହାର ହାତ ଗୋଡ଼କୁ ଅବା ମୁଣ୍ଡକୁ ଭାରି ଟାଣରେ ଚିପି ମୁଠେଇଲେ ସେ କ’ଣ ଚିତ୍‌ ମାରିବ ?

 

ଏଣେ ସମାଜ ଅଫିସରୁ ଫକୀରବାବୁଙ୍କର ଅବସର ଗ୍ରହଣ । ଓଡ଼ିଆ କରଣ ସମାଜରେ ଘୋର ବିଷାଦର ମେଘ ଜମା ହେଇଛି । ...ଆପଣ ଜାଣନ୍ତି ନା, ସମାଜ ଅନୁଷ୍ଠାନରେ କେହି କରଣ ନାହାନ୍ତି ।

 

—ତମର କ’ଣ ବିଗିଡ଼ିଲା ?

 

—ଆଉ ? ସମାଜ କ’ଣ ଜାତୀୟ ସମ୍ଫତ୍ତି ନୁହେଁ ? କରଣ ରହିପାରିବେ ନାହିଁ ? ଏଇ ସକାଶେ ତୁମର କୁଶ କଅଁଳିଲା ନାହିଁ ।

 

—କାହିଁକି ? ମହତାବବାବୁ ବ୍ରାହ୍ମଣଙ୍କ ଦ୍ୱାରା ପ୍ରଜାତନ୍ତ୍ରକୁ ସଂପାଦନ କରିପାରିଲେ । ସେ ଦେଖିଲେ ଯେ ଖବରକାଗଜ ସଂପାଦନାରେ ବ୍ରାହ୍ମଣମାନେ କରଣଙ୍କଠାରୁ ସରସ । ତଥାପି ସେ ଏପାଖ ସେପାଖ ହେଉଛନ୍ତି ଏହି ମାହାନ୍ତିଅ ରୋଗରେ ପଡ଼ି । ସମସ୍ତଙ୍କୁ ରଖିବ । ଭଗବାନ ସମସ୍ତଙ୍କର । ବୁଦ୍ଧି ବି ସମସ୍ତଙ୍କର ।

 

ଉଆଇଫ ରଖିବ । ରିସେପସନିଷ୍ଟ ଲେଡ଼ି ରଖିବ । ନିଜ ମହିଳା ଷ୍ଟେନୋଗ୍ରାଫର ଓ ମହିଳା ସେକ୍ରେଟରୀ ଓ ମେଡ଼୍‍ ସମସ୍ତଙ୍କୁ ରଖିବ । ତାହା ହେଲେ ଦେଖିବ ଯେ ତୁମେ ଉଠୁଛ ଉପରକୁ । ଖାଲି ବାବାଜିଆ, ବଇଷମିଆ ହେଲେ ଉଠି ପାରିବ ନାହିଁ । ଓଲଟି ଭଣ୍ଡଟିଏ ବୋଲି ସାଠିଫିକେଟ ଅମଳ କରିବ ।

 

ଏବେ ଓଡ଼ିଶାରେ ଚଉରାଅଶିର ନୂଆ ଏକସପେରିମେଣ୍ଟ ହେଲା ‘ସମବାଦ’ ଦୈନିକ–ଓଡ଼ିଆ ଇଲେକ୍‌ଟ୍ରୋନିକ୍‌ ମେଥଡ଼ରେ ଏହାର କାର୍ଯ୍ୟ ।

 

ବମ୍ୱେଇରେ ଏମିତି ଗୋଟିଏ ଦୈନିକ ଇଂରାଜୀ କାଗଜ ପଚିଶିବର୍ଷ ତଳେ ତାହାର ଆଭିମୁଖ୍ୟ ଦେଇଥିଲା—କାଗଜର ସ୍ୱତନ୍ତ୍ର ସଂସ୍କରଣ ବଡ଼ ବନ୍ଦର (ବମ୍ୱେଇ ସେଣ୍ଟ୍ରାଲରୁ) ଛାଡ଼ୁଥିବା ପ୍ରତ୍ୟେକ ଟ୍ରେନରେ ଯିବ ।

 

ବାଳରିଷ୍ଟରେ କାଗଜ ମରିଗଲା । ଅନେକ ଗୁଡ଼ିଏ ଧନକୁ ମଧ୍ୟ ନଷ୍ଟ କରିଦେଲା । ଏଣେ ସମବାଦ କାଗଜର ଅତି ଜଟିଳ ପ୍ରକାରର ପ୍ରଶାସନିକ ଓ ସାମ୍ୱାଦିକ ଢାଞ୍ଚାରେ ବ୍ରାହ୍ମଣ ଅଭାବ । ତେଣୁ ଏହାର ଭବିଷ୍ୟତ ମଧ୍ୟ ଅନିଶ୍ଚିତ । ଏକା ତାମିଲ କୃଷ୍ଣସ୍ୱାମୀ ବାବୁ ଓଡ଼ିଶାରେ ବ୍ରାହ୍ମଣ ପ୍ରତିଭାର ପ୍ରତିନିଧିତ୍ୱ କରି ପାରିବେ ନାହିଁ ।

 

ରାଜା ଗଲେଣି । ରାଜ୍ୟ ଦେଇଯାଇଛନ୍ତି ଦେଶକୁ—ଅର୍ଥାତ୍‌ ସମାଜକୁ—ଅର୍ଥାତ୍‌ ସବୁ ପାଟକଙ୍କୁ । ଏଥିରେ ଜଣେ ଏକାଙ୍ଗ ଚକ୍ରବର୍ତ୍ତୀ ହେବ କେମିତି ?

 

କିନ୍ତୁ ସମାଜ ଓ ସମବାଦ ଉଭୟେ କ୍ଷତିଗ୍ରସ୍ତ ହେବେ । ସମାଜ ପଛରେ ବ୍ରାହ୍ମଣ ଠିଆ ହେବେ ନାହିଁ । ସମବାଦ ପଛରେ ବ୍ରାହ୍ମଣବିରୋଧୀ ଠିଆ ହେବେ ନାହିଁ । କାରଣ ଯୁଦ୍ଧ କରିବା ଅର୍ଥକରୀ ନୁହେଁ । ଯୁଦ୍ଧ ସରିଲେ ଲୁଟ ତରାଜ କରିବା ଅର୍ଥକରୀ ।

 

କରଣମାନେ ଯୁଦ୍ଧ କରିବାକୁ ପସନ୍ଦ କରନ୍ତି ନାହିଁ । ସେମାନେ ଚାହାନ୍ତି ଯେ କାହାରି ଜଣକର ପାଳିଆ ହୋଇ ମନ୍ଥରା ଭୂମିକା ନେବେ ଓ ରାଜା ସୃଷ୍ଟି କରୁଛନ୍ତି ବୋଲି ପ୍ରଶଂସାପତ୍ର ଧରିବେ ।

 

ଇଏ ତ ବିଧାତାଙ୍କର ସର୍ଜନା । ଏମାନଙ୍କୁ ଦୋଷ ଦେଇ ଲାଭ ନାହିଁ । ହଇଜା, ବସନ୍ତର ଜୀବାଣୁ ଅଛନ୍ତି ବୋଲି କେହି ପାଣି ପବନକୁ ବାସନ୍ଦ କରେ ନାହିଁ । ବରଂ ନିଜର ରକ୍ଷା ଓ ସୁରକ୍ଷା ପାଇଁ ବ୍ୟବସ୍ଥା ରଖେ ।

 

ଚଉଦ ଅଗଷ୍ଟ—ଓଡ଼ିଶା ବନ୍ଦ । ମଙ୍ଗଳବାର ।

 

ସେଇଦିନ କଟକ ମଙ୍ଗଳାବାଗରେ ଗୋଟିଏ ସାଧାରଣ ଲୋକ ଘରେ କରଣ ସମାଜ ତାହାର କାର୍ଯ୍ୟ ଦେଖାଇ ଥିଲା ।

 

ଏମିତି ହୁଏ ମଫସଲରେ । ହେଞ୍ଜଡ଼ିଟିଏ ବିଭା କରେଇ ଦେଇ ସମୁଧିଘର ଠାକୁର ମାଜଣାରେ ଲାଗିଯାନ୍ତି ଯେ ବୁଦ୍ଧି ବଳରେ ହେଞ୍ଜଡ଼ିଟିଏ ଆଣି ଛନ୍ଦି ଦେଇଛନ୍ତି ଗୋଟିଏ ବରର ବେକରେ ।

 

ନେଲେ ନେଊ ଗହଣା ଆଉ ବାସନ । ତା’ପରେ ଦୁଇ ପକ୍ଷର ଦୁଇପକ୍ଷ ଉପରେ ଦୋଷାରୋପ ।

 

କଟକ ସହରରେ ହେଲା ସେଇକଥା ।

 

ମଙ୍ଗଳବାର ଚଉଦ ଅଗଷ୍ଟ ୧୯୮୪ରେ ବୋହୂ ଅମିତା ଦିନ ଅଢ଼େଇଟାବେଳେ ପୋଡ଼ି ହୋଇ ସେଇ ଅଢ଼େଇଟାବେଳେ ମଙ୍ଗଳାବାଗ ଘରୁ ଆମ୍ବୁଲାନସରେ ନିଆଯାଇ ଦିନ ତିନିଟାବେଳେ କଟକ ମେଡିକଲର କାଜୁଆଲଟିର ରଖା ହେଲା । ତାଙ୍କର ଆଡ଼ମିସ୍‍ନ କରାଇଥିଲେ ଜଣେ ଜ୍ଞାତି ଶ୍ରୀ ବ୍ରଜବନ୍ଧୁ ମହାନ୍ତି । ସେ ଅମିତାଙ୍କର ସ୍ୱାମୀ ନାମ ଲେଖାଇଥିଲେ—ଜୀବନ ପଟ୍ଟନାୟକ ।

 

ଜୀବନ ବାବୁଙ୍କର ସରକାରୀ ନାମ ଶୁଭେନ୍ଦୁ ବୋଲି ସେ ମଧ୍ୟ ଜାଣନ୍ତି ନାହିଁ । ଡାକ ନାମ ଥିଲା—ବବି । ଏଇ ନାମ ମାଆ ପୂଣ୍ୟପ୍ରଭା ଦେବୀ ଦେଇଥିଲେ । ତାଙ୍କର ଶାଶୁ ଶ୍ରୀମତୀ ରତ୍ନାମାଳୀ ଦେବୀ ନାମ ଦେଇଥିଲେ ଜୀବନ । ତେଣୁ ମଙ୍ଗଳାବାଗରେ ମଧ୍ୟ ଅନେକ ଲୋକ ଓ ବନ୍ଧୁବାନ୍ଧବ ଶୁଭେନ୍ଦୁଙ୍କୁ ଜୀବନ ନାମରେ ଜାଣିଥିଲେ । ଅମିତାଙ୍କର ଶାଶୁ ଘର ନାମ ଥିଲା ଅମୃତା-।

 

ଅମିତା ଦେବୀଙ୍କର ସିରିଆଲ ନମ୍ୱର ସେଇ ତାରିଖର ତେର ଓ କ୍ରମିକ ସିରିଆଲ ଦଶହଜାର ଆଠଶହ ପଚସ୍ତରୀ ।

 

ସେଇଦିନ ଅମିତାଦେବୀଙ୍କର ଶାଶୁ ପୂଣ୍ୟପ୍ରଭା ଦେବୀ ଅମିତା ଦେବୀଙ୍କର ନିଆଁ ଲିଭାଇବାରେ ଆହତ ହୋଇ ସେଇ କାଜୁଆଲଟି ୱାଡ଼ରେ ସେଦିନର ଷୋହଳ ନମ୍ୱର ସିରିଆଲ ଓ କ୍ରମିକ ଦଶହଜାର ଆଠଶହ ଅଠସ୍ତରୀ ନମ୍ୱର ନେଇ ପାଖାପାଖି ବେଡରେ ରହିଥିଲେ ।

 

ବୋହୂଙ୍କର ନବେ ପରସେଣ୍ଟ ବର୍‌ନ୍‌ ଓ ଶାଶୁଙ୍କର ପାଞ୍ଚ ପରସେଣ୍ଟ ବର୍‌ନ୍‌ ।

 

ପନ୍ଦର ଅଗଷ୍ଟ ବୁଧବାର ରାତିରେ ଅମିତା ଦେବୀଙ୍କର ଶବ ସତ୍କାର । ପନ୍ଦର ତାରିଖରୁ ସତର ତାରିଖ ସକାଳ ଯାଏ ତୋଫାନିଆଁ ବର୍ଷା । ଚଉଦ ତାରିଖରେ ବାପା ବ୍ରଜବଲ୍ଲଭ ବାବୁଙ୍କର ଇତାଲା—ହତ୍ୟା ନା ଆତ୍ମହତ୍ୟା ।

 

କିନ୍ତୁ ପନ୍ଦର ତାରିଖ ଦିନ ଓକିଲ ପରାମର୍ଶ ମିଳିଥିଲା ଯେ ଦୁର୍ଘଟଣା ମୃତ୍ୟୁ ବୋଲି କରାଇବାକୁ । କିନ୍ତୁ ଚଉଦ ତାରିଖ ଇତାଲା ବଦଳାଇବା ସମ୍ଭବ ହେଲା ନାହିଁ ।

 

ବୁଧବାର ପନ୍ଦର ତାରିଖରେ ପୋଷ୍ଟମର୍ଟମ ଦାୟିତ୍ୱରେ ଥିବା ଡାକ୍ତର ଶ୍ରୀମତୀ ସୁବର୍ଣ୍ଣ କରଙ୍କୁ ଅମିତା ଦେବୀଙ୍କର ସାମ୍ୱାଦିକ ଯୀଶୁଭାଇ ଓରଫ ଦେବୀ ପ୍ରସନ୍ନ ପଟ୍ଟନାୟକ ବାବୁ ଅନୁରୋଧ କଲେ ଯେ ଅମିତା ଦେବୀଙ୍କର ମୃତ୍ୟୁର କାରଣ ସ୍ପାର୍କ ଓ ଇନଫ୍ଳାମେସନ (spark and inflamation) ଲେଖା ରହୁ ।

 

କିନ୍ତୁ ପୋଷ୍ଟମର୍ଟମ କଲେ ଅନ୍ୟ ଡାକ୍ତର । ସେଇ କଥା ଟାଇମସ୍‌ ଅଫ୍‌ ଇଣ୍ଡିଆ ଖବର କାଗଜରେ ଲେଖାଅଛି । ଏଥିରେ କାରଣ ଦିଆଯାଇଛି ‘‘shock and peripheral circulatory failure’’ ଅର୍ଥାତ୍‌ ମନର ଆକସ୍ମିକ ଓ ସ୍ନାୟବିକ ଉତ୍ତେଜନା ଓ ଦେହର ବର୍ହିଭାଗର ଧମନୀ ଓ ଶିରାର ସଂବେହନ ଶକ୍ତିର ଅଭାବ ।

 

ଏହା ଅମିତା ଦେବୀଙ୍କର ଡେଥ୍‌ ସାର୍ଟିଫିକେଟରେ ଲେଖାଅଛି । ତେଣୁ ବିଜୁଳି ସ୍ଫୁଲିଙ୍ଗ ପାଇଁ ଶରୀର ପ୍ରଜ୍ୱଳନ କଥା ପନ୍ଦର ଅଗଷ୍ଟ ବୁଧବାର ଦିନ ହୋଇ ପାରିଲା ନାହିଁ ।

 

ଫଳରେ ଆତ୍ମହତ୍ୟା ବା ହତ୍ୟାର ପୁଲିସ ଇତାଲା କାଏମ ରହିଲା ।

 

ଷୋହଳ ଅଗଷ୍ଟ ଗୁରୁବାର କିଛିକାମକୁ ଶୁଭ ନୁହେଁ ବୋଲି ଅନେକ ଲୋକଙ୍କର ବିଶ୍ୱାସ-। ତେଣୁ ସତର ତାରିଖରେ ଖବର କାଗଜରେ ଲେଖାଇବା ଆରମ୍ଭ ହେଲା ।

 

ଦେବୀ ପ୍ରସନ୍ନବାବୁ ତାଙ୍କର ପଡ଼ୋଶୀ ପ୍ରଗତିବାଦୀ ଦୈନିକ ସଂବାଦ ପତ୍ରରେ ଜଣେ ରିପୋଟର ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କର କର୍ମପ୍ରବଣତାର ମୂଲ୍ୟାୟନ କରି ପ୍ରଗତିବାଦୀ ତାଙ୍କୁ ଖବର କାଗଜରୁ ବିଦାୟ ଦେଇ ‘‘ତୃତୀୟ ନୟନ’’ ମାସିକ ସମ୍ୱାଦ ସମୀକ୍ଷା ପତ୍ରିକାକୁ ପଠାଇ ଦେଲେ । ଦେବୀବାବୁ ମଧ୍ୟ ତୃତୀୟ ନୟନ ପତ୍ରିକାର ମୁଦ୍ରକ ଓ ପ୍ରକାଶକ । ସେପ୍‌ଟେମ୍ୱର ପହିଲାରେ ପ୍ରଥମ ସଂଖ୍ୟା ପ୍ରକାଶ କରାଇଛନ୍ତି ।

 

କିନ୍ତୁ ଦେବୀବାବୁ ‘‘ତୃତୀୟ ନୟନ’’ରେ ନିଜର ସାନ ଭଉଣୀ ଅମିତା ଦେବୀଙ୍କର ଅପମୃତ୍ୟୁ ବିଷୟରେ କିଛି ଲେଖାଇ ନାହାନ୍ତି ।

 

ସତରେ ଅଗଷ୍ଟ ଶୁକ୍ରବାର ଦିନ ବାପା ବ୍ରଜବାବୁ, ପୁଅ ଦେବୀବାବୁ, ଭୁବନେଶ୍ୱରର ଦୁଇଜଣ ସାମ୍ୱାଦିକ, ସମାଜ ଅନୁଷ୍ଠାନ ସହିତ ସଂପୃକ୍ତ କାଜୁଆଲ ଜଣକୁ ନେଇ ଡକ୍ଟର ରାଧାନାଥ ରଥଙ୍କୁ ଫଟୋ ଓ ଗୋଟାଏ ଲେଖା ଦେଇ ପ୍ରକାଶ ପାଇଁ ଅନୁରୋଧ କଲେ ।

 

ମାତ୍ର ସମାଜ ଅଫିସ୍ ଏପରି ଗୁରୁତର ସମ୍ୱାଦ ତିନିଦିନ ଧରି ନ ପାଇଥିବାରୁ ତାଙ୍କର ସନ୍ଦେହ ଆସିଲା । ସେ ସେହି ଅମିତାଙ୍କର ଅପମୃତ୍ୟୁ (story) ସେଠାରେ ବସିଥିବା ଅଧ୍ୟାପିକା ଶ୍ରୀମତୀ ମନୋରମା ମହାପାତ୍ରଙ୍କୁ ଦେଖିବାକୁ ଅନୁରୋଧ କଲେ ।

 

ମନୋରମା ଦେବୀ ଷ୍ଟୋରିର ଅଭିଧାନ ଅର୍ଥ ଯଥା କଳ୍ପିତ ମିଛ କାହାଣୀ ବୋଲି କହିବାରୁ ଯୀଶୁବାବୁ ବିରକ୍ତ ହୋଇଥିଲେ ।

 

ଅଠର ଅଗଷ୍ଟ ଚଉରାଅଶି ଶନିବାର ଦିନ ସମାଜ ଦୈନିକର ସାତପୃଷ୍ଠାରେ ଏହି ବିବରଣୀ ପ୍ରକାଶ ପାଇଲା । ୧୭/୮ର Date line ନେଇ ।

 

ଘଟଣା ରହସ୍ୟଜନକ ।

 

ପୋଡ଼ି ହୋଇ ଯୁବତୀର ମୃତ୍ୟୁ ।

 

କଟକ ତା ୧୭/୮—ଗତ ଚଉଦ ତାରିଖ ସନ୍ଧ୍ୟାରେ ମଙ୍ଗଳାବାଗ ନୂଆପାଟଣା ଅଞ୍ଚଳରେ ରହୁଥିବା ବାଇଶି ବର୍ଷ ବୟସ୍କା ନବବିବାହିତା ଶ୍ରୀମତୀ ଅମିତା ପଟ୍ଟନାୟକ ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା ଜଣା ପଡ଼ିଛି ।

 

ଶ୍ରୀମତୀ ପଟ୍ଟନାୟକଙ୍କର ଶାଢ଼ୀରେ ନିଆଁ ଲାଗି ସେ ଗୁରୁତର ଭାବରେ ଆହତ ହୋଇଥିଲେ । ତାଙ୍କୁ ମୂମୂର୍ଷ ଅବସ୍ଥାରେ ସନ୍ଧ୍ୟା ଛଅଟାରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ସର୍ଜରୀ ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ରାତି ଦଶଟାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

 

ପ୍ରକାଶ ଥାଉ କି ଅନିତା ମାତ୍ର ତିନିମାସ ତଳେ ବିବାହ କରିଥିଲେ ।

 

ତାଙ୍କ ସ୍ୱାମୀ ଶ୍ରୀ ଶୁଭେନ୍ଦୁ ପଟ୍ଟନାୟକ ଦିଲ୍ଲୀରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଅଛନ୍ତି । ବିବାହର ଦଶ ପନ୍ଦର ଦିନ ପରେ ଶ୍ରୀମତୀ ଅମିତା ଦିଲ୍ଲୀ ଯାଇ ତାଙ୍କର ସ୍ୱାମୀଙ୍କ ପାଖରେ ଥିଲେ । ଗତ ଜୁଲାଇ କୋଡ଼ିଏ ତାରିଖ ଦିନ ସେ ସ୍ଵାମୀଙ୍କ ସହ କଟକ ଫେରିଥିଲେ ଏବଂ ଏଠାରେ ଶାଶୁ ଶଶୁରଙ୍କ ପାଖରେ ଥିଲେ । ତାଙ୍କର ସ୍ୱାମୀ ତାଙ୍କୁ ଛାଡ଼ି ଦିଲ୍ଲୀ ଫେରି ଯାଇଥିଲେ ।

 

ଏହି ଘଟଣା ପଛରେ ବହୁ ରହସ୍ୟ ଥିବା ଜଣା ପଡ଼ିଛି । ଏହା ଆତ୍ମହତ୍ୟା, ଦୁର୍ଘଟଣା ବା ଅନ୍ୟ କିଛି ସେ ବିଷୟ ନେଇ ବହୁତ କଳ୍ପନା ଜଳ୍ପନା ଚାଲିଛି । ପୋଲିସ ତଦନ୍ତ ଚଲାଇଛନ୍ତି ।

 

ଶ୍ରୀମତୀ ଅମିତାଙ୍କର ପିତା ଶ୍ରୀ ବ୍ରଜବଲ୍ଲଭ ପଟ୍ଟନାୟକ କୃଷି ନିର୍ଦ୍ଦେଶାଳୟର ଅଣ୍ଡର ସେକ୍ରେଟରୀ ଓ ତାଙ୍କର ବଡ଼ ଭାଇ ଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଭୁବନେଶ୍ୱରର ଜଣେ ସାମ୍ୱାଦିକ-। ସମାଜ ୧୮/୮/୮୪

 

କିନ୍ତୁ ଅମିତାଙ୍କ ତରଫରୁ ଯାଇଥିବା ଲୋକେ ସମାଜ କାଗଜକୁ ନିମ୍ନଲିଖିତ ବିଷୟରେ ଭୁଲ ତଥ୍ୟ ଦେଲେ ।

 

(୧) ଅମିତା ଦେବୀ ଅପରାହ୍ନ ତିନିଟାବେଳେ ଡାକ୍ତରଖାନାରେ ନିଆଗଲେ । କାଜୁଆଲଟିରୁ ତାଙ୍କୁ ସନ୍ଧ୍ୟା ଛଅଟାବେଳେ ଫିମେଲ ସର୍ଜିକଲ ଓ୍ୱାଡ଼କୁ ବାପା ଭାଇଙ୍କର ସନିର୍ବନ୍ଧ ପ୍ରାର୍ଥନାରେ ନିଆଯାଇଥିଲା । ଏହି ସମ୍ୱାଦରେ ଦେଖାଇବାକୁ ଚେଷ୍ଟା କରାଯାଇଛି ଯେ ଦଗଧିଭୂତ ହେବାର ତିନିଘଣ୍ଟା ପର୍ଯ୍ୟନ୍ତ ଅମିତାଙ୍କୁ ଡାକ୍ତରଖାନାକୁ ନିଆ ଯାଇ ନାହିଁ । ପ୍ରକୃତରେ ରାତି ଦଶଟା ବେଳେ ବାପା ଭାଇଙ୍କର ଚେଷ୍ଟାରେ ଫିମେଲ ସର୍ଜିକାଲ ଓ୍ୱାଡ଼କୁ ନିଆଗଲା ଓ ସେଠାରେ ରାତି ସାଢ଼େ ଏଗାରଟାରେ ମରିଗଲେ । ଫଟୋ ଉଠୋଇବା ସୁବିଧା ପାଇଁ କରାଯାଇଥିଲା ।

 

ଦ୍ୱିତୀୟ କଥା ହେଲା ଯେ ସମାଜକୁ ସେମାନେ ଦୁର୍ଘଟଣା କଥା ଯୋଗ କରି କହିଲେ । କାରଣ ହତ୍ୟା ବିଷୟରେ କେହି ହେଲେ ସମର୍ଥନ ଦେଲେ ନାହିଁ । ଦୁର୍ଘଟଣା କଥା ଇତାଲାରେ ନାହିଁ ।

 

The Times of India News Serviceରେ ଭୁବନେଶ୍ୱରରୁ ବିଶିଷ୍ଟ ସାମ୍ୱାଦିକ ଶ୍ରୀ ଦେବମଣି ଗୁପ୍ତ ତାଙ୍କର ବିବରଣୀ ଅଗଷ୍ଟ ଅଣତିରିଶି କାଗଜରେ ଅମିତାଙ୍କର ମୃତ୍ୟୁର ପନ୍ଦର ଦିନରେ ନିମ୍ନଲିଖିତ ପ୍ରକାରରେ ଦେଲେ–

 

X X The death certificate, signed by Dr. Guruprasad Mohanty of the S. C. B. Hospital, attributes the death to shock and peripheral circulatory failure

 

ଦୈନିକ ସମାଜର ଗୋଟିଏ ବିଶେଷତ୍ଵ ଅଛି ଯେ ସମାଜରେ ପ୍ରକାଶିତ ବିବରଣୀ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହୋଇଥାଏ । ଏହା ମାହାଙ୍ଗା ଡାକ୍ତର ନୀଳାମ୍ୱର କରଙ୍କର ଗିରଫ ଘଟଣାରେ ଏହାର ଅଳ୍ପ କିଛିଦିନ ପୂର୍ବରୁ ପରିକ୍ଷିତ ହୋଇଥିଲା । ସମାଜର ବିବରଣୀ ୧୮/୮/୮୪ରେ ପଢ଼ି ସାମ୍ୱାଦିକ ଦେବୀ ବାବୁ ସେଇ Date line ଦେଇ ତାଙ୍କର କାଗଜ ପ୍ରଗତିବାଦୀ ଦୈନିକରେ ୧୯/୮/୮୪ ରବିବାର ଦିନ ପ୍ରକାଶ କରାଇଲେ । ନିଜକୁ ପ୍ରଗତିବାଦୀର ସ୍ୱତନ୍ତ୍ର ପ୍ରତିନିଧି କଲେ । ସେ ସମାଜର ରିପୋଟ ପଢ଼ି ବିରକ୍ତ ଯେ ତଥ୍ୟକୁ ସମାଜରେ ଛପାଇ ଦିଆଗଲା ।

 

ପ୍ରଗତିବାଦୀ ଭୁବନେଶ୍ୱର—୨

 

ସମ୍ୱାଦ ୧୮/୮/୮୪ ପ୍ରକାଶ ୧୯/୮/୮୪

 

କଟକ ୧୮/୮—ଗତ ଚଉଦ ତାରିଖ ଦିନ ମଙ୍ଗଳାବାଗସ୍ଥିତ ଶ୍ରୀ ହିମାଶୁଂ ମୋହନ ପଟ୍ଟନାୟକଙ୍କର ଏକମାତ୍ର ବୋହୂ ଶ୍ରୀମତୀ ଅମିତାଙ୍କର ରହସ୍ୟଜନକ ଭାବେ ପୋଡ଼ି ହୋଇ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଅମିତାଙ୍କର ବୟସ ମାତ୍ର ୨୩ ବର୍ଷ ଅଟେ । ସେ ଗତ ଅପ୍ରେଲମାସ ବାଇଶି ତାରିଖରେ ବିବାହ କରିଥିଲେ ।

Unknown

 

ତାଙ୍କର ଶାଶୁ ଶ୍ରୀମତୀ ପୂଣ୍ୟପ୍ରଭା ପଟ୍ଟନାୟକ ଜଣେ ଉଚ୍ଚ ଶିକ୍ଷିତା ଅଟନ୍ତି ଏବଂ ଏକମାତ୍ର ନଣନ୍ଦ କୁମାରୀ ନନ୍ଦିନୀ ପଟ୍ଟନାୟକ ରେଭେନ୍‌ସା କଲେଜର ଶେଷ ବର୍ଷ ଇଂରାଜୀ ଛାତ୍ରୀ ଅଟନ୍ତି ।

 

ଅମିତାଙ୍କର ସ୍ୱାମୀ ଶ୍ରୀ ଶୁଭେନ୍ଦୁ ପଟ୍ଟନାୟକ ଦିଲ୍ଲୀରେ ଏନ. ଟି. ପି. ସି.ରେ ସିନିଅର ଇଞ୍ଜିନିୟର ଅଛନ୍ତି । ବିବାହ ପରେ ପରେ ଅମିତା ସ୍ୱାମୀଙ୍କ ସହ ଦିଲ୍ଲୀରେ ଥିଲେ ଏବଂ ଗତ ଜୁଲାଇ କୋଡ଼ିଏ ତାରିଖ ଦିନ ସେ କଟକ ନିଜ ଶଶୁରଘରକୁ ଫେରି ଆସିଥିଲେ ।

 

ସ୍ୱାମୀ ତାଙ୍କୁ ଛାଡ଼ି ଦେଇ ତେଇଶି ତାରିଖ ଦିନ ଦିଲ୍ଲୀ ଚାଲି ଯାଇଥିଲେ । ଅମିତା (ଡାକ ନାମ ମାମି) ଯେପରି ହେଲେ ବି. ଏ. ପାସ କରିବ ଏବଂ ସମ୍ଭ୍ରାନ୍ତ ବଂଶର ଚଳନୀକୁ ଶିଖିବାକୁ ତାଙ୍କୁ କଟକରେ ଛାଡ଼ିଦବା ପାଇଁ ଶାଶୁ ନିଜ ପୁଅ ପାଖକୁ ଜଣାଇ ଥିବାରୁ ସ୍ୱାମୀ ଶୁଭେନ୍ଦୁ ତାକୁ ଆଣି କଟକରେ ନିଜ ମାଆଙ୍କ ପାଖରେ ଛାଡ଼ି ଦେଇ ଯାଇଥିଲେ ।

 

ଗତ ଚଉଦ ତାରିଖ ଦିନ ଦୁଇଟାରୁ ସାଢ଼େ ଦୁଇଟା ମଧ୍ୟରେ ଅମିତାଙ୍କୁ ତାଙ୍କ ବାସଭବନ ଉପର ମହଲାର ପାହାଚ ପାଖରେ ସଂପୂର୍ଣ୍ଣ ଦଗ୍‌ଧୀଭୂତ ଅବସ୍ଥାରେ ପଡ଼ୋଶୀ ଘରର ଲୋକମାନେ ଉଦ୍ଧାର କରିଥିଲେ ।

 

ଘଟଣାରୁ ଜଣାପଡ଼ିଛି ଯେ ସେହି ସମୟରେ ଉପର ମହଲାର ସ୍କାଇଲାଇଟ ବାଟେ ଧୂଆଁ ବାହାରୁଥିବାର ଦେଖି ଶ୍ରୀ ଶିବପ୍ରସାଦ ସାହୁ ନାମକ ଜଣେ ବ୍ୟବସାୟୀ ତାଙ୍କର ବାସଭବନ ଭିତରକୁ ପଶିଗଲାବେଳକୁ ଅମିତାର ଶାଶୁଙ୍କୁ ଉପର ଘରର ପାହାଚ ଉପରୁ ଦୌଡ଼ି ଆସୁଥିବାର ଦେଖିଥିଲେ ।

 

ଶିବ ସାହୁ ଉପର ଘର ଅଭିମୁଖେ ଗଲାବେଳକୁ ପାହାଚ ଉପରେ ଅମିତାକୁ ସଂପୂର୍ଣ୍ଣ ଦଗ୍‌ଧୀଭୂତ ଅବସ୍ଥାରେ ଦେଖି ଦୌଡ଼ିଯାଇ ସାହିର ଅନ୍ୟାନ୍ୟ ଲୋକମାନଙ୍କୁ ଡାକିଥିଲେ ।

 

ଅମିତା ସେତେବେଳେ ‘‘ମତେ ବଞ୍ଚାଅ’’ ବୋଲି ଚିତ୍କାର କରୁଥିଲେ । ମହେନ୍ଦ୍ର ବେହେରା ଏବଂ ଅନ୍ୟ କେତେ ଜଣ ଶିବ ସାହୁଙ୍କ ସହିତ ଅମିତାଙ୍କର ପୂର୍ଣ୍ଣ ଦଗ୍‌ଧୀଭୂତ ଶରୀରକୁ ଆଣି ତଳ ଘରେ ଏକ ଗଦି ଉପରେ ରଖିଥିଲେ ଏବଂ ପରେ ପରେ ଆମ୍ୱୁଲାନସ୍‌ରେ କଟକ ହସପିଟାଲ କାଜୁଆଲଟିରେ ଭର୍ତ୍ତି କରିଥିଲେ ।

 

ଅମିତା ଇଲେକଟ୍ରିକ୍ କରେଣ୍ଟ ଆଘାତରେ ଆହତ ହୋଇ କଟକ କାଜୁଆଲଟିରେ ଭର୍ତ୍ତି ହୋଇଛନ୍ତି ବୋଲି ତାଙ୍କର ପିତା ଶ୍ରୀ ବ୍ରଜବଲ୍ଲଭ ପଟ୍ଟନାୟକଙ୍କୁ ଜଣାଇ ଦିଆଗଲା । ସେ ଭୁବନେଶ୍ୱରରେ କୃଷିବିଭାଗରେ ଅଣ୍ଡର ସେକ୍ରେଟରୀ ପାହ୍ୟାରେ ଅଛନ୍ତି ।

 

ଅମିତାଙ୍କର ପିତା ସିଧାସଳଖ ଫୋନରେ ଏ ସମ୍ୱାଦ ପାଇ ନଥିବାରୁ ବ୍ୟସ୍ତ ହୋଇ କଟକର ପୁରୀଘାଟରେ ଥିବା ଅମିତାଙ୍କର ମାଉସୀ ଶାଶୁ ଶ୍ରୀମତୀ ବସନ୍ତ କୁମାରୀ ପଟ୍ଟନାୟକଙ୍କ ଘର ସହ ଫୋନ ଯୋଗାଯୋଗ କରିବାରୁ ଅମିତାଙ୍କର ନଣନ୍ଦ ନନ୍ଦିନୀ ଫୋନ ଧରିଥିଲେ ।

 

ଭାଉଜ ଏବଂ ତାଙ୍କର ମା ଉଭୟେ ଇଲେକଟ୍ରିକ କରେଣ୍ଟ ଆଘାତରେ ହସ୍‍ପିଟାଲରେ ଭର୍ତ୍ତି ହୋଇଛନ୍ତି ବୋଲି ନନ୍ଦିନୀ ଜଣାଇଥିଲେ । ଭାଉଜଙ୍କର ପ୍ରକୃତ ଅବସ୍ଥା କେମିତି ଅଛି ଏବଂ କେଉଁ ଅବସ୍ଥାରେ ଘଟଣା ଘଟିଲା ସେ ସମ୍ପର୍କରେ କିଛି କହି ନଥିଲେ।

 

ଅମିତାକୁ କାଜୁଆଲଟିରେ ଦିନ ତିନିଟାବେଳକୁ ଭର୍ତ୍ତି କରାଯାଇଥିଲା ଏବଂ ରାତି ଏଗାରଟା କୋଡ଼ିଏ ମିନିଟ୍ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।

 

ମୃତ୍ୟୁ ପୂର୍ବରୁ ଅମିତା ତାଙ୍କର ପିତା ଓ ଭାଇମାନଙ୍କର ବାରମ୍ୱାର ପ୍ରଶ୍ନ ଉପରେ ସେ ଭଲ ହୋଇଗଲେ ପରେ ତାଙ୍କୁ ଆଉ ଶଶୁର ଘରକୁ ନ ପଠାଇ ନିଜ ଘରକୁ ନେବାକୁ ବିକଳ ହୋଇ କହିଥିଲା ଏବଂ ଭଲ ହୋଇଗଲେ ସମସ୍ତ କଥା ଜଣାଇବ ବୋଲି କହିଥିଲା ।

 

ସଂପୂର୍ଣ୍ଣ ଦଗ୍‌ଧିଭୂତ ହୋଇ ଯାଇଥିଲେ ହେଁ ସେ ନିଜ ଘରର ସମସ୍ତ ବନ୍ଧୁବାନ୍ଧବଙ୍କୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଖୋଜିଥିଲା ।

 

ଏହି ସମୟରେ ସେ ଆଉରି ଅନେକ କଥା ତା’ର ଭାଇମାନଙ୍କ ଆଗରେ ମଧ୍ୟ କହିଛି–ଯାହାକି ତାର ପିତାମାତା ଏବଂ ବନ୍ଧୁବାନ୍ଧବ ମନରେ ସନ୍ଦେହ ସୃଷ୍ଟି କରିଛି ।

 

ଅମିତାଙ୍କର ଏପରି ମୁମୂର୍ଷୁ ଅବସ୍ଥାରେ ମୃତ୍ୟୁ ଘଟିଥିବାରୁ ଏବଂ ତାଙ୍କର ଶଶୁର କିମ୍ୱା ସମ୍ପର୍କୀୟମାନେ ମୃତ୍ୟୁର ସଠିକ ଖବର ଦେଇପାରି ନଥିବାରୁ ତାଙ୍କ ପିତା ଶ୍ରୀ ବ୍ରଜବଲ୍ଲଭ ପଟ୍ଟନାୟକ ଏହି ମୃତ୍ୟୁ ଉପରେ ସନ୍ଦେହ ପ୍ରକାଶ କରି ମଙ୍ଗଳାବାଗ ଥାନାରେ ଏକ ଏତାଲା ଦେଇଥିଲେ ।

 

ବିବାହ ସମୟରେ କୌଣସି ଯୌତୁକ ଦାବୀ ନ ଥିଲେ ମଧ୍ୟ ଅମିତାଙ୍କୁ ବାହାଘର ପରେ ବାପଘରର ଜିନିଷପତ୍ର, ଶାଢ଼ି ଓ ବେଭାର ନେଇ ତାଙ୍କ ଶାଶୁ ପୂଣ୍ୟପ୍ରଭାଙ୍କ ନିକଟରୁ ଅନେକ କଥା ଶୁଣିବାକୁ ପଡ଼ିଥିଲା ।

 

ନିଜ ଶାଶୁର ବ୍ୟବହାର ନେଇ ଅମିତା ନିଜ ସ୍ୱାମୀଙ୍କୁ କହିଥିଲେ ହେଁ ଏ ଦିଗରେ ସେ ବିଶେଷ ପ୍ରତିକାର କରିପାରି ନଥିଲେ । ଅମିତା ଏ ବିଷୟରେ ନିଜର ମାଆ ଓ ଭାଇମାନଙ୍କ ପାଖକୁ ମଧ୍ୟ ଲେଖିଥିଲା ।

 

ଅମିତା ସଂପୂର୍ଣ୍ଣ ପୋଡ଼ି ହୋଇଯାଇଥିଲା ବେଳେ ତା’ର ଶାଶୁଙ୍କର ହାତ ଦୁଇଟି ମଧ୍ୟ ପୋଡ଼ି ହୋଇ- ଯାଇଥିଲା ଏବଂ ତାଙ୍କୁ ଯନ୍ତ୍ରଣା ଉପଶମ ବଟିକା ଦିଆଯାଇ ପନ୍ଦର ତାରିଖ ପାଞ୍ଚଟା ପର୍ଯ୍ୟନ୍ତ ଶୁଆଇ ରଖାଯାଇଥିଲା ।

 

ଅମିତା ଚଉଦ ତାରିଖ ରାତି ଏଗାରଟା କୋଡ଼ିଏ ମିନିଟ୍‌ରେ ପ୍ରାଣତ୍ୟାଗ କରିଥିଲେ ହେଁ ପନ୍ଦର ତାରିଖ ସନ୍ଧ୍ୟା ପାଞ୍ଚଟା ସୁଦ୍ଧା ଶଶୁର ଘରଆଡ଼ୁ କୌଣସି ବନ୍ଧୁବାନ୍ଧବ ଆସି ନ ଥିଲେ ।

 

ଅମିତାଙ୍କ ସ୍ୱାମୀଙ୍କୁ ଦିଲ୍ଲୀ ଖବର ଦିଆଯିବାରୁ ସେ ଉକ୍ତଦିନ ପାଞ୍ଚଟା ସମୟରେ ଆସି ପହୁଞ୍ଚିଲେ ।

 

ଅମିତାଙ୍କର ମୃତ୍ୟୁ ଘଟଣା ସମ୍ପର୍କରେ ମଙ୍ଗଳାବାଗ ପୁଲିସ ତଦନ୍ତ ଚଳାଇଛନ୍ତି ।

 

ପୋଷ୍ଟମଟମ୍‌ ପରେ ପରେ ତାଙ୍କର ମୃତଦେହକୁ ଶଶୁର ଘରର କେହି ନେଉ ନଥିବାରୁ ତାହା ଦୀର୍ଘ ଦୁଇଘଣ୍ଟା ଧରି ବାହାର ଲନ୍‌ରେ ପଡ଼ି ରହିଥିଲା ବୋଲି ଅମିତାର ବଡ଼ ଭାଇ ଅଭିଯୋଗ କରିଥିଲେ ।

 

ଉକ୍ତଦିନ ରାତି ସାତଟା କୋଡ଼ିଏ ମିନିଟରେ କଟକରେ ଥିବା ବୈଦ୍ୟୁତିକ ଚୁଲାରେ ଶେଷ କ୍ରିୟା ସମ୍ପନ୍ନ କରାଯାଇଥିଲା ।

 

ଶେଷକୃତ୍ୟ ସମୟରେ ତା’ର ଶାଶୁ ନଣନ୍ଦ ମଧ୍ୟ ଉପସ୍ଥିତ ରହି ନ ଥିଲେ ।

 

ଅମିତାକୁ ହସ୍‍ପିଟାଲରେ ଭର୍ତ୍ତି କରିଥିଲାବେଳେ ତା’ର ହାତରେ କେବଳ ଦି’ପଟ ପ୍ଳାଷ୍ଟିକ୍ ଚୁଡ଼ି ଛଡ଼ା ଅନ୍ୟ କୌଣସି ସୁନା ଅଳଙ୍କାର ନ ଥିଲା ।

 

ମୋର ବୋହୂ ଅମିତାର ଭୁବନେଶ୍ୱର ଘରେ ଚହଳ ପଡ଼ିଗଲା । ସମାଜ କାଗଜ ସତକଥା ଲେଖିବାକୁ ସାହାସ କରୁ ନାହିଁ । ବାବୁ ଫକୀର ଚରଣ ଦାସ ଥିଲେ ଅନ୍ଧ କରଣ ସମାଜର ଆଖି ପରି । ସେ ଅବସର ନେବା ପରେ ସମାଜ ଅନୁଷ୍ଠାନ ପୂରାପୂରି ଗୋଟିଏ ସମ୍ପ୍ରଦାୟ ହାତକୁ ଚାଲି ଯାଉଛି । ତେଣୁ ନ୍ୟାୟ ଦେଇ ପାରିବ ନାହିଁ ।

 

ନିଜ କଥା ଗ୍ରହଣୀୟ ନ ହେଲେ ଆମେ ସମସ୍ତେ ଜାତି ଓ ପାଟକ ନିର୍ବିଶେଷରେ ଚିତ୍କାର କରୁ ଯେ ନ୍ୟାୟ ବିଚାର ଲୋପ ପାଇଗଲା ।

 

ସେକ୍ରେଟରିଏଟର ଜଣେ ଅଣ୍ଡର ସେକ୍ରେଟରୀ କରଣ ସମାଜରେ ଅର୍ଦ୍ଧରଥୀ କର୍ଣ୍ଣଙ୍କ ପରି । ତାଙ୍କର ଉପସ୍ଥିତି ଓ ତାଙ୍କର ସାମ୍ୱାଦିକ ପୁଅଙ୍କର ଲେଖା ସମାଜ ଗ୍ରହଣ କରି ପାରିନାହିଁ—ନିଶ୍ଚିତରେ ଉଦ୍ଦେଶ୍ୟମୂଳକ ଭାବରେ । କାରଣ ପୁଲିସ ଇତାଲାକୁ ବଳ ଦିଆଇ ନ ପାରିଲେ ନିଜର ସୁଇସାଇଡ଼ ହୋମିସାଇଡ଼ ଦୁର୍ବଳ ହୋଇଯାଉଛି ।

 

ଝିଅ ଯଦି ମଲା—ତେବେ ଶାଶୁ ନଣନ୍ଦ ଜେଲଖାନା ଦେଖନ୍ତୁ । ଶଶୁର ଓ ଜୋଇଁଙ୍କର କପାଳ ଭଲ ଯେ ଘଟଣା ବେଳେ କଟକରେ ଓ ଘରେ ନ ଥିଲେ । ଥିଲେ ଜାଣିଥାନ୍ତେ ଯେ ମଢ଼ ବୁହାଳୀଙ୍କୁ ହିନ୍ଦିଓ୍ୱାଲେ ଯେଉଁ ଆର୍ଥୀ ବୋଲି କହିଥାନ୍ତି । ସେତକ ପୂରଣ ହେଇଥାନ୍ତା ।

 

ନ ଥାନ୍ତୁ । ଆଜି ନ ଥିଲେ କାଲି ଆସିବେ । ଆଜି ନିର୍ଦ୍ଦୋଷ ମନେ ହେଉଥିଲେ କାଲି ଦୋଷୀ ହୋଇପାରିବେ । ସତ ଓ ଅନୁମାନ ଭିତରେ ପ୍ରଭେଦ ଆସିବ ଅଭିଯୋଗପତ୍ରରୁ ।

 

ଅନ୍ୟ ସବୁ କାଗଜ କରଣମାନଙ୍କର । ଖାଲି ଦିନଲିପି ଓ ମାତୃଭୂମି ବ୍ରାହ୍ମଣମାନଙ୍କ ହାତରେ । କିନ୍ତୁ ଦିନଲିପି କାଗଜଠାରୁ ପ୍ରଗତିବାଦୀ ଦୈନିକ ଅଧିକ ଗୁରୁତ୍ୱପୂର୍ଣ୍ଣ । ମାହାନ୍ତିମାନଙ୍କୁ ବିଶ୍ୱାସ ନାହିଁ । ମାହାନ୍ତି ମଧ୍ୟ ମାହାନ୍ତିକୁ ସାବଧାନ ଥାଏ ।

 

ସେଥିପାଇଁ ପ୍ରଗତିବାଦୀର ସ୍ଥାନ ପ୍ରଥମ ହେଲା । ଏଥିରେ ରହିଲା ପ୍ରଥମ ଅଭିଯୋଗ ପତ୍ର । କ’ଣ ପାଇଁ ଝିଅ ତାହାର ଶଶୁର ଘରକୁ ଆସିଲା ।

 

ସେଇଠୁ ବାହାରିଲା ଶତକରା ନବେ ପରସେଣ୍ଟ ଦଗ୍‌ଧୀଭୂତ ରୋଗୀ ଡାକ୍ତରଖାନା ଆଡମିସନର ଛଅଘଣ୍ଟା ପରେ ମୃତ୍ୟୁର ଦୁଇଘଣ୍ଟା ଆଗରୁ କ୍ଳେଶ ଓ ଯନ୍ତ୍ରଣା ନିବାରକ ଔଷଧ ଓ ଇଞ୍ଜେକସନ ମଧ୍ୟରେ ନିଜର ଶଶୁର ଘର ବିରୁଦ୍ଧରେ ଅଭିଯୋଗର ବିବରଣୀ ।

 

ଏତକ ଦରକାର ହେଲା ମଡର ଅଭିଯୋଗର ପୃଷ୍ଠପୋଷକତା କରିବା ପାଇଁ । ସେଥିରେ ଥିଲା ଯେ ଶାଶୁଘର ବୋହୂକୁ ହତ୍ୟା କରିବା ଆଗରୁ ତାହାର ଗହଣା ପତ୍ର ଖୋଲି ଦେଇଛନ୍ତି ।

 

ତଥାପି କହିବାକୁ ହେବ ଯେ ଯୀଶୁବାବୁ ଓରଫ ଦେବୀବାବୁଙ୍କର କିଛିଟା ହିତାହିତ ବିଚାର ଅଛି । ପ୍ରଧାନ କଥା ହେଲା ଅଣ୍ଡର ସେକ୍ରେଟରୀଙ୍କର ଝିଅ । ଖାଲି ଛାଡ଼ିଗଲେ ପଦେ ଯେ ସାହାବଙ୍କର ବଡ଼ ପୁଅକୁ ବତିଶ ବର୍ଷ କିନ୍ତୁ ସାହାବଙ୍କର ଚାକିରିକୁ ବୟସ ପଚିଶି ବର୍ଷ । ଚାକିରି ଓ ଅମିତା ସମାନ ପାହାଚରେ ।

 

ବାହାଘରର ଚାରିମାସ ପୂରିବା ଆଗରୁ କେବଳ କରଣ ସମାଜରେ ସମ୍ୱନ୍ଧୀ ତାହାର ସମନ୍ଧୁଣୀଙ୍କୁ ଓ ଝିଅର ନଣନ୍ଦକୁ ମଡର କେସରେ ପକାଇବାକୁ ଉଚିତ ମନେ କରେ ।

 

ବିନା ଯୌତୁକ ବିବାହର ପରିଣତି କରଣ ଘରେ ଏହି ପ୍ରକାରର ହୁଏ । କିନ୍ତୁ ଦୁର୍ଦ୍ଦଶାଗ୍ରସ୍ତ ଝିଅକୁ ଦେଖିବାକୁ ନିଜର ଜନ୍ମକଲା ମାଆ କୋଡ଼ିଏ କିଲୋମିଟର ପକ୍‌କା ରାସ୍ତା ଚବିଶ ଘଣ୍ଟା ଭିତରେ ବି ଅତିକ୍ରମ କରିପାରେ ନାହିଁ । ଇଏ ହେଉଛି ମୂଲ୍ୟବୋଧ ।

 

ଶେଷରେ ତଥାକଥିତ ଯୌତୁକ ପହୁଞ୍ଚିଗଲା । କାରଣ ମୃତ୍ୟୁ ଓ ଯୌତୁକ ମିଶିଲେ ସମାସ ହୋଇ ଡାଓରୀ ଡେଥ୍ ହୋଇଯାଏ । ଡାଓରୀ ଡେଥ୍ ଆଂଶିକ ପ୍ରମାଣ ହେଲେ ଡାଓରୀ ଧରିଥିବା ଶାଶୁ ଅନ୍ତତ କଟକ ଦରଘାବଜାର ଜେଲଖାନା ଦେଖିବ। ଆଉ ତାକୁ ଦେଖାଇବା ମଧ୍ୟ ଦରକାର ।

 

ଏଇ ଡାଓରୀ ଡେଥ୍ ଓଡ଼ିଆ କାଗଜ ଗ୍ରହଣ କଲେ ନାହିଁ ବୋଲି ଅଗଷ୍ଟ ଅଣତିରିଶିର ଟାଇମ୍‌ସ ଅଫ୍ ଇଣ୍ଡିଆରେ ଡାଓରୀ ଡେଥ୍‌ ହୋଇଗଲା; କାରଣ ସାମ୍ୱାଦିକ କଲିକତାବାସୀ ହୋଇଥିବାରୁ ଓ ସମକାଳୀନ ବ୍ୟକ୍ତି ବିଶେଷଙ୍କ ବିଷୟରେ ଅବହିତ ହୋଇପାରି ନଥିଲେ ।

 

ଏଇ ଯୌତୁକ ବା ଡାଉରୀ ଆଜି ବିଭିନ୍ନ ସଂପ୍ରଦାୟର ସମସ୍ୟା । ଏଥିରେ ମିଛ ଓ ସତ ଏପରି ଭାବରେ ମିଶେ ଯେ କଥାଟା ଝଟଝଟିଆ ପାହନ୍ତା ପରି ହୋଇଯାଏ ।

 

ମୋର ମାମୁଁଘର ଏରସମାର ନିକଟ ଧୂଆଁସାହିରେ ମୋର ଗୋଟାଏ ସମ୍ପର୍କୀୟ ମାମୁଁଘର । ମୋର ମାମୁଁ ଝିଅ ଭଉଣୀ ହେଲେ ଶ୍ରୀ ନିଶାମଣି ଖୁଣ୍ଟିଆଙ୍କ ଶାଶୁ ।

 

ତାଙ୍କର ମଧ୍ୟ ଏହି ଯୌତୁକ ଅତି ବେଶି ହେଲା ବୋଲି ମତେ ବିଶିଷ୍ଟ କରଣ ସାମନ୍ତ ପ୍ରତିଷ୍ଠିତ ଆଡଭୋକେଟ୍ ଶ୍ରୀ ଅମିତାଭ ମହାପାତ୍ର କହିଥିଲେ ।

 

ମୁଁ ଜାଣେ ଯେ ମୋର ଜୋଇଁ ଖୁଣ୍ଟିଆବାବୁ ଯୌତୁକ ଦେଇ ନାହାନ୍ତି । ତାଙ୍କର ସମ୍ୱନ୍ଧୀ ମଧ୍ୟ ଯୌତୁକ ଦାବୀ କରି ନାହାନ୍ତି । ଜିନିଷପତ୍ର କିଛି ନିଜଘରକୁ ଆଣି ନାହାନ୍ତି । ସେଥିପାଇଁ ମୁଁ ଅମିତାଭବାବୁଙ୍କୁ ପ୍ରତିବାଦ ଜଣାଇଥିଲି ।

 

କିନ୍ତୁ ଅମିତାଭବାବୁ ମତେ ବୁଝାଇଦେଲେ ଯେ ଖୁଣ୍ଟିଆବାବୁ କଟକରେ ଜମି କିଣିବା ପାଇଁ ତାଙ୍କର ସମୁଧିଙ୍କୁ ଚାଳିଶି ହଜାର ଟଙ୍କା ଦେଇଥିଲେ । ଆଉ ଝିଅ ଯେଉଁ ଆଠଦିନ ଖୁଣ୍ଟିଆବାବୁଙ୍କ ଘର ଛାଡ଼ି ଶଶୁର ଘରକୁ ଆସିଥିଲେ ସେଥି ମଧ୍ୟରେ ସବୁ ପ୍ରକାରର ଯୌତୁକ ପଦାର୍ଥ ବୁହା ହୋଇ ଆସିଥିଲା ଓ କଟକରୁ ଗାଏବ ହୋଇଯାଇଛି ।

 

ଇଏ ହେଲା କରଣଘରର ସତ କହିବାର ପ୍ରଣାଳୀ । ଏହାକୁ କହିବା ଲୋକ ଅଛନ୍ତି । ଏହି ଏକସପର୍ଟ ସତ କଥାକୁ ସତ ବୋଲି ବୁଝିବା ପାଇଁ ଅନେକ ବିଚକ୍ଷଣ ଲୋକ ଅଛନ୍ତି । ତେଣୁ ଯୌତୁକ ନ ନେଇ ବାହାଘର କଲେ ମଧ୍ୟ ଲୋକମତ ତା’କୁ ଗ୍ରହଣ କରିପାରେ ଓ ନ କରିପାରେ ।

 

ମୋର ବୋହୂ ଅମିତାର ସମସ୍ୟାକୁ ଜଟିଳ କରିଥିଲେ ଅମିତା ଘରର ଲୋକେ ।

 

ସାବିତ୍ରୀ ଉଆଁସ ମଇ ତିରିଶ । ବାହାଘର ପରେ ପ୍ରଥମ ବେଭାର ନେଇ କଟକ ମଙ୍ଗଳାବାଗକୁ ନିଜେ ସାମ୍ୱାଦିକ ଯୀଶୁ ଭାଇ ଓ ବାପି ଭାଇ ଆସିଲେ । ଆଣିଥିଲେ ପାଚିଲା କଦଳୀ ଦୁଇଫେଣା, ବଡ଼ ପଣସ ଗୋଟିଏ, ବାଇଗଣ ପୋଲେଇ ଆମ୍ୱ ବାରଟା, ଦେଶୀ ଖଜୁରୀ କୋଳି ଆଠଟା, ଶୁଖିଲା କଟା ତାଳ ଚାରିଟା, ନଡ଼ିଆ ଦୁଇ, ଗୋଟାମୁଗ ପ୍ରାୟ ଦେଢ଼କିଲୋ, କେନ୍ଦୁ ଚାରିଟା ଓ ସପୁରୀ ଗୋଟିଏ ।

 

ସେତେବେଳକୁ ଅମିତା ଓ ତାହାର ସ୍ୱାମୀ ଦୁଇସପ୍ତାହ ହେଲା ଦିଲ୍ଲୀ ଗଲେଣି । ଶାଶୁ ପୂଣ୍ୟପ୍ରଭା ଦେବୀ ଯୀଶୁ ବାବୁଙ୍କୁ କହିଲେ ଯେ ତାଙ୍କର କାହି ଚାକର ନାହାନ୍ତି । ଏସବୁ ଜିନିଷକୁ ବାଣ୍ଟିବାକୁ ଅସୁବିଧା । ଏଣେ ଝିଅ ଦିଲ୍ଲୀରେ । ଏହି କାରଣରୁ ଏସବୁ ବେଭାର କଟକରୁ ନ ପଠାଇ ବୋହୂ ପାଖକୁ ଟଙ୍କା ମନିଅଡ଼ର କଲେ ସୁବିଧା ହେବ ।

 

ସେତେବେଳେ ଯୀଶୁବାବୁ ବାନର ବସ ଉପରେ କହିବାକୁ ଆରମ୍ଭ କଲେଣି । ବସ୍‍ ରେ ଭିଡ଼ ବହୁତ । ଫଳ ବ୍ୟାଗରେ କିଏ କ’ଣ ଲଦି ଦେବା ଯୋଗୁଁ ଅଧେ ଆମ୍ୱ ଚକଟି ହୋଇଯାଇଛି ଓ ଆଣିଥିବା ପଚାଶଟା ପାନ ହଜିଗଲା । ଯୀଶୁବାବୁ ଯାଇ ମଙ୍ଗଳାବାଗରୁ ପାନ ଓ ଗୁଆ କିଣି ଆଣିବେ । ତରବରରେ ଗୁଆ ରହିଯାଇଛି ଭୁବନେଶ୍ୱରରେ ।

 

ପୂଣ୍ୟପ୍ରଭା ଦେବୀ କହିଥିଲେ ଯେ ମଙ୍ଗଳାବାଗରେ କେହି ପାନ ଖାଆନ୍ତି ନାହିଁ । ତେଣୁ ପାନଗୁଆ ନଷ୍ଟ ହୋଇଯିବ ।

 

ଏଇ ହେଉଛି ପ୍ରଥମ ଓ ଶେଷ ବେଭାର । ରଜସଂକ୍ରାନ୍ତି ଓ ଗହ୍ମା-ପୂର୍ଣ୍ଣିମାକୁ ନଗଦ ଟଙ୍କା ବେଭାର ଦେଇଥିଲେ । ରଜକୁ ଅମିତା ଦିଲ୍ଲୀରେ । ଗହ୍ମାକୁ ଅମିତାର ଶେଷ ଯାତ୍ରା ଶହେ ଘଣ୍ଟା ବି ବାକି ନଥିଲା ତାହାହେଲେ କେଉଁ ବେଭାର ପାଇଁ କିଏ ବୋହୂ ଅମତାକୁ ବା ବୋହୂର ଭାଇ ଦେବୀବାବୁଙ୍କୁ କେତେବେଳେ କ’ଣ କହିଥିବା ସମ୍ଭବ ?

 

ଦେବୀବାବୁ ଜଣେ ସମ୍ୱାଦିକ । ବେଶ୍ ତତ୍ପରତା ସହିତ ନିଜକୁ ପ୍ରକାଶ କରାଇ ଭଉଣୀ ଅମିତାର ମୃତ୍ୟୁ ବିଷୟରେ ସେ ବିଭିନ୍ନ ସଚିତ୍ର ବିବରଣୀ ପ୍ରକାଶ କରାଇଛନ୍ତି । ସେଗୁଡ଼ିକ ହେଲା–

 

ଅମିତାର ମୃତ୍ୟୁ ୧୪/୮/୮୪

 

ସମାଜ (କଟକ) ୧୮/୮/୮୪ ପୃ ୭

 

ପ୍ରଗତିବାଦୀ (ଭୁବନେଶ୍ୱର) ୧୯/୮/୮୪ ପୃ ୪

 

ପ୍ରଜାତନ୍ତ୍ର (କଟକ) ୨୧/୮/୮୪ ପୃ ୮

 

ମାତୃଭୂମି କଟକ ୨୧/୮/୮୪ ପୃ ୪

 

ଦିନଲିପି (ଭୁବନେଶ୍ୱର) ୨୨/୮/୮୪ ପୃ ୩

 

Times of India (ଦିଲ୍ଲୀ) ୨୯/୮/୮୪ ପୃ ୪

 

ରାଷ୍ଟ୍ରଦୀପ (କଟକ) ୩/୯/୮୪ ପୃ୧୦/୨/୯

 

ଏଜନ୍ ପୁଲିସ୍ ଡି. ଆଇ. ଜି ୩/୯/୮୪ ପୃ ୧୦

 

* ଟିଉଜଡେ ଭୁବନେଶ୍ୱର ୪/୯/୮୪ ପୃ ୧

 

ଧରିତ୍ରୀ ଭୁବନେଶ୍ୱର ୧୯/୮/୮୪ ପୃ ୩

 

ଖବର କାଗଜ, ଭୁବନେଶ୍ୱର ୧୦/୯/୮୪ ସମ୍ପାଦକୀୟ

 

Telegraph (କଲିକତା) ୨୦/୯/୮୪ ପୃ ୭

 

ସତକଥା (ମାସିକ) କଟକ ୧/୧୦/୮୪

 

ସନ୍ଦେଶ (ମାସିକ) ୧/୧୦/୮୪

 

ସୂଚନା (ମାସିକ) ଭୁବନେଶ୍ୱର ୧/୧୦/୮୪

 

ଏହାଛଡ଼ା ଷ୍ଟେଟସମାନ, ସ୍ୱରାଜ୍ୟ ଆଦି ଅନେକ କାଗଜ ରହିଛି ।

 

ପ୍ରତ୍ୟେକରେ ନୂତନ ନୂତନ ବିଷୟର ଅବତାରଣା ହୋଇଛି । ତେଣୁ କରଣ ଝିଅକୁ ବିବାହ ହେଉଥିବା ପ୍ରତ୍ୟେକ ପରିବାର ଏହି ସମସ୍ତ ସମ୍ୱାଦ, ବିବରଣୀ, ସମୀକ୍ଷା ଓ ଆଭିମୁଖ୍ୟ ଜାଣିଥିବା ଆବଶ୍ୟକ । କାରଣ କରଣ ସମାଜ ବର୍ତ୍ତମାନ ଏଇ ଅମିତାର ମୃତ୍ୟୁ ଘଟଣାରେ ନୂତନ ଦିଗନ୍ତ ଦେଖାଇଛି ।

 

ଅମିତା ଦିଲ୍ଲୀ ଯିବା ଆଗରୁ ମୋର ଦୁଇଟି ଭଣଜାଙ୍କର ବାହାଘର ପକ୍‌କା ହେଇଥାଏ-। ଦୁଇଟି ଯାକ ବୋହୂ ଏମ. ଏ. ପାସ କରିଛନ୍ତି ।

 

ସେ କଥା ଶୁଣି ବୋହୂ ଅମିତା ଉଛୁଳା କାନ୍ଦି କାନ୍ଦି ବସିଲା ବହୁତ ସମୟ । ତାହାର ଅଭିଯୋଗ ଯେ ଏମାନେ ଏମ. ଏ. କାହିଁକି ବାହା ହେଉଛନ୍ତି ।

 

ଆମର ବଳ କ’ଣ ? ତାଙ୍କ ଘରେ ତାଙ୍କ କଥା । ଆମେ ପଢ଼ି ବି. ଏ. ଓ. ଏମ. ଏ. ପାସ କରିଯିବା । ତାଙ୍କର ଏମ. ଏ. ବୋହୂ ସାଙ୍ଗରେ ଆମର କ’ଣ ଅଛି ।

 

ଯୀଶୁବାବୁ ମଧ୍ୟ ସାବିତ୍ରୀ ଅମାବାସ୍ୟା ଦିନ ଏଇ ସମାଧାନରେ ସହମତ ହେଲେ । କିନ୍ତୁ ରହିଗଲା ଟିକିଏ ଗୁରୁତର ମିଛ ।

 

ଅମିତା ପିଲାଦିନରୁ କିଛି ପଢ଼ି ନାହିଁ । କେମିତି କେମିତି ସେ ଜାଲ ବା ଅସଲ ସାଠିଫିକେଟ ବଳରେ ଏଚ. ଏସ. ସି. କୁ କମ୍ପାଟମେଣ୍ଟାଲରେ ଓ ଆଇ. ଏ. ପାସ କରିଛି ।

 

ତାହାର ପରୀକ୍ଷା ଫଳକୁ ନେଇ ଆଉଥରେ ଖୋଳ ତାଡ଼ କରାଇଲେ ଅମିତାର ମୁରବୀମାନେ ନିଜର କାର୍ଯ୍ୟପନ୍ଥା ଓ କର୍ମପ୍ରଣାଳୀ ବୁଝି ପାରିବେ ।

 

ଆଉ ମଧ୍ୟ ଜାଣିଯିବେ ଯେ ଏମିତି ଶିକ୍ଷାହୀନତା ଭିତରେ କୌଶଳକ୍ରମେ ସାଠିଫିକେଟ୍ ଯୋଗାଡ଼ କରି ଝିଅକୁ ଦିଲ୍ଲୀ ସମାଜକୁ ପଠାଇ ଦେଲେ ସେ ବୋଧହୁଏ ଅପମାନର ଭାର ସହି ନ ପାରି ଆତ୍ମାହୁତି ଖୋଜିବ ।

 

ମୋର ସମୁଧି ଅଣ୍ଡର ସେକ୍ରେଟରୀ ସାହେବଙ୍କୁ ମୋର ଅନୁରୋଧ ଯେ ଥରେ ପଶ୍ଚାତ୍ ବିଚାରରେ ଅମିତାର ଫଳାଫଳର ସମୀକ୍ଷା କରାଗଲେ ସେ ଅମିତାର ମୃତ୍ୟୁ ପାଇଁ କିଏ ଦାୟୀ ବୁଝି ପାରିବେ ।

 

ଶ୍ରୀଯୁକ୍ତ ପ୍ରତାପଚନ୍ଦ୍ର ଦେବ, ଆଡଭୋକେଟ (ରାଷ୍ଟ୍ରଦୀପ) ଶ୍ରୀ ଭକ୍ତକିଶୋର ବଳ (ପ୍ରଗତିବାଦୀ) ଶ୍ରୀ ଗୁରୁକଲ୍ୟାଣ ମହାପାତ୍ର (ପ୍ରଜାତନ୍ତ୍ର) ଶ୍ରୀ ବନବିହାରୀ ମହାନ୍ତି (ପ୍ରଜାତନ୍ତ୍ର) ଓ ଉତ୍କଳ ମହିଳା ସମିତିର କେତେକ ସଭ୍ୟା ମୋର ବୋହୂ ଅମିତାର ଇଂରାଜୀ ଜ୍ଞାନ ଏଚ. ଏସ. ସିର ପାସ୍‍ ଅବସ୍ଥାରେ ମଧ୍ୟ ନ ଥିବାର ଦେଖିଛନ୍ତି । ମୋର ବୋହୂକୁ ଏହି ପ୍ରକାରର ଅବସ୍ଥାରେ ପକାଇବା ଅଣ୍ଡରସେକ୍ରେଟେରୀଙ୍କର ବିଚାରର ଭ୍ରମ ।

 

କେନ୍ଦୁଝର ଉଆସର ଘୋଡ଼ା ଦଉଡ଼ ପଡ଼ିଆରେ ଥରେ କେନ୍ଦୁଝର ରାଜା ତାଙ୍କର ଜଣେ ଘୋଡ଼ା ଚଢ଼ା ଜାଣି ନ ଥିବା ବାଲ୍ୟବନ୍ଧୁ ପାଢ଼ୀ ବାବୁଙ୍କୁ ଜବରଦସ୍ତି ବସାଇ ଘୋଡ଼ାକୁ ଛାଟେ ଦେଲେ ।

 

ଘୋଡ଼ା ଧାଇଁଲା । ରାଜା ସାହେବ ହସି ହସି ବେଦମ୍ । ବନ୍ଧୁଙ୍କୁ ଘୋଡ଼ା ପକାଇ ଦେଲା-। ବନ୍ଧୁଙ୍କର ଗୋଡ଼ ଦୁଇଟି ଭାଙ୍ଗିଗଲା । ସେ ଚିରଦିନକୁ ଅଥର୍ବ ହେଇଗଲେ ।

 

ସମସ୍ତେ ଆସି ରାଜାସାହେବଙ୍କ ପାଖରେ ଗୁହାରିଆ ହେଲେ । ରାଜା ତାଙ୍କର ବନ୍ଧୁଙ୍କର ଜୀବନ ସତ୍ତ୍ୱ ଖାଦ୍ୟ ବସ୍ତ୍ର ବ୍ୟବସ୍ଥା କରିଦେଲେ । ସେଇ ରାଜାଙ୍କର ବନ୍ଦୁ ପାଢ଼ୀବାବୁ ନିର୍ଦୋଷରେ ହୋଇଗଲେ ପଙ୍ଗୁ । ଆଉ ପଙ୍ଗୁ ହେବାର ଅଳ୍ପ ଦିନରେ ରାଜାଙ୍କର ରାଜ୍ୟ ଚାଲିଗଲା । ତେଣିକି ବଂଧୁ ହେଇଗଲେ ନିରିମାଖି ।

 

ଦୈବ ଚକ୍ର ବୁଲୁଛି । କେତେବର୍ଷ ପରେ ମଦ ନିଶାରେ ପାହାଚ ଝୁଣ୍ଟି ରାଜା ସାହେବ ହେଇଗଲେ ଛୋଟା । ଚିକିତ୍ସା ପାଇଁ ମଧ୍ୟ ପଇସା ମିଳିଲା ନାହିଁ । ପ୍ରିଭି ପର୍ସକୁ ଖାଇଯିବାକୁ ଚାରିଆଡ଼େ ଅସଂଖ୍ୟ ମାରାତ୍ମକ ଲୋକ ଭିଡ଼ କରିଥାନ୍ତି । ଛୋଟାର ଛୋଟା ଗୋଡ଼ କଥା ବୁଝିବ କିଏ ?

 

ମୋର ସମୁଧି ବ୍ରଜବାବୁ ଝିଅଟିକୁ ଏପରି ଶିକ୍ଷା ଦେଇଦେଲେ ଯେ ବିଚାରୀ ଦିଲ୍ଲୀରେ ସାଧାରଣ ଇଂରାଜୀ ଓ ସାଧାରଣ ହିନ୍ଦୀ ବୁଝିପାରିଲା ନାହିଁ । କହିବାର ପ୍ରଶ୍ନ ଆସିବ କୁଆଡ଼ୁ ?

 

ସେଥିରେ ପୁରୁଣା ଭୁଲକୁ ନ ଧରି ସାମାନ୍ୟରେ ଚଳନ ସହି ହିନ୍ଦୀ ଓ ଇଂରାଜୀ ବ୍ୟବସ୍ଥା କଲାବେଳକୁ ଶାଶୁ ପୂଣ୍ୟପ୍ରଭା ଦେବୀ ହେଇଗଲେ ରାକ୍ଷସୀ ଓ ଅମିତାର ହତ୍ୟାକାରୀ ।

 

ଏଇ ଅଭିଯୋଗ କରିପାରିଲେ ମୋର ସମୁଧି ବ୍ରଜବଲ୍ଲଭବାବୁଙ୍କର ପରିବାର । ଆଉ ସେତକ ମଧ୍ୟ ସାରା ଓଡ଼ିଶା ଓ ସାରା ଭାରତରେ ବିଛେଇ ଦେଇ ନିଜର କୀର୍ତ୍ତିବାନା ଉଡ଼ାଇଛନ୍ତି । ଏହିପରି ଲୋକଙ୍କୁ ସମାଜ ବିରୋଧି କୁହାଯାଇ ପାରିବ କି ? ନା, କରଣ ସମାଜରେ ନୁହେଁ ।

 

ଏଣେ ବୋହୂ ଅମିତାର ଦିଲ୍ଲୀରେ କାନ୍ଦ ଉଚ୍ଛାଳ । ତାକୁ ନିଆ ହେଉ ନାହିଁ ଶାଶୁ ପୂଣ୍ୟପ୍ରଭା ଦେବୀଙ୍କର ପୁତୁରାବୋହୂ ଘରକୁ । ସେ ମଧ୍ୟ ଦିଲ୍ଲୀରେ ଓ ଜଣେ ଇଞ୍ଜିନିୟର ।

 

ମୋର ସାନଭାଇ ବୀରବାବୁଙ୍କର ପୁଅ ଗୌତମବାବୁ ତାଙ୍କର ବର୍ଷେ ତଳେ ହୋଇଥିବା ବାହାଘରେ ଯେଉଁ ନଣନ୍ଦ ପୁଟୁଳି ପାଇଥିଲେ ତାହାର ମୂଲ୍ୟ ସହିତ ଭଉଣୀ ପୂଣ୍ୟପ୍ରଭା ଦେବୀଙ୍କର ପୁଅ ଶୁଭେନ୍ଦୁବାବୁଙ୍କର ବୋହୂର ଗହଣା ତୁଳନୀୟ କି ନୁହେଁ, ଅନ୍ୟମାନେ କହିବେ ।

 

ଗୌତମବାବୁଙ୍କର ସ୍ତ୍ରୀ ଇଂରେଜୀ ସ୍କୁଲରୁ ଆସିଥିଲେ, ଇଂରାଜୀ ଅଧ୍ୟାପନାରେ ଥିଲେ । ଚାକିରିରୁ ଇସ୍ତଫା ଦେଇ ଚାଲିଗଲେ ।

 

ଗୌତମ ବାବୁ ଓ ଶୁଭେନ୍ଦୁ ବାବୁ ସମସାମୟିକ ଓ ସେମାନଙ୍କର ବାପା ମାଆଙ୍କର ବିବାହ ଏକା ସପ୍ତାହରେ । ଏଣେ ମୋର ଭଣଜା ବୋହୂ ଅମିତା ମୁଁ ଯାଇଥିଲିକୁ କହୁଛି ଆଇ ଗୋଏଡ଼୍ ଅବା ଆଇ ଓ୍ୱାଜ୍‌ ଓ୍ୱେଣ୍ଟିଙ୍ଗ୍ ।

 

ଏହାକୁ ସୁଧାରିବାକୁ ଯାଇ ପୂଣ୍ୟପ୍ରଭା ଦେବୀ ପହୁଞ୍ଚି ଗଲେଣି ଜେଲ ସାମନାରେ । ଏମିତି ହୁଏ ଭାଗ୍ୟର ଥଟ୍ଟା ପହଳୀ । ୟେ ହେଉଛି ଆମର ସ୍କୁଲ, କଲେଜ, ପରୀକ୍ଷା ଓ ହାକିମଙ୍କର ହାକିମାତି ।

 

ଏଥିରେ ଦୋଷ ରହିଛି ପୂଣ୍ୟପ୍ରଭା ଦେବୀଙ୍କର । ଓଲମି ଲୋକ ନିଜକୁ ଭାରି ବୁଦ୍ଧିଆ ଭାବିଲେ ଏମିତି ଅଡ଼ୁଆ ବାହାରେ ।

 

କଟକର ଜଣେ କରଣ ଏସ. ଡ଼ି. ଓ ତାଙ୍କର ବୋହୂ ବାଛିଲାବେଳେ ଟ୍ରାନ୍‌ସଲେସନ, ଗ୍ରାମାର, ସ୍ପିକିଙ୍ଗ, ରାଇଟିଂର ପରୀକ୍ଷା ନେଇସାରି ଧାଁ ଦଉଡ଼ ମଧ୍ୟ ଟେଷ୍ଟ କରିଥିଲେ ।

 

ସେତେବେଳେ କଟକରେ ଅନେକ ଲୋକ କହିଲେ—ସେ ପାଗଳ । ଏମିତି କ’ଣ ବୋହୂ ବାଛନ୍ତି ? ବ୍ରିଟିଶ ସରକାର ବେଳର ଏସ୍. ଡ଼ି. ଓ. । ପେନସନ ନେଇଗଲେ । କିନ୍ତୁ ଦକ୍ଷତା ଥିଲା ଏବେ ଥିବା ଆଇ. ଏ. ଏସ.ଙ୍କଠାରୁ ଅଧିକ ।

 

ସେଇ ବୋହୂଟି ଘର ସମ୍ଭାଳି ନେଇଛନ୍ତି ଓ ଯେ କୌଣସି ପରିସ୍ଥିତିକୁ ସମର୍ଥ ।

 

ପୂଣ୍ୟପ୍ରଭା ଦେବୀ ନିଜେ ପୂରା ଚାର୍ଜ ନେଇଗଲେ । ଶାଶୁ ଚଳେଇବ ବୋହୂକୁ । ତେଣୁ ଶଶୁରଙ୍କର କିଛି କହିବାର ନାହିଁ ।

 

ୟାଙ୍କର ଓଲାପଣ ଦେଖି ଅମିତାଙ୍କର ମା ମାଉସୀ ଘେରି ଯାଇ ପୂଣ୍ୟପ୍ରଭା ଦେବୀଙ୍କୁ ଓ ତାଙ୍କର ଝିଅ ନନ୍ଦିନୀ ଦେବୀଙ୍କୁ ଏପରି ଭାଷାରେ ପ୍ରଶଂସା ଓ ତାରିଫ୍ କଲେ ଯେ ଏମାନେ ଏମ୍. ଏ. ଝିଅ ଛାଡ଼ି କମ୍ପାଟମେଣ୍ଟାଲ ଆଇ .ଏ. ଧରିନେଲେ ।

 

ସେଇଠୁ ସମୁଧି ବ୍ରଜବଲ୍ଲଭବାବୁଙ୍କୁ ସମୁଦୁଣୀ ସାହାଯ୍ୟ କଲେ । ତାଙ୍କର ବଡ଼ ଜୋଇଁ ଆମେରିକା ଯିବେ । ତାଙ୍କୁ ବ୍ରଜବାବୁ ଦଶହଜାର ଟଙ୍କା ସାହାଯ୍ୟ କଲେ । ଜୋଇଁ ଚିତ୍ତବାବୁ ଓ ଝିଅ ଆମେରିକା ଯାଇ ପାରିଲେ ।

 

ଏଣେ ବ୍ରଜବାବୁ ଟଙ୍କା ଅଭାବରୁ ବ୍ରଞ୍ଜ ଚୁଡ଼ି ଓ ଲୁଗାବଦଳରେ ରଖିଥିବା ଷ୍ଟେନଲେସ ବାସନ ଆଦି ଦେଇ ଚାରିମାସ ପରେ ଅଭିଯୋଗ କରୁଛନ୍ତି ଯେ ଝିଅର ମରଣ ଡାଓରୀ ଡେଥ୍ ।

 

ଆଉ ଝିଅ ଅମିତାକୁ କୋଡ଼ିଏଦିନ ମଧ୍ୟରେ ଅତ୍ୟାଚାର କରି କରି ମନକୁ ଦୋହଲାଇ ନିଜର ପରପୁରୁଷ ପ୍ରୀତି ଢାଙ୍କିବାକୁ ନିଆଁରେ ପୋଡ଼ି ଦେଇଛନ୍ତି । ଶାଶୁ ଓ ନଣନ୍ଦଙ୍କୁ ଜେଲ୍ ଦେବା ଦରକାର ।

 

ପୂଣ୍ୟପ୍ରଭା ଦେବୀ ଜଣେ ଓଲୁ କିସମର । ସେ ଏକା ନୁହନ୍ତି । ତାଙ୍କର ବାପଘରର ପ୍ରାୟ ସମସ୍ତେ ଓଲୁ । ତେଣୁ ପରସ୍ପର ମଧ୍ୟରେ ସୋହାର୍ଦ୍ୟ ରହିପାରେ ନାହିଁ ।

 

ଆଉ ଓଲାମି ସାଙ୍ଗରେ ଆଉ ଗୋଟିଏ ସାଧାରଣ ଗୁଣ ମିଶିଥାଏ—ପ୍ରତ୍ୟେକ ଓଲା ଓ ଓଲିଭାବେ ଯେ ସେ ଭାରି ବୁଦ୍ଧିଆ ।

 

ତେଣୁ ତନ୍ତୀ ମହାଶୟ ନିଜକୁ ବୁଦ୍ଧିଆ ଭାବି ଗଛ ଉପରେ ଚଢ଼ି ଡାଳର ମୂଳକୁ ଛେଦିଲା ପରି ଏହି ପରିବାରଟି କେବଳ ବାକ୍ୟଦ୍ୱାରା ତାଙ୍କର ଠିଆ ହୋଇଥିବା ଡାଳ ଓ ଗଛକୁ କାଟିବାରେ ଲାଗିଯାନ୍ତି । ଏଥିରେ ବହୁତ ସମୟ କଟେ । ଆଉ ପ୍ରତ୍ୟେକ ନିଜକୁ ଅସଲି କର୍ମଯୋଗୀ ଓ ଜ୍ଞାନଯୋଗୀ ବୋଲି ଭାବନ୍ତି ।

 

ଏତିକିରେ ଶେଷ । ଜ୍ଞାନଯୋଗୀ ଭକ୍ତିଯୋଗୀ ହୁଏ ନାହିଁ । ଏମାନଙ୍କର ସିଦ୍ଧି ଆସିଛି । ପ୍ରାୟ ସମସ୍ତେ ତଦାତ୍ମୀୟତା ଅର୍ଥାତ୍ ମୁଁ ଯାହା, ସେମାନେ ମଧ୍ୟ ସେଇଆ—ଭଲ କରି ଆୟତ୍ତ କରିଛନ୍ତି ।

 

ଏବେ ବୋହୂ ମାମି ଓରଫ ଅମିତା ଓରଫ ଅମୃତା ମଲାନାହିଁ ଯେ ପୂରାପୂରି ଧର୍ମଶାସ୍ତ୍ରକୁ ଅକାମି କରି ଦେଇଗଲା । କାରଣ ତତ୍‌-ଆତ୍ମୀୟତା ତିଆରି କରିଦେଲା ଦଳେ ହତ୍ୟାକାରୀ । —ଯିଏ ଜାଣି ଜାଣି ମିଛରେ ହତ୍ୟାର ଅଭିଯୋଗ ପ୍ରଚାର କରାଇପାରନ୍ତି ।

 

ଏଣେ ମୋର ଭଣଜାବୋହୂ ବାପ ଘରେ ହସ ଭାଙ୍ଗି ପଡ଼ୁଥାଏ । ଏକା ଥରକେ ଝିଅର ଦୋଷକୁ ଢାଙ୍କି ଦେଇ ସୁନାରେ ଚାଲିବା ଭଳି ଗୋଟିଏ ଘରକୁ ପଠାଇ ଦେଇପାରିଲୁ ।

 

ଅମିତାର କଟକ ସନସାଇନ ପଡ଼ିଆ ମାଉସୀ କହିଥିଲେ—ଦେଖିବ ମାମୀ ତୁମ ଘରକୁ ଗଲେ ଘର ହସି ଉଠିବ । ପୁରୀର ମାଉସୀ ସେଇକଥା କହିଥିଲେ । ପୂଣ୍ୟପ୍ରଭା ଦେବୀ ନିଶ୍ଚିତ ହୋଇଗଲେ ଯେ ସେ ତାଙ୍କର ପରିଚିତ ସମାଜକୁ ଚମକାଇ ଦେବେ ।

 

ଘଟଣା ସ୍ରୋତରେ ସୂର୍ଯ୍ୟଙ୍କର ଗତି ଦକ୍ଷିଣ ପଥରୁ ବାହାରି ଉତ୍ତର ପଥରେ ପହୁଞ୍ଚି ଫେରିବା ଆଗରୁ କରଣ ସମାଜ ଚମକପ୍ରଦ ଲୋମହର୍ଷଣୀ କାହାଣୀଟି ପାଇଗଲା । ଶାଶୁ ପନ୍ଦର କୋଡ଼ିଏଦିନ ଭିତରେ ଖାଲି ଅତ୍ୟାଚାର ବଳରେ ବୋହୂକୁ ମାରି ଦେଇଛି ।

 

ସମସ୍ତେ ବିଶ୍ୱାସ ଗଲେ ।

 

ଓଡ଼ିଆ କୁଳପତି ଡକ୍ଟର ସଦାଶିବ ମିଶ୍ର କହିଲେ—ତୁମେ ଜାଣ ନାହିଁ ସେମାନଙ୍କୁ । ମୁଁ ଜଣେ । ସେମାନେ ମା ଓ ଝୁଅ ମିଶି ମଡର କରିଛନ୍ତି ।

 

ଓଡ଼ିଆ ଜଜ ଶ୍ରୀ ବିଜୟ କିଶୋର ରାୟ କହିଲେ—ତୁମେ ଜାଣ ନାହିଁ ସେମାନଙ୍କୁ । ସେମାନେ ମୋର ଝିଅର ବନ୍ଧୁଙ୍କର ବନ୍ଧୁ । ମା ଓ ଝୁଅ ମିଶି ମଡର କରିଛନ୍ତି । ....ପୁଲିସ କ’ଣ ତଦନ୍ତ କରୁଛି ? ମୁଁ ହେଇଥିଲେ ଆଠ ଦିନରେ ହାଜତରେ ପୂରେଇ ଦେଇଥାନ୍ତି ।

 

ଓଡ଼ିଆ ସମ୍ପାଦକ ଶ୍ରୀ ଦେବେନ୍ଦ୍ର ନାଥ ମହାନ୍ତି କହିଲେ—ତୁମେମାନେ ଜାଣ ନାହିଁ । ମୋର ଝିଅ ଓ ମାମିର ବଡ଼ ଭଉଣୀ ଏକାଠି ଆମେରିକା ଗଲେ । ସେମାନେ ଭିତର କଥା ସବୁ ଲେଖି ମତେ ଜଣାଇଛନ୍ତି । ମୁଁ ଜାଣେ ମା ଓ ଝିଅ ମିଶି ବୋହୂଟିକୁ ମାରି ଦେଇଛନ୍ତି । ପୁଲିସ ପାତର ଅନ୍ତର କରୁଛି । ମୋ’ ପାଖରେ ତଥ୍ୟ ଅଛି ।

 

ଓଡ଼ିଆ ଅଫିସର ଶ୍ରୀ ଧର୍ମାନନ୍ଦ ସ୍ଵାଇଁ ରେଭିନିଉ ବୋଡ ଅଫିସର କହିଲେ—ପୁଅଟା ମାଆ ବୋଲା । ମା ଓ ଝିଅ ମିଶି ମଡର କରି ଦେଇଛନ୍ତି ବୋଲି ଖବର କାଗଜ ଲେଖୁଛି । ପୁଅ ତ ବାଧା ଦେଲା ନାହିଁ ।

 

ଓଡ଼ିଆ ସାମ୍ୱାଦିକମାନେ ଏକମତ ହେଇଗଲେ ଯେ ଏଇଟା ଗୋଟିଏ ମଡର ।

 

ନିଜର ବନ୍ଧୁବାନ୍ଧବ ମଧ୍ୟ ବାରଅଣା ସ୍ଥିର ନିଶ୍ଚିତ ହେଇଗଲେ ଯେ ମଡର ନ ହେଲେ କେହି ଆପେ ଆପେ ପୋଡ଼ି ହୁଏ ନାହିଁ । ଆଧୁନିକ ସମାଜରେ ହତ୍ୟାକୁ ଆତ୍ମହତ୍ୟାର ରୂପଦେବାକୁ ଏହିପରି ସକ୍ରେଟିସଙ୍କୁ ବିଷ ଦିଆଗଲା ପରି । ରାଜପୁତ ଉଆସରେ ବୋହୂ ଓ ଝିଅମାନଙ୍କୁ ବିଷ ଦିଆଗଲା ପରି ଏଠି କଟକ ମଙ୍ଗଳବାଗର ତଥାକଥିତ ପାଠୁଆ ଲୋକେ ଖୁଦୁରିଆ ଅମିତାକୁ ପୋଡ଼ିହୋଇ ମରିବାକୁ ବାଧ୍ୟ କରିଛନ୍ତି । ଆଉ ସେ ପୋଡ଼ି ହେଇଗଲା ପରେ ଏମାନେ ଲୁଚି ଉଡ଼ାଜାହାଜରେ ଭୁବନେଶ୍ୱରରୁ କଲିକତା ଓ ଦିଲ୍ଲୀ ହେଇ ବିଲାତକୁ ପଳାଇ ଗଲେଣି ।

 

କଟକ ମଙ୍ଗଳାବାଗରୁ କଟକର ପୁରୀଘାଟ ବାପ ଘର । ସେଇଠୁ ସିଧା ଆଇନ ଫାଙ୍କି ଓ ବିଲାତ ଯାତ୍ରୀ ।

 

ଖବର କାଗଜ ହେଉଛି ସତ । ସେଇଟା ସତ କଥାର ପୁଲିସ । ଯାହା ଖବର କାଗଜରେ ବାହାରି ନାହିଁ—ତାକୁ ମିଛ କଥା ବୋଲି ଧରାଯାଏ ।

 

ଶ୍ରୀ ଶ୍ରୀ ରାମକୃଷ୍ଣ ପରମହଂସ ଦେବ ଦେଢ଼ବର୍ଷ ତଳେ କଲିକତା ଲୋକଙ୍କୁ ଏଇ ଖବର କାଗଜ ବିଷୟରେ କହିଥିଲେ । ଗୋଟିଏ ପୁରୁଣା ଘର ଭାଙ୍ଗି ପଡ଼ିଥିବା କଥା ପରମହଂସ କହିବାରେ ପାଠୁଆ ବଙ୍ଗାଳିବାବୁ ଆପତ୍ତି କଲେ—ଏଇଟା ଗୁଜବ୍ । ଖବର କାଗଜରେ ବାହାରି ନାହିଁ ତ ।

 

ଘରଟାକୁ ଦେଖାଇ ଦେଇ ପରମହଂସ କହିଲେ—ଖବର କାଗଜକୁ ନିଜର ମନଠାରୁ ବଡ଼ ବୋଲି ଭାବିବା ହେଉଛି ପାପ ।

 

କାହିଁ ଓଡ଼ିଶା—କାହିଁ ବଙ୍ଗଳା ।

 

କେଉଁଠି ଶ୍ରୀ ରାମକୃଷ୍ଣ—କେଉଁଠି ଅବା ଶ୍ରୀ ବାୟା ବାବା । ମଝିରେ ରହିଗଲା ଗୋଟିଏ ଶତାବ୍ଦୀରୁ ବେଶି ।

 

ଓଡ଼ିଆ ବାବୁଙ୍କ ବିରୁଦ୍ଧରେ ଅଭିଯୋଗ ଉଠିଲା ଯେ ତାଙ୍କର ଚରିତ୍ର ଖରାପ । ତାଙ୍କର ଝିଅ ବୋହୂଙ୍କ ପ୍ରତି ଦୃଷ୍ଟି ଖରାପ । ସେ ଝିଅମାନଙ୍କର ଗୋଡ଼ ଖସେଇ ଦେଇ ନିଜକୁ ସାଧୁ ବାବା ବୋଲାଉଛନ୍ତି ।

 

ଠିକ୍ ଅମିତା ମରଣର ମରଣୋତ୍ତର ପ୍ରଚାର ପରି ଗୋଡ଼ଖସା ଝିଅର ଘଟଣା ପରବର୍ତ୍ତୀ ପ୍ରଚାର ଆଜିକୁ ତିନି ଦଶନ୍ଧୀ ତଳେ ଶ୍ରୀକ୍ଷେତ୍ରକୁ କମ୍ପାଇ ଦେଲା । ଏଇ ଆଲୋଡ଼ନ ଏତେ ବେଶି ହେଲା ଯେ ନିଜେ ବାବା ଚାଲିଗଲେ ବୃନ୍ଦାବନ ।

 

ସେଠି ବାବା ରହିଲେ । ବାବାଙ୍କର ଶିଷ୍ୟ ରହିଲେ । ଝିଅ ରହିଲା । ସମସ୍ତେ ଯାଇଛନ୍ତି ପାତକ ନାଶ କରିବାକୁ ।

 

ସ୍ୱପ୍ନ ନା ସତ—ଏହାର ବିବରଣୀ ଦେବାକୁ କଟକ ଓ ପୁରୀ ଜିଲ୍ଲାରେ ଅନେକ କଳିଷଠା ଲୋକ ଅଛନ୍ତି । ସେମାନେ କହନ୍ତି ଯେ କରଣମାନେ ଯେଉଁଠି ବାବାଜୀ ବା ସାଧକ ଦେଖି ପକାଇବେ ଆଗ ପହୁଞ୍ଚି ତଦାତ୍ମିୟତା ଆରମ୍ଭ କରିଦେବେ । ....ସେଇଠୁ ଦେବେ ଦୋଷ ।

 

କ୍ରୋଧ ହେଲେ ମଣିଷ ଯେ କୌଣସି ଉପାୟରେ ଦୋଷକୁ ଲଦି ଦେଇପାରେ ।

 

ଦୋଷ ହେଉଛି କର୍ମର ମୂଳ—କର୍ମର ଚେର । ଦୋଷ ନ ଥିଲେ କର୍ମ ନାହିଁ । କର୍ମ ନ ଥିଲେ ଅପଯଶ ନାହିଁ । ଅପଯଶ ନ ହେଲେ ଯୋଗ ସାଧନା କ’ଣ ଦରକାର ? ଅଳ୍ପ ଜ୍ଞାନୀ ମିଥ୍ୟା ପ୍ରତ୍ୟୟକୁ ଧୃବ ସତ୍ୟ ବୋଲି ଧରିବ ।

 

ସେଇ ପୁରୀ ସଦର ଥାନା ରୋଡର କରଣ ପରିବାରରେ ବାବାଙ୍କୁ ନେଇ ଭାଗ ଭାଗ ହେଇଗଲା । ପରସ୍ପର ସମ୍ୱନ୍ଧ ତୁଟିଗଲା । ନିଜର ଦୋଷ ଅଛି କି ନାହିଁ—କହିବାର ସୁବିଧା ପାଇଲେ ନାହିଁ । କିଏ ବା ତାଙ୍କ କଥା ଶୁଣିବ ?

 

ମୁରବୀମାନେ ଦୋଷ ଦେଉଛନ୍ତି ।

 

ଅମିତା ବଞ୍ଚି ନାହିଁ ଯେ କଥା କହିପାରିବ । ତାହାର ଅପମୃତ୍ୟୁର କାରଣ ଅନ୍ୟକୁ ଦେଖାଇ ପାରିବ ।

 

ଅମିତାର ମୁରବୀମାନେ ଦୋଷ ଦେବାରେ ଲାଗିଛନ୍ତି । ତେଣୁ ଦୋଷ ସାବ୍ୟସ୍ତ ହେଉଛି-

 

ତେବେ ପ୍ରଶ୍ନ ଉଠେ ଯେ ଝିଅର ବାହାଘର ପରେ ତାହାର ମୁରବୀ କିଏ—ନିଜର ବାପା ଭାଇ ନା ତାହାର ସ୍ୱାମୀର ପରିବାର ?

 

ଗୋଟିଏ ଝିଅ ଚଉତିରିଶି ବର୍ଷ ଆଗରେ ବାହା ହବା ଆଗରୁ ପ୍ରମାଣ କରି ଦେଇଥିଲା ଯେ ତାହାର ମୁରବୀ ହେଉଛନ୍ତି ବାପା, ଦାଦି ଇତ୍ୟାଦି ।

 

ତାଙ୍କର ଝିଅ ବାହା ହବା ପରେ ପୁଣି ଥରେ ପ୍ରମାଣ କରି ଦେଇଥିଲା ଯେ ତାହାର ମୁରବୀ ହେଉଛନ୍ତି ବାପା, ଦାଦି, ଭାଇ ଇତ୍ୟାଦି ।

 

ତେଣୁ ଉତ୍କଳ ଖଣ୍ଡରେ ମାଆ ରାଜ୍ୟ ଆଗେଇ ଆସିଲାଣି । ବାପା ରାଜ୍ୟ ବୁଡ଼ିବା ଉପରେ । ବଙ୍ଗଳା, ଆନ୍ଧ୍ରପ୍ରଦେଶ, ବିହାର ଇତ୍ୟାଦି ରାଜ୍ୟରେ ଏହାର ସମାନ ନିଜର ମିଳିବା କଷ୍ଟକର । ସେଠି ସମସ୍ତେ ବୁଝନ୍ତି ଯେ ଝିଅ ବିଭା ହେବା ପରେ ଶଶୁର ଘରର ହୋଇଯାଏ । ଏଠି ବୁଝନ୍ତି ଯେ ଝିଅ ହେଉଛି ଗୋଟିଏ ଥୋପ—ବରଟିଏ ଧରି ତାକୁ ଦୁହିଁବା ପାଇଁ । ତାହାର ପରିବାରକୁ ସର୍ବସ୍ୱାନ୍ତ କରିବା ପାଇଁ ।

 

ସମାଜ ୧୪।୧୦।୮୪ ପୃ ୪ କଲମ ୬

 

Matches for Women Lecturer (26) and Doctor (23) from enlightened Karan Family, No bars. (ବୋଧହୁଏ ଯୌତୁକ ନାହିଁ କିମ୍ବା ଧୁଆ ଅଧୁଆ କରଣ ଭେଦାଭେଦ ନାହିଁ), Write with details to Post Box 320 Samaj.

 

ସମାଜ ୧।୧୧।୮୪ Matrimonial Wanted a fair attractive bride for Bengali Kayastha (govt) Lecturer Rs 2000–P. M. 32 years/168cms. Write Post Box No.39. Samaj.

 

ସମାଜ ୨୭।୧୦।୮୪

 

Marriage

 

Without dowery for Celebration at Mangalabag, Cuttack City in January, 1985 according to Hindu rites and Hindu Marriage Registration for the second marriage of my nephew, a Delhi–based Electrical Engineer of austere habits and for final choice through proper channel from Odia / Bengali / Hindi / Telugu speaking Odia or domiciled in Odia or out–of Odisha girl, aged 23–25 with Cosmopolitan and moral background and reliance on horoscope. Girl should agree to stay at Cuttack for at least twelve weeks a year.

 

R. K PATNAIK

Cuttack–9

 

ଏଇ ତିନୋଟି ସମକାଳୀନ ବିବାହ ନୋଟିସରୁ ସମକାଳୀନ କରଣ ସମାଜ କଥା ଭଲ ବୁଝି ହୁଏ । କିନ୍ତୁ ଏହି ବିଜ୍ଞାପନମାନ ନୂଆ ନୁହେଁ । ଏଥିରୁ ମଧ୍ୟ ଅନେକ ମନେ ରଖିବା ପରି ସମସ୍ୟା ବାହାରୁଛି ।

 

ଗୋଟିଏ ଡାକ୍ତରାଣୀ ବୋହୂଙ୍କର ଡାକ୍ତରାଣୀ ମାଆ ଆସି ବାହାଘରର ଚାରିଦିନରେ ତାଙ୍କର ସମୁଦୁଣୀଙ୍କୁ ହସି କହିଲେ—ମୁଁ ତୁମକୁ ଅପା ବୋଲି ଡାକିବା କଥା ।

 

—କାହିଁକି ?

 

—ତମେ ପରା ବଡ଼ ?

 

—କେମିତି ? ତୁମର ବାହାଘରବେଳେ ତୁମେ ଡାକ୍ତରାଣୀ ହେଇ ସାରିଥିଲ । ଝିଅ ଡାକ୍ତରାଣୀ ହେବାପରେ ବିଭା ହେଲା । ତେବେ ତୁମେ କ’ଣ ଚଉଦ ପନ୍ଦର ବର୍ଷ ବୟସରେ କଟକ ମେଡ଼ିକଲ କଲେଜରେ ଡାକ୍ତର ହେଇଗଲା ? ...ହଁ, ହେଇଥିବ । ନ ହେଲେ ତୁମେ ଏତେ ବୁଦ୍ଧି କେମିତି ପାଆନ୍ତ ?

 

କଥା ବନ୍ଦ ହେଇଗଲା । ଉଚ୍ଚ ଶିକ୍ଷିତ ଓ ଉଚ୍ଚପଦସ୍ଥ ଡାକ୍ତରାଣୀ ରାଗିଗଲେ ଏକ ମଫସଲିଆମାନଙ୍କର ବିଚାରବୁଦ୍ଧି ଦେଖି ।

 

ତଥାପି ସମଦୁଣୀ ତ । କିଏ ପାଗଲୀ ଅବା କିଏ ଓଲି ? କଥାଟାକୁ ଛୋଟେଇ ଦିଆଗଲା ଗୋଟାଏ କୌତୁକିଆ କଥା ବୋଲି । କିନ୍ତୁ ଜଣାଗଲା ଯେ ଏଇ ରାକ୍ଷସ ଘରେ ଡାକ୍ତରିଆଣୀଙ୍କର ଡାକ୍ତରିଆଣୀ ଝିଅ ଚଳି ପାରିବ ନାହିଁ ।

 

ଏହି ଘଟଣା ତୁଳନାରେ ମୋର ସମୁଧି ଓ ତାଙ୍କର କଟକ ସଢ଼ୁ ନିଶ୍ଚୟ ଦେବତା । କାରଣ ସେମାନେ ଶହେ ପନ୍ଦର ଦିନ ଧୈର୍ଯ୍ୟ ଧରି ରହିଲେ ଭେଦୁଆ ସାଠିଫିକେଟ୍ ଦେବା ଆଗରୁ-। କିନ୍ତୁ ଡାକ୍ତର ନ ହୋଇ ଓକିଲ ହୋଇଥିବାରୁ କୋଟ କଚେରୀ ପ୍ରମାଣ ପାଇଁ ଚିଠି ତିଆରିରେ ଲାଗିଗଲେ—ଶହେ ପନ୍ଦର ଦିନକୁ ଏକଷଠୀ ଖଣ୍ଡ ଚିଠି ।

 

ଏତେ ଚିଠି କ’ଣ ବୋଲି ପୁଲିସ, ଦେଖଣାହାରୀ, ଖବର କାଗଜବାଲା ପଚାରିବାରୁ ସେମାନେ ଛଉକା ପଡ଼ି କହିଲେଣି—କଟକ ମଙ୍ଗଳାବାଗ ଘର ଗୋଟାଏ ବନ୍ଦୀଶାଳା । ମାମୀ ପରି ଝିଅ ଚିଠି ଲେଖିବ କେମିତି ? ଦିଲ୍ଲୀ ସହରରେ ଓଡ଼ିଆ ଭୁଆସୁଣୀ କୁଆଡ଼ୁ ଚିଠି ଦେଇ ପାରିବ ? କିଏ ତାକୁ ଚିଠି କାଗଜ ଦବ ଓ କିଏ ସାହାଯ୍ୟ କରିବ ?

 

ତେଣୁ ଚିଠି ସଂଖ୍ୟା ଏବେ ତିନି ଚାରି ଖଣ୍ଡରେ ଆସି ରହିଛି । ବିଚରା ସମୁଧି ମତେ ହେଲେ କହିଥାନ୍ତେ ମୁଁ ଯୋଗାଡ଼ କରି ଅନେକ କାରବାରୀ ଚିଠି ତାଙ୍କୁ ଦିଆଇ ଦେଇଥାନ୍ତି । ତାକୁ ମଡେଲ କରି ସେ ଅନ୍ୟ ବାହାଘରେ ନହିଲା ଗୋଲି କରିଥାନ୍ତେ ।

 

କରଣମାନେ ସର୍ପକୂଳର । କେତୋଟି ନାଗସ୍ୟଗୋତ୍ର ଅଛନ୍ତି । କିନ୍ତୁ ଅଧିକାଂଶ ଋଷି ଗୋତ୍ରର ଲୋକ । ତାଙ୍କ ଭିତରେ ପରସ୍ପର ସମ୍ବନ୍ଧ ପରସ୍ପର ବିଦ୍ୱେଷୀ ସର୍ପ ସମାଜର ନିୟମରେ ବନ୍ଧା ।

 

କରଣ ଡାକ୍ତରିଆଣୀ ବୋହୂ ମଧ୍ୟ ଖୁବ୍ ବୁଦ୍ଧିମତୀ । ନହେଲେ ସେ ଏତେ କଷ୍ଟକର ଡାକ୍ତରୀ ପାଠ ପଢ଼ିଥାନ୍ତେ କେମିତି ? ମୋର ବୋହୂ ବି. ଏ. ପଢ଼ାରେ ଖତମ୍ । ସେ ତ ମୋଟେ ଆଡ଼ମିସନ ପାଇ ପାରି ନ ଥାନ୍ତା ।

 

ଡାକ୍ତରିଆଣୀ ବୋହୂ ତାହାର ଶାଶୁଘରେ ବ୍ୟସ୍ତ ହେଇ ପଡ଼ିଲା—ଥାଟେ ମାଇକିନିଆ । ସେ ସମସ୍ତଙ୍କୁ କ’ଣ ବୁଲି ବୁଲି ମାନଥାନ କରୁଥିବ ? ମେଡିକାଲ କଲେଜରେ ମାଳ ମାଳ ମାଡାମ୍–ଏଠି ବି ଦେଖାଯାଉଛି ଅସଂଖ୍ୟ ଗୁରୁଜନ । ଧେତ୍, ମରିଯିବା କଥା ଯେ ତେବେ ଏତେ ପାଠୋଇ ମରିବ କାହିଁକି ?

 

ଏଠୁ ପଳାଇବା । ଚଲୋ ଦିଲ୍ଲୀ । ସେଠି ତ ଆମେ ରହିବା କଥା । ଏଇ କଟକ—ଗାଉଁଲୀମାନଙ୍କ ପାଇଁ । ଆମେ ଦିଲ୍ଲୀ ଗଲେ ଏଇ ଗାଉଁଲୀମାନଙ୍କଠାରୁ ଛୁଟି । ଆଉ ଏଇ ମଫସଲିଆଣୀମାନେ ଦିଲ୍ଲୀ ମାଡ଼ିଲେ ବୁଝିବେ ବୁଦ୍ଧି ବା ଇଣ୍ଟେଲିଜେନସ୍ କି ପ୍ରକାରର ମସଲା ?

 

ଏଇ ବାଜେ କରଣ ସମାଜରେ ଗୋଟେ ବି ପଣ୍ଡା ନାହିଁ । ବଡ଼ ପଣ୍ଡା କୁଆଡ଼ୁ ଆସିବେ-? କଟକର ରାସ୍ତାରେ ସାଇକଲ, ମଟର ସାଇକଲ, ସ୍କୁଟର, ଲୁନା, ସାଇକଲ ରିକ୍‌ସା ଓ ବୁଲାଷଣ୍ଢ ବାଁ—ଡାହାଣ—ମଝି କିଛି ନ ମାନି କିଛି ନ ବାରି ଧକମଧକ୍‌କା ଆଭିମୁଖ୍ୟ ନେଇ ଚଳିଲା ପରି କରଣ ସମାଜରେ ସବୁ ଆଇନ ଅପଭ୍ରଷ୍ଟ ହେଇଯାଇଛି । ତେଣୁ ପ୍ରତ୍ୟେକ ଘରେ ଅଲଗା ଅଲଗା ଆଇନ ।

 

ଆଉ ଆଇନର ତର୍ଜମା ଶାଶୁ, ବୋହୂ, ନଣନ୍ଦ ସମସ୍ତେ ପ୍ରକାରେ ପ୍ରକାରେ କରି ସାରିଲା ପରେ ବାପଘର ନିୟମ ବି ଚଳିବ ।

 

ଯଦି ବାପଘର ନିୟମ ବିଷୟରେ କେହି କିଛି ଜାଣିବାକୁ ଚାହିଁଲା ତେବେ କଥାଟାକୁ ଧରାଯିବ ବାପଘର ପ୍ରତି ଅପମାନ । ଆଉ ସେଠୁ ସେନାବାହିନୀ ଛୁଟିବେ ବୋହୂର ସୁରକ୍ଷା ପାଇଁ ।

 

ମୋ ବୋହୂ ଅମିତା ବୁଝିଥିଲା ଯେ ନାରୀମାନେ ହେଉଛି ଇଂରାଜୀରେ ଉଇମେନସ ।

 

—ନା, ଉଇମେନ ବହୁବଚନ । ସେଥିରେ ଆଉ ଥରେ ବହୁବଚନାନ୍ତ ଏସ୍ ଲାଗି ନ ପାରେ ।

 

—ମୁଁ ମୋର କଲେଜର ସାଇନବୋର୍ଡ଼ ଦେଖିଛି । ବାଟଘାଟ ସବୁଠାରେ ଉଇମେନସ-

 

ବଡ଼ ଗଣ୍ଡଗୋଳ । ଶାଶୁ ଓ ବୋହୂ ଇଂରାଜୀ ଉପରେ ଲଢ଼ିଗଲେ । ଏତେ ସାଇନବୋର୍ଡ଼ ଭୁଲ୍ ?

 

—ହେଇ, ଏମିତି କଲେ କି ବି. ଏ. ପରୀକ୍ଷା ଦେବୁ ? ତୋର ବାପଘରେ କ’ଣ କିଛି ପଢ଼ାଇ ନାହାନ୍ତି ?

 

—କାହିଁକି ? ସେଠି ମୋର ଅନେକ ଭାଇ ପ୍ରଫେସର । ସେଠି ଖାଲି ପଢ଼ା ହୁଏ । ଆଉ କିଛି ହୁଏ ନାହିଁ । ତେବେ ଉଇମେନସ୍ ପାଇଁ କ’ଣ ମୋର ବାପଘର ନାଁ ପଡ଼ିବ ?

 

ଶାଶୁ ଡରିଯାଇ ମୋର ବୋହୂକୁ ଅନାଇଲା କରୁଣ ଦୃଷ୍ଟିରେ । ବୋହୂ ଜିତିଯାଇଛି ବୋଲି ବଡ଼ ଦର୍ପରେ ଚାହିଁଲା । ନିଜେ ନ ଜାଣି ବାପଘରକୁ ଖୁଣିବାକୁ ବାହାରିଲେଣି ।

 

ସେଦିନ ଇଂରାଜି ପଢ଼ା ସେତିକିରେ ବନ୍ଦ ରହିଲା । ପଢ଼ା ଛୁଟି । ବୋହୂ ଗଲେ ଭାତ ବାଢ଼ିବାକୁ । ଶାଶୁ ଗଲେ ମୁହଁ ଧୋଇବାକୁ ।

 

କଥା ତ ଶେଷ ହେବାର ନୁହେଁ । ଦିହେଁ ମନେ ରଖିଲେ ଏଇ ଗଣ୍ଠି କଥାଟାକୁ ।

 

ପହୁଞ୍ଚିଲେ ଅଧ୍ୟାପକ ଯୀଶୁଭାଇ । ସେ କିଛି ଦିନ ଆଚାର୍ଯ୍ୟ ହରିହର କଲେଜ ଭୁବନେଶ୍ୱରରେ ଜ୍ଞାନ ବାଣ୍ଟୁଥିଲେ । ସେ ମଧ୍ୟସ୍ଥତା କଲେ ।

 

—ମାଉସୀ, ତୁମେ ଠିକ୍ ଆଉ ମାମି ଠିକ୍ ।

 

—କେମିତି ? ଦୁଇଜଣ ଠିକ୍ ହେଲୁ ?

 

—ସାଇନବୋର୍ଡ଼ରେ ସେମାନେ ଉପରେ ଗୋଟିଏ କମା ଛାଡ଼ି ଦେଇଥିବାରୁ ଏଇ ଭୁଲଟା ସାଇନବୋର୍ଡ଼ ଲେଖାଳୀର ଆଉ ମୁନିସିପାଲିଟିର ।

 

ସେଦିନ ମୋର ବୋହୂର ଦୋହଲା ଆତ୍ମବିଶ୍ୱାସ ଫେରିଆସିଥିଲା । ଯୀଶୁଭାଇ ପ୍ରକୃତରେ ଜଣେ ଆନ୍ତର୍ଜାତୀୟ ସ୍ତରର ଲୋକ ବୋଲି ଛୋଟ ଭଉଣୀର ବିଶ୍ୱାସ ଦୃଢ଼ ହେଲା । ଆଉ ଏଇ ଆଣ୍ଟେଇ ଶାଶୁକୁ ପାନେ ଦିଆଗଲା । ସବୁବେଳେ ପାଟି ଇଂରେଜି ପାଇଁ ।

 

ହବାର କଥା । ମୋର ବୋହୂ ସରକାରୀ ବାଳିକା ହାଇସ୍କୁଲ ରାଉରକେଲା (ବାର) ରୁ ଅଣାଅଶୀ ମସିହା ଅପ୍ରେଲରେ ଇଂରାଜୀରେ ତେର ଓ ଏକୋଇଶି ପାଇ ସପ୍ଲିମେଣ୍ଟାରୀ କମ୍ପାଟମେଣ୍ଟଲରେ ସମସ୍ତଙ୍କୁ ଆଚମ୍ୱିତ କରି ଏକାବନ ଓ ତେୟାଳିଶି ପାଇଗଲା । ଦୁଇ ଶହରୁ ସେ ମାସକ ଭିତରେ ମୋଟ ଚଉତିରିଶିରୁ ଚଉରାନବେକୁ ପାଇଗଲା ।

 

ମୋର ସମୁଧି ଦୁଃଖ କରନ୍ତି ଯେ ତାଙ୍କର ଝିଅ ଇଂରାଜିରେ ଫାଷ୍ଟକ୍ଳାସ ପାଇବା କଥା । ସେମାନେ ପାତର ଅନ୍ତର କରି ହାଇ ସେକେଣ୍ଡ ଡିଭିଜନ ଦେଲେ । କେହି ସି. ଟି. ଓଙ୍କୁ ପଚାରୁ ନାହିଁ । ସମସ୍ତେ ଆର, ଆଇ ଓ ଏସ. ଆଇମାନଙ୍କୁ ଡରି ମରୁଛନ୍ତି ।

 

ଏଇ ହେଉଛି କରଣ ସମାଜର ଢମ । ଉଖୁଡ଼ା ହାଣ୍ଡିକ ଛ’ଅଣା ପଇସା । ହାଣ୍ଡିଯାକ କୋଟି କମ ।

 

ଅତି ବୁଦ୍ଧିମତୀ ଶ୍ରୀମତୀ ପୂଣ୍ୟପ୍ରଭା ଓ ଅତି ବିଚକ୍ଷଣ ଶ୍ରୀ ବ୍ରଜବଲ୍ଲଭ ମିଶି ତାଙ୍କର ଜୋଇଁ ଓ ପୁଅ ଖୋଜୁଥିବା ଇଂଲିସ ମିଡିଅମ୍ ଟ୍ରେନିଙ୍ଗ ଝିଅ ବଦଳରେ ଇଂଲିସ ମିଡିଅମ ଟ୍ରେନିଙ୍ଗର ଅର୍ଥ ଜାଣୁ ନଥିବା ଓ ଲେଖି ପାରୁ ନଥିବା ଝିଅଟିଏ ଆଣି ପୁରୀ ବାସେଳୀ ସାହିରୁ ଭୁବନେଶ୍ୱର ବିବେକାନନ୍ଦ ମାର୍ଗ ବାଟ ଦେଇ କଟକର ମଙ୍ଗଳାବାଗରୁ ଦିଲ୍ଲୀ ରପ୍ତାନି କରିଦେଲେ ।

 

ଏବେ ବୋହୂ ପାର୍ସଲ ଖତମ୍ । ଶାଶୁ କହୁଛନ୍ତି ଯେ ତାଙ୍କୁ ସେମାନେ ଗୁଣୀ କରିଦେଲେ-। ସମୁଧି କହୁଛନ୍ତି ଯେ ଶାଶୁର ଏକମାତ୍ର ଜୀବିକା ଭଲ ଭଲ ବୋହୂଙ୍କୁ ବାଛି ଧରିନେଇ ମଡର କରିବା । ଶାଶୁକୁ କାହିଁକି ଜେଲ ଦିଆ ହେଲା ନାହିଁ ? ପରେ ଖଲାସ ପାଇଲେ ପାଉ-। ବୋହୂ ମରିଛି—ଶାଶୁ ଜେଲ ଯିବା ଦରକାର ।

 

ଏଇ କରଣ ବୁଦ୍ଧି ତୁଳନାରେ ଜଣେ ବ୍ରାହ୍ମଣ ବ୍ୟାଙ୍କ୍ ଅଫିସର କଲିକତାରେ ଥିଲାବେଳେ ତାଙ୍କର ସ୍ତ୍ରୀଙ୍କୁ ବାଛିଲାବେଳେ ଜେରକସ୍ କପିର ମାର୍କଲିଷ୍ଟ ଏଚ. ଏସ.ସିରୁ ଡିଗ୍ରୀ ପର୍ଯ୍ୟନ୍ତ ମଗାଇ ନେଇଥିଲେ ।

 

ବିଚାର ବୁଦ୍ଧିର ପ୍ରଭେଦ ଏଇ କଟକରେ ବ୍ରାହ୍ମଣ ଓ କରଣ ବରମାନଙ୍କର ଏତିକି । କେହି ଯୌତୁକ ନେଇ ନାହାନ୍ତି । ଉଭୟ ସ୍ତ୍ରୀ’ ପାଇଛନ୍ତି । ଜଣେ ହେଉଛି ବିଚାରର ପ୍ରତୀକ । ଆର ଜଣକ ଓଲାମିର ପ୍ରତୀକ ।

 

ଏହି କାର୍ଯ୍ୟରେ ଗୁଣିଗାରିଡ଼ି ନାହିଁ ବୋଲି ଅଧ୍ୟାପିକା ରେଖା ମହାନ୍ତି ଇତ୍ୟାଦିଙ୍କର ମତ-। କିନ୍ତୁ ଏତେ ବଡ଼ ବୋକୀ ହେଇ ନ ପାରନ୍ତି ବୋଲି କଥାକଥିତ ଏମ. ଏ. ପାସ ଶ୍ରୀମତୀ ପୂଣ୍ୟପ୍ରଭାଙ୍କର ସନ୍ଦେହ ।

 

ସନ୍ଦେହର କାରଣ ହେଲା ଯେ ବୋହୂ ଅମିତାର ରଙ୍ଗଟା ଏମତି କ’ଣ ହେଲା ?

 

ଏଥିରେ ରହିଗଲା କରଣିଆ ଚାଲ । ଝିଅକୁ ଘରେ ଦେଖିବ । ଝିଅ ଦେଉଳ, ଏକଜିବିସନ, କି ଅନ୍ୟଠାକୁ ଯିବ ନାହିଁ । ଅଶେଷ ବୁଦ୍ଧି ଖଟାଇ ମୋର ଅଧା ଶ୍ୟାମଳ ବୋହୂକୁ ସେମାନେ ଅଧା ଗୋରା କରି ଦେଖାଇ ଦେଇ ସମୁଦୁଣୀ ଓ ତାଙ୍କର ସାତ ଭଉଣୀ ସାଠିଫିକେଟ୍ ନେଇ ଚାଲିଗଲେ ।

 

କଟକରେ ବୋହୂ ରୂପକୁ ଅନ୍ୟମାନେ ଖୁଣିଲା ପରେ ଶାଶୁ ବୁଦ୍ଧି ଖରଚ କରି ହଳଦୀ ବଟାଇଲେ ।

 

—ମାମୀ, ହଳଦୀ ଲଗାଇ ଗାଧୋଇବୁ । ରଙ୍ଗଟା ଫିଟିବ ।

 

—କାହିଁକି ? ମୋର ରଙ୍ଗ ଖୁବ୍ ସଫା ଥିଲା ଭୁବନେଶ୍ୱରରେ । କଟକର ପାଣି ଲାଗି ମଇଳା ଦିଶୁଛି ।

 

—ଇଏ ତ ଆମର ଗଭୀର ଟିଉବୱେଲ ପାଣି । ଏଥିରେ କ୍ଲୋରିନ ନାହିଁ ।

 

ଶାଶୁ ବୋହୂ ଦିହେଁ ଅଡ଼ୁଆରେ ପଡ଼ିଗଲେ । ମୋର ବୋହୂ ବୁଦ୍ଧିରେ କମ୍ ନୁହେଁ । ସେ ତା’ର ଭୋରରୁ ଉଠି ରୋଷେଇ ଘରୁ ହଳଦୀ ଗୁଣ୍ଡ ନେଇ ପାଉଡ଼ର ପରି ଲଗାଇଲା ।

 

ଲୁଗାପଟା ହଳଦୀ । ଶାଶୁ କହିଲେ—ଏତେ ହଳଦୀ କ’ଣ ?

 

—କାହିଁ ? ଏଗୁଡ଼ାକ ଭିକୋ ଟରମେରିକ୍ ।

 

ନିଜକୁ ଚଲାଖ ଭାବୁଥିବା ଶାଶୁ ଜାଣିଲେ ଯେ ଝିଅ ଘର କ’ଣ କିମିଆ କରିଦେଲେ । ନ ହେଲେ ଗୋରା କ’ଣ ମଇଳା ହେଇଯିବ ? ହେଇପାରେ କି ?

 

ତେଣିକି ଶାଶୁ ଡରିବାରେ ଲାଗିଲେ—ପୁଅ କ’ଣ ଭାବୁଥିବ କେଜାଣି । ତେଣୁ ବୁଲି ବୁଲି ଯାହାକୁ ସହାନୁଭୂତି ଦେଲାବାଲା ଭାବନ୍ତି ତାକୁ ବିକଳ ହେଇ ପଚାରନ୍ତି—ଆଚ୍ଛା, ସତ କହିବ, ମୋର ବୋହୂ ମାମି କ’ଣ ସୁନ୍ଦର ନୁହେଁ ?

 

ଓଡ଼ିଆ ଖବରକାଗଜ ଓ ପତ୍ରିକାରେ ଭଉଣୀର ସୌନ୍ଦର୍ଯ୍ୟ ବିଷୟରେ ଅବଶ୍ୟ ଅବଶ୍ୟ ଲେଖା ଚାଲିଛି । କିନ୍ତୁ ବୋହୂ ସବୁବେଳେ ଗୋଟିଏ ଧାଡ଼ି କହୁଥାଏ ।

 

—କ’ଣ ମୁଁ କରିବି ? ମୁଁ କେଉଁ କୂଳକୁ ହେଲି ନାହିଁ । ତୁମର ଯୋଗ୍ୟ ହେଲି ନାହିଁ । ପଢ଼ା ନାହିଁ । ରୂପ ନାହିଁ । ସ୍ମାର୍ଟ ହେଲି ନାହିଁ । କଣ ମୁଁ କରିବି ?

 

ଏଇଟା ମୋର ବୋହୂର କାତର ବିଳାପ ନୁହେଁ । ଏଇଟା ଏବେ କରଣ ସମାଜର ମର୍ମ୍ମବେଦନା । ଭିତର ଫମ୍ପା ନେଇ ଡିଗ୍ରୀ, ମେଡାଲ, ଚାକିରି ହେଇଯାଉଛି । ତା’ପରେ—ତା’ପରେ ?

 

ଏଇ ମୋର ବୋହୂ ଅମିତା ପରି କ’ଣ ଓକିଲ, ହାକିମ, ମାଷ୍ଟ୍ର, ଅଧ୍ୟାପକ ଆତ୍ମହତ୍ୟା କରିବେ ? ସୁବର୍ଣ୍ଣରେଖା ଓ ବଂଶଧାରା ନଈ ଡେଇଁଲେ ଧର୍ମ୍ମବାପ ପାଇବେ କେଉଁଠୁ ? ଓଡ଼ିଶାର ତିରିଶି ଜଣ ଏମ:ପି ଓ ଜଣେ ମୁଖ୍ୟମନ୍ତ୍ରୀ କେଇ ଡଜନ୍ ଫମ୍ପା କଣ୍ଢେଇଙ୍କୁ ବୋହି ଚାଲିବେ ?

 

ବିହାରୀବାଗ୍ ଓ ଗୋପବନ୍ଧୁବାଗ୍ କେତେ ଭଣ୍ଡ ଓ ବେକୁଫ୍‌ଙ୍କୁ ନେଇ ଟେକିବେ ?

 

ବିହାରୀବାଗ୍ ସାହିତ୍ୟ ମେଳାରେ ଡକ୍ଟର ମହାତାବ ଓଡ଼ିଶାର ଅବସରପ୍ରାପ୍ତ ବିଚାରପତି ଓ ବ୍ରେନଟ୍ରଷ୍ଟ ମାନ୍ୟବର ରାଜକିଶୋର ଦାସଙ୍କୁ ସ୍ୱାଗତ ଭାଷଣ ଦେବା ପାଇଁ ନେଲେ । ମାନ୍ୟବର କହିଲେ—ବନ୍ଧୁଗଣ, ଯେତେଦିନ ଏଇ ଭାରତ ସମ୍ବିଧାନ ଥିବ ସେତେଦିନ ଆମ୍ଭର ଏଇ ବିଷୁବ ମିଳନ ଅନୁଷ୍ଠାନ ରହିଥିବ.... ।

 

ସେଇଦିନୁଁ ସାହିତ୍ୟକମାନେ ବଡ଼ ଖୁସି ହେଇଗଲେ ଯେ ଓଡ଼ିଆ ସାହିତ୍ୟର ମଦର ବଞ୍ଚିଗଲେ । ପିଲାଏ ଏଣିକି ଖାଲି ପଢ଼ିବା କଥା ।

 

କିନ୍ତୁ ସମସ୍ତଙ୍କୁ ଅପଦସ୍ଥ କରି ମହାତାବବାବୁ ମଉଡ଼ମଣିଙ୍କୁ ବଦଳାଇ ଦେଲେ । ଆସିଲେ ଅବସରପ୍ରାପ୍ତ ବିଚାରପତି ଶ୍ରୀ ହରିହର ମହାପାତ୍ର ।

 

ସାହିତ୍ୟ ସଂସ୍ଥାରେ କମ୍ପନ ଉଠିଲା ଯେ ବର୍ଣ୍ଣବିଦ୍ୱେଷ ପାଇଁ ମହତାବ ବାବୁ ଦାୟୀ । କେଉଁ ଗୁଣରେ ହରିବାବୁ ରାଜୁବାବୁଙ୍କଠାରୁ ବଡ଼ ?

 

ଗୋପବନ୍ଧୁ ବାଗ ପାଇଁ ଲୋକ ଅଭାବ । ଏବେ ମାନ୍ୟବର ନବକୁମାର ଦାସଙ୍କୁ ଧରିବାକୁ ପଡ଼ୁଛି । ଏଣେ ଗୁଜବ ଗୁଞ୍ଜନ ଚାଲିଛି ଯେ ରଥବାବୁ ସବୁଦିନେ ବର୍ଣ୍ଣବିଦ୍ୱେଷରେ ଆସ୍ଥାବାନ୍ । ସେ ତ ଖୁସିରେ ବି.କେ. ରାୟଙ୍କୁ ନେଇ ପାରନ୍ତେ । କିଏ କାହାକୁ ଉଣା ?

 

ସୁବର୍ଣ୍ଣରେଖା ଓ ବଂଶଧାରା ନଈ ଦୁଇଟି ସମସ୍ତଙ୍କୁ ରକ୍ଷା କରିଛନ୍ତି । ସବୁ ଯାଉ—ଇଜ୍ଜତ ଥାଉ । ଏଇ ଦୁଇଟି ନଈ ପାର ହେଲେ କଣ ଆଉ ବଳିବ ? କିଏ ସେଇ ରିସକ୍‌ ନବ ?

 

ନେବେ ଓଡ଼ିଆଣୀମାନେ ।

 

କେବଳ ଇଞ୍ଜିନିୟର ଓ ଡାକ୍ତରଙ୍କ ଛଡ଼ା ଅନ୍ୟ ବୃତ୍ତିର ଓଡ଼ିଆମାନେ ଓଡ଼ିଶା ବାହାରକୁ ଯିବା ପାଇଁ ନାରାଜ । ଖାଲି ଏଇଠି କଟକ ଓ ଭୁବନେଶ୍ୱରରେ ତମ୍ବିତୋଫାନ । କିନ୍ତୁ ଓଡ଼ିଶା ମାଟି ଛାଡ଼ିଦେଲେ କାଳେ ନିଜର ମାପ ତଉଲ ଜଣା ପଡ଼ିଯିବ ସେଥିପାଇଁ ଅସଂଖ୍ୟ ପ୍ରକାରର ଅପ୍ରାସଙ୍ଗିକ ଦେଖାଇ ରହୁଛନ୍ତି ।

 

ନିଖିଳ ଭାରତୀୟ ଚାକିରିରେ ଅନ୍ୟ ରାଜ୍ୟରେ ଥିବା ଓଡ଼ିଆମାନେ ପ୍ରାଣପଣେ ମୁଖ୍ୟମନ୍ତ୍ରୀଙ୍କର ସହସ୍ର ନାମ ଜପ କରୁଛନ୍ତି ଯେ ତାଙ୍କୁ ଜନ୍ମଭୂମିକୁ ନିଆଯାଉ । ଏଥିରେ ମଧ୍ୟ ବହୁତ ଲୋକ ସଫଳ ହୋଇ ଆସି ଓଡ଼ିଶା ଜଳବାୟୁରେ ନିଜକୁ ସାମିଲ କରୁଛନ୍ତି ।

 

ଏହିପରି ପରିସ୍ଥିତିରେ ମୋର ସମୁଧିଙ୍କର ଝିଅ ଅମିତା ଯଦି କଟକର ଶାଶୁଘରକୁ ବିଦେଶୀ ଶତ୍ରୁ ରାଜ୍ୟ ଭାବି ନିଜ ଘରେ ଆସି ରହିବାକୁ ବାହାଘରର ଆଠମଙ୍ଗଳା ଓ ଷୋଳମଙ୍ଗଳା ଭିତରେ କଟାଳ କଲା ତେବେ ଦୋଷ ଅବଶ୍ୟ ଶାଶୁଘରର ।

 

ଦିଲ୍ଲୀ ରହଣୀ ମଧ୍ୟ ମନକୁ ପାଇଲା ନାହିଁ । କାରଣ କାନ ପାଖରେ ବାପଘରର କାକଳୀ ଶୁଭିଲା ନାହିଁ । ନିଜର ଲୋକଙ୍କୁ ଦେଖିବାର ଅବକାଶ ମଧ୍ୟ ମିଳିଲା ନାହିଁ ।

 

ତଥାପି ମୋର ବୋହୂ ବାରମ୍ବାର ଅନୁରୋଧ କରିଛି ଯେ ସେ ପଛେ ଦିଲ୍ଲୀରେ ରହିବ କିନ୍ତୁ କଟକ ମଙ୍ଗଳାବାଗ ଯିବ ନାହିଁ ।

 

ଏଥିରେ ଝିଅର ପକ୍ଷ ନେଲେ ଗୋଟିଏ ଉତ୍ତର । ଶାଶୁଘର ପକ୍ଷ ନେଲେ ଆଉ ଗୋଟିଏ ଉତ୍ତର । କିନ୍ତୁ ଏହି କଥାଟିରେ ଶାଶୁ ପୂଣ୍ୟପ୍ରଭା ଦେବୀଙ୍କର କିପରି ବିଚାର ଶକ୍ତି ନାହିଁ ସେତକ ସ୍ପଷ୍ଟ । ସେ ଏପରି ଜଣେ ଓଲମୀ ଲୋକ ଯେ ତାଙ୍କର ବାଛିଲା ବୋହୂ ଅବା ବୋହୂର କୌଣସି ମାଉସୀ, ମାମୁଁ ଓ ଭାଇଙ୍କ ବିଷୟରେ କିଛି ହେଲେ ଜାଣି ନଥିଲେ । ଏପରିକି ଡାକ ନାମ ବାହାରେ ଭଲ ନାଁ ତାଙ୍କୁ ଜଣା ନଥିଲା ।

 

ନିଜର ବିଚକ୍ଷଣତାରେ ଯୁକ୍ତି କରିଥିଲେ ଯେ ବୋହୂର ଭଲ ନାଁ ଓ ଡାକ ନାଁ ସିନା ଦରକାର । କିନ୍ତୁ ତାହାର ଜ୍ଞାତି ବନ୍ଧୁ କୁଟୁମ୍ବଙ୍କର ନାମ ଧାମ କି ଦରକାର ?

 

ପୁଲିସ ଆସି ତଦନ୍ତ କଲାବେଳକୁ ମୁଁ ଦୈବାତ୍‌ ଉପସ୍ଥିତ ଥିଲି । ମତେ ଜଣେ ଅଫିସର ପଚାରିଲେ—ବାଥରୁମ୍ କେଉଁଠି ?

 

ଦାନ୍ତ ନିଫାଡ଼ି କହିଲି—ଜାଣେ ନାହିଁ । ଏବେ ପଚାରି କହୁଛି ।

 

ସେ ହସି କହିଲେ—କ’ଣ ଆଜି ଏ ଘରକୁ ଆସିବା ପ୍ରଥମଥର ?

 

—ନାହିଁ, ଦଶ ବାର ଥର ଆସିଛି । କିନ୍ତୁ ଏଇ ପିଣ୍ଡା ବାରଣ୍ଡାରୁ ଅଧିକ ଭିତରକୁ ଯିବା ଦରକାର ପଡ଼ି ନାହିଁ ।

 

ପୁଣି ସେ ହସିଲେ । କିନ୍ତୁ ମୁଁ ଯେ ଗୋଟାଏ ନିପଟ ଓଲୁ ଏତକ କହିଲେ ନାହିଁ ସୌଜନ୍ୟତା ଦେଖାଇ । ଏଣେ ମୁଁ ଭାବୁଥାଏ ଯେ ମୁଁ କେଡ଼େ ଅନାସକ୍ତ ଯେ ଏଇ ଘରେ କେଇଟି ବଖରା ଅଛି ସେଇ ଜ୍ଞାନ ମଧ୍ୟ ସଂଗ୍ରହ କରି ନାହିଁ ତିରିଶି ବର୍ଷ ଭିତରେ ।

 

ଯାହା ହେବାର ହେଉ, ମୋ ଉପରେ ମଡର ଚାର୍ଜ ନାହିଁ । ମୁଁ ବାହାରର ଲୋକ । ପୂଣ୍ୟପ୍ରଭା ଦେବୀ ଯେମତି ଆପେ ଆପେ ବୋହୂ ବାଛିଛନ୍ତି ସେମିତି ପାନେ ପାଇଛନ୍ତି ।

 

ଏଣେ ଦେଖାଗଲାଣି ଯେ ମୋର ପରିବାରର ଅନେକ ଲୋକ କାଳେ ପୁଲିସ ଆଖିରେ ପଡ଼ିଯିବେ ସେଥିପାଇଁ ପୂଣ୍ୟପ୍ରଭା ଦେବୀଙ୍କୁ ସଙ୍ଖୁଳିବା ବନ୍ଦ କରି ଦେଇଥାନ୍ତି । କିନ୍ତୁ ଭୋଜି ଖାଇବା ଓ ଉପହାର ଦେଇ ସ୍ମିତ ହସ ଓ ଉଲ୍ଲାସ ଦେଖାଇବାରେ ସେମାନେ ଥିଲେ ଆଗୁଆ ବାହିନୀ ।

 

ଆଉ ସେମିତି ପରସ୍ପର ପ୍ରତିନ୍ଦ୍ୱନ୍ଦିତା କରୁଥିଲେ କରଣ ସମାଜର ବଡ଼ବଡ଼ିଆ ମହିଳାମାନେ । କି ହସ—ଡ୍ରେସ ହୋଇ ହସିବାକୁ ଚାଲି ଆସୁଥିଲେ । କିନ୍ତୁ ମୋର ବୋହୂ ମରିଗଲା ପରେ ସେହିମାନେ ପ୍ଲାକାର୍ଡ଼ ଧରି କଟକ ରାସ୍ତାରେ ଚାଲିଲେ—ଅମିତାର ଅପମୃତ୍ୟୁ ପାଇଁ ଦାୟୀ କିଏ ?

କାଗଜରେ ଲେଖି କଟକର କଲେକ୍ଟର ସାହେବଙ୍କୁ ଦାବୀପତ୍ର ଦେଲେ—ଶାଶୁଙ୍କୁ ଯଥାଶୀଘ୍ର ଗିରଫ କରିବାକୁ । ଆଉ ଏକା ନୁହେଁ ସବତ୍ସା ଧେନୁ—ଅର୍ଥାତ୍‌ ଶାଶୁ ଓ ନଣନ୍ଦ ଦୁହିଁଙ୍କୁ ।

ସେପଟେମ୍ବର ଏକୋଇଶିରେ ଉତ୍କଳ ମହିଳା ସମିତର ମାନନୀୟା ସଭ୍ୟାମାନଙ୍କର ପଦଯାତ୍ରା ସମୟ ଦିନ ସାଢ଼େ ତିନିଟା ।

ସେତେବେଳେ ମୁଁ କଚେରୀରୁ ଘରକୁ ବାହାରିଥିଲି । ଫାଟକ ପାଖରେ ପଦଯାତ୍ରିଣୀ ଦଳ ।

ଦେଖିଲି ଯେ ଦଳରୁ ଅନେକ ଲୋକ ମୋ ଆଡ଼େ ଚାହୁଁଛନ୍ତି । କଥା କ’ଣ ?

ଅନେକ ଲୋକ ମତେ ଲକ୍ଷ୍ୟକଲାରୁ ଫେରିଆସିଲି ଭିତରକୁ । ସେମାନଙ୍କର ଚାହିଁବାର ଉଦ୍ଦେଶ୍ୟ ଯେ ସେମାନେ ମୋର ପରିଚିତ ଓ କେତେକ ବଂଧୁ ଓ କେତେକ ବଂଧୁର ବଂଧୁ ।

କଲେକ୍ଟର ସାହେବ ଶ୍ରୀ ହରମୋହନ ପଟ୍ଟନାୟକ ଆଇ:ଏ:ଏସ୍‌ ଦାବୀପତ୍ର ନେଲେ । ଗରିଫ୍‌ ଡେରି ହେବାରୁ ପ୍ରଚାର ହୋଇଗଲା ଯେ କଲେକ୍ଟର ସାହେବ ଏଇ ଦୋଷୀମାନଙ୍କର ବନ୍ଧୁ ହୋଇଥିବାରୁ ଗିରଫ କଲେ ନାହିଁ ।

ବୋହୂର ଭାଇ ଡାକ୍ତର ସବ୍ୟସାଚୀ ମହୋଦୟ କଲିକତାରେ ତାଙ୍କର ହେଡମାଷ୍ଟର ଡକ୍ଟର ଜଲାନ୍‌ଙ୍କଠାରୁ ନିର୍ଭର ଜାଣିଥାନ୍ତି ଯେ ଓଡ଼ିଶା ପୁଲିସ ଗିରଫରେ ହେଳା ବା ଉଛୁର କଲେ ପ୍ରଶାସନ ବା ଡି.ଏମଙ୍କୁ ଧର ।

 

ସେଇଆ ହୋଇଥିଲା । ପଦଯାତ୍ରୀଣି ଦଳରେ ଆମମାନଙ୍କର ଘରକୁ ଆସି ଆମକୁ ବହୁତ ଭାବରେ କୃତାର୍ଥ ଓ ଧନ୍ୟ କରୁଥିବା ଅନେକ ମାହାନ୍ତିଆଣୀ ଥିଲେ । ଘରକୁ ଆସୁଥିଲେ ନିଜର ବାବୁମାନଙ୍କର ଜାତିଆଣ ସୁବିଧା କରାଇବାକୁ । ଏବେ ରାସ୍ତାରେ କଟକ କିଲଟରୀକୁ ଚାଲିଛନ୍ତି ଜାତି-ନିରପେକ୍ଷ ଓ ପରିଚୟ-ନିରପେକ୍ଷ ହୋଇ ସାମାଜିକ କର୍ତ୍ତବ୍ୟ କରିବାକୁ ।

 

କଲେକ୍ଟର ବନ୍ଧୁ ହେଲେ କେମିତି ? ବୁଝାଗଲା ଯେ ଅମିତାର ଶଶୁର ହିମାଂଶୁବାବୁଙ୍କର ବାପା ଶ୍ରୀ ହରମୋହନ ପଟ୍ଟନାୟକ ଓ କଲେକ୍ଟର ସାହେବ ମଧ୍ୟ ଶ୍ରୀ ହରମୋହନ ପଟ୍ଟନାୟକ ।

 

ବଂଧୁ ନ ହୋଇ ଆଉ କ’ଣ ହେବେ ?

 

ପାନବାଲା, ପରିବାବାଲା ଓ ରାସ୍ତାରେ ପୟଦଲ ଯାତ୍ରୀ କଥା ହେଲେ ଯେ ଗିରଫ୍ ହେଉନାହିଁ କଣ ପାଇଁ ? ଏହି ସୁସ୍ୱାଦ୍ୟ ପରିସ୍ଥିତି ପାଇଁ ମୋର ସମୁଧି ଓ ତାଙ୍କର ବଂଧୁ ଓ ପୁଅମାନେ ପ୍ରଶଂସା ପାଇବାର ଯୋଗ୍ୟ । କିନ୍ତୁ ମାହାନ୍ତିମାନଙ୍କ ଛଡ଼ା ଅନ୍ୟତ୍ର ଏହିପରି କାର୍ଯ୍ୟପନ୍ଥା ଦେଖାଯାଏ ନାହିଁ ।

 

ଶାଶୁ ପୂଣ୍ୟପ୍ରଭା ଦେବୀ ଖବର ପାଇଲେ ଯେ ବୋହୂ ରିସେପସନରେ ଉପହାର ଦେଇ ଟିଫିନ କାରିଅରରେ ଘରକୁ ଫିଷ୍ଟ ବୋହିଥିବା ମାହାନ୍ତିଆଣୀମାନେ ଶାଶୁକୁ ଗିରଫ ପାଇଁ ସ୍ୱର ମିଳାଇଛନ୍ତି । ଏପରିକି ଶାଶୁଙ୍କର ପୁଅ ପାଇଁ ଝିଅ ଖୋଜିବାରେ ଓ ପ୍ରସ୍ତାବକୁ ପାସ୍ କରାଇବାରେ ଯେଉଁମାନେ ନିରଳସ ଉଦ୍ୟମ କରିଥିଲେ ସେମାନେ ମଧ୍ୟ ଏହି ନ୍ୟାୟ ଓ ଅନ୍ୟାୟ ସମୀକ୍ଷାରେ ପଛଘୁଞ୍ଚା ଦେଇ ନାହାନ୍ତି ।

ଏଇ ପରିସ୍ଥିତିକୁ ଶାସ୍ତ୍ର କହେ—ମାୟାର ଅଞ୍ଜନ । ଏହି ସବୁ ନିଜର ଅନୁଭବକୁ ନ ଆସିଲେ ମଣିଷ ମାୟାର ପରଦାକୁ ଛିଣ୍ଡେଇ ପାରିବ ନାହିଁ । ଆଉ ବ୍ୟକ୍ତିଗତ କ୍ଷେତ୍ରରେ ମାହାନ୍ତିମାନଙ୍କର ରୂପ ଓ ଗୁଣ ଓ ଭେକକୁ ମଧ୍ୟ ବାରିପାରିବ ନାହିଁ ।

ବଡ଼ ଆଶ୍ଚର୍ଯ୍ୟର କଥା ଯେ ପ୍ରୋସେସନ କଥା ପଚାରିବାରୁ ମାନନୀୟମାନେ କୈଫିୟତ ଦେଲେ ଯେ ସେମାନେ ଆଦୌ ଜାଣି ନଥିଲେ ଓ ଜାଣନ୍ତି ନାହିଁ ଯେ ସେଇ ଶୁକ୍ରବାର ୨୧/୯/୮୪ ଶୋଭାଯାତ୍ରା ଅମିତାର ଶାଶୁଙ୍କ ବିରୁଦ୍ଧରେ ଉଦ୍ଦିଷ୍ଟ ଥିଲା ।

ତା’ପରେ ମାସେ ଗଡ଼ିଗଲା । ଅକ୍ଟୋବର ମାସ ସରି ଆସିଲା । ଶୀତ କାକର ଆସିଗଲାଣି । ମୋର ବୋହୂ ମରିବା ଏଗାର ସପ୍ତାହ ହେଇଗଲାଣି । କିନ୍ତୁ ସମୁଧିଙ୍କର ଲୋକେ ଦାବୀପତ୍ର ଅବ୍ୟାହତ ରଖିଛନ୍ତି ।

ସ୍ୱାଧୀନତା ଦିବସ ରାତିରେ ବୋହୂକୁ ସତ୍କାର କରି ଝପଟିଆ ବର୍ଷାରେ ଛତା ଭାଙ୍ଗିଯିବାରୁ ଓଦା ହୋଇ ରାତି ଦଶଟାରେ ଫେରିଥିଲି ।

ଲୁଗା ବଦଳି ଗୋଟାଏ ଧୂପ ଓ ଗୋଟିଏ ଫୁଲ ମୋର ବୋହୂ ଉଦ୍ଦେଶ୍ୟରେ ଦେଇ ମୁଣ୍ଡିଆ ମାରିଥିଲି । ପ୍ରତିଦିନ ସେହିପରି ଥରେ ପ୍ରାର୍ଥନା କରେ ।

ଏମିତି ପ୍ରାୟ ବାର ଚଉଦ ଦିନ ହୋଇଗଲାପରେ ଦେଖିଲି ଯେ ଆଉ ଫୁଲ ଦେବାକୁ ଅବା ଧୂପ ଦେବାକୁ ଇଚ୍ଛା ହେଉ ନାହିଁ । କିଛି ଭାବି ନ ପାରି ସେତକ ବନ୍ଦ କଲି । ମନେହେଲା ଯେ ଅମିତାର ଶ୍ରାଦ୍ଧ ପରେ ହୁଏତ ତାହାର ଅଶାନ୍ତ ଅଶରୀରୀ ଶାନ୍ତି ପାଇଛି ।

 

ମୋର ଅନୁଭୂତିକୁ କାହାରିକୁ ଜଣାଇ ନଥିଲି । ସେଇ ସମୟରେ ଅର୍ଥାତ୍‌ ସେଇ ଅଗଷ୍ଟ ଶେଷଆଡ଼କୁ ଶୈଳଦେବୀ ଦିନେ କହିଲେ ଯେ ସେ ଅମିତାକୁ ସ୍ୱପ୍ନରେ ଦେଖିଥିଲେ । ସେ କହିଲେ ଯେ ଭଲରେ ରହିଛନ୍ତି । କଷ୍ଟ ପାଉଥିଲେ ।

 

ମନରେ ସନ୍ଦେହ ରହିଲା ଯେ ଅପମୃତ୍ୟୁ ଆତ୍ମହତ୍ୟା ଇତ୍ୟାଦିରେ କ’ଣ ଆତ୍ମା ଏତେ ଶୀଘ୍ର ଶାନ୍ତି ପାଇପାରେ ? କିନ୍ତୁ ଅମିତାର ଶାଶୁଘର କହନ୍ତି ଯେ ଥରେ ଖରାବେଳେ ସେମାନେ ସ୍ୱପ୍ନରେ ଅମିତାକୁ ଦେଖିଥିଲେ—ମୃତ୍ୟୁର ଦୁଇତିନି ଦିନ ମଧ୍ୟରେ । ଆଉ କେବେ ଦେଖନ୍ତି ନାହିଁ କିମ୍ବା ତାହାର ରହିବା ଘରର ପରିସରରେ ଭୟ ବା ସେପରି କିଛି ବିଶେଷ କଥା ଜାଣି ନାହାନ୍ତି ।

 

ତେବେ କ’ଣ ଅମିତା ଥିଲା ଦେବତ୍ୱର ଅଧିକାରୀ ? କିଛି ବିଶେଷ କାରଣ ପାଇଁ ସେ ତାହାର ନିଜ ଲୋକଙ୍କୁ କ୍ଷତିଗ୍ରସ୍ତ କରି ବିଭା ହୋଇଥିଲା ଓ ଆଉ ଅଳ୍ପ କେଇଟା ଦିନରେ ତାହାର ଶାଶୁଘର ଲୋକଙ୍କୁ—ଶାଶୁ ନଣନ୍ଦଙ୍କୁ ଓ ଶାଶୁଘରର ବହୁତ ବିଶିଷ୍ଟ ବ୍ୟକ୍ତିଙ୍କୁ ନିନ୍ଦା ଦେଇ ଚାଲି ଯାଇଥିଲା ?

 

କିଏ ଜାଣେ କର୍ମବନ୍ଧନ କିପରି ଭାବରେ ତାହାର କାର୍ଯ୍ୟ ଦେଖାଏ ? ଏଇ ଘଟଣାଟିର ଆକାର, ପ୍ରକାର, ବିସ୍ତୃତି ଓ ତାତ୍ପର୍ଯ୍ୟ ବଡ଼ ବିଚିତ୍ର ମନେହୁଏ ।

 

ପ୍ରତିଦିନ ଏଠି ସେଠି ପ୍ରକାଶ ଯୋଗ୍ୟ ବୋହୂ—ପୋଡ଼ି, ବୋହୂ—ଦଉଡ଼ିଦିଆ, ବୋହୂ–ଅପମୃତ୍ୟୁ ପ୍ରକାଶ ପାଉଛି । କିନ୍ତୁ ଅମିତା ସମ୍ପର୍କରେ ଯେଉଁ ଆକାରରେ ମୃତ୍ୟୁ ପରବର୍ତ୍ତୀ ଘଟଣାମାନ ଘଟିଛି ସେଇଟା ରୁଟିନ୍‌ ପରି ମନକୁ ଲାଗେ ନାହିଁ ।

 

ଏହିପରି ଗୋଟିଏ ଘଟଣା ଆବଶ୍ୟକ ଥିଲା—ଏହାର ଅଭିନେତାମାନେ ଏଥିରେ ଈଶ୍ୱରଙ୍କର ନିମିତ୍ତ ମାତ୍ର ।

 

ସମାଜ ତା ୧୪/୧୦/୮୪ ପୃ ୫

 

ବିବାହିତା ଯୁବତୀଙ୍କ ଆତ୍ମହତ୍ୟା । ପାରାଦ୍ୱୀପ—ତା ୧୨/୧୧/ଗତ କାଲି କୁଜଙ୍ଗ ଥାନା ତାଳଦଣ୍ଡା ଗ୍ରାମର ଶ୍ରୀ ଯଶୋବନ୍ତ ମୁଦୁଲିଙ୍କର କୋଡ଼ିଏ ବର୍ଷ ବୟସ୍କା ବିବାହିତ କନ୍ୟା ଶ୍ରୀମତୀ ନିରୁପମା ରଣା ରସି ଲଗାଇ ଆତ୍ମହତ୍ୟା ଖବର ମିଳିଛି । ଗତକାଲି ପୂର୍ବାହ୍ନ ଦଶଟାରେ ମୃତା ଶ୍ରୀମତୀ ରଣା ନିକଟବର୍ତ୍ତୀ ଶିବ ମନ୍ଦିରକୁ ଯାଇ ଦର୍ଶନ କରି ଆସିବା ପରେ ପ୍ରାୟ ଏଗାରଟା ବେଳେ ଘର ଭିତରେ ରସି ଦେଇ ଆତ୍ମହତ୍ୟା କରିଥିବା ପ୍ରକାଶ । ଗତ ଅପ୍ରେଲ ମାସରେ ନିରୂପମାଙ୍କର ନିଶ୍ଚିନ୍ତକୋଇଲିରେ ବିବାହ ହୋଇଥିଲା । ଏହି ଆତ୍ମହତ୍ୟା ଘଟଣା ସମ୍ପର୍କରେ ବିଭିନ୍ନ କଥାମାନ ଶୁଣାଯାଉଛି । ପୋଲିସ ଘଟଣାର ତଦନ୍ତ ଚଳାଇଛନ୍ତି (ନିଜ ପ୍ରତିନିଧି)

 

ନିଜ ଘରେ ଓ ଶାଶୁଘରେ ଏକା ଘଟଣା ଘଟିଲେ ଅର୍ଥ ପୁରା ବିପରୀତ ହୋଇଯାଏ । ଅମିତାର ମୃତ୍ୟୁ କଟକରେ ନ ହୋଇ ଭୁବନେଶ୍ୱରରେ ବାପଘରେ ହୋଇଥିଲେ ବୋଧହୁଏ ଅମିତାର ତଥାକଥିତ ଚିଠିପତ୍ର ଓ ମର୍ମସ୍ପର୍ଶୀ ମିଥ୍ୟା ପ୍ରତ୍ୟୟମାନ କେଉଁ ରୂପ ନେଇଥାନ୍ତା କେବଳ କଳ୍ପନା କରି ହେବ ।

 

କଟକରେ ନ ହୋଇ ଦିଲ୍ଲୀରେ ହୋଇଥିଲେ ଏହାର ମାରାତ୍ମକତା କେବଳ ଅନୁମାନ କରିବା କଥା । ଆଉ ଅନୁମାନ କରିସାରିଲେ ଯେ କୌଣସି ଗୃହୀ ଲୋକ ଈଶ୍ୱରଙ୍କୁ କୃତଜ୍ଞତା ଜଣାଇବ ଯେ ସେ ଯାହା କରିଛନ୍ତି ପ୍ରକୃତରେ ପ୍ରାଣୀର ମଙ୍ଗଳ ପାଇଁ ।

 

ଚଉଦ ଅଗଷ୍ଟ ୧୯୮୪ ।

 

ସେଦିନ ଅମିତାର ବି ଏ. ପରୀକ୍ଷାର ସପ୍ଲିମେଣ୍ଟାରୀ ଭାଗ ପାଇଁ ଫର୍ମ ପୂରଣ ଦିନ । ଆଗଦିନ ଘରୋଇ ପରୀକ୍ଷାର୍ଥୀ ଫର୍ମ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ଅଣା ହୋଇଥିଲା ।

 

ଅମିତାର ଅନେକ ପାସପୋର୍ଟ ଫଟୋ ବିଭିନ୍ନ ଖବର କାଗଜରେ ବାପା ଭାଇ ଏବେ ଛପାଇଛନ୍ତି । କିନ୍ତୁ ଅମିତାର ଆପ୍ଲିକେସନ ଫର୍ମ ପାଇଁ ଫଟୋ ମଗାଯାଇଥିଲା । ଦେବୀ ପ୍ରସନ୍ନ ବାବୁ ଖୋଜି ପହୁଞ୍ଚାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ । ଫଟୋ ଆସିଲା ନାହିଁ । ତେଣୁ ଶଶୁର ମୁଚାଲିକା ଦେଲେ ଯେ ଫଟୋ ଆଣି ଦାଖଲ କରିଦେବେ ।

 

ସେଦିନ ଅମିତା ସକାଳେ ରାଜନୀତି ବିଜ୍ଞାନ ପଢ଼ିଛି । ଉତ୍ତର ଲେଖିଛି । ଇଂରାଜୀ ବହିର ତାଲିକା ଓ ସିଲାବସ ନଥିବାରୁ ଅନୁମାନରେ ପୋଏଟି ଆରମ୍ଭ ହେବାର କଥା ଶୋଇ ଉଠିବା ପରେ ।

 

ସେଇଦିନ ଉପର ଓଳି ପାଇଁ ଅମିତା ଦୋସା କରିବା ସକାଶେ ଚାଉଳ, ବିରି ବତୁରାଇ ଥିଲା । ଉପରଓଳି ଚାକରାଣୀ ଆସିଲେ ବାଟିବ ଓ ବୋହୂ ଦୋସା କରିବ ।

 

ଶାଶୁ ପୂଣ୍ୟପ୍ରଭା ଦେବୀ କହିଲେ ଆଳୁ ତରକାରୀ କରି ରଖି ଦେବାକୁ । ଅମିତା ରାଜି ନ ହୋଇ କହିଲା ଯେ ଖୁବ ଅଳ୍ପ ସମୟ ଲାଗିବ । ସେତକ ସେ ଉପରଓଳି କରିଦବ ।

 

ଠିକ ଏମିତି ହୋଇଥିଲା ଭୁବନେଶ୍ୱରରେ ମୋର ବୋହୂର ଜଣେ ଧରମ ମାଆଙ୍କର ଆତ୍ମହତ୍ୟାରେ । ସେ ମୋର ବୋହୂକୁ ଭଲ ପାଉଥିଲେ ଓ ବୋହୂକୁ କହୁଥିଲେ ଯେ ସେ ଅମିତା ଓରଫ ମାମୀ ବାହାଘର ଭଲ କରି ମାଛ ଓ ଖିରି ଖାଇବେ ।

 

ହଠାତ୍‌ ଧରମ ମାଆ ନିଜ ଦେହରେ କିରାସିନୀ ଢାଳି ଦି’ ପହରରେ ନିଆଁ ଲଗାଇ ଦେଲେ । ପୋଡ଼ିଯାଇ ମରିଗଲେ । ସେଇ ଘଟଣା ଘଟିଥିଲା ମୋର ବୋହୂ ଅମିତାର ବିଭାଘର ଦୁଇ ତିନି ଦିନ ଆଗରୁ । ଧରମ ମାଆ ମଧ୍ୟ ଦୋସା କରିବାକୁ ବିରି ଚାଉଳ ତିନ୍ତାଇ ରଖିଥିଲେ ।

 

କିଏ ଜାଣେ ମୋର ବୋହୂକୁ ତାହାର ସେହି ଆତ୍ମଘାତିନୀ ଧରମ ମାଆ ଦେଖାଦେଇ କିଛି ପ୍ରବର୍ତ୍ତନା ଦେଉଥିଲା କି ନାହିଁ?

 

ମୋର ବୋହୂ ଏଣେ କଟକର ବାହାଘର ରିସେପସନ ଓ ଚଉଠି ପରେ ଦିନେ ଦୁଇ ଦିନରେ ତାହାର ସ୍ୱାମୀକୁ କହିଲା ଯେ ତାହାର ଆତ୍ମହତ୍ୟା କରିବାକୁ ଇଚ୍ଛା ହେଉଛି ।

 

ବ୍ୟସ୍ତ ହୋଇ ମୋର ଭଣଜା ତାହାର ମାଆକୁ କହିଲା । ସମସ୍ତେ ବିବ୍ରତ ହୋଇପଡ଼ିଲେ ଯେ ବାହାଘର ବାସି ତିଆସି ହେବାଆଗରୁ ଏତେ ଝିଅଙ୍କ ଭିତରେ ବଛା ବୋହୂଟିର ଇଏ କି ଖିଆଲ ?

 

ବୋହୂ ଅଭିଯୋଗ ଆଣିଲା ତାହାର ସ୍ୱାମୀ ଉପରେ ଯେ ସେ ଗୋଟାଏ ଗୋପନ କଥାକୁ ପ୍ରକାଶ କରିଦେଲା । ମୋର ବୋହୂ ଅନ୍ୟମାନଙ୍କ ଦୃଷ୍ଟିରେ ଦୋଷୀ ପରି ହେଉଛି ।

 

ତା’ପରେ ଏସବୁ ବାଚାଳତା ବନ୍ଦ ରହିଲା । ମଙ୍ଗଳାବାଗରେ ଅଳ୍ପ କେଇଦିନ କଟାଇ ଦିଲ୍ଲୀ ଗଲା । ସେଠି ମଧ୍ୟ ସେଇ ଆଶଙ୍କାପ୍ରଦ କାହାଣୀ—ଅସ୍ଥିରମନାର ହୀନମନ୍ୟତା ଓ ପରାଜୟ ଭୀତିର ଅସଂଲଗ୍ନ କାହାଣୀ । ସେହି କାହାଣୀର ପାଦଚିହ୍ନ ପଡ଼ିଥାଏ ମାନସିକ ରୋଗର ଚିକିତ୍ସା କ୍ଲିନିକ ଆଡ଼କୁ—କଟକରେ ସେଇଟା ଯାଏ କାଳିଗଳିର ବିଶେଷଜ୍ଞ ଡାକ୍ତର ପାର୍ଥ ରାଓଙ୍କର ପ୍ରାସାଦ ଆଡ଼କୁ । ଦିଲ୍ଲୀରେ ସେଇଟା ଥାଏ ସବୁ ଆଡ଼କୁ । କାରଣ ଦିଲ୍ଲୀ, ମହାନଗରୀରେ ମାନସିକ ରୋଗର ଅସଂଖ୍ୟ ପାହାଚ ।

 

ହିସାବ କହେ ଯେ ମାନସିକ ରୋଗୀ କଟକ, ସମ୍ବଲପୁର, ବ୍ରହ୍ମପୁର, ଭୁବନେଶ୍ୱର ପରି ସହରରେ ପ୍ରତି ଶହେ ଲୋକରେ ଜଣେ ।

 

କଟକ-ଭୁବନେଶ୍ଵର ଅବା ବ୍ରହ୍ମପୁର-ଛତ୍ରପୁର କିମ୍ବା ସମ୍ବଲପୁର-ହୀରାକୁଦ ପରି ଗାଁଉଲୀ ଅଞ୍ଚଳରେ ଲୋକସଂଖ୍ୟାର ପ୍ରତି ଦୁଇ ଶହରେ ଜଣେ ମାନସିକ ରୋଗୀ ।

 

ଶିଳ୍ପ ନଗରୀ ରାଉରକେଲାକୁ ଗଲେ ଦେଖାଯାଉଛି ଯେ ମାନସିକ ରୋଗୀ ବାହାରୁଛନ୍ତି ଦୁଇଶହ ଲୋକରେ ତିନିଜଣ ।

 

ଭାରତର ରାଜଧାନୀରେ ଏହି ରୋଗ ସଂଖ୍ୟା ଶହେରେ ଦୁଇ ଜଣରୁ ତିନିଜଣ ।

 

ଆଉ ମହାନଗରୀରେ ଅସଂଖ୍ୟ ରୋଗୀ ଓ ଅସଂଖ୍ୟ ବିଶେଷଜ୍ଞଙ୍କୁ ଚଳାଇବାକୁ ଅନେକ ପ୍ରକାରର ଜୀବନ—ନିର୍ବାପକ ସମସ୍ୟା ।

 

କଥା ହୋଇଥିଲା ଯେ ମୋର ବୋହୂ ମାନସିକ ରୋଗର ବିଶେଷଜ୍ଞ ପାଖକୁ ନିଆଯିବ–ସେଇ ଦିଲ୍ଲୀରେ ।

 

ଏହି ଖବର ପାଇ ଶାଶୁ ବ୍ୟସ୍ତ ହୋଇପଡ଼ିଲେ । କ’ଣ ଏମିତି ହେଲା ଯେ ପୂଣ୍ୟପ୍ରଭା ଦେବୀ ବୋହୂର ଏମିତିକା ପୁଟୁକା ମନକୁ ଧରି ପାରିଲେ ନାହିଁ । ଅନ୍ୟାନ୍ୟ ବିଷୟରେ ସିନା ସିଏ ଠକେଇରେ ପଡ଼ିଗଲେ । କିନ୍ତୁ ତାଙ୍କର ଆଦରର ବୋହୂର ଯେ ପାଗଳାମି ଥାଇପାରେ ଏତକ ସନ୍ଦେହ ମଧ୍ୟ କରିପାରିଲେ ନାହିଁ ।

 

ଏହି ଅସାବଧାନତା ପାଇଁ ଶାଶୁ ନିଜର ବୁଦ୍ଧି ନ ଥିବା କଥା ମାନିଯିବା ଉଚିତ୍ । ତା’ ନ କରି ଦୋଷକୁ ନେଇ ଫେରିବାଲା ଅବା ମାଉସୀଙ୍କ ଉପରେ ଜିନିଷର ଭଲମନ୍ଦ ପାଇଁ ଦୋଷ ଲଦିବା ଭୁଲ୍‌ । କାଳେ ଏଇ ସବୁ ଖୁଣ ପଦାକୁ ଜଣାପଡ଼ିବ ସେଥିପାଇଁ ବୋହୂର ବାପଘର ଆଡ଼ୁ ଖବରକାଗଜ ଚଢ଼ାଉ ଚାଲିଛି ।

 

ଶାଶୁ ନିଜର ବଛାବଛିର ଓଲାମି ବାହାରେ ପଡ଼ିବା ଡରରେ ଭାବିଲେ ଯେ ସେ ଆଗ ବୋହୂକୁ ଭଲକରି ଯତ୍ନକରି ପରୀକ୍ଷା କରିବେ । ତା’ପରେ ତାହାପାଇଁ ଚିକିତ୍ସାର ବ୍ୟବସ୍ଥା ହେବ ।

 

ସେଥିପାଇଁ ଓ ବି.ଏ. ପରୀକ୍ଷା ଦେବା ପାଇଁ ଓ ଦିଲ୍ଲୀର ଚଳନିକୁ ଚଳନସହି ଇଂରେଜି, ହିନ୍ଦୀ ବାତ୍‌, ଟେବୁଲ ଖାନା ଔର ଖାନା ପକ୍‌କନା ଔର ଥୋଡ଼େସେ ଇଲମ୍‌ ଲେନା କାମରେ କଟକ ଆଣିଲେ ।

 

ଶାଶୁଙ୍କର ପ୍ରସ୍ତାବ ଥିଲା ଯେ ବୋହୂ ଦିଲ୍ଲୀରେ ପୁଅର ସାହାଯ୍ୟ ନେଇ ବି. ଏ ପରୀକ୍ଷା ପାଇଁ ପ୍ରସ୍ତୁତ ହେବ । ଏଣେ ନଣନ୍ଦ ନନ୍ଦିନୀର ଏମ .ଏ. ପରୀକ୍ଷା ସରିଗଲେ ଏଠି ସେ ପହୁଞ୍ଚିବ

 

ଏହି ପ୍ରସ୍ତାବ ରହି ପାରିଲାନାହିଁ । କାରଣ ଦିଲ୍ଲୀରେ ପ୍ରାୟ ପ୍ରତିଦିନ ନୂତନ ନୂତନ ଉପସର୍ଗ ଦେଖାଗଲା । ବିଚରା ସ୍ଵାମୀ ବୋହୂକୁ ବାଛିବାକୁ, ବିଭା ହେଇ ଘରକୁ ଆଣିବାକୁ ଓ ଘରେ କିଛିଦିନ ରହିବାକୁ ପ୍ରାୟ ଦୁଇମାସ ଛୁଟି ସାରି ଦେଇଥାଏ । ଏଣେ ବୋହୂର କାନ୍ଦ ଯେ ସ୍ୱାମୀ ଛୁଟି ନେଇ ଘରେ ତାହାର ସେବା କରନ୍ତୁ ଆଉ ତାକୁ ସବୁବେଳେ Cheer up କରୁଥାନ୍ତୁ ।

 

ହତଭାଗ୍ୟ ସ୍ୱାମୀଟି ବାଧ୍ୟରେ ଅନେକ ଛୁଟି ମଧ୍ୟ ନେଲା । କିନ୍ତୁ ମାଆ ପରି ବସି ଔଷଧ ଖାଇବା ସମୟ ଜଣାଇବା ଓ ଔଷଧ ଖାଇବାକୁ ଖୁସାମଦ କରିବା ଇତ୍ୟାଦି ନାରୀସୁଲଭ ଆଗ୍ରହକୁ ତେଜେଇବାକୁ ଛୁଟି ମିଳିଲା ନାହିଁ ।

 

ଯେଉଁମାନେ ଆଜି ମୋର ବୋହୂ ବିଷୟରେ ବହୁତ ବହୁତ ବୟାନ ଦେଉଛନ୍ତି ସେମାନେ ଏତକ ଦୟାକରି କରାଇବା ଉଚିତ୍‌ ଥିଲା । କାରଣ ଘର ଲୋକ ଜାଣନ୍ତି କେଉଁ ଠାକୁରାଣୀଙ୍କର ମନର ଛିଦ୍ର କେଉଁଠି କେଉଁଠି କେତେବେଳେ ପ୍ରକାଶ ପାଏ ।

 

ବର୍ଷର ମେ, ଜୁନ, ଜୁଲାଇ ମାସ ତିନୋଟି ଦିଲ୍ଲୀରେ କିପରି ଆନନ୍ଦଦାୟକ ଅବଶ୍ୟ ମୋର ସମୁଧି ବ୍ରଜବାବୁ ଓ ତାଙ୍କର ସଢ଼ୁମାନେ ଖୁବ୍‌ ଭଲ ଭାବରେ ଜାଣୁଥିବେ । ସେଇଠି ଅମିତାର ପ୍ରଗଳ୍‌ଭ ଜୀବନ ଦିନେ ଦିନେ ହୋଇ ଛିଣ୍ଡି ଆସୁଥିଲା ।

 

ହାତ ପାପୁଲିରେ ମୋର ବୋହୂ ବେଲଣା କାଠି ଧରି ଅଟା ବେଲି ପାରିଲା ନାହିଁ । କ’ଣ ହେଉଛି ପଚାରିଲେ କାନ୍ଦେ ଓ କହେ ଯେ ଅମିତା କେଉଁ ଆଡ଼କୁ ହେଲା ନାହିଁ । ସବୁ ଦିଗରେ ଅଯୋଗ୍ୟ ।

 

ଅଟା ଚକୁଳି ଖାଇ ବିରକ୍ତ ଲାଗିଲେ ଚାଲ ହୋଟେଲ ରେଷ୍ଟୁରାଣ୍ଟ । ମଟର ସାଇକଲ ଅଛି । ଖାଇବା ପାଇଁ ପଇସା ଅଛି ଖୁଆଇବା ପାଇଁ ମନରେ ଅସୀମ ଦରଦଭରା ପ୍ରୀତି ଅଛି । ସେଥିରେ ସମସ୍ୟା କମ୍‌ ଉଷ୍ଣ ଅଶ୍ରୁ ବୋହିବାର କାରଣ ମଧ୍ୟ ଯଥେଷ୍ଟ କମ୍‌ ।

 

ମୋର ବୋହୂ କାହିଁକି ଏହି ସବୁ ବାଜେ କଥା ତାହାର ମାଆ ବାପାଙ୍କୁ ଲେଖିବ ? ସେମାନେ ଖାଲି ବ୍ୟସ୍ତ ହେବେ ।

 

—କ’ଣ ଶୈଳଦେବୀ ? ଇଏ କ’ଣ ? ଦୁଇନମ୍ବର ୟୁନିଟ୍‌ରେ କ’ଣ ପରଟା, ପୁରୀ ଆଦି ହୁଏ ନାହିଁ ?

 

—ତମେ ବି ସେମିତିକା ଓଲୁ । ବିଶ୍ୱାସ କରୁଛ ଏ ସବୁ ବାଜେ କଥାକୁ ।

 

—ଆରେ ତୁମର ତିରିଶି ପଇଁତିରିଶି ବର୍ଷର ବାଂଧବୀଙ୍କୁ ପଚାର । ଯଦି ଦରକାର ହୁଏ ଆମେ ସାହାଯ୍ୟ କରିବା । ନ ହେଲେ ଗୋଟିଏ ପରିବାର ଉଜୁଡ଼ିଯିବ । ...କେଜାଣି ଗୋଟାଏ ଘରୁଆ ଘରର ଝିଅ ଖାଲି ଉସୁନା ଅରୁଆ ଚାଉଳ ଫୁଟେଇ ଜାଣିଛି । ପୁରୀ ପରଟା ଜାଣେ ନାହିଁ । ...କିଏ କହିବ ଏଇ ଓଡ଼ିଶା କଥା ?

 

—ରଖ, ରଖ । ମୁଁ ଜାଣେ ସେମାନେ ଫାଷ୍ଟକ୍ଲାସ ରାନ୍ଧିବାବାଲା । ତୁମ ଘରଠାରୁ ଭଲ ଖାଆନ୍ତି ।

 

—ହଁ, ହବ ଯେ । ତେବେ ଏମିତି ଗୋଟାଏ ସମ୍ବାଦ ଆସୁଛି କେମିତି ?

 

—କିଏ କହୁଛି ?

 

—କହୁଛନ୍ତି ଦିଲ୍ଲୀ ପ୍ରବାସରେ ଥିବା ଓଡ଼ିଆ ଲୋକ । ପୂଣ୍ୟପ୍ରଭା ଦେବୀଙ୍କର ବନ୍ଧୁ ବାନ୍ଧବ । ଟେଲିଫୋନରେ କହି କଟକକୁ ଆଚମ୍ୱିତ କରି ଦେଉଛନ୍ତି । ଏଣେ ଶାଶୁ ଅତ୍ୟନ୍ତ ବିବ୍ରତ । ତେବେ ହୋଟେଲରେ କେତେ ଦିନ ଖାଇବେ ? ଦରମା ଅଣ୍ଟିବ ତ ? କଟକରେ କରଜ ରହିଛି । ଏଠୁ ଦିଲ୍ଲୀକୁ ଟଙ୍କା ପଠାଯିବ କେମିତି ?

 

ଅମିତାଙ୍କର ବାପଘରେ ଆନନ୍ଦର ହିଲ୍ଲୋଳ—ଦେଲା ନାରୀ, ହେଲା ପାରି । ଶ୍ରୀ ହରମୋହନ ପଟ୍ଟନାୟକଙ୍କର ସମସ୍ତ ପଦାର୍ଥ ପାଇପ ଲାଇନ କାଢ଼ିବ ବାହାର ଆଡ଼କୁ । ସାମ୍ୟବାଦ ହେବାକୁ ଯାଉଛି । କଟକ ମଙ୍ଗଳାବାଗ ଘର ଓ ଜମିରେ ମିଶିଯିବ ପୁରୀ ବାସେଳୀ ସାହୀର ଜମି । ଉଭୟେ ପଟ୍ଟନାୟକ—ଜଣେ ଆସିଥିଲେ ବାଙ୍କିଗଡ଼ରୁ ଓ ଆରଜଣକ ତାପଙ୍ଗଗଡ଼ (ନିରାକାରପୁରରୁ) । ଖରାପ କ’ଣ ?

 

ସୁବିଧା ମଉସୁମ ଦେଖି ବିପ୍ଳବୀ ଦେବୀବାବୁ ଅନେକ ପ୍ଲାନ କରିବା ଆରମ୍ଭ କରିଦେଲେଣି ।

 

ଅଖିଆ ବାବାଜୀ ଭଜନ ଟାଣ

 

ଅଖିଆ ଗଉଡ଼ କଞ୍ଚା (ପରିବା ) ପଠାଣ

 

ଅଖିଆ ଛଞ୍ଛାଣ ଉଡ଼ଇ ଉଞ୍ଚ

 

ଅଖିଆ ମାହାନ୍ତି କରଇ ପାଞ୍ଚ ।

 

ଓଡ଼ିଶାରେ ପ୍ରସିଦ୍ଧ କ୍ଷତ୍ରିୟପନ୍ଥୀ କରଣ ଶ୍ରୀ ନବକିଶୋର ମହାପାତ୍ରଙ୍କର ଚିନ୍ତାଧାରାର ନିର୍ଯ୍ୟାସ । ଏଥିରେ ସତ ଓ ସତ କଥା ପୂରା ହୋଇରହିଛି ।

 

—ଆହେ ଶୈଳ ଦେବୀ, ଦୟାକରି ଭୁବନେଶ୍ୱର ଯାଅ । ବୁଝ । ଆମେ ଯେତେ ଅଦରକାରୀ ହେଲେ ବି ଏଇଟା ଆମର ସାଧାରଣ କର୍ତ୍ତବ୍ୟ ।

 

—ଓଃ, ଭଉଣୀ ସୁଆଗ ବାହାରିଲାଣି ! ଜାଣିଛ ତୁମର ଭଉଣୀମାନେ ମତେ ଅନେକ ଥର ଆତ୍ମହତ୍ୟା ଆଡ଼କୁ ଠେଲିଛନ୍ତି । ଆମର କିଛି କରିବାର ନାହିଁ । ଏହି ସବୁ କାମରେ ମୁଁ ସହଯୋଗ କରିବି ନାହିଁ । .....କରିବି ନାହିଁ.... କରିବି ନାହିଁ ।

 

ଏଣେ ଶାଶୁ ମଧ୍ୟ ପାଟି ବନ୍ଦକରି ଭାବୁଥାନ୍ତି—ମୁଁ କାହାକୁ କହିବି ନାହିଁ—କହିବି ନାହିଁ–କହିବି ନାହିଁ ।

 

ଗୋଟାଏ ନିରପରାଧ ସ୍ୱାମୀର ଅସହାୟ ଆଖି ଆଗରେ ତାହାର ନବ ବିବାହିତା ଅପରିପକ୍ୱ ମାନସିକ ସ୍ତରର ଅର୍ଦ୍ଧଶିକ୍ଷିତା ସ୍ତ୍ରୀ ଧୀରେ ଧୀରେ ଖସୁଛି ମାନସିକ ବିକୃତିର ଆବଡ଼ାଖାବଡ଼ା ବାଟରେ ।

 

ବୋହୂ ଅମିତା କହୁଛି କିଛି ଲେଖ ନାହିଁ କଟକର ମଙ୍ଗଳାବାଗକୁ । ମୋର ଭାବମୂର୍ତ୍ତି ବିଗଡ଼ିଯିବ । ଭୁବନେଶ୍ୱରର ଦୁଇନମ୍ବର ୟୁନିଟ୍‌ରୁ କ’ଣ ଇଲମ ଆସୁଥିଲା କି ନ ଆସୁଥିଲା ସେ କଥା ମୋର ସେହି ସବ୍‌-ଷ୍ଟାଣ୍ଡାର୍ଡ ବୋହୂ ଜାଣୁଥିବ । ଆଜିର ଦରଦୀ ଡାକ୍ତର ଭାଇ ସବ୍ୟସାଚୀ ବାବୁ ରହିଲେଣି କେଉଁଠି ? ଦେବୀପ୍ରସନ୍ନ ବାବୁଙ୍କର ବୁଦ୍ଧିର ଘେରକୁ ଡେଇଁ ସମସ୍ୟା ବଢ଼ିଗଲାଣି-

 

ବାଧ୍ୟରେ ଠାକୁରଙ୍କର ପୂଜା କରିବା ଛଡ଼ା ଆଉ କ’ଣ ଅଛି ? କେନ୍ଦୁଝର ଘୋଡ଼ା ଉପରେ ବନ୍ଧୁ ପାଢ଼ୀବାବୁଙ୍କୁ ଚଢ଼େଇ ଦେଲାପରି ବିଚକ୍ଷଣ ବ୍ରଜବଲ୍ଲଭ ବାବୁ ନିଜର ସି.ଟି. ଓ ଅଭିଜ୍ଞତାରେ ଝିଅକୁ ବାହାବେଦୀରେ ଚଢ଼େଇ ଦେଇ ତାଙ୍କର ବଡ଼ ଜୋଇଁ ଚିତ୍ତବାବୁ ଓ ବଡ଼ ବୋହୂଙ୍କର ଭବିଷ୍ୟତ କଳ୍ପନା କରିବାରେ ଆଗ୍ରହୀ । ମାମି କଥା କିଏ ପଚାରେ ? ବଡ଼ଲୋକ ଘରର ଗୋଟିଏ ମାତ୍ର ବୋହୂ । ସେମାନେ ମରି, ସରି, ପଡ଼ି ପୋତି ହୋଇ ସବୁ ସମ୍ଭାଳି ନେବେ ।

 

କିନ୍ତୁ କାହାରି କାହାରି ସାଙ୍ଗରେ ଯୋଗାଯୋଗ ରହିଲା ନାହିଁ । ପୂଣ୍ୟପ୍ରଭା ଦେବୀଙ୍କର ଶୈଳଦେବୀ କେହି ନୁହନ୍ତି । ସମୁଦୁଣୀ ଶାନ୍ତିଦେବୀଙ୍କର ପୂଣ୍ୟପ୍ରଭା ଦେବୀ କେହି ନୁହନ୍ତି । ବୋହୂ ଅମିତାଦେବୀଙ୍କର ପୂଣ୍ୟପ୍ରଭା ଦେବୀ କେହି ନୁହନ୍ତି । ଭାଇ ସବ୍ୟସାଚୀ ବାବୁ ଡାକ୍ତର ଓ ଦେବୀବାବୁ ସାମ୍ୱାଦିକ ଆମର କିମ୍ୱା ମାମିର ବର, ବା ଭୁବନେଶ୍ୱର କଟକର କମନ୍‌ ରିଲେସନ୍‌ ବା କଚେରୀ ରିଲେସନଙ୍କର କେହି ନୁହନ୍ତି ।

 

ଏପରିକି ଶୈଳଦେବୀଙ୍କର ଏକମାତ୍ର ଭାଇ ଗୌରପ୍ରସାଦ ବାବୁଙ୍କର ଅଫିସରେ ମୋର ବୋହୂ ଅମିତାର ଭାଇ ଲଡ଼ୁବାବୁ କୋଅପରେଟିଭ ଇନସପେକ୍ଟର । ଗୌରବାବୁ ମଧ୍ୟ କିଛି ଜାଣିଲେ ନାହିଁ । ଗୌରବାବୁଙ୍କର ସ୍ତ୍ରୀ ଟୁନି ଦେବୀ ସହରର ମୋଚିସାହୀ ଛକର ଝିଅ । ସେ ମଧ୍ୟ ଜାଣିଲେ ନାହିଁ ।

 

ସବୁଆଡ଼େ ସମସ୍ତେ ଚୁପ୍‌ଚାପ । ଏଣେ ଗୋଟିଏ ଅସହାୟ ବୋହୂ ଧୀରେ ଧୀରେ ଗଡ଼ୁଛି ବିଷ୍‌ଫୋରଣ ଆଡ଼କୁ ।

 

ମୋର ବୋହୂର ବାପା ମାଆ, ମଉସା ମାଉସୀ, କିମ୍ୱା ଭାଇ କେହି ଜଣେ ଏହି ଆଶଙ୍କାକୁ ସତ ମନେ କରି କଟକର ମଙ୍ଗଳାବାଗ, ଅବା କଟକର ତେଲଙ୍ଗା ବଜାର ଅବା ଭୁବନେଶ୍ୱରର ନଅ ନମ୍ବର ୟୁନିଟ୍‌ କିମ୍ୱା ତିନି ନମ୍ୱର ୟୁନିଟ୍‌ରେ ବୀରବାବୁଙ୍କ ଘରକୁ କିମ୍ୱା ଦିଲ୍ଲୀକୁ ଯାଇ ପାରିଲେ ନାହିଁ । ଏପରିକି ଚକାଡ଼ୋଳା ଜଗନ୍ନାଥଙ୍କୁ ନିଜର ଦୁଃଖ ଜଣାଇ ପାରିଲେ ନାହିଁ ।

 

ବୋହୂ କଟକକୁ ନଆସି ଭୁବନେଶ୍ୱରକୁ ଆସିବାର କାରଣ ମଧ୍ୟ କେହି କେବେ ଥରେ ହେଲେ କାହାରିକୁ ଜଣାଇଲେ ନାହିଁ । ନିଜର ଝିଅ ମାନସିକ ରୋଗୀ କି ନୁହେଁ—ସେ କଥା ମୋର ବୋହୂର ତେଇଶି ବର୍ଷ ଜୀବନକାଳ ମଧ୍ୟରେ ଅଛପା ରହିଗଲା ।

 

ଆଉ ଏମିତି ନିଆଁକୁ କାନିରେ ବାନ୍ଧି ଲୁଚେଇବା ଫଳରେ ଗୋଟିଏ ଜୀବନ ନଷ୍ଟ ହେଇଗଲା । ଶାଶୁ ଜେଲଖାନା ଦେଖିଲେ ନିଜେ ହୁଏତ ବିକଳ୍ପ କିଛି କରିପାରେ ଅବା ନ ପାରେ, କିନ୍ତୁ ମୋର ବୋହୂ ଅମିତାର ମୃତ୍ୟୁ ପାଇଁ ଦାୟୀ ତାହାର ନିଜର ପରିବାର ଓ ଆଜିର ମଧୁରଭକ୍ତିଆ ବଂଧୁ, ଜ୍ଞାତି ଓ ପରାମର୍ଶଦାତାମାନେ ।

 

ସେମାନେ ନଈରେ ହଜେଇ ପୋଖରୀ ଉଝାଳୁଛନ୍ତି । ସାବାସ୍‌ କରଣମାନେ, ଏହିପରି କାର୍ଯ୍ୟ ନ କରି କେହି କ’ଣ ମାହାନ୍ତି ହେଇପାରିବ ?

 

ଆମେରିକା ପ୍ରବାସରୁ ଭଉଣୀ ଲୁସିଦେବୀ ବା ଇଞ୍ଜିନିୟର ଚିତ୍ତବାବୁ ଜଣେ ବି ଲୋକ ସାଙ୍ଗରେ ଯୋଗାଯୋଗ କରିପାରିଲେ ନାହିଁ । ହେଇପାରେ ସେମାନେ ମଧ୍ୟ କରଣଙ୍କ ପରି ଅତ୍ୟନ୍ତ ସ୍ୱାର୍ଥପର ଓ ଅନ୍ୟର ମଲା ଜୀଇଁଲା ସମ୍ୱାଦରେ ଏକାବେଳକେ ଉଦାସ ।

 

ଇଏ ବି ଠିକ୍‌ । କିନ୍ତୁ ଆଜି ଅମିତାର ମରଣରେ ଏମିତି ଚିତ୍କାର ଆରମ୍ଭ କରୁଛନ୍ତି କାହିଁକି ? ବୋଧହୁଏ ଓଡ଼ିଆ ଲୋକଙ୍କୁ ବୁଝାଇ ଦେବାକୁ ଯେ ସେମାନଙ୍କର ଖାଲି ହୃଦୟ ନାହିଁ, ମସ୍ତିଷ୍କ ମଧ୍ୟ ରହିଛି ।

 

କଟକରୁ ଦିଲ୍ଲୀ ଗଲାବେଳେ ବାଟରେ ମୋର ବୋହୂ ଅମିତାର ଦାନ୍ତମୂଳ ଖୁବ୍‌ କଷ୍ଟ ଦେବାକୁ ଆରମ୍ଭ କଲା । ସ୍ୱାମୀ ଅତ୍ୟନ୍ତ ବିବ୍ରତ ହୋଇପଡ଼ିଲା । ବାଟରେ କ’ଣ କରାଯାଇପାରିବ-?

 

ଦିଲ୍ଲୀରେ ପହୁଞ୍ଚିଲା ପରେ ଡେଣ୍ଟିଷ୍ଟ ପାଖକୁ ଗଲେ । ସେ ଚାରିଟା ସିଟିଙ୍ଗ୍‌ କରି ମଧ୍ୟ କାମ ପୂରା କଲା ନାହିଁ । କହିଲା ଯେ ଦାନ୍ତ ପାଟିର ନରଭ୍‌ ରୋଗାକ୍ରାନ୍ତ । ଏଗାରଟା ସିଟିଂ ଦରକାର । ଏଣେ ଚାକିରିରେ ଛୁଟିର ସମସ୍ୟା ଅଛି ।

 

ମୋର ବୋହୂ ବିଚାରୀ ବୋଧହୁଏ ସହାନୁଭୂତି ଅସୁଲ କରିବା ପାଇଁ କେଉଁଦିନ ଆତ୍ମହତ୍ୟା, କେଉଁଦିନ କାନସର, କେଉଁଦିନ ଅଳ୍ପାୟୁ ଯୋଗ ଇତ୍ୟାଦି ଭଲ ଭଲ ଟପିକ ସୃଷ୍ଟି କରିବାରେ ଲାଗିଥାଏ । ଏଣେ ଅସହାୟ ପୁଅ ତାହାର ମାଆକୁ ଜଣାଉଥାଏ ଯେ ଦାନ୍ତ ସମସ୍ୟା ଛଡ଼ା ଆଉ ଗୋଟିଏ ସମସ୍ୟା ଦେଖା ଦେଲାଣି ।

 

ମାମୀ ଏକୁଟିଆ ରହିପାରିବ ନାହିଁ । ତେଣୁ ତାହାର ସ୍ୱାମୀ ନାଇଟ୍‌ ଡିଉଟିକୁ ଯାଇପାରିବ ନାହିଁ । ଚାକିରୀ ରଖିବାକୁ ହେଲେ ନାଇଟ୍‌ ଡିଉଟି ବାଧ୍ୟତାମୂଳକ । ଦିନ ଡିଉଟି ସକାଳ ଆଠଟାରୁ ସନ୍ଧ୍ୟା ଆଠଯାଏ ମାମୀ ପାଖରୁ ଅନୁପସ୍ଥାନ ।

 

ଫେରିଲାବେଳକୁ ଅଶ୍ରୁଳ ମୁହଁ, ବିଷଣ୍ଣ ଚାହାଣୀ ଓ ଦୁର୍ଦ୍ଦଶାର ଟପିକ୍‌ ହେଲା ବାରଘଣ୍ଟା ଚାକିରୀ ପରେ ଅଭ୍ୟର୍ଥନାର ଉପହାର ।

 

...ଚାଲ ହୋଟେଲ—ମଟର ସାଇକଲ ଅଛି ବୁଲିବା ।...

 

କି ସୁନ୍ଦର ଟ୍ରେନିଙ୍ଗ୍‌ ଦେଇ ମୋର ସମୁଧିଙ୍କର ପରିବାର ଝିଅକୁ ଡଙ୍ଗାପାର କରାଇ ଦେଇଥିଲେ । ତଥାପି ସ୍ନେହୀ ଓ ଝିଅ ରଙ୍କୁଣା ହେଇଥିବାରୁ ପରାମର୍ଶ ଦେଇଥିଲେ ଯେ ସୁବିଧା ହେଲେ ଆମେରିକା ଯାଇ ଭଉଣୀ ପାଖରେ ଦିନାକେତେ ରହି ମନକୁ ଚେଙ୍ଗା କରିବା ପାଇଁ ।

 

ମୋର ବୋହୂ ମାମୀ ମଧ୍ୟ ସେଇ ଦରକାରୀ ବହୁମୂଲ୍ୟ ଲକ୍ଷ୍ୟଗୁଡ଼ିକୁ ବେଶ୍‌ ଧରିଥିଲା । ସବୁଦିନେ ଦିଲ୍ଲୀରେ ରହିବା । କଟକ ଯିବା ନାହିଁ । ଚଞ୍ଚଳ ସୁବିଧା କରି ଆମେରିକା ଯିବା ।

 

ସେଥିରେ ବିଘ୍ନ ଆଣୁଥିଲା ସେଇ ଅଦରକାରୀ ବି.ଏ. ପରୀକ୍ଷା ।

 

ବାହାଘର ଆଗରୁ କଥା ହେଇଥିଲା ବି.ଏ. ପରୀକ୍ଷାଟା ଶୀଘ୍ର ସାରି ନ ଦେଲେ ପଛକୁ ପିଲାପିଲି ହେବାପରେ ଅଡ଼ୁଆ ବାହାରିବ । ତେଣୁ ବାହାଘର ପରେ ପରେ ପରୀକ୍ଷା ଯୋଗାଡ଼ କରିବା ।

 

ସମସ୍ତେ ହଁ ଓ ନିଶ୍ଚୟ ନିଶ୍ଚୟ କଲେ । ଏଣେ ଦେଖାଗଲା ଯେ ବୋହୂର ବି.ଏ. ବହିଗୁଡ଼ିକ ଅନ୍ୟ ଭଉଣୀମାନେ ନେଇ ଯାଇଛନ୍ତି । ସେଗୁଡ଼ିକ ଦେଉନାହାନ୍ତି ।

 

ଯୀଶୁଭାଇ କହୁଥାନ୍ତି ଯେ ଯେମିତି ହେଉ ଯୋଗାଡ଼ କରି ସେ ବହି ସେଟ୍‌ଟିଏ ଦିଲ୍ଲୀ ପଠାଇଦେବେ । କିନ୍ତୁ ଦୁଇ ମାସ ଭିତରେ ଦିଲ୍ଲୀକୁ ପାର୍ସଲ କରିପାରିଲେ ନାହିଁ କାରଣ ତାଙ୍କର ଅନେକ କାମ ।

 

ରେଭେନ୍‌ସା କଲେଜର ଅଧ୍ୟାପକମାନଙ୍କୁ ପଚାରି ଶାଶୁ ପୂଣ୍ୟପ୍ରଭା କାମଚଳା ଲେଭଲ ଉପରେ ବହି ଯୋଗାଡ଼ କଲେ । କିଛି ନୋଟ୍‌ କିଣିଲେ । ଅଧ୍ୟାପକ କୁର୍ମିଙ୍କର ଲେଖା ବି.ଏ. ଇତିହାସ (ଓଡ଼ିଆ) ମିଳିଲା ନାହିଁ ।

 

ଅଧ୍ୟାପିକା ଶ୍ରୀମତୀ ଶୈଳବାଳା ପଟ୍ଟନାୟକ ନିଜେ ଇତିହାସରେ ଏମ. ଏ. । ସେ ବି କୁର୍ମି ଖୋଜିବା ଆରମ୍ଭ କଲେ । ବିଶଲ୍ୟକରଣୀ ଲକ୍ଷ୍ମଣଙ୍କର ଶକ୍ତିଭେଦ ବେଳେ ଖୋଜା ହେଲା ପରି କୁର୍ମି ବହି ପାଇଁ ମଧୁସୂଦନ ଆଇନ କଲେଜର ଛାତ୍ରସଂସଦ ସଭାପତି ଶ୍ରୀ ସୁରେଶ ମହାପାତ୍ର ନିଜେ ବି ଚେଷ୍ଟା ଆରମ୍ଭ କରିଦେଲେ ।

 

ବିଚରା ଓଡ଼ିଆ କୁର୍ମି ଧରା ପଡ଼ିଲା ନାହିଁ । ସମସ୍ତେ ବିବ୍ରତ । କିନ୍ତୁ ଓଡ଼ିଆ ଇତିହାସ ବହି କିଏ ବା ହାତଛଡ଼ା କରିବ ? ଅନ୍ୟାନ୍ୟ ବିଷୟ ଦଶପୃଷ୍ଠା ପଢ଼ିବା ସମୟରେ କୁର୍ମି ଓଡ଼ିଆ ବି. ଏ. ଇତିହାସ ଶହେ ପୃଷ୍ଠା ପଢ଼ି ହେବ । କିନ୍ତୁ ବହି ମିଳିବା ଆଗରୁ ଷ୍ଟୁଡେଣ୍ଟ ନିଜେ ଚାଲିଗଲେ ।

 

ଯେତେବେଳେ ସେଇ କଲେଜର ପୂର୍ବତନ ପ୍ରେସିଡେଣ୍ଟ ବିଶିଷ୍ଟ ଆଡଭୋକେଟ୍‌ ଶ୍ରୀ ଅମିତାଭ ବାଗଚି ତାଙ୍କର ସୂଚନା ପତ୍ରିକାରେ ଅମିତାଙ୍କର ମୃତ୍ୟୁକୁ ମଡର ବୋଲି ଲେଖିଲେ, ବର୍ତ୍ତମାନର ପ୍ରେସିଡେଣ୍ଟ ସୁରେଶବାବୁ ପ୍ରତିବାଦ ଜଣାଇଲେ—

 

ଯେ ବୋହୂର ଶାଶୁ ତାଙ୍କରି ମାର୍ଫତରେ କୁର୍ମି ବହି ଖୋଜାଉଥିଲେ ।

 

ଏଣେ ସେଇ ମଧୁସୂଦନ ଆଇନ କଲେଜର ଆଉ ଜଣେ ପୂର୍ବତନ (୧୯୫୨) ପ୍ରେସିଡେଣ୍ଟ ଅଧ୍ୟାପିକା ଶ୍ରୀମତୀ ଶୈଳବାଳା ପଟ୍ଟନାୟକ ଏଇ କୁର୍ମି ବହି ଅନ୍ୱେଷଣରେ ଜଣେ ଆଗ୍ରହୀ ସୈନିକ ।

 

ଯୀଶୁବାବୁ ଓରଫ ଦେବୀବାବୁଙ୍କୁ ପୂଣ୍ୟପ୍ରଭା ଦେବୀ ପଚାରିଲେ—ମାମୀର କ’ଣ ଦାନ୍ତ ବେମାର ଥିଲା ? ଦିଲ୍ଲୀ ଗଲାବେଳେ ଟ୍ରେନରେ ସେ ବହୁତ କଷ୍ଟ ପାଇଲା ।

 

—କେଜାଣି, ମାଉସୀ, କେବେ ଦିନେ ତ ମାମୀର ଦାନ୍ତବିନ୍ଧା କଥା ଆମେ ଜାଣି ନାହୁଁ-

 

—ତେବେ ଇଏ ବୋଧହୁଏ ପ୍ରଥମ ଥର ।

 

—ହଁ, ସେଇଆ ହବ । ଏଇ ଖରା ଗରମ ଓ ଧୂଳି ପାଇଁ ଦାନ୍ତମୂଳ ଧରି ନେଇଥିବ ।

 

ନିଜକୁ ଚାଲାଖ ମନେ କରୁଥିବାରୁ ପୂଣ୍ୟପ୍ରଭା ଦେବୀ ଦେବୀବାବୁଙ୍କର ବକ୍ତବ୍ୟକୁ ଗ୍ରହଣ କରିନେଲେ ଆନନ୍ଦିତ ହେଇ ଦେବୀବାବୁଙ୍କୁ ଆପ୍ୟାୟିତ କଲେ ।

 

—ଭଲ ହେଲା । ମୁଁ ଭାବୁଥିଲି ବୋହୂର କାଳେ ଦାନ୍ତ ବେମାରି ଥିଲା ।

 

ସାମ୍ୱାଦିକତା ବିଶେଷଜ୍ଞ ଚୁପ୍‌ ରହି ପଏଣ୍ଟ ନୋଟ କରି ରଖିଲେ । ଏଇ ଶାଶୁ ତାଙ୍କର ଅଲିଅଳ ଭଉଣୀର ଦୋଷ କାଢ଼ୁଛି ।

 

ବୋହୂ ଦିଲ୍ଲୀରୁ ଫେରିଲା ପରେ କଟକରେ ଡେଣ୍ଟିଷ୍ଟଙ୍କ ପାଖକୁ ଯିବା ଦରକାର ପଡ଼ିଲା—ମରିବାର ଅଳ୍ପଦିନ ଆଗରୁ । କାରଣ କଟକର ରହଣୀ ଦିଲ୍ଲୀରୁ ଫେରି ସଂସାର ଛାଡ଼ିବା ଭିତରେ ମାତ୍ର ପଚିଶି ଦିନ ।

 

ଡେଣ୍ଟିଷ୍ଟ ଦେଖି ବଡ଼ ବିରକ୍ତ ହେଲେ । ଦିଲ୍ଲୀ ଡେଣ୍ଟିଷ୍ଟଙ୍କର ଅସମାପ୍ତ କାମଟି ଶେଷ କରିଦେଲେ ।

 

—ଆଚ୍ଛା, ଏଇ ଦାନ୍ତରେ ପୂଜ ହେଇ ତା’ ଉପରେ ବକଳା ବସିଗଲାଣି । ଏତେ ଯାଏ ଏଇ ବୋହୂ ସମ୍ଭାଳି ସହିଲେ କେମିତି ?

 

—କେଜାଣି । ହୁଏତ ସହିବା ଶକ୍ତି ବହୁତ ହେଇଥିବ ।

 

—ଏସବୁ ବାପ ମାଆଙ୍କର ଦୋଷ । ଦାନ୍ତଟା ନଷ୍ଟ ହେଇଗଲା । ଆଗରୁ ଚିକିତ୍ସା କରିଥିଲେ ଦାନ୍ତଟା ରହିଯାଇଥାନ୍ତା ।

 

—ଆମେ କ’ଣ କରିବୁ ? ଆମେ ତ ମୋଟେ ଜାଣୁ ନାହିଁ ଯେ ଏଇ କଞ୍ଚା ବୟସରେ ବୋହୂର ଦାନ୍ତ ବେମାରି ଅଛି ବୋଲି । ଯାହାହେଉ ତାହାର ସେଇ ଦାନ୍ତ ଉପୁଡ଼ା ହେଉ ଓ କହିବା ପ୍ରକାରେ ଆଉ ଗୋଟାଏ ଦାନ୍ତର କୋରଡ଼କୁ ଫିଲିଙ୍ଗ କରାହେଉ ।

 

ଘରକୁ ଫେରି ବୋହୂ ଅମିତା ଖୁବ୍‌ ରାଗିଗଲା ସେଇ ଡାକ୍ତରଙ୍କ ଉପରେ ।

 

—ମୋର ତ ଦାନ୍ତ ଖରାପ ହେଲା । ବାପ ମାଆ କ’ଣ କରିଥାନ୍ତେ ?

 

—ନାହିଁ । ଡାକ୍ତର କହୁଥିଲେ ଯେ ବାପା ମାଆ ଏଇଟାକୁ ତଦାରଖ କରିଥାନ୍ତେ ।

 

—କେମିତି ? ଦାନ୍ତ ତ ରହିଲା ମୋର ପାଟି ଭିତରେ । ବାପା ମାଆ ଜାଣନ୍ତେ କେମିତି ଯେ ଡାକ୍ତର ସେମାନଙ୍କ ଦୋଷ ଦେଲେ ?

 

କଟକ ଘରକୁ ନାପସନ୍ଦ କରୁଥିବା ବୋହୂ ଅମିତାର କ୍ରୋଧ ଦେଖି ଶାଶୁ ଡରିଗଲେ । ବୁଝାଇ କହିଲେ ଯେ ଡାକ୍ତରମାନେ ସେମିତି କହନ୍ତି । କେହି ତାଙ୍କର କଥାକୁ ଧରନ୍ତି ନାହିଁ ।

 

ଗୋଟାଏ ରକମର ମିଟ୍‌ମାଟ୍‌ ହେଲା । ରକ୍ତ ଜମାଟ ଆଦି ପରୀକ୍ଷା କରାହୋଇ ତିନୋଟି ଦାନ୍ତର କାମ ହେଲା—ଦୁଇଟି ଦାନ୍ତ ବିଦାୟ ନେଲେ ଓ ଗୋଟିଏ ଦାନ୍ତ ମରାମତି ହେଇ ନୂତନ କଳେବର ହେଲେ ।

 

ଡାକ୍ତର ସବ୍ୟସାଚୀଙ୍କୁ ଏଇ ସମ୍ୱାଦଟି କେବେ ମିଳି ନଥିଲା । ତେଣୁ ସେ କଲିକତାର ଜଣେ ଓଡ଼ିଆ ସ୍ପେସାଲିଷ୍ଟ ହୋଇ ସେଠାରେ ଆଗୁଆ ସ୍ଥାନ ଧରି ନେଇଥିଲେ ବି ତାଙ୍କର ଭଉଣୀର ତିନୋଟି ଦାନ୍ତ ଖତମ୍‌ ହେଲାପରେ ବି ସମ୍ୱାଦ ପାଇପାରିଲେ ନାହିଁ ।

 

କାରଣ ଡାକ୍ତରଙ୍କୁ ଜଣାଇବା ରୋଗୀର ଇଚ୍ଛାଧିନ ମତ । ଆଉ ଡାକ୍ତର ମଧ୍ୟ ବିନା ସନିର୍ବନ୍ଧ ଅନୁରୋଧରେ ରୋଗୀ ଦେଖିବା ଡାକ୍ତରଙ୍କର ହାଇପୋକ୍ରେଟିକ ଶପଥର ବିରୁଦ୍ଧାଚରଣ ।

 

ଆମର କରଣ ସମାଜରେ ଡାକ୍ତର ସବ୍ୟସାଚୀ ପଟ୍ଟନାୟକବାବୁଙ୍କର ଆଦର୍ଶରେ ଅନୁପ୍ରାଣିତ ଅସଂଖ୍ୟ ଡାକ୍ତର ବାହାରିଲେ ରୋଗୀମାନଙ୍କର ଭାଗ୍ୟରେଖା ବଦଳିଯିବ ।

 

ମୋର ବୋହୂଟା ଗୋଟିଏ କଷ୍ଟ ସହିଷ୍ଣୁ ହୋଇଥିବାରୁ ବୋଧହୁଏ ଏତେ ଝଡ଼ ସମ୍ଭାଳି ଗଲା ।

 

ମୋର ସମୁଧି ବ୍ରଜବାବୁ ଜଣେ ଆଦର୍ଶ ସାଧକ—ହେବାର କଥା । କାରଣ ଓଡ଼ିଆ ମଠ କହିଲେ ଓଡ଼ିଶାର ଦେବୋତ୍ତର କମିସନରଙ୍କ ଅଫିସର ମଧ୍ୟ ମୁଣ୍ଡ ନୁଆଇଁ ଦିଅନ୍ତି ।

 

ପୁରୀର ଓଡ଼ିଆ ମଠକୁ ଦେବୋତ୍ତର ଅଧିନକୁ ନେବାକୁ ଜଣେ କାର୍ଯ୍ୟବାହ ତଦାରଖ କରୁଥିଲେ । ସେହି ଅଫିସର ଯେତେବେଳେ ଯାଉଥିଲେ ଦେଖୁଥିଲେ ଯେ ମହନ୍ତ ମଠ କାମରେ ଲାଗିଛନ୍ତି । ଓଡ଼ିଆ ମଠର ପରିଚାଳନାରେ କ’ଣ ବା ଦୋଷ ଲେଖିବେ ?

 

ଓଡ଼ିଆ ମଠ ବିରୁଦ୍ଧରେ କିଛି ହେଲାନାହିଁ ।

 

ଏଇ ସେଇ ଓଡ଼ିଆ ମଠ । ଏହାରି ପାଣି ପବନ ଓ ଅନ୍ନରେ ମୋର ସମୁଧିଙ୍କର ହାଡ଼ମାଂସ ତିଆରି । ଏଇ ମଠର ପ୍ରତ୍ୟକ୍ଷ ଠାକୁର ଥାଆନ୍ତି ବୋଲି ଅନେକଙ୍କର ବିଶ୍ୱାସ ।

 

ଓଡ଼ିଆ ମଠର ଜଣେ ଲ’ ଏଜେଣ୍ଟ ଚଞ୍ଚଳତା କରି କିଛି ଠାକୁର ସଂପତ୍ତି ଆତ୍ମସାତ୍‌ କଲେ । ମହନ୍ତ ବିରକ୍ତ ହୋଇ କହିଲେ—ମତେ କହିଥିଲେ ମୁଁ ଦେଇ ପାରିଥାନ୍ତି । ଏମିତି କରିବା ଭୁଲ ହେଲା ।

 

ଠିକ୍‌ ଏହିପରି କହନ୍ତି ତେଲଙ୍ଗା ବଜାରର ବ୍ରହ୍ମକୁମାରୀ ଅନୁଷ୍ଠାନର ପ୍ରଧାନ ସେବିକା ବ୍ରହ୍ମକୁମାରୀ ସୁଶୀଳା । ସେଇ ଅନୁଷ୍ଠାନର ଦାମିକା ଷ୍ଟେନଲେସ ବାସନକୁ ଚାକରାଣୀ ହାତରେ ପାଚେରୀ ଡିଆଁଇ ଚାରିଆଡ଼ର ସନ୍ଥମାନେ ଧରନ୍ତି—ଶଳା ମାରୁଆଡ଼ୀ ଦାମିକା ବାସନରେ ଖାଉଛନ୍ତି ।

 

ବ୍ରହ୍ମକୁମାରୀ ଅନୁଷ୍ଠାନ ବାରମ୍ୱାର ନୂଆ ବାସନ କିଣନ୍ତି । କିନ୍ତୁ ନେବାବାଲା ଓ ଦିଆଇବାବାଲା କାହାରି ଉପରେ ଅଭିଯୋଗ କରନ୍ତି ନାହିଁ ।

 

ସେହିପରି ବାବୁ ମୁରାରୀ ଜେନା ମାର୍ଗ, ଭଗତପୁରର ସାଧକ ବଇନ ନନା । ତାଙ୍କର ଘରର କିଛି ଅଂଶ ଚାଲିଗଲା । ଲୋକେ ଲାଇନ ଲଗାଉଥାନ୍ତି ବଇନ ପଣ୍ଡିତଙ୍କର ଦୁଆରେ ।

 

ତାଙ୍କୁ ଜଣେ ପଚାରିଲା—ଆପଣଙ୍କର ଘରଟାକୁ ପୂରା ରଖିବାରେ କ’ଣ ଅସୁବିଧା ଥିଲା ?

 

—କିଛି ନାହିଁ ଯେ । ମାଆ ଇଚ୍ଛାରେ ଯେତିକି ରହିବା କଥା ରହିବ ଓ ଯେତିକି ଯିବାର କଥା ଚାଲିଯିବ ।

 

ଅମିତାର ମର ଦେହର ଶେଷ ତୀର୍ଥ କଟକ ଖାନନଗରର କାଳିମନ୍ଦିରର ପାଖ ଶ୍ମଶାନରେ ବଇନ ପଣ୍ଡିତ ପ୍ରାୟ ସବୁ ସମୟ ଥାଆନ୍ତି ।

 

ଏହି ସାଧକ ସାଧିକାମାନେ ଯେଉଁ ମତ ଦେଇ ବିଚାର କରୁଥିଲେ ପୁରୀ ଓଡ଼ିଆ ମଠର ମହନ୍ତ ତାହାରି ସମକକ୍ଷ ମତ ଦେଇଥିଲେ ତାଙ୍କର ଲ’ ଏଜେଣ୍ଟଙ୍କୁ—ସେ ବିଶ୍ୱାସଘାତକତା କରିଥିଲା ।

 

କିଛିଦିନ ପରେ ଓଡ଼ିଆ ମଠ ଲ’ ଏଜେଣ୍ଟ ମରିଗଲେ ।

 

ଏହାର ଅଳ୍ପ ଦିନରେ ଗୋଟିଏ କୁକୁର ଛୁଆର ଜନ୍ମ ଓ ଆଖି ଖୋଲିଲା । ସେଇ ଛୁଆଟି ମଠ ଭିତରକୁ ପଶି ମହନ୍ତଙ୍କର କଠଉକୁ ଧରି ଶୋଇ ରହେ ।

 

ଭକ୍ତମାନେ ଘୃଣା କରନ୍ତି । କିନ୍ତୁ ମହନ୍ତ କହନ୍ତି—କୁକୁରଟାକୁ ତଡ଼ ନାହିଁ । ସେ ତାହାର ପାପ ପାଇଁ ଅନୁତାପ କରୁଛି ।

 

ଇଏ ହଉଛି ଓଡ଼ିଆ ମଠର କିମ୍ୱଦନ୍ତୀ । ଏହାକୁ ଜାଣିଥିବା ଲୋକ ଏବେ ମଧ୍ୟ ପୁରୀ ଓ କଟକର ଓକିଲଖାନାରେ ମିଳୁଛନ୍ତି ।

 

ସଂସାରର ଧାରା ତାହାର ଗଡ଼ି ଚାଲିଛି । ସଂସାର ହେଉଛି ଘଟନାର ଧାରା ପ୍ରବାହ ।

 

ଯାହା ଯେଉଁ ପ୍ରକାରରେ ଘଟିଲା ସେ ସେଇ ପ୍ରକାରରେ ଆପଣା ଛାଏଁ ଘଟିଛି । ଅନ୍ୟ ପ୍ରକାରରେ ଘଟି ନାହିଁ । ସ୍ୱୟଂ ଭବତି ଯଦ୍ୟଥା, ଭବତି ତତ୍‌ଥା ନ ଅନ୍ୟଥା ।

 

 

ଏହି ମତକୁ ଜୀବନ ଯାତ୍ରାରେ ଅନେକ ଲୋକ ମିଶାଇ ଥାଆନ୍ତି ପରିଣତ ବୟସରେ । ସେମାନେ—

 

କଟକର ଗୋପାଳଜୀଉର ବିଶିଷ୍ଟ ଧନୀ ଓ ଆଡଭୋକେଟ୍‌ ଶ୍ରୀ ଭୂପେନ୍ଦ୍ର କୁମାର ବସୁ ଓ କଟକର ପେନସନ୍‌ ଲାଇନ ପଟାପୋଲର ବିଶିଷ୍ଟ ଶିଳ୍ପପତି, ଜମିଦାର ଓ ଚିନ୍ତାନାୟକ ଚୌଧୁରୀ ନରେନ୍ଦ୍ର ନାଥ ମିଶ୍ର ।

 

ସେମାନେ କହନ୍ତି ଯେ ନବ-ଧନ-ମଧୁ ପାନ କରି ନିଶାରେ ନୂଆ ଧନୀ ବିଭ୍ରାନ୍ତ ହୋଇ ନିଜକୁ ଓ ଅପରକୁ ବ୍ୟସ୍ତ କରେ ।

 

ଶିକ୍ଷା ଓ ଯୋଗ୍ୟତାର ଅନେକ ବାଧାକୁ ଅତିକ୍ରମ କରି ମୋର ନବ-ଧନୀ ସମୁଧି ବ୍ରଜବଲ୍ଲଭ ବାବୁ ଏବେ ତାଙ୍କର ଶହେ ପନ୍ଦର ଦିନର ସମୁଧି ବଂଶକୁ ବିଲୋପ କରିବାକୁ ବାହାରିଲେଣି ।

 

୧୯୮୪ ଅଗଷ୍ଟ ଚଉଦ ସନ୍ଧ୍ୟାରେ ସେ କଟକ ଆସି ଦଗ୍‌ଧୀଭୂତା ଝିଅ ମାମୀକୁ ଦେଖି ଚିତ୍କାର କଲେ ।

 

—ମାମୀ ଲୋ । କେତେ ଆଶା ରଖିଥିଲି ତୋ’ଠି । ଏମିତି କରିଦେଲୁ । ହଉ ଜଗନ୍ନାଥଙ୍କୁ ଜଣେଇ ଦେଇ ଯାଆ ଯେ ଏଇ ହରମୋହନ ପଟ୍ଟନାୟକର କୂଳରେ ଦୀପ ଦେବାକୁ କେହି ରହିବେ ନାହିଁ ।...ଉଚିତ୍‌ କଥା । ପିକ୍‌ପକେଟ ମଧ୍ୟ ଅନେକ ଶାସ୍ତ୍ର ଜାଣେ । ମୋର ସମୁଧିତ ଓଡ଼ିଆ ମଠରେ ଶାସ୍ତ୍ର ବୁଝିଛନ୍ତି ।

 

ମୋର ବୋହୂର ସାଘାଂତିକ ଅବସ୍ଥାର ଟେଲିଫୋନ ପାଇ ଭୁବନେଶ୍ୱରରୁ ମୋର ସମୁଧି କହିଥିଲେ—ଆଉ ମୁଁ ଯିବି କାହିଁକି ? ଏତେ ପୋଡ଼ି ହୋଇ ବଞ୍ଚିଲେ ବି ସେ କୁଆଡ଼କୁ ହେବ ? ବରଂ ସେ ମରିଯାଉ ।

 

କହିଲେ ସିନା । ତେବେ ମନ ଟଣକିଲା । ଆସିଗଲେ କଟକ । ସଢ଼ୁଙ୍କ ସହିତ କଥା ହେଲେ । ଫଟୋଗ୍ରାଫର ଧରି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ହସପିଟାଲରେ ସନ୍ଧ୍ୟା ସାଢ଼େ ଆଠଟା ବେଳକୁ ପହୁଞ୍ଚିଲେ । ଝିଅକୁ କାଜୁଆଲଟିରୁ ଫିମେଲ ସର୍ଜିକଲକୁ ନିଆଇଲେ । ତା ପରେ ଆରମ୍ଭ ହେଲା ଅଭିଯୋଗର ଫର୍ଦ୍ଦ । କଥାରେ କାମରେ କରା ହୋଇ ଖବର କାଗଜ ମାଧ୍ୟମରେ ପ୍ରଚାରିତ ଫର୍ଦ୍ଦ ।

 

ଦେଇଥିଲେ ସିଲକ୍‌, ସୁତା, ସିନ୍ଥେଟିକ ନୂଆପୁରୁଣା ସାୟା ବ୍ଲାଉଜ ଶାଢ଼ି ସବୁ ମିଶି ବାରଖଣ୍ଡ । ଦାମ୍‌ ଅନୁମାନରେ ଦେଢ଼ ହଜାର ଟଙ୍କା । ବଦଳରେ ବୋହୂ ପାଇଁ ପୁଅ ଆଣିଥିବା ଶାଢ଼ି ଦିଲ୍ଲୀରେ ଦେଢ଼ ହଜାର ଟଙ୍କା ।

 

ଝିଅର ଗହଣା ଆନୁମାନିକ ପାଞ୍ଚ ତୋଳାକୁ ଶାଶୁଘରର ସୁନା ଚୁଡ଼ି ଚାରିଭରି ଓ କାନ ଗହଣା । ମୋଟା ମୋଟି ସମାନ ।

 

ଝିଅର ଓ ପୁଅର ଗୋଟିଏ କରି ଅଧା ନୂଆ ଭି.ଆଇ.ପି. ସୁଟ୍‌କେସ୍‌ ଓ ଝିଅର ଟିଣ ସୁଟକେସ୍‌ରେ ତାହାର ଠାକୁର ।

 

ଏହା ଛଡ଼ା ନଣନ୍ଦ ପୁଟୁଳି, ଶାଶୁ ପୂଣ୍ୟପ୍ରଭା ଦେବୀଙ୍କ ପାଇଁ ଖଣ୍ଡେ ସମ୍ୱଲପୁରୀ ସିଲକ ଶାଢ଼ି । ଏହା ପରେ ରହିଲା କାଠ ଜିନିଷ ଓ ଲୁହା ଆଲମାରୀ ଓ ଗୋଟିଏ Clock-Radio.

 

ମୋର ସମୁଧି ହିସାବ ଜାଣନ୍ତି । ସେ ଏହାର ମୂଲ୍ୟ କହି ପାରିବେ । ତାଙ୍କର ସି.ଟି. ଓ କାର୍ଯ୍ୟରେ ଏସବୁ ମାନସାଙ୍କ ପରି କଥା ।

 

କିନ୍ତୁ ସମୁଧିଙ୍କର ଅଭିଯୋଗ ଯେ ସେ ଅଫିସରୁ ଟଙ୍କା ଧାର କରିଛନ୍ତି । ମାସକୁ ମାସ ଦରମାରୁ କଟୁଛି ।

 

ହବାର କଥା । କାରଣ ବଡ଼ ଝିଅ ଓ ଜୋଇଁଙ୍କୁ ଆମେରିକା ପଠାଇବା ଟଙ୍କାର ଖର୍ଚ୍ଚ ବିଚାରୀ ଆମ ବୋହୂ ମାମୀ ଉପରେ କାହିଁକି ପଡ଼ିବ ? ସେ ତ ବାହାଘରୁ ଆସିଥିବା ଶାଢ଼ି ମାନ ଘରେ ନେଇ ଦାନ କରିଥିବାରୁ ଶାଶୁ ବୋହୂ ମତାନ୍ତର ହେଉଛି ଅଭିଯୋଗରେ ଗୋଟିଏ ଆଇଟେମ୍‌ ।

 

ବାହାଘରର ଚାରିମାସ ଭିତରେ ଝିଅ ଆସି ବାପଘର ସାମାନ୍‌ ପୁଣି ବାପଘରେ ଥୋଇବା କେବଳ କରଣ ସମାଜରେ ଦେଖାଯାଇପାରେ । ଅନ୍ୟମାନେ ପକାଇଲା ଛେପ ଢୋକନ୍ତି ନାହିଁ ।

 

ଯାହା ହେଉ ସମୁଧିଙ୍କର ଯୌତୁକକୁ ମାଡ଼ି ବସି ରଖିବା କାହାରି ଇଚ୍ଛା ନୁହେଁ । କିନ୍ତୁ ଏଣେ ଡାଓରୀ ଡେଥ କରି ମଡରର ଅଭିଯୋଗ ରଖି ବିଭିନ୍ନ ଆଇନ ସଂରକ୍ଷକ ସଂସ୍ଥାକୁ ଲେଖି ଲୁଚାଇ ଜିନିଷ ନେଇଗଲେ କିଏ ଜାଣେ କିଏ କେଉଁଠି ରକ୍ତ ଲଗାଇ ଦେଇ ମଡର ପ୍ରମାଣ ନ କାଢ଼ିବ ?

 

ସେଥିପାଇଁ ଜଣେ ବାହାରିଆ ମାମୁଁ ରାଜକିଶୋର ପଟ୍ଟନାୟକ ସେପ୍‌ଟେମ୍ୱର ମାସ ଅଧରୁ କଟକ ଓ ଭୁବନେଶ୍ୱରର ଖବରକାଗଜର ସମ୍ପାଦକମାନଙ୍କୁ ମୋର ସମୁଧିଙ୍କର ଦିଆ ଯୌତୁକ ତାଲିକା ମଗାଇ ଥିଲା ।

 

ଇଂରେଜୀ ଓ ଓଡ଼ିଆ କାଗଜମାନେ ଚିଠିକୁ ଗ୍ରାହ୍ୟ କଲେ ନାହିଁ । କେବଳ ଆର.ଏସ୍.ଏସ୍‌ କାଗଜ କଟକର ରାଷ୍ଟ୍ରଦୀପର ସମ୍ପାଦକ ଶ୍ରୀ ଦେବେନ୍ଦ୍ର ମହାନ୍ତି ଉତ୍ତର ଦେଲେ ଯେ ଦୁଇ ସମୁଧିଙ୍କର ଘରୋଇ ବିବାଦରେ ସେ ପକ୍ଷ ନେବେ ନାହିଁ ।

 

ବାଧ୍ୟରେ ଓଡ଼ିଶା ସରକାରଙ୍କର କୃଷି ସେକ୍ରେଟାରୀଙ୍କୁ ୨୬।୯।୮୪ରେ ମୋର ସମୁଧିଙ୍କର ସମର୍ଥିତ ସନାକ୍ତ ଯୌତୁକ ତାଲିକା ମଗା ଯାଇଛି । ବୋଧହୁଏ ଆଇନ୍‌ ପରାମର୍ଶ ଆଇନ୍‌ ମନ୍ତ୍ରଳାୟରୁ ନିଆଯାଉଛି କିମ୍ୱା ଚିଠିଟା ଗ୍ରହଣ ଯୋଗ୍ୟ ହେଲେ ବି ବିଚାରଯୋଗ୍ୟ ନୁହେଁ ବୋଲି ଲେଖାଯାଇ ରଦିକାଗଜ ଆଡ଼କୁ ମୁହାଁଇ ରଖାଯାଇଛି ।

 

ସମୁଧିଙ୍କୁ ଅସୁବିଧା ହେଉଛି ଯେ ସରକାରୀ ଭାବରେ ଅଧିକ ସୁନା ବୟାନ କଲେ ନିଜେ ଫୌଜଦାରୀ ମକଦ୍ଦମାରେ ତଦନ୍ତ ପରିସରକୁ ଆସି ଯିବେ । ଆଉ ନିଜର ସାଧୁତା ମଧ୍ୟ ପୂରା ମାପଚୁପ୍‌ ହେଇଯିବ—ହାତେ ହାତେ ।

 

ସେଥିପାଇଁ ମୋର ବୋହୂର ଲୁଗାପଟା ଧୋବାଘରୁ ଆସି ଯେଉଁଠି ରଖା ହୋଇଥିଲା ସେଇଠି ସେମିତି ସେମାନେ ଥୋଇଛନ୍ତି । ଏସବୁ ଶାଶୁଘର ବ୍ୟବହାର କରିବେ ନାହିଁ । ଝିଟିପିଟି ଓ ପୋକ ଯାହା ବଳାଇ ରଖିବେ ସେତକ ବାପଘର ନେଇ ପାରନ୍ତି । ସାଙ୍ଗରେ ତାଙ୍କର ତଥାକଥିତ ଭି.ଆଇ.ପି ଜିନିଷକୁ ମଧ୍ୟ ଆପଣା ଟ୍ରକରେ ନେଇ ପାରନ୍ତି । କିନ୍ତୁ ପୁଲିସ ସାହେବଙ୍କର ମୁକାବିଲା ଅଡରରେ ନେବେ ।

 

କାରଣ କଟକ ସମୁଧି ଘର ମୋର ଏଇ ସମୁଧି ଘରର ଧୋକାବାଜି ଆଚରଣ ଦେଖି ଅତ୍ୟନ୍ତ ବିବ୍ରତ ।

 

ଏଇ ସମୁଧିଙ୍କର ଇଜ୍ଜତ୍‌ ରଖିବା ପାଇଁ ଓଲମୀ ପୂଣ୍ୟପ୍ରଭା ଦେବୀ ତାଙ୍କର ସ୍ୱାମୀକୁ କଡ଼ା ବରାଦ ଦେଇଥିଲେ—

 

ଯୌତୁକ ତାଲିକା ନିଜେ ହେପାଜତ୍‌ରେ ରଖିବ । ବରଯାତ୍ରୀ ଗହଳି ଭାଙ୍ଗିଗଲେ ସୁଟକେସ ଚାବି ନିଜର ପକେଟରେ ରଖିବ । କାହାରିକୁ ଦେଖାଇବ ନାହିଁ ।

 

ସେଇଆ ବି ହେଲା ।

 

ବୋହୂ ସାଙ୍ଗରେ ଜିନିଷ ଅନଲୋଡ଼ ହେଲାବେଳେ ଶାଶୁ ଠିଆ ହୋଇ ପଚାରୁଥାନ୍ତି—ଆଉ କ’ଣ ଅଛି ମଟରରେ ?

 

—ନା, ଆଉ କିଛି ନାହିଁ ।

 

ଯେଉଁ ଜିନିଷ ଆସିଥିଲା ସେତକ ନେଇ ଗୋଟାଏ ଜାଗାରେ ବନ୍ଦ କରି ତାଲା ଠୁଙ୍କି ଦେଇ ଚାବିକୁ ନିଜ ପାଖରେ ରଖିନେଲେ ।

 

କଟକରୁ ଓ ଭୁବନେଶ୍ୱରରୁ ଅନେକ ପୁରୁଷ ସ୍ତ୍ରୀ ଆସି ବୋହୂ ଜିନିଷ ଦେଖିବାକୁ ଖୋଜିଲେ । ସେତେବେଳକୁ ଚାବି ହଜିଗଲା । କେହି କିଛି ଟେର ପାଇଲେ ନାହିଁ ।

 

କାରଣ ସମସ୍ତେ ଚଦି ଥାନ୍ତି—ଦେଖିବା କେମିତିକା ବୋହୂ ଆଉ କେମିତିକା ଜିନିଷ । ପୂଣ୍ୟପ୍ରଭାକୁ ମୁହେଁ ମୁହେଁ ବତାଇବା ।

 

ବୁଦ୍ଧିଆଙ୍କର ବୁଦ୍ଧିର ସୀମା ସରହଦ ଥାଏ । କିନ୍ତୁ ଓଲାଙ୍କର ବୁଦ୍ଧିର ସୀମା ନ ଥାଏ ।

 

ବାଇଶିରେ ବିଭା । ତେଇଶିରେ ବୋହୂର ଗୃହ ପ୍ରବେଶ । ଚବିଶିରେ ବୋହୂ ସମ୍ୱର୍ଦ୍ଧନା-। ପଚିଶିରେ ଚଉଠୀ । ହାତରେ ତ କମ୍‌ ସେ କମ୍‌ ଦିନେ ଅଛି ।

 

ବୁଦ୍ଧି ଖଟାଇ କଟକ ମାର୍କେଟରୁ କିଛି ଶାଢ଼ି ଆଣି ବୋହୂ ବାକ୍‌ସରେ ରଖି ଦେଲେ । ନିଜର ଗହଣା ଓ ନିଜର ବନ୍ଧୁବାନ୍ଧବଙ୍କ ଘରୁ ଗହଣା ମଗାଇ ବୋହୂକୁ ସମ୍ୱର୍ଦ୍ଧନା ପାଇଁ ତିଆରି କରିଦେଲେ ।

 

ମୋର ସମୁଧି ଖୁସି । ଯାହା ହେଉ ଝିଅ ମାମୀର ଯୌତୁକ ପରିମାଣ ଆପଣା ଛାଏଁ ଚିନିସିରା ମିଶ୍ରି ବାନ୍ଧିଲା ପରି ବଢ଼ୁଛି । ଏବେ ସେଇ ମିଶ୍ରିକୁ ଧରିବାକୁ ମୋର ସମୁଧି ବାହାରିଲେଣି-। ମାମୀ ମରିବାର ଚଉଦ ଦିନରୁ । ୟେ ଯେ ବାପାର ଝିଅ ପାଇଁ ଦରଦ ।

 

ପୂଣ୍ୟପ୍ରଭା ଦେବୀ ଯଦି ସମସ୍ତଙ୍କୁ ବୋହୂ ବଛାଠାରୁ ଆରମ୍ଭ କରି ବୋହୂର ହକିୟତ ଯୌତୁକ ଓ ବୋହୂର ଲୋକଙ୍କର ଭିତର ଓ ବାହାର ଦେଖାଇ ଦେଇଥାନ୍ତେ ତାହା ହେଲେ ଆଜି ତାଙ୍କ ନାମରେ ବୋହୂକୁ ଅତ୍ୟାଚାର କରି କରି ହତ୍ୟା କରିବାର ଚକ୍ରାନ୍ତର ପ୍ରମାଣ ସମୁଧି ଘର ବୋଧହୁଏ କାଢ଼ୁନଥାନ୍ତେ ।

 

ସେ ଯାହା ହେଉ ବାଇଶି ଅପ୍ରେଲ ଥିଲା ଅଶୁଭ ଦିନଟିଏ ।

 

ବର ଶ୍ରୀ ଶୁଭେନ୍ଦୁ ପଟ୍ଟନାୟକ ଓରଫ ଜୀବନ ପଟ୍ଟନାୟକ ଓରଫ ବବି ଯୋଡ଼ ସଂଖ୍ୟାର ବିବାହ ଦିନକୁ ରାଜି ନ ଥିଲା । ବାପା ଶ୍ରୀ ହିମାଂଶୁ ପଟ୍ଟନାୟକ ଓ  ସଢ଼ୁ-ଶଶୁର ଶ୍ରୀ ବ୍ରଜବଲ୍ଲଭ ପଟ୍ଟନାୟକ ଓ ସଢ଼ୁଶଶୁର ଶ୍ରୀ ବିଜନ ରାୟ ମିଶି ବାଇଶି ତାରିଖ ରାତି ବାରଟା ପରେ ଇଂରାଜୀ ତାରିଖ ତେଇଶି ଠିକ କରି ବାହାଘର କରିଦେଲେ । ବାହା ଦିନ ଧାର୍ଯ୍ୟ ହେଲା ବର ଦିଲ୍ଲୀ ଯିବା ପରେ । ତେଣୁ ବବି ଆଉ ତାରିଖ ବଦଳାଇ ପାରିଲେ ନାହିଁ ।

 

ଏଣେ ବାହାଘର ପରେ ଦେଖାଗଲା ଯେ ପ୍ରତ୍ୟେକ ମାସର ବାଇଶି ତାରିଖ ଦିନ କାରଣ ନଥାଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବହୁତ କଳି କଜିଆ ହୁଏ । ଏମିତି ହେଇଥିଲା ବାଇଶି ମେ’ରେ ଦିଲ୍ଲୀରେ । କାରଣ ହେଇଥିଲା ସେଇ ହପ୍ତାରେ ଟ୍ରେନରେ ଦାନ୍ତ ବିନ୍ଧା ଆଉ ଲମ୍ୱା ଟ୍ରେନ ଯାତ୍ରା ଏବଂ ଦିଲ୍ଲୀର ରହଣୀ ନେଇ ।

 

ତା’ ପରେ କଳିଗୋଳ ହେଲା ବାଇଶି ଜୁନରେ ଦିଲ୍ଲୀରେ ଥିଲାବେଳେ—ନଣନ୍ଦ ବାହାଘରକୁ କେତେ ଟଙ୍କା ସାହାଯ୍ୟ ବବି ଓ ମାମୀ ଦେଇପାରିବେ ଓ ଦେବା ଉଚିତ—ଏଇ ପ୍ରସଙ୍ଗ ନେଇ ।

 

ଭାଇ କହିଲା ଯେ ବାହାଘରକୁ ଏମିତି ସେମିତି ହେଇ ଲକ୍ଷେ ଟଙ୍କା ଲାଗିଯିବ । ବାପାଙ୍କର ଚାକିରି ସରି ଆସୁଛି । ଭାଇ ଭାଉଜଙ୍କୁ ଦେବାକୁ ହେବ ।

 

ମୋର ବୋହୂ ପ୍ରତିବାଦ କରିଥିଲା ଯେ ତାହାର ବାହାଘରେ ଏତେ କଥା ହେଇ ମୋଟେ ଅଶି ହଜାର ଟଙ୍କା ବାପା ବ୍ରଜବଲ୍ଲଭ ବାବୁ ଖର୍ଚ୍ଚ କରିଥିଲେ । ଏଠି ଏତେ ଟଙ୍କା ଲାଗିବ କ’ଣ ପାଇଁ ? ନଣନ୍ଦର କିଛି ଗହଣା ଅଛି । ଶାଶୁଙ୍କ ପାଖରେ ବି କିଛି ଥାଇ ପାରେ ।

 

ସେଇଠୁ ବୋହୂ ମୋର କହିଲା ଯେ ତାହାର ପ୍ରତ୍ୟେକ ଭଉଣୀଙ୍କ ବିଭାଘରେ ପ୍ରତ୍ୟେକ ଭିଣୋଇ ଓ ମାଉସୀ ଦୁଇହଜାର ଟଙ୍କା ଦେବାର କଥା ଥିଲା । ଏବେ ସେମାନଙ୍କର କୁଟୁମ୍ୱ ବଢ଼ିବାରୁ ମାମୀକୁ ବାଧ୍ୟରେ ସେମାନଙ୍କ ପାଇଁ ଅଧିକରୁ ଅଧିକ କରିବାକୁ ହେବ ।

 

ବାହାଘରର ଦୁଇଟା ମାସରେ ବର ଓ କନ୍ୟାଙ୍କର ସାମାଜିକ କର୍ତ୍ତବ୍ୟର ଆଭିମୁଖ୍ୟ ନେଇ କଳି ହେଲା । ବିଚରା ବବିବାବୁ ଭାବୁଥାଏ ଯେ ଯୋଡ଼ା ଦିନକୁ ସେ ମନା କରୁଥିଲା । ଏଣେ ଦୁଇଥର କଳି ହେଇଗଲାଣି ।

 

ତୃତୀୟ ବାଇଶି ତାରିଖ ଆସିଲା ଜୁଲାଇ ବାଇଶିରେ । ସେଦିନ ସେମାନେ କଟକରେ-। ବବିବାବୁଙ୍କୁ ଜର । ବୋହୂ ମାମୀ ଭୁବନେଶ୍ୱରରେ ରହି କାହିଁକି ପଢ଼ି ପାରିବ ନାହିଁ ଆଉ କଟକରେ କ’ଣ ପଢ଼ା ହେଇଯିବ—ଇଏ ଥିଲା ଘୋର କଳିର କାରଣ ।

 

ବବି ବାବୁଙ୍କର ଶାଶୁ ଓ ଶଶୁରଙ୍କର ପ୍ରସ୍ତାବ ଥିଲା ମାମୀର ଭୁବନେଶ୍ୱର ରହଣି ସପକ୍ଷରେ । ବବିବାବୁ ତାଙ୍କୁ କହିଲେ ଯେ ମାମୀ ତେଇଶି ବର୍ଷ ବାପ ମାଆଙ୍କ ପାଖରେ ରହି ଚଳିଛି । ସେ କିଛିଦିନ କଟକରେ ରହି ମଙ୍ଗଳାବାଗ ଘରର ଚଳଣି ଶିଖିବ ଓ ସେମାନଙ୍କୁ ଚଳାଇବ-। ଏହାଛଡ଼ା ମାସେ ଦୁଇମାସ ବି.ଏ. ପରୀକ୍ଷା ପର୍ଯ୍ୟନ୍ତ ବେଶି ବନ୍ଧୁବାନ୍ଧବ ଯିବା ଆସିବା ନ ହେବା ଉଚିତ୍‌ ।

 

କଥାରେ ଯୁକ୍ତି ଥିବାରୁ ଓ ଜୋଇଁ ନୂଆ ହେଇଥିବାରୁ ମୋର ସମୁଦି ଓ ସମୁଦୁଣୀ ହଁ ଭରିବାକୁ ବାଧ୍ୟ ହେଲେ । କିନ୍ତୁ ବାଇଶି ତାରିଖ କଳି ଏଡ଼ାଇ ହେଲା ନାହିଁ ।

 

ପୁଣି ବାଇଶି ତାରିଖ ଆସିଥାନ୍ତା ଅଗଷ୍ଟ ବାଇଶିରେ ଚତୁର୍ଥ ଥର ପାଇଁ କଟକର ମଙ୍ଗଳା ବାଗରେ—କ’ଣ ହୋଇଥାନ୍ତା କିଏ କହିବ ? ଆଗ ତିନିଥର ସ୍ୱାମୀ—ସ୍ତ୍ରୀ କଳି ହେଇଥିଲା-। କିନ୍ତୁ ଚତୁର୍ଥ ବାଇଶି ତାରିଖର ପାଳିଦିନକୁ ମୋର ବୋହୂ ଅମିତାର ହେଇଗଲାଣି ମରିବାର ଏଗାର ଦିନ—ଶ୍ରାଦ୍ଧ ।

 

ସେଦିନକୁ ବୋହୂ ଘର ପ୍ରଗତିବାଦୀ, ପ୍ରଜାତନ୍ତ୍ର, ମାତୃଭୂମି ଓ ଦିନଲିପି ଏପରି ଚାରୋଟି ଓଡ଼ିଆ ଦୈନିକରେ ବିଭିନ୍ନ ଦିଗରୁ ଲକ୍ଷ୍ୟ କରି ପ୍ରଶ୍ନ ପଚାରିଲେଣିମାମୀ ବା ଅମିତାର ମୃତ୍ୟୁଟି ଅପମୃତ୍ୟୁ ନା ହତ୍ୟା ?

 

ଠିକ୍‌ ତାହାର ଆଗଦିନ ଏକୋଇଶି ଅଗଷ୍ଟରେ ବୋହୂର ବଡ଼ଭାଇ ଡାକ୍ତର ସବ୍ୟସାଚୀ ପଟ୍ଟନାୟକ ଦିଲ୍ଲୀରୁ ଫେରି ବଡ଼ ଉତ୍‌କ୍ଷିପ୍ତ ହେବାକୁ ଆରମ୍ଭ କଲେ ।

 

ମାମୀର ଶୁଦ୍ଧକ୍ରିୟାକୁ ଭୁବନେଶ୍ୱର ସମୁଧିଙ୍କ ଘରୁ କେହି ଆସି ନାହିଁ । ଅମିତାର ଶାଶୁ, ଶଶୁର, ନଣନ୍ଦ ଓ ସ୍ୱାମୀ ଏକତ୍ର ଓ ଏକା ଏକ ଓ ଦୁଇଜଣିଆ ହେଇ ଚାରିଥର ବ୍ରଜବାବୁଙ୍କ ଘରକୁ ଯାଇ ଅପମାନିତ ହେଇ ଫେରିଥିଲେ ।

 

ଅଗଷ୍ଟ ଷୋହଳ ଗୁରୁବାର ଦିନ ଶଶୁର ନିଜେ ମଟରଚଳାଇବାକୁ ନିରାପଦ ମନେ ନ କରିବାରୁ ଗୋଟିଏ ଟାକ୍‌ସି କରି ହିମାଂଶୁବାବୁ, ପୂଣ୍ୟପ୍ରଭା ଦେବୀ, ଶୁଭେନ୍ଦୁବାବୁ ଓ ନନ୍ଦିନୀଦେବୀ ବ୍ରଜବାବୁଙ୍କର ଘରକୁ ଗଲେ ।

 

ପୂଣ୍ୟପ୍ରଭା ଦେବୀ ବ୍ରଜବାବୁଙ୍କୁ କ୍ଷମା ମାଗିଲେ । ସମୁଧିଙ୍କର ବ୍ୟବହାର ମଧ୍ୟ ଉପଯୁକ୍ତ ଥିଲା । ସେ କହିଲେ—ମାମୀର ସେତିକି ଅଳ୍ପ ଆୟୁଷ ଥିଲା ବୋଲି ମୁଁ ଜାଣୁଥିଲି । କିନ୍ତୁ ମୋର ଦୁଃଖ ଯେ ଝିଅ ସୁଖ ଭୋଗ କରି ପାରିଲା ନାହିଁ ।

 

ମୋର ସମୁଦୁଣୀ ମୁଣ୍ଡ ବାଡ଼େଇ ହେଇ କାନ୍ଦୁଥିଲେ । ତାଙ୍କୁ ଓ ତାଙ୍କର ପିଲାଙ୍କୁ ଏଇ କଟକ ବନ୍ଧୁମାନେ ବୁଝାଇଲେ । ଯୀଶୁବାବୁ ଘରେ ନ ଥିଲେ । ଏମାନେ ପରସ୍ପର ସାନ୍ତ୍ୱନା ଦେଇ ଫେରିଆସିଲେ ।

 

ତହିଁଆର ଦିନ ଶୁକ୍ରବାର ସତର ତାରିଖ । ପୂଣ୍ୟପ୍ରଭା ଦେବୀ ଓ ଶୁଭେନ୍ଦୁବାବୁ ପୁଣି ଗଲେ । ସେ ଦିନ ସାମ୍ୱାଦିକ ଯୀଶୁବାବୁ ଥିଲେ । ପ୍ରତିକ୍ରିୟା ଏକାବେଳେ ଓଲଟା । ଏମାନଙ୍କୁ ଦେଖି କବାଟ ଝରକା ବନ୍ଦ କରିଦେଲେ । ସମୁଧି ବ୍ରଜବାବୁ ଆସି କହିଲେ—ନାଁ । ବାହାରି ଯାଆନ୍ତୁ ଏଠୁ । ଆମେ କିଛି କରୁ ନାହୁଁ । ପୁଲିସ ଯାହା କରିବାର କରୁଛି । ଏଠିକି କ’ଣ ପାଇଁ ଆସୁଛନ୍ତି ?

 

ସେତିକିବେଳକୁ ମାମୀର ମାମୁଁ ଶ୍ରୀରାମଚନ୍ଦ୍ର କାନନ୍‌ଗୋ, ଭୁବନେଶ୍ୱର ଅବକାରୀ ସୁପରିନଟେଣ୍ଡେଣ୍ଟ ଆସି ପହୁଞ୍ଚିଲେ ଓ ପୂଣ୍ୟପ୍ରଭା ଦେବୀଙ୍କୁ Get out କଲେ ।

 

ପୂଣ୍ୟପ୍ରଭା ଦେବୀ ଆଣ୍ଠୁଭାଙ୍ଗି କ୍ଷମା ମାଗିଲେ । ବ୍ରଜବାବୁଙ୍କୁ କ୍ଷମା ମାଗିଲେ ।

 

ପୂଣ୍ୟପ୍ରଭା ଦେବୀ ସମୁଦି ବ୍ରଜବାବୁଙ୍କ କହିଲେ—ବବି ଦିଲ୍ଲୀରୁ ଆସିବା ଦିନରୁ ଖାଇ ନାହିଁ । ତାକୁ କିଛି ଖାଇବାକୁ ଦିଅ । ସେ ତମରି ଘର ଜୋଇଁ । ସେ କଥା ମଧ୍ୟ ରହିଲା ନାହିଁ ।

 

ପୁରୀର ତହସିଲଦାରଙ୍କର ସ୍ତ୍ରୀ ଓ ମାମୀଙ୍କର ମାଉସୀ ଧୂନି ଦେବୀ କହିଲେ—କ’ଣ ଗୋଟାଏ ଝିଅକୁ ମାରି ସାରି ଆଉ ଗୋଟିଏ ଝିଅକୁ ନେଇ ମାରିବାକୁ ଚାହୁଁଛ ? ବାହାରିଯାଅ ଏଠୁ-। ତମର ସବୁକଥା ମାମୀ ଚିଠି ଲେଖି, କାଗଜରେ ଲେଖି ଆମକୁ ଦେଇଛି । ସେ ଏଠିକି ଆସିଲା ଦିନ ସବୁକଥା ଲେଖିକରି ଆଣିଥିଲା । ଆମେ ପଢ଼ିଛୁ ଆଉ ସେ କାଗଜକୁ ଚିରି ଦେଇଛୁ । ତୁମର ଆଉ ଭଲେଇ ହେବା ଦରକାର ନାହିଁ । ବାହାରିଯାଅ ଏଠୁ ।

 

ପୁରୀ ଏ:ଡ଼ି:ଏମ୍‌ ଗୁରୁବାବୁଙ୍କର ସ୍ତ୍ରୀ ଧୁନି ଦେବୀଙ୍କର ସାନଭଉଣୀ ଜ୍ୟୋସ୍ନାଦେବୀ ପୂଣ୍ୟପ୍ରଭା ଦେବୀଙ୍କୁ ଘର ଭିତରକୁ ଡାକି ନେଇ କହିଲେ—ସେଇ ନିଜେ ବାହାଘର କରାଇଥିଲେ-। ତେଣୁ ସେ ଏଇ ମରଣରେ ଦୋଷୀ । ଏଇ ଘରେ ଆଉ ପୂଣ୍ୟପ୍ରଭା ଦେବୀଙ୍କର ସ୍ଥାନ ନାହିଁ । ଏଠାକୁ ସେ ଆସନ୍ତୁ ନାହିଁ ।...ଏବେ ଚାଲିଯାଆନ୍ତୁ—କହି ଧରି ଧରି ଆଣି ଗାଡ଼ି ପାଖରେ ଛାଡ଼ି ଦେଇ ଗଲେ ।

 

Unknown

ଏକୋଇଶି ତାରିଖ ଅଗଷ୍ଟ—ମଙ୍ଗଳବାର । ବବି ଓ ତାଙ୍କର ବାପା ହିମାଂଶୁବାବୁ ଯାଇଥିଲେ ମାମୀର ଏଗାର ଦିନ ଶ୍ରାଦ୍ଧ ପାଇଁ କହିବାକୁ ।

 

ସେଦିନ ଡାକ୍ତର ସବ୍ୟସାଚୀବାବୁ ଦିଲ୍ଲୀରୁ ଭୁବନେଶ୍ୱର ଫେରିଥିଲେ । ଏମାନଙ୍କୁ ଦେଖି ଇଂରାଜିରେ ଚିତ୍କାର କଲେ ‘‘ୟୁ ହାଭ୍‌ କିଲଡ୍‌ ମାଇଁ ସିଷ୍ଟର । —ମାମୀ ମତେ ତୁ ତୋ ପାଖକୁ ନେଇ ଯା ।... I will tell this from one corner to the other corner, I will speak this to the Prime Minister....

 

ଭାଇମାନେ ଆସି ସବ୍ୟସାଚୀବାବୁଙ୍କୁ ଘର ଭିତରକୁ ନେଇଗଲେ । ସମୁଦି ଆସି କହିଲେ—ସେ ବର୍ତ୍ତମାନ ଆସି ପହୁଞ୍ଚିଲା । ଆପଣ ଆମମାନଙ୍କୁ ଦେଖୁଛନ୍ତି । ହପ୍ତାଏ ତଳେ ଯେମିତି ଏଜିଟେଟେଡ୍‌ ଥିଲୁ ଏବେ ସେମିତି ନାହୁଁ । ଯାହା ହବାର ହେଇଗଲାଣି । ଆପଣ ଏଥର ଯାଆନ୍ତୁ ।

 

ଯୀଶୁବାବୁ ଓରଫ ଦେବୀବାବୁ ସେଇଠି ଥିଲେ । ବବିବାବୁ ମଧ୍ୟ ଭିତରକୁ କଥାବାର୍ତ୍ତା କରିବାକୁ ଯାଇଥିଲେ ।

 

ସେଇଠୁ ଆରମ୍ଭ ହେଲା ଖବର କାଗଜର ଅଧ୍ୟାୟ । ସମାଜ, ପ୍ରଗତିବାଦୀ, ପ୍ରଜାତନ୍ତ୍ର, ମାତୃଭୂମି ଓ ଦିନଲିପିର ବିବରଣୀ ଅପେକ୍ଷାକୃତ ଯଥେଷ୍ଟ ସଂଯତ ।

 

କିନ୍ତୁ ନିୟତିର ମଧ୍ୟ ଅଂଶଗ୍ରହଣର ଭୂମିକା ରହିଛି । ବଡ଼ପୁଅ ଡାକ୍ତରବାବୁ ଫେରିଲା ପରେ Times of India, ରାଷ୍ଟ୍ରଦୀପ, ଟିଉଜଡ଼େ, ତିନୋଟି କାଗଜରେ ଅତ୍ୟନ୍ତ ଖରାପ ଭାବରେ ଲେଖାଗଲା ।

 

ଟାଇମସ୍‌ ଅଫ ଇଣ୍ଡିଆର ଦିଲ୍ଲୀ ପ୍ରକାଶନ ତାରିଖ ୨୯ । ୮ । ୮୪ । ସେଦିନ କରା ହେଇଥିଲା ଯେ, ଅଭିଯୁକ୍ତ ଇଞ୍ଜିନିୟର ସେଦିନ ସକାଳେ ଦିଲ୍ଲୀରେ ପହୁଞ୍ଚି ନିଜ ବିଷୟରେ ବିବରଣୀ ଦିଲ୍ଲୀରେ ପଢ଼ିବେ । ବେଶ୍‌ ଦୂରଦୃଷ୍ଟି ସହିତ କରା ହୋଇଥିଲା । ମଜ୍ଜା ଦେଖ୍‌ ତେ ହବେ–ନୀତିର ଉପାସକ ଶ୍ରୀ ଦେବମଣି ଗୁପ୍ତ ବେଶ୍‌ କରାଇ ଦେଇଥିଲେ । କିନ୍ତୁ ପୁଲିସ ତଦନ୍ତର ହୁକୁମରେ ଶୁଭେନ୍ଦୁବାବୁଙ୍କର ଦିଲ୍ଲୀଯାତ୍ରା ପାଞ୍ଚଦିନ ଘୁଞ୍ଚିଗଲା । ରିଜର୍ଭେସନ କାନସେଲ କରା ହେଲା ।

 

ରାଷ୍ଟ୍ରଦୀପ ହେଉଛି ରାଷ୍ଟ୍ରୀୟ ସ୍ୱୟଂ ସେବକ ଅନୁଷ୍ଠାନର କାଗଜ । ତାହାର ସଂପାଦକ ଶ୍ରୀ ଦେବେନ୍ଦ୍ର ମହାନ୍ତି । ସେଇ କାଗଜରେ ବିଭିନ୍ନ ଫଟୋ ସହିତ ବହୁବିଧ ମନଗଢ଼ା ମିଛ ପୂରା ତିନିପୃଷ୍ଠା ଛପା ହେଲା ।

 

ସେପ୍‌ଟେମ୍ୱର ପାଞ୍ଚ ତାରିଖରେ ଆର.ଏସ.ଏସ ଅନୁଷ୍ଠାନର ଓଡ଼ିଶା ମୁଖ୍ୟ ଶ୍ରୀ ଭୂପେନ୍ଦ୍ର କୁମାର ବସୁ, ପୂର୍ବତନ କଟକର ଗଭର୍ଣ୍ଣକେଣ୍ଟ ପ୍ଲୀଡ଼ର ଏବଂ ପବଲିକ ପ୍ରସିକ୍ୟୁଟର କାଗଜଟି ପଢ଼ି ମତେ ଦେଲେ ଦେଖିବାକୁ—କିପରି ଭାବରେ ଶାଶୁମାନେ ବୋହୂଙ୍କ ଉପରେ ଅତ୍ୟାଚାର କରୁଛନ୍ତି ।

 

ମୁଁ ସେଇ କାଗଜ ପଢ଼ି ଲେଖା ବିଷୟରେ କିଛି ପ୍ରାସଙ୍ଗିକ ପ୍ରଶ୍ନ ପଚାରିଥିଲି । ସେ ପଚାରିଲେ—ଏଇ ପାର୍ଟିମାନେ କିଏ ? ଆଉ ମୁଁ ଏତେ ରୋକଠୋକ୍‌ ପ୍ରଶ୍ନ ପଚାରୁଛି କେମିତି-? ...ଉତ୍ତରରେ କହିଥିଲି, ମୁଁ ଜାଣେ ନାହିଁ । ଲେଖାରୁ ସନ୍ଦେହ ଆସିଲା ବୋଲି କହିଲି କିନ୍ତୁ ଭୂପେନ ବାବୁ କହିଲେ ଯେ ମୋର ପଚାରିଥିବା ପ୍ରଶ୍ନ ଠିକ୍‌ ନୁହେଁ—ଲେଖା ଠିକ୍‌ ।

 

ସେତେବେଳେ ଆର.ଏସ.ଏସର କଟକ ମୁଖ୍ୟ ଶ୍ରୀ ପ୍ରତାପଚନ୍ଦ୍ର ଦେବ ଆଡଭୋକେଟ୍‌ ଓ ଆସୋସିଏଟ୍‌ ପବ୍ଲିକ ପ୍ରସିକ୍ୟୁଟର ଆସିଲେ । ତାଙ୍କୁ ରାଷ୍ଟ୍ରଦୀପ ଦିଆଗଲା ।

 

ପ୍ରତାପବାବୁ ପଢ଼ି ଭୂପେନବାବୁଙ୍କ ପରି ଅନୁପ୍ରାଣିତ ହେଲେ ନାହିଁ । ତଥାପି ପ୍ରତାପବାବୁ ରାଷ୍ଟ୍ରଦୀପର ଲେଖାକୁ ସମର୍ଥନ କଲେ । ମୁଁ ତାଙ୍କୁ ମଧ୍ୟ କିଛି ପ୍ରଶ୍ନ ପଚାରିଥିଲି ।

 

ଜଣାପଡ଼ିଲା ଯେ ନ କହିଲେ ମଧ୍ୟ ଏହି ଘଟଣାରେ ମୋର କେହି ଲୋକ ସଂପୃକ୍ତ ।

 

ସ୍ଥିର ହେଲା ଯେ ପାଞ୍ଚ ତାରିଖ ସେପ୍‌ଟେମ୍ୱର ବୁଧବାର ଦିନ ପ୍ରତାପବାବୁ ମଡର କି ନୁହେଁ ନିଜେ ସରଜମିନରେ ଦେଖିବେ ଓ ବୁଝିବେ । ଏହା ପରେ R.S.S. ମୁଖ୍ୟ ଓ ସେ ନିଜେ ଓ ସଂପାଦକ କଥା ହେଇ ସଂଶୋଧନ କରିବେ ।

 

ଛଅ ତାରିଖ ସେପ୍‌ଟେମ୍ୱର । କାର୍ଯ୍ୟବ୍ୟସ୍ତତା ପାଇଁ ମୁଁ ଅନୁପସ୍ଥିତି ରହିଲି । ସଂପାଦକ ଆସି R.S.S. ମୁଖ୍ୟଙ୍କୁ ଯାହା ବୁଝାଇଲେ ସେଥିରେ ସଂଶୋଧନର ଆବଶ୍ୟକତା ଦରକାର ହେଲାନାହିଁ ।

 

ଫେରି ମୁଁ ଜାଣିଲି ଯେ ମୋର ଅନୁପସ୍ଥିତିରେ ଆଲୋଚନା ଓ ପର୍ଯ୍ୟାଲୋଚନା ସରିଛି ।

 

ତେଣୁ ଗୋଟିଏ ଅଦାଲତ ଅର୍ଜି ଲେଖି ଭୂପେନବାବୁଙ୍କୁ ଦେଲି । ସେଇଟି ସେ ମତେ ୭।୮।୯।୧୦ କଚେରୀ ଛୁଟି ପରେ ଦଶ ବା ଏଗାର ତାରିଖରେ ଦେଲେ ମୁଁ ଟାଇପ କରି କୋଟରେ ଦାଖଲ କରିବି ।

 

ଅର୍ଜିଟି ସଂପାଦକଙ୍କ ପାଖକୁ ପଠାଇ ଦେଇ ଭୂପେନବାବୁ କଟକ ବାହାରକୁ ଚାଲିଗଲେ-। ସଂପାଦକ ମହାଶୟ ସାଙ୍ଗେ ସାଙ୍ଗେ ଭୁବନେଶ୍ୱରରେ ବ୍ରଜବଲ୍ଲଭ ବାବୁଙ୍କର ଘରେ ଅର୍ଜିକୁ ନେଇ ପହୁଞ୍ଚିଲେ ।

 

ତହିଁଆର ଦିନ ସାତ ତାରିଖ ସେପ୍‌ଟେମ୍ୱର । ଗୋଟିଏ ମୁସଲମାନ ପର୍ବ ପାଇଁ ଛୁଟି ଘୋଷଣା ହେଇଥାଏ ।

 

ପ୍ରାୟ ଦିନ ସାଢ଼େ ଏଗାରଟାବେଳେ ମତେ ଘରେ ଉଠାଇଲେ ଯେ ତାଳଚେର ରାଜା ସାହେବ ଆସିଛନ୍ତି ।

 

ବାହାରେ ଦେଖିଲି ଆଉଜଣଙ୍କୁ । ସମୁଧି ବିବ୍ରତ ହୋଇ କହିଲେ—ରାଜୁଭାଇ, ମତେ ଚିହ୍ନିପାରୁ ନାହଁ ? ମୁଁ ମାମୀର ବାପା । କହି କାନ୍ଦିବାକୁ ଆରମ୍ଭ କଲେ ।

 

ନିଜର ନିଦ ମଳମଳ ଆଖିକୁ ଓ ବୁଢ଼ା ମନକୁ ଧିକ୍‌କାର ଦେଇ ଶୈଳଦେବୀଙ୍କୁ ଡାକି ସମୁଧିଙ୍କୁ ନେଇ ଭିତରକୁ ଗଲି । କ’ଣ ଅବା ଉପଯୁକ୍ତ ଆସନ ବା ସ୍ଥାନ ଅଛି ମୋ’ ଘରେ ?

 

ଶୈଳ ଦେବୀଙ୍କୁ ସମୁଧି—ଚର୍ଚ୍ଚା ଭାର ଦେଇ ମୁଁ କଫି ତିଆରି କରିବାକୁ ବାହାରି ଗଲି । ମୋ’ ଘରେ ମୋର ଏଇଟା ଡିଉଟି । କେହି ଆସିଲେ ଚା’, କଫି, କୋକୋ କରିବା କାମ ମୋ’ ଉପରେ ।

 

ସମୁଧି କହିଗଲେ—ଦେଖନ୍ତୁ ମୋ’ ପୁଅକୁ କଲିକତାରେ ଡକ୍ଟର ଜଲାନ କହିଲେ ଯେ ଓଡ଼ିଶା ପୁଲିସ ପନ୍ଦର ଦିନ ହେଲାଣି ଶାଶୁକୁ ଗିରଫ କରି ନାହିଁ କାହିଁକି ? ସୁପ୍ରିମ କୋର୍ଟ ଜଜ୍‌ ମଧ୍ୟ ସେଇ କଥା କହିଲେ । ମୁଁ ମୋର ସଢ଼ୁଙ୍କୁ ପଚାରି ସବୁ କଥା କରେ ।

 

—ଏଇଟା ଆତ୍ମହତ୍ୟା ।

 

—ମୋଟେ ନୁହେଁ । ଆପଣ କ’ଣ ଗଭର୍ଣ୍ଣମେଣ୍ଟ ଆଡଭୋକେଟଙ୍କର ମତକୁ ମାନିବେ ନାହିଁ ? ସେ କହୁଛନ୍ତି ଯେ ଏଇଟା ମଡରର କ୍ଳିଅର କେସ୍‌ ।

 

—ହେଲା ଯେ ଥରେ ବି ଅତ୍ୟାଚାର କଥା ଆମକୁ କହିଲେ ନାହିଁ । ବାହୁଡ଼ାରେ ସମୁଦୁଣୀ ଶୈଳଦେବୀଙ୍କୁ କ’ଣ ଅଭିଯୋଗ କରିଥିଲେ ଯେ ଶୁଣି ମୁଁ କହିଲି ପୁଅ ବୋହୂ ଦିଲ୍ଲୀରେ-। ଆଉ ଏଠି ଅଭିଯୋଗ ହେଉଛି ଶାଶୁ ବିରୁଦ୍ଧରେ । ତାଙ୍କୁ କହ ଯେ ସେ ମୋ’ ସାଙ୍ଗରେ ଆଲୋଚନା କରିବେ...ସେ ବି ହେଲା ନାହିଁ...ମୁଁ ବି ମଙ୍ଗଳାବାଗ ଲୋକଙ୍କର ନିକଟ ଲୋକ ନୁହେଁ ବୋଲି ଶୈଳଦେବୀ ବାହୁଡ଼ା ଦିନ ସମୁଦୁଣୀଙ୍କୁ କହିଥିଲେ ।

 

ଘଣ୍ଟାଏ ଦୁଃଖ ସୁଖ ହେଲୁ । ମୁଁ ମୋର ସମୁଦି ବ୍ରଜବାବୁଙ୍କୁ କହିଥିଲି ଯେ ପୁଅ ଝିଅ ବିଭା ହେବାକୁ ଅଛନ୍ତି । ଏପରି ଅବସ୍ଥାରେ ଅତି କଦର୍ଯ୍ୟ କରି ଖବର କାଗଜ ଲେଖା ବନ୍ଦ କରନ୍ତୁ ।

 

ସେ ମଧ୍ୟ ରାଜି ହୋଇ ପ୍ରତିଶ୍ରୁତି ଦେଲେ ଯେ ଖବରକାଗଜରେ ଆଉ ଲେଖା ବାହାରିବ ନାହିଁ । ...ତେବେ ରାଷ୍ଟ୍ରଦୀପକୁ ଶିଙ୍ଗ୍‌ ଲେଖିଛନ୍ତି...ଟିଉଜ ଡେ ଶାଶୁ ସପକ୍ଷରେ ଲେଖିଛି-

 

ବୋଧହୁଏ ମୋର ଅନୁରୋଧ ଗ୍ରହଣୀୟ ହେଲା ନାହିଁ ସମୁଦିଙ୍କର ପରିବାରରେ । ତା’ପରେ ଧରିତ୍ରୀ (୧୮।୯।୮୪) ଖବର କାଗଜ (୨୦।୯।୮୪) ଇଂରାଜି ଟେଲିଗ୍ରାଫ୍‌ (୨୦।୯।୮୪) ବାହାରିଲା । ୨୧।୯।୮୪ରେ ଉତ୍କଳ ମହିଳା ସମିତି ପଟୁଆର ବାହାରିଲା କଟକର ପ୍ରଧାନ ରାସ୍ତାରେ । ଦୁଃଖିତ ହେଇ ସମୁଦିଙ୍କୁ ଲେଖି ଜଣାଇଲି ।

 

ଅଧିକ ମିଳିଲା ସତକଥା (ମାସିକ) ସୂଚନା (ମାସିକ), ସନ୍ଦେଶ (ମାସିକ) ମୋର ବୋହୂ ଅମିତାର ମୃତ୍ୟୁ ବିଷୟରେ । ପ୍ରଜାତନ୍ତ୍ର, ପ୍ରଗତିବାଦୀ ଦୈନିକମାନେ ସାମ୍ୱାଦିକ ଦେବୀବାବୁଙ୍କର ଅନୁରୋଧ ରକ୍ଷା କରି କିଛି ହେଲେ ସଂଶୋଧନ ଦେଲେ ନାହିଁ । ରାଷ୍ଟ୍ରଦୀପ ପାଖରେ ଅନେକ ତଥ୍ୟ ରହିଗଲା । ଆଉ ସେଇଠୁ ପ୍ରଶ୍ନ ହେଲା—ଏଇ ଘଟଣାରେ ମୁଁ କିଏ ? ଏଥିରେ ରାଜୁବାବୁ କାହିଁକି ମୁଣ୍ଡ ପୂରାଉଛନ୍ତି ?

 

ମୋର ମୁରବୀ ଶୈଳଦେବୀ ମଧ୍ୟ ମତେ ବହୁତ ଶାସ୍ତି ଦେଲେ ଦରକାର ନ ଥାଇ ପେଲି ପଶି ସମସ୍ତଙ୍କ ସାଙ୍ଗରେ କଳି କରିବା କାରଣରୁ ।

 

—ଦେଖିଲ ନାହିଁ, ବୋହୂ ମରିବାର ଅଠର ଘଣ୍ଟା ପରେ ଖବର ପାଇଲ କେମିତି ?

 

—କ’ଣ କରିଥାନ୍ତି ? ମୋର ସମୁଦି ପରା କହିଲେ ଯେ ପନ୍ଦର ଅଗଷ୍ଟରେ ମତେ ଖବର ଦେବାକୁ ଆସିଲାବେଳେ ବାଟରେ ମଢ଼ଟିଏ ଦେଖି ଫେରିଗଲେ । ଖବର ଦେଇପାରିଲେ ନାହିଁ ।...ତେବେ ଆମ ବଜାରରେ କେହି ମରି ନାହାନ୍ତି ।

 

—ନିଜର ପେଟ କେମିତି ପୋଷିହେବ, ତାହାରି କଥା ବୁଝ । ଆଉ ଏଇ ଧନ୍ଦାରେ ପଶି ସମୟ ନଷ୍ଟ କର ନାହିଁ ।

 

—ନା, ଏହି କାଗଜ ପ୍ରଚାର ନ୍ୟାୟର ବିରୁଦ୍ଧରେ ଯାଉଛି । ସାମାଜିକ ଅନ୍ୟାୟର ମଧ୍ୟ ପ୍ରତିବାଦ ରହିବା ଉଚିତ୍‌ ।

 

ଏମିତି ହେଲା ମଡ଼ର୍ଣ୍ଣ ଯୁଗରେ ଆମ ପରି ଓଲୁମାନଙ୍କର ଓ ଗରିବମାନଙ୍କର ଅବସ୍ଥା । କାହାରି ପାଇଁ କେହି ପଦେ କହିପାରିବେ ନାହିଁ । ବୋହୂ ମଲାନାହିଁ ଯେ ଆମମାନଙ୍କୁ ମଧ୍ୟ ସନ୍ତପ୍ତ କରିଦେଇ ଗଲା ।

 

ସେ ଆସିଥିଲା ଅପ୍ରେଲ ବାଇଶିର ରବିବାର ବାହାଘର ଦିନ । ସେଦିନ ବୈଶାଖମାସ କୃଷ୍ଣପକ୍ଷ ସାତ ଦିନ । ଶରଣ ଆରମ୍ଭ ।

 

ଆଗଦିନ ମଙ୍ଗଳପାକ ବା ମଙ୍ଗନ । ମୋର ଅନୁପସ୍ଥିତି ଆଲୋଚନାର ବିଷୟ ହୋଇଥିଲା । ପୂଣ୍ୟପ୍ରଭା ଦେବୀ କେମିତି ନିମନ୍ତ୍ରଣ କରିବାକୁ ଭୁଲିଗଲେ ସେଥିପାଇଁ ଟୁଙ୍କବାବୁ ବିରକ୍ତ ହେଲେ ।

 

ବାଇଶି ତାରିଖରେ ମୁଁ ଯାଇଥିଲି ବୁଝିବାକୁ କଟକରୁ କେତେବେଳେ କେମିତି କେଉଁଠୁ ଆମେ ବାହାରି ଭୁବନେଶ୍ୱର ଯିବୁ ।

 

ବରକୁ ମଙ୍ଗୁଳାଇ ପୂଣ୍ୟପ୍ରଭା ଦେବୀ ଦିନ ସାଢ଼େ ବାରଟା ସୁଦ୍ଧା ବିଦାୟ କରିବାରେ ତତ୍ପର ଥାଆନ୍ତି । କାରଣ ତେଣିକି ବାର ବେଳା ଓ କାଳ ବେଳା ଲାଗି ଲାଗି ରହୁଛି ।

 

ବର ଶୁଭେନ୍ଦୁବାବୁ, ହିମାଂଶୁବାବୁ, ମନୁବାବୁ ଓ ମାର୍କୁଣ୍ଡି ଚାଲିଗଲେ । ଫଟୋ ଉଠା ହେଲା । କିନ୍ତୁ ଖରା ପାଇଁ ଭଲ ଫଟୋ ଉଠିଲା ନାହିଁ । ନିଜର ମଟର ଥିବା ବଂଧୁମାନେ ଆପଣା ସୁବିଧାରେ ଯାଇ ଭୁବନେଶ୍ୱର ପାନ୍ଥନିବାସରେ ଠିକ୍‌ ସମୟରେ ପହୁଞ୍ଚିବା କଥା ହେଲା । କଟକ ପାଇଁ ଗୋଟିଏ ମଟର ଓ ଅଳ୍ପ କିଛି ଛୋଟିଆ ବରଯାତ୍ରୀ ଯିବାର ବ୍ୟବସ୍ଥା ହେଲା । ଏଥିରେ ମୁଁ ଜଣେ ପାସେଞ୍ଜର ।

 

ବର ବିଦାୟ ହେଇଗଲା ବାର ବେଳା ଆଗରୁ । ତା’ପରେ ଆମେମାନେ ଗତ ରାତିର ବଳକା ରନ୍ଧା ଜିନିଷ ଖାଇଲୁ । ତେଲଙ୍ଗାବଜାର ଘରକୁ ଫେରିଲା ବେଳକୁ ଦେଢ଼ଟା ।

 

ବିଶ୍ରାମ ଦଶ ମିନିଟ ହେଇଥିବ । ନିଆଁ—ନିଆଁ ପାଟି ଶୁଭିଲା । ଲୋକ ଧାଇଁଲେଣି । ଘରେ ପଶି ବାଲଟି, ମଗ୍‌, ପାଣି ସବୁ ନେଇ ଚାଲିଛନ୍ତି । ଆମରି ଗୁହାଳ ଜଳୁଛି—ଦଶ ହାତ ଲମ୍ୱା ଓ ଦଶ ହାତ ଚଉଡ଼ା ।

 

ସେଠି ଗୁହାଳ ଶୁଭ ନୁହେଁ । ଆମର ଖୁବ୍‌ ବଡ଼ ବଡ଼ ଦଶ ଆଠ ବର୍ଷର ଦଶ ଆଠ ଲିଟର କରି ଦୁଧ ଦେଉଥିବା ଦୁଇଟି ଜର୍ସି ଗାଈ ଦି’ମାସ ଆଗରୁ ମରି ଯାଇଥିଲେ—ହଠାତ୍ ହଠାତ୍‌-। ଔଷଧ ଚିକିତ୍ସା ମଧ୍ୟ ସମ୍ଭାଳିଲା ନାହିଁ ।

 

ଗୁହାଳରେ ଆଉ ଗୋରୁ ରହିବେ ନାହିଁ । ତେବେ ଭାଙ୍ଗି ନ ଥିଲୁ ।

 

ଗୁହାଳକୁ ଲାଗି ମୋର ଭଉଣୀର ଦୋମହଲା କୋଠା । ତଳ ମାହାଲାରେ ବ୍ରହ୍ମକୁମାରୀ ପ୍ରଜାପତି ଐଶ୍ୱରୀୟ ବିଶ୍ୱବିଦ୍ୟାଳୟ । ଉପର ମହଲା ଖାଲି ।

 

ଉପର ମହଲା ଲୋକକୁ ମୋର ଭଣଜା ଓ ଭିଣୋଇ ମିଶି ତଡ଼ୁଥିଲେ ଭଲ ଭଡ଼ା ପାଇବା ପାଇଁ । ଭଲ ଗୋଟାଏ ଅନିର୍ଦ୍ଦିଷ୍ଟ ଝାବଡ଼ା ଶବ୍ଦ ।

 

ଏଇ ଛକା ପଂଝାରେ ଉପର ଲୋକ ଟଙ୍କା ଚାରିହଜାର ବାକି ରଖି ଘର ଛାଡ଼ି ଚାଲିଗଲା । ଆଉ ମାଲିକମାନେ ଦେଢ଼ ବର୍ଷରେ ମଧ୍ୟ ଭଲ ଭଡ଼ା ଦେବାକୁ ରାଜିଥିବା ଟେନାଣ୍ଟ ପାଇ ନାହାନ୍ତି ।

 

ତଥାପି ଭାରି ଖୁସି ଯେ ସେଇ ଟେନାଣ୍ଟକୁ ତଡ଼ିଛନ୍ତି । ଇଏ ଗୋଟାଏ ପ୍ରକାରର ମାହାନ୍ତିଆ ବୁଦ୍ଧି । ଏଥିରେ ମାହାନ୍ତି ଲାଭବାନ ହୁଏ ।

 

ଉପର ମହଲାକୁ ଗୋଟିଏ ବାହାଘରକୁ ଦି’ଦିନକୁ ଚାରିଶହ ଟଙ୍କାରେ ଭଡ଼ା ଲଗାଇଥିଲେ । ତାଙ୍କର ବି ସେଇ ବାଇଶି ଅପ୍ରେଲ ବାହାଘର ।

 

ଖରାବେଳେ ଚାଳଘର ଉପରକୁ ଦୋତାଲା ଝରକାବାଟେ ବିଡ଼ି କି ସିଗାରେଟ୍‌ ପକାଇ ଦେବାରୁ ଆମର ଘରଟି ଖତମ୍‌ । ଘର ପଛକେ ପୋଡ଼ୁ, ଆଗ ବାଲଟି ଛଅଟାକୁ ଜଗିବାକୁ ପଡ଼ିବ । ଏହାଛଡ଼ା ମଗ୍‌, ଲୋଟା, କୂଅଦଉଡ଼ି ଆଦି ଅଛି । ନିଜର ଘରକୁ ଚଟାପଟ୍‌ ବନ୍ଦ କରିଦେଇ ମୁଁ ଯାଇ ଫାଟକ ଜଗିଲି ।

 

ଘଣ୍ଟାଏ ମଧ୍ୟରେ ନିଆଁ ଲିଭିଲା । ଲୋକେ ବିଦାୟ ହେଲେ । କିନ୍ତୁ ଆମର ଏମିତି ଛଉକା ପଣିଆ ଜଗାରଖା ଦେଖି ଶ—ବେ—ଆଦି ରୁଚିକର ଶବ୍ଦ ବ୍ୟବହାର କରି ଚାଲିଗଲେ । ସବୁ ଜିନିଷ ଫେରିଲା । ଗୋଟାଏ ବାଲଟି ହଜୁଥିଲା, ସେ ମଧ୍ୟ ଧରା ହେଲା ।

 

ପ୍ରାୟ ତିନିଟାବେଳକୁ ଝଡ଼ ଓ କଚଡ଼ା ବର୍ଷା । ଆମେ ଖୁସି ଯେ ଗୁହାଳର ଦରପୋଡ଼ା କାଠ ବାଉଁଶ ପୂରା ଲିଭିଗଲା । ବିପଦ ଆଉ ହେବ ନାହିଁ ।

 

ଚାରିଟା ସାଢ଼େ ଚାରିଟାବେଳକୁ ବଡ଼ମାମୁଁ ବରଯାତ୍ରୀ ହେଇ ଚାଲିଲା ମଙ୍ଗଳାବାଗ ।

 

ବାଟରେ ରାସ୍ତା ବନ୍ଦ—ବହୁତ ଝଡ଼ ଉତ୍ତର ଦିଗକୁ ହେଇଛି । ରାଉସାପାଟଣା ଛକରେ ମଧ୍ୟ ରାସ୍ତାରେ ପାଣି ।

 

ବରଯାତ୍ରୀ ରିକ୍‌ସାକୁ ଛାଡ଼ି ଏଠି ସେଠି ଡେଇଁ କୁଦି ବରଯାତ୍ରୀଟି ଧୋତି ଓ ପଞ୍ଜାବର ଯତ୍ନ ନେଇ ମଙ୍ଗଳାବାଗରେ ଦେଖିଲା ଯେ ବର ରହିଥିଲେ ବାହାଘର ହେଇଥାନ୍ତା କେମିତି ?

 

ବବି ଘର ପାଖ ରାସ୍ତାରେ ଅନେକ ଦସ୍ତା ଓ ଆଜବେଷ୍ଟସ୍‌ ଛାତ ଉଡ଼ି ଯାଇଛି । ବିଜୁଳି ବନ୍ଦ । ମୋର ଭଣଜାର ବେଦୀ ଆଉ ନାହିଁ । କଦଳୀ ଗଛ ଇତ୍ୟାଦି ଉପୁଡ଼ି ଯାଇଛନ୍ତି । ଉପରର ଟେମ୍ପରାରୀ ସାଜସଜ୍ଜା ପୂରା ଚାଲିଯାଇଛି । ଚାରିଆଡ଼େ ଶୁନ୍‌ଶାନ୍‌ ।

 

ସେଇଠି ପିଣ୍ଡାରେ ବସି ରହିଲୁ । ମଟର ବ୍ୟବସ୍ଥା ଜଣା ପଡ଼ୁନାହିଁ । ବରଯାତ୍ରୀ କେବଳ ଜଣେ ମିଳିଛି—ସିଏ ବଡ଼ ମାମୁଁ ।

 

ବଡ଼ ଦୁଃଖର କଥା । ବାହାଘର ବେଦୀଟା ମଧ୍ୟ କ୍ଷତିଗ୍ରସ୍ତ ହେଇଗଲା । ଏଇ ସାଇକଲୋନ ଆଉ ଦିନଟାଏ ସମ୍ଭାଳିଲା ନାହିଁ ।

 

ସନ୍ଧ୍ୟାପରେ ବହୁତ କଷ୍ଟରେ ଏଠୁ ସେଠୁ ଦି’ଚାରିଜଣ ବରଯାତ୍ରୀ ଏକାଠି ହୋଇ ଖଣ୍ଡେ ମଟରରେ ଚାଲିଲୁ କଟକରୁ ଭୁବନେଶ୍ୱର । —ଅପ୍ରେଲ ବାଇଶି ସନ୍ଧ୍ୟା ।

 

ବାଟରେ ଫୁଲନଖରା ପାଖରୁ ରାସ୍ତା ଦୁଇପାଖ ଝଡ଼ରେ ଅତ୍ୟନ୍ତ କ୍ଷତିଗ୍ରସ୍ତ । ବିଶ୍ୱବିଦ୍ୟାଳୟ ଓ ନଅନମ୍ୱର ରାସ୍ତା ଅନ୍ଧାର ଓ ବିପର୍ଯ୍ୟସ୍ତ ।

 

ଭାବୁଥାଏ କି ବାହାଘର ହେବ ? ମୋର ସମୁଧିଙ୍କ ଘରେ କିଛି ନ ଥିବ ।

 

ଆଶ୍ଚର୍ଯ୍ୟ କଥା କଳ୍ପନା ପାରି ହେଲା ପରେ ଆକାଶ ସଫା ଜଣା ପଡ଼ିଲା । ବରଘର ଖର୍ଚ୍ଚରେ ସେମାନେ ଯେଉଁ ଲାଇଟ ଓ ବାଜା ଯୋଗାଡ଼ କରିଥିଲେ ସେଥିରେ ବର ଯାଇ ପହୁଞ୍ଚିଲା ।

 

ଇଏ କ’ଣ ? ନଅ, ଆଠ, ତିନି, ଛଅ ୟୁନିଟ୍‌ରେ ଅତ୍ୟନ୍ତ ଶୋଚନୀୟ ଅବସ୍ଥା । ଅଥଚ ମୋର ସମୁଧିଙ୍କର ସାଜସଜ୍ଜା ଏକଦମ୍‌ ଅକ୍ଷୁଣ୍ଣ । ଟୋପାଏ ବି ବର୍ଷା ନାହିଁ । ଏଣେ ନଅ ନମ୍ୱର ୟୁନିଟ୍‌ରେ ରାସ୍ତାରେ ପାଣି ।

 

ମୁଁ ଇଶ୍ୱରଙ୍କୁ ପ୍ରଣତି ଜଣାଇଥିଲି । ମୋର ସମୁଧି ବ୍ରଜବାବୁ ଚକାଡ଼ୋଳାଙ୍କର ଭକ୍ତ ଓ ଓଡ଼ିଆ ମଠର ଲୋକ । ମୋର ସମୁଦୁଣୀ ବାୟାବାବାଙ୍କର ଭକ୍ତ । ସେମାନଙ୍କର ଅନନ୍ତ ଆର୍ଶୀବାଦ ଓ କରୁଣାରେ ଏଇ ବାହାଘରଟିରେ କିଛି ଟିକିଏ ବି ଅସୁବିଧା ନାହିଁ । ମୁଁ ସେଦିନ ଭାବିଥିଲି ଯେ ଈଶ୍ୱରଙ୍କର ଶୁଭଦୃଷ୍ଟି ମୋର ଭଣଜାର ଶଶୁରଘର ଉପରେ ରହିଛି ।

 

ଟିକିଏ ଖଟକା ରହୁଥାଏ ଯେ ମୋର ଭଣଜାର ବାହାବେଦୀର ଚିହ୍ନବର୍ଣ୍ଣ ମଧ୍ୟ ନାହିଁ । ବିଚରା ଆଗରୁ ଚାଲି ଆସିଛି । ନ ଦେଖି ଝଡ଼ର ଉତ୍ପାତ କଳ୍ପନାରେ ଦେଖିବା କଷ୍ଟକର ।

 

ମୋର କର୍ତ୍ତବ୍ୟ ସାରି ସେଇ ରାତିରେ ମୁଁ ଫେରିଲି କଟକ ।

 

ରହିବାର କଥା କାହିଁ ? ମୁଁ ଜାଣେ ମୁଁ ଅତ୍ୟନ୍ତ ପପୁଲାର ଲୋକ । ଯିଏ ମୋ ପାଖକୁ ଆସେ ଫେରିଲାବେଳେ ପାଞ୍ଚେ ଯେ ତାହାର ଆଉ ଅଧିକ ବଳ ଥିଲେ ମତେ ଟାଙ୍କେ ଦେଇ ଫେରିଥାନ୍ତା । ଏଇ ଲୋକପ୍ରିୟତା ମୁଁ ଘରେ ଓ ବାହାରେ ପ୍ରଚୁର ଅନୁଭବ କରିଛି ।

 

ସୋମବାର ଏଗାର ନଭେମ୍ୱର ୧୯୮୪ । ମୁଁ ଜରରେ ଶୋଇଥିଲି । ଗୋଟିଏ ଭଣଜା ଆସିଥିଲା । ଖରାବେଳେ ମୁଁ ଶୋଇଛି ଆଉ ସୋମବାରରେ । ସେ ସ୍ଥିର କଲା ଯେ ମୁଁ ବେଶ୍‌ ଅସୁସ୍ଥ । ଆଉ ଘରେ ବୁଝାଉଥିଲେ ଯେ ସେମିତି ନୁହେଁ ।

 

ଭଣଜାଟି କହିଲା ତାହାର ଜରୁରୀ କାମସାରି ଆସିବ । କିନ୍ତୁ ଆସିବା କି ଦରକାର ? ସେ ଚାଲିଗଲା ପ୍ରଚାରରେ—ବଡ଼ମାମୁଁ ବୋଧହୁଏ ଆଉ ଉଠିବେ ନାହିଁ । ତିନି ଦିନ ହେଲା ଶୋଇଲେଣି । କେଜାଣି ସକାଳୁ କ’ଣ ହେଇଥିବ । ଯାହାହେଉ ପ୍ରଚାରଟା ଖାଲି ମାହାନ୍ତିଙ୍କ ଭିତରେ ସୀମାବଦ୍ଧ ରହିଲା ।

 

ଆଉ ମାହାନ୍ତିମାନେ ଭାବିଲେ ସନ୍ଧ୍ୟା ତ ହେଲାଣି—ସକାଳେ ବୁଝିବା କ’ଣ ହେଇଚି ?

 

ଆର ସକାଳୁ ସବୁ ଆସିବାକୁ ଆରମ୍ଭ କଲେ । ମତେ ଚାଲବୁଲ କରିବା ଦେଖି ବଡ଼ ବିବ୍ରତ ହେଲେ—ସେପରି କିଛି ଗୁରୁତର କଥା ନାହିଁ ।

 

ବୁଝାଗଲା ଯେ ପ୍ରଚାରଟା ଭୁଲ୍‌ ହେଇଗଲା । ମୁଁ ଯେ ମରିଯାଇଥିବି କି ମର ମର ହେଉଥିବି—ସେତିକି ଭୁଲ୍‌ । ଜରଟା ଠିକ୍‌ । ଭଣଜା ଯାଇ ତାଙ୍କ ଘରେ କାମଦାମରେ ଲାଗିଛନ୍ତି । ଏଣେ ବଡ଼ମାମୁଁଙ୍କୁ ଦେଖିବାକୁ ତାଙ୍କ ଘରେ ଲୋକ ।

 

ଏଇ ପାଜି ମାହାନ୍ତିମାନେ ଏକାଠି କ୍ଳବ୍‌ ବାନ୍ଧି ଚଳୁଛନ୍ତି । ସେମାନଙ୍କର ବୁଦ୍ଧି ପାତଳା ହେଇଗଲାଣି । ଆଉ କାମକୁ ପାଉ ନାହିଁ । ତେଣୁ ଭଲ ଡ୍ରେସ୍‌ ପିନ୍ଧି, ଘଡ଼ି ବାନ୍ଧି କିଛି ପରିଶ୍ରମ କରିବାକୁ ଇଚ୍ଛା ନ କରି ଆଲାଦିନର କୁହୁକ ଦୀପ ଓ ଅଷ୍ଟଧାତୁ ଡେଉଁରିଆ, ଲୁହା ବା ତମ୍ୱାର ହାତ କଡ଼ା ଓ ସାଇ ଭଜନ ଇତ୍ୟାଦିରେ ମନ ଲଗାଇଛନ୍ତି ।

 

ଫଳ ମଧ୍ୟ ମିଳୁଛି । ଶିକ୍ଷିତ ବେକାର ଅବା ବେକାରଙ୍କର ପାଳିଆ ପରି ଷ୍ଟାଟସ୍‌ ଯେ ଆସୁନାହିଁ ତାହା ନୁହେଁ । ଓଡ଼ିଶା ଏବେ ଆଫ୍ରିକା ପରି କିଛି କିଛି ହେଲାଣି । ଆଉ କିଛି କିଛି ହେଲାଣି ହିମାଳୟର ପାଦଦେଶ ଓ ଆଣ୍ଠୁ ଦେଶ ଚଳଣୀ ପରି ।

 

ଆଫ୍ରିକାରେ ଆଫ୍ରିକୀୟ ଜାତିର ଲୋକ ତାହାରି ଜାତିର ଲୋକଘରକୁ ଯାଇ କୁଣିଆଁ ହେଲେ ସ୍ଥାନୀୟ ସାମାଜିକ ପ୍ରଥାରେ ତାକୁ କେହି ଯିବାକୁ କହିବ ନାହିଁ । କିମ୍ୱା କେବେ ଯିବ କି କାହିଁକି ଆସିଲ ପଚାରି ପାରିବ ନାହିଁ । ତେଣୁ ସେଠି ପଦସ୍ଥ ଅଫିସରମାନେ ସରକାରଙ୍କୁ ଲେଖନ୍ତି ଯେ ତାକୁ ନିଜ ଗାଁଠାରୁ ଦୁଇ ଚାରି ଶହ ମାଇଲ ଭିତରେ ପୋଷ୍ଟିଙ୍ଗ ଦିଆ ହେବ ନାହିଁ ।

 

ଆଉ ହିମାଳୟର ଅଣ୍ଟା, ପାଦ ଓ ଆଣ୍ଠୁ ପାଖରେ ସ୍ଥାନୀୟ ପ୍ରଥା ଅଛି ଯେ କେହି କାହାରି ଘରେ ପହୁଞ୍ଚି କୁଣିଆ ହେଲେ ଶାସ୍ତ୍ର ଅନୁସାରେ ଧରାଯିବ—ଠାକୁର ଆସିଲେ । କାରଣ ଲୋକଟି କୁଣିଆକୁ ଆସିବାକୁ କହି ନାହିଁ ।

 

କୁଣିଆ ବାବୁ ପରି ଖାଇବ, ବସିବ ଓ ଶୋଇବ । ଶୋଇଲାବେଳେ ଘରର ଘରଣୀ ଆସି ରତି ଦାନର ଯୋଜନା ଦେବ । ଆଉ ତାକୁ ଗ୍ରହଣ ନ କଲେ ତହିଁଆର ଦିନ ଘରର ମାଲିକ ଆସି କାନ୍ଦକଟାଳ କରିବ ।

 

ଏବେ ଓଡ଼ିଆ କରଣ ସମାଜରେ ଏଇ ପ୍ରକାରର ଚଳଣି ଧୀରେ ଧୀରେ ବିଭିନ୍ନ ରୂପ ଦେଖାଇ ପଶି ଆସୁଛି—ସବୁ କାମ ବନ୍ଦ କରି ଟି.ଭି. ଦେଖିଲା ପରି । ଖାଅ, ଟି.ଭି. ଦେଖ, ଖାଅ, ଶୁଅ । ଆଉ କାମ ଖୋଜିଲେ ଯାଅ ଚୁଗୁଲି କର—ଚରିତ୍ର ସଂହାର କର ।

 

ଅବା ବେଶପଟା ହେଇ ଦାନ୍ତ ଦେଖାଇ ରାସ୍ତାରେ ବୁଲ । ସୁବିଧା ନ ହେଲେ ମୁରବିମାନଙ୍କୁ ମଫ୍‌, କନଜୁସ, ଫୁଲ, ବୁଦ୍‌ଧୁ ଆଦି ସଂବୋଧନ କରି ଶିଖ । କାରଣ ପ୍ରତ୍ୟେକ ଟି.ଭି. ଆସରରେ ଦିଲ୍ଲୀ, ବମ୍ୱାଇ, କଲିକତା, ମାନ୍ଦ୍ରାଜ ଆଦି ସହରରେ ହଜାର ହଜାର ଦର୍ଶକ ଭଲ ଖିଆପିଆ କରି ଉପଯୁକ୍ତ ଡ୍ରେସ୍‌ପିନ୍ଧି ଟି.ଭି ଆସରରେ ବସି ଚେହେରା ଦେଖାଇ ପାରୁଛନ୍ତି । ଓଡ଼ିଆ ସିନା ଗରିବ ବୋଲି ନିଜ ଦେଶରେ ରହିଛି—ସେ କ’ଣ ସେତିକି ସମୟ ସତୀର୍ଥ ହେଇ ପାରିବ ନାହିଁ ?

 

ଫରେନ ଏଡ୍‌ ଦେବା ଲୋକ ଚାଲାଖି କରି ହଜାର ହଜାର ପାଠୁଆ ଓ ମୂର୍ଖ ଓ ଓଲୁ ଗଢ଼ି ଦେଇ ତାଙ୍କର କରଜଦିଆ ଟଙ୍କାକୁ ଟେକନିକାଲ କୋଲାବରେସନ କେନାଲ ଦ୍ୱାରା ନେଇ ଯାଉଛନ୍ତି । ପାଣି କୁମେରୁରୁ ସୁମେରୁକୁ ରାଉଣ୍ଡ ମାରେ । ପାଣି ସମୁଦ୍ରରୁ ଆକାଶକୁ ଉଠି ପୁଣି ଚକର କାଟି ତଳକୁ ଆସେ । ପବନ ଲଙ୍କା ପାଖରୁ ବାହାରି ଉତ୍ତର ଦକ୍ଷିଣ ଘୁମି ପୁଣି ଫେରି ଆସେ-। ବାୟୁର ନାଇଟ୍ରୋଜେନ ସେମିତି ଆକାଶ ଓ ପୃଥିବୀ ରାଉଣ୍ଡ ମାରେ । ମଣିଷ ମଧ୍ୟ ମଲାପରେ Tree Spirit ଓ Animal Spirit ହେଇ ରାଉଣ୍ଡ ମାରେ । ଟଙ୍କା ବି ସେମିତି ବାହାରୁ ନିଜ ଦେଶକୁ ଆସି ରହିବାକୁ ବିରକ୍ତ ଲାଗିଲେ ପୁଣି ତାହାର ବାପଘରକୁ ଫେରିଯାଏ ।

 

ଝିଅ ସେମିତି ବାପଘରକୁ ତାହାର ରାଉଣ୍ଡ ପକାଇ ଦେଇ ଆଉ ଗୋଟିଏ ସ୍ଥାନରେ ଖୁଣ୍ଟ ପୋତେ । ଶାଶୁଘର ହେଲା ରେଳର ଓ୍ୱାଟରିଙ୍ଗ ଷ୍ଟେସନ ।

 

ମଣିଷର ବୁଦ୍ଧି ବି ସେମିତି ଓଲାମିରୁ ଚଲାଖ ହେଇ ସାରି ପୁଣି ଫେରେ ଓଲାମି ଆଡ଼କୁ-

 

ଶାଶୁ ପୂଣ୍ୟପ୍ରଭା ଦେବୀ, ଶଶୁର ଓ ନଣନ୍ଦ ଯାଇଥିଲେ ମୋର ବୋହୂର ‘‘ପାକା ଦେଖା’’ କରିବାକୁ ଭୁବନେଶ୍ୱର । ଆଗରୁ ନମ୍ୱର ଦେଇ ସାରିଥିଲେ । ଗଲେ ଟୋଟାଲ କରି ପୁଅକୁ କହି ଦେବାକୁ । କାରଣ ପୁଅ ନିଜର ମତକୁ ମାଆ ଉପରେ ଲଦି ଦୋଷ କିଣିବା ବଦଳରେ ମାଆର ମତକୁ ନିଜ ମୁଣ୍ଡରେ ଚଢ଼ାଇବା ସପକ୍ଷରେ । ନ ହେଲେ କି ସଂସାର ରହିବ ?

 

ବୋହୂ ସାଙ୍ଗରେ କି କାମ ? କଥା ଭାଷା ସିନା ମୁରବିମାନଙ୍କ ସାଙ୍ଗରେ । ବୋହୂ ତଦାରଖ ରହିଗଲା ଇଂରାଜୀ ଏମ୍‌.ଏ ନଣନ୍ଦ ଉପରେ ।

 

ବୋହୂ ଅମିତା ମଧ୍ୟ ନନ୍ଦିନୀ ଅପା କହି ଗୋଟାଏ ଭୂମିଷ୍ଠ ସାଲ୍ୟୁଟ ମାରି ଦେଲା । ନନ୍ଦିନୀ ଅପାର ବୟସ କମ୍‌ ହେଲେ କ’ଣ ହେଲା ଭାଉଜଠାରୁ ଚାଖଣ୍ଡେ ବେଶି ଉଚ୍ଚା । ୟା’ ଛଡ଼ା ଇଂରେଜୀ ଜ୍ଞାନ, ରେଭେନ୍‌ସା କଲେଜ, ମଙ୍ଗଳାବାଗ କୋଠା ଆଦି ଅନେକ ପଏଣ୍ଟ ରହିଛି । ପୁଣି ଯାଇଛନ୍ତି ନିଜର ମଟରରେ ।

 

ଦୁଇଆଡ଼େ ଖୁସାମଦ୍‌ । ଇଣ୍ଟରନାଲ ପରୀକ୍ଷକ ଘର ଭିତରେ ଜଣକର ସ୍ତବ ଶୁଣୁଥାଏ-। ଅନ୍ୟ ଭଉଣୀମାନେ ହେଲେ ଲାବରେଟରୀ ଆସିଷ୍ଟାଣ୍ଟ, ବେହେରା ଓ ପାଣିଦେବା ଲୋକ-। ବାହାରେ ଏକସଟରନାଲ ପେଆରଙ୍କ ପାଖରେ ଦଳେ ବିଭିନ୍ନ ରାଗିଣୀରେ ଗାନା ଗାଉଥାନ୍ତି-

 

ମଜ୍ଜା ବେଶି ହେଉଛି ବାହାରେ । ତେଣୁ ଇଣ୍ଟରନାଲ ଚଞ୍ଚଳ ଫେରି ଆସିଲା । ଏକସଟରନାଲ ଶାଶୁ ଶଶୁର ଉଠିଲେ ।

 

କ୍ୱାଟରର ଫାଟକ ପାଖରେ ମୋର ସମୁଧି ମେଜିକ୍‌ର ଶେଷ ଟ୍ରିକ ଦେଖାଇ ଦେଲେ । ଫାଟକ ପାଖରୁ ସେ ପିତୃ ସୁଲଭ କଅଁଳ ବାତ୍ସଲ୍ୟଭରା କଣ୍ଠରେ ଡାକିଲେ ମାମୀ—ମାମୀ ଲୋ ।

 

ସତକୁ ସତ ମାମୀ ଆସିଲା । କିନ୍ତୁ ଧାଇଁ ଧାଇଁ । ଫାଟକ ପାଖରେ ଠିଆ ହୋଇଗଲା । ସେଇଠୁ ସମୁଧି କହିଲେ—ମାଆ, ଯାଆ । ଏମିତି ଡାକୁଥିଲି । ସେ ପୁଣି ଧାଇଁ ଧାଇଁ ଚାଲିଗଲା ।

 

ଶାଶୁ ପୂଣ୍ୟପ୍ରଭା ପଚାରିଲେ—କାହିଁକି ଡାକିଥିଲେ ?

 

ହସି ସମୁଧି କହିଲେ—ଦେଖାଇ ଦେବାକୁ ଯେ ମୋର ଝିଅର ଖୁଣ ନାହିଁ । ସେଇଠୁ ଆନନ୍ଦରେ କହିଲେ—ଜାଣି ନାହାନ୍ତି ଆପଣମାନେ । ଛୋଟା ଭଲ ଦେଖିବା ଦରକାର । ଗୋଟାଏ ବୋହୂ ବାହାଘର ପରେ ଛୋଟୀ ବୋଲି ଜଣା ପଡ଼ିଥିଲା । ଆମର ଚତୁର ଲୋକେ ସନ୍ତୁଷ୍ଟ ହେଇ ଫେରିଗଲେ । ପୁଅକୁ ନିଜର ପସନ୍ଦ ଜଣାଇ ଦେଲେ । ବାହାଘର ପରେ ଦେଖାଗଲା ଯେ ବୋହୂ ସବୁବେଳେ ମାଟିରେ ଲୋଟୁଥିବା ସାଇଆ ଓ ଶାଢ଼ି ପିନ୍ଧି ଚାଲୁଛି ।

 

—ହେ ମାମୀ । ମାଟିରେ ଲାଗୁଛି ଶାଢ଼ି ସାଇଆ । ଟିକିଏ ଟେକିକରି ପିନ୍ଧ । ପାଦ ଦିଶିଲେ ଖରାପ କ’ଣ ?

 

ମାମୀ କିନ୍ତୁ ଏହି ବିଷୟରେ ଭାରି ଅବାଧ୍ୟ । ସେ କହେ ଯେ ସେମିତି ନ ପିନ୍ଧିଲେ ତାକୁ ଅଡ଼ୁଆ ଲାଗେ—ଲାଜ ଲାଗେ । ତା’ର ସାଙ୍ଗମାନେ ସେମିତି ପିନ୍ଧୁଛନ୍ତି । ଆଉ ସେ ପିନ୍ଧୁଛି ।

 

ମାମୀର କଟକ ରହଣୀରେ ଦୃଷ୍ଟି ରହିଲା ବାହାଘର କୁଣିଆ, ବେଭାର ଫେରସ୍ତ, ଦୋକାନ ବାକି ଶୁଝା ଆଉ ଝିଅର ଏମ୍‌.ଏ.ପରୀକ୍ଷା ଆଦି ଶାଶୁଙ୍କ କାମ—ସବୁ ଶାଶୁଙ୍କର କାମ ।

 

ପୁଅ ବୋହୂ ଗଲେ ଦିଲ୍ଲୀ ।

 

ଚିଠି ଆସିଲା—ମାମୀ ଏମିତି ଚାଲୁଛି କ’ଣ ? ମୁଁ କ’ଣ ତାକୁ ଚାଲିବା ଶିଖେଇବି ? ମୋର ଡିଉଟି ପରେ ରାତି ଆଠଟା ନଅଟାରେ କ’ଣ ଚାଲିବା ଶିଖେଇବି ? ସକାଳ ଆଠଟା ଆଗରୁ ବାହାରି ଯିବାକୁ ପଡ଼ୁଛି ।

 

ଶାଶୁ ଭାବିଲେ—ଇଏ କି କଥା ? ଚାଲି ଶିଖି ନାହିଁ କ’ଣ ? ...ହେଇପାରେ ଦିଲ୍ଲୀରେ ରହୁଥିବା ଲୋକ କ’ଣ କେମିତି ଚାଲୁଥିବେ ।

 

ଯେତେବେଳେ ପୁଅ ବବିବାବୁ ଜୁଲାଇ ପଚିଶିରେ ବିଦାୟ ନେଲେ ସେତେବେଳକୁ ଶାଶୁ ପୂଣ୍ୟପ୍ରଭା ଦେବୀଙ୍କ ଉପରେ କାମ ରହିଲା ଅନେକ ।

 

ମାମୀ ଇଂରାଜୀ କହିବା ଅଭ୍ୟାସ କରିବ । ଇଂରାଜୀ ପତ୍ରିକାଟିଏ ପଢ଼ି ବୁଝି ପାରିବ । ଟେବୁଲରେ କେମିତି ଆଉ ପାଞ୍ଚଜଣକ ସାଙ୍ଗରେ ଖାଇବାକୁ ହୁଏ ଓ ପରସିବାକୁ ହୁଏ—ସେତକ ଠିକଣା କରିବ । କଥା ଶୁଣିଲାବେଳେ ପାଟିଟା ମେଲା କରି ବସୁଛି—ସେ ଅଭ୍ୟାସ ଛାଡ଼ିବ । ଚାଲିବା ଶିଖିବ । ଏହା ଛଡ଼ା ବି.ଏ. ପରୀକ୍ଷା ରହିଛି ।

 

ପୁଅ ଗଲେ । ଏଣେ ମୋର ବୋହୂର ସବୁବେଳେ ବାନ୍ତି ଉଚ୍ଛାଳ ଆରମ୍ଭ ହେଲା—ନରଭସ୍‌ ନସିଆ ।

କିଏ କହିଲା ପିଲା ହେବ । ମାମୀ କହିଲା—କଟକ ଜଳବାୟୁ ତାହାର ଦେହରେ ସହୁ ନାହିଁ । କିଏ ଭାବିଲା—ଦାନ୍ତ ରୋଗ ଅବା ପେଟ ରୋଗ ।

 

ସବୁ ପରୀକ୍ଷା ହେଲା—କିଛି ନାହିଁ । ପୁତୁରା ଡକ୍ଟର ରାଜକିଶୋର ଦାସ ମେଡିସିନର ଆସୋସିଏଟ୍‌ ପ୍ରଫେସର । ସେ କହିଲେ—ଭୟ ବହୁତ ହେଉଛି ।

 

—କି ଭୟ ? କ’ଣ ପାଇଁ ?

 

—ଶାଶୁକୁ ଭୟ ।

 

ଶାଶୁ ଭାବିଲେ ବୋହୂକୁ ଗେଲ ନ କଲେ ଘସା ଆଉଁସା କଲେ ଭଲ । ଡର ଭାଙ୍ଗିବ । ଏଣେ ପୂଣ୍ୟପ୍ରଭା ଦେବୀ ତାଙ୍କୁ ଭୟ କରିବା ସ୍ତରରେ ଗୋଟିଏ ବୋହୂ ପାଇଯିବାରୁ ଭାରି ଖୁସି ହେଉଥାନ୍ତି ଯେ ଅମୁକ ଅମୁକ ଘରେ ଜବାବ ଦେଉଥିବା, ବେଖାତିର କରୁଥିବା ବୋହୂ ପରି ଆମର ଅମିତା—ଅମୃତା—ମାମୀ ନୁହେଁ । ଇଶ୍ୱରଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କଲେ ।

 

ନିଜର ପସନ୍ଦକୁ ହିପ୍‌–ହିପ୍‌–ହୁରେ ।

 

ଦେଖାଗଲା ଔଷଧ ହେଉଛି—ଖାଲି ହଜମୀ । ଲିକ୍ୱିଡ ଡାଇଭଲ ।

 

ଦାନ୍ତ ପ୍ରଥମ କାମ । ସେ ଠିକ୍‌ ହୋଇଗଲା । କିନ୍ତୁ ବାନ୍ତି ଘନ ଘନ ହେଉଛି କ’ଣ ପାଇଁ-? କି ଡର ? କାହିଁକି ଡର ?

 

କ୍ରାଇସିସ୍‌ ମାଡ଼ି ଆସୁଥାଏ । ମୋର ବୋହୂର ଗୋଟିଏ ଗୋଡ଼ ସାମାନ୍ୟ ଛୋଟ । ବେକରେ ଗୋଟିଏ ଛୋଟ ଆବୁ ପଛ ଆଡ଼କୁ ।

 

ଇଏ ଜଣା ପଡ଼ିଗଲା । କିନ୍ତୁ ଏ କଥା ଶାଶୁ ଆଉ କାହାକୁ କହିବେ କେମିତି ?

 

ବେକର ଆବୁ ଲୁଚାଇବାକୁ ଚବିଶ ଘଣ୍ଟା ମୁଣ୍ଡରେ ଲୁଗା ରହିଲା । ଏଇଟା ହେଲା କଟକ ମଙ୍ଗଳାବାଗ ଘରର ଗୋଟିଏ ଛୋଟିଆ ସିକ୍ରେଟ । କେହି ଜାଣିଲେ ନାହିଁ ।

 

ବୋହୂ ଆସି ଶାଶୁ କୋଡ଼ରେ ଦିନକୁ ଅଧଘଣ୍ଟା ଘଣ୍ଟାଏ ବସି ଗେଲ ହେଲା । ଶାଶୁ ବି ପ୍ରତି ଅଠର ଅଠେଇଶି ଘଣ୍ଟା ତଫାତରେ ବାନ୍ତି ଉଚ୍ଛାଳ ସାଷ୍ଟମ କରିବାକୁ ବୋହୂ ଗୋଡ଼ଘଷା ଆରମ୍ଭ କରିଦେଲେ ।

 

ବୋହୂର କୃତଜ୍ଞତା ଅଛି । ସେ ମଧ୍ୟ ଶାଶୁଙ୍କୁ ଘଷିଲା ।

 

ଘରେ ଝିଅ ତାହାର ପରୀକ୍ଷା ପାଇଁ ବ୍ୟସ୍ତ । ବାବୁ ଯିବେ କାମରେ । ରହିଗଲେ ଦୁଇ ପ୍ରାଣୀ—ଶାଶୁ ଓ ବୋହୂ । ଦିହେଁ ଦିହିଙ୍କୁ ଇଚ୍ଛାରେ ଅବା କର୍ତ୍ତବ୍ୟ ଦୃଷ୍ଟିରୁ ଅବା କେହି କାହାର ଧାରୁଆ ହେଇ ରହିବେ ନାହିଁ ବୋଲି ଘଷାଘଷି ଆରମ୍ଭ କରିଦେଲେ ।

 

ବୋହୂ ଔଷଧ ଖାଇବାକୁ ଭୁଲେ । ମନେ କରି ଖୁଆଇ ସମୁଦୁଣୀଙ୍କର ସ୍ଥାନ ନେବାକୁ ହୁଏ ।

 

ଅହୋରାତ୍ର ପୂଜା କଲାବାଲୀ ମୋର ବୋହୂ ଅମିତାକୁ କହିଲେ ବି ସେ ସଞ୍ଜ ଦେବାକୁ ଓ ଧୂପ ଦେବାକୁ ଭୁଲିଯାଏ । ଏଣେ ବାନ୍ତି ଉଚ୍ଛାଳ ଚାଲୁଥିବାରୁ ମୋର ବୋହୂକୁ କିଛି କୁହାଯାଏ ନାହିଁ । କିନ୍ତୁ ଶାଶୁ ବେଳେବେଳେ ଭାବେ ଯେ ତାଙ୍କୁ ଯେଉଁ କୁହାଯାଉଥିଲା ଯେ ମାମୀର ପୂଜା ପାଇଁ ପଢ଼ା ନଷ୍ଟ ହୁଏ—ଏଗୁଡ଼ାକ କ’ଣ ବହୁତ ଦିନ ତଳର କଥା ?

 

ବୋହୂ ମଲାପରେ ନଣନ୍ଦେଇ ଟୁଙ୍କବାବୁ ଅନେକ ଥର କହିଲେଣି—କ’ଣ ଭାଉଜ ! ଚାଲି ଶିଖଉ ଥିଲ, ଟେବୁଲ ମାନରସ୍‌ ଶିଖଉ ଥିଲ, ଇଂଲିସ ସ୍ପିକିଙ୍ଗ୍‌ ଟ୍ରେନିଂ ଦଉଥିଲ । ଏବେ ବୋହୂ କାହିଁ ? ଆମେ ବୋହୂ ଚଳାଉଛୁ । ସେଠି ସେମାନେ ବୋହୂ ଚଳାଉଛନ୍ତି କେମିତି ? ଆଉ ତୁମେ ?

 

—କ’ଣ ବା କୁହାଯିବ ?

 

ରଙ୍ଗଟା ମଉଳି ଗଲା । ବେକର ଆବୁ ଓଢ଼ଣା ତଳେ ଲୁଚିଗଲା । ପାଦ ଲୋଟଣୀ ଶାଢ଼ି ସାଇଆ ଭିତରେ ଗୋଟିଏ ଗୋଡ଼ ଆର ଗୋଡ଼ଠାରୁ ଅଳ୍ପ ଛୋଟ ହେଇଗଲା । ଉଚ୍ଚା ଚାରିଫୁଟ ଦଶ ଇଞ୍ଚ ହେଇଗଲା । ଫାଷ୍ଟକ୍ଲାସ ମାଟ୍ରିକୁଲେସନ କମ୍ପାଟମେଣ୍ଟାଲ ହେଇଗଲା । ଖୁବ୍‌ ଭଲ ବି.ଏ ଫାଇନାଲରେ ଖାଲି ଓଡ଼ିଆ ଛଡ଼ା ଅନ୍ୟ କେଉଁଥିରେ ପାସ୍‌ ନମ୍ବର ରହିଲା ନାହିଁ । ପାସ୍ ନମ୍ବର ଅଣାଯାଇ ପାରିବ କି ନାହିଁ ସେ କଥା ଶିକ୍ଷାବିଦ୍‌ମାନେ କହିଲେ କହି ପାରିବେ ।

 

ଏବେ ହେବ କ’ଣ ?

 

ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତିଙ୍କର ସିକ୍ରେଟ ଷ୍ଟୋରି ପରି ଏଇ ଷ୍ଟୋରି ସିକ୍ରେଟ—ଟପ୍‌ ସିକ୍ରେଟ ।

 

କାରଣ ବିଚକ୍ଷଣ ସାମ୍ବାଦିକ ଭାଇ ସାହେବ ଖବର କାଗଜରେ ମାମୀ ଅତି ସୁନ୍ଦର ଓ ଉଚ୍ଚତା ପାଞ୍ଚଫୁଟ ଉପରେ ଲେଖାଲେଖି ଚଳାଇଛନ୍ତି । ଆଉରି ବିଚକ୍ଷଣ ଭାଇ ଡାକ୍ତର ସାହେବ ମାମୀର ଦାନ୍ତ ବେମାରି, ମୁଣ୍ଡ ଦୁର୍ବଳତା ଓ ସ୍ନାୟବିକ ଅସୁବିଧା କଥା ଜାଣି ପାରୁ ନଥିବାରୁ ଗପୁଛନ୍ତି ଯେ ଏସବୁ ହେଉଛି ଅପରାଧୀ ଶାଶୁଘରର ମିଛ ବୟାନ । ବାପା ଏଣେ ବ୍ରଂଜ ଗହଣା ଦେଇ ମଙ୍ଗଳାବାଗରେ ଦୁଇଲକ୍ଷ ଦେବାର ସାମର୍ଥ୍ୟ ଉପରେ ଜୋର ଦେଇଛନ୍ତି ବାରମ୍ବାର—ନିଜର ସ୍ପିଚ୍‌ମାନଙ୍କରେ ।

 

ମଙ୍ଗଳାବାଗ ଲୋକଙ୍କର ଧାରଣା ପୁଳାଏ ମାରିଆଣି ଆଉ ବି ପୁଳା ଧରିବାକୁ ଏଇମାନେ ଯୋଗାଡ଼ କରୁଥିଲେ । ପୁଲିସ ପହଞ୍ଚି ଯାଇଛି । ...ଆଉ ଟଙ୍କା ଧରି ପାରୁ ନାହାନ୍ତି ।

 

ଯେଉଁମାନେ ଝିଅ ଯାଚୁଥିଲେ ଅମିତା ମରିଗଲା ପରେ ଈଶ୍ୱରଙ୍କୁ ଥାଙ୍କସ୍‌ ଦେଲେଣି ଯେ ସେମାନେ ରକ୍ଷା ପାଇ ଯାଇଛନ୍ତି । ତାଙ୍କର ପ୍ରସ୍ତାବିତ ଝିଅ କ’ଣ ବଞ୍ଚିଥାନ୍ତା ?

 

ଲୋକମତ ଗର୍ଜ୍ଜୁଛି । ଗର୍ଜନ ଟିକିଏ ଅଳ୍ପ ଶୁଭିଲେ କାଢ଼ୁଆ ଭାଇମାନେ ଆଉ ଥରେ ଲାଉଡ ସ୍ପିକରକୁ ତେଜୁଛନ୍ତି । ସମୁଧି ଓ ସମୁଧିଙ୍କର ସଢ଼ୁ ଓ ଅଷ୍ଟମୀ ବନ୍ଧୁମାନେ ଭାବୁଛନ୍ତି ଯେ ଥରେ ଶାଶୁ ଗିରଫ ହେଇଗଲେ ସେମାନଙ୍କର କାହାଣୀ ନୂଆ ରୂପ ନେଇଯିବ ।

 

ଏପରି ଅବସ୍ଥାରେ ବୋହୂ ଅବା କ’ଣ କରିପାରିଥାନ୍ତା ?

 

ଶାଶୁ ଘଷୁଛି ଓ କୋଳରେ ବସାଇ ଗେଲ କରୁଛି ବୋଧହୁଏ ପୁଅ ପାଖରେ ଶାଶୁର ଇଜଜତ୍‌ ବୋହୂ ରଖିବ ବୋଲି ।

 

ଏଣେ ବୋହୂର ମଉସା ଚିଠି ଲେଖାଇ ରଖୁଛନ୍ତି କଟକ ମଙ୍ଗଳାବାଗ ଘର ଓ ଦିଲ୍ଲୀର ତିହାର ଜେଲ ସମାନ । ସେ ଏମାନଙ୍କୁ ପାଠ ଶିଖେଇ ଦେବେ ।

 

ଶାଶୁକୁ ଡରି ଅମିତା ଦବି ଯାଉଛି । ଶାଶୁ କ’ଣ କଲା କି ନ କଲା—ସେ କଥା ଅସ୍ପଷ୍ଟ ରହୁଛି ।

 

ଶାଶୁ କ’ଣ ବୋହୂର ଉଚ୍ଚତା କମାଇ ଦେଲା ? ବୋହୂର ଗୋଟିଏ ଗୋଡ଼କୁ ଆର ଗୋଡ଼ଠାରୁ ଛୋଟ କରି ଦେଲା ? ବୋହୂର ବେକରେ ଗୋଟିଏ ଆବୁ ଗର୍ଦନ ଉପରେ ଥାପି ଦେଲା ? ବୋହୂ କାହାରି କଥା ଶୁଣିଲାବେଳେ ଅନ୍ୟର ମୁହଁକୁ ଭକୁଆ ହେଇ ପାଟି ମେଲା କରି ଚାହିଁବାକୁ କହିଲା ? ବୋହୂର ଇଂରେଜି, ହିନ୍ଦୀ ଓ କମନ୍‌ସେନସ୍‌ ଲୋପ କରି ଦେଲା ? ଆଉ ବୋହୂକୁ ପ୍ରାୟ ପ୍ରତିଦିନ ବାନ୍ତି କରାଇଲା ଓ ଡାକ୍ତର ଡାକି ଦେଖାଇଲା ?

 

ଏହାର ଉତ୍ତର ଦେଇଛନ୍ତି ଡ: ମହତାବ ।

 

ସ୍ୱରାଜ୍ୟ ତା’ ନଭେମ୍ବର ଚଉଦ ୧୯୮୪ ।

 

ତୃଟି ଓ କୁକର୍ମକୁ ଗୋପନ ରଖିବା ମଣିଷର ସହଜାତ ପ୍ରକୃତି—ଡ: ମହତାବ ।

 

ଭୁବନେଶ୍ୱର ୧୩।୧୧

 

ମନୁଷ୍ୟ ନିଜର ଜୀବନର ସମସ୍ତ ଅନୁଭୂତିକୁ ଖୋଲାଖୋଲି ଭାବରେ ପ୍ରକାଶ କରିବାକୁ କୁଣ୍ଠାବୋଧ କରିଥାଏ । କାରଣ ଏହା ମନୁଷ୍ୟର ସହଜାତ ଗୁଣ । ପ୍ରତ୍ୟେକ ମନୁଷ୍ୟ ତାହାର ଜୀବନରେ ଭଲ କାର୍ଯ୍ୟ ସାଙ୍ଗକୁ ଖରାପ କାର୍ଯ୍ୟମାନ କରିଥାଏ । ତେଣୁ ତାଙ୍କୁ ଯଦି ତାଙ୍କ ଜୀବନର ଅନୁଭୂତି ସର୍ବସାଧାରଣଙ୍କ ଆଗରେ ପ୍ରକାଶ କରିବାକୁ କୁହାଯାଏ ତେବେ ସେ କେବଳ ନିଜ ଜୀବନର ଭଲକଥା ଗୁଡ଼ିକ ହିଁ କହିବ ବୋଲି ଡ: ହରେକୃଷ୍ଣ ମହତାବ ଗତ କାଲି ‘‘ଚିନ୍ତା ଓ ଚେତନା’’ ଅନୁଷ୍ଠାନ ପକ୍ଷରୁ ଜାତୀୟ ଆଲୋଚନା ଚକ୍ର ଅନୁଭୂତି ସନ୍ଧ୍ୟା ଅନୁଷ୍ଠାନରେ ଉଦ୍‌ବୋଧନ ଦେଇ ଏହା ପ୍ରକାଶ କରିଥିଲେ ।

 

ଡ: ମହତାବ କହିଲେ ଯେ ଭାରତବାସୀ ଦୀର୍ଘ ଏକ ହଜାର ବର୍ଷ ଧରି ପରାଧୀନ ରହିବା ପରେ କାହାରି ମନୋଭାବ ସହଜରେ ଜାଣିବା କଷ୍ଟକର ହୋଇପଡ଼ୁଛି । ସେ କହିଲେ ଯେ ଲୋକମାନଙ୍କର ମନୋଭାବ ଜାଣିବା ଏତେ କଠିନ ହୋଇପଡ଼ୁଛି ଯେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ଅତି ବିଶ୍ୱସ୍ତ ଦେହରକ୍ଷୀଙ୍କ ଗୁଳିମାଡ଼ରେ ମୃତ୍ୟୁବରଣ କରିବାକୁ ପଡ଼ିଲା ।

 

ଏହି ମର୍ମରେ ରାଜ୍ୟ କୃଷି ମନ୍ତ୍ରୀ ଶ୍ରୀ ସୋମନାଥ ରଥ, ଓଡ଼ିଶୀ ନୃତ୍ୟଗୁରୁ ଶ୍ରୀ ପଙ୍କଜ ଦାସ, ଶ୍ରୀ ଦୁଃଖୀଶ୍ୟାମ ପଟ୍ଟନାୟକ, ଶ୍ରୀ ବିପିନ ବିହାରୀ ଖମାରୀ, ଶ୍ରୀ ଅବୋଧ ନାରାୟଣ ତେୱାରୀ, ଶ୍ରୀ ପ୍ରସନ୍ନ କୁମାର ପାଟଶାଣୀ, ଅଧ୍ୟାପିକା ଶ୍ରୀମତୀ ସଂଘମିତ୍ରା ମିଶ୍ର ଓ ଶ୍ରୀ ସୁଧାଂଶୁ ରାଉତରାୟ ଜୀବନର ଅନୁଭୂତି ବର୍ଣ୍ଣନା କରିଥିଲେ ।

 

ସ୍ୱରାଜ୍ୟ ୧୪।୧୧।୮୪

 

ଏଣେ ଖବର କାଗଜରେ ପ୍ରଚାର—ଏଇ ପ୍ରଚାର ବିରୁଦ୍ଧରେ ।

 

ସମାଜ ୧୪।୧୧।୮୪ ପୃ ୨

 

ଯୌତୁକ ପ୍ରଥାକୁ ନେଇ ଅଭିସନ୍ଧିମୂଳକ ଟେଲିଭିଜନ ପ୍ରସାରଣ ।

 

ନିଉୟର୍କ ୧୩।୧୧—ଯୌତୁକ ଯୋଗୁଁ ଶାଶୁଘରେ ଲାଞ୍ଛିତ ହୋଇ ପୋଡ଼ି ମରୁଥିବା ଘଟଣା ସମ୍ପର୍କରେ ଏକ ଚଳଚିତ୍ର ଗତ ରବିବାର ଦିନ ଆମେରିକାର ଟେଲିଭିଜନ ମାଧ୍ୟମରେ ପ୍ରସାରିତ ହୋଇଛି । ଏହା ଏଠାରେ ଭାରତୀୟମାନଙ୍କ ମଧ୍ୟରେ ଘୋର ବିତୃଷ୍ଣା ଜନ୍ମାଇଛି ।

 

କଲମ୍ବିଆ ବ୍ରଡକାଷ୍ଟିଂ ସିଷ୍ଟମ ଏକ ଘଣ୍ଟା ବ୍ୟାପୀ ଚଳଚିତ୍ରଟି ଶେଷରେ ମତବ୍ୟକ୍ତ କରିଛି ଯେ ଏହି ଚଳଚିତ୍ର ଗ୍ରହଣ କରିବା ଲାଗି ସେମାନଙ୍କୁ ଭାରତରେ ଅନୁମତି ମିଳି ନଥିଲା ଓ ଲୁଚା ଚୋରାରେ ସେମାନେ ଏହାକୁ ପ୍ରସ୍ତୁତ କରିଛନ୍ତି ।

 

ଏହି ସଂସ୍ଥାର ଜଣେ ସମ୍ବାଦଦାତା କହିଛନ୍ତି ଯେ ଜଣେ ଭାରତୀୟ କର୍ମକର୍ତ୍ତା ଏଥି ନେଇ ବଡ଼ ବିବ୍ରତ । କାରଣ ଭାରତ ଏଣେ ମହାକାଶରେ ନିଜର ଆସ୍ଥାନ ଦୃଢ଼ କଲାବେଳକୁ ତେଣେ ଦେଶର ସାମାଜିକ ବ୍ୟବସ୍ଥା ମଧ୍ୟଯୁଗୀୟ ।

 

ସମାଜ ୧୦ । ୧୧ । ୮୪

 

X X X

 

ଓଡ଼ିଆ କରଣ ସମାଜର ସ୍ତର ହେଉଛି କଚେରୀଆ ଛୋଟ ମାମଲତକାର ଓ ମିଛ ସାକ୍ଷୀର ସ୍ତର । ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ ଟିକି ଜୀବିନିଆ ଚୁଗୁଲିଆ ଓ ଗୁଜବିଆ ସ୍ତର-। ୧୯୮୪ ମସିହାରେ ଚୁଗୁଲି, ଗୁଜବ୍‌ ଓ ପଢ଼ାପଢ଼ି କ’ଣ ଏହାଠାରୁ ସାମାନ୍ୟ ଅଧିକ ନ ହେବାର କଥା ବୋଲି ଓଡ଼ିଶା ସରକାରଙ୍କର G.A. ଓ A.F.A.ମାନେ କହିବେ ? ୟାକୁ କ’ଣ ବୁଝାଯିବ ନାରୀ ନିର୍ଯ୍ୟାତନା ?

 

ସମାଜ ତା ୩୦।୧୦।୮୪ ପୃ ୮

 

ନାରୀ ନିର୍ଯ୍ୟାତନାର ପ୍ରତିକାର ପାଇଁ ବିଭିନ୍ନ ମହିଳା ସଂଗଠନର ତତ୍ପରତା ।

 

କଟକ ୨୯।୧୦—ଓଡ଼ିଶାରେ ନାରୀ ନିର୍ଯ୍ୟାତନାର ଦୃଢ଼ ପ୍ରତିରୋଧ ପାଇଁ ଇତି ମଧ୍ୟରେ ବିଭିନ୍ନ ମହିଳା ସଂଗଠନଗୁଡ଼ିକ ସକ୍ରିୟ ହୋଇ ଉଠିଥିବା ଲକ୍ଷ୍ୟ କରାଯାଉଛି ।

 

ରାଜ୍ୟର ବିଭିନ୍ନ ସ୍ଥାନରେ ଯେଉଁ ସବୁ ନାରୀ ନିର୍ଯ୍ୟାତନାମାନ ଘଟୁଛି ଏବଂ କେତେକ ସ୍ଥାନରେ ନାରୀମାନଙ୍କୁ ଯେପରି ହତ୍ୟା କରାଯାଉଛି ତାହାର ଯଥାଯଥ ତଦନ୍ତ କରାଯାଉ ନଥିବା ଅଭିଯୋଗ ହେଉଛି ।

 

ଫଳରେ ଅତ୍ୟାଚାରୀମାନେ ନିର୍ଭୟରେ ଗୋଟିକ ପରେ ଗୋଟିଏ ଘଟଣା ଘଟାଇ ଚାଲିଛନ୍ତି ।

 

ତାହା ଏବେ ଉଦ୍‌ବେଗର କାରଣ ହୋଇଛି ବୋଲି ବହୁ ମହିଳା ସଂଗଠନ ରାଜ୍ୟ ଲିଗାଲ ଏଡ଼ କମିଟିର ଦୃଷ୍ଟି ଆକର୍ଷଣ କରିଛନ୍ତି ।

 

ଏଇ ସଂପର୍କରେ ବିଭିନ୍ନ ମହିଳା ସଂଗଠନ ପକ୍ଷରୁ ଏକ ସର୍ଭେ କରି ତାହାର ଉଚିତ ପ୍ରତିକାର ଓ ଦୋଷୀଙ୍କୁ ଦଣ୍ଡ ବିଧାନର ବ୍ୟବସ୍ଥା କରିବା ପାଇଁ ରାଜ୍ୟ ଆଇନ ସହାୟକ ଓ ପରାମର୍ଶଦାତା କମିଟିର ସହଯୋଗ (State Legal Aid and Advisory Committee. Cantonment, Cuttack-1) କାମନା କରିଛନ୍ତି ।

 

ଉତ୍କଳ ମହିଳା ସମିତିର (ଗହ୍ମାଡ଼ିଆ, କଟକ-୧) ସଂପାଦିକା ଶ୍ରୀମତୀ ସୁଦୀପ୍ତା ଦାସ, କୁମାରୀ କଲ୍ୟାଣ ସମିତି ପକ୍ଷରୁ ଶ୍ରୀମତୀ ସୌଦାମିନୀ ପାତ୍ର, ଓଡ଼ିଶା ନାରୀସେବା ସଂଘ, (ବକ୍‌ସିବଜାର-କଟକ-୧) ପକ୍ଷରୁ ଶ୍ରୀମତୀ ଅନିମା ଘୋଷ, ଭୁବନେଶ୍ୱରସ୍ଥିତ ଉତ୍କଳ ମହିଳା ସମିତି ପକ୍ଷରୁ ଶ୍ରୀମତୀ ଚନ୍ଦ୍ରପ୍ରଭା ପଟ୍ଟନାୟକ, ଶ୍ୱାତୀ ମହିଳା ସମିତିର ଶ୍ରୀମତୀ ଅନସୂୟା ନନ୍ଦ, ନୈତିକ ସାମାଜିକ ସ୍ୱାସ୍ଥ୍ୟ ସେବା ସଂସ୍ଥା ପକ୍ଷରୁ ଶ୍ରୀମତୀ ରାଜାରାଣୀ ଦେବୀ (ଅବସରପ୍ରାପ୍ତ ଡି.ଡି.ପି.ଆଇ) ସ୍ୱଳ୍ପକାଳୀନ ଆବାସିକ ସ୍ଥଳର ଶ୍ରୀମତୀ ମନୋଜା ପଟ୍ଟନାୟକ, ଶ୍ରୀମନ୍ତିନୀ ପକ୍ଷରୁ ଡାକ୍ତର ପ୍ରମିଳା ଦେଇ (ଆସୋସିଏଟ୍‌ ପ୍ରଫେସର) ପ୍ରମୁଖଙ୍କ ସହ ଅନ୍ୟ ଛଅଗୋଟି ମହିଳା ସଂଗଠନ ପକ୍ଷରୁ ମିଳିତ ଭାବେ ଯୌତୁକ ଓ ଅନ୍ୟାନ୍ୟ କାରଣରୁ ମହିଳାଙ୍କର ମୃତ୍ୟୁ ଘଟଣାଗୁଡ଼ିକର ଯଥାଯଥ ତଦନ୍ତ ହେଉ ନ ଥିବାର ଅଭିଯୋଗ ହୋଇଛି ।

 

ନିକଟରେ ଏହି ମହିଳା ସଂଗଠନର କର୍ମକର୍ତ୍ତାମାନେ ଓଡ଼ିଶା ରାଜ୍ୟ ଆଇନ ସହାୟକ ଓ ପରାମର୍ଶଦାତା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ମାନ୍ୟବର ବିଚାରପତି ଶ୍ରୀ ରାଧାଚରଣ ପଟ୍ଟନାୟକ, କମିଟିର ସଦସ୍ୟ ସଂପାଦକ ଶ୍ରୀ ସରୋଜକାନ୍ତ ମିଶ୍ରଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି ।

 

ଏଥିପାଇଁ ଏହି ମହିଳା ସଂଗଠନ ପକ୍ଷରୁ ଏକ କ୍ରିୟାନୁଷ୍ଠାନ କମିଟି ମଧ୍ୟ ଗଠନ କରାଯାଇଛି ।

 

ଏହି କମିଟି କଟକ ମଙ୍ଗଳାବାଗରେ ଗତ ଅଗଷ୍ଟ ଚଉଦରେ ଅମିତା ପଟ୍ଟନାୟକଙ୍କର ସନ୍ଦେହଜନକ ମୃତ୍ୟୁର ଅନୁସନ୍ଧାନ ପାଇଁ ଏକ ସ୍ୱାଧୀନ ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ କରିବାକୁ ଦାବି କରିଛନ୍ତି ।

 

ସ୍ୱର୍ଗତ ଅମିତା ପଟ୍ଟନାୟକ ରେଭେନସା କଲେଜର ପଦାର୍ଥ ବିଜ୍ଞାନର ରିଡର ଶ୍ରୀଯୁକ୍ତ ହିମାଂଶୁ ମୋହନ ପଟ୍ଟନାୟକଙ୍କର ପୁତ୍ରବଧୂ ତଥା ଦିଲ୍ଲୀରେ ଅବସ୍ଥାନ କରୁଥିବା ଓ ଅତ୍ୟାଧୁନିକ ଆଦବକାଇଦାର ପୃଷ୍ଠପୋଷକ ଇଞ୍ଜିନିୟର ଶ୍ରୀ ଶୁଭେନ୍ଦୁମୋହନ ପଟ୍ଟନାୟକଙ୍କର ମାତ୍ର ଚାରିମାସର ନବବିବାହିତା ପତ୍ନୀ, ଉଭୟ ଘରେ ନଥିବାବେଳେ ଏକ ସନ୍ଦେହଜନକ ପରିବେଶ ମଧ୍ୟରେ ଅମିତାଙ୍କର ପରଲୋକ ହୋଇଥିବା କଥା କମିଟି ପକ୍ଷରୁ ଅଭିଯୋଗ ହୋଇଛି ।

 

ରାଜ୍ୟ ଆଇନ ସହାୟକ ଓ ପରାମର୍ଶଦାତା ବୋର୍ଡ଼ର କାର୍ଯ୍ୟକାରୀ ଅଧ୍ୟକ୍ଷ ଏହି ଦାବିପତ୍ର ପାଇଲା ପରେ ଏ ଦିଗରେ ଉଚିତ ପଦକ୍ଷେପ ଗ୍ରହଣ ପାଇଁ ରାଜ୍ୟ ସରକାରଙ୍କର ଉଚ୍ଚ କର୍ତ୍ତୃପକ୍ଷଙ୍କର ଦୃଷ୍ଟି ଆକର୍ଷଣ ପାଇଁ ଅଫିସକୁ ନିର୍ଦେଶ ଦେଇଛନ୍ତି ।

 

ଏହି କମିଟି ପକ୍ଷରୁ ଅନ୍ୟ ଏକ ପ୍ରସ୍ତାବରେ ଭଦ୍ରକର ଚରମ୍ପା ନିକଟ ଧଳ ସାହିରେ ଗତ ଫେବୃଆରୀ ମାସ ଅଣତିରିଶି ତାରିଖ ଶିବରାତ୍ରୀ ଦିନ ନବବଧୂ କନକଲତା ତ୍ରିପାଠୀଙ୍କର ଅପମୃତ୍ୟୁ ଘଟଣା ସଂପର୍କରେ ପୁଲିସର ନିଷ୍କ୍ରିୟତା ଏବଂ ଏ ଦିଗରେ ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ କନ୍ୟାପିତା ରାହଞ୍ଚ ଗ୍ରାମର ଶ୍ରୀ ନରେନ୍ଦ୍ର ପ୍ରସାଦ ଦାସ ଦୃଷ୍ଟି ଆକର୍ଷଣ କରି ମଧ୍ୟ କିଛି ଫଳ ହୋଇ ନଥିବା ଅଭିଯୋଗ ହୋଇଛି । ପରିଶେଷରେ ଭଦ୍ରକ ଆଇନ ସହାୟକ ବୋର୍ଡ଼ ଏବଂ ରାଜ୍ୟ ଆଇନ ସହାୟକ ଓ ପରାମର୍ଶଦାତା ବୋର୍ଡ଼ର ସଦସ୍ୟ ସଂପାଦକ ଶ୍ରୀ ସରୋଜକାନ୍ତ ମିଶ୍ରଙ୍କୁ ପ୍ରତିକାର ପାଇଁ ଏହି କମିଟି ପକ୍ଷରୁ ଏକ ଚିଠିରେ ଅନୁରୋଧ କରାଯାଇଛି ।

 

ବୋର୍ଡ଼ ପକ୍ଷରୁ ମଧ୍ୟ ଏହି ଘଟଣାର ତଦନ୍ତ ପାଇଁ ଯେତେ ଚିଠି ଦିଆଗଲେ ମଧ୍ୟ ପୁଲିସ ପକ୍ଷରୁ କୌଣସି ସହଯୋଗ ମିଳୁ ନଥିବା ଅଭିଯୋଗ ହେଉଛି । ତେଣୁ ଏ ସମ୍ପର୍କରେ ରାଜ୍ୟ ଲିଗାଲ ଏଡ୍‌ବୋର୍ଡ଼ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍ କରୁଥିବା ଜଣାପଡ଼ିଛି-। (ସମାଜ ୩୦।୧୦।୮୪)

 

ଏହି ବିଷୟଟି ଗୋଟିଏ ରିପୋର୍ଟ । ଏହାର ଚର୍ଚ୍ଚିତ ଅମିତା ପଟ୍ଟନାୟକ ମୋର ଭଣଜା ବୋହୂ । ଅମିତାର ମୃତ୍ୟୁପରେ ଜାନୁଆରୀ ପଞ୍ଚାଅଶୀ ମସିହାରେ ମୋର ଭଣଜାର ବିଭାଘର ପାଇଁ ଓଡ଼ିଆ, ବଙ୍ଗାଳୀ, ହିନ୍ଦୀ ଓ ତେଲେଗୁ ଭାଷୀ ବୋହୂ ପାଇଁ ମୁଁ ୭।୧୦।୮୪ରେ ସମାଜର ନୋଟିସ ଛପାଇଛି । (ପୃଷ୍ଟା ୧୧୭) ହତ୍ୟାକାରୀ ମାଆ ବିଷୟରେ ତଦନ୍ତ ଚାଲିଲେ ମଧ୍ୟ ମାମୁଁ ହିସାବରେ ମୋର ଭଣଜାର ବିବାହ କରାଇବା ଅଧିକାର ଅଛି । ତେଣୁ ଏହି ନୋଟିସରେ ମୋର ଭଉଣୀ ଭିଣୋଇଙ୍କର ବା ଅନ୍ୟ ବନ୍ଧୁ ଜ୍ଞାତିଙ୍କର କିଛି କହିବାର ଅଧିକାର ନାହିଁ । ତଦନ୍ତ ଚାଲୁ । ଦୋଷୀ ସମୁଚିତ ଦଣ୍ଡ ପାଉ । କିନ୍ତୁ ବିଭାଘର ବନ୍ଦ ନ ହେଉ । ଅମିତାଙ୍କର ନିଜର ଲୋକେ ସହଯୋଗ କରିପାରନ୍ତି । * *

 

ପ୍ରଜାତନ୍ତ୍ର ୨୯।୧୦।୮୪ ପୃ ୪

 

ମହିଳା କ୍ରିୟାନୁଷ୍ଠାନ କମିଟି କଟକରେ ନାରୀ ନିର୍ଯ୍ୟାତନା ସମ୍ପର୍କରେ ସର୍ଭେ କାର୍ଯ୍ୟ ଆରମ୍ଭ କରିବ ।

 

କଟକ ୨୮।୧୦ (ଷ୍ଟାପ୍‌ ପ୍ରତିନିଧି)

 

ଯୌତୁକ ଏବଂ ନାରୀ ନିର୍ଯ୍ୟାତନାର ବିବରଣୀ ସଂଗ୍ରହ ଲାଗି କଟକ ସହରର ପ୍ରତ୍ୟେକ ଘର ସର୍ଭେ କରାଯିବ ବୋଲି କଟକ ସହରର ମିଳିତ ମହିଳା ସଙ୍ଗଠନ କ୍ରିୟାନୁଷ୍ଠାନ କମିଟିର ଏକ ବୈଠକରେ ନିଷ୍ପତ୍ତି ହୋଇଛି ।

 

ଏହି ସର୍ଭେ କାର୍ଯ୍ୟ ଆସନ୍ତା ନଭେମ୍ବର ମାସ ତୃତୀୟ ସପ୍ତାହରେ ଅନୁଷ୍ଠିତ ହେବ ବୋଲି ମହିଳା ସଙ୍ଗଠନର ଜଣେ ମୁଖପାତ୍ର କହିଛନ୍ତି ।

 

ଗତ ଛବିଶ ତାରିଖରେ କଟକର ବିଭିନ୍ନ ମହିଳା ସଙ୍ଗଠନର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଉତ୍କଳ ମହିଳା ସମିତି, ନାରୀସଂଘ ସଦନ, ଶାନ୍ତି ମୈତ୍ରି ମହିଳା ସମିତି, ୟଙ୍ଗ୍‌ ଉଇମେନ ଖ୍ରୀଷ୍ଟିୟାନ ଆସୋସିଏସନ (Y.W.C.A), ଆସୋସିଏସନ ଫର୍‌ ସୋସିଆଲ ହେଲଥ, କୁମାରୀ କଲ୍ୟାଣ ସମିତି, ସ୍ୱାତୀ ମହିଳା ସମିତି, ସୀମନ୍ତିନୀ, ସର୍ଟ ଷ୍ଟେ ହୋମ, ଶାରଦା ସଂଘ ପ୍ରଭୃତିର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

 

ଲିଗାଲ ଏଡ୍‌ ଆଣ୍ଡ ଆଡଭାଇସ ବୋର୍ଡ଼ର ଅଧ୍ୟକ୍ଷ ମାନ୍ୟବର ବିଚାରପତି ଶ୍ରୀ ଆର.ସି.ପଟ୍ଟନାୟକ ଓ ସଭ୍ୟ ସମ୍ପାଦକ ଶ୍ରୀ ସରୋଜକାନ୍ତ ମିଶ୍ର ମଧ୍ୟ ଏଥିରେ ଯୋଗ ଦେଇଥିଲେ-

 

ମଙ୍ଗଳାବାଗର ବୋହୂ ଅମିତାଙ୍କର ମୃତ୍ୟୁ ବିଷୟରେ ତାଙ୍କର ମା ଲେଖିଥିବା (ଶ୍ରୀମତୀ ଶାନ୍ତି ଦେବୀ, ଗୋପାଳ ଭବନ, ସଦର ଥାନା ରୋଡ଼୍‍ ପୁରୀ ଓ ୟୁନିଟ୍‌ ଦୁଇ, ଭୁବନେଶ୍ୱର) ଅଭିଯୋଗ ସମ୍ପର୍କରେ ଆଲୋଚନା ହୋଇଥିଲା ।

 

ଏହି ବୈଠକରେ ଶ୍ରୀମତୀ ନୀରଦ ପ୍ରଭା ପଟ୍ଟନାୟକ, ଶ୍ରୀମତୀ ସୁଦୀପ୍ତା ଦାସ, ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ଚଉଧୁରୀ (ଥୋରିଆ ସାହୀ, କଟକ), ଶ୍ରୀମତୀ ବାସନ୍ତୀ ସାହୁ, ଶ୍ରୀମତୀ ଗ୍ଲୋରିଆ ମହାନ୍ତି (ତୁଳସୀପୁର ମଠ ସାହି, କଟକ) ଶ୍ରୀମତୀ ସୌଦାମିନୀ ପାତ୍ର, ଶ୍ରୀମତୀ ହେମଲତା ଦାସ, ଶ୍ରୀମତୀ ସରସ୍ୱତୀ ସାହୁ, ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

 

(ପ୍ରଜାତନ୍ତ୍ର ୨୯।୧୦।୮୪ )

 

ମୋର ବୋହୂ ଅମିତା ବିଷୟରେ ତାଙ୍କର ମାଆ ଗତ ଅଢ଼େଇମାସ ମଧ୍ୟରେ ପ୍ରତ୍ୟକ୍ଷ ବା ପରୋକ୍ଷ ଅଭିଯୋଗ କରି ନଥିଲେ । ସମସ୍ତ ଅଭିଯୋଗ ମୋର ସମୁଧି ବ୍ରଜବଲ୍ଲଭ ବାବୁ ଓ ତାଙ୍କର ଦୁଇ ପୁଅ ଡାକ୍ତର ସବ୍ୟସାଚୀ ବାବୁ ଓ ସାମ୍ବାଦିକ ଦେବୀବାବୁ କରି ଆସିଛନ୍ତି । ସେହିମାନେ ଅନେକ ପ୍ରକାରର ଚରିତ୍ର ସଂହାର ଅସ୍ତ୍ର ପ୍ରୟୋଗ କରିଛନ୍ତି । ଶେଷରେ ସ୍ୱର୍ଗତ ଶ୍ରୀ ହରମୋହନ ପଟ୍ଟନାୟକ, ପ୍ରଥମ ଓଡ଼ିଆ ଆୟକର କମିସନରଙ୍କର ନାମ ମଧ୍ୟ ନେଇଛନ୍ତି । ହରମୋହନ ବାବୁଙ୍କୁ ପୁରୀ ଓଡ଼ିଆ ମଠର ଲ ଏଜେଣ୍ଟ ସ୍ୱର୍ଗତ ବାଲୁଙ୍କେଶ୍ୱର ପଟ୍ଟନାୟକଙ୍କର ସମୁଧି କରାଇବାର ପାରଦର୍ଶିତା ବୋହୂ ଶ୍ରୀମତୀ ପୂଣ୍ୟପ୍ରଭା ଦେବୀଙ୍କର । ଏଥିରୁ ବୁଝି ହୁଏ ବୋହୂଙ୍କର ସାଧାରଣ ବିଚାର ଓ ଜ୍ଞାନ ଗୋଟିଏ ଗାଉଁଲୀ ଝିଅର ବି ସମାନ ହୋଇପାରୁ ନାହିଁ । ଏହି ବିଚାରହୀନତା ପାଇଁ ଆଜି ସେ ଅଭିଯୁକ୍ତା । ଚାମୁଚାଗିରି ଏହିପରି କାର୍ଯ୍ୟ କରେ । ***

 

ତଥାପି ମହିଳାମାନେ ଏଠି ସେଠି ଦଗ୍‌ଧୀଭୂତ ହେବାରେ ଲାଗିଛନ୍ତି ।

 

ସମାଜ ତା ୪।୧୧।୮୪ ପୃ.୭

(ନିଜ ପ୍ରତିନିଧିଙ୍କ ଠାରୁ)

ବେଲ ପାହାଡ଼ ତା ୩।୧୧।୮୪

 

ଆଜି ସକାଳ ପ୍ରାୟ ଆଠଟା ଦଶ ମିନିଟରେ ଏଠାରେ ଡାକ୍ତର ଚୌଧୁରୀ ନଗେନ୍ଦ୍ର ମିଶ୍ରଙ୍କ (ଘର ପଙ୍କପାଳ—ଏରସମା, ଜିଲା କଟକ) ବାସଭବନରୁ ତାଙ୍କ ସହଧର୍ମିଣୀ ଶ୍ରୀମତୀ ସଂଯୁକ୍ତା ମିଶ୍ରଙ୍କୁ ଅର୍ଦ୍ଧ ଦଗ୍‌ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କୁ ତୁରନ୍ତ ହସ୍‍ପିଟାଲକୁ ନିଆ ଯାଇଥିଲା । ପରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି-। ଏହି ମର୍ମନ୍ତୁଦ ଘଟଣା ଘେନି ନାନା ସନ୍ଦେହ ପ୍ରକାଶ ପାଉଛି ।

 

ମୃତ୍ୟୁବେଳକୁ ସଂଯୁକ୍ତାଙ୍କର ବୟସ ପଚିଶି ବର୍ଷ ହୋଇଥିଲା । ତାଙ୍କର ଗୋଟିଏ ସାତ ମାସର ଝିଅ ଅଛି । ପୁଲିସ ଅଫିସର ଶ୍ରୀ କେ.ପି. ମୁଣ୍ଡ ଘଟଣାର ତଦନ୍ତ କରୁଛନ୍ତି । ଶବଟିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

 

ସ୍ୱର୍ଗୀୟା ସଂଯୁକ୍ତା ସମ୍ବଲପୁର ଅନ୍ତର୍ଗତ ଝାଡ଼ୁଆପଡ଼ା ନିବାସୀ ଶ୍ରୀ ରାମପ୍ରସାଦ ପାଢ଼ୀଙ୍କର ଝିଅ ।

 

(ସମାଜ ୪।୧୧।୮୪)

 

ଏବେ ପୋଲିସ ତଦନ୍ତ ଚାଲିଛି ଯେ ଶ୍ରୀମତୀ ସଂଯୁକ୍ତାଙ୍କର ମାନସିକ ରୋଗ ଥିଲା କି ନାହିଁ । ସଂଯୁକ୍ତା ଦେବୀଙ୍କର ଭଉଣୀମାନେ କି ପ୍ରକାରର ସୁସ୍ଥ ବା ଅସୁସ୍ଥ । ଘଟଣା ଘଟିଲାବେଳେ ଡାକ୍ତର ସ୍ୱାମୀ କି କାରଣରୁ ଅର୍ଥାତ୍‌ (constripative) ଝାଡ଼ା କବଜ ରୋଗ ପାଇଁ କି ଅନ୍ୟ କିଛି ପାଇଁ ଅନୁପସ୍ଥିତ ଥିବା ବେଳେ ବନ୍ଦ କୋଠରୀରୁ ବାଳ ଓ ଚମ ପୋଡ଼ା ଗନ୍ଧ ପାଇ ପଡ଼ୋଶୀଙ୍କ ସାହାଯ୍ୟରେ ଓ ଉପସ୍ଥିତିରେ ଅର୍ଦ୍ଧଦଗ୍‌ଧ ସ୍ତ୍ରୀ’ଙ୍କୁ କବାଟ ଭାଙ୍ଗି ବାହାର କରିଥିଲେ କି ନାହିଁ ଇତ୍ୟାଦି ।

 

ଓଡ଼ିଶାର ମହିଳା ଅନୁଷ୍ଠାନମାନେ ନିୟମ ପ୍ରଣୟନ କରାଇବାରେ ଉତ୍ସାହୀ ହେଲେଣି ଯେ ଭବିଷ୍ୟତ ବିଭାଘର ପ୍ରସ୍ତାବରେ ମାନସିକ ରୋଗର ବିଶେଷଜ୍ଞଙ୍କର ମତାମତ ନେବା ଇଚ୍ଛାଧୀନ ହେଉ । ଯେଉଁଠି ଏହି ମତାମତ (ସାଇକିଆଟ୍ରିଷ୍ଟଙ୍କର) ନିଆଯାଇ ନଥିବ ସେଠାରେ ଉପଯୁକ୍ତ ପ୍ରମାଣ ଅଭାବରେ ଅଯଥା ଦୋଷାରୋପ ହେବ ନାହିଁ । ଆଉ ନବବଧୂ ଲେଖୁଥିବା ଚିଠିପତ୍ର ଅପରାଧ ବିଜ୍ଞାନର ମାନଦଣ୍ଡରେ ସମୀକ୍ଷା କରାଯିବ । ନହେଲେ ଅନେକ କ୍ଷେତ୍ରରେ ମାମଲତକାର ଓକିଲମାନେ ସମାଜକୁ ଅଶେଷ ନିର୍ଯ୍ୟାତନା ଦେବେ ।—ନେଇଛ ବୋହୂ କରି । ପାଅ ଏବେ କେଞ୍ଚାଏ ।

 

ପ୍ରଗତିର ବିବର୍ତ୍ତନରେ ମଣିଷର ମନ ବଦଳେ । ଆଦିଯୁଗରୁ ସମସ୍ତେ ଛୋଟ ପିଲାଙ୍କର ଡାକ ନାଁ ବାୟା, ବାୟାଣୀ, ପାଗଲା, ପାଗଲୀ ରଖୁଥିଲେ । ଏବେ ଦେଖାଯାଉଛି ଯେ ଜଳବାୟୁ ଓ କୃତ୍ରିମ ସାର ଓ ପରିବେଶର ଦୂଷିତକରଣରୁ ମାନସିକ ବ୍ୟାଧି ବଢ଼ୁଛି ଓ ମାନସିକ ରୋଗର ଚିକିତ୍ସକମାନେ ଚିକିତ୍ସା କ୍ଷେତ୍ରରେ ଅଧିକରୁ ଅଧିକ ଦେଖାଯାଉଛନ୍ତି । ସେମାନଙ୍କ ମତରେ ଆତ୍ମହତ୍ୟା ହେଉଛି ଗୋଟିଏ ପ୍ରକାରର ମାନସିକ ବିକୃତି—ଏହା ସାମୟିକ ହୋଇପାରେ କିମ୍ବା ମାନସିକ ସ୍ତରରେ ପ୍ରଚ୍ଛନ୍ନ ଭାବରେ ରହିପାରେ ।

 

ଏହାକୁ ବାପ ମାଆ ବୁଝନ୍ତି ଯେ ତାଙ୍କର ପିଲା ଭାରି ସ୍ପର୍ଶକାତର ବା ସେନସିଟିଭ । ସାମାନ୍ୟ ସାମାନ୍ୟ କଥାକୁ ଅତିରିକ୍ତ ଛଳ କରି ଅତି ଗଭୀର ଦୁଃଖ, ମର୍ମ୍ମବେଦନା ଓ ଆଘାତ ପାଇପାରେ । ଏସବୁ ନ ଭାବି ଝିଅକୁ ନେଇ ଆଉ ଜଣକ ବେକରେ ବାନ୍ଧିଦେବା କେବଳ—ଦେଲା ନାରୀ, ହେଲା ପାରି—ଉକ୍ତିର ପ୍ରତିଫଳନ । ଏଥିରେ କରଣ ସମାଜ ତିଷ୍ଠିବ ନାହିଁ । କାରଣ ଏବେ ନାରୀ ହତ୍ୟା ଅଭିଯୋଗରେ ଏକାଧିକ ପରିବାର ସନ୍ତପ୍ତ ।

 

ମୋର ସମୁଧି ତାଙ୍କର ବୋହୂ ଆଣିଛନ୍ତି । ସେଇ ବୋହୂକୁ ଚଳାଇଦେବା ପାଇଁ ମୋର ସମୁଦୁଣୀ ଯାଇ କଲିକତାରେ ଅନେକ ଦିନ ରହିଯିବାରୁ ମୋର ବୋହୂ ଅମିତା ବି.ଏ. ପରୀକ୍ଷା ପାଇଁ ପଢ଼ି ପାରିଲା ନାହିଁ । ସେଇ ଅସୁବିଧାରୁ ବିଚାରୀ ଅମିତା ବି.ଏ. ସପ୍ଲିମେଣ୍ଟାରୀ ପରୀକ୍ଷା ଦରଖାସ୍ତ ଦେଉ ଦ ଦେଉଣୁ ଅନାବତ ଚାଲି ଗଲା ।

 

ସେ ବଞ୍ଚି ରହିଥାନ୍ତା କେମିତି ? କଟକରେ ଶାଶୁ ବୋହୂର ଗୋଡ଼ ଘଷୁଛି, ବୋହୂ ମୁଣ୍ଡରେ ଦିନକୁ ଦୁଇଥର ତେଲ ଘଷୁଛି, ବୋହୂ ଶୋଇବା ଆଗରୁ ଶାଶୁ କୋଡ଼ରେ ବସି ଗେଲ ହେଉଛି, ପାଠକୁ ସୁଆଦିଆ କରି ମଗଜ ଭିତରକୁ ପଠାଯାଉଛି । ସମ୍ବନ୍ଧ ଭଲ ।

 

ଇଏ କେମିତି ହେବ ? ତେବେ ମାମୀ କ’ଣ ବାପା, ମଉସାଙ୍କୁ ଭୁଲି ଶାଶୁ ନଣନ୍ଦଙ୍କର ହେଇଯିବ ? ହେଲେ ତ ହାତଛଡ଼ା ହେଲା । ଆଉ ମାଲ ମିଳିବ କେମିତି ? ମାମୀକୁ ସିନା କଟକ ମଙ୍ଗଳାବାଗ ଗୁହାଳରୁ ଫିଟାଇ ନେଇ ଭୁବନେଶ୍ୱର ଦୁଇନମ୍ବର ୟୁନିଟ୍‌ରେ ବାନ୍ଧିଲେ ତାହାର ଖାଇବା, ପିନ୍ଧିବା, ଔଷଧ ଖାଇବା ଓ ଚାନ୍ଦାଦେବା ଖର୍ଚ୍ଚ ଦିଲ୍ଲୀରୁ ବ୍ୟାଙ୍କ ଡ୍ରାଫଟ୍‌ ହେଇ ଆସୁଥିବ । ଅଣାଇବା ପାଇଁ କଚେରୀ ମିସଲ ଅଛି ତ ।

ସେଥିପାଇଁ ବାପଘରକୁ ଡାକିନେଇ କିଛି ଚିଠି ସର୍ଜନା କରା ହେଇଛି । ସେଥିରୁ ଖଣ୍ଡେ ନବବାବୁ କାଳୀଗଳି ପ୍ରକାଶିତ ସତ କଥାରେ ୧।୧୦।୮୪ରେ ଫଟୋ କରି ଛାପି ଦେଇଛନ୍ତି ।

ବୋହୂ ଯିବ କୁଆଡ଼କୁ ? ବାପଘର ଆଡ଼କୁ ନା ଶାଶୁଘର ଆଡ଼କୁ ? ନ୍ୟାୟ ବିଚାର ଆଡ଼କୁ ନା ଅନ୍ୟାୟ ଅଭିଯୋଗ ଆଡ଼କୁ ?

ବୋହୂ ଅମିତାର ଆର୍ତ୍ତ କାନ୍ଦଣା—ସେ କୁଆଡ଼କୁ ହେଲା ନାହିଁ ।

ବାପଘରର ହେଲା ନାହିଁ । ଶାଶୁଘରର ବି ହେଲା ନାହିଁ—ଶାଶୁଘର ବିରୁଦ୍ଧରେ ଲେଖାଇ ନେଇଛନ୍ତି । ଏଣେ ବାପଘର ନିଜ ଖର୍ଚ୍ଚରେ ଟିକିଏ ଦାନ୍ତ ମରାମତ କରାଇବା, ଭଲକରି ପଢ଼ାଇବା, ଦିଲ୍ଲୀ ଚଳଣି ଶିଖାଇବା, ସାମାନ୍ୟରେ କୁକିଙ୍ଗ କ୍ରାଫଟ୍‌ ଶିଖାଇବାକୁ ମଧ୍ୟ ରାଜି ନୁହନ୍ତି ।

ବାହାଘର ପାଇଁ ଓ ଆମେରିକାକୁ ଝିଅକୁ ରଓ୍ୱାନା କରିବା ପାଇଁ ଦେଣା ହେଇଛି । କାରଣ ଯାହାହେଉ ଦେଣା କରଜ ସବୁ ମିଶି ଗୋଟିଏ । ଚାକିରିରୁ ମାହାନ୍ତିବାବୁ କେତେ ଅବା ଭେଇବ ? ଗହମ ଯେ ଗୋଟି ଗଣିତା ।

ଆଗରେ ଠିଆ ହୋଇଛି ବି.ଏ. ସପ୍ଲିମେଣ୍ଟାରୀ ପରୀକ୍ଷା । ସେଥିରେ ଇଂରେଜୀ ଜ୍ଞାନକୁ ଅଷ୍ଟମଶ୍ରେଣୀରୁ ନେଇ ଚଉଦ ଶ୍ରେଣୀରେ ପହୁଞ୍ଚାଇବାକୁ ପଡ଼ିବ । ବି.ଏ. ପରୀକ୍ଷାରେ କଟକବାଲା ମାଲିକ—ବାପଘର ସେଥିରେ ଆଉ ମୁଣ୍ଡ ଖେଳାଇ ପନ୍ଦର ଷୋହଳକୁ ମାଳିକା ନିୟମରେ ଓଲଟାଇ ଏକାବନ, ଏକଷଠି କରି ଲେଖାଇବାକୁ ରାଜି ହୋଇପାରନ୍ତି ଅବା ମନା କରି ଦେଇପାରନ୍ତି ।

ପଢ଼ା ବହି ଦେଲେ ନାହିଁ । ପାର୍ସପୋର୍ଟ ଫଟୋ ରଖି ମଧ୍ୟ ଦେଲେ ନାହିଁ । ମଲା ପରେ ଫଟୋ ବାହାରିଲା । ମରିବା ଆଗରୁ ଶାଶୁ ଶଶୁର ପାଇ ପାରିଲେ ନାହିଁ । ବଦମାସ ଲୋକ ଫଟୋ ନେଇ ବି.ଏ. ଫର୍ମ ପୂରଣ କରିଦେବେ ।

ବେଟା, ପଡ଼େଛେ ଯବନେର ପାଲେ

ଏବାର ଯାବେ କୋଥାୟ ?

ମୋର ବୋହୂ ଦେଖିଲା—ଆଉ ବାଟ ନାହିଁ । ନିଜର ଘରଟି ପର ହେଇଯାଇଛି । ଶାଶୁଘର ସୁବିଧା ହେଉ ନାହିଁ । ମନ ଭିତରେ କଥା ସବୁ ଲୁଚେଇ ରଖିବା ଫଳରେ ସବୁବେଳେ ବାନ୍ତି ଉଠୁଛି । ମନକୁ ଖୋଲି କାହାରିକୁ ପଦେ କହିବାର ସୁବିଧା ନାହିଁ ।

ପଳାଇବାର ବାଟ ବନ୍ଦ । ବିଶ୍ୱବିଦ୍ୟାଳୟ ଲାଇବ୍ରେରିଆନଙ୍କର ସ୍ତ୍ରୀ ପଳାଇଗଲା ପ୍ରଫେସରପଡ଼ାରୁ ବାଦାମବାଡ଼ି ବସ୍‌ଷ୍ଟାଣ୍ଡକୁ । ସେଠି ଗଞ୍ଜାମୀ ବାପା ଟିକଟ କାଟି ଝିଅକୁ ଡକେଇଥିଲେ ।

ଝିଅ ପଳାଇ ଆସିଲା ନିଜର ପିଲାଙ୍କୁ ଧରି—ଜୋଇଁ ହେଙ୍ଗୁ ଶୁଙ୍ଘିବ । ତା’ପରେ ମାସକୁ ମାସ ଦରମାର ଅଧେ ସାତ ଶହ ଟଙ୍କା ପଠାଉଥିବ । ଝିଅ ତେଣେ ସି.ଟି, ଅବା ଟାଇପ୍‌ ଅବା ସିଲେଇ କିଛି ଗୋଟାଏ ଶିଖିବ ।

 

ଏଇ ବାଟକୁ ମାମୀ ରାଜି ନୁହେଁ । ସେ କରଣ । ତେଣୁ ବ୍ରାହ୍ମଣୀର ଔଷଧ ଖାଇବ ନାହିଁ-

 

ବାଧ୍ୟରେ ମରିବ ।

 

ତିନୋଟି ବାଟ—ଦଉଡ଼ି, ବିଷ, ଆଉ ନିଆଁ ।

 

ଘର ଉଚ୍ଚା ନୁହେଁ । ଦଉଡ଼ି କାହିଁ ? ବାନ୍ଧିବ କେମିତି ?

 

ବିଷ କିଏ ଆଣି ମାମୀକୁ ଦେବ ? ଶାଶୁଘରେ କେହି ଚାକରଟିଏ ବି ନାହିଁ । ବାପଘର ବିଷ ଅଣାଇବାକୁ ରାଜି ହେଲେ ନାହିଁ ।

 

ମଙ୍ଗଳାବାଗ ଘରେ କୂଅ ନାହିଁ । ସେଠୁ ବାହାରି ମହାନଦୀ କାଠଯୋଡ଼ୀରେ ପହୁଞ୍ଚିବା ଆଗରୁ ଧରା ପଡ଼ିଯିବ ।

 

ନିରୁପାୟର ବାଟ—ଅଗ୍ନି ଦେବତା । ସେଇ ବାଟ ମାମୀ ଓରଫ ଅମିତା ଓରଫ ଅମୃତା ଧରି ନେଇଥିଲା ।

 

ସାମାଜ ତାରିଖ ୧୯।୧୧।୮୪ ପୃ ୫

 

Wanted a fair, beautiful bride, aged 20–23 years education Intermediate and above for an Engineer is SAIL aged 28 years height 5–2 caste and dowry no bar. Preference for Odia and Bengali speaking. Write to P.o. Box No.271 The Samaj, Cuttack–1.

 

ସମାଜ ତା ୧୯।୧୧।୮୪ ପୃ ୭

 

ନାରୀ ନିର୍ଯ୍ୟାତନା ବନ୍ଦ ପାଇଁ ସମ୍ବଲପୁରରେ ମହିଳାଙ୍କ ଶୋଭାଯାତ୍ରା ।

 

(ସମ୍ବଲପୁର ଅଫିସରୁ)

 

ସମ୍ବଲପୁର ୨୭।୧୧—ସମ୍ବଲପୁର ଜିଲାରେ କ୍ରମଶଃ ବୃଦ୍ଧି ପାଉଥିବା ନାରୀ ନିର୍ଯ୍ୟାତନା, ମହିଳାମାନଙ୍କ ଉପରେ ଦୁର୍ବୃତ୍ତଙ୍କର ଆକ୍ରମଣ ଓ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ ଏବଂ ନିକଟରେ ବେଲପାହାଡ଼ରେ ଯୌତୁକ ଯୋଗୁ ହତ୍ୟା କରାଯାଇଥିବା ଶ୍ରୀମତୀ ସଂଯୁକ୍ତା ପାଢ଼ୀଙ୍କ ସ୍ୱାମୀ ଡାକ୍ତର ଚୌଧୁରୀ ନଗେନ୍ଦ୍ରନାଥ ମିଶ୍ରଙ୍କୁ ଗିରଫ କରିବା ସଙ୍ଗେ ସଙ୍ଗେ ଚାକିରିରୁ ବରଖାସ୍ତ କରିବା ଦାବି କରି ଆଜି ଏଠାରେ ପ୍ରାୟ ତିନି ଶହରୁ ଉର୍ଦ୍ଧ୍ଵ ମହିଳା ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ସେମାନେ ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ ।

 

ନାରୀ ନିର୍ଯ୍ୟାତନା ସମ୍ବଲପୁର ଜିଲ୍ଲାରେ ବୃଦ୍ଧି ପାଉଥିବାରୁ ସ୍ମାରକପତ୍ରରେ ଉଦ୍‌ବେଗ ପ୍ରକାଶ କରା ଯାଇଛି । ଏହାର ନକଲ ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ମଧ୍ୟ ପଠା ଯାଇଛି ।

 

ବିଶିଷ୍ଟ ସମାଜ ସେବିକା ଶ୍ରୀମତୀ ପାର୍ବତୀ ଗିରି, ପ୍ରଭାମୟୀ ଦେବୀ, ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କର ପତ୍ନୀ ଶ୍ରୀମତୀ ସ୍ନେହଲତା ପତି, ପ୍ରମିଳା ବହିଦାର, ସରୋଜିନୀ ରଥ, ନଳିନୀ ଗୁରୁ, ବିଷ୍ଣୁପ୍ରିୟା ଭୋଇ, ସିପ୍ରା ମହାନ୍ତି, ସଂଯୁକ୍ତା ହୋତୋ ଏବଂ ଜାହାଁନାର ବେଗମ ପ୍ରମୁଖ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ।

 

ଶୋଭାଯାତ୍ରାକାରୀମାନେ ‘‘ନାରୀ ନିର୍ଯ୍ୟାତନା ବନ୍ଦ କର’’ ‘‘ଯୌତୁକ ପ୍ରଥା ବନ୍ଦ କର’’ ‘‘ସଂଯୁକ୍ତା ହତ୍ୟାକାରୀଙ୍କୁ ଦଣ୍ଡ ଦିଅ’’ ଧ୍ୱନିମାନ ଦେଇ ସହର ପରିକ୍ରମା କରିଥିଲେ ।

 

ନାରୀ ସେବା ସଦନ ପଡ଼ିଆରେ ଅନୁଷ୍ଠିତ ଏକ ସଭାରେ ବକ୍ତାମାନେ କହିଥିଲେ ଯେ ନାରୀ ସମାଜ ଆଉ ନୀରବ ଦ୍ରଷ୍ଟା ହୋଇ ବସି ରହିପାରିବ ନାହିଁ । ଆବଶ୍ୟକ ହେଲେ ପ୍ରତ୍ୟକ୍ଷ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ।

 

ସମାଜ ୧୯।୧୧।୮୪

 

X                                         X                                            X

 

ସ୍ୱରାଜ୍ୟ ୩୦ । ୧୦ । ୮୪

(ଗାରେଡ଼ି ସମ୍ବାଦ)

 

ନୂଆଦିଲ୍ଲୀ ୨୯ । ୧୦। ୮୪

 

ନାଇଜେରିଆର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଡିଗ୍ରୀ ଶ୍ରେଣୀ ପର୍ଯ୍ୟନ୍ତ ଗାରେଡ଼ି ପାଠ୍ୟକ୍ରମ ଖୁବ୍ ଶୀଘ୍ର ପ୍ରଚଳିତ ହେବ ବୋଲି ଜଣାଯାଇଛି । ସମାଜ ପାଇଁ ଗୁଣି ଗାରେଡ଼ିର ଆବଶ୍ୟକତା ଓ ଏହାର ଉପକାରିତା ସଂପର୍କରେ ଗବେଷଣା କରିବାପାଇଁ ନୃତତ୍ତ୍ୱବିତ୍‌ ଓ ସମାଜ ବିଜ୍ଞାନୀମାନଙ୍କୁ ନେଇ ଗଠିତ ଏକ କମିଟି ଉଦ୍ୟମ ଚଳାଇଛି । D.N.I

 

ସ୍ୱରାଜ୍ୟ ୩୦ । ୧୦ । ୮୪

 

X X X

 

ସମାଜ ୧୯ । ୧୧ । ୮୪ ପୃ ୮

 

ପାଟନା ୧୮।୧୦—ଡାହାଣୀ ସନ୍ଦେହ କରି ଷୋଳଜଣ ମହିଳାଙ୍କୁ ହତ୍ୟା । ଏଥିପାଇଁ ୨୯ ଜଣ ଗିରଫ ହୋଇଛନ୍ତି । ଏହି ମହିଳାମାନଙ୍କୁ ଚକ୍ରଧରପୁର—ରାଉରକେଲା ମଧ୍ୟବର୍ତ୍ତୀ ମନୋହରପୁର ଗ୍ରାମରୁ ହରଣଚାଳ କରି ନିଆ ଯାଇଛି ବୋଲି ବିହାର ରାଜ୍ୟ (Home) Commissonor ଶ୍ରୀ ଏନ୍‌.କେ.ଅଗ୍ରଓ୍ୱାଲା ପ୍ରକାଶ କରିଛନ୍ତି ।

 

ସମାଜ ୧୯ । ୧୧ । ୮୪

 

ଅଣାଅଶି ମସିହାରୁ ଶାଶୁ ପୂଣ୍ୟପ୍ରଭା ଦେବୀ ବିଶ୍ୱର ନୂତନ ଆଧ୍ୟାତ୍ମିକ ଚେତନାର ବାର୍ତ୍ତାବହ ରୂପେ ସ୍ୱୀକୃତ ସାଧକ ଶ୍ରୀ ଜେ.କୃଷ୍ଣମୂର୍ତ୍ତିଙ୍କର ଇଂରେଜି ବହିମାନ ଓଡ଼ିଆରେ ଅନୁବାଦ କରିବାରେ ସକ୍ରିୟ ଅଂଶ ଗ୍ରହଣ କରିଛନ୍ତି ।

 

ଶ୍ରୀମତୀ ବସନ୍ତ କୁମାରୀ ପଟ୍ଟନାୟକ ଓ ଶ୍ରୀମତୀ ଆରତି ମହାନ୍ତି ପୂଣ୍ୟପ୍ରଭା ଦେବୀଙ୍କର ବଡ଼ ଓ ସାନ ଭଉଣୀ । ସମସ୍ତେ ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଏମ.ଏ. ଡିଗ୍ରୀ ପାଇଛନ୍ତି । ବସନ୍ତ ଦେବୀ ଇକନମିକସ୍‌ରେ, ପୂଣ୍ୟପ୍ରଭା ଦେବୀ ଫିଲସଫିରେ ଓ ଆରତୀ ଦେବୀ ସାଇକୋଲଜିରେ ।

 

ସେମାନେ ଓଡ଼ିଆରେ ଅନୁବାଦ କରିଥିବା କେତେକ ବହି ଛପା ହୋଇଛି । ସେଗୁଡ଼ିକ ହେଲା—

 

ଧ୍ୟାନ (୧୯୬୯) Meditation (1969)

 

ମନର ଏକ ସଂଳାପ—A dialogue with oneself

 

ମନ ଗହନର ଉନ୍ମୋଚନ—Inward flowering.

 

ଏଇ ତିନିଖଣ୍ଡ ଏକତ୍ର ଅଶି ମସିହା ଅଗଷ୍ଟରେ ଛପା । କ୍ରାଉନ ପାଞ୍ଚ ଫର୍ମା ବଂଧାଇ ତିନିଟଙ୍କା ପଚିଶ ପଇସା ।

 

ଦ୍ୱିତୀୟଟି ହେଲା ମାର୍ଚ୍ଚ ଏକାଅଶିରେ । ଶିକ୍ଷା ଓ ଜୀବନର ତାତ୍ପର୍ଯ୍ୟ—Education and the significance of life । ଡିମାଇ ବଂଧାଇ ଦଶ ଫର୍ମାର ମୂଲ୍ୟ ସାତଟଙ୍କା ।

 

ତୃତୀୟଟି ହେଲା ଡିସେମ୍ବର ଏକାଅଶିରେ । ପରିବର୍ତ୍ତନ ଏକାନ୍ତ ଜରୁରୀ—The urgency of change । ଡିମାଇ ବଂଧାଇ ଷୋହଳ ଫର୍ମାର ମୂଲ୍ୟ ତେରଟଙ୍କା ।

 

ଚତୁର୍ଥଟି ହେଲା ସେଇ ଡିସେମ୍ବର ଏକାଅଶିରେ । ବହିର ନାମ—ପରିଚିତିରୁ ମୁକ୍ତି Freedom from the known. ବଂଧାଇ ଡିମାଇ ଏଗାର ଫର୍ମାକୁ ମୂଲ୍ୟ ବାରଟଙ୍କା ।

 

ପଞ୍ଚମଟି ହେଲା ଧ୍ୟାନ (Meditation) ଛପା ହେଉଛି ଜୁନ ୧୯୮୨ । ଡିମାଇ ବଂଧାଇ ପାଞ୍ଚ ଫର୍ମାକୁ ଛଅଟଙ୍କା ।

 

ତା’ପରେ ଷଷ୍ଠ ବହି ହେଲା ‘‘ଏଇ ଯେ ସଂସ୍କୃତି’’—This matter of culture-। ଡିମାଇ ବଂଧାଇ ସାଢ଼େ ପଚିଶି ଫର୍ମାକୁ ମୂଲ୍ୟ କୋଡ଼ିଏଟଙ୍କା ।

 

ଚଉରାଶି ଜୁନ୍‌ ମାସରେ ଛପା ହେଲା ସପ୍ତମ ବହି—ଏକ ହିଁ ବିପ୍ଳବ—The only Revolution । ଡିମାଇ ବଂଧାଇ ସାଢ଼େ ଅଠର ଫର୍ମାକୁ ମୂଲ୍ୟ କୋଡ଼ିଏ ଟଙ୍କା ।

 

ବହିଟିଏ ଅନୁବାଦ କରିବାକୁ କ’ଣ କରିବାକୁ ହୁଏ ପ୍ରତ୍ୟେକ ଶିକ୍ଷିତ ଅନୁବାଦକ ଜାଣନ୍ତି-। ସାଧକ କୃଷ୍ଣମୂର୍ତ୍ତିଙ୍କ ବହିରୁ ଓଡ଼ିଆରେ ଛପା ହୋଇଥିବା ଦେଢ଼ ହଜାର ପୃଷ୍ଠା (ନବେ ଡିମାଇ ଫର୍ମା) ସାଢ଼େ ପାଞ୍ଚବର୍ଷରେ କରିଥିବା ଶ୍ରୀମତୀ ପୂଣ୍ୟପ୍ରଭାଙ୍କ ନାମରେ ଏବେ ମୋର ସମୁଧିଙ୍କ ଘର ହତ୍ୟା (ଫାଉଲ ପ୍ଳେ) ଅଭିଯୋଗ ଆଣିଛନ୍ତି । ସେତକ ପୁଣି ପୁଲିସ ପାଖରେ ନୁହେଁ-। ନିନ୍ଦିତ କରାଇବା ପାଇଁ ପ୍ରଚାର ଓ ରାଜରାସ୍ତା ପ୍ରୋସେସନର ସାହାଯ୍ୟ ମାଗିଛନ୍ତି ।

 

ଏହି ପ୍ରକାରର ଅଭିଯୋଗକୁ କାଟି ଫୋପାଡ଼ି ଦେବା ଉଚିତ ନୁହେଁ । କାରଣ ବ୍ୟକ୍ତିଗତ ପ୍ରବଣତା ଏହି ପ୍ରକାରର ଆଭିମୁଖ୍ୟ ନେଲେ ଲୋକ ସମାଜରୁ ଇଜ୍ଜତ୍‌ ବୋଲି ଗୋଟିଏ ଭାବଧାରା ଲୋପ ପାଇବ ।

 

ଏହି ଅବସ୍ଥାକୁ ଆମେ କରଣ ସମାଜକୁ ଟାଣି ନେବା ଉଚିତ କି ନୁହେଁ ଘରସଂସାର କରିଥିବା ଲୋକେ ଅବଶ୍ୟ ବିଚାର କରିବେ ।

 

କିନ୍ତୁ ବାରମ୍ବାର ପ୍ରଚାର କରାଇବାରୁ ଜଣାପଡ଼ୁଛି ଯେ କଥାଟି ମାମଲତକାରୀ ସ୍ତରରୁ ନେଇ ବୌଦ୍ଧିକ ସ୍ତର ପର୍ଯ୍ୟନ୍ତ ବିଚାର ହେବା ଉଚିତ୍‌ ।

 

ଆଧୁନିକ ଓଡ଼ିଶାର ସମାଜ ଏବେ ତାହାର ଭାରସାମ୍ୟ ହରାଉଛି । ଏପରି ହେଲେ ଅଘଟନ ଘଟିବ । ପୁଲିସ ଖାତାରେ ନୂଆ ପ୍ରକାରର ସମସ୍ୟା ବୋଲି ଲେଖା ହେବ । କିନ୍ତୁ ଗୋଟିଏ ପରେ ଗୋଟିଏ ଘର ଭାଙ୍ଗିବ ।

 

ସମ୍ବଲପୁର ଜିଲ୍ଲାର ବେଲପାହାଡ଼ ବୋହୂ ପୋଡ଼ି ଘଟଣାରେ ଜୋଇଁର ଝିଅ ପାଖକୁ ଆସୁଥିବା ଚିଠିର ଜବାବ ଦେଉଥିଲେ ଶାଶୁ—ଝିଅର ମାଆ ।

 

ଇଏ ବି ଗୋଟାଏ ଅଜବ ପଦ୍ଧତି । କଟକ ମଙ୍ଗଳାବାଗ ବୋହୂ ପୋଡ଼ି ଘଟଣାରେ ଜୋଇଁ ଉପରେ ଗୋଟିଏ ଅଭିଯୋଗ ଅଣା ହେଉଥିଲା ଯେ ଜୋଇଁ କାହିଁକି ଶାଶୁଙ୍କୁ ଚିଠି ଲେଖେ ନାହିଁ......ମାମୀର ଶଶୁର କାହିଁକି ଦିନେ ହେଲେ ‘‘ମାମୀ ଲୋ’’ ବୋଲି ଡାକିଲେ ନାହିଁ ?

 

ଏଇ ପ୍ରକାରର ସାମାଜିକ ଚଳଣିର ଧାରା ଏବେ ଯେଉଁ ପ୍ରକାରର ପରିସ୍ଥିତି ସୃଷ୍ଟି କରୁଛି ସେଥିରେ ଜଣାଯାଉଛି ଯେ ସ୍ୱାମୀ ସ୍ତ୍ରୀ ସମ୍ବନ୍ଧ ଭିତରେ ଆଉରି ଅନେକ ହିତାକାଂକ୍ଷୀ ପଶିବାକୁ ଚାହାନ୍ତି । ଯଦି ସେମାନଙ୍କୁ ପ୍ରବେଶ ଅଧିକାର ଦିଆ ନ ଯିବ ତାହାହେଲେ ସେମାନେ ଆନ୍ଦୋଳନ ଆରମ୍ଭ କରିବେ ଯେ ଶାଶୁ ବୋହୂକୁ ହନ୍ତସନ୍ତ କରୁଛି ।

 

ଏହି ମାରାତ୍ମକ ବିପଦରୁ କେହି ମୁକ୍ତ ନୁହନ୍ତି । ଯେଉଁ ଝିଅମାନେ ବିଭା ହୋଇପାରୁ ନାହାନ୍ତି ସେମାନଙ୍କର ବିବାହ ପରର ବୟାନକୁ ଜାଣିଲେ ବୁଝିହେବ ଯେ ଓଡ଼ିଆ କରଣ ସମାଜ ଏବେ ବିବାହକୁ ଗୋଟାଏ ଭଙ୍ଗାଗଢ଼ା ଖେଳ ବୋଲି ଧରି ନେଲାଣି ।

 

ଇଶ୍ୱରଙ୍କର ଲୀଳା ହେଉଛି—ଭାଙ୍ଗିବା ଓ ଗଢ଼ିବା । ଶ୍ରୀ ବାୟାବାବା ମଧ୍ୟ ସେଇ କଥା କହୁଥିଲେ ତାଙ୍କର ବିଭିନ୍ନ ଆଶ୍ରମ ଓ ଅନୁଷ୍ଠାନ ବିଷୟରେ । ଇଶ୍ୱର ଚାହାନ୍ତି ଭାଙ୍ଗିବାକୁ ଓ ଗଢ଼ିବାକୁ । କିନ୍ତୁ ସଂସାରର ସାଧାରଣ ଲୋକେ କ’ଣ ନିଜ ଘରେ ଏଇ ଭାଙ୍ଗିବା ଓ ଗଢ଼ିହେବା ଦେଖିବାକୁ ଚାହେଁ ?

 

ନିଜ ଘରେ ଖାଲି ଭାଙ୍ଗିବା ଦେଖିବ । ଗଢ଼ି ହେବା ଆଉ ସେଠି ସେ ଦେଖିବ କେମିତି-?

 

ଗୋଟିଏ କରଣ ଝିଅ ମୋର ବୋହୂଠାରୁ ବହୁତ କମ୍‌ ପଢ଼ିଥିଲା । ବାପା ପଇସାରେ ଝିଅ ଜୋଇଁ ବିଲାତରେ ଦୁଇବର୍ଷ ରହି ଫେରିଲେ । ଝିଅ ମଧ୍ୟ ଅଧିକ ପାଠ ପଢ଼ିଗଲା । ସେ ହେଲା ଆଧୁନିକା ଓ ଶିକ୍ଷିତା ।

 

କ’ଣ କରିବ ବୋଲି ଭାବି ଭାବି ଠିକ୍‌ କଲା ଯେ ତାହାର ସ୍ୱାମୀକୁ ଛାଡ଼ିବ ଓ ଆଉ ଗୋଟିଏ ସ୍ୱାମୀ ବରିବ ।

 

ବଡ଼ ଦୁଃଖର କଥା ଓ ଲାଜର କଥା । ଝିଅ ଆସି ମସୁଧା କରୁଥିଲା ଶୀଘ୍ର ଶୀଘ୍ର ଛାଡ଼ପତ୍ର କରାଇବା ପାଇଁ ।

 

—ଇସ୍‌, ପିଲା କଥା କ’ଣ ହେବ ?

 

—କାହିଁକି, ମୁଁ ଏତେଦିନ ସମ୍ଭାଳିଲି । ଏବେ ସେ...

 

—କ’ଣ ମିଳିବ ଏଇ ବାହାଘରକୁ ଭାଙ୍ଗିଲେ ?

 

—ବୁଝିପାରିବ ନାହିଁ । ସ୍ତ୍ରୀ ହୋଇ ଜନ୍ମ ହୁଅ । ତାହାହେଲେ ସ୍ତ୍ରୀ’ର ମନ କଥା ବୁଝି ପାରିବ ।

 

—ନା, ମୁଁ ରାଜି ନୁହେଁ ।

 

—ତାହାହେଲେ ଅନ୍ୟ ଲୋକ ଦେଖିବା । ସେ ଆମର ବାହାଘରକୁ ଭାଙ୍ଗି ଦେଇ ଆମକୁ ଅଲଗା କରିଦବ ।

 

ବାହାଘର ଭାଙ୍ଗିଲା—ବାହାଘରର ଦଶ ବର୍ଷ ପରେ । କଚେରୀରେ ଲାଗିଲା ଅଠଚାଳିଶି ଦିନ ମାତ୍ର ।

 

ସ୍ୱାମୀ ବିଭା ହେଲେ । ସ୍ତ୍ରୀ ମଧ୍ୟ ବିଭା ହେଲେ ।

 

ଦୁଇପକ୍ଷ ଆପୋଷୀ ପରାମର୍ଶଦାତାଙ୍କୁ ଧରିନେଲେ ଶତୃପକ୍ଷ ବୋଲି । ତାଙ୍କର ବିଭାଘର ସେମାନେ ଭାଙ୍ଗିବେ । ସେଥିରେ ବାହାର ଲୋକ କିଏ ? ଆଉ ବାହାର ଲୋକ ଅନ୍ୟ ଯେ ହେଉ, କରଣମାନେ ଏଥିରେ ଦେଖାଦେବେ କ’ଣ ପାଇଁ ?

 

ଉଚିତ କଥା । ପାଶ୍ଚାତ୍ୟ ସଭ୍ୟତା ହେଉ କି ନ ହେଉ କିଛି କିଛି ଶୁଦ୍ଧ ଅଶୁଦ୍ଧ ଇଂରାଜି ଜ୍ଞାନ ହେଇଯାଇଛି । ସେତେବେଳେ ପାଶ୍ଚାତ୍ୟ ସମାଜର ଅନୁକରଣରେ ବିଭାଘରକୁ ଛାଡ଼ପତ୍ର ଦ୍ୱାରା ଭାଙ୍ଗିବା ଭୁଲ୍‍ କାହିଁକି ହବ ?

 

ଯଦି ଛାଡ଼ପତ୍ର କରାଇବାକୁ ନୂଆଆଇନ ଅନୁସାରେ ସ୍ୱାମୀ ସ୍ତ୍ରୀ ଏକତ୍ର ଦରଖାସ୍ତ ଦେଇ ରାଜିନାମାରେ ଛାଡ଼ପତ୍ର ଦେବେ ତାହାହେଲେ ଏତେ ପ୍ରକାରର ବୋହୂ ବଛା ଓ ବୋହୂ ଖୋଜା ବନ୍ଦ ନ ହେବ କାହିଁକି ?

 

ପ୍ରତ୍ୟେକ ସବ୍‌ଜଜ୍‌ କୋଟ ମହକୁମାରେ ଛାଡ଼ପତ୍ର ମକଦମା କିଛି କିଛି ଦେଖା ଦେଲାଣି । ଏହା ବଢ଼ିଲେ ପାରିବାରିକ ସୁଖ କିପରି ବଢ଼ୁଛି ଦେଖିବାକୁ ହେବ ।

 

ଠିକ୍‌ ମୋର ବୋହୂ ଅମିତାର ସମସ୍ୟା ମଧ୍ୟ ଉଠିଥିଲା ଆଉ ଗୋଟିଏ ବାହାଘରେ । ଉଭୟ ପକ୍ଷ ପଦସ୍ଥ ଲୋକ ଓ ଓଡ଼ିଶାର ମାପ-କାଠିରେ ଧନୀ ଲୋକ । ଉଭୟପକ୍ଷ ଶିକ୍ଷିତ ଲୋକ-। ଦେବା ପାଇଁ ଓ ନେବା ପାଇଁ କାହାରି ଆପତ୍ତି ନଥିଲା । କିନ୍ତୁ ବାହାଘର ଦୁଇଟା ଗୋଟାଏ ବର୍ଷ ମଧ୍ୟ ଠାକିଲା ନାହିଁ । ସିଏ ବି କଟକ ସହରର କଥା ।

 

ସମସ୍ୟା ହେଲା—କିଏ କାହାଘରେ ପୋଷା ମାନିବ ? ବୋହୂ ଘରେ ପୁଅ ନା ପୁଅ ଘରେ ବୋହୂ ?

 

ଉଭୟ ପକ୍ଷ ପରସ୍ପର ଜିଦ୍‌ରେ ଅଟଳ ରହିଲେ । ଜିଦ୍‌ ଭାଙ୍ଗିବାକୁ କେହି କେହି ତନ୍ତ୍ର ମନ୍ତ୍ରର ଆଶ୍ରୟ ନେଲେ । ରୁଷ ଓ ଆମେରିକାର ଆଣବିକ ଅସ୍ତ୍ରର ପ୍ରତିଯୋଗିତା ତାନ୍ତ୍ରିକଙ୍କ ଦ୍ୱାରା କରା ।

 

ଶେଷକୁ ଯିଏ ଯାହାଘରେ ରହି ନିଜର ବାଇଦାକୁ ପଠାଇଦେଲେ ସବ୍‌ଜଜ୍‌ ପାଖକୁ । ସେ ସେମାନଙ୍କୁ ଅଲଗା କରିଦବ ।

 

ସେଇ କଥା ଏବେ ଶ୍ରୀଯୁକ୍ତ ଇନକମ୍ପାରେବଲ୍‌ ବା ମ୍ୟାଚଲେସ ଦୈନିକ ପ୍ରଗତିବାଦୀ କାଗଜରେ ଦ୍ୱିତୀୟ ପୃଷ୍ଠାରେ ୧୨।୧୧।୮୪ରେ ଲେଖିଛନ୍ତି । ଓଡ଼ିଆ ହିନ୍ଦୁ ବିବାହର ପୂର୍ବାପର ଫଳ ବିଚାର କରି ତାଙ୍କର ଥିସିସ୍‌ ଦେଇଛନ୍ତି । ସାମାନ୍ୟ ବଡ଼ ବା ଅତିରଞ୍ଜିତ କରିଦେଲେ ସମାଜ ବିଜ୍ଞାନ ବା ସୋସିଓଲୋଜିରେ ମୌଳିକ ଭିତ୍ତିଭୂମି ଯୋଗାଇବା । ଶସ୍ତା ଖୋଜୁଥିବା ଶସ୍ତା କରଣମାନଙ୍କ ପାଇଁ ଅତ୍ୟନ୍ତ ଶସ୍ତାରେ ପାଣ୍ଡିତ୍ୟପୂର୍ଣ୍ଣ ଚିନ୍ତାଧାରା ଯୋଗାଇବ ।

 

କରଣ ସମାଜ ହେଇଯିବ ଦକ୍ଷିଣ ସମାଜ ପରି । ସେଠି ମାତୁଳ କନ୍ୟାକୁ ବିଭା ହେବା ଜନ୍ମଗତ ସାମାଜିକ ଅଧିକାର ।

 

ନିଜର ଭାଇ ଓ ଭଉଣୀ ।

 

ଭାଇର ଝିଅକୁ ଭଉଣୀର ପୁଅ ଏବଂ ଭଉଣୀର ଝିଅକୁ ଭାଇ ମଧ୍ୟ ବିଭା ହେଇପାରିବ-। ଏହି ଦୁଇଟି ପରିବାର ମଧ୍ୟରେ ଯେତେ ରକମର ପୁଅ ଓ ଝିଅ ସମ୍ୱନ୍ଧ ସ୍ଥାପନା ହେଇପାରିବ ସେ ସବୁ କଚେରୀର ଓ ସାମାଜିକ ଆଇନ ଦ୍ୱାରା ସିଦ୍ଧ ।

 

ସେଠି ଆମର ମ୍ୟାଚଲେସ ବା ଅନୁପମ କରିଥିବା ସମୀକ୍ଷା ଦରକାର ପଡ଼େ ନାହିଁ । ଏଣେ ଯୌତୁକ ଯଥେଷ୍ଟ । ଅଥଚ ଯୌତୁକ ପାଇଁ ମକଦମା ନାହିଁ ।

 

ଯେଉଁଦିନ ନିର୍ବନ୍ଧ ହୁଏ ସେଇଦିନ ତାଙ୍କର ଲଗ୍ନପତ୍ରୀ ବା ବାହାଘର କାର୍ଡ଼ ଚିଠା ହୁଏ । ଉଭୟ ପକ୍ଷର ପ୍ରତିନିଧି ରହନ୍ତି । ଭାଇ ଭଉଣୀ ପରସ୍ପର ଅବସ୍ଥା ବୁଝୁଥିବାରୁ ସେଇ ଅନୁସାରେ ସୁନା ଓ ନଗଦର ଦେବା ନେବା ସ୍ଥିର ହୋଇଥାଏ ।

 

ତାକୁ କହନ୍ତି ତାମ୍‌ବୋଲ । (Thambul)

 

ଦିଆ ନିଆ ଆଗୁଆ ହେଇଯାଏ । ଦି’ବର୍ଷ ଓ ବର୍ଷକରେ ଝିଅ ମରିଗଲେ ଯୌତୁକ ଫେରସ୍ତ ହେଇଯାଏ କିମ୍ୱା ଝିଅର ଭଉଣୀ ବିଭା ହୋଇଯାଏ ବିନା ଯୌତୁକରେ । ଠିକ୍‌ ସେମିତି ଅତି ସରଳ ବିବାହ କର୍ମ ପଦ୍ଧତିରେ ।

 

ଆମେ ଦୁଇ କୋଟିରୁ କମ୍ ଓଡ଼ିଆ । ଆଉ ଏହି ଦକ୍ଷିଣାଞ୍ଚଳରେ ଆମର ସାତଗୁଣ ଲୋକ । ବୋହୂପୋଡ଼ି ଅତ୍ୟନ୍ତ କମ୍‌ । ବିବାହ କାରଣରୁ ଅର୍ଥାତ୍‌ ଶାଶୁ ଅତ୍ୟାଚାର ପାଇଁ ବୋହୂ ପୋଡ଼ି ହୁଏ ନାହିଁ । ନିଜର ଖିଆଲରେ ଏଠି ସେଠି ବୋହୂପୋଡ଼ି ଘଟିଥାଏ ।

 

ଆତ୍ମାହୂତି ଦକ୍ଷିଣ ଭାରତରେ ଯଥେଷ୍ଟ । ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ମୃତ୍ୟୁରେ ପ୍ରାୟ ତିରିଶି ଚାଳିଶି ଲୋକ ଆତ୍ମାହୂତି ଦେଲେ । ଆନ୍ଧ୍ର ପ୍ରଦେଶକୁ ଚଞ୍ଚଳ କରାଇବାକୁ ଶ୍ରୀ ପୋଟି ରାମୁଲୁ ଆତ୍ମାହୂତି ଦେଇଥିଲେ ।

 

ଏବେ କେମିତି କେମିତି ଓଡ଼ିଶା ତାହାର ପୂର୍ବ ପରିଚିତ କନିଅର ମଞ୍ଜି ଗୁଡ଼ ଓ ଅଫିମ ଏବଂ ଓରାରୁ ରସି କଥା ଛାଡ଼ିଦେଇ ନିଆଁରେ ପୋଡ଼ିହେବା କିମ୍ୱା ନିଦ ଔଷଧ ଖାଇବାକୁ ପସନ୍ଦ କଲାଣି । ଠାଏ ଠାଏ ନଈ ମଧ୍ୟ ବାଟ କଢ଼ାଇ ଡାକୁଛି ।

 

କିନ୍ତୁ ରହି ଯାଉଛି ଟିକିଏ—ସେଇଟା ହେଲା ଆତ୍ମହତ୍ୟା କରିବାର ଇଚ୍ଛା । ତା’ପରେ ଆସୁଛି ଆତ୍ମହତ୍ୟାକୁ ହତ୍ୟାର ରୂପ ଦେବା ପାଇଁ ମଜ୍ଜ—ଦୋହଲା କ୍ରୋଧ । ମୋର ବୋହୂର ମୃତ୍ୟୁରେ ଏସବୁ ଦେଖା ଦେଇଥିଲା ।

 

କାରଣ ଓଡ଼ିଆ ଲୋକ ବୁଝେ ସେତିକି । ଓଡ଼ିଶା ପ୍ରଦେଶ ହେଲାବେଳେ ଓଡ଼ିଆ ତାତି ଲାଲ ହେଇ ରହୁଥିଲେ । ନିମନ୍ତ୍ରଣର ମର୍ଯ୍ୟାଦାରେ ସାମାନ୍ୟ କମ୍‌ ବେଶି ହେଇଗଲେ ଅନେକ ଲୋକ ଯେମିତି ପାଚି ଲାଲ ହୋଇଯାନ୍ତି । ପ୍ରତ୍ୟେକ କଥାରେ ଓଡ଼ିଆ ରାଗିଯାଏ ।

 

ମୋର ବୋହୂଟିକୁ ନିଜ ଘରେ ଏପରି ସୁଶିକ୍ଷା ଦିଆ ହୋଇଥିଲା ଯେ ଯେଉଁ ଶବ୍ଦ ବା ବିଷୟ ଆକ୍ଷେପମୂଳକ ମନେ ହେବ ସେଥିରେ ତତ୍‌କ୍ଷଣାତ୍‌ ତାକୁ ପ୍ରତିବାଦ ଦେବାକୁ ପଡ଼ିବ ।

 

—କିଲୋ, ଅମିତା, ଏମିତି ଅଲାଜୁକୀ ପରି କ’ଣ କାନ୍ଦୁଛୁ, ଏଇ କଥାରେ ?

 

—କ’ଣ କହିଲ ? ମୁଁ ଅଲାଜୁକୀ ? ମୋର ବାପଘରେ ଲାଜ ଛଡ଼ା ଆଉ କିଛି ନଥାଏ-

 

—ଆରେ, କି କଥାକୁ କ’ଣ କଲାଣି ? ଆଣେ ଓଡ଼ିଆ ଅଭିଧାନ ।

 

ମୋ ବୋହୂ କାହିଁକି ଅଭିଧାନ ଆଣିବ ? କଥାଟା ବୁଝି ନ ପାରିଲେ ସିନା ଅଭିଧାନ ଲାଗିବ । ସେ ତ ସ୍ପଷ୍ଟ ବୁଝିଗଲାଣି ଯେ ଶାଶୁ ତାହାର ବାପଘରକୁ ନିନ୍ଦା ଦେଇ ସାରିଲେଣି ।

 

ତଥାପି ବୋହୂ ଅଭିଧାନ ଦେଖି ସାମାନ୍ୟ ଖୁସି ହେଲା ଯେ ବ୍ୟବହାର ଓ ଅଭିଧାନ ଅର୍ଥ ଏକା ହେଉ ନାହିଁ । ତାହାହେଲେ ଅଭିଧାନଗୁଡ଼ାକ ବାଜେ ବହି । ସେଥିପାଇଁ ଭୁବନେଶ୍ୱର ଘରେ ଅଭିଧାନ ରହେ ନାହିଁ ।

 

ଯାହାହେଉ କଥାଟା ସୁଧୁରିଗଲା । କିନ୍ତୁ କେତେଦିନ ? କୋଡ଼ିଏଟା ଦିନରେ ସେ ନିଜେ ଛାଡ଼ବାଡ଼ ହେଇଗଲା ।

 

ମୋର ବୋହୂ କଥା ଯେତେବେଳେ ପ୍ରତିଦିନ ଓଡ଼ିଆ, ବଙ୍ଗଳା ଓ ଇଂରାଜି ଭାଷାରେ ଛପା ଯାଉଥାଏ ସେତିକିବେଳେ ଗୋଟିଏ ବଙ୍ଗାଳି କରଣ ଘରେ ସେଇ ପ୍ରକାରର ପରିସ୍ଥିତି ହେଲା-। ବୋହୂର ଲୁଗାକାନିରେ ଟିକିଏ ଚିରା ଦିଶୁଛି । ଶାଶୁ ତ ପୂରା ଲକ୍ଷ୍ୟ ରଖିଥାନ୍ତି ତାଙ୍କର ମାସକୁ ଦେଢ଼ହଜାର ଟଙ୍କା ଦରମା ପାଉଥିବା କଚି ବୋହୂ ଉପରେ । ସେ ଗମ୍ଭୀର ହେଇ କହିଲେ–

 

—ବଉ, ତୁମି କି ଜାନନା, ତୁମି କାର ଘରେର ବଉ ? କାପଡ଼ ବଦଲେ ଫେଲ ।

 

ସେଇ ଧାଡ଼ିକରେ ବୋହୂର ବାପଘରର ଐତିହ୍ୟ, ପଦମର୍ଯ୍ୟାଦା, ଧନ ଦଉଲତ, ଆଭିଜାତ୍ୟର ଅଭ୍ୟାସ ସବୁ କୁହାହେଇଥିଲା । ବାହାଘର ମୋଟେ ବର୍ଷେ ।

 

ତୁମି କାଦେର ଘରେର ବଉ ଗୋ

କାଦେର ଘରେର ବଉ ?

ଯମୁନାୟ ଜଲ ଆନତେ ଯାଛ

ସଙ୍ଗେ ନେଇ କେଉ ?

 

ଇଏ ହେଲା କାର ଘରେର ବଉ ? କିନ୍ତୁ ଆତ୍ମହତ୍ୟା ହେଲା ନାହିଁ । ବୋହୂ ପଦେ ବି ଓଲଟି କହିଲା ନାହିଁ । ଶାଢ଼ିଟା ବଦଳାଇ ପକାଇଲା ।

 

ସେମିତି ରାଜସ୍ଥାନ ସ୍ତ୍ରୀ ଲୋକମାନେ ନିରୋଳା ଦୁଧ ଆଣିବାକୁ ଦୁଇ ଚାରିଜଣ ଓ ଏକୁଟିଆ କଟକର ସାହି ବସ୍ତିର ଗୁହାଳକୁ ସକାଳେ ସଞ୍ଜେ ଚାଲନ୍ତି ।

 

ଶାଶୁମାନେ ତେଣେ ତାଙ୍କୁ ପ୍ରତି ଚାରି ଆଠଦିନରେ ତାଗିଦ୍‌ କରନ୍ତି—ଇତ୍‌ନା ଦେର୍‌ କେହେଁ । ହୋତା ହାୟ ?

 

ସେଇ ଧାଡ଼ିକରେ ଥାଏ ପୂରା ଜୀବନର ଗୋଟାଏ ଗ୍ରାଫିକ୍‌ ସାରାଂଶ ।

 

ବଙ୍ଗାଳୀ ବଉ ଓ ରାଜସ୍ଥାନୀ ବହୂ ଅତ୍ୟନ୍ତ ବାଧିଲେ ତୁମକୁ ମତେ ସିନା କହିବ କିନ୍ତୁ ପ୍ରାଣ ହାରିଦବ ନାହିଁ । କିନ୍ତୁ ଓଡ଼ିଆ ବୋହୂ ସେତିକି ଶୁଣିଲେ କ’ଣ ଯେ କରିଦେବ ସେଇଟା କେବଳ ଚାନସ୍‌ ଉପରେ ନିର୍ଭର କରେ ।

 

ଜଣେ ଲୋକ ବାଇଗଣ ତରକାରୀ ଖାଇଲାବେଳେ ଖଣ୍ତେ ବାଇଗଣ ଚୋପା ତାହାର ପାକସ୍ଥଳୀରେ କେଉଁଠି ଲାଗିଗଲା । ପାଣି ପିଇଲାବେଳେ ପାଣି ଢୋକ ଘଟିକାରେ ଲାଗିଯିବା ପରି ।

 

ଚାଲିଲା ଡାକ୍ତରଖାନା—ରୋଗୀ ମରିବା ଉପରେ । ସେଠି ବି ଅପରେସନ ହେଇଗଲା-। ବାହାରିଲା ଖଣ୍ତେ ବାଇଗଣ ଚୋପା । ୟା’କୁ କହିବ ଚାନସ୍‌ ।

 

ଦିଲ୍ଲୀରେ ୟୁନିଅନ ପବଲିକ୍‌ ସର୍ଭିସ କମିସନକୁ ଗୋଟିଏ ଇଣ୍ଟରଭିଉରେ ଦକ୍ଷିଣ ଭାରତର ବାସିନ୍ଦା ଜଣେ କର୍ମଚାରୀ ନିଜର ଦିଲ୍ଲୀ ଠିକଣା ନ ଦେଇ ଦକ୍ଷିଣ ଭାରତ ଘରର ଠିକଣା ଦେଇଥିଲା । ସେଥିପାଇଁ ମାସେ ଛୁଟି ମଧ୍ୟ ନେଇଥିଲା ।

 

ଇଣ୍ଟରଭିଉରେ ସେ ଚାକିରି ପାଇଗଲା ତାହାର ବନ୍ଧୁମାନେ ହାଇ-ଟି (High Tee) ମାଗିଲେ ।

ହାଇ-ଟି ଖାଇଲାବେଳେ ବାବୁଟି କହିଦେଲା ଯେ ତାକୁ ଖର୍ଚ୍ଚ ପଡ଼ିନାହିଁ । T. A ରୁ ସେ ଦେଉଛି । ଦିଲ୍ଲୀରେ ଥିଲେ ମଧ୍ୟ ସେ ତାମିଲନାଡ଼ରୁ ରେଳଭଡ଼ା ପାଇଥିଲା ।

ବାସ୍‌ ସେତିକି ?

ଜଣେ ଗେଷ୍ଟ ତହିଁ ଆରଦିନ ଉପରକୁ ବେନାମି ଚିଠିରେ ଜଣାଇଦେଲା । ଇନକ୍ୱାରୀ ହୋଇ ସେ ମିଛ ଟି. ଏ. ନେଇଛି ବୋଲି ଚାକିରିକୁ ହରେଇଲା । କିନ୍ତୁ ତାକୁ ଦୟାକରି ଆଉ ପୁଲିସ କେସ୍‌ କରା ହେଲା ନାହିଁ ।

ୟା’କୁ କହନ୍ତି ଚାନସ୍‌ ।

ମୋର ଆଡଭୋକେଟ୍‌ କଟକ ସମୁଧିଙ୍କର ଘରର ପଶ୍ଚିମରେ ସନ୍‌ ସାଇନ ଫିଲଡ଼ । ତାହାର ପଶ୍ଚିମକୁ ଭଡ଼ାଘରେ ଓଡ଼ିଶା ଫରେଷ୍ଟ କର୍ପୋରେସନର ଆଞ୍ଚଳିକ ଅଫିସଟିଏ ।

ସେଠି ଜଣେ ଅତି ଭଦ୍ର ବ୍ରାହ୍ମଣ ଡି. ଏଫ୍‌. ଓ. ଥିଲେ । ସେ ତାଙ୍କର ଛୋଟ କୁକୁର ଛୁଆକୁ ତାଙ୍କର ମୁଣ୍ତ ବାଳରେ ଗେଲ କରନ୍ତି । ଦିନେ ସେଇ ଛୁଆ ଅଫିସରଙ୍କର ମୁଣ୍ତ ସାଙ୍ଗରେ ଖେଳୁ ଖେଳୁ କାନ ପାଖରେ ଦାନ୍ତ ବସାଇ ଦେଲା ।

ସେତିକି ।

 

ତା’ର ଆଠମାସରେ ତାଙ୍କୁ ଧରିଲା ଜଳାତଙ୍କ ରୋଗ । କଟକ ପରିସରର ସମସ୍ତ ଚିକିତ୍ସା ତାଙ୍କୁ ବଞ୍ଚାଇପାରିଲା ନାହିଁ । ସେ ମରିଗଲେ ।

 

ୟା’କୁ କହନ୍ତି ଚାନସ୍‌ ।

 

କଟକ କଚେରୀ ପାଖ କାଳି ମନ୍ଦିରର ଜଣେ ପ୍ରଧାନ ତତ୍ତ୍ୱାବଧାରକ ଥିଲେ କଟକର ଜଣେ ବଙ୍ଗାଳି କରଣ ସମାଜର ବିଶିଷ୍ଟ ଅଫିସର ।

 

ସେତେବେଳର ସାମାଜିକ ଚଳଣୀ ଅନୁସାରେ ପାଖ ବସ୍ତିରେ ଗୋଟଏ ବେଶ୍ୟା ଘରକୁ ସେ ଯାଉଥିଲେ ।

 

ବେଶ୍ୟାଟିର ମୁଣ୍ତ ଖରାପ ।

 

କିନ୍ତୁ ତାକୁ ଏଇ ବାବୁଙ୍କ ଛଡ଼ା ଆଉ କେହି ଆୟତ୍ତ କରିପାରନ୍ତି ନାହିଁ ।

 

ଥରେ ବେଶ୍ୟାଟି ତାଙ୍କୁ ତାଙ୍କର କୋଡ଼ରେ ଚୁମା ଦେଉ ଦେଉ ଦାନ୍ତ ବସାଇ ଦେଲା ।

 

ସେତିକି । କଟକର ସବୁ ପ୍ରକାରର ଚିକିତ୍ସା ଓ ଉପଚାରକୁ ହେୟ କରିଦେଇ ସେ ବାବୁ ଚାଲିଗଲେ ମରଣର ଫାଟକ ଦେଇ ।

 

ୟା’କୁ କହନ୍ତି ଚାନସ୍‌ ।

 

ମୋର ଜଣେ ମାଇଁଙ୍କର କଜିନ୍‌ ସାହିତ୍ୟିକ କାହ୍ନୁଚରଣ ମହାନ୍ତିଙ୍କର ସାନପୁଅ ମାଟ୍ରିକୁଲେସନ ପାସ୍ କରିଥିଲେ ମଧ୍ୟ ବୋର୍ଡ଼ ନୋଟିସରେ ତାହାର ନାମ ନ ଥିଲା । ସେ ଫେଲ ହୋଇଗଲା ଓ ପଢ଼ୁ ନଥିଲା ବୋଲି ଘର ଲୋକେ ବିରକ୍ତ ହେଲେ । ସେ ଯାଇ ନିଜ ରୁମ୍‌ରେ ଦଉଡ଼ି ଲଗାଇ ଦେଲା । ପରେ ଜଣାଗଲା ଯେ ଆତ୍ମହତ୍ୟାଟା ଭୁଲରେ କରି ପକାଇଲା । ସେ ପାସ୍‌ କରିଛି ।

 

ୟା’କୁ କହନ୍ତି ଚାନସ୍‌ ।

 

ନୋବେଲ ପୁରସ୍କାର ବିଜେତା ସାର୍‌ ସି. ଭି. ରମଣଙ୍କର ଅନେକ ବକ୍ତୃତାର ବିଷୟ ଥିଲା ଯେ ମଣିଷର ଜୀବନଟା ହେଉଛି ଚାନସ୍‌ର ଖେଳ—ଗେମ୍‌ ଅଫ୍‌ ଚାନସ୍‌ ।

 

ଚାନସ୍‌ ପାଇଁ କପିଳଦେବ ଓ ଗାଭାସ୍କର । ଚାନସ ପାଇଁ ଅନେକ ବଡ଼ସାନ ମଣିଷ । ସାନବଡ଼ ହେଉଛନ୍ତି । ବଡ଼ ମଧ୍ୟ ସାନ ହେଇଯାଇଛନ୍ତି । ଚାନସ୍‌ ଖେଳରେ ଅବା ଜୀବନର ଖେଳରେ ଚାନସ୍‌ ପାଇଁ ।

 

ମୋର ବୋହୂ ଅମିତା ପୁରୀରୁ କଟକ ଆସିଥିଲା ବୋହୂ ହେଇ ସେ ଚାନସ୍‌ ଉପରେ ।

 

ପୁଣି ସେ ଚାଲିଗଲା ଆତ୍ମହତ୍ୟା କରି ସେଇ ଚାନସ୍‌ ପାଇଁ । କିନ୍ତୁ ତାକୁ ଚାନସ୍ ଧରାଇବାକୁ ତାହାର ଘର ଲୋକେ ଚଣ୍ତୀପାଠ ଓ ଠାକୁର ମାଜଣା କରାଇ ନାହାନ୍ତି ତ ? ୟା’ର ଉତ୍ତର ତାଙ୍କ ଘରେ—ତାଙ୍କ ପାଖରେ ।

 

ଜଣେ ବିଶିଷ୍ଟ କରଣ ଓକିଲ ତାଙ୍କର ପିଲାକୁ ଖୁବ୍‌ ଭଲ ରେଜଲଟ୍‌ କରାଇବାକୁ ପ୍ରାୟ କୋଡ଼ିଏଟି ଚଣ୍ତୀ କରାଇଥିଲେ । ପିଲା ମାଟ୍ରିକୁଲେସନ ସେକେଣ୍ଡ ଡିଭିଜନ୍‌ରେ ପାସ୍‌ କରି ଆଇ. ଏ. ପରୀକ୍ଷାରେ ପାଟନା ବିଶ୍ୱବିଦ୍ୟାଳୟରେ ପଞ୍ଚମ ହୋଇଗଲା ।

 

ସେ ବି. ଏ. ପଢ଼ିଲା ଅନର୍ସ ପାଇଲା ନାହିଁ । ବିଲାତ ଗଲା—ବିଶେଷ କିଛି ହେଲା ନାହିଁ । କୌଣସି ସୁବିଧା ତାକୁ ଆଉ ସୁବିଧା ଅଣାଇ ପାରିଲା ନାହିଁ ।

 

ସମସ୍ତେ ବିଚାର କରି କହିଲେ ଯେ ମଣିଷ ତାହାର ଭାଗ୍ୟର ସମସ୍ତ ଫଳକୁ ଚଣ୍ତୀ ବା ମନ୍ତ୍ରଦ୍ୱାରା ଟାଣିଆଣି ଠା’କରେ ଠୁଳ କରିଦେଇ ପାରିବ । ନିଜର ପ୍ରାପ୍ତିର ପ୍ରାପ୍ୟକୁ ଥରେ ଅଧେ ଅଧିକ କରିଦେଇ ପାରିବ । କିନ୍ତୁ ତାହାର ସାମଗ୍ରିକ ଭାଗ୍ୟର ଛାଞ୍ଚ ଭାଙ୍ଗିଯିବ । ତେଣୁ ଏଇ ମନ୍ତ୍ର ଯନ୍ତ୍ର କରି ଭାଗ୍ୟଦେବୀଙ୍କୁ ସୁପ୍ରସନ୍ନ କରାଇ ଖୁସି ହେବା ଉଚିତ୍‌ ନୁହେଁ । ମୋର ସମୁଧିମାନେ ଏତକ ବୁଝିଲେ ପାତ୍ରଟି ଭାଙ୍ଗିବା ପରେ ।

 

ସେଥିପାଇଁ ବୁଦ୍ଧଦେବ ତାଙ୍କର ଭକ୍ତମାନଙ୍କୁ ଯେଉଁ ପାଞ୍ଚଟି ମାର୍ଗ ଦେଖାଇଥିଲେ ସେଥିରୁ ଯୋଡ଼ିଏ ହେଲା—ଯାହା ତୁମକୁ ମିଳୁନାହିଁ ସେପରି ଜିନିଷ ନିଅ ନାହିଁ । ....ତୁମର ସ୍ତ୍ରୀ ପ୍ରତି ସନ୍ତୁଷ୍ଟ ରହ । ଅର୍ଥାତ୍‌ ଏଣେତେଣେ ଚାହିଁ ଟାଉକା ହୁଅ ନାହିଁ ।

 

ସେଇ କଥା ରାମଧୁନ ଭଜନରେ ରହିଛି—ପରସ୍ତିରୀ ଜନେ ନ ଚାହେଁରେ ।

 

ମୋର ବୋହୂ ଅମିତାର ମରଣ ସାଙ୍ଗରେ ସର୍ବୋତଭାବେ ସମାନ ଆଉ ଗୋଟିଏ ମରଣର ଦୃଶ୍ୟ ଘଟିଥିଲା କିଛିଦିନ ଆଗରେ ଗୋଟିଏ ବଙ୍ଗାଳି ପରିବାରରେ ।

 

ସେଠି ବାପା କଟକର ଜଣେ ବିଶିଷ୍ଟ ଆଡଭୋକେଟ୍‌ । ମାଆ ଜଣେ ପ୍ରିନସିପାଲ । ପୁଅଟି ମଧ୍ୟ ଗୋଟାଏ ଖୁବ୍‌ ଭଲପିଲା—ଏମ୍‌. ଏ. ପାସ୍‌ କରିଛି । ବାପା ମାଙ୍କ ପ୍ରତି ଖୁବ୍‌ ସ୍ନେହ ଓ ମୋହ ।

 

ପ୍ରତିଦିନ ମଟରନେଇ ଦିନ ତିନିଟାବେଳୁ ଯାଇ କଟକର ବାଦାମବାଡ଼ିରେ ବସିଥାନ୍ତି । ମାଆ ବସ୍‌ରୁ ଓହ୍ଲାଇଲେ ତାଙ୍କୁ ନେଇ ଘରକୁ ଆସିବେ । ବଡ଼ଲୋକ—ବାପ ମାଙ୍କର ସ୍ନେହ ଆଦର ମଧ୍ୟ ଯଥେଷ୍ଟ । ସେମାନେ ଓଡ଼ିଆ କରଣ ନୁହନ୍ତି ଯେ ଚୁଙ୍ଗିପରି ହେବେ ।

 

ସକାଳୁ ବାପାଙ୍କ ସାଙ୍ଗରେ ମଣିଙ୍ଗ୍‌ ୱାକ କରି ଫେରିଲେ ମାଆଙ୍କୁ ନେଇ କଟକ ବାଦାମବାଡ଼ିକୁ ମଟର ଯିବ ।

 

ପୁଅ କହୁଥିଲେ ଯେ ତାଙ୍କର ଜଣେ ସାଙ୍ଗ ଆତ୍ମହତ୍ୟା କରିବା ପରେ ଅନେକଥର ତାଙ୍କୁ ଡାକୁଛି । ବାପା ମାଆ ଏସବୁ କଥାକୁ ସେତେ ଗୁରୁତ୍ୱ ଦେଇ ନ ଥିଲେ । ସଂସାରର ଜଞ୍ଜାଳ ଭିତରେ ଏସବୁ ଭୂତ ପ୍ରେତର ଡାକରା ଓ ନିମନ୍ତ୍ରଣ ବୁଝିବାକୁ କାହାର ଅବା ଆଗ୍ରହ ଆସିବ ?

 

ସକାଳେ ବୁଲିଯିବାପାଇଁ ବାପପୁଅ ପୋଷାକ ପିନ୍ଧିଲେ । ପୁଅ ମଧ୍ୟ ତାହାର ନୂଆ ପୋଷାକ ଟାଇ ଓ ଯୋତା ମୋଜା ପିନ୍ଧି ବାପାଙ୍କୁ କହିଲା ଯେ ସେ ଆଗରେ ଚାଲନ୍ତୁ । ସେ ଯାଇ ପହଞ୍ଚିଯିବେ ।

 

ବାପା ବୁଲିବାକୁ ବାହାରିଲେ । ମାଆ ଚା’ କରୁଛନ୍ତି—ଚା’ ପିଇ ରେଡ଼ି ହେବେ ।

 

ପୁଅ ଯାଇ ଘର ଭିତରେ ବିଜୁଳି ପଙ୍ଖାରୁ ଦଉଡ଼ି ଓହଳାଇ ନିଜକୁ ଶେଷ କରିଦେଲେ । ପୋଷାକପତ୍ର ପିନ୍ଧି ଆନନ୍ଦରେ ବୁଲିଗଲା ପରି କଥା ଓ କାରବାର ।

 

ନିଜର ଜୀବନ ଦୀପ ଲିଭାଇ ଦେବାଆଗରୁ ସେ ଥରକପାଇଁ ମାଆ କଥା ଭାବିଲେ ନାହିଁ । ବାପାଙ୍କ କଥା ମନେ ପକାଇଲେ ନାହିଁ । ନିଜର ସ୍ତ୍ରୀ ଯଶୋଧାରା କାଳେ ଉଠିପଡ଼ିବେ ବୋଲି ଅବତାର ବୁଦ୍ଧ ବାହାଘରର ଦଶବର୍ଷ ପରେ ନିଜର ପୁଅ ରାହୁଳ ଜନ୍ମ ହେବାପରେ ସ୍ତ୍ରୀ ଓ ପୁଅଙ୍କୁ ଥରେ ନ ଦେଖି ତାଙ୍କଠାରୁ ମେଲାଣି ନ ନେଇ, ନିଜର ଚାଳିଶ ହଜାର ନର୍ତ୍ତକୀଙ୍କ ମଧ୍ୟରୁ ଜଣକଠାରୁ ବି ମେଲାଣି ନ ମାଗି ଶାକ୍ୟମୁନି ଚାଲିଗଲେ ନିଜର ଜ୍ଞାନାଲୋକ ପାଇଁ ।

 

କିଏ କ’ଣ ପାଇଁ କେତେବେଳେ ଯାଇ କାହାକୁ ଗୁଳି ମାରିବ କି କାହାକୁ ଛାଡ଼ି ପଳାଇବ ଅବା ନିଜକୁ ପୋଛିଦେଇ ସଂସାର ଛାଡ଼ିବ ତାହାର ଉତ୍ତର କେହି ଦେଇପାରନ୍ତି ନାହିଁ । ଖାଲି କହୁଥାନ୍ତି ଯେ ଏକାଠି ରହିଲେ ଜଣେ ଆଉ ଜଣଙ୍କର ପ୍ରିୟଜନ ହୁଏ । ପ୍ରିୟଜନର ପ୍ରୀତି ଓ ବନ୍ଧନ ହେଉଛି ଏଇ ଦଗ୍‌ଧଭରା ସମାଜ ଓ ସଂସାରରେ ଏକମାତ୍ର ସୁଖ ।

 

ସେମିତି ଚାଲିଯାଇଥିଲେ ସକାଳ ପହରରେ ଜଣେ ବିଶିଷ୍ଟ କରଣ ଲେଖିକା—ଭୁବନେଶ୍ୱର ଷ୍ଟେସନରେ ।

 

ସେ ସବୁବେଳେ ସମସ୍ତଙ୍କୁ କହୁଥିଲେ ପଣ୍ତିଚେରୀ ଆଶ୍ରମ କଥା ଓ ଆଶ୍ରମର ମାଆଙ୍କ ବିଷୟରେ । ମାଆଙ୍କର ବିଦାୟ ପରେ ତାଙ୍କର ଶରୀର ସେମିତି ସତେଜ ରହିବ, ତମେ ଦେଖିବ ।

 

ମାଆ ଚାଲିଗଲେ ।

 

ତାଙ୍କର ଦେହ ନଷ୍ଟ ହେବାକୁ ଆରମ୍ଭ କଲା । ସମାଧି ଦିଆଗଲା । ଭାବ ପ୍ରବଣ ଲେଖିକା କହିବାକୁ ଆରମ୍ଭ କଲେ—ମୁଁ କାହାକୁ କେମିତି ଆଉ ମୁହଁ ଦେଖାଇବି । ମୋର ଆଉ ମୁହଁ ନାହିଁ । ମୋର ଅଗାଧ ବିଶ୍ୱାସ ତୁଟିଯାଇଛି ।

 

ପିଲାମାନେ ପଢ଼ନ୍ତି ପଣ୍ଡିଚେରୀରେ । ସେମାନେ ଆସିଥିଲେ । ମାଆପାଇଁ ଭଲ ଶାଢ଼ିଟିଏ ଆଣିଥିଲେ । ମାଆ ସେସବୁ ଉପହାର ପିନ୍ଧି ସକାଳୁ ଚାଲିଗଲେ ରେଳଇଞ୍ଜିନ ଆଗରେ ଠିଆ ହେବାକୁ । ସଂସାରର ଓ ନିଜର ବନ୍ଧନ ତାଙ୍କୁ ପଛକୁ ଟାଣିଲା ନାହିଁ ।

 

ଜିଲା ଜଜ୍ ଜଣେ । ବଡ଼ ବିଚଳିତ ହୋଇଗଲେ ନିଜ ଉପରେ । ଚାଲିଗଲେ ଭୁବନେଶ୍ୱର । ସେଠି ଯାଇ ମଝିରେ ଗୋଟାଏ ଜାଗାରେ ସେ ଡେଇଁପଡ଼ିଲେ ରେଳଇଞ୍ଜିନ ଆଗକୁ-। କିନ୍ତୁ ଆତ୍ମହତ୍ୟା ହେଲେ ଅନାଥ ପିଲାମାନେ ସରକାରୀ ଅନୁଦାନ ପାଇ ନପାରିବେ ବୋଲି କୁହାଗଲା—ଦୁର୍ଘଟଣା ।

 

ବିଚକ୍ଷଣ ସାମ୍ବାଦିକ ଦେବୀବାବୁ ତାଙ୍କର ଭଉଣୀଙ୍କ ବିଷୟରେ ଯେଉଁ ଅଭିଯୋଗ ପତ୍ର ତିଆରି କରି ବିଭିନ୍ନ ଭାଷାରେ ବିଭିନ୍ନ କେନ୍ଦ୍ରରେ ମୋର ବୋହୂର ଚିତ୍ର ଆଙ୍କୁଛନ୍ତି ସେ କ’ଣ ଏତେ ଅନଭିଜ୍ଞ ଯେ ଭୁବନେଶ୍ୱରର ଏଇସବୁ ମୁକ୍ତି ଯାତ୍ରା ସହିତ ତାଙ୍କର ପରିଚୟ ନାହିଁ ?

 

ହେଇପାରେ ସେ ଭାବୁଥିବେ ଯେ ଭୁବନେଶ୍ୱର ଓ ବାରଙ୍ଗରେ ରେଳ ଇଞ୍ଜିନମାନେ ବଳାବଳ ପରୀକ୍ଷା କରୁଥିଲେ ବିଶିଷ୍ଟ ଲୋକମାନଙ୍କ ଉପରେ ।

 

ଏଇ ଜୀବନକାଳ ମଧ୍ୟରେ ମାହାନ୍ତିମାନେ ନିଜ ନିଜର ସ୍ୱାର୍ଥସିଦ୍ଧି ପାଇଁ କେତେବେଳେ ବ୍ରାହ୍ମଣ, କେତେବେଳେ ଅଣଓଡ଼ିଆ, ଅନ୍ୟ ପାଟକଙ୍କ ଉପରେ କେମିତି କ’ଣ କରନ୍ତି ମୁଁ ମଧ୍ୟ କିଛି କିଛି ଜାଣେ; କିନ୍ତୁ ନିଜର ଲୋକଙ୍କୁ କେନ୍ଦ୍ର କରି ମାହାନ୍ତିମାନେ କିପରି ମାହାନ୍ତିଙ୍କୁ ଅପଦସ୍ଥ କରିଥାନ୍ତି ତାହାର ଗୋଟାଏ ପ୍ରାଣମୟ ଅନୁଶୀଳନୀ ଏବେ ମୋର ବୋହୂ ଅମିତାର ଅକାଳମୃତ୍ୟୁ ଗୁଡ଼ିଏ ଅକାଳକୁଷ୍ମାଣ୍ଡଙ୍କ ଦ୍ୱାରା କରି ଓ କରାଇ ଦେଖାଇଦେଲା ।

 

ଯେ ଜାତିଆଣ ପ୍ରୀତି ଜାତି ପ୍ରତି ବିପଦ । ଏଇ ଜାତିଆଣ—ପ୍ରେମୀ ସେନାବାହିନୀ ହେଉଛନ୍ତି ମଣିଷର ଶତୃ ଓ ସମାଜର ଶତୃ ।

 

ମୋର ବୋହୂ ନିଜକୁ ପୋଡ଼ି ପାରି ନ ଥିଲେ ନିଜେ ବଡ଼ ହଲାପଟା ହେଇଥାନ୍ତା । ଶେଷକୁ ନିଜ ଘରକୁ ଅବା ଶାଶୁଘରକୁ ଅବା ବାପଘରକୁ କ’ଣ ଅସୁବିଧାରେ ପକାଇଥାନ୍ତା କେଜାଣି ।

 

ତାହାର ଏଇ ଅକାଳ ମରଣ ପାଇଁ ଦୋଷୀ କ’ଣ ବାପଘର ? ବାପଘରର ଶୁଭାକାଂକ୍ଷୀମାନେ ।

 

ଏହାକୁ ବୁଝିବାକୁ ଏଇ ବହିରେ ଛପା ଯାଇଥିବା ଖବରକାଗଜ ଓ ପତ୍ରିକାର ଛପା ଭୁଲ ଓ ନିର୍ଭୁଲ ତଥ୍ୟର ବିବରଣୀ ପଢ଼ିବା ଦରକାର । କିନ୍ତୁ ଏଇ ମାତ୍ର ଦୁଇଶହ ପୃଷ୍ଠାର ଛପାଇବା ଜାଗା ଭିତରେ ସେ ସବୁ ଯାଇପାରିଲା ନାହିଁ । ବହି ଲେଖିବା ଆଗରୁ ସମାଜରେ ଛପା ହୋଇଥିଲା-

 

ସମାଜ ପୃଷ୍ଠା ୩ ତା ୧୬।୧୦।୮୪

 

ଜୀବନର ସନ୍ଧ୍ୟା

 

ଉପନ୍ୟାସ ଡିମାଇ ଦୁଇଶହ ପୃଷ୍ଠା ବନ୍ଧାଇ ମୂଲ୍ୟ କୋଡ଼ିଏ ଟଙ୍କା । ଶିଶୁ ଦିବସ ୧୪।୧୧।୮୪ ମଧ୍ୟରେ କଟକରୁ ନେଲେ ଦଶଟଙ୍କା ଓ ଡାକରେ ନେଲେ ଅଧିକା ପାଞ୍ଚଟଙ୍କା ପଡ଼ିବ । ଅଗ୍ରୀମ ପଠାନ୍ତୁ । ୧୪।୧।୮୫ ସୁଦ୍ଧା ବହି ନ ପାଇଲେ ଅଗ୍ରୀମ ଟଙ୍କା MO ଦ୍ୱାରା ଫେରସ୍ତ ହେବ ।

 

R. K Patnaik, Cuttack–9

 

ଗୋଟିଏ କଳିଷଠା ପାର ହେଇଥିବା ମାହାନ୍ତି ଲେଖକର ନିବେଦନ ଜଣେ ବି ମାହାନ୍ତି ପାଠକ ପୃଷ୍ଠପୋଷକତା ନ କରି ଓଲଟି ମତେ ଏଠି ସେଠି ଅଭିନନ୍ଦନ କଲେ ଯେ ବୁଢ଼ାମାନେ ଲେଖନ୍ତି କ’ଣ ପାଇଁ ?

 

ଦୁଇଜଣ ଦଶ ଟଙ୍କା କରି ଦେଲେ । ସେ ଦୁଇଜଣ ହେଲେ କଟକର କୁମାର ଶ୍ରୀ ପ୍ରତାପ ଚନ୍ଦ୍ର ଦେବ ଆଡଭୋକେଟ୍ ଓ ଶ୍ରୀ ଧୃବ ଚରଣ ସାହୁ ଆଡଭୋକେଟ୍ । ଗୋଟିଏ ବି ମାହାନ୍ତି ଦେଖା ଦେଲା ନାହିଁ । ଅଥଚ ଏମାନେ ଇନ୍ କମ୍ ଟିକସ କେତେ ଦେଉଛନ୍ତି, ଘରଭଡ଼ା କେତେ ପାଉଛନ୍ତି ତାହାର ତଥ୍ୟ ଶୁଣାଇ ବଡ଼େ ଆପ୍ୟାୟିତ କରୁଥାନ୍ତି ।

 

ଇଏ ହେଲା ସର୍ବଗିଳା କରଣ ସମାଜର ସାହିତ୍ୟ ପ୍ରୀତି ଓ ସଂସ୍କୃତି ପ୍ରୀତି ।

 

ତଥାପି ଇଶ୍ୱର ଅଛନ୍ତି । ୨୨।୧୧।୮୪ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଜାନକୀବାବୁଙ୍କ ଅଫିସରୁ ଖଣ୍ଡେ ଚିଠି ଆସି ପହୁଞ୍ଚିଲା ଯେ ଏଇ ଅକିଞ୍ଚନକୁ ତିନି ହଜାର ଟଙ୍କା ଦେଲେ ।

 

ଆଗରୁ ଡିସେମ୍ବର ତେୟାଅଶି ଓ ଜୁଲାଇ ଚଉରାଅଶିରେ ମୋର ଜରାଜୀର୍ଣ୍ଣ ଅଦରକାରୀ ଦେହର ଚିକିତ୍ସା ଖର୍ଚ୍ଚ ପାଇଁ ହଜାରେ ଟଙ୍କା କରି ଦୁଇ ହଜାର ଟଙ୍କା ଦେଇଥିଲେ । ମୋଟ ଦେଲେ ପାଞ୍ଚ ହଜାର ଟଙ୍କା । ଆଶା କରୁଛି ଯେ ସରକାରୀ କଳ ଏଇ ତିନି ହଜାର ଟଙ୍କା ଦବାକୁ ମୋର ମରଣଯାଏ ଅପେକ୍ଷା କରିବ ନାହିଁ ।

 

ଦେଓ ଯାହାଦେଲେ ହରଷେ, ପାଉ ପାଉ ଗଲା ବରଷେ...

 

Office of the Chief Minister, Odisha

No 9488/CM dl 15–11–84.

From

Shri D.N Patnaik

Deputy Secretary To Chief Minister

To

Sri Rajkishore Patnaik

Writer

Telenga Bazar, Cuttack–753009

Sir,

Chief Minister has been pleased to sanction a sum of Rupees three thousand in your favour from the Chief Minister's Relief Fund General Administration Department is being requested to remit the amount quickly.

Yours faithfully

Sd/ D.N.P.

Deputy Secretary to Chief Minister

 

ଚଉଦ ବର୍ଷ ତଳେ ଡକ୍ଟର ହରେକୃଷ୍ଣ ମହତାବ ତାଙ୍କର ୧୯୭୦ ବିଷୁବ ଉତ୍ସବ ଜରିଆରେ ହଜାରେ ଟଙ୍କା ଓ ଖଣ୍ଡେ ମାନପତ୍ର ଦେଇଥିଲେ ।

 

କିନ୍ତୁ ଭୁବନେଶ୍ୱର, ରସୁଲଗଡ଼ ଓ ଦିଲ୍ଲୀର ଓଡ଼ିଆ ସାହିତ୍ୟର କେନ୍ଦ୍ରମାନେ ଖଣ୍ଡେ ମାନପତ୍ର ବା ପ୍ରାଇଜ ଦେବାର ଯୋଗ୍ୟତା ମୋର ପଚାଶ ବର୍ଷର ଓଡ଼ିଆ ସାହିତ୍ୟିକ ଜୀବନରେ ଦେଖିପାରିଲେ ନାହିଁ । ସେଥିଭିତରେ ବହୁତ କରଣ ଅଛନ୍ତି—ନିଜ ନିଜ ପାଇଁ ଚେଷ୍ଟାରେ ଝାଳନାଳ । ବିଚରା ଆଉ ଜଣେ ମାହାନ୍ତି ନାଳ ପାଖରେ ପଡ଼ି କାନ୍ଦୁଛି ।

 

ଶେଷକୁ ୧୯୮୩ରେ ନାସନାଲ ବୁକ୍‌ଟ୍ରଷ୍ଟ କନ୍ନଡ଼ର ଉପନ୍ୟାସ ମୁକ୍ତିକୁ ହିନ୍ଦୀରୁ ଓଡ଼ିଆ କରିବାକୁ ଛବିଶ ଶହ ଟଙ୍କାର ବରାଦ ଦେଇ ମୋ’ଠାରୁ ଓଡ଼ିଆ ଅନୁବାଦ ଲେଖାର ସ୍ପେସିମେନ୍ ମଗାଇଲେ ।

 

ନାହିଁ—ହଁ—ହେଇ ଦେଲି ।

 

ଆପ୍ରୁଭଡ଼ ଲେଖା ହେଇ ଆସିଲା । ମୁଁ ଲେଖିଥିଲି ‘‘ହଏତ’’ । ତାକୁ ମୋର ସମୀକ୍ଷକ ଦୁଇଟା ଶବ୍ଦ କରିଦେଲେ ହଏ ଓ ତ ।

 

ମୁଁ ଯାଇ ସାହିତ୍ୟିକମାନଙ୍କୁ ପଚାରିଲି । କିଏ କହିଲା ଇଏ ଗୋଟିଏ ଶବ୍ଦ । ଆଉ କିଏ କହିଲେ ଦୁଇଟି ଶବ୍ଦ ।

 

କିନ୍ତୁ ମତେ ଅନୁବାଦ କରିବା ଆଦେଶ ମିଳିଲା ନାହିଁ । କାରଣ ସେମାନେ (N.B.T.) କହିଲେ ଲେଖାର ସମୀକ୍ଷା ଫିସ୍ ମୋର ଛବିଶ ଶହରୁ କଟିବ କିନ୍ତୁ କେତେ କଟିବ କେହି କହିପାରିବେ ନାହିଁ । ମୋର ବି ଜଣେ ମାଷ୍ଟର ଅଛନ୍ତି N.B.T. ରେ । ବଜାରରେ ଦେଖୁଛି ମୋ’ଠାରୁ ବଡ଼ ବଡ଼ ସାହିତ୍ୟିକମାନେ N.B.T. ବହି ଓଡ଼ିଆରେ ଅନୁବାଦ କରିବାରେ ଲାଗି ପଡ଼ିଛନ୍ତି । ଏଣେ ଏଠି ସାହିତ୍ୟ ସଭାକୁ କଥାରେ କମ୍ପାଇ ଦେଇଛନ୍ତି ନିଜର ସ୍ୱାଧୀନତା କଥା କହି ବୁଝାଇ ।

 

କିନ୍ତୁ ଜଣେ ବୁଢ଼ା ମାହାନ୍ତି ଗୋଟିଏ ପ୍ରାଇଜ ବା ଗୋଟିଏ ଅନୁବାଦ ପାଇ ନିଜକୁ କୃତାର୍ଥ କରି ପାରିଲା ନାହିଁ ।

 

ଏସବୁ ଭାବି ମୁଁ ସ୍ଥିର କଲି ମୋର ବୋହୂ ଅମିତାର ବାଟ ଧରିବାକୁ ହେବ । କିନ୍ତୁ ଏଇ ପୋଡ଼ାପୋଡ଼ି କାମ ମୋର ମନକୁ ଘେନେ ନାହିଁ ।

 

ମନ କଷ୍ଟରେ ବୁଲିଲାବେଳେ ହାଇକୋଟର ବନ୍ଧୁ ଶ୍ରୀ କୃଷ୍ଣଚନ୍ଦ୍ର ମାହାନ୍ତି (ବାଲିକୁଦା ଗଜରାଜପୁର ମଉସା ଘର—ଖୋରଧା ବାଜପୁର ନୁହେଁ ) ମତେ ପ୍ରବୋଧ ଦେଇ କହିଲେ ତାଙ୍କ ଗାଁର ମିଆଁ ପୁଅର ମହାଭାରତ ଶୁଣିବା କଥା ।

 

ମହାଭାରତରେ ଅନେକ ବଢ଼ିଆ କଥା ରହିଛି ବୋଲି ମିଆଁ ତାଙ୍କର ପୁଅକୁ ଗାଁ ଚଉପାଢ଼ୀକୁ ପଠାଇ ପୁଅକୁ ପୂରା ଅଠର ଖଣ୍ଡ ମହାଭାରତ ଶୁଣାଇ ଦେଲେ ?

 

ପଚାରିଲେ—ବେଟା, କ୍ୟା ହୁଆ ?

—କୁଛ, ଖାସ୍ ବାତ ନେହିଁ ।

ଅନ୍ଧାକା ଶଉ ଔର ପଣ୍ଡୁଆକା ପାଞ୍ଚ

କାଳିଆକା ଲଟପଟ୍

ଥୋଡା ଜାମିନ୍ କା ବାସ୍ତେ (ପାଇଁ)

ସେଇଆ ତ ।

ଅଖବାରୋଁ (ଖବର କାଗଜମାନଙ୍କର) କା

ଲଟପଟ୍

ଥୋଡ଼ା ମଜାକ୍ (କୌତୁକ) କା ବାସ୍ତେ ।

 

ଓଡ଼ିଆ ସମାଜରେ ଗୋଟାଏ ଢଗ ଅଛି ଯେ ମହୁରିଆର ମଇଦାନ ଗଲାବେଳେ ପେଁକାଳି ବାଜେ ।

 

କରଣ ସମାଜରେ ସେହିପରି ସବୁ ପ୍ରକାରର ଅବସ୍ଥାରେ ବସ୍ତିୱାଲେ ଶ—ବେ—ତୋ’ ମା’କୁ—ଆଦି ବ୍ୟବହାର କଲା ପରି କରଣମାନେ ହାମେସା ବୁଦ୍ଧିର କାରବାର ଦେଖାନ୍ତି ।

 

ଏମତି ବ୍ୟବହାର ଥରେ ଜଣେ ହିନ୍ଦୁସ୍ଥାନୀ ରାଜାଙ୍କୁ ଦେଖାଇଥିଲା ସେଠାକାର ହିନ୍ଦୁସ୍ଥାନୀ କରଣ । ଗଳ୍ପଟି କହିଥିଲେ ସାହିତ୍ୟିକ ଓ ବିଶିଷ୍ଟ ଆଡଭୋକେଟ୍ ଶ୍ରୀ ଗୋପାଳ ପ୍ରସାଦ ଘୋଷ ।

 

ରାଜାଙ୍କର ଗହଣରେ ବଣ ଭିତରେ ଗଲାବେଳେ ହାତୀର ପାଦଚିହ୍ନ ଦେଖି ରାଜା ଭକୁଆ ହେଇଗଲେ—କି ପ୍ରକାରର ଜନ୍ତୁର ପାଦ ଚିହ୍ନ ?

 

କରଣ ହାରିଗଲେ କଥା ଶେଷ । କରଣ ସରଦାର ନାଁ ଲାଲ୍ । ସେ ବୁଦ୍ଧି କାଢ଼ିଲା ।

 

ବୁଝଗୟା ବୁଝଗୟା

ଲାଲ ନ ବୁଝେ ତୋ’ ଔର ବୁଝେ କୋଇ ?

ହରନା (ହରିଣ) ପାୟେର (ପାଦରେ) ଚକି ବାନ୍ଧକର

ଚଲଗୟି...ଚଲଗୟି ।

 

ସମସ୍ତଙ୍କୁ କଥାଟା ସ୍ପଷ୍ଟ ହେଇଗଲା । ଏତେ ସ୍ପଷ୍ଟ ହେଲା ଯେ କଥା ଗଡ଼ି ଆସିଲାଣି ଦୁଇ ହଜାର ଅବା ଚାରି ହଜାର ବର୍ଷ—ଅନେକ ଭାଷା ଉପର ଦେଇ ।

 

ହାଲକୁ କରଣ ସମାଜରେ ଗୋଟିଏ ମିନି କୁରୁକ୍ଷେତ୍ର ଯୁଦ୍ଧ ଚାଲିଛି—ଶାଶୁ ବୋହୂ ନେଇ ।

 

ଧର୍ମକ୍ଷେତ୍ର କୁରୁକ୍ଷେତ୍ର...

 

ମୋ’ କଥା—

 

ଉଣେଇଶ ଶହ ଛତିଶି ମସିହାରେ ମୋର ଚିଠି ଫାଇଲ ଛପା ଆରମ୍ଭ ହୋଇଥିଲା । ସେଗୁଡ଼ିକ କଟକର ଉତ୍କଳ ଷ୍ଟୋର୍ସ ପଞ୍ଜୁରୀ ପକ୍ଷୀ ନାମରେ ବହି କରିଥିଲେ । ସେଇଠୁ ଆଜିଯାଏ ମୋଟା ମୋଟି ପଚାଶ ବର୍ଷ ।

 

ଏଇ ପଚାଶ ବର୍ଷ ଭିତରେ ଗୋଟିଏ ଭଲ ଅନୁଭବ ଆସିଲା—ସେଇଟି ହେଲା ଯେ ମୋର ଲେଖା ଆରମ୍ଭ କଲାବେଳେ ଯେଉଁମାନେ ଜନ୍ମ ହେଉଥିଲେ ସେମାନଙ୍କର ଦରଦ ଭରା ସମ୍ବୋଧନ—ବୟୋଜ୍ୟେଷ୍ଠ ସାହିତ୍ୟିକ.... ।

 

ଏହି ସୁଶ୍ରାବ୍ୟ ସମ୍ବୋଧନ କିଛି ଥର ଶୁଣିଲା ପରେ ଆଉ ସାହିତ୍ୟ ସଭାକୁ ଯିବା ଆବଶ୍ୟକ ହେଇ ନାହିଁ । କାରଣ ଓଡ଼ିଆ ସାହିତ୍ୟରେ ଏବେ ନୂତନ ପଦ୍ଧତିରେ ଗଣତନ୍ତ୍ରର ଶୈଳୀ ଦେଖା ଦେଇଛି ।

 

ସେଥିପାଇଁ ସାହିତ୍ୟିକ ମଣ୍ଡଳୀଠାରୁ ଦୂରରେ ରହିବା ଦରକାର ପଡ଼ୁଛି । କାରଣ ଚିନ୍ତା ରାଜ୍ୟରେ ଗଣତନ୍ତ୍ର ନ ଥାଏ ବୋଲି ପ୍ରତ୍ୟେକ ସଭ୍ୟ ଦେଶରେ ଧାରଣା ।

 

ସାହିତ୍ୟିକ ମଣ୍ଡଳୀ ମଧ୍ୟରେ ସାହିତ୍ୟର ନୂଆ ସଂଜ୍ଞା ଦେଖାଦେଇଛି । ସେଇଟି ହେଲା ସାହିତ୍ୟ ଓ କଳାକାର ସମାନ । କଳାକାର ଓ କଳାକୃତିର ବେପାରୀ ସମାନ ।

 

କଲମ ସାଙ୍ଗରେ ଡୁଗିତବଲା ସମାନ । ମୁସାହିରା ଓ କବିତା ସମାନ । ସାମ୍ବାଦିକତା ଓ ଲେଖା ସମାନ । ଲେଖା ଓ ଲେଖାର ପ୍ରକାଶକ ସମାନ । ପ୍ରକାଶକ ଓ ପାଠକ ସମାନ । ପାଠକ ଓ ବହି ଖରିଦଦାର ସମାନ । ସବର୍ଣ୍ଣ ଓ ହରିଜନ ସମାନ ।

 

ଏଇ ସମତା ଭିତରେ ଲେଖାର ବହୁତ ପ୍ରକାରର ଉପାଦାନ ମିଳେ । ସେଇ ଉପାଦାନକୁ ବାଛି ବାଛବିଚାର କରି ସରକାର ଭଲ ଓ ମନ୍ଦ ସ୍ଥିର କରନ୍ତି । ସେଥିପାଇଁ ସାହିତ୍ୟର ସଂଗଠନମାନେ ରେଳଗାଡ଼ି ଛାଡ଼ିବା ଆଗରୁ ହୁଇସିଲ ମାରିଲା ପରି ସାହିତ୍ୟରେ ବାରମ୍ବାର ହୁଇସିଲ ମାରୁଛନ୍ତି ।

 

ସେଇ ହୁଇସିଲ ଭିତରେ କଥା ଥାଏ—ପେଁକାଳୀ ଭିତରେ କଥା ଶୁଭିଲା ପରି ।

 

ସେଇ କଥାଗୁଡ଼ିକ ହେଲା ଉପଦେଶ—ସାହିତ୍ୟିକମାନେ, ଏମିତି ବିଷୟ ନେଇ ଲେଖ-। ଏ ବିଷୟରେ ଏହି ପ୍ରକାରର ଛନ୍ଦ ଓ ରସ ଯୋଗ କର ।

 

ଶୁଣିଲେ ବଡ଼ ବ୍ୟସ୍ତ ଲାଗେ—କେମିତି କଣ ଲେଖିବାକୁ ହେବ ? ଓଡ଼ିଶୀ ସଙ୍ଗୀତ, ଓଡ଼ିଶୀ ନୃତ୍ୟକୁ କ’ଣ କର୍ଣ୍ଣାଟକୀ ସଙ୍ଗୀତ ବା କଥାକଳୀ ନୃତ୍ୟର ଗୁରୁମାନେ ଉପଦେଶ ଦେଉଛନ୍ତି-?

 

ତେବେ ଓଡ଼ିଶାରେ ଓଡ଼ିଆ ଚିନ୍ତା—ନାୟକମାନେ ନଜେ ନ ଲେଖି ଖାଲି ଉପଦେଶ ଦେବାରେ ଲାଗି ପଡ଼ୁଛନ୍ତି କାହିଁକି ?

 

ଏଇ ଉପଦେଶର ପ୍ରାଦୁର୍ଭାବ ଲେଖକ ମନରେ ଶଙ୍କା ଆଣୁଛି । ଯେମତି ପୁରୁଣା କାଳିଆ ବାଳ କଟା, ଲୁଗାପଟା ମଣିଷକୁ ଅପଦସ୍ଥ କରୁଛି ସେମିତି ନୂତନ ଭାବଧାରାକୁ ଉପଦେଶ ଛଳରେ ପୁରୁଣା ଲେଖକଙ୍କ ଉପରେ ଅଜାଡ଼ି ଦେଲେ ଗୋଟିଏ ପ୍ରକାରର ହୀନମନ୍ୟତା ଆସୁଛି ।

 

ଯେ, ମୁଁ ଆଉ ଲେଖିବି କାହିଁକି ? ନୂଆ ଭାବଧାରା ବନ୍ୟା ଛୁଟାଇ ଚାଲିଛି । ସାଥିରେ ମୂଲ୍ୟହୀନ ପୁରୁଣା ଭାବଧାରା କାହାର କି କାମରେ ଲାଗିବ ?

 

ଆଇଡିଆ ବାଜେ ବୋଲି ଯଦି ସାଂସ୍କୃତିକ ବିଭାଗମାନଙ୍କର ପିଅନ ଓ ଦପ୍ତରୀଙ୍କର ସ୍ତ୍ରୀ ବା ଝିଅ କହିଦେବେ ତେବେ ବହିଗୁଡ଼ାକୁ କେହି ଚାହିଁବେ ନାହିଁ ।

 

ହିନ୍ଦୁ କଂସେଇ ଓ ମୁସଲମାନ କଂସେଇଙ୍କର ପଶୁଙ୍କୁ ମାରିବାର ପଦ୍ଧତି ଜଣକୁ ଆରଜଣଙ୍କ ଠାରୁ ଅଲଗା କରିଦେଲା ପରି ।

 

ମୋ’ ମତରେ ଏବେ ସେଇ ସମସ୍ୟା ଆସି ପହୁଞ୍ଚିଛି । ଏଥିରେ ସାଂସ୍କୃତିକ ବିଭାଗର ମନ୍ତ୍ରୀଙ୍କର ଦୋଷ ନାହିଁ । ସେ ସିନା ମନ୍ତ୍ରୀ—ସେ ତ ଲେଖକ ନୁହନ୍ତି । ଲେଖୁଥିଲେ କେବେ ? ଯାହା ଲେଖିଥିଲେ ସେତକ ତାଙ୍କର ସ୍ଥିତି ଓ ସ୍ଥାନ ବଳରେ ନୂତନ ମୂଲ୍ୟ ନେଇ ଥାଇପାରେ । କିନ୍ତୁ ସେ ବି ସାହାଯ୍ୟ କରିବେ କିପରି ?

 

ସରକାର ବହି କିଣୁଛନ୍ତି । ସେ ଯେଉଁ ଲେଖକକୁ ପସନ୍ଦ ନ କରିବେ, ସେ ବିଚରା ଗୋଠତଡ଼ା ଗେଧ ପରି ଖାଲି ହୁଁ—ହାଁ ହେଇ ବୁଲୁଥିବ । ଯେଉଁ ବହିକୁ ଫେଲ କରିଦେବେ ସେ ବହି ଯାଇ ମୂଷା, ଝିଟିପିଟି ଓ ଉଇ ସାଙ୍ଗରେ ସାଙ୍ଗ ହେବ—ପେଡ଼ି ପୋରୁହାଁ ଲୁଗା ପରି ।

 

ରଫୁ ମାଷ୍ଟର ତାଙ୍କୁ ଖୋଜି ପାରେ । କିନ୍ତୁ ତାଙ୍କୁ କେହି ପସନ୍ଦ କରିବେ ନାହିଁ । ତାକୁ ପିନ୍ଧି ଗଲେ ଭୋଜିରେ ଲୋକେ ବିରକ୍ତ ହେବେ । ଅଫିସର ଅମଲାମାନେ ନାକ ଟେକିବେ । ଛାତ୍ରମାନେ ମଧ୍ୟ ନାପସନ୍ଦ କରିବେ ।

 

ପୋଷାକ କପା, ସିଲକ୍ ଓ ସିନ୍ଥେଟିକ ମାଲରୁ ତିଆରି ହୁଏ । ତାହାର ଢାଞ୍ଚାଟି ହେଲା ସବୁ କଥା । ସେମିତି ଲେଖାଟି ମନର ଭାବ ଓ ବ୍ୟାକରଣ ସୂତ୍ରକୁ ଧରି ତିଆରି ହୁଏ । ତେଣୁ ପ୍ରଶ୍ନ ଉଠେ—ସାହିତ୍ୟରେ ଏଇ ଢାଞ୍ଚା ବା ଶୈଳୀର ସ୍ଥାନ କ’ଣ ?

 

ଏହାର ଉତ୍ତର ନିର୍ବିବାଦ ହେଇ ପାରୁନାହିଁ । କାରଣ ପଢ଼ାପଢ଼ି ଅଭାବରେ ମସ୍ତିଷ୍କ ଏପରି ଭାବରେ ଶକ୍ତିହୀନ ହେଇ ପଡ଼ିଲାଣି ଯେ ସାହିତ୍ୟ କଥା କହିଲେ ଆମେ ସମସ୍ତେ ବୁଝି ଗଲୁଣି ଯେ ଶ୍ରେଷ୍ଠ ସାହିତ୍ୟ ହେଲା ଖବର କାଗଜ ।

 

ଆଉ ଖବର କାଗଜର ବିଶେଷ ଜ୍ଞାନର ଆଧାର ରହିଲା—ଦୁର୍ଘଟଣା । ଅସ୍ଵାଭାବିକ ଘଟଣା ଓ ମନ ଗଢ଼ା କଥା । ତେଣୁ ନୂଆ ଭାବଧାରା କହିଲେ କ’ଣ ବୁଝାଇବ ସେତକ ମଧ୍ୟ ବୁଝା ପଡ଼ୁନାହିଁ ।

 

ବହି ନ କିଣିଲେ ବହି ପଢ଼ିବା ପାଇଁ ସମସ୍ତଙ୍କୁ ସୁଯୋଗ ମିଳେ ନାହିଁ । କିନ୍ତୁ ବହି ଖଣ୍ଡେ କିଣିବା ମାନେ ନୁହେଁ ଯେ ଅବଶ୍ୟ ପଢ଼ିବାକୁ ହେବ ।

 

ବହିଟା ଯଦି ହାତବନ୍ଧା ଘଡ଼ି ହେଇଥାନ୍ତା ଅର୍ଥାତ୍ ପ୍ରୟୋଜନୀୟ ବା ଅତ୍ୟାବଶ୍ୟକ ପଦାର୍ଥ ହୋଇଥାନ୍ତା ତାହାହେଲେ ତାହାର ଦାମ୍ ବଢ଼ନ୍ତା ।

 

କିନ୍ତୁ ବହିକୁ ପ୍ରୟୋଜନୀୟ ଦ୍ରବ୍ୟ ତାଲିକାକୁ ନେବାର ଚେଷ୍ଟା ହେଉଛି ସଂସ୍କୃତି ।

 

ଏଇ ସଂସ୍କୃତି ସଂସ୍କାର ସାଙ୍ଗରେ ଲାଗିଛି । ସଂସ୍କୃତି କେବେ ହେଲେ ଅଗୁରୁ ବିଦ୍ୟା ବା ଅଘୋର ଦୀକ୍ଷା ନୁହେଁ ।

 

ଅନୁମାନରେ ସଂସ୍କୃତି ଆସି ବସା ବାନ୍ଧି ଯିବ ଆମ ଭିତରେ ।

 

ତେଣୁ ଆପଣମାନଙ୍କ ପରି ବିବେକୀ ଲୋକଙ୍କୁ ଉପଦେଶ ମାଗୁଛି—କ’ଣ କରିବା ଉଚିତ ?

 

ରାଜକିଶୋର ପଟ୍ଟନାୟକ

୩୦ । ୧୧ । ୮୪

Image